ମାଉଁସ
ମାଉଁସ
--“ଇଲୋ ବୋଉ ଭାରି ବଢିଆ ବାସେନାଟେ ହଉଚି ତ! ଲାଗୁଚି ଏଇ ବଡ଼ବାବୁ ଘରେ ଖାସି ମାଉଁସ ରନ୍ଧା ହଉଚି ବୋଧହୁଏ”।
ମାଉଁସ ଉପରେ ଥିବା ଝିଅର ଅହେତୁକ ଆବିଳତାକୁ ଟିକେ ଭୁଲେଇ ଦେବା ପାଇଁ କିଛି ନ ଜାଣିଲା ପରି ବାସନ୍ତୀ କହିଲା, “ଆଲୋ ପାଗେଳୀ କୋଉ ବାସେନା କଥା କହୁଚୁ କିଲୋ। କିଛି ବାସେନା ଫାସେନା ତ ନାହିଁ। ମୁଁ ପଖାଳ ବାଢୁଛି ଶୀଘ୍ର ଖାଇବୁ ଆ”।
ଟିକେ ଚିଡି ଯାଇ ମାମୁନି, “ଇଲୋ ବୋଉ ତୋ ନାକ ଫାକ କାମ କରୁନି କି? ଏତେ ଜୋରରେ ବାସେନାଟା ହଉଛି ଅଥଚ ତୁ କହୁଚୁ କିଛି ନାହିଁ। ଏମିତି କେତେ ଦିନ ମୁଁ ଏ ବାସି ପଖାଳ ଆଉ ପିଆଜ ଖାଇବି। କୋଉ ଦିନ ପେଟ ବି ପୁରୁନି। କେବେଠୁ ଏ ପାଟିରେ ଟିକେ ଆଇଁଷ ବାଜିନି। ଗଲା ବରଷ ତୁ ସେ ଭୋଜିରେ ବାସନ ମାଜି ଯାହା ବଳକା କୁକୁଡ଼ା ଝୋଳ ଟିକକ ଅଣିଥିଲୁ ହେଲେ ସେଥିରେ କୋଉ ପେଟ ପୁରିଲା ଖାଲି ଯାହା ପାଟି ଟିକେ ଚାଖିଲା। ମୁଁ ତତେ କେଇଥର କହିଲିଣି ଘରକୁ ଟିକେ ମାଉଁସ ଆଣେ ମୁଁ ଖାଇବି ହେଲେ ତୁ କୋଉ ମୋ କଥା ଶୁଣୁଛୁ ଛୋଟପିଲା ବୋଲି ଆଡୁସାଡୁ କହି ମତେ ଭୁଲେଇ ଦଉଚୁ”।
ଝିଅର କଥାକୁ ଚୁପ୍ଚାପ୍ ବସି ଶୁଣୁଥାଏ ବାସନ୍ତୀ। ଗେରସ୍ତ ମରିଗଲା ପରେ ଘର ଚଳେଇବା ଯେ କେତେ କଷ୍ଟ ସେକଥା କେବଳ ସେ ନିଜେ ହିଁ ଜାଣେ। ଯୋଉଁଠି ଚାରିଦିନରେ ଥରେ ଚୁଲି ଜଳେ ସେଠି ଏ ମାଉଁସ ତ ଦିବା ସ୍ୱପ୍ନ ଭଳି। ବିଚାରି ଝିଅଟାକୁ ବା ଆଉ କଣ କହିବ? ଭୁଲେଇ ଦେବାଟା ହିଁ ତାର ଏକମାତ୍ର ବାଟ। ନୀରବରେ ବୋଉକୁ ଦେଖି ମାମୁନି କହିଲା, “ହେଇଟି ବୋଉ ଗୋଟେ କଥା କହିବି ତୁ ତ ବଡ଼ବାବୁ ଘରକୁ ସବୁଦିନ ଯାଉଛୁ। ବାସି ପାଇଟି କରି ବଳକା ଭାତ, ତିଅଣ ଆଉ ପଚାଶଢା ପରିବାପତ୍ର ବି ଆଣୁଛୁ। ତୁ ଆଜି ଟିକେ ମୋ କଥା କହି ମାଉଁସ ତରକାରୀ ମାଗି ଆଣନ୍ତୁନି। ଆଜି କାଇଁ ମାଉଁସ ଝୋଳ ଖାଇବାକୁ ଭାରି ମନ ହଉଚି”। ଝିଅର କଥାଶୁଣି ଟିକେ ହସିଦେଇ ବାସନ୍ତୀ ଭାବିଲା, “ମାଉଁସଟା କୋଉ ଏମିତି ସେମିତି ଜିନିଷ ହେଇଚି ଯେ ବଡ଼ବାବୁ ଗୋଟେ ଚାକରାଣୀର ହାତକୁ ଟେକିଦେବେ। ଖୋଦ କିଲୋ ସାତଶହ ଟଙ୍କାଟି କଣ କମ୍ କଥା ନା କଣ? ”
ବଡ଼ ପାଟିରେ ବାସନ୍ତୀ, “ମାମୁନି ଖାଇବୁ ଆ। ସେ ମାଉଁସ କଥା ଭୁଲିଯା। ସେସବୁ ବଡ଼ବଡ଼ିଆଙ୍କ ଖାଦ୍ୟ। ଆମର ଏ ପଖାଳ ସବୁଠୁ ଭଲ, ଭାରି ବଢିଆ। ତୁ ଆ ସାଙ୍ଗହେଇ ବସି ଖାଇବା।” ହେଲେ ମାମୁନିର କୋଉ ମନ ମାନୁଛି ଯେ ତା’ ଲୋଭ ତ ସେଇ ବାବୁଘର ଖାସି ମାଉଁସ ଝୋଳରେ ଅଛି। ବୋଉକୁ ଡରି ଘରେ କିଛି ନକହି ଚୁପ୍ଚାପ୍ ମାମୁନି ଚାଲିଗଲା ବଡ଼ବାବୁ ଘରକୁ। ବଡ଼ବାବୁ ବି ମାମୁନିକୁ ଭାରି ଭଲ ପାଆନ୍ତି। ମାମୁନି ତାଙ୍କର ଛୋଟମୋଟ ବୋଲହାକ କରେ। ସେ ନିଶ୍ଚୟ ତା’ କଥା ରଖିବେ। ମାଉଁସ ଆଶାରେ ମାମୁନି ବଡ଼ବାବୁଙ୍କ ଘର କବାଟକୁ ଠକ୍ ଠକ୍ କଲା। କିଛି ସମୟ ପରେ ଘର ଭିତରୁ କିଏ ଜଣେ ଆସି କବାଟ ଖୋଲିଲେ। ଆଖି ଦିଟା ସେତେବେଳକୁ ପୁରା ଲାଲ୍ ପଡିସାରିଲାଣି, ଶରୀରର ଭାରସାମ୍ୟ ରଖିବା ନିଜ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲାଣି, ପାଟିରୁ ଭଣଭଣ ଦୁର୍ଗନ୍ଧ ବାହାରୁଚି ମାମୁନି ଦେଖିକି ଟିକେ ଡରିଗଲା। ବୋଧହୁଏ ସାନବାବୁ ହୋଇଥିବେ। ବୋଉ କହୁଥିଲା ସେ ବହୁତ ପାଠପଢି ବାହାରେ କୁଆଡେ ଚାକିରୀ କରନ୍ତି, ବହୁତ ଟଙ୍କା ଦରମା ପାଆନ୍ତି, ମତେ ତାଙ୍କ ପରି ବଡ଼ମଣିଷ ହବାକୁ ବୋଉ ସବୁବେଳେ କହେ। ମାମୁନି ଉପରେ ଗୋଟେ ଲୋଲୁପ ନଜର ବୁଲେଇ ଦେଇ ସାନବାବୁ ଟିକେ ମୋଟା ଗଳାରେ ପଚାରିଲେ, “କଣ ହେଲା ଝିଅ କୁଆଡେ ଆସିଛୁ?”--ମାମୁନି, “ବଡ଼ବାବୁ ଘରେ ଅଛନ୍ତି?” --“ନା ଘରେ କେହି ନାହାନ୍ତି, କିଛି କାମ ଥିଲା?” --“ସାନବାବୁ ମୁଁ ଟିକେ ମାଉଁସ ଝୋଳ ପାଇଁ ତମ ଘରକୁ ଆଇଥିଲି” ଟିକେ ଲାଜେଇ ଯାଇ ମାମୁନି କହିଲା। --“ହଉ ଭିତରକୁ ଆ ନେଇକି ଯିବୁ”। ମନ ଖୁସିରେ ମାମୁନି ଘର ଭିତରକୁ ଯାଇ ଟିକେ ଡରିଗଲା। ରଙ୍ଗୀନ୍ ଲାଇଟରେ ମ୍ୟୁଜିକର ତାଳେ ତାଳେ ନାଚୁଥିବା କିଛି ଅଣାୟତ୍ତ ମଦୁଆଙ୍କ ଭିତରୁ ହଠାତ୍ କେହିଜଣେ ମାମୁନିକୁ ଚାହିଁ ଜୋରରେ କହିଉଠିଲା, “ଆରେ ଏଇତ ପୁରା ଦେଶୀ ଖାସି ମାଉଁସ କସାଟା ଏ ବିଦେଶୀ ମାଉଁସ ଝୋଳକୁ କିଏ ପଚାରେ? ଚାଖଣା ରେଡି, ଆଜି ପାର୍ଟି ପୁରା ଜମିଲା”।
ତା’ ପରେ କଣ ହେଲା କେହି ଜାଣନ୍ତିନି। ବାସନ୍ତୀ ମାମୁନିକୁ ଚାହିଁ ଚାହିଁ ସେଦିନ ଓପାସ ରହିଲା। ବିଚାରିଟା ଝିଅକୁ ନପାଇ କେତେ କାନ୍ଦିଲା। ପରଦିନ ମାମୁନିର ଶରୀର ମୃତ ଅବସ୍ଥାରେ ପାଖ ଅଳିଆ ଗଦା ଭିତରୁ ମିଳିଲା। ପୋଲିସ୍ ଆସି ମୃତ ଦେହକୁ ଜବତ କଲା। ମାମୁନି ଦେହର କଅଁଳ ଗୋରା ଚମ ଉପରେ ଥିଲା କିଛି ହିଂସ୍ର ଦାନ୍ତର ଚିହ୍ନ, ତା’ ଜାମା ଚିରି ଯାଇଥିଲା, କେଶ ଆଲୁରୁ ବାଲୁରୁ ପରି ମୁକୁଳା ଥିଲା। ଲୋକେ କଥା ହେଉଥିଲେ, “ଝିଅକୁ କିଏ ରେପ୍ କରିଛି ବୋଧହୁଏ”। ବାସନ୍ତୀ ମୁଣ୍ଡରେ ସେ ଇଂରାଜୀ ଶବ୍ଦ ରେପ୍, ଫେପ୍ କିଛି ପଶୁନଥିଲା। ବଡ଼ବାବୁ ଆସି ବାସନ୍ତୀକୁ ସାନ୍ତ୍ୱନା ଦେଲେ। ଶବକୁ ବ୍ୟବଛେଦ ପାଇଁ ପୋଲିସ୍ ନେବାବେଳ ବାସନ୍ତୀ ରାସ୍ତାରେ ମୁଣ୍ଡ ପିଟିପିଟି କାନ୍ଦି କହୁଥାଏ, “ଝିଅ ମୋର ମାଉଁସ ଝୋଳ ଖାଇବ ବୋଲି ଜିଦି କରି ମତେ ସବୁଦିନ ପାଇଁ ଛାଡି ଚାଲିଗଲା”। ସେଦିନ ପରଠୁ ବାସନ୍ତୀକୁ ସ୍ୱାଭାବିକ ଅବସ୍ଥାରେ ଥିବାର ଆଉ କିଏ ଏଯାଏଁ ଦେଖିନି। ଆଲୁରୁବାଲୁରୁ ମୁକୁଳା ଚୁଟି କରି ରାସ୍ତାରେ ବୁଲେ। କେତେବେଳେ ହସେ ପୁଣି କେବେ ମନକୁ ମନ କାନ୍ଦେ। ଆଡୁସାଡୁ ଗପେ। ଲୋକଙ୍କୁ ଦେଖିଲେ କାନ୍ଦିକାନ୍ଦି ପଚାରେ, “ମୋ ମାମୁନିକୁ ଦେଖିଛ? ମାଉଁସ ଖାଇବ ବୋଲି କହୁଥିଲା। କୋଉଠି ରୁଷି ବଇଛି ବୋଧହୁଏ। ଯାଏଁ ଖୋଜେ ତାକୁ। ମାମୁନି ଲୋ ମାମୁନି------”।
