STORYMIRROR

Pravanjan Dash

Abstract Inspirational

4  

Pravanjan Dash

Abstract Inspirational

ପ୍ରତାରଣା

ପ୍ରତାରଣା

2 mins
287


   ବାହାଘର କଥାଟା ମୋ ମୁହଁରୁ ବାହାରିବା ପରେ ହିଁ ସେ କହିଥିଲା, “ବାପାଙ୍କର ସରକାରୀ ଚାକିରିଆ ପୁଅ ଭାରି ପସନ୍ଦ। ତମେ ଯଦି ଖଣ୍ଡେ ସରକାରୀ ଚାକିରିଟେ କରିଦିଅନ୍ତ ତା’ହେଲେ ସେ ଆମର ବିବାହ ପାଇଁ କେବେ ଅମଙ୍ଗ ହେବେନି”। ମୁଁ ନିଶ୍ଚିତ ହୋଇ ସାରିଥିଲି ଯେ ମୋ ପ୍ରେମର ସଫଳତା ଯଦି ଦ୍ୱୀପ ହୁଏ ତେବେ ସେଠିକି ଯିବା ପାଇଁ ସରକାରୀ ଚାକିରୀ ପରି ମହାସମୁଦ୍ରକୁ ଯାହାବି ହେଲେ ମତେ ପାରି ହେବାକୁ ହେବ।


ସେଦିନ ସରକାରୀ ଚାକିରୀ ପାଇଁ ସହରକୁ ଗଲାବେଳେ ଗାଁ ପଛ ତୋଟା ଆମ୍ବଗଛ ମୂଳେ ଲୁହ ଭିଜା ଆଖିରେ ସେ, “ମୋ ପାଇଁ ତମେ ଆଦୌ ବ୍ୟସ୍ତ ହବନି। ମୋ କଥା ଆଦୌ ଚିନ୍ତା କରିବନି। ତମ ପାଇଁ ସାରା ଜୀବନ ବି ମୁଁ ଅପେକ୍ଷା କରିବି। ତମେ ସରକାରୀ ଚାକିରୀ ପାଇ ଫେରିଲେ ଆମ ବାହାଘର ହବ”। ଅନେକ ହାଁ, ହତାଶ ଓ ସଂଘର୍ଷ ପରେ ଆଜି ଶେଷକୁ ଗୋଟେ ଭଲ ସରକାରୀ ଅଫିସର ଚାକିରୀଟେ ମିଳିଛି ମତେ। ଚାକିରୀର ସଫଳତା ଅପେକ୍ଷା ତାକୁ ପାଇବାର ଖୁସିରେ ପାଦ ମୋର ତଳେ ଲାଗୁନି। ଘରକୁ ଗଲାବେଳେ ସାଙ୍ଗରେ ଶାଢ଼ୀ, ଚୁଡି, ଅଳତା, ସିନ୍ଦୁର ସବୁକିଛି ନେଇ ଯାଉଛି ମୁଁ। ଏକାଥରକେ ତାକୁ ବାହାହେଇ ସାଙ୍ଗରେ ନେଇ ଆସିବି। ଆସିବା ଦିନଠୁ ଚାକିରୀ ଚିନ୍ତାରେ ପଦୁଟିଏ କଥା ବି ହେଇନି ତା’ ସହ। ତା’ କଥା ଭାବିକି ଆଉ ଥୟ ଧରି ରହିପାରୁନି ମୁଁ।


ଗାଁ ପାଖ ଛକରେ ମଙ୍ଗଳା ମନ୍ଦିର। ଗାଡି ଆସି ଲାଗିଗଲାଣି। ଗାଁ ଏଠୁ ଆଉ ମାତ୍ର ପାଞ୍ଚ କି.ମି.। ସେଦିନ ଏଇ ମାଆଙ୍କୁ ଶୁଭ ମନାସୀ ଚାକିରୀ ଲକ୍ଷ୍ୟରେ ସହର ଯାଇଥିଲି। ସଫଳତା ପାଇ ଫେରିଛି ଆଜି। ବସ୍ ଭିତରେ ଥାଇ ମାଆଙ୍କୁ ମୁଣ୍ଡିଆ ମାରି କୃତଜ୍ଞତା ଜଣେଇଲି। ପ୍ରେମକୁ ପାଇବା ପାଇଁ ଗୁହାରି କଲି। ହେଲେ ଏ କଣ? ସେ ଏଠି! ଚମକି ପଡିଲି ତାକୁ ଦେଖି। ଆସନ୍ନ ପ୍ରସବା ପ୍ରସ୍ତୁତିରେ ଥିବାପରି ମନେ ହେଉଥିଲା ସେ। ଆଉ ନିଜକୁ ସମ୍ଭାଳି ନପାରି ସିଧା ସେଇ ବସରେ ୟୁ ଟର୍ଣ୍ଣ ମାରି ଚାଲି ଆସିଲି ସହରକୁ। ପ୍ରତାରଣା ପ୍ରେମିକାଠୁ ପ୍ରତାରଣାର ଏ ସହର କାହିଁ କେତେ ଗୁଣରେ ଭଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract