କଳା ବାଦଲ
କଳା ବାଦଲ
ଏ କଥା ସତ ଯେ ଘଟଣାଟା ଟିକେ ପୁରୁଣା। ହେଲେ ଆଜିବି ସଜଫୁଟା ଫୁଲ ଭଳି ସତେଜ ଏଇ ମନରେ। ସେତେବେଳେ ମୁଁ ସ୍କୁଲରେ ପଢୁଥାଏ। ହଁ ସରକାରୀ ସ୍କୁଲରେ। ପବ୍ଲିକ୍ ସ୍କୁଲରେ ପଢୁଥିବା କିଛି ଆଭିଜାତ୍ୟ ସମ୍ପର୍ଣ୍ଣ ସମବୟସ୍କ ପିଲାମାନଙ୍କ ପରି ଦାମୀ ପୋଷାକ ପିନ୍ଧି, ଟାଇ, ସୁଟ୍ ବୁଟ୍ ମାରି, ବଡ ବସରେ ବସି ନାମ କରା ସ୍କୁଲରେ ପଢିବାକୁ ମୋର ବି ପ୍ରବଳ ଇଚ୍ଛା ହୁଏ ସତ କିନ୍ତୁ ସମସ୍ତଙ୍କ ଭାଗ୍ୟ କଣ ସମାନ କି? ସେଦିନ ସ୍କୁଲ୍ ଛୁଟି ବେଳକୁ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। କଳା ବାଦଲରେ ଦିନଟା ଅନ୍ଧାର ଲାଗୁଥିଲା। ତରବର ହୋଇ ମୁଁ ଦୌଡିଲି ଘରକୁ। ଯେମିତି ବର୍ଷାଟା ମୁଁ ଘରେ ପହଞ୍ଚିବା ଆଗରୁ ହେଇନଯାଉ। ସମସ୍ତଙ୍କ ପରି ବର୍ଷାରେ ଭିଜିବାକୁ ମୋର ବି ପ୍ରବଳ ଇଚ୍ଛା ହୁଏ କିନ୍ତୁ ଡରଥାଏ ବୋଉକୁ। ଘରଠାରୁ କିଛି ବାଟ ଦୂରରେ ହଠାତ୍ କେହି ଜଣେ ଡାକ ମାରିଲା, “ଏ ପୁଅ--?”। ନିଜର ବେଗ କମାଇ ଅଟକି ଗଲି। ପଛକୁ ବୁଲି ଦେଖିଲି। ସ୍ୱରଟି ଥିଲା ବାଲି, ସିମେଣ୍ଟ୍ କାମ କରୁଥିବା ଜଣେ ମଧ୍ୟମ ବୟସ୍କା ସ୍ତ୍ରୀ ଲୋକଟିର। ନାଁକୁ ହୁଏତ ସ୍ତ୍ରୀ ଲୋକ ପରନ୍ତୁ ହାତରେ ଚୁଡ଼ି କି ମୁଣ୍ଡରେ ସିନ୍ଦୁର ନଥିଲା। ପରିସ୍ଥିତିର ତାଡନାରେ ନିଜ
ଅଧୌର୍ଯ୍ୟ ମନକୁ ସମ୍ଭାଳି ନପାରି ଟିକେ ଚିଡ଼ିଯାଇ ପଚାରିଲି, “କଣ ହେଲା?” ସେ କହିଲା, “ଚାରିଟା ବାଜି ଗଲାଣି?” କ୍ଷୋଭରେ ମୁଁ କହିଲି, “ହଁ, ଜାଣି ପାରୁନ କି? ସ୍କୁଲ ପା ଛୁଟି ହେଲା”। ଟିକିଏ ରହିଯାଇ ଆକାଶର ସେଇ କଳା ହାଣ୍ଡିଆ ମେଘ ଉପରେ ଗୋଟେ ନିରୀହ ନଜର ବୁଲେଇ ଆଣି ଅସହାୟ ଭାବରେ ସେ, “କଥା କଣ କି ପୁଅ ମୋ ପୁଅଟା ବି ତମରି ସାଙ୍ଗର। ଘରଠୁ ଇସ୍କୁଲଟା ଗୁଡ଼ାଏ ବାଟ। ଆଉ ଏ ନିଆଁଲଗା ମେଘଟା ଏ ଅସମୟରେ---। ପୁଅଟା ମୋର କଣ ଯେ କରିବ ମୁଁ କିଛି ଭାବି ପାରୁନି”।
ମନର ଚିନ୍ତା ଓ ଅସହାୟପଣ ସ୍ପଷ୍ଠ ଭାବରେ ବାରିହୋଇ ପଡୁଥିଲା ସେଇ ନିରୀହ ହତାଶି ମୁହଁ ଭିତରୁ। ମୁଁ ତ ବିନ୍ଦାସ୍ ରେ ଦୌଡ଼ି ଧାଇଁ ଆସୁଥିଲି ଘରକୁ ହେଲେ ପଛରୁ ଶୁଭୁଥିଲା ଠିକାଦାରର କଡା ଗାଳି, “ହଁ ହଁ ଏଠି ଆସି ଗପ ମାରେ। ଜାଣି ପାରୁନୁ ବୋଧେ କାମ କେତେ ରହିଲାଣି। ଆଜି ଯଦି ରାତି ସାତଟା ଯାଏଁ କାମ ନକରିଛୁ ତାହେଲେ ମଜୁରୀ ଗୋଟେ ଟଙ୍କା ବି ଦେବିନି। ଯା କାମ କରିବୁ”। ଆକାଶର ଛାତି ଫଟେଇ ଘଡଘଡିଟେ ମାରିଲା। ଲାଗୁଥିଲା ସତେ ଯେପରି ଆକାଶର ଏ କଳା ହାଣ୍ଡିଆ ମେଘଟା ଘୋଟି ଆସିଥିଲା ଗୋଟେ ଅସହାୟ ମାଆର ମମତାର ପଣତ ଉପରେ।