STORYMIRROR

Pravanjan Dash

Abstract Classics Inspirational

3  

Pravanjan Dash

Abstract Classics Inspirational

ରିକ୍ସାବାଲା

ରିକ୍ସାବାଲା

2 mins
141


“ରାଜୁ ରାଓ” କଟକ ସହରର ଗୋଟେ ଜଣାଶୁଣା ରିକ୍ସାବାଲା। ସମସ୍ତେ ତାକୁ ରାଜୁଆ ନାଆଁରେ ଜାଣନ୍ତି। ସ୍ତ୍ରୀ, ପୁଅ ଝିଅକୁ ନେଇ ଘରେ ତା’ର ପାଞ୍ଚ ପ୍ରାଣୀର ପରିବାର। ପୁଅ ଝିଅ ସବୁ ପାଠ ପଢ଼ନ୍ତି। ରାଜୁଆର କେବଳ ଗୋଟେ ଇଚ୍ଛା ତା’ ପିଲା ଭଲ ପାଠପଢି ଦିନେ ବଡ଼ମଣିଷ ହେବେ, ବଡ଼ ଚାକିରୀ କରିବେ, ବଡ଼ ଗାଡି ଚଢିବେ। ଝାଟି ମାଟିର କୁଡ଼ିଆ ଭିତରେ ରାଜୁଆ ଯୋଉଁ ସ୍ବପ୍ନ ଦେଖେ ସେ ଜାଣେ ତାକୁ ସତ କରିବା ଭାରି କଷ୍ଟ। ସେଥିପାଇଁ ରାଜୁଆ ସବୁ ଦୁଃଖକୁ ହସିହସି ସହିଯାଏ। ସହରର ବଡ଼ ବାବୁମାନେ ଚାରିଚକିଆ ଚଢି ଯିବାବେଳେ ରାଜୁଆ ମନେମନେ ତା’ ପିଲାଙ୍କ କଥା ଭାବେ। କିଛି ସମୟ ପାଇଁ ବହୁତ ଖୁସି ହୁଏ। ରାଜୁଆ ରିକ୍ସା ଟାଣିଲେ କଣ ହେବ ତା’ ପିଲା ପାଖ ସରକାରୀ ସ୍କୁଲରେ ଖୁବ୍ ଭଲ ପଢ଼ନ୍ତି। ରାଜୁଆ ପିଲାଙ୍କ ପାଠପଢ଼ାରେ କେବେ କିଛି ଅଭାବ କରେନି। ସହରର ବଡ଼ ବାବୁମାନେ ଟାହି ଟାପରାରେ ସରକାରୀ ସ୍କୁଲକୁ ତାସଲ୍ୟ କରି କହିଲେ ରାଜୁଆକୁ ଖୁବ୍ ବାଧେ। ହେଲେ ସେ ବା କଣ କରିପାରିବ? “ବଡ଼ ଲୋକଙ୍କୁ ତ ଉତ୍ତର ନାହିଁ”। ରାଜୁଆର ସ୍ତ୍ରୀ ହେମା ମିସ୍ତ୍ରୀ ସାଙ୍ଗେ ଲେବର୍ କାମ କରି ଘର ଚଳାଉଥିଲା। ହେଲେ “ବୋଝ ଉପରେ ନଳିତା ବିଡା” ପରି ଦିନେ କାମବେଳେ ଛାତରୁ ପଡ଼ି ତା’ ଅଣ୍ଟା ଭାଙ୍ଗିଗଲା। ସେ ଦିନଠୁ ତା’ର କାମଦାମ ପୁରା ବନ୍ଦ। ବିଚରା ରାଜୁଆ ଉପରେ ଘରର ସବୁ ବୋଝ। ରାଜୁଆ ସବୁଦିନ ସକାଳୁ ପେଜ ତୋରାଣି ମୁନ୍ଦାଏ ପିଇଦେଇ ରିକ୍ସା ଧରି କଟକ ଷ୍ଟେସନ୍କୁ ବାହାରିଯାଏ। ହେଲେ ଆଗଭଳି ରିକ୍ସାର ଆଉ ଚାହିଦା ନାହିଁ। ରୋଜଗାର କୋଉଦିନ ହେଲେ ହେଲା ନ ହେଲେ ନାହିଁ। ପେଟ ଚାଖଣ୍ଡ ପାଇଁ ରାଜୁଆ ଦିନରାତି ଭାରି କଷ୍ଟକରେ। ଏସବୁ ଦୁଃଖ ଭିତରେ ଆକସ୍ମିକ ଭାବରେ ଚାଲିଆସିଲା ମହାମାରୀ କରୋନା। ସବୁଆଡେ ଲକ୍ ଡାଉନ୍, ସଟ୍ ଡାଉନ୍, କର୍ଫ୍ୟୁ ଇତ୍ୟାଦି ଇତ୍ୟାଦି। କାମଦାମ ପୁରା ଠପ୍। ପିଲାଙ୍କ ସ୍କୁଲ, କଲେଜ ବନ୍ଦ। ପାଠପଢ଼ା ପାଇଁ ଦରକାର ପଡିଲା ବଡ଼ ମୋବାଇଲ୍ ଫୋନ୍। ହେଲେ ଏ ସବୁ ତ ରାଜୁଆର ସାମର୍ଥ୍ୟ ବାହାରେ। ପେଟ ପୋଷିବା ଯାହା ପାଇଁ ଏକ କାଠିକର ପାଠ ତା’ର ଦାମୀ ଫୋନ୍ କିଣିବାର ସାମର୍ଥ୍ୟ ଆସିବ ବା କୋଉଠୁ? ଖାଇବା ଆଉ ଔଷଧରେ ସଞ୍ଚୟ ଟଙ୍କା ଆସ୍ତେଆସ୍ତେ ସରି ଆସିଲା। ପିଲାଙ୍କ ପେଟର ଭୋକକୁ ଦେଖି ଆଉ ସହିନପାରି ଦିନେ ରୋଜଗାର ଲୋଭରେ ରାଜୁଆ ରିକ୍ସାଧରି ବାହାରିପଡିଲା। ନିରୋଳା ରାସ୍ତାରେ ପୋଲିସର ଲାଠି ମାଡ଼ରେ ରାଜୁଆର ପିଠି ପୁରା ଗୋଟାଲାଲ୍। ସେଇଦିନଠୁ ରାଜୁଆ ଘରେ। ଆଜିକୁ ଚାରିଦିନ ହେଲା ରାଜୁଆ ଜ୍ୱରରେ ପଡିଛି। ଘରେ ଆଠଦିନ ହେବ ଚୁଲି ଜଲିନି। ସହରର କିଛି ସ୍ୱେଚ୍ଛାସେବୀମାନଙ୍କ ହାତଟେକା ଖାଦ୍ୟ ପୁଡିଆରେ ପାଞ୍ଚ ପ୍ରାଣୀଙ୍କ ଜୀବନ ବଞ୍ଚିଛି। ଆଉ ପାଠ କଥା ନକହିଲେ ଭଲ। ରାଜୁଆ ସବୁ ଦେଖୁଛି ହେଲେ ସେ ଆଜି ନିରୁପାୟ। ରିକ୍ସାଟଣା ହାଡୁଆ ଗୋଡ଼ ତା’ର ଆଜି ଖାଦ୍ୟ ନପାଇ ଥରୁଛି। ଭୀଷଣ ଜ୍ୱରରେ ଦେହଟା କମ୍ପୁଛି। ରାଜୁଆ ସରକାରଙ୍କ ସାହାଯ୍ୟକୁ ଚାହିଁବସିଛି ହେଲେ ଏ ପରିସ୍ଥିତିରେ ସରକାର ବି ନିରୁପାୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract