ନୀରବତା
ନୀରବତା
ଘରକାମର ଏ ବ୍ୟସ୍ତତା ଭିତରେ କଲିଙ୍ଗ୍ ବେଲର ଘନଘନ ଶବ୍ଦ ପଲ୍ଲବୀକୁ ଟିକେ ବ୍ୟତିବ୍ୟସ୍ତ କରିଦେଲା। ମନେମନେ ସିଏ ଯେତିକି ଚିଡି ଉଠୁଥାଏ ସେତିକି କ୍ରୋଧିତ ବି ହେଉଥାଏ। ସନ୍ଦେହରେ ସେ, “କିଏ? କାହିଁକି? ଏ ଅସମୟରେ ଆସି ଏମିତି ହଇରାଣ କରୁଛି କିଛି ବି ବୁଝିପାରୁନଥାଏ”। ସେ ଜାଣେ ଆଜିକାଲି ବୁଲାବେପାରୀ, ବିଭିନ୍ନ କମ୍ପାନୀ ବାଲା, ଗେରୁଆ ବସ୍ତ୍ରଧାରୀ ଭଣ୍ଡ ସାଧୁ ଇତ୍ୟାଦି ଅନେକ ଲୋକ ଏମିତି ଅବେଳ, ଅସମୟରେ ଆସି ବେଲ୍ ମାରି ହଇରାଣ କରୁଛନ୍ତି। ମଧୁର ବଚନ କହି ଜିନିଷ ବିକି ଟଙ୍କା ରୋଜଗାର କରିବାରେ ସେମାନେ ବେଶ୍ ଧୁରନ୍ଧର। ଆଉ ସେ ଥୟ ଧରି ରହିପାରିଲାନି। ରୋଷେଇ ଘରୁ ଧାଇଁ ଆସି ଜୋରରେ କବାଟକୁ ଖୋଲିଦେଇ ରାଗ ତମତମ ସ୍ୱରରେ ପଲ୍ଲବୀ, “ହଁ କିଏ? କଣ ହେଲା? କାଇଁ ବାରମ୍ବାର ବେଲ୍ ମାରି ହଇରାଣ କରୁଛ? ମୁଁ ବ୍ୟସ୍ତଅଛି ଚାଲିଯାଅ”। ଚିହ୍ନାଚିହ୍ନା ଲାଗିଲା ସେ ସ୍ୱର ଏବଂ କହିବାର ଭାବଭଙ୍ଗୀ। ପଛକୁ ମୁହଁ କରି ଛଡା ହୋଇଥିବା ପ୍ରଣବ ହଠାତ୍ ବୁଲିପଡ଼ିଲା। ଚମକି ଉଠିଲା ପଲ୍ଲବୀ। ଖାଲି ପଲ୍ଲବୀ କାହିଁକି ପ୍ରଣବ ବି ଦେଖି ହତବାକ୍ ହୋଇଗଲା। ଦୁହେଁ ସମ୍ପୂର୍ଣ୍ଣ ନୀରବ, ନିଥର। କହିବାକୁ କାହାରି ପାଟିରେ କିଛି ଭାଷା ନାହିଁ ମନରେ ସେ ସାହସ ବି ନାହିଁ। ନୀରବତାର ଏକ ମୃଦୁ କମ୍ପନ ଖେଳିଗଲା ଚାରିଆଡେ। ମନେହେଲା ଯେମିତି ପୃଥିବୀର ଗତି ଅବା ମଣିଷର ନିଃଶ୍ୱାସ ପ୍ରଶ୍ୱାସ କିଛି କ୍ଷଣ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଧହୁଏ। ହେଲେ ଏ ନୀରବତା ଅବା କେତେ ସମୟ? କେତେବେଳେକେ ପ୍ରଣବ, “ଗୁଡ୍ ମନିଙ୍ଗ୍ ମାଡାମ୍, “ମୁଁ ପ୍ରଣବ ହାପି ଲାଇଫ୍ ଏସି ସରଭିସରୁ ଆସିଥିଲି। ଆପଣ କଂପ୍ଲେନ୍ ଦେଇଥିଲେ”। ଉତ୍ତରରେ ପଲ୍ଲବୀ ପାଟିରେ କିଛିବି ଶବ୍ଦ ନଥିଲା। ଯଦିଓ ଶବ୍ଦ ଥିଲା ପରନ୍ତୁ ସେ ସବୁକୁ ବାକ୍ୟରେ ସଜେଇବା ତା’ ପାଇଁ ସେ ଅସମୟରେ ଅସମ୍ଭବ ପ୍ରାୟ ଥିଲା। ପଲ୍ଲବୀ ଚୁପ୍ଚାପ୍ ବାଟେଇ ନେଲା ପ୍ରଣବକୁ ତା’ ବେଡରୁମକୁ। ଏସି ଖରାପ ଥିଲା। ପ୍ରଣବ ଦେଖିସାରି ଉତ୍ତର ଦେଲା, “ମ୍ୟାଡାମ୍ ଏସିର କମ୍ପ୍ରେସର୍ ପୋଡି ଯାଇଛି। ନୂଆ ପକାଇବାକୁ ପଡିବ”। କଥା ଶୁଣି ପଲ୍ଲବୀ ନିରବ ରହିଲା। ସେ ନୀରବତା ପ୍ରଣବକୁ କଷ୍ଟ ଦେଲା। ପ୍ରଣବ ପୁଣିଥରେ ତା’ କଥାକୁ ଦୋହରେଇଲା, “ମ୍ୟାଡାମ୍ ଏସି--------”। ଅନ୍ୟମନସ୍କ ଥିବା ପଲ୍ଲବୀ ନିଜ ଭାବନା ରାଜ୍ୟରୁ ବାହାରି ଆସି କେବଳ ଗୋଟିଏ ଶବ୍ଦରେ ନିଜ ମନ୍ତବ୍ୟ ଶୁଣାଇଦେଲା, “ହଁ”। ପ୍ରଣବ ତା’ କାମ ଆରମ୍ଭ କଲା। ପ୍ରଣବ ମନ ଭିତରେ କଣ ସବୁ ଚାଲୁଥିଲା ସେକଥା କାହାରିକୁ ଜଣା ନଥିଲା ପରନ୍ତୁ ବେଳକୁବେଳ ଅଧିକରୁ ଅଧିକ ଅନ୍ୟମନସ୍କ ହୋଇଉଠୁଥାଏ ପଲ୍ଲବୀ। ଭାବନାରେ ସେ ଡୁବିଯାଇ କେତେ କଣ ଭାବି ଚାଲିଥାଏ। କିଛି ସମୟ ପରେ ସର୍ଭିସିଂ ଶେଷ ହେଲା। ପ୍ରଣବ ଯଥା ସଂଯମତାର ସହିତ ସର୍ଭିସ୍ ରସିଦଟି କାଟି ଧରାଇ ଦେଲା ପଲ୍ଲବୀ ହାତରେ। ଜଡ ପରି ସ୍ଥାଣୁ ଥିବା ତା’ ଶରୀର ଭିତରୁ ଦୁଇଟି ନିଷ୍ପ୍ରଭ ହାତ ଧରିନେଲା ସେ ରସିଦଟିକୁ ପ୍ରଣବ ହାତରୁ। ଆଉ ଥୟଧରି ରହିପାରିଲାନି ପଲ୍ଲବୀ। ନିଜ ସର୍ଭିସ ବ୍ୟାଗକୁ ଧରି ପ୍ରଣବ ମୁଖ୍ୟ ଦ୍ୱାର ଦେଇ ଚାଲିଯିବା ବେଳେ ଏକ ଅଖଣ୍ଡ ନୀରବତା ଭଙ୍ଗ କରି ପଛରୁ ଡାକି ପକେଇଲା ପଲ୍ଲବୀ, “ପ୍ରଣବ------ ”।
ଅଟକିଗଲା ପ୍ରଣବ। ଆଗକୁ ପାଦ ବଢ଼େଇବାକୁ କି ପୁଣିଥରେ ପଛକୁ ବୁଲି ଚାହିଁବାକୁ ବି ସେ ସାହସ କରିପାରୁନଥାଏ। ଦୀର୍ଘ ପାଞ୍ଚବର୍ଷ ପରେ ସେଇ କଣ୍ଠସ୍ୱର, ସେଇ ମଣିଷର କେବଳ ବଦଳିଛି ଯାହା ଭାବନା ଓ ସମ୍ପର୍କର ପରିଭାଷା। ପ୍ରତ୍ୟୁତ୍ତରରେ କିଛି ବି ଶବ୍ଦ ନଥିଲା ପ୍ରଣବ ପାଖରେ। ସେଥିପାଇଁ ସେ ତଳକୁ ମୁହଁ ପୋତି ନିରବ ରହିଲା। ହେଲେ ନିରବ ନଥିଲା ପଲ୍ଲବୀ। ସେ କହିଚାଲିଲା ତା’ ମନର ଅକୁହା କଥାକୁ ଗୋଟି ଗୋଟି କରି। ଏକା ନିଶ୍ୱାସରେ ଅନର୍ଗଳ ଭାବେ ପଲ୍ଲବୀ ମୁହଁରୁ, “ଚିହ୍ନି ପାରୁନ କି ପ୍ରଣବ? ନା ଚିହ୍ନି ବି ଅଚିହ୍ନାର ଅଭିନୟ କରୁଛ। କାହିଁକି ମତେ ଏମିତି କଷ୍ଟ ଦେଉଛ ପ୍ରଣବ? କି ଦୋଷ ମୁଁ କରିଥିଲି ତମର? ସେଦିନର ସେ ପ୍ରତାରଣା କଣ କମ୍ ହେଲା ଯେ ଆଜି ଏମିତି ଅଚିହ୍ନା ଅପରିଚିତା ପରି ବ୍ୟବହାର କରି ଦୂରେଇ ଯାଉଛ? ମୁଁ ବି କେବେଠୁ ଦୂରେଇ ଯାଇଛି ତମ ରାସ୍ତାରୁ ତମ ଦୁନିଆରୁ। ଆଜି ମୁଁ ଏ ଘରର ବୋହୂ ଆଉ କାହାର ସ୍ତ୍ରୀ। ଏକଥା ମୁଁ କହିବାର ଯଥେଷ୍ଟ ଆଗରୁ ତମେ ହୁଏତ ମତେ ଦେଖି ଭଲ ଭାବେ ବୁଝି ସାରିଥିବ। ମୁଁ ବି ଆଉ ତମ ରାସ୍ତାରେ କଣ୍ଟା ହୋଇ ରହିବାକୁ ଚାହେଁନି। ତମେ ତମ ଜୀବନ ସାଥିକୁ ନେଇ ପରିବାର ସହ ଖୁସିରେ ରୁହ। ହେଲେ ଏଠୁ ଚାଲିଯିବା ପୂର୍ବରୁ ତମକୁ କେବଳ ମୋର ଗୋଟିଏ ପ୍ରଶ୍ନ, ତମେ କଣ ମତେ ସତରେ ଭଲ ପାଉଥିଲ? ନା ପ୍ରେମ ପରି ଏକ ପବିତ୍ର ସମ୍ପର୍କର ନାଁ ନେଇ ମୋ ସହ ପ୍ରତାରଣାର ଖେଳ ଖେଳି ଚାଲିଥିଲ?” ତଳକୁ ମୁହଁ ପୋତି ସ୍ଥାଣୁ ପରି ସବୁକିଛି ଶୁଣୁଥିଲା ପ୍ରଣବ। ପ୍ରଣବର ନୀରବତାକୁ ସହି ନପାରି ଖୁବ ଉତ୍ତେଜିତରେ ପଲ୍ଲବୀ, “ମୁଁ ତମଠୁ ଉତ୍ତର ଶୁଣିବାକୁ ଚାହେଁ ପ୍ରଣବ। ଏ ନୀରବତା ନୁହେଁ। ତମେ ଜଣେ ଧୋକାବାଜ। ପ୍ରେମିକ ନାଁରେ ତମେ କଳଙ୍କ। ଗୋଟେ ନିରୀହ ଝିଅର ଭଲପାଇବା ସହ ଖେଳୁଥିବା ତମେ ଗୋଟେ କାପୁରୁଷ।” ଶୁଣିବାକୁ ଆଉ ଧୌର୍ଯ୍ୟ ନଥିଲା ପ୍ରଣବର। ଉତକ୍ଷିପ୍ତ ହୋଇ ସେ, “ହଁ ହଁ ମୁଁ ଗୋଟେ ଧୋକାବାଜ୍, କାପୁରୁଷ। ପ୍ରେମ କରି ମୁଁ ଧୋକା ଦେଇଛି ତମକୁ। ଖେଳିଛି ତମ ପ୍ରେମ ସହ, ତମ ବିଶ୍ୱାସ ସହ, ତମ ଭଲପାଇବା ସହ। ହେଲେ ଏ କଥା ବି ଜାଣିରଖ ପଲ୍ଲବୀ, ମୁଁ ତମକୁ ଭଲ ପାଉଥିଲି, ଆଜିବି ଭଲପାଏ। ଖାଲି ଭଲ ନୁହେଁ ମୋ ନିଜ ଜୀବନଠୁ ବି ଅଧିକ ଭଲ ପାଏ।”
ତାତ୍ସଲ୍ୟ କରି ପଲ୍ଲବୀ, “ଭଲ ପାଉଥିଲ, ଯଦି ଭଲ ପାଉଥିଲ ତା’ହେଲେ ଧୋକା ଦେଇପାରିଲ କେମିତି? ମଝି ନଇରେ ଏମିତି ଅସହାୟ ଭାବେ ମତେ ଛାଡି ଚାଲିଗଲ କାହିଁକି? ସେଦିନ ପ୍ରତିଶୃତି ଦେଇ ଏତେ ବଡ଼ ପ୍ରତାରଣା କରିପାରିଲ କେମିତି? ତମେ ଜାଣିଛ ମୁଁ ତମକୁ ବିଶ୍ୱାସ କରିନେଇ ମାନସିକ ସ୍ତରରେ କେତେ କଷ୍ଟ ପାଇଛି? କେତେ ଭାଙ୍ଗି ପଢ଼ିଛି? ତମେ ଆସିବ ବୋଲି ସେଦିନ ଏତେ ବଡ଼ ଶୀତରେ ସାରାରାତି ମୁଁ ତମକୁ ଅପେକ୍ଷା କରି ବସିଛି। ଏକୁଟିଆ ଝିଅଟେ ଗୋଟେ ରାତି ବାହାରେ ରହିଲେ ଏ ସମାଜ ତାକୁ କି ପ୍ରକାର ନଜରରେ ଦେଖେ ସେ କଥା କଣ ତମେ ଜାଣିନ ପ୍ରଣବ? ସକାଳେ ଘରକୁ ଫେରି ଯେଉଁ ପରିସ୍ଥିତିକୁ ମୁଁ ସାମ୍ନା କରିଛି ତମ ଭଳି ଗୋଟେ ଧୋକାବାଜ୍ ହୁଏତ ସେକଥା କେବେ ବୁଝିପାରିବନି। ତମକୁ ନେଇ ମୁଁ କେତେ ସ୍ୱପ୍ନ ଦେଖିଥିଲି। ମନରେ କେତେ ଆଶା ବାନ୍ଧିଥିଲି। ହେଲେ ତମେ... ଛିଃ ପ୍ରଣବ ଛିଃ ଘୃଣା ଲାଗୁଚି ମତେ ତମ ମୁହଁ ଚାହିଁବାକୁ। ସେଦିନ ତା’ହେଲେ ପ୍ରଣତି ଠିକ୍ କହୁଥିଲା, ଯେ ପ୍ରଣବ ଗୋଟେ ଧୋକାବାଜ୍। ସୁନ୍ଦରୀ ଝିଅର ଦେହ, ମନ ଓ ବିଶ୍ୱାସ ସହ ଖେଳୁଥିବା ସେ ଗୋଟେ କାପୁରୁଷ। ଭଲପାଇବା ଆଉ ଧୋକା ଦେବା ତା’ ପାଇଁ ଗୋଟେ ନିତିଦିନିଆ କଥା। ସେ କେବେବି ତତେ ବାହାହବ ନାହିଁ। ହେଲେ ଭୁଲ୍ ବୁଝିଥିଲି ତାକୁ। ଏବେ ମୁଁ ସବୁକିଛି ଭଲ ଭାବରେ ବୁଝିପାରିଛି ମୁଁ କେତେ ଭୁଲ୍ ଥିଲି। ପ୍ରେମ ଓ ଭଲପାଇବାର ନିଶାରେ ମୁଁ ପାଗେଳି ହେଇ ସତକୁ ମିଛ ଭାବିଥିଲି। ନିଜ ପ୍ରିୟ ସାଙ୍ଗକୁ ଶତ୍ରୁ ବୋଲି ଭାବି ଦୂରେଇ ଦେଇଥିଲି। କିଏ ଜାଣେ ମୋ ଭଳି ତମେ କେତେଯେ ନିରୀହ ଝିଅର ଜୀବନ ସହିତ ଖେଳିଥିବ? ଚାଲିଯାଅ ଏଠୁ। ତମ ଭଳି ଗୋଟେ ସଇତାନର ମୁହଁ ଦେଖିବାକୁ ମୁଁ ଚାହେଁନି”।
ପ୍ରଣବ, “ହଁ, ଚାଲିଯିବି ତ ନିଶ୍ଚୟ କିନ୍ତୁ ସତ କଥାଟା ନକହି ଗଲେ ମୁଁ ବି ଶାନ୍ତିରେ ରହିପାରିବିନି କି ମରିପାରିବିନି।”
ପଲ୍ଲବୀ, “ଆଉ କଣଟା ବାକି ଅଛି ଯେ ତମ ପୁଣି କହିବ ମୁଁ ଶୁଣେ। ହଁ ମୁଁ ଏକଥା ବି ଜାଣେ ଯେ ପୁଣି ଗୋଟେ ନୂଆ କାହାଣୀ ତିଆରି କରି ନିଜ କଳଙ୍କର ଚରିତ୍ର ଉପରେ ସାଧୁତାର ପ୍ରଲେପ ଦେବାରେ ତମେ ବେଶ୍ ଧୁରନ୍ଧର”।
ପ୍ରଣବ, “କହିବାକୁ ତ କଥା ବହୁତ କିଛି ଅଛି। କିନ୍ତୁ ଶୁଣିବାକୁ ତମର ଧୌର୍ଯ୍ୟ ଅଛିତ”।
ପଲ୍ଲବୀ, “ମାନେ କଣ କହିବାକୁ ଚାହଁ ତମେ?” (ଘୃଣା ମିଶା ବିସ୍ମିତଭରା ଭଙ୍ଗୀରେ)
ପ୍ରଣବ, “ହଁ ପଲ୍ଲବୀ, ଧୋକା ତମକୁ ମୁଁ ନୁହେଁ ବରଂ ସମୟ ଏବଂ ପରିସ୍ଥିତି ଦେଇଛି। ମୋ ପରିସ୍ଥିତି ଏବଂ ସମସ୍ୟା ହିଁ ପ୍ରତାରଣା କରିବାକୁ ମତେ ବାଧ୍ୟ କରିଛି ତମ ସହ। ଭାଙ୍ଗି ଦେଇଛି ମୋ ସୁନେଲି ସ୍ୱପ୍ନର ମହଲକୁ। ମୁଁ ବି ତମକୁ ନେଇ ମୋ ଜୀବନରେ ଅନେକ ସ୍ୱପ୍ନ ଦେଖିଥିଲି। କେତେ କଣ ଆଶା ବାନ୍ଧିଥିଲି। ବୋଧହୁଏ କାହାର ନଜର ଲାଗିଗଲା କି କଣ। ଯେତେବେଳେ ମୁଁ ଜାଣିବାକୁ ପାଇଲି ମୋର ଗୋଟିଏ କିଡନୀ ନଷ୍ଟ ହୋଇସାରିଛି ସେତେବେଳେ ତମକୁ ନେଇ ଦେଖିଥିବା ମୋର ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଯାଇଥିଲା। ମେଡ଼ିକାଲ ରିପୋର୍ଟରୁ ମୁଁ ବେଶ୍ ଭଲ ଭାବରେ ଜାଣି ସାରିଥିଲି ସାରୁ ପତ୍ରରେ ଢଳଢଳ କରୁଥିବା ଟୋପାଏ ଜଳବିନ୍ଦୁ ପରି ମୋର ଏ ଜୀବନ ଖୁବ୍ କମ୍ ଦିନ। ଯାହାର ସ୍ୱପ୍ନକୁ ସାକାର କରିବା ତ ଦୂରର କଥା ସ୍ୱପ୍ନ ଦେଖିବାକୁ ବି ଆଉ ସମୟନାହିଁ। ମୋ ଜୀବନଠାରୁ ମତେ ବେଶୀ କଷ୍ଟ ଦେଉଥିଲା ତମ ମୋ ଭିତରେ ଗଢିଉଠିଥିବା ଆମର ଏ ପ୍ରେମ, ଏ ସମ୍ପର୍କ। ମୁଁ ତୁମକୁ ମୋ ନିଜ ଜୀବନଠୁ ବି ଅଧିକ ଭଲପାଏ ପଲ୍ଲବୀ। କେମିତି ମୁଁ ସହିପାରିବି ମୋ ବିରହରେ ପାଉଥିବା ତୁମ କଷ୍ଟକୁ, ତୁମ ଆଖିର ଲୁହକୁ। କେବଳ ନିଜଠୁ ତୁମକୁ ଦୂରେଇ ଦେବାପାଇଁ ହିଁ ପ୍ରଣତିକୁ ମାଧ୍ୟମ କରି କିଛି ମିଛର ମୁଁ ସାହାଯ୍ୟ ନେଇଥିଲି। ବିରହର କଷ୍ଟକୁ ଅନୁଭବ କରି ବି ତମକୁ ନିଜଠୁ ଦୂରେଇ ଦେବାପାଇଁ ବାଧ୍ୟ ହେଇଥିଲି। କିନ୍ତୁ ମୋ ପ୍ରତି ଥିବା ତମର ସେ ଗଭୀର ପ୍ରେମ, ଭଲପାଇବା ଓ ବିଶ୍ୱାସ ଆଗରେ ସେ ସବୁ ପ୍ରୟାସ ଆଗରେ ହାର ମାନି ଯାଇଥିଲା। ଶେଷରେ ନିରୁପାୟ ସାଜି ସେଦିନ ତୁମକୁ ସବୁଦିନ ପାଇଁ ନିଜର କରି ରଖିବାର ପ୍ରତିଶୃତି ଦେଇ ତମ ସହ ପ୍ରତାରଣା କରିବା ପାଇଁ ବାଧ୍ୟ ହେଇଥିଲି। ମୁଁ ଜାଣିଥିଲି ସେଦିନ ତୁମେ ମୋ ଆସିବା ବାଟକୁ ଚାତକ ପରି ଚାହିଁ ବସିଥିବ। ବାରମ୍ବାର ଫୋନ୍ କରି ବ୍ୟସ୍ତ ହୋଇ ପଡୁଥିବ। ମୋ ଉପରେ ରାଗ, ଅଭିମାନ କରି କେତେ କଣ ଭାବି ଯାଉଥିବ। ତମର ସେ ଅସ୍ଥିରତା ଓ କଷ୍ଟ ସବୁକୁ କେବଳ ଦୂରରୁ ଥାଇ ଦେଖିବା ଛଡା ଆଉ କିଛି ବି ଉପାୟ ନଥିଲା ମୋ ପାଖରେ। ଯେତେବେଳେ ମୋର ଏ ଜୀବନ ଦୀପ ଅନିଶ୍ଚିତତାରେ ସେସବୁ ଜାଣି ବି ମୁଁ କେମିତି ତମ ମୁଣ୍ଡରେ ସିନ୍ଦୂର ଦେଇ ତୁମକୁ ନିଜର କରିପାରିବି? ତମଠୁ ଦୂରେଇ ଯାଇ ବି ମୁଁ ଖୁବ୍ କଷ୍ଟ ପାଇଛି ହେଲେ ମୁଁ ବା ଆଉ କଣ କରିପାରିବି? ଏବେ ମୁଁ କେବଳ ଡାୟାଲିସିସ୍ ଓ ମେଡିସିନରେ ହିଁ ଜାଣ ଯାହା ବଞ୍ଚିଛି। ସପ୍ତାହକୁ ଦୁଇଥର ଡାୟାଲିସିସ୍ ହିଁ ମତେ ବଞ୍ଚେଇ ରଖିଛି। ବଞ୍ଚିବା ପାଇଁ ଯାହା ଯେତିକି ଆବଶ୍ୟକ ସେଥିପାଇଁ ମୁଁ ଏଇ ସଂସ୍ଥାରେ କାମ କରୁଛି। ଏସବୁ ପରେ ବି ଯଦି ତମେ ମତେ ଅବିଶ୍ୱାସ କରୁଥାଅ ତା’ହେଲେ ସତଟା ତମେ ପ୍ରଣତିଠୁ ପଚାରି ବୁଝିପାର”।
ପଲ୍ଲବୀର ଆଖିରେ ଆଖିଏ ଲୁହ। ମନରେ ଅନୁତାପର ନିଆଁ ତା’ ନିଜକୁ ଜାଳି ଖୁବ୍ କଷ୍ଟ ଦେଉଥାଏ। ଗୁରୁଗମ୍ଭୀର ସ୍ୱରରେ ପଲ୍ଲବୀ, “ତା’ ମାନେ ତମେ ଏବେବି----- ”। କଥା ନସରୁଣୁ ତକ୍ଷଣାତ୍ ପ୍ରଣବ, “ହଁ ଖୁବ୍ ଏକା। ମୁଁ କେବେ ବି କାହାକୁ କଷ୍ଟ ଦେଇ ପାରିବିନି। ହଁ ପଲ୍ଲବୀ ମୋର ଏ ଶେଷ କଥାଟିକୁ ମନେ ରଖିଥିବ, “ଏ ଦୁନିଆର ସବୁ ପ୍ରେମିକ ଧୋକାବାଜ୍ ନୁହଁନ୍ତି କି ସବୁ ପ୍ରେମର ଭାଗ୍ୟରେ ସିନ୍ଦୁର ନଥାଏ। ସମୟ ଓ ପରିସ୍ଥିତି ମଣିଷକୁ ଖୁବ୍ ବଦଳେଇ ଦିଏ। ଯେମିତି ମୋ ପ୍ରେମକୁ ଆଜି ବଦଳେଇ ଦେଇଛି। ତଥାପି ମୋ ପ୍ରେମ ବଞ୍ଚିଛି। ପ୍ରେମର ମାନେ କିଛି ପାଇବା ନୁହେଁ ପଲ୍ଲବୀ, ପ୍ରକୃତ ପ୍ରେମତ ତ୍ୟାଗରେ ହିଁ ଥାଏ।”
କଥାବାର୍ତ୍ତାର ଏ ଅନ୍ୟମନସ୍କତା ଭିତରେ ସମୟ ଢ଼େର ଗଡି ଯାଇଥିଲା। ପ୍ରଣବ ନିଜ ଟୁଲବ୍ୟାଗ୍ ଧରି ବାହାରି ଯାଉଥିବା ବେଳେ ପଛରୁ ପଲ୍ଲବୀ, -------“ତମ ନମ୍ବର ଟିକେ ଦେଇ ପାରିବ ପ୍ରଣବ? ”
ହସିଦେଇ ପ୍ରଣବ, “କଣ ପୁଣି ସର୍ଭିସିଂ ପାଇଁ କଲ୍ କରିବ? ଯଦି ଆରଥରକୁ ଆସେ ତେବେ ତ ନିଶ୍ଚୟ ଦେଖାହେବ ଆଉ ଯଦି ନ ଆସେ ତେବେ ଭାବିନବ ଯେ ତମ ପ୍ରଣବ ଆଉ ଏ ଦୁନିଆରେ ନାହିଁ।”
ଆଖିର ଲୁହକୁ ରୁମାଲରେ ପୋଛି ଚାଲିଗଲା ପ୍ରଣବ। ପ୍ରଣବର ପ୍ରେମ, ଭଲପାଇବା ଆଉ ତା’ ବିବେକ ପାଖରେ ମୁଣ୍ଡ ନଇଁ ଯାଉଥିଲା ପଲ୍ଲବୀର। କବାଟ କଣରେ ଭୋ ଭୋ ହେଇ କାନ୍ଦୁଥିବା ବେଳେ ଶୁଣାଗଲା କାର୍ ହର୍ଣ୍ଣ ଶବ୍ଦ। ନିଜକୁ ସଜାଡି ନେଲା ପଲ୍ଲବୀ।
