STORYMIRROR

Pravanjan Dash

Inspirational

3  

Pravanjan Dash

Inspirational

ଗାଳି

ଗାଳି

2 mins
140

 “ହଇରେ ପୋଡା ମୁହାଁ, ନିର୍ଲଜ ବେହିଆ ବାତେରା ଛତରା ଟୋକା, ତୋ ମୁହଁକୁ ଟିକେ ଲାଜ ସରମ ନାହିଁ ଘରେ ବସି ବୋପାର ଅନ୍ନ ଧ୍ୱଂସ କରି ହେଣ୍ଟି ମାରି ବୁଲୁଛୁ ସେଥିରେ ପୁଣି ମାର୍ ପିଟ୍, ଗଣ୍ଡଗୋଳ। ତୋ କଳା କାରନାମାରେ ମୁଁ ଆଉ କୋଉଠି ମୁହଁ ଦେଖେଇ ଚାଲିପାରୁନି। ତତେ ମରଣ ହଉନି କେମିତି କେଜାଣି?” ଭାରି କଷ୍ଟ ଲାଗେ ଏସବୁ ଶୁଣିବାକୁ ସେ ବି ପୁଣି ରୀତିମତ ଭାବେ ଦରବୁଢ଼ା ବାପର କର୍କଶ ସ୍ୱରରେ। ଓଃ କି ଅସହ୍ୟ! ଶବ୍ଦ ଗୁଡାକ ଯେମିତି ମୋର ନରମ ଚମଡ଼ାକୁ ଭେଦି ଛିନ୍ଭିନ୍ କରିଦେଉଥାଏ ମାଂସପେଷୀକୁ। ରାଗରେ ମୁଁ ବି ପାଚିଉଠେ। ଇଚ୍ଛା ତ ହୁଏ ବୁଢ଼ାର ତଣ୍ଟି ଶୋଷି ରକ୍ତ ପିଇ ଯିବାକୁ। ହେଲେ ଯୋଉ ଦିନ ମୁଁ ତାଙ୍କ ହାତକୁ ମୋର ପ୍ରଥମ ରୋଜଗାର ଟଙ୍କା ବଢ଼େଇ ଦେଇଥିଲି ସେଦିନ ସ୍ପଷ୍ଟ ଭାବରେ ଦେଖିପାରୁଥିଲି ତାଙ୍କ ଆଖିର ଲୁହକୁ। ଅସନା ଗାମୁଛାରେ ପୋଛି ପକଉଥିଲେ ସେ। ବୋଉବି କାନ୍ଦିକି କହୁଥିଲା, “ସେଦିନ ତୁ ରୁଷିକି ସହରକୁ ଚାଲିଗଲା ପରେ ସେ ତିନିଦିନ ଅଖିଆ ଅପିଆରେ ତତେ ଝୁରୁଥିଲେ”। ରୋଜଗାର ପରେ ଯଦିଓ ତାଙ୍କର ସେ ଗାଳିର ପ୍ରକୋପ ଟିକେ କମିଥିଲା ପରନ୍ତୁ ବନ୍ଦ ହୋଇନଥିଲା କେବେ ବି। ସହରକୁ ବାହାରିଲେ ହଜାରେ ଉପଦେଶ ସେବି ପୁଣି କଡା ଭାଷାରେ,---- “ଗାଡି ଧୀରେ ଚଲେଇବୁ, ବାହାର ଜାଗା ଦେଖି ଚାହିଁ ଚଳିବୁ, ଦେହ ପା ଜଗିବୁ, କୋଉ ଟୋକି ସହ ବେଶୀ ମିଳାମିଶା କରିବୁନି, ବେଶୀ ପଇସା ଖର୍ଚ୍ଚ କରିବୁନି ଇତ୍ୟାଦି ଇତ୍ୟାଦି”। ଭଲ ମୋବାଇଲ୍ କି ଦାମୀ ଘଣ୍ଟାଟେ କିଣିଲେ ତାଙ୍କ ଦେହରେ ଯାଏନି। ବେଳେବେଳେ ତ ଲାଗେ ସେ ମୋ ବାପା ନା ଅଜାତ ଶତ୍ରୁ। କିନ୍ତୁ ଏବେ ମୁଁ ସବୁ କିଛି ଭଲ ଭାବେ ବୁଝିପାରୁଚି ଯେତେବେଳେ ମୁଁ ବି ଗୋଟେ ବାପର ପରିଚୟ ପାଇଛି ଆଉ ମୋ ପାଟିରୁ ବାପା ଡାକ ସବୁଦିନ ପାଇଁ ଲିଭିଯାଇଛି। ପୁଅକୁ ଭଲ ମଣିଷ କରିବା ପାଇଁ ଫୁଲ ପରି କୋମଳ ହୃଦୟକୁ ବି ଗୋଟେ ବାପ କଠୋର କରିଦେଇପାରେ। ତା’ ଭବିଷ୍ୟତ ପାଇଁ ସେ ନିଜର ଇଚ୍ଛା ସବୁକୁ ଚାପିଦେଇ ପାରେ ମନର ପାହାଡ଼ ତଳେ। ମୋର ଏସବୁ ବୁଝିବାରେ ଖୁବ୍ ବିଳମ୍ବ ହୋଇ ସାରିଥିଲା। ଆଜି ବାପାଙ୍କ ଗାଳି ଖୁବ୍ ମନେ ପଡୁଛି। ବାରୁଦର ଧୂଆଁ ପରି ତାଙ୍କ ପାଟିରୁ ବାହାରି ଆସୁଥିବା ସେ କର୍କଶ ସ୍ୱର ସବୁ କାନ ପାଖରେ ପ୍ରତିଧ୍ୱନିତ ହେଉଛି। ସେ ଦିନ କାନରୁ ରକ୍ତ ବାହାର କରିଦେଉଥିବା ତାଙ୍କ ଗାଳି ଆଜି ଚନ୍ଦନଲେପ ପରି ମନେ ହେଉଛି ପରନ୍ତୁ ସବୁଠୁ ମହଙ୍ଗା ସେ ଗାଳି ଆଜି ମୋ ପାଇଁ। କେବଳ ଅନୁତାପର ନିଆଁରେ ଜଳି ତାଙ୍କ ଫୁଲ ମାଳ ପିନ୍ଧା ଫୋଟୋକୁ ଚାହିଁ ସରି କହିବା ଛଡା ଅନ୍ୟ କିଛି ଉପାୟ ନାହିଁ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational