STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ନଈ ସେପାରେ

ନଈ ସେପାରେ

3 mins
182

ଫଗୁଣର ପଲ୍ଗୁଧାରା ସହ ତାର ଅନେକ ସ୍ମୃତି ।ସେଇ ପୁନେଇଁ କୁ ତାର ଜନ୍ମ, ସେଇତିଥିରେ ବାହା ।ଆଉ ସେଇ ରଙ୍ଗ ଖେଳିବାକୁ ଯାଇ ସେଦିନ ଜୀବନ ସାଥୀ ତାର ଛାଡ ।ବେରଙ୍ଗ ପୃଥିବୀ ଏବେ ।ଜୀବନ ଦୋଛକିର ମୋଡ ବୁଲି ସାରିଛି ସିଏ ,ପାଦକୁ ଦମ୍ଭ କରି ।


" କାହ୍ନାରେ କାହ୍ନା ଲଗାନା ତୋ ରଙ୍ଗ ଲଗାନା, 

ତୋ ରଙ୍ଗ ଲାଗିଲେ କାହିଁକି କେଜାଣି ମନ ହୁଏ ଆନମନା "


ଗୁଣୁଗୁଣଉଥିଲା ମୀରା।ଏବେ ଏଇ କାହ୍ନା ହି ତ ତାର ସବୁ କିଛି ।ତାକୁଇ ସିଏ କହିହୁଏ ଯେତେ ଯେତେ ଗପ ଅଗପ ।ମାଗିନି କାହାରିକୁ ଉତ୍ତର ତା ଜୀବନ ର ଖାଲଢିପ ନେଇ,ଖାଲିପଣ ନେଇ ।ଏଇ କାହ୍ନା ହି ଭରିଦିଏ ଉତ୍ତର ତାର ମୋହକ ହସରେ ।ଲୁହ ବହିବା ଆଗରୁ ପାଖରେ ବସେଇ କୋଳରେ ମଥାକୁ ଥୋଇ ଶୁଣାଏ ମୋହନ ବଂଶୀ ର ସ୍ବର ।


କିଏ କହେ ତାକୁ ପାଗେଳୀ, କିଏ କହେ ଦେବଦାସୀ ,କିଏ ବା କହେ ଆହାଃ! ଏ ବୟସ ରେ ସନ୍ଯାସିନି ଯୋଗ ।


ସିଏ କିନ୍ତୁ ଜାଣେ ତା ଶ୍ଯାମ ସତ ।ସିଏ ତା ସହ କଥା କହେ ,ଲୁଚକାଳି ଖେଳେ,ତା ହାତରୁ ଖାଏ, ସଜ ହୁଏ ।ହେଲେ ଫୁଗୁଣ ଆସିଲେ

ଫଗୁ ଖେଳେନି ।ତାକୁ କେହି ରଙ୍ଗ ଲଗାନ୍ତିନି ।ତାକୁ ଏବେ କାଳେ ରଙ୍ଗ ଛୁଇଁବା ମନା ।ଏଇ ଫଗୁଣ ଆସିଲେ ସବୁରି ମନରେ ରଙ୍ଗ ମହକେ ।ଏକା ତାକୁ ଛାଡି ।ତାର ବି ଇଛ୍ଛା ହୁଏ ପିଲାଦିନ ପରି ଢାଳି ହେଇ ନ ଖେଳିଲେ ନାହିଁ ଚିମୁଟାଏ ନେଇ ତା ଶ୍ଯାମର ଗାଲରେ ମାଖିଦେଇ ଦେଖନ୍ତା କେମିତି ଦିଶେ ଶ୍ଯାମଳ କୃଷ୍ଣ ତାର ଫଗୁ ଛୁଆଁ ରେ ।


ହେଲେ ସମାଜ କଡା କରି ଅଦୃଶ୍ୟ ଶିକୁଳି ହାଙ୍କିଛି ଯେତେବେଳେ ସେ ବାଡକୁ ଡେଇଁ ଯିବ ସିଏ କାହା ବଳରେ । ସଂଯମ କଣ ଏଇ ରଙ୍ଗକୁ ଛୁଇଁ ଦେଲେ ବି ଭାଙ୍ଗିଯାଏ ।ଧଳା ଫିକା ଲୁଗା ତାର ମାରା ହେଇଯାଏ ?


ଅନେକ ପ୍ରଶ୍ନ ର ଉତ୍ତର ତିଆରିବାବାଲାକୁ ବି ଅଜଣା ।ସେଥିଲାଗି ତ ପଚାରିବା ମନା ଖାଲି ପାଳିଚାଲ ।


ଆକଟ ,ଆକଟ ,ଆକଟ ହେଇ ମନ ବି ଛାଡିଯାଏ ଖୁସି ମାନଙ୍କ ଠୁ ସମୟ ସହ ।


ସେଦିନ ବି ଥାଏ ଫଗୁଦଶମୀ । ନୀରବ ମୀରା ଝରକା ଦେଇ ଦେଖୁଥାଏ ରାସ୍ତା ସାରା କେତେ ବର୍ଣ୍ଣାଳି ।ବିମାନ ପଛେ ପଛେ ଘଣ୍ଟ ଝାନ୍ଝ କାହାଳୀ । ଧୂପଦୀପ ।କଷି ଆମ୍ବ ଝୁଲଣ ।ଲାଲନୀଳ ପାଟକଟା, ଚନ୍ଦ୍ର ବିନ୍ଦୁ ଥିବା ବାନା ।ଆଞୁଳା ଭରା ଭୋଗ ସହ ଦୌଡ ଲଗେଇଟିବା ବାଳଗୋପାଳ ଟୋଲି ।


ତାର ମୁଜାକାଠ କବାଟ କିଏ ଖଟଖଟ କଲା ।ତାର ତ ରଙ୍ଗ ହେଇଯିବାର ଡର ନାହିଁ ଯେ ସିଏ " କିଏ ?" ପଚାରିବ ! ତେଣୁ ଦରଜା ଖୋଲିଲା ।


ତାର ଉପର ଘର ।ତଳ ଘରେ ରୁହନ୍ତି ନୂଆ ପରିବାର ଟିଏ ଏଇ ସାତ ଆଠ ମାସ ହବ ।ସିଏ ତ ତାର ତା ବଖରାରେ ଥାଏ, ବେଶୀ ମିଶେନି କାହା ସହ ତେଣୁ ଏତେ ଜାଣେନି ବି କାହାକୁ ।


ସେଇ ଭାଉଜ ତାଙ୍କ ତିନିବର୍ଷକର କୁନି ପୁଅଟିକୁ କାଖେଇ ଆସିଥାନ୍ତି ଦୋଳ ଭୋଗ ଦବାକୁ ।

କଉଡି ପରି ଆଖି ।ଚଞ୍ଚଳ ଚାହାଣୀ । ମୋହନ ରୂପ ।ନାଲି, ନେଳି,ହଳଦୀ, ବାଇଗିଣି ଫଗୁରେ ରଙ୍ଗେଇ ହେଇଥାଏ ।


ହସୁ ହସୁ ସୁଲଗ୍ନା କୋଳକୁ ଡେଇଁ ପଡିଲା ।ମୁଠେଇ ଧରିଥିବା ଲାଲି ଅବିର ତକ ଓଜାଡି ଦେଲା ତା ମଥାରେ ।ଗେଲ୍ହା ଟେ କରିଦେଇ ଗେଲେଇ ଗେଲେଇ ଲାଗୁଥିବା ଓଠରେ କହିଲା, " ରାଧା ରାଧା " ।


ତା' ମହୁଝରା କଥା ସମ୍ମୋହିତ କରିଦେଲା ମୀରା କୁ ।ଆଖି ମୁଦି ସ୍ବପ୍ନାୟିତ ହେଲା ସିଏ ଠିଆ ଠିଆ ।ସେଇ ଆବେଗକୁ ଧରିରଖିବାକୁ ଚାହିଁଲା ଜନ୍ମ ଜନ୍ମ । 


କଣ ହେଉଥିଲା ଏ ମାଟି ଆଉ ତା ଚାରିପଟେ ଦେଖିବାକୁ ଖୋଲିଲାନି ସିଏ ଆଖି । କେତେବେଳେ ସେମାନେ ଓହ୍ଲାଇ ଯାଇଛନ୍ତି, କଣ କହିଛନ୍ତି ସିଏ କିଛି ବୁଝିପାରିନି ।ସେମିତି ସେଇଠି ଠିଆ ହେଇଛି ।



ଆଇନା ଆଗରେ ମୀରା । ରଙ୍ଗମୟୀ ।କୋଳରେ ତାର କାହ୍ନା ।ରଙ୍ଗମୟ ।ମୟୁରଚନ୍ଦ୍ରକା ସାରା ଅବିରଝରା ।ବଖରା ତାର ବୃନ୍ଦାବନ ।


ସ୍ନିଗ୍ଧ ହସଟିଏ ମୀରା ଓଠରେ ।ଏ ରଙ୍ଗ, ଏ ହସ ତାକୁ ଖୁବ୍ ମାନେ ।




ପରଦିନ ଛାତରେ ଲୁଗା ଶୁଖଉଥିବା ବେଳେ ଦେଖାହେଲେ କୁନି ପୁଅର ମାଆ ।ମୀରା କପାଳରେ ଲାଲି ରଙ୍ଗ ମୁରୁଜର ଛିଟା ଦେଖି ଅନୁତପ୍ତ ସ୍ବରରେ କହିଲେ, " କାଲି ପାଇଁ କ୍ଷମା ..... ।" ମୀରା ରୋକିଦେଲା କହିଲା," ଥାଉ .... ଦେଖ ତ ଭଉଣୀ ଏ ଅବିର ମୋ ଶ୍ଯାମ ଦେଇଛି ମୋ ମଥାଭରି ..... ନିଜେ! ତାର କୁନି କୁନି ହାତରେ । ଦେଖୁଛ ତ ମୁଁ କେମିତି ରାଧା ରାଧା ଦିଶୁଛି ।ଥାଉନା କିଛି ଦିନ ଯେ ଯାଏ ନିଜେ ଅଛି । ବଞ୍ଚି ଯିବି କିଛି ମୂହୁର୍ତ୍ତ ଏହା ସହ ।" 


ତାଳି ମାରି ଚକା ଚକା ଖେଳୁଥିଲା କୁନିପୁଅ ଲଳିତ ମୋହନ କୃଷ୍ଣ ସାଜି ।


ବାରିପଛ ମଠ ମାଇକି ରୁ ସ୍ବର ଭାସେଇ ଆଣୁଥିଲା ମଧୁର ପବନ " ବୃନ୍ଦାବନେ ବଂଶୀ କେ ବଜାଇଲା, ଏକା ରାଧା ରାଧା ନାମ ରାଇଲା ।" 





Rate this content
Log in

Similar oriya story from Action