ନିଦାଘ ବେଳା
ନିଦାଘ ବେଳା
ମୁଁ ଆଗୁରୁ ଏଇ ବାସନ୍ତୀ ଦଶରାକୁ ରଣପା ନାଚୁଥିଲି ।ଆମର କେଉଟଘର ।ଚାରିଟା ମଣିଷ ଉଞ୍ଚ ଦଣ୍ଡର ଅଗରେ ପାଦ ସଳଖି ଚାଲୁଥିଲି ।ଆଗେ ଆଗେ କ'ଣ କମ ଥର ଖସିପଡି ଗୋଡ ମକଚା ହାଡ ଫଟା ନୋହିଛି କି ଆଉ ! ଏବକୁ ହେଇଗଲା ଭଲକି ।ଜରିଦିଆ କୁରୁତା ମଡେଇ ମୁହଁ ରେ ରଂଗ ମାଖି ମୁଣ୍ଡ ରେ ଶିରପା ଆଉ ବେକରେ ଠାକୁରାଣୀ ମାଳ ପକେଇ ଓ ସେ ଆକାଶ ଉଚ୍ଚୁ ଠେଙ୍ଗା ଅଗରେ ଠିଆ ହେଲାବେଳେ ଛାତି ଉଚ୍ଚ ଲାଗେ । ଲାଗେ ଏ ନିଦାଘ ବେଳା ମୋ ପା' ତଳେ ।ଏ ଧରଣୀ ଯାକର ଜୀବ ସବୁ ମୋ ଗୋଇଠି ତଳେ ।ହେଲେ ସେଇ ତଳେ ଥିବା ଜୀବତକ ଦୟା କଲେ ମୋ ପେଟ ପୁରେ ।ତାଙ୍କରି ହାତକୁ ଚାହିଁ ଥାଏ ।ଟିକିଟିକି ଦିଶୁଥାନ୍ତି ମୋ ଅନ୍ନଦାତା ଦେବତା ତକ ।
ପେଟର ଭୋକ ହାତ ଧରି ଶିଖେଇଦିଏ କେତେ ପାଠ ।ଆଜିକାଲି ବୟସ ଗଡିଲାରୁ ଆଉ ପାରେନି ।
ଆମ ଗୋସେଇଁବାପ ହେରିକା କାଳେ କାକଟପୁରୁ ମଙ୍ଗଳାଙ୍କ ଠଉ ଆଜ୍ଞାମାଳ ପାଇ ଲାଲି ଥାକଥାକିଆ ଘେର ପିନ୍ଧି ମୁଣ୍ଡ ରେ ସିନ୍ଦୁର ମୁହିଁ ଠାକୁରାଣୀ କୁ ମୁଣ୍ଡେଇ ଜଗତ ବୁଲୁଥିଲେ ।କୌଳିକ ବୃତ୍ତି । ପନ୍ତି ପଣା ପାଉଥିଲେ ।ଜାଚଜ୍ଞା ଲୁଗା, ଗହଣା ସହ ତିଳେ ସୁଉକି, ଅଣା ,ଅଧୁଲି କି ଆଠେଣି ବି ଆଣୁଥିଲେ ।ଝାଞି ଖରାରେ ଖାଲି ପାଦରେ ମଙ୍ଗଳା ହେଇ ନାଚୁଥିଲେ, ଲୋକଙ୍କ ହାରିଗୁହାରି ଶୁଣି ବାଟ ବତଉଥିଲେ ।ଝାଡି ଦଉଥିଲେ ଯେ ମୟୁର ପଂଖ ମୁଠାରେ ମଲି ମଲି କହି ଆପଦ ବାଟ କାଟୁଥିଲା ସେପଟ ଗଳିରେ ଗଳି ।ଖାଲିଯାହା ନିଜର ପାଦତଳ ଘା'ଫୋଟୋକା ସିଝି ସିଝି ଚାରିମାସକେ ଶୁଖୁଥିଲା କି ନାହିଁ ।
ଇଚିଲି ମିଚିଲି ଝାମୁ ଝିଲି ଝିଲି
ଘଣ୍ଟିକୁ ପାଞ୍ଚ, ଘାଗୁଡିକୁ ପାଞ୍ଚ ।।
ବଟବାରିର ତେଲିପଡିଆ ମଝାକିନା ଲମ୍ବ କିନା ଖୋଳା ଦଶଫୁଟସରିକି ଗାତ ।ତହିଁରେ ହକ ହକ ଦହଦହ ରଢ ।ପିଚୁରୋଳ ଢଳି ଦାଣ୍ଡ ରୁ ଦହ ଉଠୁଥାଏ ।ସଂକ୍ରାନ୍ତି ପାଖ । ବର ଓହଳ ତଳେ ରୁଣ୍ଡ ଗାଁ ଯାକ ।ଧାସ ବାଜି ମୁହଁ ରଂଗା ।ବେକେରେ ମନ୍ଦାର ମାଳ ପକେଇ କପାଳେ ସିନ୍ଦୁର କଲିମାରି ଦେହ ସାରା କଣ୍ଟା ଫୁଟା ଛାଟରେ ମାରି ମାରି ଝୁଲନ୍ତ ସାକ୍ଷାତ ମଙ୍ଗଳା ହେଇ ଯିଏ ବିଜେ କରେ ସିଏ ବି ଆମ ଗୋସେଇଁ ଜେଜ ।"କାଳସୀ " କୁହନ୍ତି ଲୋକେ ।ଠାକୁରାଣୀ ଠଉ ଡାହାଣୀ ହଉ ସବୁ ଛଡାଏ ।ତା' ବୋଲ ମାନିବାକୁ ହାଡେ ହାଡେ ହଁ ।ଗାଁ ର ଭଲମନ୍ଦ ବୁଝେ ।ଭକ୍ତି ପ୍ରଣତୀ ବାଢନ୍ତି ଜନେ ।ନୀମଗଛ ମୂଳେ ଚେତା ଛାଡେ ।ଦେବୀ ଠାକୁରାଣୀ ଗଛରେ ଚଢିଯାନ୍ତି, ଗୋସେଇଁ ଜେଜ ଦିହକୁ ଛାଡି ।
ମୋ ବା' ଟା କିନ୍ତୁ କୁନ୍ଦୁ କୁନ୍ଦୁ କି କୁନ୍ଦୁ କୁନ୍ଦୁ କି କନା ଘୋଡାକୁ ଡେବିରିଦକ୍ଷିଣ କରି ନଚଉଥିଲା ।ଡହଡହ ତତଲା ବାଲିମାଟିରେ ନିଜେ ମାଟିଧୂଳି ପାଲଟି ଡେଉଁଥିଲା ଯେ ଡେଉଁଥିଲା ,ଆଉ ମୁଣ୍ତୁଟାକୁ ଠାଉ କିନା ହାତେ ଗାତେରେ ପୋତିପକେଇ ନିଶ୍ଚଳ ପଡୁଥିଲା ଗୋଡ ଯୋଡାକ ଟେକି ଦେଇ ଆକାଶ କୁ ।
ଆକାଶରେ ପରା କାଳେ ଆକାଶେ ସପନ ।ସେଇ ତା' ପାଦ ଦେଇ ଧସେଇ ପଶୁଥିଲେ ଗୋଟେ ଅଧେ ।ଏଇ ଯେମିତି ଆମ ଘରେ ଆଜି ବାରମିଶା ବଗଡା ଚାଉଳରୁ ମୁଠେ ଫୁଟିବ, ଆମେ କୁଲାଏ ହେଂସାଏ ପିଲା କତରାରୁ ଉଠି ବେଲା ରୁ ଧଳାତୋରାଣୀପାଣି ସରିଆଯାଏ ହାପୁଡୁଥିବୁ ,ବାଇଗଣ ଗୋଟା, ଟମାଟର ଫାଳେ ପୋଡାହେଇଥବ ଯଦି ଥବ ।ଆଉ ତମେ କଣ ଭାବିଛ ବା' ସପନ ଦେଖନ୍ତା ଆମେ କେମିତି ଇସ୍କୁଲୁ ଯିବୁ ଆଉ ନେଳି ପେଣ୍ଟ ଧଳା ବୋତାମ ସାଟ ପିନ୍ଧନ୍ତୁ ବୋଲି? ନାଇଁ ବା ।ଏଡେ ସପନ ଆମ ପଲକେ ଜାଗା ଧରେନି ।
ଏଇ ଚୈତ୍ର ରେ ଆମ ପେଟ ଢେର୍ ପୁରେ ।ମାଆ ର ଦୟାରୁ ମା' ର ନହକା ସୁତୁଲିଆ ନଳୀଗୋଡ ଧାପେକେ ଲାଥୁଲୁ ଦିଶେ ।ଅନ୍ୟ ଦିନେ ଫାମ୍ପଲା ପେଟ ତାର ଲେଉଟ କଡେଇ ପରି ପଞରାରେ ପଶିଥାଏ ।ଆମ ତୁଣ୍ଡରେ ଭାତ ମୁଣ୍ଡ ରେ ଛାତଟେ ଦେଖିବ ଦେଖିବ ବୋଲି ସପନେଇ ସିଏ କେତେ ପାଇଲି କରିପକାଏ ବାର ଦୁଆରେ ଟୋପାଏ ନ ଥକିକି ।ଆମେ କିନ୍ତୁ କେଳା ନୁହେଁ,ଆମେ ସବାଖିଆ ନୁହେଁ ।ଖେଳା ଦେଖଉଥିଲୁ ପେଟ ନାତରେ ।
ଆଉ କିଏ କିଏ ସାପ, ମାଙ୍କଡ ,ମୂଷା ଧରି ଖେଳ ଦେଖେଇଲେ ।ପଦ୍ମତୋଳା ର ତାଳେ ନାଗ ଫଣା ତୋଳେ ।ମାଟି ବୋଳା ତାଳ ରସି ପେଟରାରେ ଲଟେଇ ମୋଡି କୁଣ୍ଡଳୀ ମାରିଥାଏ ବିଷଧର ।ଧରାଦିନୁ ଭଙ୍ଗା ହୋଇଯାଏ ତା' ଦଂଶନ ଦାନ୍ତ ।ମଣିଷ ହି ଏମିତି କରିପାରେ ,ନିଜ ସ୍ବାର୍ଥ ନେଇ ।କୋଉ ଅଗନା ଅଗନି ବନସ୍ତେ ପଶି ଧୁ ଧୁ ଖରା ବେଳେ ଆମେ ଧରି ଆଣୁ ଏଇମାନଙ୍କୁ ଚୋଟ ସମ୍ଭାଳି ।ବିଷ ତ ରକତେ ଖେଳିଯାଏ ଆଠଦିନେ ଅନ୍ନ ନ ପାଇଲେ ।ତା'ଠୁ କୁ' ବିଷ ଆଉ ବଡ ଯେ ।ବାଉଁଶରାଣୀ ଖେଳରେ ଜୀବନ କେମିତି ଝୁଲୁଥାଏ ମଝି ଦଉଡିରେ ।ଠିକ୍ ସେମିତି ।
ମୁଁ ରଣପା ନାଚୁ ନାଚୁ ନାଆ ତିଆରି ଶିଖିଲି ।କାଠ ସହ ଭାବ କଲି ।ଦିନା ଏକ ରାମ ଅଇଲେ ।ନାଆ ପାରି ହେବେ ବୋଇଲେ ।ପାଦରଜ ପଡି ନାବ ନାରୀ ନୋହିବ ସେ କଥାକୁ ପ୍ରଭୁ ବିଶ୍ବାସ ଦେଲେ ।
ଗଙ୍ଗାରେ ଡଙ୍ଗାରେ ତୁମକୁ କରିଥିଲି ପାରି
ଅକାତ ଜଳରେ ଯାଉଛି ମୁଁ ବୁଡି
ମତେ ପାରିକର ଆହେ ଭବ ନାଉରୀ ।।
ଏବେ ନଦୀ ନାହିଁ ।ନାଆ ନାହିଁ ।ନାଉରୀ ମୁଁ ଏକା ବସିଥାଇ ।
ପେଟ ଅଛି ।ନାଟ ନାହିଁ ।ଭୁତ ବୁଲୁଛି ଗାଁ ଗାଁ ।ବସ୍ତା ଧରି ମୁଣ୍ଡ ମୋଡୁଛି ।ଗୋଟେଇ ନଉଛି ।ଚାରିଆଡେ ଖାଲି ଭୟ ଭୟ ।ଧୁ ଧୁ ଖରାବେଳିଆ ଭୟ ।ଖଣ୍ଡିଆ ଭୁତ ବି ଡରିଯାଇଛି ।ଗଛ କୋରଡରେ ଲୁଚି ବସିଛି ।
ସାଇରନ ଶୁଭିଲା । କରୋନା, ମ୍ଯୁଟାଣ୍ଟ, ଟ୍ରିଟାଣ୍ଟ ।
ଲୁଚିଯା ବାପା, ଶୋଇଯା ।କାହା ପାଳି ପଡିଯିବ, କିଏ ନ ଜାଣିବେ ।
ଲୁ ବହୁଛି ଖରାବେଳ ।
ଡରର ନିଦାଘ ।
