BHAGIRATHI BEHERA

Romance Tragedy

4.0  

BHAGIRATHI BEHERA

Romance Tragedy

ନଗ୍ନସତ୍ୟ

ନଗ୍ନସତ୍ୟ

13 mins
514


କଲେଜପାର୍ଶ୍ଵ ଶିବମନ୍ଦିର ବେଢାରେ ଆଜି ପ୍ରବଳ ଭିଡ । ତୃତୀୟ ବର୍ଷ ବିଜ୍ଞାନର ଛାତ୍ର ବିନୟର ବାହାଘର । ଛାତ୍ରବାସର ସମସ୍ତ ପୁଅମାନେ ବରଯାତ୍ରୀ ଓ ଛାତ୍ରୀବାସର ସମସ୍ତ ଝିଅ କନ୍ୟାଯାତ୍ରୀ । କ୍ୟାମ୍ପସରେ ରହୁଥିବା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅତିଥି । ବିନୟର ବାପା ଓ ଭାଇମାନେ ଏ ମଙ୍ଗଳ କାର୍ଯ୍ୟରେ ଉପସ୍ଥିତ କିନ୍ତୁ ବଧୁର ପରିବାର ରାଗରେ କିଏ ବି ଉପସ୍ଥିତ ନାହାନ୍ତି । ହଠାତ ଝିଅ ପ୍ରେମ ବିବାହ କଲା ବୋଲି ସେମାନଙ୍କୁ ଅପମାନ ହୋଇଛି ।

           ଏ ପ୍ରକାର ବିବାହ କଲେଜର ଇତିହାସରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି । ସମସ୍ତିଙ୍କ ମୁହଁରେ ସେହି ଗୋଟିଏ କଥା –ବିନୟ ଓ ବନୀତାର ଯୋଡି ଯେମିତି ସ୍ଵପ୍ନ । ମେଳ ନଥିବା ଗୋଟେ ସମ୍ପର୍କ । କେହିବି ଜଣେ ସେମାନଙ୍କୁ ଏକା ସାଙ୍ଗରେ କଥା ହେବାର ଦେଖି ନାହାନ୍ତି । ପ୍ରେମ ତ ଦୂରର କଥା । ଯଦି ଆରେଞ୍ଜ ମ୍ୟାରେଜ ହୋଇଥାନ୍ତା ତେବେ କଥାଟା ସ୍ଵୀକାର କରି ହୋଇଥାନ୍ତା ।

           ଦୁଇ ତିନିଦିନ ଭିତରେ ସବୁ ଆୟୋଜନ ହୋଇଥିଲା । ପଣ୍ଡିତ, ପ୍ରାଙ୍ଗଣ, ମଣ୍ଡପ, ଛାମୁଣ୍ଡା, ଓ ଅତିଥିମାନଙ୍କ ପାଇଁ ନିମନ୍ତ୍ରଣ ଏବଂ ଭୋଜି । ସମସ୍ତେ ବାରମ୍ବାର ବିନୟକୁ ମନା କଲେ । କିନ୍ତୁ ବିନୟର ସେହି ଗୋଟେ ଜିଦ । କିଏ ଆସୁ କି ନ ଆସୁ । ତା ପ୍ରାଣପ୍ରିୟା ବନୀତାକୁ ସେ ଦୁଇଦିନପରେ ମନ୍ଦିରରେ ବାହାହେବ । ଛାତ୍ରମାନଙ୍କଠାରୁ ହଷ୍ଟେଲ ୱାର୍ଡେନ ଓ ପ୍ରିନ୍ସିପାଲ । ସମସ୍ତେ ଜାଣିଲେ, ହସିଲେ, ଚର୍ଚ୍ଚାକଲେ । କିନ୍ତୁ ବିନୟର ଜିଦ ଆଗରେ ହାର ମାନିଲେ ।

           ବିବାହ ମୂହୁର୍ତ୍ତ ଗଡି ଯାଉଛି । ଝିଅ ବସିଛି ବେଦୀରେ । କିନ୍ତୁ ଏ କଣ ? ବିନୟ କାହିଁକି ଏପଟ ସେପଟ ହେଉଛି ? ମଣ୍ଡପକୁ କାହିଁକି ଆସୁନି ? ସେ ବୋଧେ କାହାର ପ୍ରତୀକ୍ଷା କରୁଛି। ସମସ୍ତେ ଭୁଟୁଭାଟ ହେବା ଆରମ୍ଭ କଲେ । ସମସ୍ତେ ତ ଆସିଗଲେଣି । ତେବେ ଆଉ ଏମିତି କିଏ ନ ଆସିଛି ଯେ ଯାହାପାଇଁ ବାହାଘର ଅସମ୍ଭବ ।

           ଏପଟ ସେପଟ ହେଉ ହେଉ ବନୀତା ପାଖରେ ବସିଲା ବିନୟ । ତା ହାତକୁ ନିଜ ପାପୁଲିକୁ ନେଇ ଆଶ୍ଵାସନା ଦେଲା ବନୀତାକୁ ।

           “ବିନୟ ! ଆଉ ଥରେ ଭାବିନିଅ । ଏମିତି କରିବାଟା ମୋତେ କାହିଁକି ଠିକ ଲାଗୁନି ।“ ଅନୁରୋଧ କଲା ବନୀତା ।

           “ତମେ ମୋଟେ ବ୍ୟସ୍ତ ହୁଅନା ବନୀତା । ତମେବି ତ ଏଇଆ ଚାହଁ । ସତ୍ୟର ସାମନା କେବଳ ତମେ ଆଉ ମୁଁ କାହିଁକି କରିବା ? ଦୁନିଆ ନଜାଣିଲେ ମଧ୍ୟ ତମେ ଜାଣିଛ ଯେ ତମ ପେଟରେ ଥିବା ଛୁଆ ତା’ର । ଏଇଟା ବି ସତ୍ୟ ଯେ ପିଲାଟା ମୋର ନ ହେଲେବି ମୁଁ ତୁମକୁ ଆପଣେଉଛି । ଏ ନଗ୍ନସତ୍ୟ ପାଇଁ ଆମେ ସାରା ଜୀବନ ଜଳିବାକୁ ଯାଉଛେ । ତାକୁ ମଧ୍ୟ ଜୀବନଟାଯାକ ଜଳିବାକୁ ଦିଆଯାଉ ।“

           ବିନୟର ଏ ପ୍ରକାର କଥା ଶୁଣି ଚୁପ ହେଇଗଲା ବନୀତା । ସେ ମଧ୍ୟ ଚାହୁଁଛି ପାପିଟା ଦଣ୍ଡ ପାଉ । ଏମିତି ଏକ ଦଣ୍ଡ ପାଉ ଯାହାଦ୍ୱାରା ସେ ନିଜ ଆଖି ଆଗରେ ନିଜେ ଖସିଯାଉ ।

           ବନୀତାର ମୁହଁକୁ ବିନୟ ଆଉ ଚାହିଁ ପାରିଲାନି । ରାସ୍ତାଆଡକୁ ତା’ର ନଜର । ଯେ ପର୍ଯ୍ୟନ୍ତ କନ୍ୟାଦାନ ନ ହୋଇଛି ସେପର୍ଯ୍ୟନ୍ତ ବାହଘରଟା ସଂପୂର୍ଣ୍ଣ ହେବ କେମିତି? । ରାସ୍ତାକୁ ଅନେଇ ଅନେଇ ହଜିଗଲା ସେ ଅତୀତର ନିଭୃତ କୋଣରେ

           ବୈଶାଖୀ ଖରା । ଧୁ ଧୁ ତାତିରେ ଖରାଛାଇର ଖେଳ । କଲେଜ ଯିବା ରାସ୍ତାରେ ସାମନାରେ ଭେଟ ହେଇଗଲା ବନୀତା ।

           ନ ଦେଖିଲା ପରି ରାସ୍ତା କାଟିଲା ବିନୟ । ବନୀତା ଆଖିରେ ଆଖି ମିଶେଇବାର ସାହସ ନଥିଲା ତା’ର । ଯାହାହେଉ , କିଛି ପାଦ ଆଗେଇଗଲା ସେ । ଆସନ୍ନ ପରିସ୍ଥିତି କେତେ ସହଜରେ ଚାଲିଯାଏ ମଣିଷର- ଏକଥା ଭାବିଲା ସେ ।

           “ବିନୟ !”

           ଅଟକିଗଲା ବିନୟ । ବୋଧେ ବନୀତା ପଛରୁ ଡାକିଲା । ଅଟକିଯିବ କି ? ନ ଅଟକି ସେ ଆଗକୁ ପାଦ ବଢାଇଲା ।

           “ବିନୟ ! କିଛି କଥା ଅଛି ।“

           ଏଥର ଆଶ୍ଵସ୍ତ ହେଲା ସେ । ନିଶ୍ଚୟ ବନୀତା ଡାକୁଛି ତାକୁ । ହୃଦୟର ବହୁଥିବା ରକ୍ତ ସବୁ ନିଜର ଗତି ବଢେଇଲେ । ପଛକୁ ଫେରି ଚାହିଁଲା ବେଳକୁ ଅତି ନିକଟରେ ବନୀତା । କିଛି କହିବ କହିବ ହେଇ କହି ପାରିଲାନି ସେ ।

           -“ନ ଜାଣିଲା ପରି ଚାଲିଯାଉଛ ଯେ ?”

           ବାପରେ ! ଧରା ପଡିଗଲା ମନର ଚୋରଟା । ଏକ୍ସରେଠାରୁ ଅଧିକ ଶକ୍ତିଶାଳୀ ନାରୀମାନଙ୍କ ଆଖି । କେତେ ସହଜେରେ ଧରା ପଡିଯାନ୍ତି ପୁରୁଷଗୁଡାକ କାପୁରୁଷ ଭଳି । 

           “ଯଦି ସମୟ ଅଛି ,ଚାଲ ସେ କଦମ୍ବମୂଳକୁ । ଘଡିଏ ବସିବା । “

           କଦମ୍ବମୂଳ କଥା ଶୁଣି ତା ଚାରିପଟ ପୃଥିବୀଟା ଯେମିତି ଘୁରି ବୁଲିଲା । ଦୀର୍ଘ ଛଅ ମାସ ଧରି ଯେମିତ କଦମ୍ବମୂଳଟା କଲେଜ କ୍ୟାମ୍ପସରେ ସବୁଠୁ ବଡଶତ୍ରୁ । ପୁଅମାନଙ୍କ ହଷ୍ଟେଲ ଓ କଲେଜର ଏକାଡେମୀ ବ୍ଲକର ଠିକ ମଝିଭାଗରେ ଅବସ୍ଥିତ କଦମ୍ବଗଛ । ଠିକ ସେ ଗଛର ପୂର୍ବମୁଖା ହୋଇ ଯାଇଥିବା ରାସ୍ତା ଝିଅମାନଙ୍କ ହଷ୍ଟେଲରେ ନିଜଯାତ୍ରା ଶେଷ କରିଛି । ଠିକ ରାସ୍ତାପରି ନିଜ ଭଲ ପାଇବାର ଯାତ୍ରାକୁ ଶେଷ କରିଥିଲା ବିନୟ ସେଇ କଦମ୍ବମୂଳରେ ।

           ଆଗକୁ ବଢିଲା ବନୀତା । ଚୁପଚାପ ଗୁମସୁମ । ତା ପଛେପଛେ ଚାଲିଲା ସେ କଦମ୍ବମୂଳକୁ କେମିତି ଏକ ଅଜଣା ଆକର୍ଷଣରେ । ବିରୋଧ କରିବାର ପ୍ରଶ୍ନ ହିଁ ନଥିଲା । ମନ୍ତମୁଗ୍ଧ ତା’ ଶରୀର କିନ୍ତୁ ସମ୍ଭାବିତ ଝଡର ପରିକଳ୍ପନାରେ ଥର ଥର ଥରି ଉଠିଲା ।

           ଶୀତଋତୁର ଏମିତି ଏକ ଉଦୁଉଦିଆ ଖରାବେଳଟାରେ ସେ ଅପେକ୍ଷା କରିଥିଲା ତା’ ହୃଦୟର ପ୍ରାଣପ୍ରିୟାକୁ । ଦୀର୍ଘ ଦୁଇବର୍ଷ ମନେ ମନେ ଭଲପାଇଲା ପରେ ଅପେକ୍ଷାର ଅସହ୍ୟ ଯନ୍ତ୍ରଣା ଯେମିତି ମନଟାକୁ ଘାଣ୍ଟି ଚକଟି ଦେଉଥିଲା । କଲେଜରେ ତୃତୀୟ ବର୍ଷରେ ପହଞ୍ଚିଲା ମାତ୍ରେ ପ୍ରାଣପ୍ରିୟାକୁ ମନର ମାନସୀରୂପେ ନପାଇବାର ଭୟ ତା’ ହୃଦୟରେ ଘର ବାନ୍ଧିଥିଲା । କଲେଜ ଜଏନର ପ୍ରଥମ ବର୍ଷରୁ ନିଜ ଶ୍ରେଣୀରେ ପଢୁଥିବା ସାବନା ବର୍ଣ୍ଣର ହସକୁରୀ ଝିଅଟା ତା’ ପାଖରୁ ତା’କୁ ଚୋରେଇ ନେଇଛି । ଦୁନିଆ ଜାଣିଲେ ଉପହାସର ପାତ୍ର ହେଇଯିବ ବୋଲି କୃଷ୍ଣକଳା ବର୍ଣ୍ଣର ବିନୟ କେବଳ ପ୍ରେମିକାକୁ ଥରେ ଦେଖିବା ପାଇଁ ଲେକ୍ଚର ପରେ ଲେକ୍ଚର ବସି ରହୁଥିଲା । ଯେମିତି ତା’କୁ ଆଉ କିଏ ତାଠୁଁ ଛଡେଇ ନ ନେଇଯାଉ । ସେଥିପାଇଁ ତା’ ନାଁ ରେ ଗଦା ଗଦା କବିତା ଲେଖୁଥିଲା । ସବୁଦିନେ ନିଜ ମନର ମଇନା ଆଖିରେ ଲାଖି ରହିଯିବା ପାଇଁ ନିଜ ସାଜସଜାରେ ମଳି ଟିକେ ଲାଗିବାକୁ ଦେଇ ନଥିଲା ।

           ଝିଅମାନଙ୍କୁ ଫସେଇ ନିଜକୁ ସବୁଠୁ ସଫଳ ପ୍ରେମିକ ଭାବେ ପ୍ରତିପାଦିତ କରିବାକୁ ହଷ୍ଟେଲରେ ଏକ ପ୍ରକାର ପ୍ରତିଯୋଗୀତା ହେଉଥିଲା । ସେପଟେ କଦମ୍ବ ଗଛରୁ ଝିଅ ପିଲାଙ୍କ ହଷ୍ଟେଲ ଯାଏଁ ପିମ୍ପୁଡି ଧାଡି ପରି ସଫଳ ଓ ଅସଫଳ ପ୍ରେମିକା ପ୍ରେମିକମାନଙ୍କର ସଂଘର୍ଷ ଲାଗିରହିଥିଲା । କିନ୍ତୁ ଏ ସଙ୍ଘର୍ଷର ମଝାମଝି ଉବୁଟୁବୁ ହେଉଥିବା ବିନୟକୁ ଲାଗିଥିଲା, ଡେରି ହେଇଗଲେ ସବୁଦିନ ପାଇଁ ସେ ହରେଇବ ତା ଈପ୍ସିତ ନାୟିକାକୁ । ଜଣେ ଝିଅ ହାତରେ ଖବର ପଠାଇଥିଲା ମନର ନାୟିକା ପାଖକୁ ଏବଂ କଦମ୍ବ ବନରେ ଅପେକ୍ଷାରତ ଥିଲା ।

           ଦୀର୍ଘ ଦୁଇ ଘଣ୍ଟା ପରେ ସେ ତାର ସମଗ୍ର ସତ୍ତାକୁ ସାଉଣ୍ଟି କହିଥିଲା –“ବନୀତା ! ମୁଁ ତୁମକୁ ଭାରି ଭଲ ପାଏ । ତମେ ମୋତେ ଭଲ ପାଅ କି ?”

           ଏତିକି କହି କଦମ୍ବ ଫୁଲ ଆଡକୁ ଅନାଇଲା ସେ । ନିଜ ପ୍ରିୟତମାକୁ ସିଧା ସିଧା ଦେଖିବାର ସାହସ ଯେମିତି ଆତ୍ମହତ୍ୟା କରିଛି । ହେ ଇଶ୍ଵର ! କିଛି ନା କିଛି କହିଦେଉ ବନୀତା । କିଏ ଯେମିତି ଦୁହିଙ୍କୁ ଏକାଠି ନଦେଖୁ । ଯଦି ବନୀତା ତା’ ପ୍ରେମକୁ ସ୍ଵୀକାର କରୁଛି, ତେବେ ସେ ବି ଦେଖେଇଦେବ କଳାବର୍ଣ୍ଣର ଶରୀରରେ ଲୋହିତ ରଙ୍ଗର ହୃଦୟର ସ୍ପନ୍ଦନ । ଏ କଦମ୍ବ ଗଛ ଦେଖିବ ସମ୍ପୂର୍ଣ୍ଣ କଲେଜରେ ସେମାନଙ୍କ ଯୋଡି ।

           ଆଉ ଯଦି ଅସ୍ଵୀକାର କରେ, ତେବେ ଏକୁଟିଆ ସେ ଅପମାନର ବିଷ ଅନ୍ୟମାନଙ୍କ ଅଜାଣତରେ ପଈଯିବ । କିନ୍ତୁ ବନୀତା ତା ଭଲ ପାଇବାକୁ ଅସ୍ଵୀକାର କରିବ କାହିଁକି ? ବନୀତା ଅନ୍ୟ ଝିଅ ମାନଙ୍କଠୁ ଭିନ୍ନ । ତା ଆଗରେ ସୁନ୍ଦର ଅସୁନ୍ଦର ,କଳାଗୋରା ,ଧନୀଗରିବ ଆଦି କୌଣସିର ମୂଲ୍ୟ ନାହିଂ । ବନୀତା କେବଳ ଚାହେଁ ନିଚ୍ଛୁକ ଭଲପାଇବା । ଆବିଳତାଭରା ହୃଦୟ ।

           “ତୁମେ କିଛି ଉତ୍ତର ଦେଲନି ଯେ ବନୀତା ?” ଅନେକ ସମୟର ନୀରବତା ପରେ ପଚାରିଲା ବନୀତା ।

           “କଣ ଉତ୍ତର ଦେବି । ତୁମକୁ ମୁଁ ଭଲ ପାଇବି ବୋଲି ତୁମେ ଭାବି ନେଲ କେମିତି ? ମୋତେ ନେଇ ସ୍ଵପ୍ନ ଦେଖିବା ପୂର୍ବରୁ ନିଜକୁ ପରଖି ନେବାର ଥିଲା ତୁମକୁ । ଥରେ ଭାବିବାର ଥିଲା ତୁମେ ମୋ ପାଇଁ ଯୋଗ୍ୟ କି ଅଯୋଗ୍ୟ । “

           ଏ ପ୍ରକାର କଟାକ୍ଷରେ ରକ୍ତରଞ୍ଜିତ ହେଲା ବିନୟର ହୃଦୟ ଓ ମନ । ସେ ଜାଣି ପାରିଲା ମାଟି ଉପରେ ବଢୁଥିବା କଇଁଫୁଲ କେବେବି ଚନ୍ଦ୍ରମାକୁ ପାଇ ପାରେନା । ପାଇବାର ତ ଦୂରର କଥା , ତା ଶୀତଳତା ପାଇଁ ବଞ୍ଚି ରହିପାରେନା । ସତ କଥା ! ବନୀତା ତାକୁ ଅସ୍ଵୀକାର କରି ଠିକ କରିଛି । ନା ସେ ସୁନ୍ଦର ! ନା ତା ପାଖରେ କାହାର ପ୍ରେମିକା ସାଜିବାର ଭଳି ଯୋଗ୍ୟତା ଅଛି ।    

          “ତେବେ କଣ ଅନ୍ୟ କାହାକୁ ଭଲ ପାଅ?” ଥର ଥର କଣ୍ଠରେ ପଚାରିଲା ସେ ।

           “ମୁଁ କାହାକୁ ଭଲପାଇଲା ଭଳି ଯୋଗ୍ୟତା ଏଠି କାହାର ନାହିଂ । ଯଦି କିଏ ଅଛି, ସିଏ ହେଲେ ଅଧ୍ୟାପକ ସୁମିତ ରଞ୍ଜନ । ମୋ ଆଗରେ ସେ ପ୍ରେମଭିକ୍ଷା କରିଛନ୍ତି । ଜଣେ ସୁନ୍ଦର, ତେଜବନ୍ତ ବ୍ୟକ୍ତିତ୍ଵ, ପପୁଲାର ଓ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ପୁରୁଷ ହିଁ ମୋ ପାଇଁ ଯୋଗ୍ୟ । ଆଜିଠୁ ତମେ ଯେମିତି ମୋ ପାଖ ମାଡିବନି । ନଚେତ ହେଇପାରେ ମୁଁ ତାଙ୍କୁ ହରେଈ ଦେବି । ଗର୍ବ ଅହଂକାରରେ ଏତିକି କହି ଚାଲିଗଲା ବନୀତା । ଶୀତଦିନର ଖରାବେଳଟା ଯେମିତି କାଳବୈଶାଖୀ ଭଳି ଲାଗିଥିଲା । କୁରୂପା ଭଳି ଲାଗିଥିଲା କଦମ୍ବଫୁଲ । ଯେମିତି ଶତ ଶତ ନାଗୁଣୀ ଫେଣା ଟେକି ଗୁଡେଇ ତୁଡେଇ ହେଉଥିଲେ ତାରି ମୂଳରେ ।

           ତେବେ ଆଜି ଛଅ ମାସ ପରେ ସେଇ ବନୀତା କ’ଣକହିବାକୁ ଡାକୁଛି ? କିଛି ଗୋଟେ ଭୁଲ ହୋଇ ଯାଇନିତ କେଉଁଠି ?ଇଆଡେ ସିଆଡେ ଦେଖିଲ ସେ । କାଳେ କିଏ ଆସୁଥିବ । ଯଦି ଅଧ୍ୟାପକ ସୁମିତ ରଞ୍ଜନ ଆସିଯାନ୍ତି ତେବେ କଥା ସାରିଲା । ପ୍ରାକ୍ଟିକାଲ ପରୀକ୍ଷାରେ ସେ ନିଶ୍ଚୟ ଫେଲ ହେବ । ଅବଶ୍ୟ ଯେବେଠୁଁ ବନୀତା ଅଧ୍ୟାପକଙ୍କୁ ନିଜର ପ୍ରେମିକ ଭାବେ ସ୍ଵୀକାରୋକ୍ତି କରିଛି ସେଇ ଦିନଠୁଁ ସେ ନିଜେ ନିଜକୁ ଅଧ୍ୟାପକଠୁଁ ଦୂରରେ ରଖିଛି । ଅଧ୍ୟାପକ ସୁମିତ ଜଣେ ଆଦର୍ଶ ଅଧ୍ୟାପକ । ଆମାୟିକ, ଛାତ୍ରବତ୍ସଳ ଗୁରୁ । ଦେଖିବାକୁ କନ୍ଦର୍ପ ପରି । ଧନଧାନ୍ୟରେ ଭରପୁର । ଏଭଳି ପୁରୁଷ ସମସ୍ତ ନାରୀଙ୍କ ପାଇଁ କାମନାର ଉତ୍ସ ହେଇପାରେ ଏଥିରେ ସନ୍ଦେହ କରିବାର ନାହିଂ । ଗୁରୁ ଭକ୍ତିରେ କୌଣସି ଦିନ ଊଣା କରିନି ସେ । ବରଂ ଗୁରୁଙ୍କ ସମ୍ପତ୍ତି ଭାବି ବନୀତାକୁ ସବୁବେଳେ ବଞ୍ଚେଇ ଆସିଛି ଦିଲଫେକ ଆଶିକ ମାନଙ୍କ ଡାହାଣା ଆଖିରୁ । ବନୀତା ସିନା ତାକୁ ଗ୍ରହଣ କଲା ନାହିଂ, କିନ୍ତୁ ତା ପ୍ରତି ଭଲପାଇବା କେବେ କମ ହେଇନି । ବରଂ ସବୁ ବେଳେ ଭଗବାନଙ୍କୁ ଡାକିଛି –ହେ ଭଗବାନ ! ମୁଁ ମୋ ପ୍ରିୟାର ପ୍ରିୟ ନହେଲେ କଣ ହେଲା । କିନ୍ତୁ ମୋ ପ୍ରିୟାର ସମସ୍ତ ଇଚ୍ଛିତ କାମନାର ସୁଫଳ ତା ଆଞ୍ଜୁଳିରେ ଭରିଦି । ଏବେବି ବନୀତାକୁ ଦେଖିଲେ ତା ହୃଦୟର ସ୍ପନ୍ଦନ ବଢିଯାଉଛି । ଏବେବି ବନୀତାକୁ ନେଇ ସେ ଅନେକ ବିଦଗ୍ଧ କାବ୍ୟ ସୃଷ୍ଟି କରିଛି । ଏବେବି ସେ ତା ଯୁବ ବୟସର ପ୍ରଥମ ପ୍ରେମ ବନୀତାକୁ ଭୁଲି ପାରୁନି କି ଭୁଲି ଯିବାକୁ ଚାହୁଁନି । କେତେ ଭାଗ୍ୟବାନ ଅଧ୍ୟାପକ ସୁମିତ ରଞ୍ଜନ । ପ୍ରେମଭିକ୍ଷାରେ ତା ଭଳି ତାଙ୍କୁ ଅପଦସ୍ଥ ହେବାକୁ ପଡିଲା ନାହିଂ ।

           “ମୁଁ କଥାଟିଏ ପଚାରିବି । ସତ କହିବ ?” ତା ଆଖିରେ ଆଖି ମିଶେଇ ପଚାରିଲା ବନୀତା ।

           ମୋଟେ ପରିବର୍ତ୍ତନ ହେଇ ନାହିଂ ବନୀତା । ସେଇ ଚାହାଣୀ । କିନ୍ତୁ ସେ ଚାହାଣୀରେ ଆଗ ଭଳି ତେଜ , ଗର୍ବ ଓ ଦମ୍ଭ ନାହିଂ । ସବୁବେଳ ପରି ଆଖି ଚୋରେଇ ମୁଣ୍ଡ ଟୁଙ୍ଗାରିଲା ସେ ।

           “ଏବେବି ମୋତେ ଭଲପାଅ ?” ବନୀତା ପଚାରିଲା ।

           ଏ କଥା ଶୁଣି ଉତଫୁଲିତ ହେଲା ବିନୟ ଏବଂ କୁରୁଳି ଉଠିଲା ଭିତରେ ଭିତରେ । ଅନେଇଲା କଦମ୍ବଫୁଲକୁ । ଏ କାଳ ବୈଶାଖୀ ଖରା ମଧ୍ୟ ତା ସୁନ୍ଦରତାକୁ ନଷ୍ଟ କରିବାରେ ବିଫଳ ହେଇଛି । ଆକାଶସାରା ପ୍ରେମର ରଙ୍ଗ । ମାଟି ଉପରେ ଭଲପାଇବାର ବୀଜ ଅଙ୍କୁରିତ ହେବାର ଆରମ୍ଭ ହେଲା ଯେମିତି । ନିଶ୍ଚୟ ସେ ଏବେବି ଭଲ ପାଉଛି ବନୀତାକୁ । ବନୀତା ସିନା ତା’ର ରଙ୍ଗରୁପ ଦେଖି ତାକୁ ପ୍ରତ୍ୟାଖ୍ୟାନ କଲା । କିନ୍ତୁ ସେ ବିନା ସର୍ତ୍ତରେ ତାକୁ ଆପଣାର ଭାବିଛି ।

           “ମୋ ପ୍ରଶ୍ନର ଉତ୍ତର ଦେଲନି ଯେ ?”                

           “ଯଦି ମୁଁ କହେ -ହଁ ?”

           “ଯଦିର ପ୍ରଶ୍ନ ନାହିଂ ବିନୟ । ମୋତେ ସତକଥା ଦରକାର ।“ କାନ୍ଦ କାନ୍ଦ ହେଲା ବନୀତା । 

           “ମୁଁ ତୁମକୁ ମୋ ପ୍ରାଣଠୁ ଅଧିକ ଭଲପାଏ ବନୀତା“ ସାଙ୍ଗେ ସାଙ୍ଗେ ବିନୟର ପାଟିକୁ ହୁଦୟର କଥା ଆସିଗଲା ବନୀତାର କାନ୍ଦ କାନ୍ଦ ଆଖି ଦେଖି ।

           “ତମେ ମୋତେ ବାହା ହୋଇ ପାରିବ ?”

           ଆଁ କରି ଅନାଇଲା ସେ । ଏ ପ୍ରକାର ପ୍ରଶ୍ନ ପାଇଁ ପ୍ରସ୍ତୁତ ନଥିଲା ସେ । ମୁଣ୍ଡ ତା’ର ବୁଲେଇଲା ଭଳି ଲାଗିଲା । କ’ଣ ଉତ୍ତର ଦେବ ସେ ? କ୍ଷଣକରେ କେବେ କିଏ ଜୀବନର ଏତେ ବଡ ନିର୍ଣ୍ଣୟ ନେଇ ପାରେ । ବଡ ଅଜବ ଏ ଝିଅଗୁଡା ।

           “ଏ କ’ଣ କହୁଛ ବନୀତା ? ତୁମକୁ ଏ ଯାଏଁ ଭୁଲି ପାରିନି । ତମେ ସେଇ ବନୀତା ଯିଏ ଏଇ କଦମ୍ବ ମୂଳେ ମୋ ପ୍ରେମଭିକ୍ଷା କୁ ପ୍ରତ୍ୟାଖ୍ୟାନ କରିଥିଲ କିନ୍ତୁ ଆଜି ହଠାତ ବାହାଘର ପ୍ରସ୍ତାବ ଦେଉଛ ? “ 

           “ତା ମାନେ ତୁମେ ମୋତେ ଭଲପାଅ ନାହିଂ । ଘୃଣା ଆସୁଛି ଏ ପୁରୁଷ ଜାତି ପ୍ରତି । ନାରୀମାନଙ୍କୁ କେବଳ ବିଳାସର ସାଧନ ମାତ୍ର ଭାବୁଛନ୍ତି ।“ ରାଗରେ ତା ନାକପୁଡା ଫଁ ଫଁ ହେଲା । ଯିବା ପାଇଁ ଠିଆ ହେଲା ବନୀତା ।

           ଆଉ ନିଜକୁ ଆକଟ କରି ପାରିଲା ନାହିଂ ବିନୟ । ବନୀତାର ହାତଧରି ପାଖରେ ବସାଇଲା । ଆଖିରେ ତାର ଧାର ଧାର ଲୁହ । ଧୂ ଧୂ ଖରା ବେଳଟାରେ ଯେମିତି ସେ ଶୁଖି ଶୁଖି ଯାଉଛି ।

           “ଠିକ ଅଛି । ମୁଁ ତୁମକୁ ବାହା ହେବି ।“

           ବିନୟର କଥା ଶୁଣି ବନୀତାର ଆଖିରେ ବିଶ୍ଵାସର ଝଲକ ଦେଖାଗଲା ।

           “କିନ୍ତୁ ମୋ ପେଟରେ ଅଧ୍ୟାପକ ସୁମିତ ରଞ୍ଜନର ପିଲା ।“   

            ଏ କଥା ଶୁଣି ବିନୟର ସାରା ସଂସାର ଯେମିତି ସେମିତି ମୂର୍ତ୍ତିପରି ଅଟକି ଗଲା । ତାକୁ ଲାଗିଲା ଚାରିଆଡେ ମରୁଡ଼ିର ତାଣ୍ଡବ ଲୀଳା ଓ ମରୁଭୂମିର ଡହଳ ବିକଳ ଖରା । ତଣ୍ଟି ତା’ର ଶୁଖିଗଲା । ଚାରିଆଡେ ଏକ ଶୂନଶାନ ନୀରବତା । ଅନେକ ସମୟର ନୀରବତା ଓ ନିଷବ୍ଦତା । ଅଧିକରୁ ଅଧିକ ଘୃଣା କଲା କଦମ୍ବମୂଳକୁ ବିନୟ ।

            ଯିବା ପାଇଁ ଠିଆ ହେଲା ବନୀତା ।

           “ମୋତେ କ୍ଷମାକର ବିନୟ ଏମିତି ଏକ ଅପ୍ରୀତିକର ପରିସ୍ଥିତିରେ ତୁମକୁ ଆଣିଥିବାରୁ । ବୋଧେ ତୁମର ହୃଦୟ ଭାଙ୍ଗିବାର ଦଣ୍ଡ ମୋତେ ମିଳିଛି । ଯେଉଁ ସ୍ଵପ୍ନ ନେଇ ମୋ ଭବିଷ୍ୟତର ତାଜମହଲ ଗଢିବାକୁ ଯାଉଥିଲି, ସେ ସବୁକୁ ଭାଙ୍ଗି ଚୁରମାର କରିଦେଲା ସଇତାନ ଅଧ୍ୟାପକ ସୁମିତ ରଞ୍ଜନ । ଦୀର୍ଘ ଛଅ ମାସ ମୋ ଦେହମନ ସହ ଖେଳିଲା ପରେ ଏବେ କହୁଛି ପିଲାଟା ତା’ର ନୁହଁ । ମଣିଷ ଚମଡା ଭିତରେ ସେ ଜଣେ ନରଭକ୍ଷୀ ଶୃଗାଳ । ଗୁରୁର ମୁଖା ପିନ୍ଧିଥିବା ସେ ଜଣେ ଶଠ । ପଦ୍ମକୁ ତୋଳିବାକୁ ଯାଇ ମୁଁ ଫସିଛି ଗଭୀର ପଙ୍କରେ । ଏ ସତ୍ୟକୁ ମୁଁ ଆଉ କାହା ଆଗରେ କହିଥାନ୍ତି ? କାହା କାନ୍ଧରେ ମୁଣ୍ଡ ରଖି କାନ୍ଦିଥାନ୍ତି ? କିଏ ମୋତେ ସାନ୍ତ୍ଵନା ଓ ସହାନୁଭୁତି ଦେଇଥାନ୍ତା ? ଏତେ ବଡ ଦୁନିଆରେ ଏ ସବୁ ଭାବୁ ଭାବୁ ତୁମର ମୁହଁଟା ଜଳଜଳ ହୋଇ ମୋତେ ଦେଖାଗଲା । ତମେ ଲଗିଲା କଦମ୍ବବନର କୃଷ୍ଣ । ଆଉ ମୁଁ ନିଜକୁ ନିଜେ ଭାବିଲି ମଥୁରା ଦାଣ୍ଡର କୁରୂପା ସ୍ତ୍ରୀ । ତମେ ମୋତେ ଏବେବି ଭଲପାଇଛ ବୋଲି କହିଦେଲା ପରେ ମୁଁ ନିଜ ଆଗରେ ନିଜେ ଛୋଟ ହେଇଗଲି । ତଥାପି ତୁମ ସହାନୁଭୂତିର ସ୍ପର୍ଶରେ ନିଜକୁ ସମ୍ଭାଳି ପାରିଛି ଯେ କିଏ ଏବେବି ମୋତେ ଭଲ ପାଉଛି । କିନ୍ତୁ ତୁମେ କାହିଁକି ବାସୀ ଫୁଲକୁ ନେଇ ନିଜ ଗଳାରେ ଧାରଣ କରିବ ? ମୋତେ ମୋ ରାସ୍ତାରେ ଛାଡିଦିଅ ମୋ ପାପର ପ୍ରାୟଶ୍ଚିତ ପାଇଁ । ଦେଖାଯାଉ, କେଉଁ ନାଳ, ନଦୀ, ପାହାଡ, ସମୁଦ୍ର ମୋତେ କୋଳାଗ୍ରତ କରୁଛି ।“

           ଏତିକି କହି ଚାଲିଯାଉଛି ବନୀତା ବିନୟ ଆଗରୁ । ସେ ଭାବିପାରୁନି କ’ଣ କରିବ ? ଘୃଣାଭାବ ଜାତ ହେଲା ଅଧ୍ୟାପକ ସୁମିତ ରଞ୍ଜନ ପ୍ରତି । କେମିତି ସେ ଗ୍ରହଣ କରିବ ଅନ୍ୟର ସନ୍ତାନକୁ ? ସେ ଜଣେ ସାଧାରଣ ମଣିଷ । ମହାପୁରୁଷ ହେଇଥାନ୍ତା କି ! ଅତି ନିର୍ମମ ଭାବରେ ତା ପ୍ରେମକୁ ହତ୍ୟା କଲାପରେ କେଉଁ ମୁହଁ ନେଇ ଟା ପାଖକୁ ଆଶ୍ରୟ ପାଇଁ ଆସିଛି ବନୀତା ? କୁଆଡେ ସେ ଆତ୍ମହତ୍ୟା କରି ଦେବନି ତ ? ଆତ୍ମହତ୍ୟା କଥା ଭାବୁ ଭାବୁ ତା ଦେହ ଶିହିରୀ ଉଠିଲା ।

           ଧାଇଁ ଯାଇ ଫେରେଇ ଆଣିଲା ବନୀତାକୁ ସେଇ କଦମ୍ବମୂଳକୁ । ତା’ ମନରେ ଅନେକ ଭାବନା ଉବୁଟୁବୁ ହେଉଛି । କ’ଣ ଗୋଟେ ନିର୍ଣ୍ଣୟ ନେବାକୁ ପଡିବ ତା’କୁ ଏଇ କ୍ଷଣି । ନଚେତ ଜୀବନ ଯାକ କିଛି ନ କରିପାରିବାର ଯନ୍ତ୍ରଣାରେ ଛଟପଟ ହେବ ।

           “ତମେ ମୋ ରାଣ ଖାଇ କୁହ ଯେ ତମେ ଗର୍ଭବତୀ ଏବଂ ଛୁଆର ବାପା ଅଧ୍ୟାପକ ସୁମିତ ରଞ୍ଜନ ବୋଲି । କାରଣ ମୁଁ ଚାହୁଁ ନି ଜଣେ ଗୁରୁଙ୍କୁ ମିଛରେ ବଦନାମ କରିବାର ପାପ ମୁଣ୍ଡେଇବାକୁ । ବନୀତା ବିନୟର ମଥା ଛୁଇଂଲା ।

           “ମୁଁ ଯଦି କହେ ତୁମେ ପିଲାଟାକୁ ନଷ୍ଟ କରିଦିଅ .......”

           “ମୁଁ ପାରିବିନି । ତମେ ମୋତେ ଗ୍ରହଣ କର କି ନ କର । କିନ୍ତୁ ଭ୍ରୁଣହତ୍ୟାର ପାପ ମୁଁ କରି ପାରିବିନି । “

           “ତାହା ହେଲେ ଆଜି ତୁମ ପିଲାର ପରିଚୟ ଦେବାକୁ ଯାଇ ମୋତେ ବାହା ହେବାକୁ ଚାହିଞ୍ଛ । କିନ୍ତୁ ତୁମ ହୃଦୟରେ ମୋ ପାଇଁ କାଣିଚାଟିଏ ଭଲପାଇବା ନାହିଂ । ମୁଁ ତୁମର ଆବଶ୍ୟକତା କିନ୍ତୁ ପ୍ରେମ ନୁହଁ ।“

           “ସେମିତି କୁହନା ବିନୟ । ଯେବେଠୁ ସେ ରାକ୍ଷସଟା ପୁରୁଷ ପଣିଆ ହରେଇଛି, ତୁମେ ହିଁ ମୋତେ ନିଜର ଲାଗିଛ । ମୋତେ କାହିଁକି ଲାଗୁଛି ମୋର ଦେହ, ମୋର ପାପରୁ ଉର୍ଦ୍ଧରେ ତୁମେ ମୋ ମନକୁ ,ମୋ ହୃଦୟକୁ ଭଲପାଇଛି । ତୁମେ ମୋ ପାପଠାରୁ ଢେର ଭଲ କାରଣ ସଂପୂର୍ଣ୍ଣ ସତ୍ୟକୁ ବୁଝିବାକୁ ଚେଷ୍ଟା କରିଛ ।“

           କିଛି ସମୟ ନୀରବ ରହିଲା ବିନୟ । ହୃଦୟ ପାଖରେ ସେ ହାରି ଯାଇଛି । ଅଧ୍ୟାପକ ସୁମିତ ରଞ୍ଜନ ଏମିତି କେମିତି କରି ପାରିଲା ? ଏ କଥା ଭାବୁ ଭାବୁ ତା ମନରେ ପ୍ରତିଶୋଧର ନିଆଁ ଲାଗିଛି । ଆଜି ଯେଉଁ ନଗ୍ନସତ୍ୟକୁ ସେ ସାମ୍ନା କରୁଛି, କେବଳ ଅଧ୍ୟାପକ ହିଁ ଦାୟୀ । ତାକୁ ତା କର୍ମର ଫଳ ମିଳିବା ଦରକାର । ତା ହୃଦୟଶ୍ଵରୀର କଷ୍ଟରେ ସେ ଆଜି ମର୍ମାହତ ।

           “ବନୀତା ! ମୁଁ ତୁମକୁ ବାହାହେବାକୁ ରାଜି ଅଛି । ଦୟାରେ ନୁହଁ ବରଂ ପ୍ରେମରେ । ମହାପୁରୁଷ ହେବାର ଇଚ୍ଛାରେ ନୁହଁ ବରଂ ମନ ହୃଦୟ ଥିବା ସାଧାରଣ ପ୍ରେମିକ ରୂପରେ । ତମେ ତାକୁ ଭୁଲି ପାରିବତ ?”

           “ମୁଁ କେବଳ ଘୃଣା କରେ ସେ କାପୁରୁଷକୁ ।“

           “ଆମେ ଦୁଇ ଦିନ ଭିତରେ ବାହାହେବା । ତମେ ରାଜି ତ ?

           ଏ କଥା ଶୁଣି ବିନୟର ପାଦ ତଳେ ପଡିଗଲା ବନୀତା । ତା’କୁ କୋଳକୁ ନେଲା ସେ ।

           “ଯଦି ତମ ପରିବାର ରାଜି ନ ହୁଅନ୍ତି ?” ବିନୟ ପଚାରିଲା ।

           “ମୋ ପରିବାର ତମେ ଜାଣିବା ପୂର୍ବରୁ ମୋତେ ପର କରି ସାରିଲେଣି । କିନ୍ତୁ ତୁମ ପରିବାର ?“

           “ମୁଁ କହିଦେବି ମୋ ପ୍ରେମର ସନ୍ତକ ବାହାଘର ପୂର୍ବରୁ ତୁମ ପେଟରେ ବଢୁଛି । ମୁଁ ଜାଣିଛି ,ମୋ ଘରେ ସ୍ନେହ ଶ୍ରଦ୍ଧା, ମାନସମାନ ଓ ମଧୁର ସମ୍ପର୍କର ଅଭାବ ନାହିଂ । ରୂପବତୀ ଓ ଗୁଣବତୀ ବୋହୁଟିଏ ପାଇଲେ ସେମାନଙ୍କ ପାଦ ତଳେ ଲାଗିବନି । କିନ୍ତୁ ଆମକୁ ଶପଥ ନେବାକୁ ହେବ ଯେ ଆମ ଭିତର ସତ ଯେମିତି ମୃତ୍ୟୁ ହେଲାଯାଏଁ ବାହାରେ ପ୍ରକାଶ ନ ହୁଏ । ହଁ , ଆଉ ଗୋଟେ କଥା ମନେ ରଖ । ଆମ ବାହାଘରେ ଅଧ୍ୟାପକ ସୁମିତ ରଞ୍ଜନର ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ । କାରଣ ମୁଁ ଜଣେ ଛାତ୍ର ହୋଇ ମୋ ଗୁରୁକୁ ଜୀବନର ଏ ନଗ୍ନସତ୍ୟ ସହ ପରିଚୟ କରାଇବି । ତୁମେ ସାମ୍ନା କରି ପାରିବ ତ ? “

           ଆଉ କିଛି କହିଲାନି ବନୀତା । ଦୁହେଁ ଦୁହିଙ୍କର ହାତ ଧରି କଦମ୍ବମୂଳରୁ ବିଦାୟ ନେଲେ ନିଜନିଜର ହଷ୍ଟେଲ ଆଡକୁ

           ଅତ୍ୟଧିକ କୋଳାହଳରୁ ଅତୀତରୁ ବର୍ତ୍ତମାନକୁ ଫେରି ଆସିଲା ବିନୟ । ସମସ୍ତିଙ୍କର ଅତିପ୍ରିୟ ଅଧ୍ୟାପକ ପହଞ୍ଚିଛନ୍ତି ଶିବ ମନ୍ଦିରରେ । ଅଧ୍ୟାପକ ସୁମିତ ରଞ୍ଜନ ଦଶ ଦିନଧରି ଚାଲୁଥିବା ସେମିନାର ସାରି ଫେରିଛନ୍ତି କଲେଜକୁ । ସବୁ ଛାତ୍ରଛାତ୍ରୀ ଅଧ୍ୟାପକଙ୍କୁ ଅନେଇଲେ । ତାହା ହେଲେ ଅଧ୍ୟାପକ ହିଁ ବିଶିଷ୍ଟ ଅତିଥୀ ଯାହା ପାଇଁ ବିନୟ ଏ ଯାଏ ମଣ୍ଡପ ଉପରେ ବସିପାରିନି । ସମସ୍ତେ ଗଦଗଦ ହେଲେ ଗୁରୁଙ୍କ ପ୍ରତି ଶିଷ୍ୟର ଏ ପ୍ରକାର ମାନସମ୍ମାନ ଦେଖି ।

           ଅଧ୍ୟାପକ ସୁମିତ ରଞ୍ଜନ ଆଗେଇ ଆସିଲେ ମଣ୍ଡପ ପାଖକୁ । ବିନୟର ବାହାଘର ବିଷୟରେ କେହି ମଧ୍ୟ ତାଙ୍କୁ ଅବଗତ କରାଇ ନଥିଲେ । କିଏ ସେ ଝିଅ ଯିଏ ଓଢଣୀ ଦେଇ ବସିଛି ବିନୟ ଭଳି କଳା ମାଙ୍କଡଟାକୁ ବରଣମାଳା ପକେଇବା ପାଇଁ । ତାଙ୍କୁ ପାଛୋଟି ନେଲା ବିନୟ ଅତି ଆଦରରେ ।

           ବିନୟ ସମସ୍ତ ଅତିଥୀଗଣଙ୍କୁ ଜଣାଇଦେଲା ଯେ, ବଧୂର ଜିଦ ଅଧ୍ୟାପାକ ସୁମିତ ରଞ୍ଜନ ହିଁ କନ୍ୟଦାନ କରିବେ । କାରଣ ସେ ଜଣେ ଭଦ୍ର, ଅମାୟିକ, ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ । ବିନୟର କଥାରେ ପ୍ରବଳ ତାଳି ଓ ହୁଳହୁଳିର ସମର୍ଥନ ମିଳିଲା । ଅଧ୍ୟାପକଙ୍କ ଛାତି ଗର୍ବରେ ଆହୁରି ଚଉଡା ହେଲା । ପୁଷ୍ପ ବର୍ଷା ହେଲା । ମନ୍ତ୍ର ଉଚ୍ଚାରଣ ହେଲା । ହସ୍ତଗଣ୍ଠି ପରେ ବରଣମାଳା ବି ସରିଲା । ମଣ୍ଡପଉପରୁ ଉଠି ଦୁହେଁ ଅଧ୍ୟାପକଙ୍କ ଆଶୀର୍ବାଦ ନେବାକୁ ଯିବା ପୂର୍ବରୁ ଅଧ୍ୟାପକଙ୍କ ଅନୁରୋଧ ବୋହୁ ପିଲା ଓଢଣୀ କାଢି ମୁହଁ ଦେଖାଉ ।

           ଏ କଥାରେ ସମସ୍ତେ ଆଶ୍ଚର୍ଯ୍ୟ ।ବନୀତାକୁ କିଏ ବା ନ ଜାଣିଛି ଯେ ଅଧ୍ୟାପକ ଏ ପ୍ରକାର ଅନୁରୋଧ କରୁଛନ୍ତି । ସମସ୍ତ କଲେଜ ଜାଣିଛି ବନୀତା ଅଧ୍ୟାପକଙ୍କ ଛାଇ ଭଳି ରହିଥାଏ ।

           ମୁଣ୍ଡରୁ ଓଢଣୀ ବାହାର କଲା ବନୀତା । ଓଢଣୀ ଭିତରେ ବଧୁ ରୂପରେ ବନୀତାକୁ ଦେଖି କାଠଗଣ୍ଡ ପରି ନିର୍ବାକ ଓ ନିସ୍ପନ୍ଦ ହେଲେ ଅଧ୍ୟାପକ ସୁମିତ ରଞ୍ଜନ । ଯେମିତ କିଏ ଗୋଟେ ତାଙ୍କର ପୁରୁଷ ହେବାର ଅହଂଭାବକୁ ଚୋଟ ମାରିଛି । ଯେମିତିକି ବନୀତା ନିଜ ପେଟରେ ଥିବା ପିଲାର ବୀର୍ଯ୍ୟକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି । ନିଜ ଶିଷ୍ୟର ମହାନ ବଳିଦାନ ଆଗରେ ତଳକୁ ଖସିଯିବାର ସତ୍ୟତା ଓ ନିଜ ପିଲାଟା ତାଙ୍କୁ ପିତା ଭାବରେ ଅସ୍ଵୀକାର କରିବାର ନଗ୍ନସତ୍ୟ ଆଗରେ ସେ ମୁହଁ ଗୁଞ୍ଜି ଫିଟିଯିବାକୁ ବାଟ ଖୋଜୁଥିଲେ । କିନ୍ତୁ ବନୀତାର ଉପହାସ ଭରା ଚାହାଣୀ ଏବଂ ବିନୟ ଆଗରେ ଅପରାଧ ଧରା ପଡିଯିବାର ଡର ତାଙ୍କୁ ଫିଟିବାର ବାଟ ଦେଉନଥିଲେ । ବେଶୀ ସମୟ ଠିଆ ହୋଇ ନପାରି ପାଖରେ ଥିବା ଚୌକିରେ ବସି ପଡିଲେ ସେ ମୁଣ୍ଡଟାକୁ ତଳକୁ କରି ।

           ଯିଏ ଯାହା ରାସ୍ତାରେ ଫେରିଲେ ବର ଓ ବଧୂକୁ ଆଶୀର୍ବାଦ କରି । ବିନୟ ଓ ବନୀତା ଫେରିଲେ ସେହି କଦମ୍ବମୂଳକୁ ସମସ୍ତ ପୀଡାମୟ ଅତୀତର ସତ୍ୟତାକୁ ବିବାହ ମଣ୍ଡପର ଯଜ୍ଞ କୁଣ୍ଡରେ ଆହୁତି ଦେଇ। 



Rate this content
Log in

Similar oriya story from Romance