Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

BHAGIRATHI BEHERA

Tragedy


3  

BHAGIRATHI BEHERA

Tragedy


ଲମ୍ପଟ ଆତଙ୍କବାଦୀ

ଲମ୍ପଟ ଆତଙ୍କବାଦୀ

13 mins 186 13 mins 186

ରାତ୍ରୀ ୧୧ !

           କେଉଁଠି କେଉଁଠି ଲାଗିଥିବା ଗଳିର ବିଜୁଳି ବଲବ ସ୍ୱଳ୍ପ କୁହୁଡି ଭିତରେ କ୍ଷୀଣ ଆଲୁଅ ନେଇ ଢୁଳେଇ ହେଲା ଭଳି ଲାଗୁଥିଲା । କାଁ ଭାଁ ବୁଲା କୁକୁରମାନଙ୍କର କାନ୍ଦିବାର ସ୍ଵର ରାତିଟାକୁ ଆଉ ଟିକେ ଭୟାତୁର କରି ଦେଉଥିଲା । ଲାଗୁଥିଲା ଯେମିତି ସେଇ ଦିନ ହିଁ ଶ୍ରୀନଗରର ସେ ପାହାଡି ଉପତ୍ୟାକା ଟିକେ ଡରମିଶା ଭୟରେ ଭଲରେ ଘୋଡାଘୋଡି ହୋଇ ଶୋଇବାକୁ ଚେଷ୍ଟା କରୁଛି । ବୁର୍କା ଭିତର ଷୋହଳ ବର୍ଷୀୟା ସୁନ୍ଦରୀ ତରୁଣୀ କୋମଳାଙ୍ଗି ଅରଶୀନ ଚୁପଚାପ ଆଗକୁ ମାଡି ଚାଲୁଥିଲା । ତା ପଛେ ପଛେ ବାଇଶି ବର୍ଷର ଟାଣୁଆ ସୌମ୍ୟକାନ୍ତ ଯୁବକ କାଶିମ ଅତି ସନ୍ତର୍ପଣରେ ପିଛା କରୁଥିଲା ।

           କାଶିମ ଜାଣିଛି ଆଜି ତାକୁ କଣ ହେଲେ ଗୋଟେ ଫଇସଲା କରିବାକୁ ହେବ । ନଚେତ ତା ପ୍ରେମିକା ଅରଶୀନ ତା ଉପରେ ଆଉ ଭରସା କରି ପାରିବନି । କହିବ –ଯଦି ପର ପୁରୁଷର ଅଶ୍ଳୀଳ ଇଙ୍ଗିତରୁ ନିଜ ପ୍ରେମିକାକୁ ରକ୍ଷା କରି ପାରୁନ, ମରଦ ହେଇ ପ୍ରେମ କରିବା ଛାଡିଦେବା ଭଲ । ପାଖ ଗଳିର ଛୋଟମୋଟ ଗୁଣ୍ଡା ପ୍ରୀତମ ସିଂହ ନାମକ ପଞ୍ଜାବୀ ଯୁବକ ଯିଏ ଦୁଇ ବର୍ଷ ତଳେ ଅରଶୀନକୁ ପ୍ରେମ ଭିକ୍ଷା କରିଥିଲା, ସିଏ ପୁଣି ହଇରାଣ କରୁଛି ତାକୁ । ତେଣୁ ଆଜି ସେ ଯେମିତି ହେଲେ ପ୍ରୀତମ ସିଂହକୁ ଦେଖେଇ ଦେବ କାଶିମ କି ପ୍ରକାର ମରଦ ଓ ପ୍ରେମିକ । ନିଜ ପାଇଜାମାର ମୁଣାକୁ କାଶିମ ଭଲ ଭାବରେ ଦେଖିନେଲା । ଅରଶୀନର ଅଜାଣତରେ ସେ ଆଣିଥିଲା ବନ୍ଧୁକ ।

           ଅରଶୀନ ଜାଣିଛି ସଙ୍ଗରେ ତା ପ୍ରେମିକ କାଶିମ ଅଛି ଯିଏ ପ୍ରାଣଠୁ ଅଧିକ ତାକୁ ଭଲ ପାଉଛି । ସବୁ ଠିକଠାକ ଚାଲିଥିବା ବେଳେ ଏଇ କେତେ ଦିନ ହେଲା ପୁଣି ତା ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ପ୍ରୀତମ ସିଂହ । ପୁଣି ଥରେ ବିଭିନ୍ନ ସ୍ଥାନରେ ପ୍ରେମ ନିବେଦନ କରୁଛି ଓ ନିକାହ ପାଇଁ ବାଧ୍ୟ କରୁଛି । ଏମିତି ଦୁଇ ବର୍ଷ ତଳେ ପ୍ରୀତମ ସେ ପ୍ରେମଭିକ୍ଷା କରିଥିଲା କିନ୍ତୁ ସେଇ ସମୟରେ କାଶିମ ତାକୁ ବଞ୍ଚେଇ ଥିଲା । କେବେ ପୁଲିସ ଷ୍ଟେସନ ଆଗରେ ତ, କେବେ ସୁରକ୍ଷାକର୍ମୀଙ୍କ ଅଫିସ ଆଗରେ । କେବେ ମସଜିଦ ପାଖରେ ତ, କେବେ ଗୁରୁଦ୍ୱାରା ପାଖରେ । ବାରମ୍ବାର ଭେଟି ହଇରାଣ କରିଛି । ଜଣେ ଯୁବତୀ ପାଇଁ ସେ ସମୟ ବଡ କଷ୍ଟମୟ ସମୟ ହୋଇଯାଏ, ଯେତେବେଳେ ସେ ଚାହୁଁ ନଥିବା ପୁରୁଷ ପ୍ରେମ ନିବେଦନ କରି ବିବ୍ରତ କରେ । ଭଲ ପାଇବା ବିଷ ପରି ଲାଗେ । ବଜାରର ସଉଦା ପରି ଲାଗେ । ତେଣୁ ସେ କାଶିମକୁ କାନ୍ଦି କାନ୍ଦି କହିଲା ପ୍ରୀତମ ବିଷୟରେ ।

           ଏ କଥା ଶୁଣିଲା ପରେ କାଶିମକୁ ଯେମିତି ଅପୂର୍ବ ସୁଯୋଗଟିଏ ମିଳିଥିଲା ସୁନ୍ଦରୀ ଅରଶୀନ ଆଗରେ ନିଜ ପ୍ରେମକୁ ପ୍ରତିପାଦିତ କରିବାକୁ । କାରଣ ଅରଶୀନ ଭଳି ସୁନ୍ଦରୀ ଯୁବତୀକୁ ଛାଡିବାକୁ ଚାହୁଁ ନଥିଲା ସେ । ଅରଶୀନ ଆଉ କାହାର ହେଇଯାଉ ତାହା ବି ଚାହୁଁ ନଥିଲା ସେ । ଏଣୁ ଦୁହେଁ ମିଶି ଏକ ଗୁପ୍ତ ଯୋଜନା କରିଛନ୍ତି । ଯୋଜନା ଅନୁଯାୟୀ ପ୍ରୀତମ ସିଂହକୁ ରାତି ଏଗାରଟାରେ ଛକକୁ ଆସିବାକୁ କୁହାଯାଇଛି । ପ୍ରୀତମ ଅରଶୀନକୁ କେତେ ଭଲ ପାଉଛି ତାର ପରାକାଷ୍ଠା ତାକୁ ଦେଖେଇବାକୁ ହେବ । ଅରଶୀନକୁ ନେଇ ପ୍ରୀତମ ସିଂହକୁ ଗୁପ୍ତରେ ଆଉ କୁଆଡେ ନେଇଯିବାକୁ ହେବ । ଅରଶୀନ ମୁସଲମାନ ଓ ସେ ଶିଖ । ଯଦି ଏ କଥା ପ୍ରଘଟ ହେଇଯାଏ ତେବେ ସେମାନେ ରହୁଥିବା ଦୁଇ ମହଲା ଭିତରେ ଦଙ୍ଗା ବି ଲାଗିଯାଇ ପାରେ । ଅରଶୀନର ପ୍ରେମରେ ପାଗଳ ପ୍ରୀତମ ହଁ ଭରିଛି । କହିଛି –ଯଦି ସେ ତାକୁ ନେବା ପାଇଁ ନ ଆସିବ, ଆଉ ଜୀବନରେ କେବେ ବି ମୁହଁ ଦେଖେଇବନି । ଯୋଜନା ହେଲା ପ୍ରୀତମ ସିଂହ ଆସିଲା ମାନେ କାଶିମ ଅନ୍ଧାର ରାତିର ଏକାନ୍ତ ସୁଯୋଗ ନେଇ ତା ଗୋଡ ଦୁଇଟାକୁ ଭାଙ୍ଗି ଅକର୍ମଣ୍ୟ କରିଦେବ ଯାହାଦ୍ଵାରା ପ୍ରେମରୋଗ ଛାଡିଯିବ । ଏ ଭିତରେ କାଶିମ କିନ୍ତୁ ଭାବିଛି ଏମିତି ପାନେ ପ୍ରୀତମକୁ ସେ ଦେବ, ଅରଶୀନ କଣ ! ଆଉ କେଉଁ ଝିଅକୁ ସେ ଯେମିତି ଆଡ ଆଖିରେ ଦେଖିବନି । କାଶିମ ମନେ ମନେ ହସିଲା । ବିଚରା ପ୍ରୀତମ ! ଯଦି ପ୍ରୀତମ ସିଂହ ପ୍ରକୃତରେ ଜାଣିଥାନ୍ତା କାଶିମ କ’ଣ, ତେବେ ତା ପ୍ରେମିକା ଅରଶୀନ ଉପରେ ଆଖି ପକେଇବାକୁ ସତସାହସ କେବେବି କରି ନଥାଆନ୍ତା ।

 

           ଦୁହିଁଙ୍କୁ ପହଞ୍ଚିବାକୁ ହେବ କୋକରନାଗ ଅଞ୍ଚଳର ଏକ ତ୍ରିଛକିରେ । କାଶିମ ଏ ଜାଗାଟି ନିଜେ ବାଛିଛି । କାରଣ ଅସୁବିଧାରେ ପଡିବାର ସୁଯୋଗ ବହୁତ କମ ଥିଲା ସେଠି । ବଜାର ଛକ ହେଇଥିବା ଯୋଗୁ ଲୋକଙ୍କ ଘର ଟିକେ ଦୂରରେ । ସରୁ ଗଳି ହେଇଥିବା ଯୋଗୁ ସେଠି ଦୁଇ ଚକିଆ ଯାନ ଛାଡି ଅନ୍ୟ କିଛି ବଡ ଗାଡ଼ି ଆସିପାରୁନି । ପୁଲିସ ଓ ସୁରକ୍ଷାବାହିନୀ କର୍ମୀଙ୍କ ଭବନ ବହୁତ ଦୂରରେ । ତେଣୁ ଅସୁବିଧା ହେଲେ ଶୀଘ୍ର ନିଜକୁ ବଞ୍ଚେଇ ହେଇଯିବ । 

           ଅରଶୀନ ଅଟକିଯାଇ ଈଷାରା ଦେଲା କାଶିମକୁ । କାଶିମ ଦୁକାନ ଆଢୁଆଳରେ ନିଜକୁ ଲୁଚେଇଲା । ଛକ ମଝାମଝି ସ୍କୁଟରଟିଏ ସହ ଲମ୍ବା ଚଉଡା ଯୁବକଟିଏ ଠିଆ ହେଇଛି । କାଶିମ ଦୂରରେ ଥାଇ ଜାଣି ପାରିଲା ଇଏ ନିଶ୍ଚୟ ପ୍ରୀତମ ସିଂହ । ଇଛା ହେଲା ବନ୍ଧୁକ ବାହାର କରି ଢାଏଁ ଢାଏଁ ଦାଗି ଦେବ ତା ଛାତିରେ ସବୁଯାକ ଗୁଳି । କିନ୍ତୁ ଅରଶୀନର ସୁରକ୍ଷା କଥା ଭାବି ଚୁପ ହେଇଗଲା । ପୁଣି ବନ୍ଧୁକ ରଖିଥିବା କଥା ସେ କେବେ କହିନି ।

           ଇଆଡେ ସେଆଡେ ଅନେଇଲା ଅରଶୀନ । ପଛରୁ କାଶିମର ଛାଇଛାଇକା ଇଙ୍ଗିତ ପାଇଲା ଆଗକୁ ବଢିବାକୁ । ନିଜ ମୁହଁ ଉପରେ ବୁର୍କା ଭଲରେ ଘୋଡେଇ ଡରିଡରି ବଢିଲା ସେ । ସ୍କୁଟର ପାଖରେ ପହଞ୍ଚି ନିଜର ବୁର୍କା ଉଠାଇ କିଛି କଥା ହେବାକୁ ଆରମ୍ଭ କଲା । ଦୁହେଁ ସବୁଆଡେ ଦୃଷ୍ଟି ପକେଇଲା ପରେ ପ୍ରୀତମ ସିଂହ ସ୍କୁଟର ଷ୍ଟାର୍ଟ କରିବାକୁ ଲାଗିଲା । ଏତିକି ବେଳେ ତା କାନ୍ଧରେ କିଏ ହାତ ରଖିଲା । ଆଖି ଆଗରେ ଜଣେ ଅଚିହ୍ନା ଯୁବକକୁ ଦେଖି ପ୍ରୀତମ ନିଜକୁ ସମ୍ଭାଳି ପାରିଲା ନାହିଂ । ସେ ଜାଣି ପାରିଲା ଯେ ବୁର୍କା ଭିତରେ ଅରଶୀନ ନୁହଁ ବରଂ ନାଗୁଣୀ ଅଛି ଯିଏ ବିଶ୍ଵାସ ଘାତକତାର ଦଂଶନ ଦେବାକୁ ଚେଷ୍ଟା କରିଛି । ସେ ଦେଖି ପାରୁଛି ଅରଶୀନ ତା ପାଦକୁ ପଛକୁ ପଛକୁ ନେଉଛି । ଆଉ କ୍ଷଣେ ସେଠି ନରହି ଫଟାଫଟ ତା ସ୍କୁଟର ବୁଲାଇଲା ସେ । ଏକ ଶକ୍ତ ଧକ୍କା କାଶିମକୁ ଦେଲା ।

           କାଶିମ ଏମିତି ଧକ୍କା ଅଚାନକ ପାଇବ ବୋଲି ଭାବି ନଥିଲା । ନିଜକୁ ସମ୍ଭାଳି ନେଇ ସେ ପକେଟରୁ ବନ୍ଧୁକ ବାହାର କଲା ବେଳକୁ ତା ଚାରିପାଖେ କିଛି ଆଲୁଅ ଓ ଛାଇର ଖେଳ କୁହଡି ଭିତରେ ଦେଖି ପାରିଲା । ବୁଲି ଦେଖିଲା ବେଳକୁ ଅରଶୀନ ତା ଆଡକୁ ପିଠି କରି ଶୀଘ୍ର ଶୀଘ୍ର ହଜି ଯାଉଛି ଅନ୍ଧାରରେ । କାଶିମ ବୁଝି ପାରୁନଥିଲା ଯେ ଆସନ୍ନ ବିପଦ ତା ପାଇଁ କି ଅରଶୀନ ପାଇଁ ? କି ପ୍ରୀତମ ସିଂହ ପାଇଁ? ସେଠୁ ସେ ପାଟି କଲା -ଅରଶୀନ ! ଅରଶୀନ ! ରୁହ ମିଶିକି ଯିବା । ସାମନାରୁ ହଠାତ ଗୁଳିଟିଏ ଆସି ବାଜିଲା ତା ଅଣ୍ଟା ପାଖରେ । ଗୁଳି ଶବ୍ଦରେ ଅରଶୀନ ଅଳ୍ପ କ୍ଷଣେ ଅଟକି ଯାଇ ବୁଲି ଦେଖିଲା । କାଶିମକୁ ଲାଗିଲା ଅରଶୀନ ତାକୁ ପ୍ରାଣଠୁ ଅଧିକ ଭଲ ପାଏ । ଏମିତି ସେ ଛାଡି ଯାଇ ପାରିବନି ।

           ଅନ୍ଧାରକୁ ଚିରି ଏକା ସଙ୍ଗରେ ଅନେକ ଶବ୍ଦ ହେଲା –ଢାଏଁ.....ଢାଏଁ…...ଢାଏଁ.......ଢାଏଁ......। ଅରଶୀନ ଏକ ପ୍ରକାର ଧାଇଁଲା ଗୁଳିର ଶବ୍ଦ ଶୁଣି ଯୁଆଡେ ପାଦ ଗଲା ସିଆଡେ । ରାସ୍ତାଘାଟ, ଦୋକାନ, କୁକୁର, ସ୍କୁଟର, କୁହୁଡି, ପ୍ରୀତମ ସିଂହ କିଛିଦେଖା ଯାଉନଥିଲା ତାକୁ । ଅଶାନ୍ତ ହେଇଯାଇଥିଲା ଶ୍ରୀନଗରର ଏ ଘାଟି ବନ୍ଧୁକର ଶବ୍ଦରେ । ତା ଆଖିରେ ନାଚି ଯାଉଥିଲା ମାଟି ଉପରେ ଧରାଶାୟୀ ହେଇ ଯାଉଥିବା କାଶିମର ଶରୀର । ସୁରକ୍ଷାକର୍ମୀଙ୍କ ଗୁଳିରେ ଖଣ୍ଡବିଖଣ୍ଡ ହେଇଯାଉଥିବା ଆତଙ୍କବାଦୀ କାଶିମର ଶରୀର । ଦୁଇ ବର୍ଷ ତଳେ ତାକୁ ଏକତରଫା ଭଲ ପାଉଥିବା ସିକୁରିଟୀ ଇଣ୍ଟେଲିଜେନ୍ସେ ଅଫିସର ପ୍ରୀତମ ସିଂହ ଜାଲରେ ଫସିଥିବା ଲମ୍ଫଟ କାଶିମର ଶରୀର । 

           ପ୍ରାଣ ବିକଳରେ ଧାଉଞ୍ଚି ଅରଶୀନ । ଅରଶୀନର ଗୋଟି ଗୋଟି ହୋଇ କାଶିମ ସହ ଭେଟଠୁଁ ପ୍ରୀତମ ସହ ଭେଟଯାଏଁ ସବୁ କଥା ରାସ୍ତାର ଅନ୍ଧାର ଭିତରେ ଚଳଚ୍ଚିତ୍ରର ଦୃଶ୍ୟ ପରି ନାଚି ଉଠିଲା ।

            ନୂଆଁ ନୂଆଁ କଲେଜ ଯିବା ବେଳକୁ ଅରଶୀନର ଅପରୂପ ସୁନ୍ଦରତାରେ ବିମୁଗ୍ଧ ହୋଇ ସେଇ କଲେଜରେ ପଢୁଥିବା ପ୍ରୀତମ ସିଂହ ବାଟ ଓଗାଳି ନିଜର ପ୍ରେମ ନିବେଦନ କରିଥିଲା । ଯଦିବା ନିଜ ସୁନ୍ଦରତାକୁ ଭଲ ଭାବରେ ସେ ଜାଣିଥିଲା ଏବଂ ପ୍ରୀତମ ସିଂହର ତା ପ୍ରତି ପ୍ରେମ ନିବେଦନ ତାକୁ ଅଧିକ ପ୍ରସ୍ଫୁଟିତ କରିଥିଲା କିନ୍ତୁ କିଛି ନକହି ବାଟ ଭାଙ୍ଗି ଚାଲି ଆସିଥିଲା । ନିଜ ଧର୍ମର ମାନମର୍ଯ୍ୟାଦା ଓ ଅନ୍ୟ ଧର୍ମ ସହ ପ୍ରେମ ସମ୍ପର୍କ ରଖିବାର କଟୁତା ତା ବୁର୍କା ଭିତରର ପାବନ୍ଧି ଭଳି ଲାଗୁଥିଲା । ଅନେକ ଥର କଲେଜ ଯିବା ରାସ୍ତାରେ ପ୍ରୀତମ ସିଂହକୁ ଅନେକ ପିଲାଙ୍କ ସାଙ୍ଗରେ ବସି ଗଳି ଛକ ମୋଡରେ ଗୁଲିଖଟି କରିବାର ଦେଖିଲା । ଯଦି କେଉଁଠି କେବେ କୋକରନାଗ ଅଞ୍ଚଳରେ ଛୋଟ ମୋଟ ଝଗଡା ହେଇଛି ସେଠି ପ୍ରୀତମ ସିଂହ ନାମ ନିଶ୍ଚୟ ଆସିଥିଲା । ଶେଷରେ ସେ ଯେତେବେଳେ ଜାଣିଲା ବେକାର, ଅଭଦ୍ର ଓ ଗୁଣ୍ଡା ପ୍ରକୃତିର ଏ ପ୍ରୀତମ ସିଂହ ନାମକ ଯୁବକ, ସେଇ ଦିନଠୁ ଆଉ ତାର ପ୍ରେମ ନିବେଦନ ଭଲ ଲାଗିଲା ନାହିଂ । ବରଂ ତାକୁ ନିଜର ଅପମାନ ଓ ନିଜ ସୁନ୍ଦରତା ପ୍ରତି ଅଭଦ୍ରତା ଭଳି ଲାଗିଲା

           ପ୍ରାଣ ବିକଳରେ ଧାଉଞ୍ଚି ଅରଶୀନ।

            ଦିନେ କଲେଜ ଛକରେ ପ୍ରୀତମ ସିଂହର ଔଦ୍ଧତ୍ୟ ଅତ୍ୟଧିକ ବଢିଗଲା ଯେତେବେଳେ ସେ ଜୋର ଜବରଦସ୍ତ ତାକୁ ଗାଡିରେ ବସେଇବାକୁ ଚେଷ୍ଟା କରୁଥିଲା । ସେଇ ସମୟରେ ଦେବଦୂତ ପରି ଜଣେ ସୌମ୍ୟକାନ୍ତ ଯୁବକ ନିଜର ସାହସ ବଳରେ ସୁରକ୍ଷିତ ସହ ଅରଶୀନକୁ ଘରେ ଆଣି ଛାଡିଥିଲା । ସେଇଠୁ ଧନ୍ୟବାଦର ଆଦାନ ପ୍ରଦାନ । ଫୋନ ଦିଆନିଆ । ଚାଟିଙ୍ଗ, ଇମେଲ, ମିଟିଂ। ଭାବ ଦିଆନିଆ । ଫଟୋ ଦିଆନିଆ । ଶେଷରେ ଅରଶୀନ କାଶିମକୁ ହୃଦୟର ସହ ଭଲ ପାଇ ବସିଲା ।

           କାଶିମର ତା ପ୍ରତି ସହହୃଦୟତା, ବ୍ୟବହାର, ସମ୍ମାନରେ ସେ ମୋହିତ ହେଲା । ପୁଣି କାଶିମ ମୁସଲମାନ । ଜମ୍ମୁରେ ତା ଘର । ଅନନ୍ତନାଗ କଲଲେଜରେ ପାଠପଢା । ବେଳେ ବେଳେ କୋକରନାଗ ଅଞ୍ଚଳକୁ ଆସି ବାପାଙ୍କ ମସଲା ବ୍ୟବସାୟରେ ସାହାଯ୍ୟ କରୁଛି । ଦିନେ କାଶିମ ତାକୁ ନିକାହ ପାଇଁ ପ୍ରସ୍ତାବ ଦେଲା । କାଶିମ ମୁସଲମାନ । ନିକାହ ପାଇଁ କୌଣସି ଅସୁବିଧା ନଥିଲା । ପୁଣି କାଶିମ କହିବା ଅନୁଯାୟୀ ସେ ଖାନଦାନି ମସଲା ବ୍ୟାପାରୀ ।

           କାଶିମ ଅରଶୀନକୁ ଦେଇଥିଲା ପ୍ରେମର ପୃଥିବୀ । ଯେତେବେଳେ ସେ ଚାହୁଁଥିଲା ସେତେବେଳେ ହାଜିର ହେଉଥିଲା କାଶିମ । ସବୁବେଳେ କାଶିମ ହାତରେ ଆଣୁଥିଲା ତା ପ୍ରିୟ ଫୁଲ ଜସ୍ମିନ । ପୁଣି କାଶିମ ଦେଖିବାକୁ ଅତି ସୁନ୍ଦର । ରାଜକୁମର ପରି । ତା ନୀଳ ଆଖିରେ ସେ ସବୁବେଳେ ହଜି ଯାଉଥିଲା । ସବୁଠୁ ଭଲ କଥା ହେଲା ତାକୁ ଛାଡି କାଶିମ ଆଉ କାହାକୁ କେବେ ଦେଖୁ ନଥିଲା । ଅନ୍ୟ ଝିଅମାନଙ୍କ ଆଖିରେ କାଶିମକୁ ନ ପାଇବାର ନିରାଶା ଦେଖି ବଡ ଗୁମାନରେ ଫାଟି ପଡୁଥିଲା ଅରଶୀନ । କିନ୍ତୁ ସେ ନିଜେ ଠିକ କରିଥିଲା, ଯେ ପର୍ଯ୍ୟନ୍ତ ପଢା ସରିନି ସେ ପର୍ଯ୍ୟନ୍ତ ନିକାହ କଥା ଉଠେଇବ ନାହିଂ । ଏ କଥାରେ କାଶିମ ମଧ୍ୟ ହଁ ଭରିଥିଲା । ଏମିତି ବି ଦିନ ଆସିଲା, ଯଦି କେଉଁ ଦିନ ସେ ତାକୁ ଭେଟୁ ନଥିଲା କି ଚାଟ, ଫୋନ କରିପାରୁ ନଥିଲା ଦିନ ତାର ଯନ୍ତ୍ରଣାମୟ ହେଇ ଉଠୁଥିଲା । ସେ ଭାବିଲା ତାଠୁ ଅଧିକ ଭାଗ୍ୟବତୀ ଆଉ କିଏ ନାହିଂ । ସବୁବଳେ ଆଲ୍ଲାଙ୍କୁ ଧନ୍ୟବାଦ ଦେବା ପାଇଁ ସେ ମସଜିଦ ଯାଉଥିଲ।

           ପ୍ରାଣ ବିକଳରେ ଧାଉଞ୍ଚି ଅରଶୀନ........... ।

            ଦିନେ ଅମ୍ମି ସହ ହସ୍ପିଟାଲ ଯାଇଥିଲା ଅରଶୀନ । ଡାକ୍ତର ପାଖରେ ଅମ୍ମି ଓ ଅବୁ । ବାହାରେ ଥିଲା ସେ । ପଛରୁ ଡାକିଲା ଜଣେ କିଏ । ସେଇ ଲଫଙ୍ଗା ଟୋକା ଠିଆ ହେଇ ହସୁଛି -ପ୍ରୀତମ ସିଂହ । ତିନି ବର୍ଷ ପରେ ଭେଟୁଛି ତାକୁ । କିନ୍ତୁ ଆଗ ଭଳି ପ୍ରୀତମ ଆଉ ମୁହଁରେ ଦାଢି ରଖିନି । ଏବେ ସେ ଏକ ରକମ ଭଦ୍ର ଦେଖା ଯାଉଛି । ତାକୁ ରାଗ ଲାଗିଲା ନାହିଂ । କାଶିମକୁ ପାଇ ସେ ଏକ ପ୍ରକାର ଭୁଲି ଯାଇଛି ପ୍ରୀତମକୁ । କାରଣ ତାହାରି ଯୋଗୁ ସେ ପାଇଛି କାଶିମକୁ । ଯଦି ପ୍ରୀତମ ସେଦିନ ତାକୁ ପ୍ରେମ ନିବେଦନ କରି ନଥାଆନ୍ତା, ବୋଧେ ହୁଏ କାଶିମ ସେ ଦିନ ଦେବଦୂତ ପରି ଆସି ବଞ୍ଚେଇ ନଥାଆନ୍ତା ।

           ସେଦିନ ବି ପ୍ରୀତମ ସିଂହ ପୁଣି ଥରେ ତାକୁ ଜଣେଇ ଦେଲା ଏବେ ବି ତାକୁ ସେ ଭଲ ପାଏ । କିନ୍ତୁ ଅରଶୀନ ଜଣେଇଦେଲା ତା ଜୀବନରେ ଏବେ କାଶିମ । ଜାଣି ଜାଣି ତାକୁ କଟାକ୍ଷ କଲା ଭଳି କହିଲା –‘’ତମକୁ ଧନ୍ୟବାଦ ପ୍ରୀତମ । ତମ ଯୋଗୁ ମୁଁ ପାଇଛି କାଶିମକୁ ।“ ସେ ଭଲ ଭାବରେ ନିରେଖି ଦେଖୁଥିଲା ପ୍ରୀତମର ମୁହଁକୁ । ତା ମୁହଁରେ ହାରିଯିବାର ଭାବକୁ । ଦେଖିଲା ମଧ୍ୟ । ପ୍ରୀତମର ମୁହଁରେ ଅପମାନର ଚିହ୍ନ କିନ୍ତୁ ଅଲଜ୍ୟାର ହସ । ପ୍ରୀତମ ନେହୁରା ହେଇ କହିଥିଲା ଯଦି ସେ ଥରେ ମାତ୍ର ତା ସହ କଫି ପିଇବାର ସୁଯୋଗ ଦିଏ ତେବେ ଆଉ କେବେ ବି ସାମନାକୁ ଆସିବନି । ଅତ୍ୟନ୍ତ ଭଦ୍ରତାର ସହ ଅନୁରୋଧ କରିଥିଲା ପ୍ରୀତମ । ଅମ୍ମି ଓ ଅବୁଙ୍କୁ ନିଜେ ନିଜେ ଚାଲି ଯିବାକୁ କହି ରାଜି ହେଇଥିଲା ତା କଥାରେ । ଥରେ ଟିକେ ଦୟା କରିଦେଲେ ତା’ର କଣ ବା ହେଇଯିବ ! ବରଂ ଏ ସମୟର ସଦୁପଯୋଗ କରି ଏମିତି ଦୁଇ ତିନିଟା ଶର ବିଦ୍ଧ ହେଲା ଭଳି ଶବ୍ଦ କହିବ ଯେ ପ୍ରୀତମ ଜାଣିଯିବ ଅରଶୀନ ପରି ଝିଅକୁ ପାଇବାକୁ ହେଲେ କାଶିମ ହୋଇ ଜନ୍ମ ନେବାକୁ ପଡିବ । 

          ଦୁହେଁ ବସିଲେ ଗଜଲ କାଫେରେ । ସେମିତି କିଛି ଉଚ୍ଚୃଙ୍ଖଳିତ ବ୍ୟବହାର କଲାନି ପ୍ରୀତମ ସିଂହ । ଅରଶୀନକୁ ସୁଯୋଗ ହିଁ ମିଳିଲାନି ତାକୁ କ୍ଷତାକ୍ତ କରିବାକୁ । ଯିବା ପୂର୍ବରୁ ପ୍ରୀତମ ସିଂହ ମୁମ୍ବଇ ବ୍ଳାଷ୍ଟର କିଛି ଫଟୋ ରଖିଲା ତା ଆଗରେ । କିଛି ବୁଝି ପାରୁନଥିଲା ଅରଶୀନ । ତା ପରେ ସେ ରଖିଲା ଦୁଇ ତିନିଟା ଏମିତି ଫଟୋ ଯେଉଁଥିରେ କାଶିମକୁ ଦେଖି ପାରିଲା । କିଛି ବୁଝି ପାରୁନଥିଲା ଅରଶୀନ । ନିଜ ପକେଟରୁ କୌଣସି ଏକ ପରିଚୟ ପତ୍ରର କପି ତା ଆଗରେ ରଖିଲା ପ୍ରୀତମ ସିଂହ । କିଛି ବୁଝି ପାରୁନଥିଲା ଅରଶୀନ । ପ୍ରୀତମ ସିଂହ କହିଲା –‘’ ଅରଶୀନ । ଏଇଟା ସତ କଥା ସେ ମୁଁ ତୁମକୁ ଭଲ ପାଉଥିଲି । ଏବେ ବି ଭଲ ପାଉଛି । କିନ୍ତୁ ଆମ ଭିତରେ ଯାହା ଘଟିଗଲା ତାହା କେବଳ ଅପ୍ରାପ୍ତ ବୟସର ଅଜ୍ଞାନ ଘଟଣା । ପାଠ ଛାଡି ମୁଁ ଗଲି ଆର୍ମୀ । ଏବେ ମୁଁ ଜଇନ କରିଛି ଇଣ୍ଟେଲିଜେନ୍ସ ବିଭାଗ ଫୀଲ୍ଡ କାଡର ଭାବେ । ମୁମ୍ବଇ ବ୍ଳାଷ୍ଟର ତଥ୍ୟ ଖୋଜୁ ଖୋଜୁ ଜଣେ ଆତଙ୍କବାଦୀର ସାଙ୍ଗ ସହ ତମ କାଶିମର ଫୋଟୋ ମିଳିଛି ଯାହା ଏ ଯାଏଁ ମୁଁ ବିଭାଗକୁ ନଦେଇ ତମକୁ ଦେଖାଉଛି । ବାହେଗୁରୁ କରନ୍ତୁ କାଶିମ ଆତଙ୍କବାଦୀ ନହେଉ । ତା ଫଟୋ ଦେଖୁ ଦେଖୁ ତମ କଥା ମନ ପଡିଲା । ତେଣୁ ଅନେକ ଦିନ ହେଲା ମୁଁ ଏଠି ଆସି ତମକୁ ଭେଟିବାର ସୁଯୋଗ ଖୋଜୁଛି ଯେମିତିକି କିଏ ସନ୍ଦେହ କରିବନି । ମୋର ସ୍ଵତନ୍ତ୍ର ଖୋଲତାଡ ପରେ ମୁଁ ପାଇଛି କାଶିମ ଜଣେ ଆତଙ୍କବାଦୀ । ମୁଁ କିଛି କରିବା ପୂର୍ବରୁ ତମେ ନିଜକୁ ବଞ୍ଚେଇ ନିଅ କାରଣ ଥରେ କେବେ ଭଲ ପାଇଥିଲି ବୋଲି ତମ ଉପରେ ଦୟା ଆସିଲା । ଏବେ କିନ୍ତୁ ମୋ ଜୀବନରେ ଜଣେ ହିଁ ପ୍ରେମିକା । ସେ ହେଲା ଭାରତ ମାତା । ମୋର ସ୍ଵତନ୍ତ୍ର ନମ୍ବର ତମକୁ ଦେଉଛି । ତମର ସୁରକ୍ଷାରେ କାମ ଆସିବ । କିନ୍ତୁ ହଁ, ମୋତେ ବିଶ୍ୱାସ କର କି ନକର ଆମ ଭିତର କଥା , ମୋ ନମ୍ବର, ଏମିତିକି ସେ ଆତଙ୍କବାଦୀ ବୋଲି ଜାଣିଯିବାର ଖବର ତାକୁ ଭୁଲରେ କହିବ ନାହିଂ । କାରଣ ଆତଙ୍କବାଦୀଙ୍କ କେବଳ ଦୁଇଟି ନିୟମ । ନିଜ ଜୀବନକୁ ଆସୁଥିବା ବିପଦକୁ ମାର ଅଥବା ଉଦ୍ଦେଶ୍ୟ ପାଇଁ ନିଜେ ମର ।‘’

           ଏତିକି କହି ଫେରିଥିଲା ପ୍ରୀତମ ସିଂହ ସେଦିନ ଗଜଲ କାଫେରୁ ଅରଶୀନକୁ ଅସହାୟ ଛାଡି । ସେଇ ଦିନଠୁ ଅନ୍ୟ ମନସ୍କ ରହିଲା ଅରଶୀନ । କିଏ ଭୁଲ ? କିଏ ଠିକ ? କଣ ତାର ଭାଗ୍ୟ ? କାଶିମ ଭଳି ଯୁବକ ଯିଏ କେବଳ ଅରଶୀନକୁ ପ୍ରେମ କରିବା ଛଡା କିଛି କରେନି ସେ ଆତଙ୍କବାଦୀ ହେବ କେମିତି ? ଯେଉଁ ହୃଦୟରେ କେବଳ ଭଲ ପାଇବା ଥାଏ ସେଠି ଘୃଣା ଓ ବର୍ବରତାରେ ସ୍ଥାନ କେଉଁଠି ? ଏମିତି ବି ହେଇ ପାରେ, ପ୍ରୀତମ ସିଂହର ଏହା ଏକ ଚାଲ କାଶିମଠୁ ତା ଜୀବନରୁ ଦୂରେଇବାକୁ ? ତଥାପି ସେ କାଶିମକୁ ସନ୍ଦେହ କରିବା ପୂର୍ବରୁ ଟିକେ ନିଜ ସ୍ତରରେ ସତ ମିଛ ପରଖି ନେବାକୁ ଚାହିଁଲା. ।

           ପ୍ରାଣ ବିକଳରେ ଧାଉଞ୍ଚି ଅରଶୀନ ପୁଲିସର ସାଇରନ କାନରେ ଶୁଣା ଗଲାଣି ........ ।

            ଦିନେ ଜାଣି ଜାଣି ଅରଶୀନ ଏମିତି ଏକ ପତ୍ରିକା କାଶିମ ଆଗରେ ପଢିଲା ଯେଉଁଥିରେ ମୁମ୍ବଇ ବ୍ଳାଷ୍ଟ ବିଷୟରେ ଫଟୋ ସହ ଅଲେଖ୍ୟା ଥିଲା । ସେ କେବଳ ଜାଣିବାକୁ ଚାହୁଁଥିଲା ଏ ସବୁ ଦେଖି କାଶିମର କଣ ପ୍ରତିକ୍ରିୟା ହେଉଛି । ଏ ସବୁ ଦେଖି କାଶିମ ବ୍ୟସ୍ତ ହେଇ ପଡିଲା । ସାଙ୍ଗେ ସାଙ୍ଗେ ସେ ରାଗି କହିଥିଲା –“ ଅରଶୀନ । ଏ ସବୁ ମୋ ଆଗରେ କେବେ ଦେଖିବ ନାହିଂ ।“ କାରଣ ପଚାରି ଥିଲା ଅରଶୀନ । କେବଳ ସେ ଏହି କ୍ଷଣକୁ ଅପେକ୍ଷା କରୁଥିଲା । କାରଣରେ କାଶିମ କହିଥିଲା –“ ଅରଶୀନ ମୁଁ ଏ ସବୁ ଘଟଣା ଦେଖିଲେ ବହୁତ ବିଚଳିତ ହେଇପଡେ । ରକ୍ତ ,ଗୁଳି ,ବୋମା , ବ୍ଳାଷ୍ଟ ସବୁ ମୋ କୋମଳ ହୃଦୟକୁ କଷ୍ଟ ଦିଏ । ପୁଣି ଏ ମୁମ୍ବଇ ବ୍ଳାଷ୍ଟ, ଯେଉଁଥିରେ ଲିଙ୍କ ହେଇଥିବା ଜଣେ ଆତଙ୍କବାଦୀର ପିଲାବେଳର ବନ୍ଧୁ ସହ ମୋର ବନ୍ଧୁତା ହେଇଥିଲା କଲେଜ କାର୍ଯ୍ୟକ୍ରମରେ । ମୁଁ ସବୁବେଳେ ସେଇ ଡରରେ ବଞ୍ଚୁଛି ଯେ ପୋଲିସ ମୋତେ ସେ ସବୁରେ ନ ଟାଣୁ । ନଚେତ ଆମେ ଗଢିଥିବା ସ୍ଵପ୍ନର ମହଲ ଭାଙ୍ଗିଯିବ । “ କାଶିମର ବିକଳିଆ ମୁହଁ ଦେଖି ଅଧିକ ଅଧୀର ହେଇ ପଡିଥିଲା ଅରଶୀନ । ତା ହେଲେ ପ୍ରୀତମ ସିଂହର ଏ ଗୋଟେ ଚାଲ । କିନ୍ତୁ ସେ ପ୍ରୀତମ ସିଂହ କଥା କହିଲା ନାହିଂ କାରଣ କାଶିମକୁ ଅଧିକ କଷ୍ଟ ଦେବାକୁ ଚାହୁଁ ନଥିଲା ।

           ସେଦିନ କାଶିମ କଥା ଛଳରେ ଅରଶୀନକୁ ବାହୁରେ ରଖି ପଚାରିଥିଲା – “ବେଗମ , ଧରିନିଅ ମୁଁ ଜଣେ ଆତଙ୍କବାଦୀ । ତେବେ କଣ ମୋତେ ଭଲ ପାଇବା ଛାଡିଦେବ ?’’ ପୁଣି ଥରେ ଅରଶୀନର ମନ ସନ୍ଦେହରେ ଭରିଥିଲା । ତଥାପି ସେ ମନର ଭ୍ରମ ଭାବି କିଛି ନକହି ଭାବିଥିଲା -ଯଦି ସତରେ ଏମିତି ହୁଏ ତେବେ ସେ ଆହୁରି ଅଧିକ ଭଲ ପାଇବ କାଶିମକୁ । କିଏ ଜାଣେ କେତେବେଳେ କାଶିମ ତାଠୁଁ ଦୂରେଇଯିବ । କିନ୍ତୁ ନିଜ ମନ କଥା ମନରେ ରଖି କହିଥିଲା –ମିଆଁ , ଏ ଯାଏଁ ମୁଁ ତମର ବେଗମ ହେଇନି । ସେଥି ପାଇଁ ନିକାହ ପଢିବାକୁ ପଡେ । “

           ପ୍ରାଣ ବିକଳରେ ଧାଉଞ୍ଚି ଅରଶୀନ...........କୁକୁର ମାନଙ୍କ ଭୋକିବା ଅଧିକରୁ ଅଧିକ ହେଉଛି .......... ।

           କିଛି ମାସ ପରେ ଅଜଣା ନମ୍ବରରୁ ବାରମ୍ବାର ଫୋନ ପାଇ ବହେ ଗାଳି ଦେବାକୁ ଇଚ୍ଛା ହେଲା ଅରଶୀନର । ସେପଟୁ କିନ୍ତୁ ଉତ୍ତର ଦେଲା ପ୍ରୀତମ ସିଂହ । ଇଚ୍ଛା ହେଲା ପାଖରେ ଥିଲେ ଚପଳରେ ମାରିଥାନ୍ତା । ତଥାପି ନେସଡା ଭଳି ପ୍ରୀତମ ସିଂହ କଟାକ୍ଷ କରି ଜଣେଇ ଦେଲା –“କିଛି ଭିଡିଓ ପଠଉଛି ମୋବାଇଲକୁ । ଥରେ ଦେଖିନେବ ନଚେତ ଜୀବନ ସାରା ପସ୍ତେଇବ । ତମ ଉପରେ ଦୟା ଆସୁଛି । ତମ ଭଳି ଝିଅମାନଙ୍କ ଭାଗ୍ୟରେ ଏମିତି ହେବା ଉଚିତ । “

           ଏତିକି କଥାରେ ଅରଶୀନ ଦେହରେ ନିଆଁ ଲାଗିଗଲା ଯେମିତି । ବହେ ବକିଦେଲା ମନେ ମନେ । ଅଭିଶାପ ଦେଲା ପ୍ରୀତମ ସିଂହକୁ । ଏଥର କିନ୍ତୁ କାଶିମକୁ ତା କଥା କହି ପୂର୍ବ ପରି ପାନେ ଦେବ ପ୍ରୀତମକୁ ଯେମିତି ସେ କାଶ୍ମୀର ଛାଡି ପଳେଇବ ।

           ଗୋଟେ ନୁହଁ ଦୁଇଟା ନୁହଁ ଏନେକ ଅଲଗା ଅଲଗା ଝିଅଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ କାଶିମକୁ ଭିଡିଓରେ ଦେଖି ହୋଶ ହାରି କଚାଡି ହୋଇ ପଡିଗଲା ଅରଶୀନ । ତାକୁ ତା ଅମ୍ମି ସମ୍ଭାଳୁ ସମ୍ଭାଳୁ ସେ ଲୁଚେଇ ନେଲା ମୋବାଇଲ । କାଶିମକୁ ନେଇ ତିଆରି ଥିବା ମହଲରେ କିଏ ଯେମିତି ବମ ବ୍ଳାଷ୍ଟ କରିଛି । ଅନ୍ୟ କେହି ନୁହଁ । ନିଜେ କାଶିମ ବମ ବ୍ଳାଷ୍ଟ କରିଛି ଯାହାକୁ ସେ ଜୀବନର ସର୍ବସ୍ଵ ଦାନ କରିସାରିଥିଲା । ସେ ଜାଣି ସାରିଥିଲା କାଶିମ ଜଣେ ଲମ୍ଫଟ । ନିଜକୁ ଆଇନାରେ ଦେଖିଲା ସେ । ନିଜ ଉପରେ ଘୃଣା ଆସିଲା ତାକୁ । ଏତେ ଦିନ ଯାଏଁ ଯାହାକୁ ସେ ପବିତ୍ର ପ୍ରେମ ଭାବିଛି ତାହା କେବଳ ଏକ ପ୍ରତାରଣର ସଂଭୋଗ । ଏବେ ସେ ପ୍ରୀତମ ଆଗରେ ବହୁତ ଛୋଟ ହେଇଯାଇଛି । କଣ କହିବ ଅବୁ ଅମ୍ମିକୁ ? କେଜାଣି ଆଉ କଣ କଣ ସବୁ ସତ୍ୟତା ତା ଆଗକୁ ଆସିବାର ଅଛି ? ଇଚ୍ଛା ହେଲା ଆତ୍ମହତ୍ୟା କରି ନେବାକୁ । ବରଂ କାଶିମ ଆତଙ୍କବାଦୀ ହେଇଥିଲେ ଭଲ ହେଇଥାନ୍ତା କିନ୍ତୁ ଲମ୍ଫଟ ପ୍ରତାରକ କାଶିମକୁ ସେ ଗ୍ରହଣ କରିପାରୁ ନଥିଲା । ଶେଷରେ ସେ ଫୋନ ଲଗେଇଲା ପ୍ରୀତମ ସିଂହକୁ ମିଶିବାକୁ ପୁଣି ଥରେ ସେଇ ଗଜଲ ରେଷ୍ଟୁରେଣ୍ଟରେ ।   

           ପ୍ରାଣ ବିକଳରେ ଧାଉଞ୍ଚି ଅରଶୀନ ତଣ୍ଟି ଶୁଖି ଶୁଖି ଆସିଲାଣି

            ଆଖିରେ ଲୁହ ଅରଶୀନର । ଚାହିଁଲେ ବି ରୋକି ହେଉନି । ତା ଆଗରେ ଆଉ ଗୋଟେ ଫୋଟ ରଖିଲା ପ୍ରୀତମ ସିଂହ । ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପରେ କାଶିମ । ହାତରେ ତାର ବନ୍ଧୁକ । ତାକୁ ଆଉ ବୁଝିବାକୁ ବାକି ନଥିଲା ଯେ କାଶିମ ଜଣେ ଆତଙ୍କବାଦୀ । କେବଳ ସେ ଆତଙ୍କବାଦୀ ନୁହଁ ବରଂ ଲମ୍ପଟ ଆତଙ୍କବାଦୀ । ଜଣେ ନାରୀ ହେଇ ସେ ନିଜ ପ୍ରିୟ ପୁରୁଷର ଜୀବନରେ ଅନ୍ୟ ନାରୀକୁ ମୋଟେ ସହି ପାରୁନଥିଲା । ଇଚ୍ଛା ହେଉଥିଲା ସାଙ୍ଗେ ସାଙ୍ଗେ ଯାଇ ତା ଛାତିରେ ଗୁଳି ମାରିବ ।

           “ ଅରଶୀନ ଯାହା ସବୁ ଘଟିଗଲା ସେଥିରେ ତମର କିଛି ଭୁଲ ନାହିଂ । କାରଣ ତେମେ ତାକୁ ଅନ୍ଧ ଭଳି ଭଲ ପାଇବା ଛଡା ଆଉ କିଛି କରିନ । ଆତଙ୍କବାଦୀ ମାନଙ୍କର ଏହା ଏକ ନୂଆଁ ପ୍ରକାର ପଇଁତରା । ଆକର୍ଷଣୀୟ ଓ ଅନେକ ଭାଷାର ଜ୍ଞାନ ରଖିଥିବା ଯୁବକ ଯୁବତୀ ମାନଙ୍କୁ ଏ କାମରେ ଲଗାଯାଏ । ସେମାନେ ନିଜର ଆକର୍ଷଣୀୟ ବ୍ୟକ୍ତିତ୍ଵ ଓ ସୁନ୍ଦରତାରେ ଭିନ୍ନ ଭିନ୍ନ ସହରରେ ବିଭିନ୍ନ ପୁଅ ଓ ଝିଅଙ୍କୁ ପ୍ରେମ ଜାଲରେ ଫସାନ୍ତି । କାରଣ ତାଙ୍କୁ ତାଙ୍କର ଉଦ୍ଦେଶ୍ୟକୁ ପୂର୍ତ୍ତି କରିବା ପାଇଁ ଭିନ୍ନ ଭିନ୍ନ ଠିକଣା ଦରକାର । ଏମାନେ କେବଳ ଆମ ଭଳି ଫୀଲ୍ଡ କାମ କରନ୍ତି କିନ୍ତୁ ବ୍ଳାଷ୍ଟ ସ୍ପଟକୁ ଯାଆନ୍ତି ନାହିଂ । କିନ୍ତୁ ସମୟ ପଡିଲେ ହତିଆର ଉଠେଇବାକୁ ପଛାନ୍ତି ନାହିଂ । କୋକରନାଗ ଅଞ୍ଚଳ ପାଇଁ ସେ ତମକୁ ଖୋଜିଛି କାରଣ ତମ ଅବୁ ଜଣେ ବିଶିଷ୍ଟ ବ୍ୟକ୍ତି । ସନ୍ଦେହର ପ୍ରଶ୍ନ ନାହିଂ । ସତ କଥା ହେଲା - ଆଜି ଯାଏଁ ତମେ ଯାହାକୁ ପ୍ରେମ ଭାବିଛ ତାହା କାଶିମର କେବଳ ଆବଶ୍ୟକତା ଓ ଦୈହିକ କାମନାର ତୃପ୍ତି । ସେମାନେ ପ୍ରେମ ପାଇଁ କେବେ ଆତଙ୍କବାଦୀ ହୁଅନ୍ତି ନାହିଂ ବରଂ ଆତଙ୍କବାଦୀ ହେବା ପାଇଁ ପ୍ରେମ କରନ୍ତି । ଏମିତି ଅନେକ ଝିଅ ତା ଲିଷ୍ଟରେ ଅଛି । ସତ କଥା ହେଲା ସେ କାଶିମ ନୁହଁ । ସେ ହେଲା କାଶ୍ମୀର କବଳରେ ଥିବା ଭାରତର ଏକ ଗାଁର ପିଲା ବିଛିନାଞ୍ଚଳ ଆଦର୍ଶରେ ଅନୁପ୍ରାଣିତ ହେଇଥିବା ଜଣେ ପଥଭ୍ରାନ୍ତ ଯୁବକ -ବୁରହାନ ।“

           ଆହୁରି ଜୋରରେ ଧାଇଁଲା ଅରଶୀନ ସମସ୍ତ ଶକ୍ତି ଲଗେଇ ........... । ...........ଯେମିତ ହେଲେ ଏ କାଳ ମଧ୍ୟରାତ୍ର ପୂର୍ବରୁ ସେ ନଜାଣିଲା ପରି ସୋଇଥିବ ତା ଅବୁ ଅମ୍ମିଙ୍କ ପାଖରେ............ ।

           .......................ଫେରିବାକୁ ଠିଆ ହେଲା ସେ ଘରକୁ । ଏଥର କିନ୍ତୁ ପ୍ରୀତମ ସିଂହ ଆଗରେ ତା ମୁହଁ ଥିଲା ଅଲଗା ପ୍ରକାର । ତା ମୁହଁରେ ନଥିଲା କାହାର ପ୍ରେମ ପାଇଁ ଆତୁରତା ବରଂ ପ୍ରତିଶୋଧ ନେବାର କିଛି କଠୋର ନିଷ୍ପତ୍ତି । ପ୍ରୀତମ ସିଂହକୁ କହିଥିଲା – ଆଜିଠୁ ତମେ ମୋତେ ଚିହ୍ନିନ କି ମୁଁ ତୁମକୁ ଚିହ୍ନିନି । କିନ୍ତୁ କୋକରନାଗ ସେ ସରୁ ଗଳିର ଛକରେ ତମେମାନେ ସବୁ ଛଦ୍ମ ବେଶରେ ଲୁଚିଥିବ । ସେ ହାରାମୀଟାକୁ ମୁଁ ଯେମିତି ହେଲେ ଆଣିବି ରାତିର ନିଶବଦରେ । ଗୋଟେ ନୁହଁ ,ଦୁଇଟା ନୁହଁ ଅଜସ୍ର ଗୁଳିରେ ଚିରି ଦେବ ତା ଛାତି । ତା ଆଖିରେ ମୁଁ ଦେଖେଇଦେବାକୁ ଚାହେଁ ପ୍ରତାରଣାର ଅଦେଖା ରୂପ। ପ୍ରୀତମ , ତମେ ମୋତେ ଭଲ ପାଇ ଆସିଛ । ମୁଁ କିନ୍ତୁ ତା ବଦଳେ କିଛି ଦେଇ ପାରିନି ତମକୁ । ଭାବିଦେବ, ଆତଙ୍କବାଦୀ ବୁରହାନ ମୃତ୍ୟୁର ସମସ୍ତ ଶ୍ରେୟ ତମକୁ ଦେଇଛି । ଲମ୍ଫଟକୁ ଲମ୍ଫଟତାରେ ହିଁ ଦଣ୍ଡ ଦେବା ଦରକାର । 

           ଅରଶୀନକୁ ଲାଗିଲା ତା ଘର ଆସିଗଲା । ରହିଗଲା ଦୂରେ ସେ ଛକ ଯେଉଁଠି ପଡିଥିବ ଲମ୍ଫଟ ଆତଙ୍କବାଦୀର ଛିନ୍ନବିଚ୍ଛିନ ଶବ....... । 



Rate this content
Log in

More oriya story from BHAGIRATHI BEHERA

Similar oriya story from Tragedy