BHAGIRATHI BEHERA

Romance Crime

4  

BHAGIRATHI BEHERA

Romance Crime

ସାରା ମାଝୀ

ସାରା ମାଝୀ

17 mins
23.5K


'ତୋ ନାଁ ସାରା ମାଝୀ ତ?' -ପାଟିଏ ପାନଥୋପ ଧରି ପେଟୁଆ ମୋଟା ନିଶୁଆ ନୂଆଁ ଥାନାବାବୁ ଗିଳିଦେଲା ଭଳି ନଜରରେ ସାମନାରେ ବସିଥିବା ସତେଇଶି ଅଠେଇଶି ବର୍ଷିୟା ମହିଳାକୁ ପଚାରୁଥିଲା ।

           'ହଇଲୋ, ବାବୁଙ୍କୁ ସବୁ ସତକଥା କହି ଦେଉନୁ? ତଳ ସାହିରେ ହେଇଥିବା ଗୁଳିକାଣ୍ଡରେ ଯିଏ ମଲା, କଣ ତା ନାଁ..... ହାଁ ଧନଞ୍ଜୟ- ତୋର ତା ସାଙ୍ଗରେ ପୀରତି ଥିଲା ବୋଲି ପୁରା ସାହି ଲୋକମାନେ କହିଛନ୍ତି । ପୁଣି କଟକ ସହରର କୁଖ୍ୟାତ ଗୁଣ୍ଡାର ତୁ ରକ୍ଷିତା ବୋଲି ମଧ୍ୟ ସମସ୍ତେ କହିଛନ୍ତି । ଏବେତ ସେ ଫେରାର । ତୁ ଖାଲି କହିଦେ ସେ କେଉଁଠି ? ନଚେତ ଧନଞ୍ଜୟ ମର୍ଡର କେଶରେ ଥାନାବାବୁ ତୋତେ ଭିତରକୁ ପଠେଇଦେବେ ଘଣା ପେଲିବାକୁ ।' -ପୁଡିଆଟା ହାତରେ ଘଷୁ ଘଷୁ ପାଖରେ ଠିଆ ହେଇଥିବା ହାବିଲଦାର ନୂଆଁ ଥାନାବାବୁଙ୍କ ତାକତ ଚିହ୍ନେଇ ଦେଲା ।

           ତଥାପି ସ୍ତ୍ରୀ ଲୋକଟି ଚୁପଚାପ । କୌଣସି ପ୍ରକାର ଉତ୍ତର ଦେବାକୁ ସେ ଇଚ୍ଛା ପ୍ରକଟ କରୁନଥିଲା । ବଡ ବେଖାତିର ଭାବ ତା ମୁହଁରେ । ଯେମିତି କହିବାକୁ ଚାହୁଁଥିଲା -ହଉରେ ପୁଅ, ଆଉ ବେଶୀ କହନା । ତୋ ଥାନାବାବୁ କଣ କରିପାରିବ ଆଉ କଣ ନକରିପାରିବ ମୁଁ ବେଶ ଭଲ ଭାବରେ ଜାଣିଛି । ସେ ଭଲ ଭାବରେ ଜାଣିଛି ଆଜିକାଲି ନାରୀମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ସୁବିଧା ଦେଇଛନ୍ତି । ଅନେକ କାନୁନ ଗଢିଛନ୍ତି । ଏଠି ପୁଣି ମହିଳା କନେଷ୍ଟବଳ ନାହାନ୍ତି । ବେଶୀ ପେଁ ପେଁ ହେଲେ ଏମିତି କିଳାଟେ ପୁରାଇ ଦେଇପାରିବ ଯାହା ଦ୍ଵାରା ଥାନାବାବୁ ମହିଳା ଓ ମାନବ କମିଶନ ପାଖକୁ ବାରମ୍ବାର ଧାଉଁଥିବ। ସେଇଠୁ ଜଣା ପଡିବ ଘଣା କିଏ ପେଲୁଛି ।

           ଧଡକିନା ଟେବୁଲ ଉପରେ ରୋଲବାଡିଟିକୁ କଚାଡି ଦେଇ ରଡି ଛାଡିଲେ ଥାନାବାବୁ-‘ ମାଧୁଆ ! ଓ ମାଧୁଆ ! କେତେ ସମୟ ଧରି ଚିଲଉଛି ଶଳା ଚା ଟିକେ ଆଣ, ମୁଣ୍ଡଟା ବଥଉଛି କୁଠେ ମରିଗଲୁ ବେ। ସେ ଶଳା ଗୁଣ୍ଡାଟାର ନାଁରେ ଯେବେଠୁ ଚିଟଫଣ୍ଡ ଯୋଡିଗଲା, ସେବେଠୁ ପୋଲିସ ଶୁଙ୍ଘିଲା କୁକୁର ପରି ତା ଗୁମର କଥା ଗୁଡାକ ଆମ ଥାନା ଦେଇ ତଳ ସାହିରେ ବାହାର କରିବାକୁ ଲାଗିଛି । ଉପରୁ ସାବଙ୍କ ଅର୍ଡର ପରେ ଅର୍ଡର । ଯେମିତି ହେଲେ କନେକଶନ ବାହାର କରିବାକୁ ହେବ । ନଚେତ ଚାକିରି ଯିବ । ଇଆଡେ ଏ ବଜାତୀ ମାଈକିନାର ପାଟି ବନ୍ଦ ।‘

           ତଥାପି ସ୍ତ୍ରୀ ଲୋକଟି ନିର୍ବାକ ଓ ସ୍ଥିରଚିତ୍ତ । ଯଦି ସେ କୌଣସି ଭୁଲ କରିନାହିଁ, କାହାକୁ ଡରିବାର ନାହିଁ । ଏ ପ୍ରକାର ମନୋଭାବ ତା ଭିତରେ ସୁଦୃଢ ହେଇ ଲାଗିଛି ।

           ‘ଆଚ୍ଛା, ତାକୁ ଛାଡ । ତୁ ତ ମୋତେ ଭଲ ଭାବରେ ଜାଣିଛୁ । କହିଲୁ ମୁଁ କିଏ ?’- ଅଭଦ୍ର ଭଳି କଳାଦାନ୍ତ ସବୁ ନେଫେଡି ପଚାରିଲା ଥାନବାବୁ ଶାଳୀକୁ ଟାହି ଟାପରା କଲା ପରି ।

           ମହିଳାଟି ଏଥର ଢେଗା ଢେଗା ଆଖିରେ ଅନେଇଲା ଥାନାବାବୁଙ୍କୁ । ସେ ଭଲଭାବରେ ଜାଣିଛି ତା ସାମନାରେ ବସିଥିବା ଲୋକଟାକୁ । ...............ଚାରିବର୍ଷ ତଳେ ତା ସହ ବାହାଘର ଦେଇଥିଲା ତା ବାପା ଏଇଆ ଭାବି ଯେ ଜୋଇଁ ପୁଅ ପୋଲିସରେ ଅଛି । ଝିଅ ଜୀବନ ଯାକ ସୁରକ୍ଷା ପାଇବ । କିନ୍ତୁ ହେଲା ଓଲଟା । ପ୍ରତ୍ୟେକ ଦିନ ମଦ୍ୟପାନ । ମଦ୍ୟପାନରୁ ଗାଳିଗଲୋଜ, ମାଡପିଟାରେ ତା ଜୀବନ ଗଲା । ଶାଶୁ ଶ୍ଵଶୁର ପୁଅକୁ ଡରି ଆକଟ କଲେନି । ଓଲଟା କହିଲେ ବୋହୁ ପିଲାଟା ଗେରସ୍ତକୁ ବାନ୍ଧି ରଖିବାର କଳା ବାପଘରୁ ଶିଖି ଆସିନି  । ତଥାପି ସେ ସ୍ଵାମୀକୁ ଦେବତା ଭାବି ସେବା କରି ଚାଲିଥିଲା । ହଠାତ ଦିନେ କେଉଁ ଗୋଟେ ଯୁବତୀକୁ ଆଣି କହିଲା ଆଜି ରାତିରେ ଏଠି ରହି କାଲି ଥାନାକୁ ଯିବ । ଦୂର ସମ୍ପର୍କୀୟ ସାଙ୍ଗର ଭଉଣୀ । କିନ୍ତୁ ରାତିର ଗାଢ ଆବରଣ ତଳେ ଭଉଣୀ କହୁଥିବା ଅଜଣା ଯୁବତୀ ସହ ସ୍ଵାମୀର ଅଲଜ୍ୟା ପୂର୍ବକ ସମ୍ପର୍କ ଦେଖି ସ୍ତ୍ରୀ ହେବାର ମର୍ଯ୍ୟାଦା ତା’ର ଖଣ୍ଡ ବିଖଣ୍ଡିତ ହେଇଥିଲା ଯାହା କୌଣସି ମତେ ଆଉ ଯୋଡିହେବାର ନଥିଲା । ସ୍ଵାମୀ ମଦ୍ୟପ ହେଲେ ସମ୍ଭାଳିହେବ କିନ୍ତୁ ଲମ୍ଫଟ ହେଲେ କାହା ପାଇଁ ସେ ବଞ୍ଚିବ । ଧୀରେ ଧୀରେ କେବଳ ଗୋଟେ ନୁହଁ, ଅନେକ ସ୍ତ୍ରୀ ସହ ଅବୈଧ ସମ୍ପର୍କ ଜାଣିବାକୁ ପାଇଲା ସେ । ଅନେକ ଭାବିବା ପରେ ପରିବାରକୁ ଗୁହାରି କରିବାକୁ ଗଲାବେଳେ ଜଣା ପଡିଲା ଘରେ ତାଲା ପକେଇ ପୁରା ପରିବାର ପେଟ ପାଇଁ ସୁରତ ସୂତାକଳ ଚାଲିଗଲେ । ଏକୁଟିଆ ନିଜ ସଂସାର ସଜାଡିବାକୁ ବିରୋଧ କରିବା ଛଡା ଆଉ କିଛି ଉପାୟ ନଥିଲା । ତା ପର ପରିଣାମ ପୂର୍ବରୁ ଅଧିକ ଦୟନୀୟ ହେଇଗଲା । ବଡ ଥାନାବାବୁଙ୍କୁ ଗୁହାରି କରି ତଲାକ ଦେଇଦଲା ସାମନାରେ ବସିଥିବା ରାକ୍ଷସଟିକୁ । ଏବେ ସେ ଆସି କଟକ ତଳ ସାହି ନିଜ ବାପ ଘରେ ରହୁଛି । ଅନେକ କୁଦୃଷ୍ଟି ,କୁମନ୍ତ୍ରଣା , କଟୁବାଣୀ ଶୁଣିବାକୁ ପଡିଛି ସ୍ଵାମୀ ପରିତ୍ୟକ୍ତାକୁ ଏ ସମାଜରେ । ଯେବେ ସମୟ ପାଉଛି ଏକଥା କହିବାକୁ ସେ ଭୁଲେ ନାହିଁ ଯେ -ସେ ସ୍ଵାମୀ ପରିତ୍ୟକ୍ତା ନୁହଁ ବରଂ ତା ସ୍ଵାମୀ ସ୍ତ୍ରୀ ପରିତ୍ୟକ୍ତା । ନିଜ ଘର ବାରଣ୍ଡାରେ ଇସ୍ତ୍ରୀ ଦୁକାନଟିଏ କରି ବଞ୍ଚିବାକୁ ଅଣ୍ଟା ଭିଡିଛି ଚାରି ବର୍ଷ ହେଲା । ଜୀବନରେ ତ ଆଉ କିଏ ନାହିଁ । ତେଣୁ ଯାହା କମଉଛି ପେଟ ପାଇଁ ହେଇ ଦି ପଇସା ବଳକି ଯାଉଛି । ତଥାପି ସେ ମଳିନ ଅତୀତକୁ ଭୁଲି ବଞ୍ଚିବାକୁ ଚେଷ୍ଟା କଲା ବେଳେ ଏ ରାକ୍ଷସ ପୁଣି ଥରେ ସାମନାରେ ବସିଛି । ଗତ କାଲି ସେ ରହୁଥିବା ଗଳିରେ ଧନଞ୍ଜୟ ନାମକ ଲୋକ ଗୁଳିରେ ମରିଛି । ସମସ୍ତେ ଭାବିଛନ୍ତି ସେଇ ଗୁଣ୍ଡା ଧନଞ୍ଜୟକୁ ମାରିଛି, ଯାହାର ନାଁ ଅଳ୍ପ ଦିନ ତଳେ ଚିଟଫଣ୍ଡ ସହ ଯୋଡି ହେବାର ଖବର ସଂବାଦ ପୃଷ୍ଠାରେ ମଣ୍ଡିତ ହେଇଥିଲା । ସେଥିପାଇଁ ସରକାର ନୂଆଁ ଥାନବାବୁ ମାନେ ତା ପୂର୍ବତନ ସ୍ଵାମୀକୁ ଏଠି ପଠେଇଛି ମାମଲା ଠିକ କରିବାକୁ । ଏବେ କେବେଳ ସେ ଜଣେ ଅପରିଚିତ ପୁରୁଷ ଯାହାର ଚରିତ୍ରକୁ ସେ ଭଲ ଭାବରେ ଜାଣିଛି.................. ।

           ସ୍ତ୍ରୀ ଟିର ଢେଗା ଢେଗା ଆଖି ଦେଖି ହୋ ହୋ ହୋଇ ହସିଲା ଥାନାବାବୁଟା । ‘ହଉ ହଉ, ମୋତେ ଚିହ୍ନିବା ତୋର ଦରକାର ନାହିଁ । ଏବେତ ତୋତେ ଚିହ୍ନିବାର ବେଳ । -ଏତିକି କହି ଥାନାବାବୁ ତା ଦେହଟାକୁ ଖାଇଲା ଭଳି ଘୂରିଲା ।

           ସ୍ତ୍ରୀ ଲୋକଟି ବୁଝି ପାରୁଥିଲା ଏ ପ୍ରକାର ଘୁରି ଦେଖିବାର ଅର୍ଥ । ନିଜ ପିନ୍ଧାଲୁଗାକୁ ଆଉ ଟିକେ ଟାଣି ବକ୍ଷ ଉପରକୁ ନେଲା ସେ ।   

ଏ ସମୟରେ ଲେଖାଳି ଆସି କଣ ଫୁସଫୁସ ହେଲା ନୂଆଁ ଥାନାବାବୁର କାନରେ । ଭିତରକୁ ପଶି ଆସିଲା ଜଣେ ମହିଳା କନେଷ୍ଟବଳ ଯିଏ ଡ୍ୟୁଟି କରୁଥିଲା ବଡଫାଣ୍ଡିରେ । କହିଲା –‘ସାର, ଉପରୁ ପ୍ରେସର ବେଶୀ । ଯେତେ ଶୀଘ୍ର ପାରିବେ ତା’ର ଷ୍ଟେଟମେଣ୍ଟ ନେଇ ଦୁଇ ଘଣ୍ଟା ଭିତରେ ରିପୋର୍ଟ କରନ୍ତୁ । ଦୁଇ ଘଣ୍ଟା ପରେ ସାର କମିଶନର ପାଖକୁ ଯିବେ।‘ ଏତିକି କହି ସେ ସ୍ତ୍ରୀ ଲୋକଟିକୁ ଆଦେଶ ଦେଲା ପାଖ ଟେବୁଲ ଉପରେ ବସିବାକୁ ।

           ସ୍ତ୍ରୀ ଲୋକଟି ଘୁଞ୍ଚି ବସିଲା ଅନ୍ୟ ଏକ ଚୌକିରେ । ପାର୍ଶ୍ଵରେ ଲେଖାଳି ଓ ବଡବାବୁ ବସିଲେ । ସେ ପଚାରିଲା– ‘ମୁଁ କିଛି ଉତ୍ତର ଦେବା ପୂର୍ବରୁ ଜାଣିବାକୁ ଚାହୁଁଛି ଯେ ମୋତେ ଏଠି କାହିଁକି ଉଠେଇ ଅଣାଯାଇଛି ?’

           ଲେଖାଳି ଓ ମହିଳା କନେଷ୍ଟବଳ ଅନେଇଲେ ବଡବାବୁଙ୍କୁ । ବଡବାବୁ କହିଲେ – ‘ ବସ୍ତିବାଲାଙ୍କ କଥାରୁ କିଛି କଥାରେ ତମ ନାଁ ଆସିଛି । ଡରିବାର କିଛି ନାହିଁ । ତମେ ଏବେ କେବଳ ସନ୍ଦେହ ଘେରରେ ଅଛ କିନ୍ତୁ ଦୋଷୀ ନୁହଁ । ଆମେ କେବଳ ତମ କଥାରୁ କିଛି ତଥ୍ୟ ଚେକ କରିବାକୁ ଚାହୁଞ୍ଛୁ । ‘

           ‘ହଉ ପଚାର । ‘

           ‘ଗୁଳିରେ ମରିଥିବା ଧନଞ୍ଜୟକୁ ତୁ କେତେ ଜାଣିଛୁ?’

           .............ନିଶ୍ଚୟ ଜାଣିଛି ସେ ଧନଞ୍ଜୟକୁ । ଏଇ କେତେ ମାସ ହେଲା ତା ପଡୋଶୀ ଘରେ ଭଡାରେ ରହୁଥିଲା । କେଉଁ ଏକ କମ୍ପାନୀରେ ସିକୁରୀଟି ଅଫିସର ଥିଲା । ଯିବା ଆସିବାର ପ୍ରତ୍ୟକ ସମୟରେ ତା ଆଖି ଧନଞ୍ଜୟ ଆଖିରେ ମିଶୁଥିଲା । ସେ ଦେଖି ପାରୁଥିଲା ଧନଞ୍ଜୟ ଆଖିରେ ଯେମିତି ସମୁଦ୍ରଭରି ଦୁଃଖ ରହିଛି । ଡ୍ରେସ ଇସ୍ତ୍ରୀ କରିବାକୁ ଆସେ । ଅନେକ ପ୍ରଶ୍ନରେ ଅଳ୍ପ ଉତ୍ତର ଦିଏ । ତା ଭିତରେ ଝଲସୁଥିବା ଅପ୍ରାପ୍ତିର କାମନା ସେ ପଢି ପାରିଥିଲା । ଏ ଭିତରେ ଧନଞ୍ଜୟ ଜଣେ ଭଲ ମଣିଷ ହୋଇ ତା ଦୋକାନକୁ ସାଇତି ଦେଇଛି । କୋଇଲା ଜଳା ଇସ୍ତ୍ରୀ ଜାଗାରେ ବିଜୁଳିଚଲା ଇସ୍ତ୍ରୀ ଶିଖେଇଛି । କପଡା ଯେମିତି ଖରାପ ନହେବ, ଅଳ୍ପ ଖରଚରେ ଆଲମାରୀ ତିଆରିଛି । ବେଳେ ବେଳେ ଘର କରଣା ଜିନିଷ ବଜାରରୁ ଆଣି ଦେଇଛି । ସେ ମଧ୍ୟ ଏନେକ ଥର ଧନଞ୍ଜୟର ଖାଇବା ପିଇବା କଥା ବୁଝିଛି । ଦୁହିଁଙ୍କ ଭିତରେ ସହହୃଦୟତାରୁ ଭଲପାଇବା ଓ ଭଲପାଇବାରୁ ପ୍ରଣୟଭାବ ସୃଷ୍ଟି ହେଇଥିଲା । ଧନଞ୍ଜୟ ରହୁଥିବା ଘରମାଲିକ ଅନ୍ୟ କେଉଁଠି ରହନ୍ତି । ତେଣୁ ସେମାନଙ୍କ ମଝିରେ ଠିଆ ହେଇଥିବା କାନ୍ଥ ଛାତ ରୂପରେ ମିଳାମିଶାର ସୁଯୋଗ ଦେଇଛି । ଅନେକ ଗୁପ୍ତ ପ୍ରଣୟର ରାତିରେ ସେ ନିଜ ସହ ଧନଞ୍ଜୟର କାମନାକୁ ତୃପ୍ତି କରିଛି । ଧୀରେ ଧୀରେ ତା ଭିତରେ ପୁଣି ଥରେ ସଂସାର ବାନ୍ଧିବାର ଇଚ୍ଛା ଜାଗ୍ରତ ହେଇଛି । କାହାର ସ୍ତ୍ରୀ ହୋଇ ସମାଜରେ ମୁଣ୍ଡ ଟେକି ଚାଲିବାର ଦୁର୍ବାର ଇଚ୍ଛା ପୁରା ହେବା ପୂର୍ବରୁ ଧନଞ୍ଜୟ ସଂସାର ଛାଡିଦେଲା କାହାର ଗୁଳିରେ । ହାୟରେ ତା ଦୁର୍ଭାଗ୍ୟ................ !

           ‘ଆଜ୍ଞା ଜାଣିଥିଲି ଧନଞ୍ଜୟକୁ । ମୋ ପଡୋଶୀ ଘରେ ଭଡାରେ ରହୁଥିଲା । ତା ଡ୍ରେସ ଅନ୍ୟ ଗ୍ରାହକ ପରି ଇସ୍ତ୍ରୀ କରୁଥିଲି ଓ ପଇସା ପାଉଥିଲି । ଭଲ ଲୋକଟା ବିଚରା । ମୋ ଦୋକାନ ସଜେଇବାକୁ ବହୁତ ସାହାଯ୍ୟ କରିଛି ଯେମିତି ପଡୋଶୀମାନେ କରନ୍ତି । ଲୋକେ ନାନା କଥା କହନ୍ତି ଆମ ସମ୍ପର୍କ ବିଷୟରେ । ଯଦି ତା ଜାଗାରେ ମାଈକିନାଟେ ଥାଆନ୍ତା ତେବେ କଣ ସମ୍ପର୍କକୁ ଖରାପ ଭାବିଥାନ୍ତେ କି ? ଯଦି ଆଉ କିଛି ସନ୍ଦେହ କରନ୍ତି ଆମ ଦୁହିଙ୍କ ବିଷୟରେ ପଡୋଶୀଙ୍କୁ ପଚାରନ୍ତୁ । ‘- ଉତ୍ତର ଦେଲା ସ୍ତ୍ରୀ ଲୋକଟି ଧନଞ୍ଜୟ ବିଷୟରେ ।

           ‘ଲୋକେ ତ କହୁଛନ୍ତି ତୋର ତା ସହ ପୀରତି ଥିଲା । ମିଛ କାହିଁକି କହୁଛୁ?’ -ମହିଳା କନେଷ୍ଟବଳ ତାଗିତ କରି ପଚାରିଲା ।

           ‘କଣ କହିବି ମାଡାମ । ମୋ ଭାଗ୍ୟ ହିଁ ମନ୍ଦ । ଫଟା କପାଳ । ପ୍ରଥମ ସ୍ଵାମୀଙ୍କୁ ଛାଡିଲି ମଦୁଆ ବେଧୂଆ ବୋଲି । ଧନଞ୍ଜୟ ଭଳି ଭଲ ମଣିଷଟେ ଦେଖି ମନରେ ଟିକେ ସଂସାର କରିବାକୁ ଲାଳସା ଜାଗ୍ରତ ହେଇଥିଲା । କିନ୍ତୁ ଦେଖନ୍ତୁ ତ, ମନ୍ଦ କପାଳ । ମନ କଥା ତାକୁ କହିବା ପୂର୍ବରୁ ଦଇବ ତାକୁ ନେଇଗଲା ।- ନାକ ସୁଡୁ ସୁଡୁ କରି କହିଲା ସ୍ତ୍ରୀ ଲୋକଟି ।

           

‘କିନ୍ତୁ ହେଇଟି ମାଡ଼ାମ । ଏ କଥା ଲେଖିବେନି । ମନ କଥାର କଣ ପ୍ରମାଣ ଅଛି କି? ଆଜି ମୁଁ ଏ କଥା କହିଛି କାଲି ମନା କରିଦେବି କହିନି ବୋଲି । ସଂସାର କଥା କଣ କହିବି । ଆଉ ପାଞ୍ଚ କଥା ମିଶେଇ ହେଇନଥିବା ଘଟଣାକୁ ମଧ୍ୟ ହେଇଛି ବୋଲି କହିବେ । ଆମ ସାହିର ଯେଉଁ ଭଦ୍ର ବ୍ୟକ୍ତିମାନେ ହେଇନଥିବା ସଂପର୍କକୁ କଳଙ୍କ ଲଗେଇଛନ୍ତି ସେମାନଙ୍କ ସ୍ତ୍ରୀ-ଝିଅ-ବୋହୁମାନେ ପାଞ୍ଚ ପାଞ୍ଚଟା ଅଣ୍ଡରା ଓ ପୁଅ-ନାତିମାନେ ଗଣ୍ଡାଗଣ୍ଡା ମାଈକିନା ନେଇ ବୁଲୁଛନ୍ତି ବଜାର ଉପରେ । ଏଇ ଚାରି ବର୍ଷରେ ମୁଁ ସମସ୍ତଙ୍କ ଚିଠା ରଖିଛି । ଲୋକଙ୍କ ଉପର ଠାଉଣିଆ କଥାରେ କେବେ କାହାକୁ ଫାଶୀ ହେଲାଣି ନା ହେବ ।‘ -ଯୁକ୍ତି ବାଢିଲା ସ୍ତ୍ରୀ ଲୋକଟି ।

           ‘ହଉ ହଉ । ଯେଉଁ ରାତିରେ ଧନଞ୍ଜୟକୁ ଗୁଳି ମରାହେଲା ତୁ କେଉଁଠି ଥିଲୁ? ‘

           ‘ମୁଁ ତ ମୋ ଘରେ ଶୋଇଥିଲି । ମୋ ପାଖରେ ପଡୋଶୀ ଘରର ବନୀତା ଶୋଇଥିଲା କାରଣ ତା ବାପା ମା ବାହାଘରକୁ ଯାଇଥିଲେ । ତେଣୁ ମୋ ପାଖରେ ଛାଡି ଯାଇଥିଲେ । ଆପଣ ପଚାରି ବୁଝିପାରନ୍ତି । ‘

           ‘ତୋ ପ୍ରଥମ ଘଇତା ବିଷୟରେ କିଛି କହ?’

           ‘ ମୁଁ ସେ ବଡରୋଗିଆ ବିଷୟରେ କିଛି କହିବାକୁ ଚାହୁଁନି । କାହିଁକି ମୁଁ ନିଜ ଶୁଖିଲା ଘାକୁ ଖୋଳିବି । ସେ ମୋ ପାଇଁ କେବଠୁ ମଲାଣି । ହେଇଥିବ କେଉଁ ବଜାରୀ ମାଈକିନା ପାଦରେ ପଡିଥିବ । ମୁଁ ଚାରିବର୍ଷ ହେଲା ତାକୁ ଦେଖିନି । ହେଲେ ଏ କେଶ ସହ ତାର ସମ୍ପର୍କ କଣ ?‘ -ତା ଆଖିରେ ରାଗ ଓ ଘୃଣାର ଭାବ ।

           ସମସ୍ତେ ତା କଥା ଶୁଣି ପରସ୍ପରକୁ ଦେଖାଦେଖି ହେଲେ ।

           ‘କିଛି ଦିନ ତଳେ ଧନଞ୍ଜୟ ଏଇ ଥାନାକୁ ଆସି ଜଣଙ୍କ ବିରୁଦ୍ଧରେ ରିପୋର୍ଟ ଦେଇଥିଲା ଓ ନିଜ ଜୀବନ ବଞ୍ଚେଇବା ପାଇଁ ପୁଲିସ ମାଗିଥିଲା । ତୁ ଏ ବିଷୟରେ କିଛି ଜାଣିଛୁ କି?

           ‘ମୁଁ ସେ ବିଷୟରେ କିଛି ଜାଣିନି ଆଜ୍ଞା । ମୁଁ କ’ଣ ତା ମାଈକିନା ଯେ ସେ କୁଆଡେ ଯାଉଛି ଆସୁଛି ତା’ର ହିସାବ କିତାବ ରଖିବି । ‘

           ଏତିକି କହି ଚୁପ ରହିଲା ସ୍ତ୍ରୀ ଲୋକଟା । ...................ସେ ଭଲ ଭାବରେ ଜାଣିଛି ଧନଞ୍ଜୟ ଆସି ପୋଲିସ ପାଖରେ ଗୁଣ୍ଡାଟା ନାମରେ ରିପୋର୍ଟ ଲେଖିଛି କାରଣ ରାତି ଅଧରେ ଦିନେ ଗୁଣ୍ଡାଟା ଛାତ ଡେଇଁ ଘର ଭିତରକୁ ପଶି ଆସି ଧନଞ୍ଜୟକୁ ଧମକ ଦେଇଥିଲା ଯେ ଯେଉଁ ମାଈକିନା ପ୍ରମରେ ସେ ଉବୁଟୁବୁ ହେଉଛି ତାକୁ ସେ ରକ୍ଷିତା କରି ରଖିଛି । ତେଣୁ ଯେତେ ଶୀଘ୍ର ପାରିବ ଏ ଘର ଛାଡି ଯାଉ । ଘର କଣ ! ଏ ସହର ଛାଡି ପଳେଇଯାଉ । ଏଇଟା ସପ୍ତାହ ତଳର କଥା । ତା ପର ଦିନ ତାକୁ କୋଳକୁ ନେଲା ବେଳେ ଧନଞ୍ଜୟ ଏ କଥା କହିଥିଲା । ପଚାରିଥିଲା ରାତି ଅଧରେ କାହିଁକି ଗୁଣ୍ଡାଟା ତାକୁ ରକ୍ଷିତା କହିଲା । ତା ଆଗରେ ବହେ କାନ୍ଦିଥିଲା ସେ । କହିଥିଲା-‘ ତମେ ଯେତେ ଶୀଘ୍ର ପାରିବ ମୋତେ ବାହା ହେଇପଡ । ତେବେ ଯାଇ ଆଉ କିଏ ମୋ ଉପରେ ନଜର ପକେଇ ପାରିବନି । ଯିଏ ଧମକ ଦେଲା ସେ କେବଳ ଗଳିର ଏକ ଗୁଣ୍ଡା ଓ ମୋର ଏକ ପାଖିଆ ପ୍ରେମିକ ।‘ ସେଦିନ ଧନଞ୍ଜୟ କହିଥିଲା ପୋଲିସରେ ରିପୋର୍ଟ କରିବ ବୋଲି । ସେ ମଧ୍ୟ ଚାହୁଁଥିଲା ପାନେ ମିଳୁ ସେ ଗୁଣ୍ଡାକୁ । ରାତିସାରା କଥାରେ ଧନଞ୍ଜୟ ଅନେକ କିଛି କହିଥିଲା କିନ୍ତୁ ବାହାଘର ବିଷୟରେ ପଦେ ନୁହଁ । ତା ମାନେ ସତସତିକା ଧନଞ୍ଜୟ ଆସି ପୋଲିସ ପାଖରେ ରିପୋର୍ଟ କରିଛି । ମାନେ ତା ପୂର୍ବ ସ୍ଵାମୀ ପାଖରେ କରିଛି । ଯଦି ତା ଅପାରଗ ମାଇଚିଆ ପୂର୍ବ ସ୍ଵାମୀ ନୂଆ ଥାନାବାବୁ କଥାଟିକୁ ଗୁରୁତ୍ଵ ଦିଅନ୍ତା, ତେବେ ହେଇଥାନ୍ତା କି ଧନଞ୍ଜୟ ବଞ୍ଚିଥାନ୍ତା............. ।

           ବଡବାବୁ ଓ ମହିଳା କନେଷ୍ଟବଳ ଠରାଠରି ହେଲେ । ଲେଖାଳି ଫଟୋଟିଏ ତା ଆଗରେ ବାହାର କରି ରଖିଲା । ସ୍ତ୍ରୀ ଲୋକଟି ଭଲ ଭାବରେ ଫଟୋଟିକୁ ଦେଖିଲା । ଚିହ୍ନିଲା ନ ଚିହ୍ନିଲା ପରି ଦେଖିଲା ।

           ସିଏ ଭଲ ଭାବରେ ଜାଣିଛି ଫଟୋରେ କିଏ ଅଛି । ବର୍ଷେ ତଳେ ଏକ ମେଘୁଆ ରାତିରେ ଛାତ ଦେଇ ତା ଘର ଭିତରେ ପଶିଥିଲା ସେ ଲୋକଟା । ବନ୍ଧୁକ ମୁନରେ ତାକୁ ଗୋଟିଏ କୋଣରେ ବସେଇ ବାନ୍ଧିଥିଲା ତା ପାଟି । ବାହାରେ ଶୁଭୁଥିଲା ପୋଲିସର ସାଇରନ । କିନ୍ତୁ କେବଳ ଶାଢୀଟିଏ ପିନ୍ଧିଥିବା ତା ଦେହର କିଛି ପ୍ରସ୍ପୁଟିତ ଅଂଶ ରାକ୍ଷସ ପ୍ରବୃତି ଜାତ କରାଇ ଥିଲା ତା ଭିତରେ । ବନ୍ଧୁକ ମୁନରେ ଲଙ୍ଗଳା କରେଇଥିଲା ସେ । ପ୍ରଥମ ଥର ପାଇଁ ସ୍ଵାମୀକୁ ଛାଡି ଆଉ କେଉଁ ପର ପୁରୁଷ ଆଗରେ ସେ ହୋଇଥିଲା ଉଲଗ୍ନ । ଆଖି ବୁଜି ଦେହ ଭିତରେ ପୋତି ଦେଇଥିଲା ନାରୀତ୍ଵର ଲାଜ ସରମ । ସେଇ ରାତିରେ ତା ଦେହକୁ ଝୁଣିଥିଲା ଗୁଣ୍ଡାଟା । ସେଇ ଦିନଠୁ ତା ଦେହ ଉପରେ କେବଳ ତାର ରାଜୁତି । ଯେବେ ଚାହୁଁଛି ସେବେ ଆସି ନିଜର ଅଧିକାର ଜାହିର କରି ଯାଉଛି । ସେ ପାଲଟି ଯାଇଛି ତାର ରକ୍ଷିତା । ଗଳି ମହଲାରେ ତା ଘରକୁ ତାକୁ ଆସିବାର ଅନେକ ଲୋକ ଦେଖିଛନ୍ତି । କିନ୍ତୁ ତା ଯୋଗୁଁ ଅନେକ ଫାଇଦା ମଧ୍ୟ ହେଇଛି ତା’ର । ବିନା ପଇସା ଓ ଅନ୍ୟର ଗୋଡଧରାରେ ତା ଘର ଭରିଛି । ଇସ୍ତ୍ରୀ ପାଇଁ କୋଇଲାଠୁ ପିନ୍ଧା ଶାଢୀ ଯାଏଁ । ଧୀରେ ଧୀରେ ତା ଘର ଭରି ଯାଇଛି ଟିଭି, ଫ୍ରୀଜ, ୱାସିଙ୍ଗ ମସିନ ଆଦି ଅତ୍ୟାଧୁନିକ ସାମାନରେ । ଯଦିବା ସେ ଗୁଣ୍ଡାଟାକୁ ଭଲ ପାଉନଥିଲା । କିନ୍ତୁ ତା ନାମରେ ମିଳୁଥିବା ସୁରକ୍ଷା ବଳୟକୁ ସେ ମୁକ୍ତ ମନରେ ସ୍ଵୀକୃତି ଦେଇଥିଲା । କମ ସେ କମ ତା ପୂର୍ବତନ ସ୍ଵମୀଠୁ ଢେର ଭଲ ଲାଗୁଥିଲା । ଧୀରେ ଧୀରେ ଦେହସୁଆ ହେଇଗଲା ଗୁଣ୍ଡାଟା ତା ପାଇଁ । ଦେହ ଓ ସମାଜ ଦୁଇଟା ଯାକ ପୀଡାରୁ ମୁକ୍ତି ଦେଉଥିଲା ତାର ସାନିଧ୍ୟ ......................।  

           ‘ଚିହ୍ନିଛୁ କି ଲୋକଟା କିଏ ?’

           ‘ନିଶ୍ଚୟ ଚିହ୍ନିଛି ଆଜ୍ଞା ।

           ଏ ଉତ୍ତରରେ ତିନି ଜଣଙ୍କ ମୁହଁରେ ଉକୁଟି ଉଠିଲା ହସ ଟିକେ ।

           ‘କେମିତି ଚିହ୍ନିଛୁ ତାକୁ ?’

           ‘ତା ନାଁ ଗାଁ ମୁଁ କିଛି ଜାଣିନି । କିନ୍ତୁ ଏଇ ଲୋକଟାକୁ ଯୋଗୁ ମୋ ଜୀବନ ନର୍କ ହେଇଯାଇଛି । ଥରେ ଦୁଇଥର ରାସ୍ତାଘାଟରେ ମୋତେ ହଇରାଣ କରିଥିଲା । କିଛି ଲୋକ ଦେଖିଛନ୍ତି । ପଚାରି ପାରନ୍ତି । ସବୁବେଳେ ଜବରଦସ୍ତି ତା ପୋଷାକ ଇସ୍ତ୍ରୀ କରିଛି କିନ୍ତୁ କାଙ୍ଗାଳ ପଇସା ମୋତେ ଦିଏନି । ମୋ ମୁହଁରୁ କେବଳ ଅଭିଶାପ ହିଁ ବାହାରିବ । ମୋ ବାପର ଘର ଉପରେ ତା ଆଖି । ଏକୁଟିଆ ସ୍ତ୍ରୀ ରହିବାର ଦେଖି ତାର ସାହସ ଆସିଛି । ସବୁଆଡେ କହିବୁଲିଲା ମୁଁ ତାର ରକ୍ଷିତା । ପୁରାପୁରି ମୋତେ ବଦନାମ କରି ରଖିଛି ଲୋକଟା । ଯେତେ ଶୀଘ୍ର ପାରିବ ତାକୁ ଧରି ଫାଣ୍ଡିରେ ମାରନ୍ତୁ । ମୁଁ ସାକ୍ଷୀ ଦେବି ତା ବିରୁଦ୍ଧରେ ।‘

           ତିନି ଜଣଙ୍କର ମୁହଁରେ ଟିକିଏ ଉଦାସ ଦେଖାଗଲା । ସେମିତି କିଛି ଖାସ ସେ ସ୍ତ୍ରୀ ପାଖରୁ ମିଳିଲା ନାହିଁ ।

           ‘ତୁ ତ ଇସ୍ତ୍ରୀ କରି ପେଟ ପୋଷୁଛୁ । କିନ୍ତୁ ଏତେ ପଇସା କେଉଁଠୁ ଆସିଲା ଯେ ତୋ ପାଖରେ ସବୁ ଅଛି, ଯାହା ଆମ ପାଖରେ ଏତେ ବର୍ଷ ଚାକିରି ପରେ ନାହିଁ?’ - ଟିକିଏ ଡରେଇବା ଭଳି ବଡବାବୁ ପଚାରିଲେ କାଳେ କିଛି ଗୂଢ ରହସ୍ୟ ମିଳିଯିବ ପରା ।

           ‘ କି କଥା କହୁଛ ସାବ । ମୋର କିଏ ଅଛି ଖାଇବାକୁ । ବାପା ମା ସୁରତରେ । ଚାରି ବର୍ଷ ହେଲା କମଉଛି । ଘରଭଡା ଦେବାର ନାହିଁ । ପୁଣି ସ୍ଵାମୀ ଛାଡିଲା ବେଳକୁ ଭରଣ ପୋଷଣ ପାଇଁ ଯାହା ମିଳିଥିଲା ତାହା ସଞ୍ଚିତ ଅଛି । ଚାହିଁଲେ ଆପଣ ଭୁବନେଶ୍ଵର ଆଇ ଜି ରଜତ ତ୍ରିପାଠୀ ଆଜ୍ଞାକୁ ପଚାର । ସେ ମୋ ଛାଡପତ୍ର କଥା ବୁଝିଥିଲେ । ସେତେବେଳ ତାଙ୍କ ତଳେ ମୋ ସ୍ଵାମୀ କାମ କରୁଥିଲା । ପୁଣି ଆଜିକାଲି ତ ସବୁ ଜିନିଷ ଶସ୍ତା ହେଇଗଲାଣି । ଟିଭି, ଫ୍ରୀଜ କୋ ବଡ କଥା କି ? ତା ପାଇଁ ଅନ୍ୟଠୁ ଧନ ଲୋଟିବା କଣ ଦରକାର ?‘-ନିର୍ଭୀକ ଭାବରେ ଯୁକ୍ତି ବଢିଲା ସ୍ତ୍ରୀ ଲୋକଟି । ଆଇ ଜି ରଜତ ତ୍ରିପାଠୀ ନାଁ ଶୁଣି ତିନି ଜଣ ଟିକେ ନରମି ଗଲେ । ଭାବିଲେ ଆଇ ଜି କୁ ଜାଣିଥିବା ବ୍ୟକ୍ତି କାହିଁକି ଏ କାମ କରିବ । ଆଉ କିଛି ପଚାରିବାର ନଥିଲା ସେମାନଙ୍କର । ଲେଖାଳି କହିଲା –‘ତମେ ଯାହା କହିଛ ଏଠି ଆମେ ଲେଖିଛୁ । ଦସ୍ତଖତ ଦିଅ ଓ ଗଲା ବେଳକୁ କପିଟିଏ ନେଇ ଯିବ । ସ୍ତ୍ରୀ ଲୋକଟିର ଦସ୍ତଖତ ଦେଖି ବଡବାବୁ ପଚାରିଲେ –‘ତମ ନାଁ ତ ସାରା ମାଝୀ । ତମେ କାହିଁକି ଲେଖୁଛ – ଅଳତା ମାଝୀ ।

           ଖାଇଗଲା ଆଖିରେ ସ୍ତ୍ରୀ ଲୋକଟି ଅନେଇଲା ତିନି ଜଣଙ୍କୁ । ତା ପରେ ବିଷ ଉଦଗାରିଲା ଭଳି କହିଲା - ‘ହଇଓ ବାବୁ ! ତମ ମାନଙ୍କୁ କିଏ ସବୁ ଥାନାରେ ଚାକିରି ଦେଲା ? ମୋ ନାଁ ନ ଜାଣିବି ଏଠିକୁ କେମିତି ଆଣିଲୁ । ମୁଁ ଅଳତା ମାଝୀ । ବାପା ଗଣେଶ ମାଝୀ । ମା ଲବଙ୍ଗ ମାଝୀ । ଘର ଆଳି, କେନ୍ଦ୍ରାପଡା । କିନ୍ତୁ ବାପା ତଳୁଆ ସାହିରେ ଦୀର୍ଘ ଚାଳିଶି ବର୍ଷ ହେଲା ରହିଲେଣି । ଯେବେଠୁ ସେ ରଇଜଳା ଗୁଣ୍ଡାଟା ମୋ ଜୀବନରେ ଆସିଲାଣି ସେବଠୁ ସାହି ଲୋକମାନେ ଭାବିଲେ ମୁଁ ତାର ରକ୍ଷିତା । ମୋ ଉପରେ ତାର କବଜା ହେଇଛି ଯେମିତି ଗୁଣ୍ଡା ମାନେ ଅବୈଧ ଭାବରେ ଜମି କବଜା କରନ୍ତି । ସାହିରେ ଅନେକ ଲୋକ ଖୁସୁରୁ ଫୁସୁରୁ ହେଲେ ସାରା ...ସାରା .....ସାରା ମାଝୀ । ପ୍ରଥମେ ପ୍ରଥମେ ମୁଁ ବୁଝି ପାରିଲିନି । ତା ପରେ ମୁଁ ଜାଣିଲି ସେଇ ବେଈମାନ ହିଁ ମୋତେ ବଦନାମ କରିଛି । ତା ନାଁ ବୋଧେ ସାରା .....ସାରୁ ......ସାରି ....କଣ ହେଇଥିବା । ଭଲରେ ଖୋଜନ୍ତୁ । ଧରା ପଡିଲେ ମୋ ଆଡୁ ଦୁଇ ପାହାର ଦେବେ । କିଛି ଖର୍ଚ୍ଚ ପାଣି ଦେଇଦେବି । ‘ ଏତିକି କହି ସେ ଉଠିଲା ଯିବା ପାଇଁ । ଏ ସମୟରେ ଥାନାବାବୁ ପହଞ୍ଚିଲେ ଟେବୁଲ ପାଖକୁ । ପଚାରିଲେ ଆଳୁ ମିଳିଲା କି ସାରୁ ମିଳିଲା ।

           ବଡବାବୁ କହିଲେ –“ବଡ ଡେଞ୍ଜର ମାଈକିନା ସାର । କଥା କହି ହେବନି । ଯଦି ବେଶୀ ଖୋଳିବେ ମହିଳା କମିଶନ ଆଗରେ ଠିଆ ହେବାକୁ ପଡିଯିବ। ‘

           ଥାନାବାବୁ ବଡ ବଡ ଆଖିରେ ତାକୁ ଅନେଇଲେ । -ନିଜର କିଛି ପରିଚୟ ଦେଲା କି ? ତା ଅତୀତ ବିଷୟରେ କିଛି କହିଲା କି ?’

           ‘ନା ଥାନାବାବୁ ! ସେ ସବୁ କିଛି କହିଲାନି । କିନ୍ତୁ ତା ପୂର୍ବ ସ୍ଵାମୀ ବିଷୟରେ ଖାଲି ନାଗୁଣୀ ଭଳି ଫଁ ଫଁ ହେଲା । ବହେ ଗାଳି ଦେଲା । ‘ –ମହିଳା କନେଷ୍ଟବଳ ଉତ୍ତର ଦେଲା ।

           -‘ହଉ ହଉ ! ତାକୁ ଛାଡିଦିଅ । କିନ୍ତୁ ସାହି ଛାଡି ଯିବାକୁ ମନା କର ଯେ ପର୍ଯ୍ୟନ୍ତ କେଶ ସରିନି । ସସପେକ୍ଟ ଲିଷ୍ଟରେ ତା ନାଁ ପ୍ରଥମେ ରଖ କିନ୍ତୁ ଅନଅଫିସିଆଲ। କାନୁନକୁ କିଏ ଠକି ପାରିବ । କେବେ ନା କେବେ ଧରା ପଡିବ ଯଦି ଅପରାଧ କରିଥିବ । ମୁହଁ ଟା ଅମ୍ବିଳା କରି ଆଦେଶ ଦେଲେ ଥାନାବାବୁ ‘ ।

           ଏତିକି କଥା ଶୁଣିଲା ପରେ ନିଜକୁ ଅଳତା ମାଝୀ ପରିଚୟ ଦେଇଥିବା ସ୍ତ୍ରୀ ଲୋକଟି ଥାନାରୁ ଏକମୁହଁ ହୋଇ ବସ୍ତି ରାସ୍ତାକୁ ଆଗେଇଲା । ଯେତେ ଯେତେ ସେ ଆଗେଇଲା ସେତେ ସେତେ ତା ପାଦର ଗତି ବଢିବାକୁ ଲାଗିଲା । ପଛକୁ ଫେରିବାର ଆଉ ଚାରା ନାହିଁ। ତା ମୁଣ୍ଡ ଭିତରେ ଘାଣ୍ଟି ହେଉଥିଲା ସାରା ମାଝୀ ........ଧନଞ୍ଜୟ .........ଓ ଆଳାତା ମାଝୀ ମଧ୍ୟରେ ଉପୁଜିଥିବା ମିଛସତର ତ୍ରିକୋଣୀୟ ପ୍ରେମ କାହାଣୀ ।

           .......ଏଇନେ ନିଜର ପରିଚୟ ଦେଇଥିବା ଅଳତା ମାଝୀ ଜାଣିଛି ସାରା ମାଝୀକୁ ଓରଫ ସାରାଂଶ ମାଝୀକୁ । ପିଲା ବେଳୁ ସାରା ନାଁ ରେ ପରିଚିତ ସାରା ମାଝୀ ଗାଁ ପୂଜା କମିଟିରୁ ପାଣି ପାଇପି ଆସିବା ଯାଏଁ ସବୁଠି ଛୋଟ ମୋଟ ଝଗଡାରେ ସାମିଲ ହେଉ ହେଉ କୁଜି ରାଜନିତୀଙ୍କ ଶରଣରେ ଆସିଲା । ଲୋକେ ତାକୁ ଡରିବାରେ ଲାଗିଲେ । ଯେଉଁ ଦିନ ଘରେ ପଶି ତା ଇଜ୍ଜତ ସହ ଖେଳ ଖେଳିଥିଲା ସେଦିନ ହିଁ ସେ ତାକୁ ପ୍ରତ୍ୟେକ୍ଷ ସାରା ମାଝୀର ପରିଚୟ ପାଇଥିଲା ଓ ଜୀବନ ବଞ୍ଚେଇବା ଭୟରେ ସବୁ ସହୁଥିଲା । କିନ୍ତୁ ସାରା ମାଝୀ ଯେତେବେଳ ତାକୁ ଭଲ ପାଉଛି ବୋଲି କହିଲା ଓ ବାହା ହେବ ବୋଲି କହିଥିଲା ସେଦିନ ତା ପ୍ରତି ମନରେ ଥିବା ରାଗଟିକେ କମିଥିଲା । କାରଣ ଅନ୍ତତଃ ସେ ତା ଦେହ ସହ ଖେଳି ଅଲୋଡା ବସ୍ତୁ ପରି ରାସ୍ତାରେ ଫୋପାଡି ଦେଇନି । ଜଣେ ଗୁଣ୍ଡା ପ୍ରବୃତିର ଲୋକଠୁ ସାଧାରଣ ମଣିଷର ଗୁଣ ଦେଖି ଧୀରେ ଧୀରେ ତାକୁ ତା ଆଡୁ ଅପେକ୍ଷା କରୁଥିଲା । କିନ୍ତୁ ଯେଉଁ ଦିନଠୁ ତା ନାଁ ଚିଟଫଣ୍ଡରେ ବାହାରିଲା ସାରା ମାଝୀ ଲୁଚି ଲୁଚି ବୁଲୁଛି ।

           ଅଳତା ମାଝୀ ବୁଝି ପାରୁଥିଲା ଯେ ସାରା ଆଉ ତା’ର ସୁରକ୍ଷିତ ଭବିଷ୍ୟତ ନୁହଁ । ନଚେତ ସେ ବି କେବେ ଜେଲରେ ସଢିବ । ଏମିତି ତ ଜୀବନ ଅନେକ ଯନ୍ତ୍ରଣା ଦେଇ ସାରିଲାଣି । ତେଣୁ ଜାଣି ଜାଣି ସେ ସାରାଠୁ ଦୂରେଇବାରେ ଲାଗିଲା । କିନ୍ତୁ ନାରୀ ଜୀବନର ଖୋଳି ହେଇଯାଇଥିବା କ୍ଷତ ବଢିବାରେ ଲାଗିଲା । କେବେତ ସୁଖ ଆସିବ ନିଶ୍ଚୟ ।

           ଏମିତି ସମୟରେ ତା ଜୀବନରେ ଆସିଥିଲା ଧନଞ୍ଜୟ । ଚଣ୍ଡିଗଡରେ ଚାକିରୀ କରୁଥିଲା । ବଦଳି ହେଇ ଆସିଛି ଓଡ଼ିଶାକୁ କମ୍ପାନୀର ଅଫିସକୁ ସିକୁରିଟୀ ଅଫିସର ଭାବେ । ଏବଂ ବିତେଇଛି ଏକାନ୍ତ ଜୀବନ । ଧୀରେ ଧୀରେ ଭାବ ଦିଆନିଆରୁ ନିଜଆଡୁ ସ୍ଵୀକୃତି ଦେଇଛି ଧନଞ୍ଜୟକୁ । ଧନଞ୍ଜୟ ଏକ ଦୁର୍ବଳ ମୁହୂର୍ତ୍ତରେ କହି ବସିଛି -ଅଳତା ! ମୁଁ ତୁମକୁ ଭାରି ଭଲପାଏ । ତମେ ହିଁ ମୋ ଏକାନ୍ତ ଜୀବନରେ ଜଳି ଉଠୁଥିବା ଦୀପଟିଏ’ । ଜୀବନରେ କିଏ ବି ଏତେ ଆଦରରେ ଏମିତି କଥା କହିନଥିଲା ତାକୁ । ଅଳତା ବି ତା ବାହୁ ବନ୍ଧନରେ ବାନ୍ଧି ହେଇଛି ଅନେକ ରାତି । ଅଜାଡି ଦେଇଛି ଛାତିର ଅନେକ ତାତି । ଯେମିତି ମରୁଭୂମିରେ ମିଳି ଯାଇଥିବା ପାଣି ଓ ଭାସୁଥିବା ସମୟରେ କୁଟାର ସାହାରା । କିନ୍ତୁ ସେ ସାରା ମାଝୀ କଥା କେବେ ବି କହିନି ତାକୁ । ସେ ଚାହୁଁ ନଥିଲା ପୁରୁଣା କଳୁଷିତ ଅତୀତ ଜନ୍ମ ପୂର୍ବରୁ ନୂଆଁ ସମ୍ପର୍କକୁ ମାରିଦେଉ । ଅନେକ ଯନ୍ତ୍ରଣା ପରେ ଖୁସି ଟିକେ ଆସିଛି ଯାହା ନିଜ ହାତରେ ତିଆରିଛି । ସୁଖ ଉପରେ ତା’ର ବି ଅନ୍ୟ ମାନଙ୍କ ପରି ଅଧିକାର ଅଛି । ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ତା’ର ବି ଅଛି ।

           ଧନଞ୍ଜୟ ଓ ତା ସମ୍ପର୍କ ବିଷୟରେ ଜାଣିଲା ପରେ ହଠାତ ଦିନେ ଅଧରାତ୍ରରେ ଆସି ପହଞ୍ଚିଲା ସାରା ମାଝୀ । ପ୍ରଥମେ ତାକୁ ଧମକେଇଲା ଧନଞ୍ଜୟ ସହ ସମ୍ପର୍କ କାଟିବାକୁ । ତାପରେ ଧନଞ୍ଜୟକୁ ଅନ୍ଧାରର ଫାଇଦା ନେଇ ଧୂମ ମାଡମାରିଲା ପରେ କହିଲା ଯଦି ସପ୍ତାହ ଭିତରେ ଏ ସହର ଛାଡି ଚାଲି ନଯାଏ ତେବେ ବିଚ ରାସ୍ତାରେ ଗୁଳି ମାରିଦେବ ।

           ତା ପର ଦିନ ସକାଳେ ଧନଞ୍ଜୟ ତାକୁ ପଚାରିଥିଲା ସାରା କିଏ ? ଅଳତା ଉତ୍ତର ଦେଇଥିଲା ଯେ -‘ସାରା ଜବରଦସ୍ତ ତାକୁ ପାଇବାକୁ ଚାହୁଞ୍ଛି ଏବଂ ମାରିଦେଇ ତା ଘର ହାତେଇବାକୁ ଚାହୁଁଛି । ଏବେ ତମେ ହିଁ ମୋତେ ବାହାହେଇ ସ୍ତ୍ରୀର ଅଧିକାର ଦିଅ ଯାହାଦ୍ଵାରା ସେ ଆଉ ଏଠି ଆସି ପାରିବନି ।‘ ଧନଞ୍ଜୟ ପ୍ରତିକ୍ରିୟା ଦେଇଥିଲା –‘ଯେ ପର୍ଯ୍ୟନ୍ତ ସାରା ନାମକ ଗ୍ରହ ଜୀବନରୁ ନ କଟିଛି ମୁଁ ବାହାଘର କଥା ଭାବି ପାରିବିନି । ତେଣୁ କାଲି ସାରା ବିଷୟରେ ନିର୍ଣ୍ଣୟ ନେବି । ‘ ଏ କଥା ଶୁଣି ଅଳତା ଖୁସି ହେଇଥିଲା । ଯାହା ହେଉ ଏଥର ଖୁସି ତା ଜୀବନକୁ ଆସିବାକୁ ଯାଉଛି । ଧନଞ୍ଜୟକୁ ନେଇ ସେ ଘର ସଂସାର କରିବ ।

           ତା ପର ଦିନ ଧନଞ୍ଜୟ ଘରୁ ବାହାରିବା ପରେ ଅଳତା ଛାତ ଉପରୁ ତା ଘରକୁ ଯାଇଥିଲା । ସେ ଭାବିଥିଲା ଘର ଦ୍ଵାର ସଫା କରି ସୁଆଦିଆ କିଛି ରନ୍ଧଣା କରି ରଖିବ ଯାହାଦ୍ୱାରା ତାକୁ ଅଧିକ ପ୍ରେମ ମିଳିବ । ସଂସାର କରିବାର ସ୍ଵପ୍ନରେ ଧନଞ୍ଜୟର ପ୍ରତ୍ୟେକ ଜିନିଷ ତାକୁ ନିଜର ପରି ଲାଗିଲା । ଘରକୁ ସଜାଡୁ ସଜାଡୁ ପାଇଲା ସେ ଛୋଟ ଆଲବମଟିଏ । ଧନଞ୍ଜୟକୁ ବର ବେଶରେ କାହା ସଙ୍ଗରେ ଦେଖିଲା । ଅନ୍ୟ ଫଟୋରେ ତାଙ୍କ ସହ ପାଞ୍ଚ ଛ ବର୍ଷର ଝିଅଟିଏ ବସିଛି । ଏ ସବୁ ଦେଖି ନିଜେ ତୋଳୁଥିବା ଘରର କାନ୍ଥ ଭୁଷୁଡି ପଡିଗଲା ଭଳି ଲାଗିଲା । ଆଉ ଟିକେ ତନ ତନ କରି ଖୋଜିଲା ସେ । ପାଇଲା ପରିଚୟ ପତ୍ରଟିଏ । ନାମ –ସୁଜାତା ଚୌଧୁରୀ । ସ୍ଵାମୀ –ଧନଞ୍ଜୟ ଚୌଧୁରୀ । ଗ୍ରାମ –ବଡବିଲ, କେଉଁଝର । ବର୍ତ୍ତମାନର ଠିକଣା –ଘର ନଂ ୧୩ /ଏଚ ,ସେକ୍ଟର ୧୪ ,ଚଣ୍ଡୀଗଡ଼ ।

           ଅଳତାକୁ ଆଉ ବୁଝିବାକୁ ବାକି ରହିଲାନି ଯେ ଧନଞ୍ଜୟ ବିବାହିତ । ଏ ଯାଏଁ ତାକୁ ସେ ଅନ୍ଧାରରେ ରଖିଛି । କେବଳ ବିବାହିତ ନୁହଁ ବରଂ ଗୋଟେ ପିଲାର ପିତା । ନିଜ ବିକଳ ମୁହଁକୁ ନିଜ ହାତ ପାପୁଲିରେ ପୁରାଇ ମନଭରି କାନ୍ଦିଲା ଅଳତା ମାଝୀ । ତା ଜୀବନରେ ଭଗବାନ ଦୁଃଖ ପରେ ଦୁଃଖ ଅଜାଡି ଦେଉଛନ୍ତି । ଯେଉଁ ଡାଳକୁ ସେ ଧରୁଛି ସେ ଡାଳ ଭାଙ୍ଗୁଛି । କି ଦୁର୍ଭାଗ୍ୟ ନେଇ ଜନ୍ମିଥିଲା ସେ । ଧନଞ୍ଜୟ ତା ଦେହ ସହ ଖେଳିବା ସହ ତା ମନ ହୃଦୟକୁ ନେଇ ବି ଖେଳୁଛି । ନିଜ ସ୍ଵାମୀର ଜୀବନରେ ଅନ୍ୟ ସ୍ତ୍ରୀର ପ୍ରବେଶ କେତେ ଯନ୍ତ୍ରଣା ଦାୟକ ସେ ଜାଣିଛି । ତେଣୁ ଧନଞ୍ଜୟ ସ୍ତ୍ରୀର ଜୀବନରେ ଅନ୍ୟ ସ୍ତ୍ରୀ ହୋଇ ଆସିବାକୁ ଚାହିଁଲା ନାହିଁ । ଏତେ ବଡ ଭୁଲ କରି ପାରିବନି ସେ ।

           ଧନଞ୍ଜୟର ମୁହଁ ତା ପୂର୍ବତନ ସଇତାନ ସ୍ଵାମୀଙ୍କ ମୁହଁ ପରି ଦେଖାଗଲା । ବରଂ ତାଠୁ ଅଧିକ ଲାଗିଲା ଲମ୍ଫଟ । ଅତ୍ୟନ୍ତ ଘୃଣା ଭାବ ଜାତ ହେଲା । ଏତେ ବଡ ଧୋକା ! ତାଠୁ ଭଲ ଗୁଣ୍ଡା ସାରା ମାଝୀ । ଅତ୍ୟନ୍ତ ସେ ତା ଦେହକୁ ଖେଳିଲା ପରେ ତାକୁ ସୁରକ୍ଷା ଦେଉଛି ଓ ବାହା ହେବାକୁ କହୁଛି । ସଂପୂର୍ଣ୍ଣ ପୁରୁଷ ଜାତି ପାଇଁ ତା ମନରେ ଜାତ ହେଲା ବିଦ୍ରୋହର ଭାବନା । ଇଚ୍ଛାହେଲା ତିନି ଜଣଙ୍କୁ ଧାଡିରେ ଠିଆ କରି ଗୁଳି ମାରି ଦେବାକୁ । କିଏ ହେଲେ ତା ନାରୀ ମନର ଇଚ୍ଛା ଓ ସମ୍ମାନକୁ ବୁଝିବାକୁ ଚେଷ୍ଟା କଲେନି । ତେଣୁ ନିଶ୍ଚୟ ଶାସ୍ତି ଦେବାକୁ ହେବ । ହଁ ........ହଁ ....ଶାସ୍ତି ଦେବାକୁ ହେବ । ଯେଉଁ ଜିନିଷ ଯେମିତି ଥିଲା ସେମିତି ରଖିଦେଇ ଫେରିଲା ନିଜ ଘରକୁ । ଏବଂ ସାରା ମାଝୀର ଚେଲା ହାତରେ ଖବର ଦେଲା ସେ ତାକୁ ଭେଟିବାକୁ ବ୍ୟାକୁଳ ।

           ଦୁଇ ଦିନ ତଳେ ଅନ୍ଧାର ଭିତରେ ସେ ସାରା ମାଝୀକୁ ଭେଟିଥିଲା ବସ୍ତିର ଶେଷରେ ଥିବା ଦେବୀ ମନ୍ଦିର ଉସ୍ତ ଗଛ ତଳେ । ସାରା ମାଝୀର ଓଠରେ ଓଠ ଦେଇ କହିଲା –‘ସାରା ! ତମ ବିନା ମୁଁ ଆଉ ଘଡିଏ ବି ବଞ୍ଚି ପାରୁନି । କିନ୍ତୁ ଆମ ଭିତରେ ଫାଟକ ହୋଇ ଠିଆ ହେଇଛି ଧନଞ୍ଜୟ ନାମକ ରାହୁ । ସେ ମୋ ପାଇଁ ଏକତରଫା ପ୍ରେମରେ ପାଗଳ ହେଇଛି । ମୁଁ ଅସୁରକ୍ଷିତ ଅନୁଭବ କରୁଛି । କହିଛି ତମକୁ ମାରି ଦେଖେଇବ ମରଦ ପଣିଆ । ମୋତେ ତମ ପାଇଁ ଡର ଲାଗୁଛି । ‘

           ଅନେକ ଦିନ ପରେ ଅଳତାର ଏ ପ୍ରକାର ଖୋଲା ଖୋଲି ଭଲ ପାଇବା ଦେଖି ଆତ୍ମହରା ହେଇ କହିଲା ସାରା ମାଝୀ –‘ ସମସ୍ତେ ଜାଣିଛନ୍ତି ତମେ ମୋର ମୁଁ ତମର । ଆମ ପ୍ରେମ କାହାଣୀ ଦିନେ ନା ଦିନେ ଇତିହାସ ରଚିବ । ଆଉ ରହିଲା ଧନଞ୍ଜୟ କଥା । କାଲିର ସୂର୍ଯ୍ୟ ସେ ଦେଖିବ ନାହିଁ ଏହା ତମ ପ୍ରତି ମୋର ପ୍ରତିଶ୍ରୁତି । ମୁଁ ତାକୁ ଦେଖେଇ ଦେବି ଗୁଣ୍ଡାଗିରି କାହାକୁ କୁହାଯାଏ । ତମେ ତାକୁ ଯେମିତି ହେଲେ ରାତି ପାହିବା ପୂର୍ବରୁ ତିନିକୋଣିଆ ବଗିଚା ମହାନଦୀ କୂଳ ଶିବ ମନ୍ଦିରକୁ ଏକୁଟିଆ ପଠାଇବାର ବ୍ୟବସ୍ଥା କର । ଆଉ ହଁ, ଏବେ ମୋତେ ମିଶିବାକୁ ଚେଷ୍ଟା କରିବନି । ଅତି ଆବଶ୍ୟକ ହେଲେ କେନ୍ଦୁଝର ବଡ଼ବିଲ ବିହାରୀ ଖଦାନକୁ ଆସିବ ‘ ।

           ଭୋରୁ ଭୋରୁ ଧନଞ୍ଜୟ ଯାଇଥିଲା ନଦୀକୂଳ ମହାଦେବ ମନ୍ଦିର ବେଢାରୁ ଅଳତା ପାଇଁ ଚମ୍ପାଫୁଲ ଆଣିବାକୁ ଯାହା ସେ ଗତ ରାତି କଥା ଦେଇଥିଲା ପ୍ରେମର ଛଳନାରେ । ଥରେ ସେ ତାକୁ ବାହା ନ ହେଇ ପାରିବାର କାରଣ ସାରା ମାଝୀକୁ ଦେଇଛି । ଅଧିକ ଆଉ ଠକି ହେବନି । ଚଣ୍ଡୀଗଡରେ ସ୍ତ୍ରୀକୁ ଛାଡି ଆସିଥିଲା କାରଣ ତା ସ୍ତ୍ରୀ ଆଉ ଭଲ ଲାଗୁନଥିଲା । ଏଠି ଅତି ସହଜରେ ଅଳତା ମିଳିଛି ଯିଏ ତା ଜୀବନର ଅତୃପ୍ତ କାମନାକୁ ଚରିତାର୍ଥ କରିଛି । ଅଳତା ଭଳି ସ୍ଵାମୀ ପରିତ୍ୟକ୍ତା ଝିଅ କେବଳ ଉପଭୋଗ ପାଇଁ ଯୋଗ୍ୟ କିନ୍ତୁ ସ୍ତ୍ରୀ ହେବାର ନୁହଁ । ଫୁଲ ତୋଳି ସେ ଯେମିତି ଫେରୁଛି ବିଦ୍ଧ ହେଇଗଲା ତା ଛାତିରେ ସାରା ମାଝୀର ଗୁଳି । 

            ପାଖେଇ ଆସିଲା ଅଳତାର ଘର । ପ୍ରାଣ ବିକଳରେ କବାଟ ଝରକା ସବୁ ପକେଇଦେଲା । ତକିଆ ଭିତରୁ ମୋବାଇଲ ବାହାର କରି ଦେଖିଲା ଯେ ଆଇ ଜି କଲ କରିଛନ୍ତି କି ନା । କାରଣ ସାରା ମାଝୀ ସହ ମିଶିବା ପରେ ପରେ ସେ ଯାଇଥିଲା ଆଇ ଜି ପାଖକୁ । ସାରା ମାଝୀକୁ ତା ଜୀବନର କଣ୍ଟା ବୋଲି କହିଥିଲା । ଗୋଟେ ରାତି ବଦଳରେ ଆଇ ଜି ପ୍ରତିଶ୍ରୁତି ଦେଇଥିଲା ସେ କଣ୍ଟା କାଢି ଦେବାକୁ –ଠିକ ଯେମିତି ଚାରି ବର୍ଷ ତଳେ ତା ସ୍ଵାମୀଠୁ ପାଉଣା ପାଇବାର ବଦଳେ ଦେଇଥିଲା ଗୋଟେ ରାତି ...........। ଏବେ ଅଳତା ମାଝୀ ଭାବୁଛି କେତେ ଶୀଘ୍ର ସକାଳ ହେବ ଏବଂ ଖବର ଶୁଣିବ ‘କୁଖ୍ୟାତ ସାରା ମାଝୀ ପୁଲିସର ଏନକାଉଣ୍ଟରରେ ମୃତ୍ୟୁ ।‘ 

   



Rate this content
Log in

Similar oriya story from Romance