BHAGIRATHI BEHERA

Drama Romance

4  

BHAGIRATHI BEHERA

Drama Romance

ତଟଶୂନ୍ୟ ଶୂନ୍ୟତା

ତଟଶୂନ୍ୟ ଶୂନ୍ୟତା

25 mins
275


ତଟରକ୍ଷୀ ବାହିନୀର ଉଚ୍ଚ ପଦସ୍ଥ ଅଫିସର ଭାବେ ଯୋଗ ଦେଇଥିବା ସ୍ଵାଗତଙ୍କ ପାଇଁ କୋଣାର୍କ ନୂଆଁ ନଥିଲା । ସବୁଦିନେ ସେ ଅପରାହ୍ନ ଚାରିଟାରୁ ସନ୍ଧ୍ୟା ସାତଟା ଯାଏଁ ସମୁଦ୍ରକୂଳରେ ନିୟମିତ ବୁଲି ଦେଖନ୍ତି ତାଙ୍କ ଅଧୀନସ୍ଥ କର୍ମଚାରୀମାନେ ଠିକରେ ନିଜ କର୍ତ୍ତବ୍ୟ କରୁଛନ୍ତି କି ନାହିଂ ।

           ଯେତେ ଯେତେ ଚାରିଟାରୁ ସନ୍ଧ୍ୟା ଛଅଟା ହୁଏ ସେତେ ସେତେ ସହରୀ ବାସିନ୍ଦାଙ୍କ ଭିଡ ଜମେ ଦୈନନ୍ଦିନ ଜୀବନର ଜଞ୍ଜାଳରୁ ଟିକେ ମୁକ୍ତ ହେବା ପାଇଁ । ସେତେବେଳେ ଛୋଟ ପିଲାଙ୍କ ହଜିଯିବାର ଘଟଣା ଓ ଗାଡିର ଭିଡ ସଜାଡୁ ସଜାଡୁ ଅସହ୍ୟ ମନେ ହୁଏ । ସନ୍ଧ୍ୟା ଛଅରୁ ଆଠଟା ସମୟ ପ୍ରେମୀଯୋଡା ମାନଙ୍କ ସମୟ । କଲେଜ ଟୋକାଟୋକିଠୁ ଆରମ୍ଭ କରି ପରକୀୟା ପ୍ରୀତିର ପସରା ଖୋଲି ହୋଇଯାଏ ସମୁଦ୍ରବେଳାରେ । ସବୁଠୁ ଅସୁବିଧା ହେଲା ସେମାନେ ଏକାନ୍ତ ଜାଗା ଖୋଜି ଖୋଜି ଜନ ଗହଳିଠୁଁ ଅଧିକ ଦୂରକୁ ଚାଲିଯାଆନ୍ତି । ବେଳେ ବେଳେ ସମୁଦ୍ରରେ ଅସଫଳ ପ୍ରେମର ସଲିଳ ସମାଧି ମଧ୍ୟ ଦେଖିବାକୁ ମିଳେ । ଏହା ପାଇଁ କର୍ମଚାରୀମାନଙ୍କୁ ତତ୍ପର ରହିବାକୁ ପଡେ ଏବଂ ସ୍ଵାଗତଙ୍କୁ ପ୍ରତ୍ୟେକ ମୁହୂର୍ତ୍ତର ରିପୋର୍ଟ ଦରକାର ହୁଏ ।

           ଦେହଜୀବୀ, ଦଲାଲ ଓ ମଦୁଆମାନଙ୍କ ସମୟ ହେଲା ସନ୍ଧ୍ୟା ଆଠଟାରୁ ରାତି ଦଶଟା । ହୋଟେଲରେ ରହୁଥିବା ଦୂର ଜାଗାରୁ ଆସିଥିବା ଯାତ୍ରୀ ସେମାନଙ୍କ ମୁଖ୍ୟ ଟାର୍ଗେଟ ଓ ସଉକିନିଆ ଗରାଖଙ୍କ ମଧ୍ୟ ତାହା ସୁଯୋଗ ଉଣ୍ଡିବାର ସମୟ ।

           ଦଶଟା ହେଲା ମାନେ ତଟ ସମସ୍ତଙ୍କୁ ବାରଣ । ତଟଶୂନ୍ୟ କରି ଘରକୁ ଫେରିଲା ବେଳକୁ ରାତି ଏଗାରଟା । ସରକାର ଦେଇଥିବା ପୁରୁଣା ବଙ୍ଗଳାର ଏକମାତ୍ର ଦାୟିତ୍ଵରେ ଥିବା ବୃଦ୍ଧ ମାଗୁଣି ରାନ୍ଧି ଯାହାଦିଏ ଖାଇ ଶୋଇପଡିବା କଥା । ମାଗୁଣି ଏକସଙ୍ଗରେ ରୋଷେୟା, ଝାଡୁଦାର ଓ ଜଗୁଆଳି । ସ୍ଵାଗତଙ୍କ ଖିଆ ସରିଗଲା ପରେ ମାଗୁଣି ପାଖ ଗାଁ ନିଜ ଘରକୁ ଚାଲିଯାଏ । ଛାଡି ଦେଇଯାଏ ଏକାନ୍ତ ଲମ୍ବା ରାତି ସ୍ଵାଗତଙ୍କ ପାଇଁ । ପୁଣି ସକାଳୁ ସେଇ ଜୀବନ । ପୁଣି ସେଇ ଅପୂରଣୀୟ ଶୂନ୍ୟତା ଯାହା ସ୍ତ୍ରୀ ଆରତୀ ଦେଇ ଆରପାରିକୁ ଚାଲିଯାଇଛି । ଆରତୀକୁ ହରେଇଲା ପରେ ପୁଣି ଥରେ କାହାକୁ ହାରିବାର ସତସାହସ ନାହିଂ ତାଙ୍କର । 

           ସ୍ଵାଗତଙ୍କ ବୟସ ହେବ ଚାଳିଶି ପାଖାପାଖି । ଗୋଟିଏ ମାତ୍ର ପୁତ୍ର ସନ୍ତାନ ବୋଡିଙ୍ଗ ସ୍କୁଲରେ ପଢେ । ମା ଛେଉଣ୍ଡ ପିଲାଟାର ମମି ମାନେ ଆରତୀ ଦୀର୍ଘ ପାଞ୍ଚ ବର୍ଷ ହେଲା ଛାଡି ଆରପାରିକୁ ଚାଲିଯାଇଛି । ସ୍ଵାଗତଙ୍କ ମା ଯେତେ କହିଲେ ବି ସେ ଆଉ ବାହା ହେଲେନି । ପିଲାଟା ଜେଜେମାର ଛାତିରେ ମୁଣ୍ଡ ରଖି ବଢୁଛି । ଆଉ କିଛି ଉପାୟ ନାହିଂ । ପୂର୍ବରୁ ନୌସେନାରେ ମେକାନିକାଲ ବ୍ରାଞ୍ଚରେ ରହି ପନ୍ଦର ବର୍ଷର ସେବା ସରିଲା ପରେ ପୋଲିସ ଚାକିରି ସରକାର ତରଫରୁ ଦିଆଗଲା ତାଙ୍କୁ । କିନ୍ତୁ ସ୍ଵାଗତ ତାହା ଗ୍ରହଣ କଲେ ନାହିଂ ଯେହେତୁ ସେ କେବେ ପୋଲିସ ହେବାକୁ ଚାହିଁ ନାହାନ୍ତି କି ସେ ଚାକିରି ତାକୁ ପସନ୍ଦ ନାହିଂ । ତେଣୁ ତାଙ୍କର ଅନୁରୋଧ କ୍ରମେ ତଟରକ୍ଷୀ ବାହିନୀର ଅଫିସର ନିଯୁକ୍ତି ଦିଆଗଲା ।

           ସ୍ଵାଗତ କିନ୍ତୁ ଏ ଚାକିରିରେ ଭାରି ଖୁସି । ଯାହା ହେଉ ପଛେ ନୀଳସମୁଦ୍ର ନିଜର ଗଭୀରତା ଓ ବ୍ୟାପକତାକୁ ନେଇ ସବୁବେଳେ ତାଙ୍କୁ ବିସ୍ମୟ କରି ଆସିଛି । ଯେବେ ବି ସେ ସମୁଦ୍ରକୁ ଦେଖିଛନ୍ତି ନିଜ ଭିତରର ଶୂନ୍ୟତା ଭରିଗଲା ଭଳି ତାଙ୍କୁ ଲାଗେ । ସେଠି ସେ ପାଲଟି ଯାଆନ୍ତି ଭାବୁକ । ସମୁଦ୍ର ଯେମିତି ତାଙ୍କୁ ଦାର୍ଶନିକ କରେଇ ଦିଏ । ତାଙ୍କ ମନରେ ସମୁଦ୍ରକୁ ନେଇ ଅସରନ୍ତି ପ୍ରଶ୍ନ ଉଙ୍କିମାରେ ...............ସମୁଦ୍ର ତ କେଉଁଠି ନା କେଉଁଠି ମାଟିକୁ ଛୁଏଁ । କୂଳ କି କିନାରା ପାଏ । କିନ୍ତୁ ସବୁଠି କଣ କୋଳାହଳମୟ ଜୀବନ୍ତ ତଟ ପାଇପାରେ .......? ଗଭୀରତା , ବ୍ୟାପକତା ଓ ସାମୁଦ୍ରିକ ଜୀବ ମୋତି ମାଣିକ ନଦନଦୀରେ ପରିପୂର୍ଣ୍ଣତା ପାଇଲେ ବି କେଉଁଠି ନା କେଉଁଠି ତଟଶୂନ୍ୟ ଶୂନ୍ୟତାରେ ସମୁଦ୍ର ଆକ୍ରାନ୍ତ ହେଉଥିବ............. ! ଠିକ ଯେମିତି ଆରତୀ ଗଲା ପରେ ତାଙ୍କ ଜୀବନରେ ଘଟିଛି................... ।        

           କିନ୍ତୁ ଏଇ କିଛି ଦିନ ହେଲା ବ୍ୟତିକ୍ରମ ଘଟୁଛି । ସେ ଦେଖୁଛନ୍ତି, ବତୀଘର ଠିକ ଆଗରେ ଜଣେ ସ୍ତ୍ରୀ ସନ୍ଧ୍ୟା ପାଞ୍ଚଟାରୁ ଆସି ବସି ରହୁଛି ରାତି ନଅଟା ପର୍ଯ୍ୟନ୍ତ । ଏକୁଟିଆ । ଯେମିତି ନିସ୍ଵ । ଯେମିତି ନିଜ ଉପରେ ରାଗିଛି । ତା ମୁହଁରେ କିଛି ପାଇବାର ଆଶା ନାହିଂ କି କାହାକୁ ଅପେକ୍ଷା କରିବାର ବ୍ୟଗ୍ରତା ନାହିଂ । କେବଳ ଏକ ଲୟରେ ଅନେଇ ରହେ ସମୁଦ୍ରକୁ । ଯେମତି ସେ ପଚାରି ବସୁଛି ସମୁଦ୍ରକୁ ଅନେକ ପ୍ରଶ୍ନ । ରହୁଛି ଉତ୍ତରର ଅପେକ୍ଷାରେ । ସମୁଦ୍ର ଓ ସେ ସ୍ତ୍ରୀ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଛି । ଏକ ନୀରବ ଦ୍ଵନ୍ଦ ଯୁଦ୍ଧ । ବତୀଘରକୁ ଲାଗି ସ୍ଵାଗତଙ୍କ ପୁରୁଣା ସରକାରୀ ବଙ୍ଗଳା ଯେଉଁଠୁ ସ୍ତ୍ରୀଟି ସମୁଦ୍ର ଆଡକୁ ମୁହଁକରି ବସିଥିବାର ଦୃଶ୍ୟହେବ ।

           ଏ ପ୍ରକାର ଦୃଶ୍ୟର ପୁନରାବୃତ୍ତିର ତିନି ଚାରିଦିନ ପରେ ସ୍ଵାଗତ ନିଜେ ଜାଣି ଜାଣି ସେ ସ୍ତ୍ରୀ ଲୋକର ପାଖାପାଖି ଯାଉଥିଲେ ଓ ଆସୁଥିଲେ । କାଳେ କିଏ ତା ସହ କଥା ହେବ । ବନ୍ଧୁ ...ସ୍ଵାମୀ.... ପ୍ରେମିକ ...କିଏ ନ କିଏ ଜଣେ ସମ୍ପର୍କୀୟ ତା ପାଖକୁ ଆସିବ । ......କିନ୍ତୁ କାହିଁ ଏତେ ଭିଡରେ ସେ ସ୍ତ୍ରୀ ଏକା ଏକା , ଯେମିତି କାହାର ଅବଶ୍ୟାକତା ନୁହଁ ସେ । ଆଶ୍ଚର୍ଯ୍ୟ ! ଭିଡ ଭିତରେ ନିଜକୁ ହଜେଇ ନଦେଇ କେମିତି ସେ ବସୁଛି ଏକୁଟିଆ ଘଣ୍ଟା ଘଣ୍ଟା ? ପୁଣି ସ୍ତ୍ରୀଟି ଅଧଘଣ୍ଟା ଆଣ୍ଠୁଏ ପାଣିରେ ଠିଆ ହୁଏ ସମୁଦ୍ରକୁ ମୁହଁକରି । ମଣିଷ ଏମିତିରେ ଅଣନିଃଶ୍ଵାସୀ ହେଇ ପଡେନି କେମିତି ..........?? ଏସବୁ ଭାବୁଥିଲେ ସ୍ଵାଗତ ।

           କିନ୍ତୁ ଏ କଣ ! ଆଜି ସ୍ତ୍ରୀ ଲୋକଟି ଅଧାଘଣ୍ଟା ପାଣି ଭିତରେ ରହିଲା ପରେ କୂଳକୁ ଫେରିବା ବଦଳରେ ଆହୁରି ଅଧିକ ଗହୀର ପାଣିକୁ ପଶୁଛି କାହିଁକି.......... ? କଣ ତାର ଇରାଦା ............? ଜୀବନକୁ ଝାସ ଦେବାକୁ ଯାଉନି ତ........ ? ତାକୁ ଦେଖି ଲାଗୁଥିଲା କିଛି ଗୋଟେ ଗୁପ୍ତ ଯୋଜନାରେ ଲିପ୍ତ ସେ । ଆରେ ......... ଆରେ...... କିଏ ଅଛ ବଞ୍ଚାଅ ତାକୁ ............ । ସ୍ଵାଗତ ବଡ ପାଟିରେ କାହାକୁ ନ ଡାକି ପାରୁଥିଲେ । ନ ଆଖପାଖରେ କୌଣସି ତଟରକ୍ଷୀ ଦେଖା ଯାଉଥିଲେ । କରିବେ କଣ ସେ । ତଟ ଧୀରେ ଧୀରେ ଜନଶୂନ୍ୟ ହେବାରେ ଲାଗିଛି । ସ୍ଵାଗତ ଧାଇଁଲେ ସେ ସ୍ତ୍ରୀ ଆଡକୁ । କିଛି ଆଉ ଭାବିବାର ନାହିଂ । ପଛଆଡୁ ସ୍ତ୍ରୀ ଲୋକଟିର ଦୁଇବାହୁକୁ ଧରି ଟାଣି ଆଣିଲେ । କିନ୍ତୁ ଭାରଶୂନ୍ୟ ହରେଇ ଦୁହେଁ ଲହଡିର ଛାତିରେ ଲୋଟି ପଡିଲେ । ସେ ଯାହା ହେଉ । ସ୍ଵାଗତ ସ୍ତ୍ରୀ ଲୋକଟିକୁ ଟାଣି ଆଣି କଚାଡି ଦେଲେ ଭିଜାବାଲି ଉପରେ ଠିକ ଯେମିତି ବେଳେ ବେଳେ ସମୁଦ୍ର ନିଜ ଗର୍ଭରୁ ଅନେକ କିଛି ଆଣି କଚାଡିଦିଏ ସାଗର କୂଳରେ .......।  

           ରାଗ ଲାଗୁଥିଲେ ବି ରାଗି ପାରିଲେ ନାହିଂ ସ୍ଵାଗତ ସେ ସ୍ତ୍ରୀ ଲୋକଟା ଉପରେ । ପ୍ରତିଦିନ ଜୀବନକୁ ହାରୁଥିବା ମଣିଷକୁ ଆଉ କଣ କହିହେବ । ଦୟା ଲାଗିଲା ସ୍ତ୍ରୀ ଲୋକଟିର ଏ ପ୍ରକାର ବିକଳ ସ୍ଥିତିକୁ ଦେଖି । ଦୁହେଁ କିଛି ସମୟ ବିନା ଶବ୍ଦରେ ଅସ୍ତବ୍ୟସ୍ତ ଶ୍ଵାସକୁ ସଜାଡିବାରେ ଲାଗିଲେ । ସମୁଦ୍ର ଜଳ ସିନା ଧୀରେ ଧୀରେ ଦେହରୁ ଖସିବାରେ ଲାଗିଲା କିନ୍ତୁ ପିନ୍ଧାବସ୍ତ୍ର ସବୁ ଓଦା ବାଲିରେ ଭରପୁର । ସ୍ଵାଗତ ବୁଝି ପାରୁନଥିଲେ ଯେ କାହାକୁ ଡାକିବେ । ଯେହେତୁ ଅନେକ ଦିନ ଧରି ସ୍ତ୍ରୀ ଲୋକଟି ଏକୁଟିଆ ସମୁଦ୍ର କୂଳରେ ବସୁଥିଲେ ତେଣୁ ତାଙ୍କର ଏଠି କିଏ ଅଛି ବୋଲି ପଚାରିବା ବି ମୂଲ୍ୟହୀନ ।

           ତେଣୁ ସେ କହିଲେ –ଯଦି ଆପଣଙ୍କୁ ଅସୁବିଧା ନ ଲାଗେ ମୋ କ୍ଵାଟର ଏହି ବତୀଘର ପାଖରେ । ମୁଁ ଦୀର୍ଘ ଚାରିବର୍ଷ ହେଲା ଏଠି ତଟରକ୍ଷୀ ବାହିନୀରେ ଅଛି । ଟିକେ ପୋଛାପୋଛି ହେଇ ଚାଲିଯିବେ ।

           ସ୍ତ୍ରୀ ଲୋକଟି କିଛି ନକହି ସ୍ଵାଗତଙ୍କୁ ଅନୁସରଣକଲା । ବାସଭବନର କବାଟ ଖୋଲି ଭିତରକୁ ପ୍ରବେଶ କଲେ ଦୁହେଁ । ନୀଳ ଆଲୋକର ଆବରଣ ତଳେ ଠିଆ ହୋଇ ସ୍ଵାଗତ ଜାଣିଥିଲେ ଯେ ଘରର ଅବସ୍ଥା ଅତ୍ୟନ୍ତ ଲୋମହର୍ଷଣକାରୀ ଥିବ । ସବୁ ଅସଜଡା ! ଅବ୍ୟବସ୍ଥିତ !

           ତଥାପି ସେ କହିଲେ- ଆପଣ ଏଇଠି ଟିକେ ଅପେକ୍ଷା କରନ୍ତୁ । ମୁଁ ତଉଲିଆ ଆଣି ବାଥରୁମ ଦେଖେଇବି ।

           ସ୍ଵାଗତ ଭିତରକୁ ଯିବା ପୂର୍ବରୁ ସ୍ତ୍ରୀ ଲୋକଟି କହିଲା -ଯଦି ଆପଣଙ୍କୁ ଆପତ୍ତି ନାହିଂ ତେବେ ମୁଁ ନିଜକୁ ନିଜେ ଠିକ କରିନେବି । ମୋତେ ଜଣା ଆପଣଙ୍କ ଘରେ କୋଉଠି କଣ ଥିବ ।

           ଏତିକି କହି ସ୍ତ୍ରୀ ଲୋକଟି ଭିତରକୁ ପ୍ରବେଶ କଲା ଯେମିତି ଆଗରୁ ସେ ଏ ଘର ପ୍ରତି ପରିଚିତ । ଅନେକ ଦିନ ଧରି ରହସ୍ୟମୟୀ ହୋଇ ରହିଥିବା ସ୍ତ୍ରୀ ଲୋକଟିରୁ କଥା ଟିକେ ଶୁଣି ଅଭିଭୂତ ହେଇ ପଡିଲେ ସ୍ଵାଗତ । ଆରତୀ ଗଲା ପରେ ପ୍ରଥମ ଥର ପାଇଁ ସେ କୌଣସି ସ୍ତ୍ରୀ ଲୋକକୁ ଏତେ ପାଖରେ ପାଇଛନ୍ତି ଓ ଶୁଣିଛନ୍ତି । ସ୍ତ୍ରୀ ଲୋକଟି ଭିତରକୁ ପଶିଯିବା ବେଳକୁ ସ୍ଵାଗତଙ୍କ ମନକୁ ଏକ ପ୍ରଶ୍ନ ଉଙ୍କି ମାରିଲା ଯେ ସେ କେମିତି ଜାଣି ପାରିବ ମୋ ଘରେ କୋଉ ଜିନିଷ କେଉଁଠି ଅଛି............... ?

           କିଛି ସମୟ ପରେ ସ୍ତ୍ରୀ ଲୋକଟି ଆରତୀର ନାଇଟ ଗାଉନରେ ଆସୁଥିବା ଦେଖି ସ୍ଵାଗତ ଶବ୍ଦଶୂନ୍ୟ ହେଲେ । ଠିକ ଯେମିତ ଆରତୀ ସବୁବେଳେ ସଦ୍ୟସ୍ନାତ ଭିଜା କେଶରାଶିକୁ ଝାଡି ଝାଡି ଆସେ । 

           -ଆସନ୍ତୁ । ମୁଁ ଆପଣଙ୍କ ପାଇଁ କଫି ଟିକେ କରି ଦେଉଛି । ମୁଁ ଜାଣିଛି ଆପଣଙ୍କ ସ୍ତ୍ରୀର ସମସ୍ତ ଶାଢୀ ଓ ଡ୍ରେସ ବେଡରୁମର ନୀଳ ଆଲମୀରା ରେ ଅଛି । ବେଡରୁମରେ ଆପଣ ଓ ପରିବାରର ବଡ ପୋଷ୍ଟରଟିଏ ଶୋଇବା ଖଟର ଠିକ ସାମନାରେ ଲାଗିଛି । କେତେ କହି କହି ଆପଣଙ୍କ ସ୍ତ୍ରୀ କାଠର ସୁନ୍ଦର ମନ୍ଦିରଟିଏ ଗେଷ୍ଟରୁମରେ ଲଗେଇଛି ଓ କୃଷ୍ଣରାଧାଙ୍କ ଯୁଗଳ ମୂର୍ତ୍ତିଟିଏ ଲଗେଇଛି । ଅନ୍ୟ ଏକ ବେଡରୁମରେ କେବଳ ଆପଣଙ୍କ ଜୀବନର ଅନେକ ସ୍ମୃତି ଓ ଇତିହାସ ସାଇତା ହୋଇରହିଛି । ଯେମତିକି କଲେଜ ଦିନର ପୁରସ୍କାର , ଗୀତ ଗାଇ ପାଇଥିବା ଅନେକ ମାନସମ୍ମାନ , ପ୍ରତି ସପ୍ତାହରେ କିଣୁଥିବା ଗଳପ ଓ ଉପନ୍ୟାସ ବହି , ଶହ ଶହ ଟି ସର୍ଟର କଲେକସନ । ମନ୍ଦିର ପାଇଁ ତିଆରି ହେଇଥିବା ରୁମରେ ପୁଅ ପାଇଁ ସୁନ୍ଦର ଖଟ ଓ ତାର କୁନି କୁନି ପାଦରୁ ଆରମ୍ଭ କରି ଏ ଯାଏଁର ଜୋତା ଚପଲ ବହିଖାତା ସବୁ ସାଇତା । କିଚେନର ଡାହାଣ ପଟେ ସବୁ ମସଲା ଡବା ସାଇତା ଓ ବାମ ପଟେ କିଣା ସୁନ୍ଦର ସୁନ୍ଦର କିଚେନ ସେଟ । ଏଇ ନିଅନ୍ତୁ କଫି ।

           

           କଫି ପିଉ ପିଉ ଆରତୀ ହିଁ ମନ ପଡୁଥିଲା ସ୍ଵାଗତଙ୍କୁ । ଧୀରେ ଧୀରେ ଶୀତଦିନର କୁହୁଡି ସମୁଦ୍ରକୂଳକୁ ଗ୍ରାସ କରୁଥିଲା । ସରକାରୀ ବାସ ଭବନରୁ ଆଉ ଦେଖା ଯାଉନଥିଲା ସମୁଦ୍ରଜଳ । କେବଳ କୂଳକୁ ମଥା ପିଟି ହେବାର ଶବ୍ଦ ହିଁ ଶୁଣା ଯାଉଥିଲା । ରାତି ଯେତେ ଘନୀଭୂତ ହେଉଥିଲା ସ୍ଵାଗତ ଚାହୁଁଥିଲେ ସ୍ତ୍ରୀ ଲୋକଟି ତାଙ୍କ ଭବନରୁ ଚାଲିଯାଉ । ନଚେତ ଛୋଟ ଅଞ୍ଚଳରେ ବଡ ଘଟଣାଟିଏ ହେବ । କିନ୍ତୁ ସେ ମୁହଁଖୋଲି କହି ପାରୁନଥିଲେ । ତାଙ୍କର ଏ ଅବସ୍ଥାକୁ ବୋଧେ ବୁଝି ପାରିଲା ସ୍ତ୍ରୀ ଲୋକଟି । ଉଠି ଠିଆ ହେଲେ ଯିବା ପାଇଁ ।

           କହିଲା –ମୋର ଶେଷ ବସ ରାତି ୧୦ଟାରେ । ମୋତେ ଯିବାକୁ ହେବ ।

           ବେଡରୁମକୁ ଯାଇ ସ୍ତ୍ରୀ ଲୋକଟି ନିଜ ପରିଧାନ ବଦଳିବାକୁ ଲାଗିଲା । କିନ୍ତୁ ହଳଦିଆ ରଙ୍ଗର ଅଳ୍ପ ଆଲୁଅରେ ତା ସ୍ୱଳ୍ପ ଅଙ୍ଗ ଶଇଷ୍ଠବ ଦେଖି ପାରୁଥିଲେ ସ୍ଵାଗତ । ଅଭଦ୍ରାମିର ସୀମାରେଖା ଡେଇଁବାକୁ ନ ଚାହୁଁଥିଲେ ବି ସେ ନିଜକୁ ଆକଟ କରି ପାରୁନଥିଲେ । ସେ ଆକଳନ କରିପାରୁଥିଲେ ଯେ ସ୍ତ୍ରୀ ଲୋକଟିର ବୟସ ପଇଁତିରିଶି ପାଖାପାଖି ହେବ । ବିବାହିତ ହେବାର କୌଣସି ଲକ୍ଷଣ ସେ ବାରି ପାରୁନଥିଲେ । ଆରତୀ ଯିବାର ଚାରି ବର୍ଷ ପରେ ଏମିତି ସେ କାହାକୁ ଦେଖୁଛନ୍ତି । ନିଜ ଭିତରେ ଚାରିତ୍ରୀକ ସ୍ଖଳନର ସୁରାକ ପାଉ ପାଉ ନିଜକୁ ସଂଜତ କଲେ ସ୍ଵାଗତ ।

           ସ୍ତ୍ରୀ ଲୋକଟି ଯିବାକୁ ବାହାରିଲା । ଯିବା ପୂର୍ବରୁ ସେ କହିଲା –ମୁଁ ଦେଖିବାକୁ ଚାହେଁ ଏମିତି କଣ ଆପଣ ରଖିଛନ୍ତି ଯାହା ଆପଣ ନିଜ ସ୍ତ୍ରୀ କୁ ଦେଇ ପାରି ନାହାନ୍ତି ?

           ନିରୁତ୍ତର ସ୍ଵାଗତ । କାରଣ ଘଟୁଥିବା ଘଟଣାକୁ ନିଜ ଜୀବନ ସହ ଯୋଡି ପାରୁନଥିଲେ । ଏ ଯାଏଁ ସେ ସ୍ତ୍ରୀ ଲୋକଟିର ନାଁ, ପରିଚୟ, ଠିକଣା ଜାଣି ନାହାନ୍ତି । ସ୍ତ୍ରୀ ଲୋକଟି ବି ଜାଣିନି ତାଙ୍କ ପରିବାର ବିଷୟରେ । ମୃତ୍ୟୁ ପତ୍ନୀ ବିଷୟରେ । ବୋଡିଙ୍ଗ ସ୍କୁଲରେ ପଢୁଥିବା ନିଜ ପୁଅ ବିଷୟରେ । ତଥାପି ସେ କେମିତି ପଚାରିଲା ଯେ ସ୍ଵାଗତ ଆରତୀ ପାଇଁ କଣ ଏମିତି ରଖିଛି ଯାହା ଦେବା ପୂର୍ବରୁ ଆରତୀ ଛାଡି ଚାଲିଗଲା ।

           ଇଚ୍ଛା ହେଉଥିଲା ଅଜଣା ସ୍ତ୍ରୀ ଲୋକଟିକୁ ଅଧିକ ଜାଣିବା ପାଇଁ କାରଣ ପୂର୍ବରୁ ଅନେକ ପ୍ରଶ୍ନ ଅସମାଧାନ ହେଇ ରହିଛି । ଯେମିତି ସବୁବଳେ ସେ କାହିଁକି ଘଣ୍ଟା ଘଣ୍ଟା ସମୁଦ୍ର କୂଳରେ ବସେ ........? ଅଧଘଣ୍ଟା ଯାଏଁ ପାଣି ଭିତରେ ନ୍ନିଜକୁ ଭିଯାଏ ..... ? ପୁଣି ଆଜି କାହିଁକି ଗଭୀର ପାଣିକୁ ଯାଏ ? ଏତେଦିନ ଯାଏଁ କୌଣଶି ଅନ୍ୟ ସ୍ତ୍ରୀ ପୁରୁଷ ତାଙ୍କ ପାଖରେ ଦେଖି ନାହାନ୍ତି କାହିଁକି ..... ? ଏପରି ଅନେକ ପ୍ରଶ୍ନ । ଅଧିକ କିଛି ନଭାବି ସ୍ଵାଗତ ବଡ ଜୋରରେ ବତୀଘର ରାତ୍ରୀଜଗୁଆଳିକୁ ଶେଷ ବସ ବିଷୟରେ ପଚାରିଲେ । ଜଗୁଆଳି ଉତ୍ତର ଦେଲା ଘନ କୁହୁଡି ଯୋଗୁ ଆଜି ବସ ଆସିନି କି ଆସିବନି । ଦୁହେଁ ମୁହଁ ଦେଖାଦେଖି ହେଲେ । ବଡ ଅଜବ ସ୍ଥିତି । ରହିଯାଅ ବୋଲି କହି ହେଉନି କି ପଳେଇଯାଅ ବୋଲି ଆଦେଶ ଦେଇ ହେଉନି । କିନ୍ତୁ ତାଠୁ ଅଧିକ ଅଜବ ଥିଲା ସ୍ତ୍ରୀ ଲୋକଟିର ମୁଖମଣ୍ଡଳରେ ଘରକୁ ଫେରି ନପାରିବାର ବିଚଳିତ ଭାବ ତିଳେ ମାତ୍ର ନଥିଲା । ତା ମାନେ ଆଜି ଅଜଣା ପରପୁରୁଷ ପାଖରେ ରାତି ବିତେଇବାକୁ ସ୍ତ୍ରୀ ଲୋକଟିର ଏକ ପ୍ରକାର ମୌନ ସମ୍ମତି ଥିଲା । କିନ୍ତୁ ସ୍ଵାଗତ ବିତିବାକୁ ଯାଉଥିବା ରହସ୍ୟମୟ ରାତି ପାଇଁ ନିଜକୁ ପ୍ରସ୍ତୁତ କରି ପାରୁନଥିଲେ ।

           -ଆପଣଙ୍କର ଯଦି ଆପତ୍ତି ନଥାଏ ମୁଁ ବିନା ଦ୍ଵିଧାରେ ଏଠି ଆଶ୍ରୟ ନେଇ ପାରିବି । ଭୋର ହେବା ପୂର୍ବରୁ ମୁଁ ଚାଲିଯିବି ଯାହାଦ୍ଵାରା ଆପଣଙ୍କ ସମ୍ମାନରେ ଆଞ୍ଚ ଆସିବନି । ପ୍ରମିସ ।

           ସ୍ଵାଗତ ମୁଣ୍ଡ ଟୁଙ୍ଗାରି ସହମତି ପ୍ରଦାନ କଲେ । ନିଜ ଘର ବିଷୟରେ କୋଉଠି କଣ ଅଛି କହିବା ପୂର୍ବରୁ ସ୍ତ୍ରୀ ଲୋକଟି କହିଲା –ମୁଁ ଜାଣିଛି କୋଉଠି କଣ ଅଛି । ଆପଣ ଯାଇ ଗାଧେଇ ନିଅନ୍ତୁ । ମୁଁ ଡିନର ପ୍ରସ୍ତୁତ କରୁଛି ।

           ସ୍ତ୍ରୀ ଲୋକଟିର ନାମ ପଚାରିବା ପୂର୍ବରୁ ସେ ରୋଷେଇ ଘରକୁ ପଶିଗଲା । ବାଥରୁମ ଭିତରକୁ ପଶିଲେ ସ୍ଵାଗତ । ଲାଳରଙ୍ଗରେ ଶାୱାରର ଜଳଧାରା ବି ଲାଲ ଦେଖା ଯାଉଥିଲା । ଥଣ୍ଡାପାଣି ଦେହର ହାଡକୁ କିଛି ସମୟ ଉପଶମ ଦେଉଥିଲେ ବି ମନ ଭିତର ଦ୍ଵନ୍ଦକୁ ଶାନ୍ତ କରି ପାରୁନଥିଲା । ଜଣା ଜଣା ଲାଗୁଥିବା ଅଜଣା ସ୍ତ୍ରୀ ଲୋକକୁ ନେଇ ଅନେକ ଅବାନ୍ତର ଅଘଟିତ କଳ୍ପିତ ଅକଳ୍ପିତ ଦୃଶ୍ୟ ସେ ବୁଣିବାରେ ଲାଗିଥିଲେ ।

           ବାଥରୁମରୁ ବାହାରିଲା ବେଳକୁ ସ୍ତ୍ରୀ ଲୋକଟି ତଉଲିଆ ବଢେଇ ଦେଲା ଯେଉଁ ତଉଲିଆ ଆରତୀ ବଢେଇ ଦେଉଥିଲା । ସବୁ ଦୃଶ୍ୟର ଯେମିତି ପୁନରାବୃତ୍ତି । ନିଜ ବେଡରୁମ ପଶିଲା ବେଳକୁ ପିନ୍ଧିବାକୁ ଥିବା ନାଇଟଡ୍ରେସ ବି ଥିଲା ଯାହା ଆରତୀ ପ୍ରାୟ ତାଙ୍କୁ ଦିଏ । ଗୋଟିଏ କୌତୁହଳକୁ ସମାଧାନ କରୁ କରୁ ଆଉ ଗୋଟେ କୌତୁହଳ ସୃଷ୍ଟି ହେଉଥିଲା । ସେ ବୁଝି ପାରୁନଥିଲେ ହଉଛି କଣ ?

           ଖାଇବା ପୂର୍ବରୁ ସେ ଶୁଣୁଥିବା ତାଙ୍କ ପ୍ରିୟ ସଙ୍ଗୀତ ବାଜି ଉଠିଲା ଯାହା ସେ ସବୁବେଳେ ନିଜକୁ ଶାନ୍ତ କରିବା ପାଇଁ ଷ୍ଟଡିରୁମରେ ଶୁଣୁଥିଲେ । କହିବା ପୂର୍ବରୁ ଆରତୀ ବଜେଇ ଦେଉଥିଲା । ଆରତୀ ଗଲାଠୁ ସେ ଆଉ ଶୁଣିନଥିଲେ । ସଙ୍ଗୀତର ଧୂନରେ କିଛି ସମୟ ଆରତୀ ମନେ ପଡିଗଲା ..........।

           ............. ଯୁବକ ବୟସର ଉଥଳପୁଥଳ ଜୀବନକୁ ଏକ ପ୍ରକାର ସଂଜ୍ଞା ପ୍ରଦାନ କରିଥିଲା ଆରତୀ । ସବୁବେଳେ ବୟସର ଉଦ୍ଦାମତାରେ ବେଲଗାମ ହେଇ ବଞ୍ଚୁଥିବା ମଣିଷକୁ ଏକ ପ୍ରକାର ଅର୍ଥପୂର୍ଣ ଜୀବନ ଦେଇଥିଲା ଆରତୀ । କେବେବି ତାକୁ କହିନଥିଲେ –ଆରତୀ ମୁଁ ତମକୁ ଜୀବନଠୁ ଅଧିକ ଭଲପାଏ କିନ୍ତୁ ଆରତୀ କେବେ ଭୁଲିନଥିଲା ପ୍ରତିଦିନ ମନ ପକେଇବା ଯେ ସ୍ଵାଗତ ବିନା ଆରତୀର ମୂଲ୍ୟ ନାହିଂ ବୋଲି । ଆରତୀ ସହ ଅନେକ ଅଭୂଲା ମୂହୁର୍ତ୍ତ ବିତେଇଲା ପରେ ସୁନ୍ଦର ପୁତ୍ର ସନ୍ତାନ ଟଏ ଜନ୍ମ ଦେଇ ଜୀବନକୁ ଆହୁରି ପରିପୂର୍ଣ୍ଣ କରିଥିଲା । କିନ୍ତୁ କାଳର ନିଷ୍ଠୁର ନିୟତି ଆଗରେ ହାରିଯାଇ ଆରତୀ ଚାଲିଗଲା ପାଞ୍ଚ ବର୍ଷର ପୁଅକୁ ଏକୁଟିଆ କରି ଦେଇ ଅଜଣା ରୋଗରେ । ସ୍ଵାଗତଙ୍କ ଜୀବନରେ ଆରତୀ ଏତେ ମାତ୍ରାରେ ପ୍ରବେଶ କରିଥିଲା ଯେ ତା ବିନା ଦୀର୍ଘ ଚାରିବର୍ଷ ହେଲା ଆଉ କିଛି ଭାବିନାହାନ୍ତି ସେ । ଆଉ କାହାକୁ ନେଇ ପୁନର୍ବାର ସଂସାର ଗଢିବାର ଅଳ୍ପମାତ୍ର ଖିଆଲ ଆସିନି ତାଙ୍କ ମନକୁ । ପତ୍ନୀ ବିନା ଜଣେ ପୁରୁଷର ଜୀବନ କେତେ ଅବ୍ୟବସ୍ଥିତ ହୋଇପଡେ ଆରତୀ ଗଲା ପରେ ବୁଝିଲେ ସ୍ଵାଗତ । ତାଙ୍କର ଏ ଯନ୍ତ୍ରଣାମୟ ଦୁଃଖର ଛାଇ ଯେମିତି ପୁଅ ଉପରେ ନପଡୁ ସେଥିପାଇଁ ସେ ବୋଡିଙ୍ଗ ସ୍କୁଲରେ ତାକୁ ଛାଡିଦେଲେ । ବାପାମା ଭାଇଭଉଣୀ ସମସ୍ତେ ପୁଣି ଦ୍ଵିତୀୟ ବିବାହ କରିବାକୁ ଅନେକ ଥର କହିଛନ୍ତି । ଏମିତିକି ଶଶୁର ଆରତୀର ସାନ ଭଉଣୀକୁ ପୁଣିଥରେ ତାଙ୍କ ହାତରେ ଛନ୍ଦିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏକ ଅଜଣା ଆଶଙ୍କାରେ ସେ କାହା କଥାରେ ରାଜି ହେଇନାହାନ୍ତି । ଏମିତି ନୁହଁ ଯେ ସେ ଆରତୀର ଭଲପାଇବା କାହାକୁ ବାଣ୍ଟିବାକୁ ଚାହୁଁ ନଥିଲେ । କିମ୍ବା ସମାଜର ଡରରେ ନିଜକୁ ନିୟନ୍ତ୍ରଣରେ ରଖୁଥିଲେ । ସତ କଥା ହେଲା ତାଙ୍କ ମନରେ ଏକ ପ୍ରକାର ଅଜଣା ଭୟ ବସା ବାନ୍ଧିଥିଲା । ତାଙ୍କୁ ଲାଗୁଥିଲା ଆରତୀ ପରେ ସେ ଆଉ କାହାକୁ ଏତେ ନିବିଡ ଭାବରେ ଭଲ ପାଇପାରିବେନି । ତେବେ ସେ କାହିଁକି ବିନା କାରଣରେ ଅନ୍ୟ ଏକ ହୃଦୟକୁ ଦୁଃଖ ଦେବେ ......? କାହିଁକି ବିନା କାରଣରେ ଅନ୍ୟର ଆଶା ଓ ସ୍ଵପ୍ନକୁ ବାଲିଘର ପରି ତୋଳିବେ ଓ ଭାଙ୍ଗିବେ .......?

           -ଡିନର ରେଡି । ରାତି ବେଶୀ ହେଲାଣି ।

           ସ୍ତ୍ରୀ ଲୋକଟିର ଡାକରେ ପୂର୍ବାବସ୍ଥାକୁ ଫେରିଲେ ସ୍ଵାଗତ । ବଡ ସନ୍ତର୍ପଣରେ ଆରତୀର ସ୍ମୃତିରେ ଝରିଥିବା ଲୁହକୁ ପୋଛିଲେ ସ୍ଵାଗତ । ଏବେ ଦୁହେଁ ଡାଇନିଙ୍ଗ ଟେବଲ ଉପରେ । ଆଗରେ ଥୁଆ ହେଇଥିବା ଜିରା ଦିଆ ଆଲୁଭରତା, ପନୀର ଓ ଗ୍ରୀନ ମଟର ମସଲା ତରକାରୀ, ଗାଜର ଓ କାକୁଡିର ସଲାଡ, ନିଜକୁ ପସନ୍ଦ ପ୍ରିୟ ରାଶି ପାପ୍ଡ଼, ମିଠାଦହି ଦେଖି ତାଙ୍କ ପାଟିରୁ ବାହାରି ପଡିଲା -ୱା ଆରତୀ ! ଆଜି ତାହାହେଲେ ମୋ ପେଟର ଭୋଜି । କୁରୁଳି ଉଠିଲେ ସ୍ଵାଗତ ଛୋଟ ପିଲା ଭଳି । କିନ୍ତୁ ସାମନାରେ ବସିଥିବା ଅଜଣା ସ୍ତ୍ରୀ ଲୋକ ଯେ ଆରତୀ ନୁହଁ ନିଜକୁ ସଜାଗ କଲେ ସେ । କିନ୍ତୁ ସ୍ତ୍ରୀ ଲୋକଟିର ବିସ୍ମୟତା ପରିବର୍ତ୍ତେ ଥିଲା ସହାନୁଭୂତିର ସମର୍ଥନ । ଯେମିତି ସେ କହିବାକୁ ଚାହୁଁଥିଲା ସ୍ଵାଗତ ଏ ପ୍ରକାର ବ୍ୟବହାର ପାଇଁ ଦାୟୀ କି ଦୋଷୀ ନୁହଁ ।

           ସ୍ତ୍ରୀ ଲୋକଟି ଏକ ଲୟରେ ଅନେଇ ରହିଛି ସ୍ଵାଗତଙ୍କୁ । ସ୍ଵାଗତ ଖାଇବା ବନ୍ଦ ରଖି ଅନେଇଲେ ତାଙ୍କୁ ଏକ ସ୍ନେହ ଓ ପ୍ରେମପୂର୍ଣ୍ଣ ଲୟରେ ଅନେଇଥିବା ଅଜଣା ସ୍ତ୍ରୀ ଲୋକଟିକୁ । ପୁଣି ତାଙ୍କ ମନରେ ଅନ୍ୟ ଏକ ପ୍ରଶ୍ନ । ସ୍ତ୍ରୀ ଲୋକଟି କେମିତି ଜାଣିଲା ତାଙ୍କୁ ଏ ପ୍ରକାର ଖାଦ୍ୟ ଅତି ପସନ୍ଦ ବୋଲି .........? ଅଚାନକ ତାଙ୍କ ମନରେ ପୁଣି ଏକ ଭୟ ବସା ବାନ୍ଧିଲା । କାଳେ ଏ ସ୍ତ୍ରୀ ଲୋକଟି କୌଣସି ଭୁତପ୍ରେତ ନୁହଁ ତ ......? ଏମିତି ବି ହେଇପାରେ ଆରତୀ ଏ ସ୍ତ୍ରୀର ଦେହରେ ପ୍ରବେଶ କରି ପୁଣି ତାଙ୍କ ସାମନାକୁ ଆସିଯାଇନି ତ......... ? ତାଙ୍କର ଏ ଭୟ ଅଧିକରୁ ଅଧିକ ବଢିଲା କାରଣ ଏମିତି ନ ହେଇଥିଲେ ଏତେ ଦିନ ଧରି ସେ ସ୍ତ୍ରୀ ଲୋକଟିର ଯେ କୌଣସି ସମ୍ପର୍କୀୟଙ୍କୁ ତାଙ୍କ ସାଙ୍ଗରେ କାହିଁକି ଦେଖି ପାରିଲେନି ସେ .......?

           -ଏମିତି କଣ ଦେଖୁଛନ୍ତି ? ମୁଁ ଭୁତଫୁତ ନୁହେଁ । ଦେହଧାରୀ ନାରୀଟିଏ । ବୋଧେ ମୋ ହାତରନ୍ଧା ଆପଣଙ୍କୁ ଭଲ ଲାଗିଲା ନାହିଂ । ସ୍ତ୍ରୀ ଲୋକଟି ହସ ହସରେ ପଚାରି ବସିଲା । ପୁଣି ଥରେ ନିଜ ଭାବନାକୁ ସଞ୍ଜତ କଲେ ସ୍ଵାଗତ ।

           ଖାଇବା ପରେ ଦୁହେଁ ବାଲକୋନୀରେ ବସିଲେ । ଏଥର କିନ୍ତୁ ସ୍ଵାଗତ ନିଶ୍ଚିତ କଲେ ଯେ ଯେମିତି ହେଲେ ସେ ଅଜଣା ସ୍ତ୍ରୀକୁ ଜାଣିବେ । ସ୍ତ୍ରୀ ଲୋକଟି ତାଙ୍କ ହାତରେ ଅଳେଇଚର ଦାନାଟିଏ ରଖିଲେ । ପୁଣି ଥରେ ରହସ୍ୟ । କେମିତି ଜାଣିଲା ସେ ତାଙ୍କୁ ଖାଇବା ପରେ ଅଲେଇଚ ପସନ୍ଦ ........? ଏହା କେବେବି ମାତ୍ର ସଂଯୋଗ ହେଇପାରିବନି । ସଂଯୋଗ ଥରେ କି କୌଣସି ଏକ ଘଟଣା ସହ ହୁଏ । ବାରମ୍ବାର ଓ ଅନେକ ଘଟଣା ସହ ହେବ କେମିତି....? ଯଦି ଏମିତି ହୁଏ ତେବେ ତାକୁ ସଂଯୋଗ ନକହି ଷଡଯନ୍ତ୍ର କହିବା ଆବଶ୍ୟାକ । କୌଣସି ଷଡଯନ୍ତ୍ରର ଶିକାର ହେବାକୁ ଯାଉ ନାହାନ୍ତି ତ ସେ .......? ପୁଲିସ ବିଭାଗରେ ରହି ଏତିକି ଟିକେ କଥା ସେ ଏଯାଏଁ କେମିତି ବୁଝି ପାରିଲେନି ....? ଆଜିକାଲି ଯେଉଁ ପ୍ରକାର ଅପରାଧିକ ଷଡଯନ୍ତ୍ର ରଚା ଯାଉଛି କିଏ କେବେ ବି ତାର ଶିକାର ହେଇପାରେ । ବର୍ତ୍ତମାନ ନିଜକୁ ଅନ୍ୟ ଏକ ଅଜଣା ଭୟରେ ଗ୍ରାସିତ କଲେ ସ୍ଵାଗତ । ସେ ଭାବିବାକୁ ଲାଗିଲେ ଅଜଣା ସ୍ତ୍ରୀର ପୂର୍ବପର ଜୀବନ ନଜାଣି ନିଜଘରକୁ କାହିଁକି ଡାକି ଆଣିଲେ...... ? ନିଜ ମନକୁ ସୁଦୃଢ କଲେ ସେ । ଭଗବାନଙ୍କୁ ପ୍ରାର୍ଥନା କଲେ –ହେ ଭଗବାନ ଏ କାଳରାତ୍ରି ଭଲରେ କଟିଯାଉ । ଏପରି ଭୁଲ ଆଉ କେବେବି କରିବିନି । ସମୁଦ୍ରର ଶୂନ୍ୟତା ବିଷୟରେ ସବୁବେଳେ ଦାର୍ଶନିକ ତର୍କ ଭାବୁଥିବା ସ୍ଵାଗତ ଏବେ ତା ଗର୍ଭରେ ଆବିଷ୍କାର ହେଇନଥିବା ଅଜଣା ରହସ୍ୟରେ ଆତଙ୍କିତ । ଶିହରିତ ।

           -ମୋ ବିଷୟରେ କିଛି ନଜାଣିବି ଆପଣ ମୋତେ ଆଶ୍ରୟ ଦେଲେ ସେଥିପାଇଁ ମୁଁ ଋଣି ରହିବି । କିନ୍ତୁ ମୋ ବିଷୟରେ ଆପଣ ଏ ଯାଏଁ କିଛି ପଚାରିଲେ ନାହିଂ । ସ୍ତ୍ରୀ ଲୋକଟି ଦୁହିଙ୍କ ଭିତର ନୀରବତା ଭଙ୍ଗ କଲା ।

           ଏ ପ୍ରଶ୍ନରେ ଟିକେ ନିଜକୁ ସହଜ କଲେ ସ୍ଵାଗତ । ମନେ ମନେ ଠିକ କଲେ ଯେ ସେ କେବେବି ସେ ସ୍ତ୍ରୀ ଲୋକକୁ ଜାଣିବାକୁ ଦେବେନି ଯେ ଅନେକ ଦିନ ଧରି ତାକୁ ସେ ଅନୁଧ୍ୟାନ କରି ଆସୁଥିଲେ ।

           -ଯଦିବା ମନରେ ତମ ବିଷୟରେ ଅନେକ କିଛି ଜାଣିବାକୁ ଅଛି ତଥାପି ମୁଁ ଜାଣିବାକୁ ଚାହିଁବି କାହିଁକି ସମୁଦ୍ରର ଗହରା ପାଣି ଭିତରକୁ ଯାଉଥିଲ......? ଆଛା ଛାଡ ! ଏକଥା ପଛେ ଶୁଣିବି । ପ୍ରଥମେ କୁହ ତମେ କେମିତି ଜାଣିଲ ମୋ ଘରେ କୋଉଠି କଣ ଅଛି ....? ଏହା ସାମାନ୍ୟ ଓ ସ୍ଵାଭାବିକ ହେଇପାରେ କାରଣ ଅଧିକାଂଶ ଘର ଏମିତି ସଜା ହୋଇଥାଏ । ନା ନା ! ଏକଥା ପଛେ ଶୁଣିବି । ପ୍ରଥମେ କୁହ ତମେ କେମିତି ଜାଣିଲ ମୋ ପସନ୍ଦର ଗୀତ, ଖାଦ୍ୟ, ପୋଷାକ କଣ....... ? ଏହା କେବେ ବି ସଂଯୋଗ ହେଇପାରେନା । ଆଛା ! ଏ ସବୁ କଥା ପଛେ । ମୋତେ , ମୋ ପରିବାରକୁ ତମେ ଆଗରୁ ଜାଣିଛ କି ......? ହେଇପାରେ ମୋ ଅଦୃଶ୍ୟାରେ ମୋ ଜୀବନ ସହ ତମେ ଅଙ୍ଗାଙ୍ଗି ଭାବେ ଜଡିତ କିନ୍ତୁ ପାଖରେ ଥାଇବି ମୁଁ ତମକୁ ଜାଣି ପାରିନି । ପୋଲିସି ଚାକିରିରେ ରହି ମୁଁ ଏତିକି ତ ଜାଣିପାରୁଛି, ଯାହା ମୋ ସହ ଏବେ ଘଟୁଛି ତାହା ଅକସ୍ମାତ କି ଗୋଟିଏ ଦିନର ଯୋଗସୂତ୍ର ନୁହଁ ।

           -ଆରେ ବାପରେ ! ଏକସଙ୍ଗେ ଏତେ ପ୍ରଶ୍ନ ? ଆପଣ ନିଜେ ହିଁ ଠିକ କରନ୍ତୁ କେଉଁ ପ୍ରଶ୍ନର ଉତ୍ତର ପ୍ରଥମେ ଜାଣିବାକୁ ଚାହାନ୍ତି ? ସ୍ତ୍ରୀ ଲୋକଟି ଟିକେ କଟାକ୍ଷ କରି କହିଲା । କେବଳ ଏତିକି ନୁହଁ । ମୁଁ ଏତିକି ବି ଜାଣିଛି ସ୍ତ୍ରୀର ପଚାଶଖଣ୍ଡ ଶାଢୀ, କୋଡିଏଟି ଡ୍ରେସ, ଦୁଇଟି ମଙ୍ଗଳସୂତ୍ର , ଚାରୋଟି ହାର, ପୁଅର କୋଡିଏ ଯୋଡା ଜୋତା, ଶହେରୁ ଅଧିକ ପୁଅର ଡ୍ରେସ , ଆପଣଙ୍କର ଦଶଟି ସୁଟସଫାରୀ, ପ୍ରିୟରଙ୍ଗ ନୀଳ, ପ୍ରିୟଅଙ୍କ ତିନି , କଲମ ଓ ଡାଏରୀ ବିନା ଆପଣ ରହି ପାରନ୍ତିନି । ଆଇଂଷ ମୋଟେ ସ୍ତ୍ରୀ ପସନ୍ଦ କରେନି କିନ୍ତୁ ଆପଣଙ୍କୁ ଚିଙ୍ଗୁଡି ପସନ୍ଦ ବୋଲି ରାନ୍ଧି ଦିଏ । ସ୍ତ୍ରୀର ମଇ , ପୁଅର ଡିସେମ୍ବର ଏବଂ ଜାନୁଆରୀ ଆପଣଙ୍କ ଜନମ ଦିନର ମାସ । ଏମିତି ଅନେକ କଥା ଜାଣେ ମୁଁ ।

           ସ୍ଵାଗତ କେବଳ ବାକଶୂନ୍ୟ ହେଇ ଶୁଣୁଥାନ୍ତି । ଭିତରେ ଭିତରେ ସେ ଜାଣି ସାରିଲେଣି ଯେ ଏକ ଷଡଯନ୍ତ୍ରର ଶିକାର ହେବାକୁ ଯାଉଛନ୍ତି । ନହେଲେ ଘର ଭିତରର ଏତେ କଥା ସ୍ତ୍ରୀଟି ଜାଣିଲା କେମତି ?

           ସ୍ତ୍ରୀ ଲୋକଟି ଆଉ ଥରେ ପୁଣି ଆରମ୍ଭ କଲା –କେବଳ ଏତିକି ନୁହଁ । ଆପଣଙ୍କଙ୍କ ନାମ ସ୍ଵାଗତ ମହାପାତ୍ର । ବାପା ବେଣୁଧର ମହାପାତ୍ର । ମାତା ରେଣୁକା ମହାପାତ୍ର । ଦୁଇ ଭଉଣୀ ତିନି ଭାଇ । ଶାମପୁର ଗାଁ । ସ୍ତ୍ରୀ ସ୍ଵର୍ଗତ ଆରତୀ ପଣ୍ଡା । ଶ୍ଵଶୁର ରାମହରି ପଣ୍ଡା । ଶାଶୁ ତୁଲସୀ ପଣ୍ଡା । ଦୁଇ ଶାଳି ଗୋଟିଏ ଶାଳକ । ପୁତ୍ର ମୋହିତ ଏବେ ଚତୁର୍ଥ ଶ୍ରେଣୀରେ ବୋଡିଙ୍ଗ ସ୍କୁଲରେ ପଢେ । ଗାଁ ଜମାଦେଇପୁର । ସ୍ତ୍ରୀ ଯିବାର ପାଞ୍ଚ ବର୍ଷ ହେଲାଣି । ବୟସ ଚାଳିଶି । ସମ୍ପତ୍ତି ବୋଲେ ସ୍ତ୍ରୀ ନାଁରେ ସହରରେ ଗୋଟିଏ ପ୍ଲାଟ । ପୁଅ ନାଁରେ ଜମି ଖଣ୍ଡିଏ । ଏହା ପୂର୍ବରୁ ନୌସେନାରେ ମେକାନିକାଲ ବିଭାଗରେ କାର୍ଯ୍ୟରତ । ଏବେ ତଟରକ୍ଷୀ ବାହିନୀର ଏ ସମୁଦ୍ରକୂଳର ଦାୟିତ୍ଵ । ଦରମା ଚାଳିଶି ହଜାର । କୌଣସି ପ୍ରକାର ପରକୀୟା ପ୍ରୀତିରେ ଲିପ୍ତ ନୁହଁ କି ଦ୍ଵିତୀୟ ସ୍ତ୍ରୀ ନାହିଂ ।

           କିଛି ସମୟ ଅଟକିଗଲା ସ୍ତ୍ରୀ ଲୋକଟି । ପୁଲିସବାଲାର ପାଦ ତଳଆଡୁ ଥରିବାରେ ଲାଗିଲା । କୁହୁଡିମୟ ପରିବେଶ ତାଙ୍କୁ ଭୟଙ୍କର ଦୁର୍ଭେଦ୍ୟ ରହସ୍ୟମୟ ମାୟାଜାଲ ଲାଗିଲା । କିଛି କରିବାକୁ ଚାହିଁବି କିଛି କରିପାରୁନଥିଲେ ସ୍ଵାଗତ । ସମସ୍ତେ ଶୋଇ ଯାଇଥିବେ । ପାଟିକରି ଡାକିଲେ ବି ସହଯୋଗର ହାତ ମିଳିବ ନାହିଂ ।

           -ପାଣି ଟିକେ ମିଳିବ ? ଶୋଷ ଲାଗିଲାଣି ।

           ସ୍ତ୍ରୀ ଲୋକଟି ପାଣି ଆଣିବାକୁ ଗଲା ଭିତରକୁ । ଯାହା ହେଉ । ଟିକେ ସୁଯୋଗ ମିଳିଲା ତାଠୁ ଫିଟିବାର ବାଟ ଯୋଜନା କରିବାକୁ । ମୁଣ୍ଡ କାମ କରୁନି । ଝିଅ ପିଲା କଥା । ସମାଜ ଓ କାନୁନ ତାଙ୍କୁ ହିଁ ଦୋଷ ଦେବ । ସନ୍ଦେହ ଚକ୍ଷୁରେ ତାଙ୍କୁ ହିଁ ଦେଖିବ । ମାନସମ୍ମାନ ସବୁ ମାଟିରେ ମିଶିଯିବ । ଏଇ ସମୟରେ ଆରତୀ ବେଶୀ ମନ ପଡିଲା ତାଙ୍କୁ । ଆଜି ଯଦି ସେ ଘରେ ଥାନ୍ତା ତେବେ କୌଣସି ଡାହାଣୀ ପିଶାଚିନୀର ଏ ଘରେ ପ୍ରବେଶ ହେବାର ସାହସ ହେଇନଥାନ୍ତା । ହେ ଠାକୁରେ ! ରକ୍ଷା କର । ହାତ ଯୋଡିଲେ ସେ ।

           ପାଣି ସହ କଫି କପଟିଏ ଆଣିରଖିଲା ସ୍ତ୍ରୀ ଲୋକଟି । ଅନେକ ସମୟରେ କାମରୁ ଡେରିରେ ଫେରିଲେ ଆରତୀ ଦିଏ କଫି । ମହା ଖେଳୁଆଡ ଏ ସ୍ତ୍ରୀ । ଟିକନିକ ସବୁ ଖବର ସଂଗ୍ରହ କରିଛି । ତେବେ ସ୍ତ୍ରୀ ବୋଲି ଦାବି କରି ସମ୍ପତ୍ତି ମାଗି ବସିବନି ତ....... ? ସମ୍ପତ୍ତି ମାଗିଦେଲେ ତଥାପି ଚଳିବ । କିନ୍ତୁ ଯଦି ସ୍ତ୍ରୀର ଅଧିକାର ମାଗିଦେବ ତେବେ ସରିଗଲା କଥା ।

           ସ୍ତ୍ରୀ ଲୋକଟି ପାଖକୁ ଲାଗି ବସିଗଲା । ଅଧିକ ଶୀତ ହେଉଛି ନୁହଁ ? ଏତିକି କହି ସ୍ଵାଗତର ଦେହକୁ ଲାଗି ବସିଲା । ଦୁଇ ଜଣଙ୍କ ଚାରିପଟେ ଘେରେଇ ନେଲା ଗୋଲାପି ରଙ୍ଗର କମ୍ବଳଟା । ନିସହାୟ ସ୍ଵାଗତ । ଦେହକୁ ଦେହ ଲାଗୁଛି । ନାଗୁଣୀରେ କବଳରେ କବଳିତ ହେଇଯାଉଛନ୍ତି ସେ ।         -କେବଳ ଏତିକି ନୁହଁ । ମୁଁ ଜାଣିଛି ତମର ଜଙ୍ଘକୁ ଛୁଇଁଦେଲେ ଆରତୀକୁ ସାଙ୍ଗେ ସାଙ୍ଗେ ପାଖକୁ ଟାଣି ଆଣ । ତମର ପାଦ ଆଙ୍ଗୁଠିକୁ ଚୁଚୁମିଲେ ତମେ ଘାଇଲା ବାଘ ପରି ଆରତୀକୁ ମାଡି ବସ । ତମର ଜିହ୍ଵା ଯେତେ ମିଠା ନୁହଁ ତାଠୁ ଅଧିକ ତମ ଓଠ ମିଠା । ତମେ ରାତ୍ରିର ନିଶାର୍ଦ୍ଧରେ ଯେତେ ରୋମାଞ୍ଚିତ ହୁଅନାହିଂ ତାଠୁ ଅଧିକ ଅଳସ ଅପରାହ୍ନ ରେ ଆରତୀକୁ ପାଇବାକୁ ଘାଣ୍ଟି ହେଉଥାଅ । ଆରତୀର ବକ୍ଷ ତମକୁ ଯେତେ ଭଲ ଲଗେନା ତାଠୁ ଅଧିକ ତାର ସରୁଅଣ୍ଟା ଦେଖିଲେ ତମେ ବେଲଗାମ ହେଇଯାଅ । ଆଉ କଣ ଶୁଣିବ କୁହ । କହିବି କି ବାସର ରାତିରେ ତମେ କେଡେ କଷ୍ଟରେ ତା ଓଢଣି ଖୋଲିଥିଲ ଏବଂ ତା ପାଇଁ କଣ ମୂଲ୍ୟ ଦେବାକୁ ପଡିଥିଲା । କହିବି କି ତମ ଦୁହିଙ୍କ ଭିତର ଗୁପ୍ତକଥା । ଗୁପ୍ତଭାଷା । ଏବଂ କାହା ଦେହରେ ଅଛି କେଉଁ ଦାଗ ।

           ଏତିକି କହି ସ୍ତ୍ରୀ ଲୋକଟି ଆହୁରି ଅଧିକ ପାଖେଇ ଆସିଲା । ନିଜ ସର୍ପିଣୀ ବାହୁରେ ଗୋଡେଇ ଧରିଲା ସ୍ଵାଗତଙ୍କୁ । ପୃଥିବୀ ଚାରିପଟ ବିଷୁବରେଖା ପରି । ଦୁହିଙ୍କ ଭିତରେ ଆଦାନ ପ୍ରଦାନ ହେଉଥିବା ନିଶ୍ଵାସ ପ୍ରଶ୍ଵାସ ଯେତେ ଗରମ ହେଇ ଉଠୁଥିଲା ସେତେ ଦୁଇ ଓଠ ପାଖେଇ ଆସୁଥିଲା । ଅଣନିଃଶ୍ଵାସୀ ହେଇ ପଡୁଥିଲେ ସ୍ଵାଗତ । ଅସହ୍ୟ ହେଉଥିଲା ବନ୍ଧନ । ସ୍ଵାମୀ ସ୍ତ୍ରୀ ଭିତର ଗୁପ୍ତକଥା ସବୁ ପଦାରେ ନିଲାମ ହେଇଯିବାର କ୍ରୋଧ ଯେମିତି ଲାଭା ହେଇ ଏଇନେ ଆଗ୍ନେୟଗିରିରୁ ବାହାରି ପଡିବ । ଆଉ ସାହି ହେଲାନି ସ୍ତ୍ରୀ ଲୋକଟିର ଏ ପ୍ରକାର ଧୃଷ୍ଟତା ଏବଂ ଜଣେ ନାରୀର ଏ ପ୍ରକାର ଉଲଗ୍ନ ଉଦ୍ଧାମତା । ଏବେ ସେ ଆପଣ ସମ୍ବୋଧନରୁ ତମେ କୁ ପଳେଇ ଆସିଲାଣି । ତାକୁ ଯଦି ଏବେ ଷ୍ଟପ ନ କରାଯିବ ଅନେକ କିଛି କରିଯିବ ସେ । ସ୍ଵାଗତ ଏତେ ବିଚରା ଓ ଶକ୍ତିହୀନ ନୁହଁ ଯେ ସାମାନ୍ୟ ଜଣେ ନାରୀର ଷଡଯନ୍ତ୍ରକୁ ଡରିଯିବେ ।

           ଜୋର କରି ଛିଞ୍ଚାଡି ଦେଲେ ସ୍ତ୍ରୀ ଲୋକଟିର ଦୁଇ ହାତ । ଅନ୍ଧାର ଭିତରେ ତାକୁ ଠେଲି ଦେଲେ କାନ୍ଥ ଆଡକୁ । ଘୃଣାରେ ଚିତ୍କାର କରି କହିଲେ –ତମେ ଯିଏ ହେଉନା କାହିଁକି । ଏଇ କ୍ଷଣି ମୋ ବାସଭବନ ଛାଡି ଅନ୍ଧାରରେ ହଜିଆଅ । ମୋ ପୁରୁଷ ପଣିଆର ମର୍ଯ୍ୟାଦା ଛିନ୍ନବିଚ୍ଛିନ୍ନ ହେବା ପୂର୍ବରୁ ଚାଲିଯାଅ । ନଚେତ ମୁଁ ପୁଲିସକୁ ଡାକିବି । ଅବା ଏତକ ନକରି ପାରିଲେ ହିଂସୃକ ହେଇ ତମ ନାରୀତ୍ଵକୁ ମାଟିରେ ମିଶେଇ ଦେବି । ଏତକ କହି ସେ ସ୍ତ୍ରୀ ଟିର ବାହୁକୁ ଟାଣିଟାଣି ବାସଭବନର ବାରଣ୍ଡାରେ ଛିଟିକିଦେଲେ । ତରତର ହେଇ ଭିତରୁ କବାଟ ପକେଇଦେଲେ ।

           ଡର, ରାଗ, ଘୃଣା, ଅଭିମାନ ଓ ଅପମାନରେ ତାଙ୍କ ଦେହ କମ୍ପୁଥିଲା । ବାହାରୁ କବାଟ ଉପରେ କରାଘତର ଶବ୍ଦ ଜୋରରୁ ଜୋର ହେଉଥିଲା । ଖଟ ଉପରେ ଶୋଇବାକୁ ଚାହିଁ ସେ ଶୋଇ ପାରୁନଥିଲେ । ଅନେକ ଅଶାନ୍ତ ଭାବନା ତାଙ୍କୁ ବିଚଳିତ କରୁଥିଲା । ସମୁଦ୍ରକୂଳର ଶାନ୍ତ ପରିବେଶଟା ଯେମିତି ଅଶାନ୍ତ ହେଇ ପଡିଥିଲା । ଧୀରେ ଧୀରେ ସମୟ ବିତିବାରେ ଲାଗିଲା ଏବଂ କବାଟ ଆଡୁ ଆସୁଥିବା ଶବ୍ଦ ଆଉ ଶୁଣା ଯାଉନଥିଲା ।

           ରାତି ତିନି ପହର ଯାଏଁ ନିଦ ନଥିଲା ସ୍ଵାଗତଙ୍କୁ । ଅନ୍ୟକୁ ସୁରକ୍ଷିତ ରଖିବା ତାଙ୍କ କର୍ତ୍ତବ୍ୟ କିନ୍ତୁ ଆଜି ସେ ନିଜକୁ ଅସୁରକ୍ଷିତ ମନେ କରୁଥିଲେ । ପୁଣି ମନରେ ଭୟ ସ୍ତ୍ରୀ ଲୋକଟିକୁ ନେଇ । ପଳେଇ ଯାଇଥିବ କି....... ? ପୁଣି ସମୁଦ୍ରରେ ଝାସ ଦେଇଥିବ କି....... ? ପୁଲିସରେ ଯାଇ ତାଙ୍କ ବିରୁଦ୍ଧରେ ଏତଲା ଦେଇଥିବା କି ......? ରାସ୍ତାରେ ମରି ପଡିଥିବା କି ......? କୌଣସି ମଦୁଆର ପାଶବିକ ଅତ୍ୟାଚାର ସହିଥିବ କି.... ? ଏପରି ଏନେକ ।

           ପୁଣିଥରେ ସେ ସନ୍ତର୍ପଣରେ କବାଟ ଖୋଲିଲେ । ଦେଖିଲେ ସ୍ତ୍ରୀ ଲୋକଟି ଚୁପଚାପ ବସିଛି । ତିଳେ ମାତ୍ର ଅବଶୋସ କି କିଛି ଘଟିଥିବାର ଚିହ୍ନ ନାହିଂ । ବରଂ ସେ ଶାନ୍ତ, ସ୍ନିଗ୍ଧ ଓ ଓଠରେ ରହସ୍ୟମୟ ହସ । ଯେମିତି କିଛି ଘଟିନି । ଚାହିଁ ବି ରାଗି ପାରିଲେନି ସ୍ଵାଗତ । ପୁଣିଥରେ ଫେରିଲେ ସେ ।        ଭିତରୁ କବାଟ ପକେଇବା ପୂର୍ବରୁ ସ୍ତ୍ରୀ ଲୋକଟି କହିଲା –ଭିତରେ ମୋ ପର୍ସ ରହି ଯାଇଥିଲା ଯାହା ଆପଣ ବାହାରକୁ ମୋତେ ଫୋପଡିଲା ଭଳି ଫିଙ୍ଗିବାକୁ ଭୁଲି ଯାଇଥିଲେ । ମୁଁ କେବଳ ସେତିକି ନେଇ ଚାଲିଯିବି ।

           କିଛି ନ କହି ସ୍ଵାଗତ ରାସ୍ତା ଛାଡିଦେଲେ । ସ୍ତ୍ରୀ ଲୋକଟି ପର୍ସ ନେଇ ଫେରିଲା ବେଳକୁ ଗୋଟିଏ ଫଟୋ ବାହାର କରି ବଢେଇ ଦେଲା ତାଙ୍କ ହାତକୁ ।

           କହିଲା –ଏଇଟା ରଖନ୍ତୁ । ଆପଣଙ୍କ ଆବଶ୍ୟକରେ ଆସିପାରେ । ମୁଁ ଅନେକ ଦିନ ଧରି ସାଇତି ବୁଲୁଛି । ଘରେ ଭିତରେ ତ ରହିବି ନାହିଂ କିନ୍ତୁ ବାହାର ବାରଣ୍ଡାରେ ବସି ଅପେକ୍ଷା କରିବି ଓ ଭୋର ବସରୁ ପଳେଇବି । ବିଶ୍ଵାସ କରନ୍ତୁ ଆପଣଙ୍କୁ କୌଣସି ପ୍ରକାର ସମସ୍ୟାରେ ପକେଇବାକୁ ମୋର ଲକ୍ଷ୍ୟ ନଥିଲା କି ଏବେ ବି ନାହିଂ।

           କେଜାଣି କାହିଁକି ସ୍ତ୍ରୀଟିର କଥାରେ ଏକ ପ୍ରକାର ବିଶ୍ଵାସନୀୟତା ଥିଲା । ରାତ୍ରିକୁ ଅଧିକ ଆଉ ନାଟକୀୟ ନକରିବାକୁ ସ୍ଥିର କରି ସ୍ଵାଗତ ଚୁପଚାପ ନିଜ ଷ୍ଟଡିରୁମକୁ ଚାଲିଲେ ଏବଂ ଭିତର ଆଡୁ କବାଟ ପକେଇବାକୁ ଇଷରା କଲେ ।

           ଆଲୋକ ଭିତରେ ସ୍ତ୍ରୀ ଲୋକଟି ଦେଇଥିବା ଫୋଟଟିକୁ ଦେଖିଲା କ୍ଷଣି ସେ ବସିଥିବା ଚୌକିରୁ ଚମକି ଠିଆ ହେଇପଡିଲେ । ଆରତୀ ସହ ସ୍ତ୍ରୀ ଲୋକଟିର ଫୋଟ। ବୋଧେ କଲେଜ ସମୟର । କାରଣ ଆରତୀ ଏମିତି ଦେଖା ଯାଉଥିବା କଲେଜ ସମୟର ଫୋଟ ସାଇତି ରଖିବାକୁ କହିଥିଲା । ସ୍ଵାଗତ ଏଥର ନିଶ୍ଚିନ୍ତ ହେଲା ଯେ ସ୍ତ୍ରୀ ଲୋକଟି ହାନି କରିବାକୁ ଆସିନି । ବରଂ ନିଶ୍ଚୟ ଆରତୀ ସହ କୌଣସି ନା କୌଣସି ସମ୍ପର୍କ ଥିବ । ନିଜକୁ ରୋକି ନପାରି ଚୁପଚାପ ସ୍ତ୍ରୀଟିକୁ ଖୋଜି ତାକୁ ପାଇଲେ ନିଜ ବେଡରୁମରେ । ବିନା ଚିନ୍ତାରେ ଶୋଇଛି ସେ ଆରତୀର ନାଇଟ ଗାଉନ ପିନ୍ଧି । ମୁଖମଣ୍ଡଳ ବେଡଲାଇଟରେ ଅଧିକ ସମ୍ମୋହିତ ଏବଂ ବିଛାଡି ହେଇ ପଡିଥିବା ମୁକୁଳା କେଶରାଶି ତାର ସୁନ୍ଦରତାକୁ ଦ୍ଵିଗୁଣିତ କରିଛି । ନାଇଟ ଗାଉନ ଭିତରୁ ଉଙ୍କି ମାରୁଥିବା ଉନ୍ନତ ବକ୍ଷଜ ଅକ୍ଷତ ଯୌବନକୁ ଇଙ୍ଗିତ କରୁଛି ଯାହା ଯେ କୌଣସି ପୁରୁଷକୁ ଆକର୍ଷିତ କରିବାକୁ ସମର୍ଥ ବୋଲି ଦର୍ଶାଉଛି । ଅଧିକ କିଛି ନଭାବି ତା ଉପରେ ଗୋଲାପ ରଙ୍ଗର କମ୍ବଳ ଘୋଡେଇ ଦେଲେ ସେ । ଏବଂ ଚୋରଭଳି ତା ପର୍ସ ଖୋଲି ଦେଖିବାକୁ ଲାଗିଲେ । କାରଣ ଏ ଯାଏଁ ସେ ତା ନାମ କି ପରିଚୟ ଜାଣି ପାରିନାହାନ୍ତି । ପର୍ସ ଭିତରୁ ଏକ ପାଞ୍ଚ ଛ ବର୍ଷର ପୁରୁଣା ଲିଫାପା ମିଳିଲା ଯାହା ଉପରେ ଠିକଣା ଲେଖା ହୋଇଥିଲା –ମିସ ଲତିକା ପାଣିଗ୍ରାହୀ ପିତା –ଅନିରୁଦ୍ଧ ପାଣିଗ୍ରାହୀ । ଗ୍ରାମ ଜମାଦେଇପୁର । ସେ ତଥାପି ନିଶ୍ଚିନ୍ତ ହେଇ ପାରିଲେନି ଯେ ସ୍ତ୍ରୀ ଲୋକଟିର ନାଁ ଲତିକା କି ଗାଁ ଜମାଦେଇପୁର । କିନ୍ତୁ ଯେହେତୁ ଆରତୀର ଗାଁ ଜମାଦେଇପୁର ନିଶ୍ଚୟ କିଛି ଗୋଟେ ଯୋଗସୂତ୍ର ଅଛି । ଭିତରୁ ଚାରିପୃଷ୍ଠାର ଚିଠିଟିଏ ବାହାର କଲେ ଯାର ହସ୍ତାକ୍ଷର ଆରତୀର ହସ୍ତାକ୍ଷର ସହ ମିଶୁଥିଲା । ସମୟ ନଷ୍ଟ ନକରି ସେ ପଢିବାକୁ ଲାଗିଲେ ।

ମୋର ପ୍ରିୟ ବାନ୍ଧବୀ ଲତା

କିଏ ନଜାଣିଲେ ବି ଆମେ ଦୁହେଁ ଜାଣିଛେ ସ୍ଵାଗତ ଆସିଥିଲେ ତୋତେ ଦେଖିବାକୁ କିନ୍ତୁ ତାଙ୍କୁ ଦେଖି ମୁଁ ସାଥି ରୂପରେ ପାଇବାକୁ ଗୁପ୍ତଇଚ୍ଛା ପ୍ରକାଶ କରିଥିଲି ହସ ଗମାନ୍ତରେ । କିନ୍ତୁ ମୋ ହୃଦୟକୁ ଯେମିତି ଆଘାତ ନଲାଗୁ ସେଥିପାଇଁ ତୁ ଅନ୍ୟ ପୁଅକୁ ଭଲପାଇବା ଆଳ ଦେଖେଇ ମୋ ବାପାଙ୍କୁ ଏ ପ୍ରସ୍ତାବରେ ରାଜି କରେଇଥିଲୁ । ସ୍ଵାଗତ ଭଳି ସ୍ଵାମୀ ପାଇ ମୁଁ ଧନ୍ୟ ହେଲି କିନ୍ତୁ ପର ମୁହୂର୍ତ୍ତରେ ଜାଣିଲି ତୋ ପରିବାର ପାଇଁ ଅନେକ କିଛି କରିଥିବାର ମୋ ବାପାଙ୍କ ରୁଣ ତୁ ଏ ପ୍ରକାର ସୁଝେଇଲୁ । ଏ ଯାଏଁ ବି ସ୍ଵାଗତ ଜାଣି ନାହାନ୍ତି ସେ କାହାକୁ ଦେଖିବାକୁ ଆସିଥିଲେ ଓ କାହାକୁ ବାହାହେଲେ । ସେଇ ଦିନଠୁ ତୁ ମୋ ପାଇଁ ବଡ ହେଇଯାଇଛୁ । ସ୍ଵାଗତଙ୍କ ସହ ଚଉଠିରାତିଠୁ ଆରମ୍ଭ କରି ମୋହିତ ଜନମ ହେବାର ବେଦନା ତୁ ଜାଣିଛୁ । ସ୍ଵାଗତଙ୍କ ଅତି ନିଜି କଥାଠୁ ଆରମ୍ଭ କରି ଆମ ସ୍ଵାମୀସ୍ତ୍ରୀଙ୍କ ଗୁପ୍ତକଥା ତୁ ଜାଣିଛୁ । ମୋ ଘରେ କେଉଁଠି କେଉଁ ରଙ୍ଗ ଲାଗିଛି, କେଉଁ କୋଣରେ କି ଫୋଟ ଅଛି, କେତେ ଖଣ୍ଡ ଶାଢୀ ସେ ମୋ ପାଇଁ କିଣିଛନ୍ତି ସବୁ ତୁ ଜାଣିଛୁ । ଏତେ ବଡ ଦୁନିଆରେ ମୋର ସମସ୍ତ ସୁଖଦୁଖ, ଘଟଣ ଦୁର୍ଘଟଣା ବିଷୟରେ କେବଳ ମୁଁ ତୋତେ କହେ ଯେମିତି ତୋ ବାପା ମୋ ବାପାଙ୍କ ତଳେ କାମ କଲେ ବି ଆମେ ଦୁହେଁ ପିଲାବେଳୁ ଗୋଟିଏ ଖଟରେ ଶୋଇଛେ । ଗୋଟିଏ ଥାଳିରେ ଖାଇଛେ । ଗୋଟିଏ ସ୍କୁଲ ଓ କଲେଜରେ ପଢିଛେ । କିଏ ଆଜିଯାଏଁ କିଏ କହିନାହାନ୍ତି ଯେ ଆମେ ଦୁହେଁ ସମବୟସ୍କ ବାଲ୍ୟବାନ୍ଧବୀ ବରଂ ଆମେ ଦୁହେଁ ଭଉଣୀ । ବଉଳ ...। ମକର ....। ସଂଗାତ ....।  ମୁଁ ଆଜି ଯାଏଁ ବି ଜାଣି ପାରିଲିନି ତୁ କାହିଁକି ମୋ ବାହାଘରେ ନିଜକୁ ଲୁଚେଇ ରଖିଲୁ ଏବଂ ଅନେକ ଥର ଡାକିଲା ପରେ ବି ତୁ ସ୍ଵାଗତ ଆଗକୁ ଆସିନୁ । ଏ ଭିତରେ ତୁ କଲେଜର ଅଧ୍ୟାପିକା ହେଇଛୁ । ବ୍ୟସ୍ତ ରହୁଛୁ । ଆଗ ଭଳି ମୋ ସଂସାରର ଟିକନିକ ଖବର ରଖୁଥୁବା ମୋ ଅଲିଅଳି ଲତା ଆଉ ପଚାରୁନି ମୁଁ ବଞ୍ଚିଛି କି ମରୁଛି । କିନ୍ତୁ ଗୋଟେ କଥା ଏ ଯାଏଁ ମୋତେ ଭିତରେ ଭିତରେ ମାରୁଛି । ତୁ ଯେମିତି ମୋ ସୁଖର ସଂସାର ଦେଖି କୁରୁଳି ଉଠୁଛୁ କେବେ ମୁଁ ତୋ ସଂସାର ଦେଖି କୁଣ୍ଢେମୋଟେ ହେବି । ତୁ ବାହା ହେଉନୁ କାହିଁକି ? ବେଳେ ବେଳେ ଲାଗେ ତୋର ଏ ପ୍ରକାର ସ୍ଥିତି ପାଇଁ ମୁଁ ହିଁ ଦାୟୀ । କେଉଁ ଏକ ଅମଙ୍ଗଳ ମୁହୂର୍ତ୍ତରେ ମୋ ମନ କଥା ଯଦି ଜଣେଇ ନଥାନ୍ତି ତେବେ ତୁ ମୋ ଜାଗାରେ ଥାଆନ୍ତୁ ମୁଁ ତୋ ସଂସାରର ଟିକନିକ ଖବର ଜାସୁସ ପରି ଜାଣିଥାନ୍ତି ।

           ଲତା ଆଉ ଗୋଟେ କଥା । ସ୍ଵାଗତଙ୍କୁ ଜଣେଇନି । ମୋତେ ଲାଗୁଛୁ ଏକ ଅବୁଝା ରୋଗ ମୋତେ ଭିତରେ ଭିତରେ ଦୁର୍ବଳ କରୁଛି । ପ୍ରାଣବାୟୁ ଉଡିଗଲା ଭଳି ଲାଗୁଛି । ଏସବୁ ଲେଖିଲେ ତୁ ରାଗିବୁ ବୋଲି ଡରି ଡରି ଲେଖୁଛି । ଯଦି ଏମିତି କେମିତି ଏକଥା ସତ ହୁଏ ତଥାପି ମୋର ଡର ନାହିଂ । କାରଣ ତୁ ଅଛୁ ନା ! ସ୍ଵାଗତ ଓ ମୋହିତକୁ ତୁ ଭାଙ୍ଗିବାକୁ ଦେବୁନି । ସେଥିପାଇଁ ତ ମୁଁ ନିଶ୍ଚିନ୍ତରେ ବଞ୍ଚୁଛି । ଯେତେ ଶୀଘ୍ର ପାରୁଛୁ ହାତରୁ ଦୁଇହାତ ହେଇଯା । ନଚେତ ବାଧ୍ୟ ହେଇ ତୋତେ ଏଇ ଘରକୁ ସ୍ଵାଗତଙ୍କ ଦ୍ଵିତୀୟା କରି ଆଣିବି । ସଉତୁଣୀ ଯନ୍ତ୍ରଣା ଟିକେ ସହିଯିବି ପଛେ, ତୋତେ ସାଙ୍ଗରେ ପାଇବାର ସୁଖତ ପାଇବି । ହଉ , ରାତି ବେଶୀ ହେଲାଣି । ସ୍ଵାଗତ ଟ୍ରେନିଂରେ ଅଛନ୍ତି । ମୋହିତ ଶେଯରେ ମୋତେ ନପାଇ କାନ୍ଦିବ । ବୋଧେ ଏଇ ଭିତରେ ସ୍ଵାଗତ ଅନ୍ୟ କିଛି ଚାକିରିରେ ଯୋଗ ଦେବେ । ମୋ ନାରେ ସହରେରେ ଫ୍ଲାଟଟିଏ ନେଇଛନ୍ତି । ତୁ ତ ତୋ କଲେଜର ଠିକଣା ଦେଲୁନି । ଏଣୁ ଗାଁ ଠିକଣାରେ ଏ ଚିଠି ପଠାଉଛି । ମଉସା ମାଉସୀ ସମସ୍ତଙ୍କୁ ପ୍ରଣାମ । ଆଶା ଭଲରେ ଥିବୁ । ଚିଠି ପାଇଲା ମାତ୍ରେ ଏଥର ଯେମିତି ମିଶିବାକୁ ଆସିବୁ । ନହଲେ ସତ କହୁଛି ତୋ ରତୀର ମଲାମୁହଁ ଦେଖିବୁ । କଟି କଟି କଟି ।

ଇତି ତୋ ହୃଦୟର ରତୀ ।

           ଚିଠି ପଢା ପରେ ସ୍ଵାଗତ ଏବେ କିଛି ବୁଝିବାରେ ସମର୍ଥ ହେଲେ । ଅବୁଝା ଆଉ ରହିଲା ନାହିଂ ଯେ ସମ୍ମୁଖରେ ଗଭୀର ନିଦ୍ରାରେ ଥିବା ସ୍ତ୍ରୀ ହେଲା ସେଇ ଲତିକା ଉର୍ଫ ଲତା ଯାହା ବିଷୟରେ ଆରତୀ ସବୁବେଳେ ବଞ୍ଚିଥିବା ବେଳେ କହିଥିଲା । ସ୍ଵାଗତ ପରେ ଯଦି ଆଉ କେଉଁ ବ୍ୟକ୍ତି ଆରତୀର ଜୀବନର ଥିଲା ତେବେ ସିଏ ହେଲା ଲତିକା ତାର ବାଲ୍ୟ ବାନ୍ଧବୀ । କିନ୍ତୁ କେବେ ବି ତାକୁ ଦେଖିନଥିଲେ କିମ୍ବା କଥା ହେଇନଥିଲେ । କିନ୍ତୁ ଆରତୀ ଯେ ଏତେ ନିବିଡ ଭାବରେ ତା ବାନ୍ଧବୀ ସହ ଜଡିତ ଥିଲା ଏହା ତାଙ୍କ ଭାବନାର ବାହାରେ । ଏମିତିକା ବନ୍ଧନ ଯେଉଁଠି ଦୁହେଁ ଦୁହିଙ୍କର ଛୋଟରୁ ଛୋଟ କଥା ଦୁଃଖସୁଖ ବାଣ୍ଟୁଥିଲେ । ଏତିକି ତ ନିଶ୍ଚିତ ହେଲା ସ୍ଵାଗତ ଏବଂ ତାଙ୍କ ଜୀବନର ସମସ୍ତ ଘଟଣା ଦୁର୍ଘଟଣାକୁ ଲତିକା ଜାଣିଛି । ଯଦି ଆରତୀର ଚିଠିକୁ ସେ ଅଳ୍ପ ବିଶ୍ଳେଷଣ କରିବେ ତେବେ କଣ ଲତିକା ତାଙ୍କୁ ଓ ମୋହିତକୁ ଆପଣେଇବାକୁ ଆସିଛି ....? ଯଦି ସତରେ ଏମିତି ହୁଏ ତେବେ ସେ କଣ କରିବେ ......? ଲତିକାକୁ ନେଇ ପୁନଶ୍ଚ ସଂସାର ଗଢି ପାରିବେ ....? ଯଦି ଲତିକା ସବୁ ଜାଣିଥିଲା ତେବେ ସିଧା ଆସି ତାଙ୍କୁ ନିଜର ପରିଚୟ ଦେଇ ପାରିଥାନ୍ତା , ଏତେ ପ୍ରହେଳିକାର କଣ ଆବଶ୍ୟକତା ...? ଏସବୁ ତର୍କକୁ ଯଦି ଗୁରୁତ୍ଵ ନ ଦିଆଯାଏ ତେବେ ଲତିକାର ଏତେଦିନ ଧରି ସମୁଦ୍ର ସହ ଲୁଚକାଳି ଖେଳ କାହିଁକି .....?

           ସେ ଯାହା ହେଉ, ଘଟୁଥିବା ସମସ୍ତ ରହସ୍ୟମୟ କଳ୍ପନାର ଅବସାନ ଘଟିଛି । ଆସନ୍ତା ସକାଳ କଣ ତାଙ୍କ ପାଇଁ ସାଇତିଛି ତାହା ଭଗବାନଙ୍କୁ ଜଣା । ଅନ୍ତତଃ ଏବେ ଟିକେ କ୍ଳାନ୍ତ ଶରୀରଟାକୁ ଆରାମ ମିଳିପାରିବ । ସକାଳେ ସେ ଅନେକ ପ୍ରଶ୍ନର ଉତ୍ତର ଲତିକାଠୁ ଆଦାୟ କରିନେବେ ।

           ପୁଣି ଥରେ ସ୍ଵାଗତ ଲତିକାର ସୁନ୍ଦର ମୁହଁକୁ ଦେଖିଲେ । ଅନେକ ଦିନ ପରେ ନିଜ ଶେଯରେ ଜଣେ ସ୍ତ୍ରୀକୁ ଦେଖି ନିଜ ଭିତରେ କିଛି ପରିବର୍ତ୍ତନର ଅନୁଭବ କଲେ ସେ । ଅନୁଭବ ମନର ......। ହୃଦୟର ........। ଦେହର..... । କାହାକୁ କୋଳେଇନେବାର ... । କାହା କୋଳରେ ନିଜକୁ ସମର୍ପି ଦେବାର ........ । ପୁଣି ଥରେ ସଂସାର ଗଢିବାର ....... । ଏକଲା ବଞ୍ଚିବାର ଯନ୍ତ୍ରଣାରୁ ମୁକ୍ତି ପାଇବାର ...... । 

           ଲତିକା ଶେଯ ଉପରେ ଜାକିଜୁକି ହେଲା । ଓଠରେ କ୍ଷୀଣ ହସ । ବୋଧେ ତାକୁ ଥଣ୍ଡା ଲାଗୁଛି । ଦେହରୁ ଖସି ଯାଇଥିବା କମ୍ବଳକୁ ତା ଉପରେ ଭଲରେ ଢାଙ୍କି ଦେଲେ ସେ । କଣ ଇଚ୍ଛା ହେଲା କେଜାଣି ଲତିକାର ଅସ୍ତବ୍ୟସ୍ତ କେଶରାଶିକୁ ସାଉଣ୍ଟି ବାରେ ଲାଗିଲେ । ..........ସମ୍ମାନରେ .......ସ୍ନେହରେ ........ପ୍ରେମରେ । ଅଧିକ ସମୟ ଯଦି ସେ ଆଉ ଲତିକା ପାଖରେ ରହିବେ ତେବେ ନିଜ ଦୁର୍ବଳତା ଆଗରେ ହରିଯିବାର ସମ୍ବାବନା ଅଛି ଭାବି ସେ ଯିବାକୁ ଉଠିଲେ ... ।

           କିନ୍ତୁ ଏ କଣ...? ଲତିକା ତାଙ୍କ ହାତକୁ ନିଜ ଛାତି ଉପରେ ଭିଡି ଧରିଲା ଏବଂ କଡ ଲେଉଟାଇ ତାଙ୍କ ବକ୍ଷରେ ମୁଣ୍ଡ ଗୁଞ୍ଜିଲା ଠିକ ସବୁଦିନ ରାତିରେ ଆରତୀ କଲା ପରି । ଟିକେ ମାତ୍ର ହଲି ପାରିଲେନି ସେ । ଲତିକାର ଉଷୁମତା ତାଙ୍କ ଦେହର ଉତ୍ତାପକୁ ଅଧିକ ବଢେଇଦେଲା । ହୃଦୟର ସ୍ପନ୍ଦନ ବେଗ ବଢୁଊଥିଲା । ଶ୍ଵାସ ପ୍ରଶ୍ଵାସ ତୀବ୍ର ହେଉଥିଲା । କଣ ଠିକ କଣ ଭୁଲ ନିଜେ ନିର୍ଣ୍ଣୟ କରି ପାରୁନଥିଲେ । ସ୍ୱଳ୍ପ ଆଲୁଅରେ ସେ ଲତିକାର ମୁହଁକୁ ସାହସର ସହ ଦେଖିବାକୁ ଚେଷ୍ଟା କଲେ । ଶିଶର ବିନ୍ଦୁ ପରି ଲତିକାର ଶାନ୍ତ ଶ୍ନିଗ୍ଧ ମୁଖ ମଣ୍ଡଳରୁ ଛୋଟ ଛୋଟ କାଚ କେନ୍ଦୁ ପରି ଆଖି ଦୁଇଟା ତାଙ୍କୁ ଏକ ଲୟରେ ଚାହୁଁଥିଲା ।

           -ମୁଁ ଚିଠିରୁ ଜାଣିଲି ତମେ ଲତିକା । ଆରତୀ ମାଧ୍ୟମରେ ତମେ ଜାଣିଛ ମୋ ଜୀବନର କାହାଣୀ । ଘଟିଥିବା ସମସ୍ତ ଘଟଣାକୁ ମୁଁ ଅଳ୍ପ ବହୁତ ବୁଝି ସାରିଲିଣି । କିନ୍ତୁ ଏ ଯାଏଁ ଜାଣି ପାରିଲିନି ମୋ ସହ ସିଧା ସମ୍ପର୍କ ନକରି କାହିଁକି ତୁମେ ସମୁଦ୍ର ସହ ଖେଳ ଖେଳୁଥିଲ ? ମୁଁ ତମକୁ ଉଧାର କରିବା ନିୟତିର ଲେଖା କି ତମେ ସମୁଦ୍ରରେ ଝାସ ଦେବା ଏକ ପୂର୍ବ କଳ୍ପିତ ପ୍ରହେଳିକା ? ଏ ଚିଠି ଅତି ପୁରୁଣା । ଏହାର ଇତିହାସ କଣ । ଦୟାକରି କହିଦିଅ । ନଚେତ ମୋତେ ନିଦ ଆସିବ ନାହିଂ । -ପଚାରି ବସିଲେ ସ୍ଵାଗତ ।

           ଲତିକା ଓଠରେ ପୁଣି ଥରେ ରହସ୍ୟମୟ ହସ । କହିଲା –ସତ କହିବାକୁ ଗଲେ ମୁଁ ଜାଣିଥିଲି ତମେ ଏଠି ଅଛ ବୋଲି । ମୋ ଜୀବନର ପ୍ରାଣ ମୋ ବାନ୍ଧବୀ ତାର ବଞ୍ଚୁଥିବା ପ୍ରତ୍ୟେକ ମୁହୂର୍ତ୍ତର କଥା ମୋତେ କହେ ଯେମତି ପିଲାବେଳୁ ଆମ ଭିତରେ କୌଣସି ଲୁଚାଚୋରା ପ୍ରାଚୀର ନାହିଂ। ପାଞ୍ଚ ବର୍ଷ ତଳେ ନୂଆଁ ନୂଆଁ ଚାକିରୀ କ୍ଷେତ୍ରରେ ବ୍ୟସ୍ତ ରହି ତା ପ୍ରତ୍ୟେକ ଚିଠିର ପ୍ରତିତ୍ତୋର ଦେବା ସମ୍ଭବ ହେଇ ପାରିଲା ନାହିଂ । ଏ ଚିଠି ମୁଁ ପାଇଲି ଦୁଇ ବର୍ଷ ତଳେ ମୋ ଘର ଆଲମୀରାରୁ । ସେତେବେଳକୁ ସବୁ ସରି ଯାଇଥିଲା । ମୋ ରତୀ ମୋତେ ଛାଡି ଚାଲିଗଲା ବହୁଦୁରେ । ଯଦି ଏ ଚିଠି ମୁଁ ଆଗରୁ ପାଇଥାନ୍ତି ତେବେ ହୁଏତ ଆଜି ଏଠି ମୋ ଜାଗାରେ ସେ ଥାନ୍ତା । -ଏତିକିରେ ଲୁହ ଭରିଗଲା ତା ଆଖିରେ । ବାଷ୍ଫରୁଦ୍ଧ ହେଲା କଣ୍ଠ । ସ୍ଵାଗତର ବାହୁ ବନ୍ଧନ ବି କୋହଳ ହେଲା । ଆରତୀର ସ୍ମୃତି ଦୁହିଙ୍କୁ କନ୍ଦେଇଛି ।

           -ସେଇଠୁ ଆଜିଯାଏଁ ମୁଁ ନିଜକୁ ପ୍ରସ୍ତୁତ କରିଛି ତମ ପାଖକୁ ଆସିବାକୁ । ମୋହିତ କୁ କୋଳେଇ ନେବାକୁ । ମୁଁ ଜାଣିଥିଲି ତମେ ଏଠି ଚାକିରି କରୁଛ । ମୁଁ ଜାଣୁଥିଲି ତମେ ମୋତେ ଅନୁସରଣ କରୁଛ । ତମକୁ ହଇରାଣ କରିବା ମୋର କୌଣସି ଉଦ୍ଦେଶ୍ୟ ନଥିଲା । କିନ୍ତୁ ମୋ ପ୍ରତି ତମର କୌତୁହଳ ବଢାଇବା ମୋର ପୂର୍ବବତ୍ତ ଯୋଜନା ଥିଲା । ଯଦି ତମକୁ ପାଖକୁ ଆସି ସିଧା ସଳଖ ମୋ ହୃଦୟର କଥା କହିଥାନ୍ତି ତେବେ ତମେ ମୋତେ ସ୍ଵାର୍ଥୀ ଭାବି ନଥାନ୍ତ କି ?

           ଦୁହିଙ୍କ ଭିତରେ କିଛି ସମୟର ନୀରବତା । ସ୍ଵାଗତ ଜାଣି ପାରୁଛନ୍ତି ଯେ ତାଙ୍କ ଜୀବନରେ ବର୍ତ୍ତମାନ ଲତିକାର ପ୍ରବେଶ ହେଇ ସାରିଛି । ସେଇ ମନୋବଳ ଓ କାମନା ନେଇ ଆସିଛି ଏଠି ସେ । ତାର ପ୍ରସ୍ତାବରେ ସ୍ଵାଗତ ରାଜି ହେଲେ ବି ଆରତୀ ଆସି ମଝିରେ ଠିଆ ହେଇ ଯାଉଛି । ତାଙ୍କ ମୁହଁରେ ଅସମ୍ଞ୍ଜ ସ୍ଥିତି ଦେଖି ପୁଣି ଆରତୀ କହିଲା –

           -ମୁଁ ତମ ପରିସ୍ଥିତି ବୁଝି ପାରୁଛି । ତମ ଜାଗାରେ ମୁଁ ଥିଲେ ବି ସେମିତି ଭାବିଥାନ୍ତି । ତମ ମନର କଳା ବାଦଲକୁ ସଫା କରିବାକୁ ମୁଁ ଚେଷ୍ଟା କରୁଛି । ରତୀର ବି ଶେଷ ଇଚ୍ଛାଥିଲା ମୁଁ ତମକୁ ଓ ରାହୁଲର ଦାୟିତ୍ଵ ନେବି । ରତୀର ବି ଇଚ୍ଛାଥିଲା ମୁଁ ତା ପାଖରେ ରହିବି ଜୀବନ ଯାଏଁ । ରତୀର ବି ଇଚ୍ଛାଥିଲା ମୁଁ ବାହାହେଇ ସଂସାର କରିବି । ଅନେକ ଭାବିବା ପରେ ଏ ଦାୟିତ୍ଵ ନେଇଛି । ରାହୁଲକୁ ମା ଦରକାର । ତମକୁ କାହାର ସାହାରା ଦରକାର । ନ ହେଲେ ଏତେ ଜୀବନର ଲାମ୍ବା ରାସ୍ତା କଟିବ କେମିତି । ମନରେ କୌଣସି ଦୂବିଧା ରଖିବା ରଖିବା କଥା ନୁହଁ । କାରଣ ଆରତୀର ବି ଏଇ ଇଚ୍ଛାଥିଲା । ଭାବୁଛି ଆମର ଏ ମିଳନରେ ଆରତୀ ବରଂ ଖୁସି ହେବ । କାରଣ ତାର ବି ଏଇ ଶେଷ ଇଚ୍ଛା ଥିଲା ଯାହା ମୁଁ ଡେରିରେ ଜାଣିଲି । ହଁ , ଯଦି ଆପଣ ନିଜକୁ ପ୍ରସ୍ତୁତ କରି ପାରୁ ନାହନ୍ତି ମୋର ବାଧ୍ୟ କରିବାର ନାହିଂ । ମୁଁ ଯେମିତି ବଞ୍ଚୁଥିଲି ବଞ୍ଚିଯିବି ।

           ସ୍ଵାଗତ ଦୀର୍ଘ ନିଶ୍ଵାସଟିଏ ନେଲେ । କହିଲେ –ଲତା ତମର ସବୁ କଥା ଠିକ । କିନ୍ତୁ ମନରେ ଅନେକ ଭାବନା ଆଉଟୁ ପାଉଟୁ ହେଉଛି । ତମ ଆଗରେ ସୁଖ ଜୀବନର ଲମ୍ବା ରାସ୍ତା । ତମେ ଯେମିତି ଚାହିଁବ ସେମିତି ବଞ୍ଚି ପାରିବ । ନିଜ ସ୍ଵପନର ରାଜ କୁମାର କୁ ବାହା ହେଇ ସୁଖର ସଂସାର ଗଢି ପାରିବ। । କୁମାରୀ ଜୀବନରେ କାହିଁକି ଦଶ ବର୍ଷର ପିଲାର ମା ଓ ଚାଳିଶି ବର୍ଷ ଅଧାବୁଢା ପୁରୁଷର ସ୍ତ୍ରୀ ହେଇ ଜୀବନ କାଟିବ । ନୂଆଁ ନୂଆଁ କିଛି ଦିନ ଭଲ ଲାଗିବ କିନ୍ତୁ ଧୀରେ ଧୀରେ ଦେଖିଥିବା ସ୍ଵପ୍ନ ଭାଙ୍ଗିବାରେ ଲାଗିଲେ ଅବଶୋଷ କରି ବଞ୍ଚିବ । ଧରା ଯାଉ ସବୁ ହେବନି ଯେମତି ମୁଁ କହୁଛି । ତଥାପି ମୋ ମନରେ ପ୍ରଶ୍ନ । ମୋ ସହ ଜୀବନ ବିତେଇବା ପାଇଁ ତମେ ଭାବନାରେ ବହି ଯାଇଛ ନା ଅନେକ ଭାବି ଚିନ୍ତି ନିର୍ଣ୍ଣୟ ନେଇଛ ? କାରଣ ଦେଖାଯାଏ ଭାବନାରେ ନେଇଥିବା ନିର୍ଣ୍ଣୟ ସବୁବେଳେ ଯନ୍ତ୍ରଣା ଦେଇଥାଏ । ଜୀବନ ସମୁଦ୍ର ଭଳି । ସମୁଦ୍ର ଅନେକ ତଟନେଇ ବଞ୍ଚେ ତଥାପି ଅନେକ ଜାଗାରେ ତଟଶୁନ୍ୟ ଥାଏ । ତଥାପି ତଟଶୁନ୍ୟ ଶୁନ୍ୟତାରେ ଭରି ରହିଥାଏ ।

           ଏ କଥା ଶୁଣି ଲତିକା ଚାହିଁଲା ସ୍ଵାଗତଙ୍କ ମୁହଁକୁ । ଗେଲରେ ଦୁଇ ପାପୁଲିରେ ସ୍ଵାଗତଙ୍କ ମୁହଁକୁ ତୋଳି ନେଇ କହିଲା –ନଦନଦୀ, ନଈନାଳ , ପାହାଡ ପର୍ବତ ମୋତିମାଣିକ ଜୀବଜନ୍ତୁ ସମସ୍ତଙ୍କୁ ନିଜ ଗର୍ଭରେ ଲୀନ କରେ । କିନ୍ତୁ କେବେ କିଏ ଭାବିଛି ସମୁଦ୍ର କାହା କୋଳରେ ଲୀନ ହୁଏ ? ଜୀବନର ଅନେକ ବସନ୍ତ ପାର ହେଲା ପରେ ମୋତେ ଲାଗିଲା ସବୁ ନଦୀ ପରି ମୋତେ ବି ସମୁଦ୍ରଟିଏ ଦରକାର ଲୀନ ହେବା ପାଇଁ । ମୋର ବି ବିବାହର ବୟସ ଅତିକ୍ରମ ହେବାକୁ ବସିଲାଣି । ଏଇ ସମୟରେ ମୋ ପ୍ରିୟ ବାନ୍ଧବୀ ରତୀର ଦୁର୍ଦ୍ଦଶା ମୋତେ ବ୍ୟଥିତ କରିଛି । ତେଣୁ ବାରମ୍ବାର ଲାଗିଲା ତମେ ହିଁ ମୋ ସମୁଦ୍ର ଯେଉଁଠି ମୁ ଲୀନ ହେଇ ପାରିବି। ପାରିବି କଣ ଏବେ ଏଇ ଶୀତ କୁହୁଡି ଭରା ନିର୍ଜନ ରାତିରେ ମୁଁ ତମ ସହ ଲୀନ ହେଇସାରିଲିଣି । ଆଶା ତମେ ମୋତେ ମୁକ୍ତ ହସ୍ତରେ ଆଲିଙ୍ଗନ କରିବ । ଭାବୁଛି ରତୀ ଆମ ମିଳନରେ ଉପରେ ଥାଇ ଖୁସି ହେବ ।  

           ଏତିକି କହି ଲତିକା ସ୍ଵାଗତଙ୍କ କପାଳରେ ପ୍ରେମର ଚିହ୍ନଟିଏ ଦେଲା । ସ୍ଵାଗତ ବି ଆଉ ଆଗ ପଛ ନଭାବି ତାକୁ ନିଜ ଆଡକୁ ଭିଡି ନେଇ କହିଲେ ଟିକେ ରୁହ । ବେଡ ତଳୁ ପାଉଁଜିଟିଏ ବାହାର କରି ବଢେଇ ଦେଲେ ଲତିକା ଆଡକୁ । - ଏଇ ନିଅ । ମୁଁ ଆରତୀକୁ ଦେବା ପୂର୍ବରୁ ସେ ମୋତେ ଛାଡି ଚାଲିଗଲା । ତମେ ପଚାରୁଥିଲ ନା ?

           ଲତିକା ଲାଜରେ ନିଜ ପାଦ ସ୍ଵାଗତ ଆଡକୁ ବଢେଇ ଦେଲା .......।                            

            



Rate this content
Log in

Similar oriya story from Drama