BHAGIRATHI BEHERA

Tragedy

3  

BHAGIRATHI BEHERA

Tragedy

ଚାରିକାନ୍ଧ

ଚାରିକାନ୍ଧ

9 mins
175


  ଆଖିରେ ଆଖିଏ ଲୁହ ନେଇ ମାୟା ଘରୁ ବାହାରିଗଲା । କୁଆଡ଼େ ଯିବ ସେ ! ଛାତି ଉପରେ ଗାମୁଛାଟିକୁ ଆଉ ଟିକେ ଘୋଡ଼େଇ ଦେଇ ପାଦ ବଢ଼େଇଲା ମଶାଣି ଆଡକୁ । କେତେ ଆଉ ସେ ଗାଳି ଅପମାନ ସହିବ । ପର ତ ପର, ନିଜର ଘରଲୋକ ହିଁ ତା ମାନ ଇଜ୍ଜତକୁ ନିଲାମ କରୁଛନ୍ତି । ମଶାଣୀ ପାଖ କୂଅଁରେ ଡେଇଁ ଆଜି ଜୀବନ ହାରିବ ସେ ।

  “ମାୟାଧର ! ମାୟାଧର ! ..... ସକାଳ ବେଳଟାରେ ଏମିତି ଧାଉଁଛୁ କୁଆଡେ ।!”

  ଚମକି ଗଲା ମାୟା । ସାରା ଗାଆଁ ତାକୁ ମାୟା ବୋଲି ଡାକନ୍ତି । ମାୟା ! ମାଇଚିଆ । କେବଳ ସୁବଳ ହିଁ ତାକୁ ମାୟାଧର ବୋଲି ଡାକେ । ସେଥିପାଇଁ ସେ ତାକୁ ଭାରି ଭଲପାଏ ।

  ଇଆଡ଼େ ସେଆଡ଼େ ଅନେଇଲା । ମଶାଣୀ ରାସ୍ତାର ବାଆଁ ପଟେ ଏକ ନିଛାଟିଆ କୋଠା ଆଗରେ ନିମ୍ବଗଛ ମୂଳେ ଠିଆ ହୋଇଥିଲା ସୁବଳ । ଭାବିଲା ମରିବା ପୂର୍ବରୁ ଟିକେ ସୁବଳକୁ ଭେଟିନେବି । କିନ୍ତୁ ସେ ତା ଆଡକୁ ପାଦ ବଢ଼େଇ ପାରିଲାନି ।

  ଇସ୍ ! କି ଭୁଲ କଲା ସୁବଳ । ଏତେ ବଡ଼ ଗାଆଁରେ ତାକୁ ଆଉ କେଉଁଠି ଜାଗା ମିଳିଲା ନାହିଁ ଯେ ସେ ଅଭିଶପ୍ତ ପରିତ୍ୟକ୍ତ କୋଠା ପାଖରେ ଠିଆ ହୋଇଛି । ତାକୁ କ’ଣ ରୋଗ ବ୍ୟାଧିର ଡର ନାହିଁ । ଗାଆଁ ଲୋକ ଜାଣିଲେ ଏକଘରିଆ କରିନେବେ ତା ପରିବାରକୁ ।

  ମାୟା ଦେଖୁଛି କାଠଗେଟ୍ ଖୋଲି ବାର୍ଦ୍ଧକ୍ୟର ମାଡ ସହୁଥିବା ମାଗୁଣି ବୁଢ଼ା ବାହାରିଲା । ଦେହ ଥରିଗଲା ମାୟାର ।

  “ସୁବଳରେ ଓ ସୁବଳ ! ଆରେ ଧାଇଁ ପଳିଆସ ସେଠୁ । ବୁଢ଼ା ବାହାରିଲାଣି । ତୋତେ କୁଷ୍ଠ ରୋଗ ମାଡି ବସିବ ।”

  ମାୟାର ଏମିତି ପାଟିରେ ମାଗୁଣି ବୁଢ଼ା ଭିତରକୁ ଫେରିଗଲା ସିନା, ନିମ୍ବଗଛ ମୂଳୁ ସୁବଳ ଟସ କି ମସ୍ ହେଲା ନାହିଁ ।

ମାୟା କିଛି ଭାବିପାରିଲା ନାହିଁ । ମରିବାକୁ ଯିବ, ନା ସୁବଳକୁ ମରିବାକୁ ଦେବ । ଶେଷରେ ସେ ସୁବଳ ଆଡ଼କୁ ପାଦ ବଢ଼େଇଲା ।

  ସୁବଳ ଆଖିରେ ଲୁହ ଦେଖି ମାୟାର ଲୁହ ଶୁଖିଲା । ଯେମିତି ସେ ଭୁଲିଗଲା ଯେ, ମରିବାକୁ ଆସିଥିଲା । 

- “କ’ଣ ହେଲା କି ? କାହିଁକି କାନ୍ଦୁଛୁ ? ଏଠୁ ଚାଲ ! ଆଉ କୋଉଠି ବସି କଥା ହେବା ?”

- “ତୁ କୁଆଡେ ଯାଉଥିଲୁ କି ଏ ଆଖି ଅନ୍ଧାରରେ ?”

- “ମରିବାକୁ ।” ଅଭିମାନରେ କହିଲା ମାୟା । ଚମକି ଉଠିଲା ସୁବଳ ।

- “କ’ଣ ପାଇଁ ? କାଲି ତ କେଡେ ସୁନ୍ଦର ଗୁଲୁଗୁଲିଆ ହିରୋଇନ୍ ପାର୍ଟ୍ କରିଥିଲୁ ଯେ, ଗାଆଁ ଯାତ୍ରାରେ କେତେ ତାଳି ତୋ ପାଇଁ । ଦେଖିବୁ ଥା । ଦିନେ ବଡ ଯାତ୍ରାପାର୍ଟିର ଅଫର ଆସିବ ତୋ ପାଖକୁ ।”

- “କହନା ସେ ରଇଜଳା ଗାଆଁ ଯାତ୍ରା କଥା । କେତେ କଷ୍ଟ କରି ମୁଁ ଅଭିନୟ କରିଥିଲି । ଏଇ ପାଞ୍ଚ ଖଣ୍ଡ ଗାଆଁ ଜାଣିଛନ୍ତି ସ୍ତ୍ରୀ ଚରିତ୍ରରେ ମୁଁ କେତେ ଭଲ ଅଭିନୟ କରିଥାଏ । ବଡ ବଡ ହିରୋଇନ୍ ବି ମୋ ମେକପ୍ ପାଖରେ ଫେଲ୍ । କିନ୍ତୁ ଲାଭ କ’ଣ ? କାଲିର ତାଳି ହ୍ୱିସିଲ୍‌, ଟଙ୍କା ପ୍ରାଇଜ୍‌, ଫୁଲମାଳ କ’ଣ ତାଙ୍କ ଆଖିରେ ଦେଖାଗଲା? ସକାଳଠୁ ଆରମ୍ଭ ମାଡି ତାଳି ଅପମାନ । ତାହା ସହ ସାନଟା ଟିକେ ଡରୁଥିଲା ଯେ ସିଏ ବି ପାଟି ଖୋଲୁଛି ।”  ଆଖି ଛଳ ଛଳ କରି କାନ୍ଦି ପକେଇଲା ମାୟା । କୋହ ଭତ୍ତି ହୋଇଥିଲା କଣ୍ଠରେ ।

  ତା ପିଠିକୁ ଆଉଁସି ଦେଲା ସୁବଳ । କହିଲା- “ଆରେ ପିଲାବେଳୁ ତ ତୋର ଏ ଜୀବନ । ନୂଆ କଥା କ’ଣ କହ । ଏଥିପାଇଁ କ’ଣ ମରିବୁ ? ପାଗଳଟା!”

- ଛି ! କି କଥା! ସକାଳୁ ସକାଳୁ ଦୁଇଟା ହିଞ୍ଜଡା ଆସି ବସିଛନ୍ତି ଦୁଆରେ । ତାଙ୍କ ସମାଜରେ ମିଶେଇବେ ବୋଲି ବା ଡାକିଛି । ସମସ୍ତିଙ୍କର ସନ୍ଦେହ ମୁଁ ଅଣ୍ଡିରା ନୁହଁ । ମାୟା! ମାଇଚିଆ । ଛକା ଦୁଆରେ ପକେଇ ରହିଲି । ଏବେ ସୁଯୋଗ ..... ଧାଇଁଛି । କୌଣସି ବାପା ଏମିତି କେମିତି କରିପାରିବ । ଛକା ବି ତ ଈଶ୍ୱରଙ୍କ ସନ୍ତାନ । କିନ୍ତୁ ମୁଁ ତ ହଜି ମୋ ନୁହଁ । ପୁଅ ପିଲାଟେ ହୋଇ ଝିଅପିଲା ଅଭିନୟ କରିବାର କ’ଣ ଏ ଦଣ୍ଡ ?” ଆଉ ଥରେ ଲୁହ ପୋଛିଲା ମାୟା ।

- “ହଉ ଛାଡ଼ ମୋ କଥା । ତୁ ତ ଜାଣିଛୁ ମାଗୁଣି ଆଇ ତ କୁଷ୍ଠରୋଗରେ ପୀଡିତା । ଗାଆଁ ବାଲା ଗାଆଁରୁ ତଡିବାରୁ ଏମାନେ ଏଇଠି ନିଜ ପୁରୁଣାକୋଠରୀରେ ଆଶ୍ରୟ ନେଇଛନ୍ତି । ସମସ୍ତେ ଜାଣିଲେ ତୋ ପରିବାରକୁ ହୀନସ୍ତା କରିବେ । ଏକଘରିଆ କରିବେ । ଏଇଠି କାହିଁକି ବସିଛୁ ?”

  ମାୟାର ଏ ପ୍ରଶ୍ନରେ ସୁବଳୟର ମୁହଁ ମୁହଁ ଅନ୍ଧାରଠୁ ଅଧିକ ଗାଢ଼ ଓ ବିଷର୍ଣ୍ଣ ଦେଖାଗଲା । 

- “କ’ଣ କରିବି ? ତୁ ତୋ ମୋ କଥା ଜାଣିଛୁ । ମାଆ ମଲାପରେ ବାପା ସୁଖ ଟିକେ ପାଇଁ ଦ୍ୱିତୀୟ ମାଆ ଆଣିଲେ । ତଥାପି କି ସୁଖ ପାଇଲେ । ପୁରା ଗାଆଁ ଜାଣିଛି ଦାଣ୍ଡରେ ସେମାନଙ୍କ ଝଗଡା । ଏ ଭିତରେ ମୋର ବେକାରୀ । ପୁଣି ମୋ ମୁଣ୍ଡରେ ସମାଜ ସେବାର ଭୁତ । ହେଲେ ଅଳ୍ପଦିନ ହେଲା ସାବତ ମା’ର ପୁଅ ମାନେ ମୋ ସାନ ଭାଇ ଚାକିରୀ ପାଇଗଲା । ସାନ ଭାଇ ମୋ ଉପରେ ହାତ ଉଠେଇବାକୁ ଚେଷ୍ଟା କଲା । ବାପା ସେଇଠି ଠିଆ, ପଦେ କହିଲେ ନାହିଁ । ଧିକ୍ ଏ ଜୀବନ । କୁଆଡ଼େ ଯିବି ? କେଉଁଠିକୁ ଯିବି ? ଭାବିଛି ଆଉ ଘରକୁ ଫେରିବନି । ଏଣୁ ଏଇ ନିମ୍ବ ଗଛ ତଳେ ବସିଛି । ଯେତେବେଳେ ଜୀବନରେ ଏତେ ଦୁଃଖ ଯନ୍ତ୍ରଣା, ସେତେବେଳେ କି ଘର, କି ଗାଆଁ , କି ବାସନ୍ଦ, କି କୁଷ୍ଠରୋଗରେ ।”

  ମାୟା ଓ ସୁବଳ ଗୋଟିଏ ନାଆରେ ଦୁଇ ସବାରୀ । ବେକାରୀ ଓ ପାରିବାରିକ ସମସ୍ୟାର ମାଡ଼ରେ ଦୁହେଁ ଆହତ । 

  ମୁହଁ ଅନ୍ଧାର ଭିତରେ ବି କିଏ ଜଣେ ଧାଇଁ ଆସିଲା ତାଙ୍କୁ ଆଡ଼କୁ । ଧାଇଁ ସେ ପଳେଇଲା ପରିତ୍ୟକ୍ତା କୋଠା ପଛକୁ । କିଛି ବୁଝି ପାରୁନଥିଲେ ଦୁହେଁ ।

..... ଗାଳି ଶୁଣି ଘରୁ ବାହାରିଲା ବେଳକୁ ସୁବଳ ଫୋନ୍ କରିଥିଲା ମାର୍କଣ୍ଡକୁ ଟିକେ ମିଶିବା ପାଇଁ । ତା ସହ କହିଥିଲା ରାଜୀବକୁ ବି ଧରି ଆସିବ । ଆଜିକାଲି ରାଜୀବ କୁଜି ରାଜନେତାଙ୍କ ପାଲରେ ପଡି ଭୁଲ୍ ରାସ୍ତାରେ ଯାଉଛି । ଫୋନ୍ ଲଗେଇଲା ସେ ମାର୍କଣ୍ଡକୁ । ସେପଟୁ ଉତ୍ତର ଆସିଲା ସେ ଏବେ ପୋଲିସ୍ ଷ୍ଟେସନ୍‌ରେ । ଅବଶ୍ୟ ଚିନ୍ତା କରିବାର ନାହିଁ । ଅଳ୍ପ ସମୟ ପରେ ପହଞ୍ଚିବ ।

  ପ୍ରାୟ ଦୁଇଘଣ୍ଟା ପରେ ମାର୍କଣ୍ଡ ପହଞ୍ଚିଲା । ରାତିର ଅନ୍ଧାରରେ ସେ ଯାହା କହିଲା, ଗାଳି ପଡ଼ିଲେ ମାୟା ଓ ସୁବଳ ।

  ଗାଆଁର କୁଜି ନେତା ଶଙ୍କର ନିଜର ରାଜନୀତି ଫାଇଦା ଉଠେଇବା ପାଇଁ ଛୋଟ ଛୋଟ ରାସ୍ତା, ଘର କାମ, ପୁଣି ହାଉସିଂ ସ୍କିମ୍‌ ଆରମ୍ଭ କଲା । ସହଜରେ କରିବା ପାଇଁ ବେକାରୀ ଯୁବକଙ୍କ ବଳ କରି ଗୁଣ୍ଡା ହେବାର ପାତ୍ତାର ଦେଖେଇବା ପଡ଼ିଲା । ରାଜୀବ ସେମାନଙ୍କ ପିଲାବେଳର ସାଙ୍ଗ । ଅଧାରୁ ପାଠ ଛାଡ଼ିଲା । ବାରମ୍ବାର ଫେଲ୍ ହେଲା । କେତେଥର ତା ପାଇଁ ଛୋଟ ମୋଟ କାମ ଯୋଗାଡ଼ କରିଛନ୍ତି । କିନ୍ତୁ ରାଜୀବକୁ ଦରକାର ଥିଲା ବିନା କାମରେ ପଇସା, ତାହା କଲା ଶଙ୍କର ।

ମଦପାଣି ଦେଇ ଭୁଲ ରାସ୍ତା ଦେଖେଇଛି । କେବେ ଟେଣ୍ଡର, ଗୁଣ୍ଡାଗିରି ଆଦିରେ ସାମିଲ୍ କରିଛି । ଆଜି ଗୋଟିଏ ଝଗଡ଼ାରେ ଜଣଙ୍କର ଅବସ୍ଥା ଭାରି ଖରାପ । ଯେଉଁମାନେ ଶଙ୍କର ପାଇଁ ବାଡେଇଛନ୍ତି ଫେରାର୍ । ଜଣେ ଦି ଜଣେ ଥାନାରେ । ସେମାନଙ୍କ ସାଙ୍ଗ କିଏ ପଚାରିବାରୁ ସେମାନେ ରାଜୀବର ନାଁ ଦେଇଛନ୍ତି ।

  ଥାନା ଅଧିକାରୀ ମାର୍କଣ୍ଡ ବାବାଙ୍କ ବନ୍ଧୁ । ସେ ଖବର ଦେବା ପରେ ମାର୍କଣ୍ଡ ରାଜୀବ ଘରକୁ ଯାଇଥିଲା । ସେମାନେ କହିଲେ ତାଙ୍କ ପାଇଁ ସେ ମରିଗଲା । ଯେଉଁଠି ଟିକିଏ ସୁଖ ଶାନ୍ତି ପାଇଁ ଏତେ ସଂଘର୍ଷ କରିବାକୁ ପଡ଼େ, ସେଇଠି ଏମିତି ବେକାର ଉତୁପାତିଆ ପୁଅର ଦାୟୀତ୍ୱ କିଏ ନେବ । ବାଧ୍ୟ ହୋଇ ମାର୍କଣ୍ଡ ପୋଲିସ୍ ଥାନାକୁ ଯାଇ ରାଜୀବର ନାଁ ଯେମିତି ନ ଆସିବ କହିଲା । ଇଆଡ଼େ ରାଜୀବର ଦେଖା ସାକ୍ଷାତ ନାହିଁ । ଯଦି ସେ ବେଶୀ ସମୟ ଏମିତି ଲୁଚିରହେ ଆହୁରି ଅଧିକ ଫସିବ । ସନ୍ଦେହ ଆହୁରି ବଢ଼ିବ ।

  ସବୁ ଶୁଣିବା ପରେ ଦୀର୍ଘନିଃଶ୍ୱାସ ମାରିଲେ ଗାଆଁର ତିନିଜଣ ବେକାରୀ ଯୁବକ ଓ ବାଲ୍ୟକାଳର ବନ୍ଧୁ ।

  ଗାଆଁ ଯେତିକି ବଢୁନି ସହର ଆଡ଼କୁ, ସହର ତୀବ୍ର ଗତିରେ ବଢୁଛି ଗାଆଁ ଆଡକୁ । ଯେମିତି ସହରର କଂକ୍ରିଟ୍ ଭିତରେ ଅଣନିଃଶ୍ୱାସୀ ଛଟପଟ ହେଉଥିବା ବାସିନ୍ଦା ପବନ ଆସୁଥିବା ଝରଖାଟିଏ ପାଇଁ ଧାଉଁଛନ୍ତି ଗାଆଁ ଆଡ଼କୁ । 

  ଏମିତି ପାଞ୍ଚ ଖଣ୍ଡ ସାହିର ଗାଆଁରେ ବଞ୍ଚୁଥିଲେ ଏ ଚାରି ସାଙ୍ଗ । ଜୀବନର ତାଡ଼ନାରେ ଓ ସମୟର ଖେଳରେ ଆଜି ସେହି ଜାଗାରେ ବସିଛନ୍ତି, ଯେଉଁଠିକୁ ଆସିବାକୁ ବାକି ।

- “ହଇରେ ! ତୁମ ମାନଙ୍କୁ ଆଉ କେଇଁ ଜାଗା ମିଳିଲା ନାହିଁ ଏଇଠି ନିଷିଦ୍ଧ ଇଲାକାରେ ବସିଛ ?”

  ମାର୍କଣ୍ଡର ଏ ପ୍ରଶ୍ନରେ ସୁବଳ ଓ ମାୟା ଚାହାଁଚାହିଁ ହେଲେ । ସେ ଅନ୍ଧାରରେ କିବା ମୁହଁ ଦେଖାଯାଉଛି । ଦୁହେଁ କିନ୍ତୁ ନିଜର ଦୁଃଖ କହିପାରିଲେ ନାହିଁ । 

ପିଲାବେଳୁ ବାପା ମାଆ ଛେଉଣ୍ଡ ମାର୍କଣ୍ଡ । ଚାରି ଭଉଣୀର ଭାର ତା ଉପରେ । ନିହାତି ଗରିବ । ଭଲ ପାଠ ଟିକି ପଢ଼େ ବୋଲି ଲାଗୁଛି ଚାକିରୀଟିଏ ପାଇଟିବ । ଇଣ୍ଟରଭ୍ୟୁ ଦେଇ ଦେଇ ଥକିଲାଣି । ଲାଞ୍ଚ, ରିଜର୍‌ବେସନ୍‌, ସିପାରିଶ୍ ଭଲପାଠ ଓ କାର୍ଯ୍ୟ ଦକ୍ଷତାକୁ ଯେମିତି ଫିକା କରି ଦେଉଛି ।

- “ତୁ ଆମ କଥା ଛାଡ଼ ! ତୋର ଆଜି ସାକ୍ଷାତକାର ଥିଲା ? କ’ଣ ହେଲା ?” ପଚାରି ବସିଲା ମାୟା ନିଜକଥା ଲୁଚେଇ । 

- “ଯାଇ ପାରିଲି କେଉଁଠି । ଥାନାରେ ଦିନ କଟିଲା । ମନରେ ଦୁଃଖ ନାହିଁ । ଅନ୍ତତଃ ରାଜୀବ ମିଶିଥାଆନ୍ତା କି ? ଏ ଜୀବନରେ କିଛି ତ ନାହିଁ ତମମାନଙ୍କ ଛଡ଼ା । ଘର ଦ୍ୱାରା ସୁଖ, ସମ୍ପତ୍ତି, ପରିବାର, ମାନମହତ, ଚାକିରି ନଥିଲେ ନଥାଉ । ଅନ୍ତତଃ ତୁମେମାନେ ତ ଅଛ ।” ଅତି ଦୟନୀୟ ସ୍ୱରରେ କହିଲା ମାର୍କଣ୍ଡି ।

  ତା କଥା ସରୁସରୁ ଅନ୍ଧାରରେ କିଏ ଜଣେ ଯେମିତି କୁଣ୍ଢେଇ ପକେଇଲା ମାର୍କଣ୍ଡିକୁ । ସବୁ ଜାଣିଲେ ସେ ରାଜୀବ । ସୁବଳ ଓ ମାୟା ଦୁହେଁ ଜାଣିପାରିଲେ ଅନ୍ଧା ଭିତରେ ଧାଇଁ କୋଠା ପଛପଟେ ଲୁଚିଥିବା ବ୍ୟକ୍ତି ତେବେ ରାଜୀବ । କାନ୍ଦି କାନ୍ଦି ସେ କହିଲା - ମୁଁ ସେ ଗଣ୍ଡଗୋଳ ଆଡକୁ ଯାଉଥିଲି । ଶଙ୍କର ଆନା ଡାକିଥିଲେ । କିନ୍ତୁ ସେତେବେଳକୁ କେତେ ପିଲା ମୋ ଆଡ଼କୁ ଧାଉଁଥିଲେ । ଜଣାପଡିଲା ଯେ କିଏ ଜଣେ ଗୁରୁତର ଆହତ ହୋଇଛି । ପୋଲିସ୍ ଆସୁଛି । ତେଣୁ ମୁଁ ଧାଇଁଲି । କୁଆଡେ ଯିବି ! ତେଣୁ ଏହି କୋଠାଠୁ ସୁରକ୍ଷା ସ୍ଥାନ ଆଉ ମିଳିଲା ନାହିଁ । ଭାବିଥିଲି ରାତି ଘନ ହେଲେ ଘରକୁ ଫେରିବ । କିନ୍ତୁ ହାୟରେ ଭାଗ୍ୟ ! ମାର୍କଣ୍ଡ ଯାହା କହିଲା ମୋ ଘର ମୋତେ ଆଉ ନିଜର ମାନୁ ନାହାନ୍ତି । ଧିକ୍ ଏଇ ଜୀବନ । ତାଠୁ ଭଲ ସେ ମଶାଣୀ କୂଅରେ ଡେଇଁ ମରିଯାଆନ୍ତି ।”

  ରାଜୀବର ଏତିକି କଥାରେ ସୁବଳର ଛାତି ଥରିଗଲା । ସେ ଭିଡ଼ିଧରିଲା ମାୟାର ହାତମୁଠାକୁ । ମାୟା ଆଉଟିକେ ପାଖେଇ ଆସିଲା ମାର୍କଣ୍ଡ ଆଡକୁ ।

  କିଛି ଚିନ୍ତା କରିପାରିଲେନି ଚାରିବନ୍ଧୁ । ପାଖରେ ପଇସା ନାହିଁ । ପରିବାରର ସହଯୋଗ ନାହିଁ । ଜୀବନ ନିର୍ବାହ ପାଇଁ କାମ ନାହିଁ । ପୁଣି ଜନ୍ମମାଟି ଛାଡ଼ି କୁଆଡେ ଯିବେ ? ଏଇଠି ଜନ୍ମିଛନ୍ତି, ଏଇଠି ମରିବେ, ନହେଲେ କେମିତି ମିଳିବ ସ୍ୱର୍ଗ ।

  ସମ୍ପୂର୍ଣ୍ଣ ନିରବତା ଭିତରେ ଜଡ଼ ହୋଇ ରହିଲେ ଚାରୋଟି ପ୍ରାଣ ସେ ନିମ୍ବଗଛ ତଳେ ନିର୍ବାସିତ, ନିର୍ବାପିତ କୁଷ୍ଠ ଦମ୍ପତ୍ତି ରହୁଥିବା ପରିତ୍ୟକ୍ତ କୋଠା ପାଖରେ ।

  ରାତିର ଛାତି ଫଟେଇ ହଠାତ୍ ଚିତ୍କାର ଶୁଭିଲା ବୁଢ଼ା ମାଗୁଣିର । କୁଆଡେ ଚାଲିଗଲୁ ଲୋ ମୋ ସାବି, ପାଟି ଆଦରି ବୁଢ଼ା ଧାଇଁଲା ଗେଟ୍ ଖୋଲି ସେ ଅନ୍ଧାର ଭିତରେ ଗାଆଁ ଆଡକୁ ।

  ଥରି ....... ସେ ଅନ୍ଧାର ରାତି । ଫଡ ଫଡ ଉଡିଲି ଗଛର ଚଢ଼େଇ ଓ ବାଦୁଡି । ଭୟାଭୟ ବାତାବରଣରେ ସ୍ତାଣୁ ପାଲଟି ଥିଲେ ଚାରି ବନ୍ଧୁ ।

  ମାଗୁଣି ବୁଢ଼ା ଗାଆଁ ଆଡ଼କୁ ଧାଇଁଛି । ସେମାନଙ୍କର ଆଉ ବୁଝିବାର ଅଭାବ ନଥିଲା ଯେ ମାଗୁଣି ଆଇ ଆଉ ସଂସାରରେ ନାହାନ୍ତି । ନା ସେମାନେ ଡରରେ ଭିତରେ ପଶି ପାରିଲେ, ନା ଗାଆଁ ଆଡକୁ ଧାଇଁ ପାରିଲେ । ଅଳ୍ପକେ ଗାଆଁ ଲୋକ ଆସିଲେ ଏମାନେ ଧରା ପଡିବେ । ଇଆଡ଼େ ପଡ଼ିଛି ଏକ ଶବ ଯାହା ସେମାନେ ଜାଣି ନାହାନ୍ତି ମରିଛି କି, ବଞ୍ଚିଛି ।

  ସକାଳ ଯାଇ ସନ୍ଧ୍ୟା ହେଲାଣି, ମାଗୁଣି ଅଜା ସେଇମିତି ଗେଟ୍ ପାଖରେ ବସିଛି ଜଉମୁଦ୍ରା ପରି । ମଶାଣୀ ପାଖରେ ଗାଆଁ ଲୋକ ଭିଡ଼ । କିଏ ନେବ ଶବକୁ । ପଚାଶ ହାତରେ ଦୂରେ ମାଗୁଣି ଅଜାର ଏଇ ପ୍ରିୟ ଗାଆଁ ଭାଇ, କିଏ ପାଖକୁ ଆସୁନି ।

  ସେହି ନିମ୍ବଗଛ ପାଖରେ ବସିଥାନ୍ତି ଚାରିବନ୍ଧୁ । ଘରକୁ ଫେରିବାର ନାହିଁ । ଏବେ ଏକଘରିଆ ବାସନ୍ଦ ହେବା ନିଶ୍ଚିତ । ଭୁଟଭୁଟା ଆରମ୍ଭ ହେଲାଣି ଯେ ଯଦି ଏମାନଙ୍କ ପରିବାର ଏମାନଙ୍କୁ ଘରେ ପୁରାନ୍ତି ତେବେ ଗାଆଁ ଲୋକ ସେମାନଙ୍କୁ ଗାଆଁ ରେ ରଖେଇ ଦେବେନି । ସରକାରୀ ସାହାଯ୍ୟ, କେବଳ ପ୍ରହସନ ଓ ଅପହଞ୍ଚ ।

  ସୁବଳ ଉଠି ଠିଆ ହେଲା । ତିନିଜଣ ତା ମୁହଁକୁ ତାଟକା ହୋଇ ଚାହିଁଲେ ।

- “ଆରେ ଏମିତି କ’ଣ ଚାହିଁଛ ମୋ ଆଡକୁ । କେଉଁ ପ୍ରକାର ପୃଥିବୀରେ ଆମେ ବଞ୍ଚୁଛୁ ଏବେ ? ବଞ୍ଚିଥିଲା ବେଳେ ତ କିଏ ଏମାନଙ୍କରହେଲେ ନାହିଁ ମୁଁ ବୁଝୁଛିା ମଲା ପରେ ବି ଶବଟିକୁ ତାର ସମ୍ମାନ ଟିକକ ମିଳିପାରୁ ନାହିଁ, ଛିଃ ! ଯୁଗ କେଉଁଠି ପହଞ୍ଚିଲାଣି । ଅନ୍ଧ ବୁଝାମଣା ଓ ମୁର୍ଖତା ଏବେ ବି ସମସ୍ତଙ୍କୁ ଡରେଇ ରଖିଛି । ଏହ ମୋର ଆଉ କେହି ନାହିଁ । ଯେଉଁ ମଶାଣୀରେ ମରନ୍ତା ଶରୀର ପୋଡା ହେବା କଥା, ସେଠି ଜୀଅନ୍ତା ମଣିଷ ଠିଆ ହୋଇ ଦେଖୁଛନ୍ତି । ମଣିଷ ପଣିଆ ସମ୍ପର୍କ, ସ୍ନେହ ପ୍ରେମ, ନିଃସ୍ୱାର୍ଥପରତା ସବୁ ବହିର ଛାପା ଅକ୍ଷର । ଅନ୍ତତଃ ମୋର ଏ ବେକାର ଜୀବନଟା କାହା କାମରେ ଲାଗୁ । ଯାଉଛି ମାଗୁଣି ଅଜାଙ୍କ ପାଖକୁ ।” ଏତିକି କହି ସୁବଳ ଆଡଗକୁ ବଢ଼ିଲା । ତା ପଛେ ପଛେ ତିନି ବନ୍ଧୁ ।

  ଅନେକ ବର୍ଷ ପରେ କାନ୍ଧରେ କେଉଁ ମଣିଷର ସ୍ପର୍ଶ ପାଇ ପଥର ଦେହରେ ପ୍ରାଣ ସଞ୍ଚରିଲା ବୃଦ୍ଧ ମାଗୁଣି ଦେହରେ । ବିକଳ ହୋଇ ଅନେଇଲା ବୃଦ୍ଧା ସ୍ତ୍ରୀର କଳାକାଠ ପଡ଼ି ଯାଇଥିବା ମୃତ ଶରୀର ଆଡ଼କୁ ।

- “କି ପାପ କରିଥିଲି କେଜାଣି ମୁଁ ମୋ ପାଖରେ କିଏ ବି ଠିଆ ହେଉ ନାହାନ୍ତି ସାହାଯ୍ୟ ପାଇଁ । କି ଦୁର୍ଭାଗ୍ୟ ସାବିର ଯେ, ଚାରିକାନ୍ଧ ବି ମିଳିପାରୁନି ସ୍ୱର୍ଗଦ୍ୱାର ପାଇଁ । ମୋତେ ବି ଦଇବ ମାରି ଦିଅନ୍ତା କି । କି ଛାର ରୋଗ ଗୋଟେ ଆମ ଜୀବନକୁ ତଳିତଳାନ୍ତ କରିଦେଲା ।” ବୁଢ଼ା କାନ୍ଦୁଥିଲା ।

- “ଅଜା ! ଏମିତି କାହିଁକି ଭାବୁଛୁ ! ଏବେ ବି ସମାଜରେ ବଞ୍ଚିଛି ମାନବିକତା । ଆମେ ଜାଣିଛୁ ଏମିତି ଏକ ସଂସ୍ଥା, ଯିଏ ବେସହରା, ଏକୁଟିଆ, ଗରୀବ ମାନଙ୍କ ମରଶରୀରକୁ ଶେଷ କ୍ରିୟା ବଡ଼ ସମ୍ମାନର ସହ କରନ୍ତି । ତୁମେ ରାଜି ହେଲେ ଆମେ ସାହାଯ୍ୟ କରିବୁ ।”

  ଲଣ୍ଠନର ଆଲୁଅ ଭିତରେ ତିନି ବନ୍ଧୁ ମାର୍କଣ୍ଡର ମୁହଁକୁ ଅନେଇଲେ । ବୃଦ୍ଧ ମାଗୁଣି ଅଜା ଆଉ ଟିକେ ବିକଳ ହୋଇ କାନ୍ଦି ପକେଇଲା ।

  ଲୋକବାକ ଆଉ ଭିଡ ଜମେଇ ନାହାନ୍ତି, ଯିଏ ଯା ବାଟରେ ଗଲେଣି । ଗାଆଁ ଟାଉଟର ମାମୁଲତକାର ମଶାଣି ପାଖ ଓ ଗାଆଁ ଛକରେ ............ ହେଉଛନ୍ତି, ଯେମିତି ସେ ମଶାଣୀରେ ପୋଡ଼ି ନ ହେଉ ଶବ ।

  ନିମ୍ବ ତଳେ ବେକାର ହୋଇ ବସିଥିବା ଜୀବନଗୁଡାକୁ ଯେମିତି ବଞ୍ଚିବାର ଏକ ଲକ୍ଷ୍ୟ ମିଳି ଯାଇଥିଲା । 

        ୍‍  ୍‍  ୍‍

  ସକାଳ ହେଲା ବେଳକୁ ଯିଏ ଯେଉଁଠି ଉଠିଲେ ଘର ବାଡ଼ି, ସ୍କୁଲ କାନ୍ଥ, ମନ୍ଦିର ଛକ ସବୁଠି ମରା ହୋଇଛି ନିମନ୍ତ୍ରଣ ପତ୍ର । ଚାରିକାନ୍ଧ ନାମକ ଏକ ସଂସ୍ଥା ନିମନ୍ତ୍ରଣ କରିଛି । ନୂତନ ସ୍ୱର୍ଗଦ୍ୱାରର ଉଦ୍‌ଘାଟନ୍ ଓ ପ୍ରଥମ ଶବ ସତ୍କାରର କାର୍ଯ୍ୟକୁ । ସେ ସଂସ୍ଥା ମତରେ କେବଳ ବଞ୍ଚିଥିଲା ବେଳେ ନୁହଁ, ମରିଗଲା ପରେ ବି ସମ୍ମାନ ଓ ଅଧିକାର ।

  ମାଗୁଣି ଅଜାଙ୍କ ପୁରୁଣା କୋଠାକୁ ଫୁଲରେ ସଜା ହୋଇଥିଲା । କୋଠାର ବିସ୍ତୀର୍ଣ୍ଣ ବଗିଚା ମଝାମଝି ଗୋଟିଏ ଜାଗାକୁ ସଜା ହୋଇଛି । ବଗିରେ ପାଚେରୀ ଚାରିକାନି ଠିଆ ଗାଆଁ ଲୋକ ଏଠି ସେଠି । କିଏ ସେ ସଂସ୍ଥା ?

  କୋଠି ପ୍ରାଙ୍ଗଣରୁ ଉଠିଲା କୋକେଇ ମାଗୁଣି ଆଇଙ୍କୁ ସଜା ହୋଇଥିଲା ନୂଆବୋହୁ ପରି । ଆଗରେ ଆଗରେ ମାଗୁଣି ଅଜା ମାଠିଆ ଓ ଶିକା ଧରି ଚାଲିଲେ । ତାଙ୍କ ପଛେ ପଛେ ଚାଲୁଥିଲେ ଚାରି ବନ୍ଧୁ ମାୟାଧର, ସୁବଳ, ରାଜୀବ ଓ ମାର୍କଣ୍ଡ ଆଇକୁ ଚାରି କାନ୍ଧ ଦେଇ ।

  ଚାରିବନ୍ଧୁ ସଗର୍ବେ, ସସମ୍ମାନେ ପରସ୍ପର ଅନାଅନି ହେଲେ । ଏବେ ସେମାନେ ନଥିଲେ ବେକାର । ଯେଉଁ ଜୀବନକୁ ବେକାର ବୋଲି ଦୁତ୍‌କାରୁ ଥିଲେ ଗାଆଁ ଘର ପରିବାର, ଏବେ ଏମାନେ ଏତେ ବଡ ମହତ କାମରେ ଲଗେଇ ଥିଲେ ।

  ଚାରିକାନ୍ଧ ଏବେ ସବୁବେଳେ ପ୍ରସ୍ତୁତ ରହିବ ମାଗୁଣି ଆଇ ପରି ନିଃସ୍ୱ, ବେସାହାରା, ଗରୀବ ଶବମାନଙ୍କ ପାଇଁ ଦେବାକୁ ଜୀବନର ଅନ୍ତିମ ଅଧିକାର । ଶେଷ ସମ୍ମାନ ଟିକ୍‌କ ପାଇଁ ।

  ଦପ୍‌ଦପ୍ ଜଳୁଥିଲେ ଆଇ । ଜଳିଗଲା ସବୁ ଅନ୍ଧ ଅପବାଦ । ଜଳିଗଲା ସବୁ ବନ୍ଧୁଙ୍କ ବାଦ ଅପବାଦ । ମାଗୁଣି ଅଜା ତାଙ୍କର ଏ ସଂପତ୍ତି ଏକ ମହତ କାର୍ଯ୍ୟ ପାଇଁ ଦାନ କରିଦେଲେ ଏବଂ ନିଶ୍ଚିତ କରିଦେଲେ ତାଙ୍କ ଶେଷ ସମୟ ପାଇଁ ଚାରିକାନ୍ଧ ।

  ଚାରିବନ୍ଧୁ ଆଖିରେ ଲୁହ ଥିଲା ମାଗୁଣି ଆଇର ଜୀବନ ତମାମ ନିର୍ବାପିତ ଓ ନିର୍ବାସିତ ଜୀବନ ଯନ୍ତ୍ରଣାର ସମାପ୍ତି ପାଇଁ ।



Rate this content
Log in

Similar oriya story from Tragedy