STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ନାରୀ

ନାରୀ

2 mins
233

ନୂଆ ଶାଢୀରେ ନବବିବାହିତା ସୂତପା ଅତୁଳନୀୟ ଲାଗୁଥିଲା ବୋଲି ଫେସ୍ ବୁକ୍ ରେ ସବୁ ସାଙ୍ଗମାନେ କହିସାରିଥିଲେ ।ସେ କମେଣ୍ଟ ବାକ୍ସ ଦେଖି ଦେଖି ଦର୍ପଣରେ ଥରକୁ ଥର ନିଜକୁ ନିଜେ ଦେଖି ନିଜ ରୂପ ନେଇ କେତେବେଳେ ଇର୍ଷା କରି ନିଜ ମୁହଁରେ କଳାଟିପା ମାରୁଥିଲା, କେତେବେଳେ ଅଭିମାନ ତ କେତେବେଳେ ଅନିନ୍ଦ୍ଯ ସୁନ୍ଦରତାର ଝଲକକୁ ଅନୁଭବି ଖୁସି ହେଉଥିଲା ।

ପ୍ରଶଂସା ବେଳେବେଳେ ମନର ଶକ୍ତି ବଢାଏ ।ଆତ୍ମବିଶ୍ବାସ ବଢାଏ ।ନିଜ ମନରେ ଦମ୍ଭ ଦିଏ ।ନିଜର ଅସ୍ତିତ୍ବକୁ ଜାହିର କରି ନିଜର ଅସ୍ମିତାକୁ ବଞ୍ଚି ରହିବାର ରାହା ଦିଏ ।

ଗୁଣୁଗୁଣେଇ ସ୍ବର ଗୋଟେ ଖୁସିର ସେ ଖାଇବା ବନେଇଲା ।ତାକୁ ତ ଏବେ କେତେ କଥା ଜାଣିବାର ଅଛି, ଯେମିତି ସୁଦର୍ଶ କଣ ଖାଇବାକୁ ଭଲପାନ୍ତି, ଆହୁରି ଆହୁରି କେତେ କଣ ।

ଫେରିଲେ ସୁଦର୍ଶ ।ନିର୍ବିକାର ।ତାର ଯୋଉ ରୂପ ନେଇ ସିଏ ଫୁଲେଇ ହେଉଥିଲା ।ଯୋଉ ରୂପ ନେଇ ସିଏ ସକାଳୁ ଶହେ ପ୍ରଶଂସା ଧାଡିରେ ପୋତି ହେଇସାରିଥିଲା ସେ ଆଡେ ଆଡ ଆଖିରେ ଚାହିଁଲେନି ସୁଦର୍ଶ ।ଚୁପ୍ ଚାପ୍ ପଶିଗଲେ ବାଥରୁମ୍ କୁ ।ହେଉ ହାଲିଆ ଥିବେ ଭାବି ଖାଇବା ସଜାଡିଲା ସୂତପା ।ସୁନ୍ଦର ସେ ଗାର୍ନିସ୍ କଲା ।କଫି ଉପରେ ଗାଢା କି ହୃଦୟ ଚିହ୍ନ ଆଙ୍କିଲା ।ସବୁଠି ଇଂରାଜୀରେ ଲଭ୍ଯୁ ଲେଖିଲା ।

ପୋଛି ପାଛି ହେଇ ସୁଦର୍ଶ ଆସିଲେ ଓ ଚୁପ୍ ଚାପ୍ ଖାଇଦେଲେ କିଛି ବି ଲକ୍ଷ୍ୟ ନକଲା ପରି ,କିଛି ବି ବୁଝି ଜାଣି ନ ପାରିଲା ପରି ।ସୂତପାକୁ ଲାଗୁଥିଲା ତା ହୃଦୟ ଖଣ୍ଡ ଖଣ୍ଡ ହେଇଯାଉଛି ।ସିଏ ଶୁଣିଛି ତା ସ୍ବାମୀ ଖୁବ୍ ଶାନ୍ତ ଓ ଅନ୍ତର୍ମୁଖି ।ସେ ସହଜେ ମିଶି ପାରନ୍ତିନି କି ନିଜ ମନ ଖୋଲି ପାରନ୍ତିନି । ହେଉ ତାର ଧର୍ଯ୍ଯ ବି ତ କିଛି କମ ନୁହେଁ । ଟେବଲ ସଫା କରି ସେ ଆସିଲା ଟିଭିର ସମ୍ବାଦ ପରିବେଷଣରେ ହଜିସାରିଥିବା ସ୍ବାମୀଙ୍କ ପାଖରେ ଠିଆ ହେଲା ।ଗୋଟେ ନଜର ଚାହିଁଦେଇ ପୁଣି ଦୂରଦର୍ଶନ ପରଦାରେ ହଜିଗଲେ ସୁଦର୍ଶ ।

_ ଦେଖ ତ ମୁଁ କେମିତି ଦିଶୁଛି ।

ନିରୁତ୍ତର ଓ ପ୍ରତିକ୍ରିୟା ଶୂନ୍ୟ ସ୍ବାମୀ ।

ଚେଷ୍ଟା କିନ୍ତୁ ଅବିରତ ।

_ ଦେଖ ନା ।ଭଲ ଦିଶୁଛି ନା ?

ମୁଣ୍ଡ ତୋଳି ଥରଟେ ଚାହିଁ ଦେଇ ନିରସ" ହୁଁ " ଟିଏ ଫିଙ୍ଗିଦେଇ ପୁଣି ଟିଭିରେ ।

_ କୁହନା, କଣ ଖାଲି ' ହୁଁ 'ଯେ ।ଭଲ ଲାଗୁନି? ଦେଖୁନ ତୁମେ ଯୋଉ ଶାଢୀଟା ଆଣିଥିଲ ସେଇଟା ।ଜାଣିଛ ନା ଆଜିଯାଏ ମୁଁ ଖାଲି ମୋ ପସନ୍ଦର ହି ପିନ୍ଧୁଥିଲି ।ମାଆ ମୋର ହଇରାଣ ହେଇଯାଏ ମୋ ପସନ୍ଦର ଆଣିବାରେ ,ମୋ ମନକୁ ନଗଲେ ଯମା ପିନ୍ଧୁଥିଲି କି ।ହେଇପାରିବନି ।ଭାରି ଗେଲବସର ମୁଁ ପା ।ହା ହା... ।ଆଜି କିନ୍ତୁ ମୁଁ ତୁମେ ଆଣିଥିବା ଶାଢୀ ପିନ୍ଧିଛି ।ସୁନ୍ଦର ଲାଗୁଛି ନା ।କୁହନା ।ତମ ଭଲପାଇବାର ରଙ୍ଗ ଏଇ ଶାଢୀରେ ହସୁଛି ନା ।

ଆଉଜି ପଡୁଥିଲା ସୂତପା ରିମୋଟ୍ ଧରିଥିବା ହାତଟି ଉପରକୁ ନୂଆ ଦାମ୍ପତ୍ୟର ମହକଟେ ସାଇତିବା ଆଶା ନେଇ ।

-କଣ ଏମିତି ପିଲାଙ୍କ ପରି ହେଉଛ ହାଁ ।କଣ ଚାହୁଁଛ ତୁମେ ।ପ୍ଲିଜ୍ । କହି ପେଲିଦେଲା ଏକରକମ ସୁଦର୍ଶ ।

ଝଟକା ପେଲାଟେରେ ଯେମିତି ତଳେ ଚୁନା ହେଇ ପଡିଗଲା ।ସେଇଦିନ ଠାରୁ ଅଲିଅଳି ଝିଅଟେ ମରିଗଲା ସେଇଠି।ତା ଜାଗାରେ ଠିଆ ହେଲା ନୀରବରେ ସବୁ ସହିପାରୁଥିବା ନାରୀ ମୂର୍ତ୍ତିଟିର ପ୍ରଥମ ମୂଳଦୁଆ ।

ପ୍ରଜାପତିର ଡେଣା ଛିଣ୍ଡି ଦିଗଡ ।ପଥର ପାଲଟୁଥିଲା ହୃଦୟର ଗୋଟେ କୋଣ ନିର୍ବିକାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action