Sabita Nayak

Romance

4  

Sabita Nayak

Romance

ନାଲି ଓଢଣୀ

ନାଲି ଓଢଣୀ

6 mins
277



ପୂର୍ଣ୍ଣିମାର ଜହ୍ନ । ସତରେ କେତେ ମନଲୋଭା ! ଆକାଶ ବକ୍ଷରେ ଶୋଭା ପାଉଥାଏ ଅଂସଖ୍ୟ ମିଟିମିଟି କରୁଥିବା ତାରା ସବୁ । ଜହ୍ନର ଶୀତଳ ଜୋସ୍ନାରେ ଦେହ ଓ ମନ ଆନମନା ହୋଇଯାଉଥାଏ । ଫାଙ୍କା ଛାତ ଉପରେ ବସି ନିଳାଦ୍ରୀ ଏକ ଲୟରେ ଚାହିଁ ରହିଥିଲା ଦୂର ଆକାଶକୁ । ସତରେ କେତେ ସୁନ୍ଦର ଏଇ ନୀଳଆକାଶ ! ଧଳା ଧଳା ମେଘ ସବୁ କେତେ ପ୍ରକାର ସୌଧ ତିଆରି କରିଛନ୍ତି ଆକାଶ ବକ୍ଷରେ । ଆଉ ଦେଖ, ଚପଳା ବିଜୁଳି କେମିତି ସଜାଇ ହୋଇଛି ମେଘର ଚାରିପାଖରେ ! ଜହ୍ନ କେମିତି ଖେଳୁଛି ମେଘ ସାଙ୍ଗରେ ! ଠିକ୍ ତୁମେ ଯେମିତି ମୋ ସାଙ୍ଗରେ ଖେଳୁଥିଲ ନିଳୟ । ସତରେ, ନିଳୟକୁ ଜମା ବୁଝିହୁଏନି । ତା'ର ନିରବତା ମଧ୍ୟରେ କ'ଣ ଯେ ଲୁଚି ରହିଥିଲା ତାହାକୁ ଅନେକ ଖୋଜି ମଧ୍ୟ ପାଇନଥିଲା ନୀଳାଦ୍ରୀ । ଆଉ ତା'ର କ୍ୟୁଟ୍ କ୍ୟୁଟ୍ ଆଖି! ନା, ଶତଚେଷ୍ଟା କରି ମଧ୍ୟ ପଢିପାରିନଥିଲା । ସେ କ'ଣ ଚାହୁଁଥିଲା?


ହଁ ସେଦିନ ଅକସ୍ମାତ ଭାବେ ଭେଟହୋଇଥିଲା ନିଳୟ ସହିତ । ନିଳାଦ୍ରୀ ସାଙ୍ଗ ନିରୁଘରୁ ଫେରି ଆସୁ ଆସୁ ନିଳୟ ସହିତ ସାକ୍ଷାତ । ସେଇ ସଂକୀର୍ଣ୍ଣ ରାସ୍ତାଟାରେ ଦୁହେଁ ଦୁହିଁଙ୍କୁ ଆଡଜଷ୍ଟ କରି ଅତିକ୍ରମ କଲେ । ନିଳାଦ୍ରୀର ଆଖି ହଠାତ୍ ଲାଖି ଯାଈଥିଲା ନିଳୟର ଚାନ୍ଦପରି ସୁନ୍ଦର ଶାନ୍ତ କମନୀୟ ଚେହେରା ପାଖରେ । ନିଜକୁ ନିଜେ କହିଲା,"ସତରେ ଏମିତି ସୁନ୍ଦର ପୁଅ ପୁଣି ଆମ ଗାଁରେ ଅଛନ୍ତି? "ନିଳୟର ମଧ୍ୟ ସେଇ ଅବସ୍ଥା । ମନେ ମନେ ପଚାରୁଥିଲା,"ଏମିତି ସୁନ୍ଦରୀ ଝିଅ କ'ଣ ଆମ ଗାଁର । "ମନେ ମନେ ନିଳୟ ନିଳଦ୍ରୀକୁ ହୃଦୟର ରାଣୀ କରିସାରିଥିଲା । ବାସ୍ ଗୋଟିଏ ମିନିଟର ଦେଖାସାକ୍ଷାତ । ଦୁଇ ଆଖିର ମିଳନ । କିନ୍ତୁ କେହି କାହାକୁ କିଛି କହିପାରିନଥିଲେ । ଏହାପରେ ଦୁହେଁ ଦୁହିଁଙ୍କ ରାସ୍ତାରେ ଚାଲିଯାଇଥିଲେ । 


ନିଳାଦ୍ରୀର ବାପା ମହାରାଷ୍ଟ୍ରରେ ଚାକିରି କରନ୍ତି । ତେଣୁ ନିଳାଦ୍ରୀର ପଢାପଢି ଦାୟିତ୍ୱ ସେ ତାଙ୍କର ବନ୍ଧୁ ବିକାଶକୁ ବୁଝିବାକୁ କୁହନ୍ତି । ନିଳାଦ୍ରୀ ଦଶମ ପରୀକ୍ଷାରେ ଫାଷ୍ଟକ୍ଳାସରେ ଉତ୍ତୀର୍ଣ୍ଣ ହୁଏ । ଘରେ ସମସ୍ତେ ଖୁସି ହୁଅନ୍ତି । ବିଶେଷ କରି ନିଳାଦ୍ରୀର ବାପା ମନୋଜ ମହାପାତ୍ର ଏବଂ ମା' ଶକୁନ୍ତଳା ଦେବୀଙ୍କ ଗୋଡ ତଳେ ଲାଗେନି । ବାପା ମନୋଜ ମହାପାତ୍ର ଫୋନ୍ କରି ନିଳାଦ୍ରୀକୁ ବଧେଇ ଜଣାଇଥିଲେ । କହିଥିଲେ,"ତୁ ମୋର ଘରର ସମ୍ମାନ,ଭବିଷ୍ୟତରେ ଯେପରି ମୋର ମାନ ସମ୍ମାନରେ ଟିକେ ଆଞ୍ଚ ଆସିବାକୁ ଦେବୁନି । ପାଠପଢି ମୋର ଟେକ ରଖିବୁ । ତୁ ଘରର ବଡଝିଅ । ସମସ୍ତଙ୍କର ପ୍ରେରଣାର ଉତ୍ସ । ତୁ ଯାହା କରିବୁ ତୋର ସାନ ଭାଇଭଉଣୀ ତୋ ଠାରୁ ଶିଖିବେ । " ନିଳାଦ୍ରୀ କଥାଦେଇଥିଲା ବାପାଙ୍କୁ "ଆପଣଙ୍କର ବିଶ୍ୱାସକୁ କେବେ ବି ବିଷ ଦେବିନି ବାପା । ମୋ ଉପରେ ଭରସା ରଖ । "


ଏହାପରେ ଦିନେ ନିଳୟ 2ଆଡମିଶନ ପାଈଁ ଫର୍ମ ଧରି ନିଳାଦ୍ରୀର ଘରେ ପହଞ୍ଚେ । କହେ,"ବିକାଶଦାଦା ମୋତେ କହିଥିଲେ କଲେଜରୁ ଫର୍ମ ଆଣି ତୁମକୁ ଦେବାକୁ ।"

ବିକାଶ ପଟ୍ଟନାୟକଙ୍କର ପୁତୁରା ନିଳୟ । ଭାରି ଶାନ୍ତ ସ୍ୱଭାବର । ସମସ୍ତଙ୍କର ଦୁଃଖସୁଖରେ ଆଗ ଠିଆ ହୁଏ । ହସ ହସ ମୁହଁ । ମିଠା ମିଠା କଥାରେ କ୍ଷଣିକରେ ସମସ୍ତଙ୍କୁ ଆପଣାର କରିପକାଇବ । ନିଳାଦ୍ରୀର ଜେଜେମା' ତାକୁ ବହୁତ ଭଲପାନ୍ତି । ଜେଜେମା' ନିଳୟକୁ ଦେଖି ଭାରି ଖୁସିହୋଇଗଲେ । ତାଙ୍କର ଚିରାଚରିତ ଢଙ୍ଖରେ ଗୁଡାଏ ଗପିଲେ । ଆଉ ନିଳୟକୁ ଡାକିନେଲେ ବାଡିରେ ଥିବା ପିଜୁଳି ତୋଳିବାକୁ । ନିଳୟର ମନ କିନ୍ତୁ ଥିଲା ନିଳାଦ୍ରୀ ପାଖରେ । ନିଳାଦ୍ରୀ ଫର୍ମ ପୂରଣ କରୁଥିଲା । ନିଳୟ ଏକଲୟରେ ଚାହିଁ ରହିଥିଲା ନିଳାଦ୍ରୀକୁ । ପରେ ନିଳାଦ୍ରୀ ଫର୍ମଟିକୁ ନିଳୟକୁ ଦେଇ ପାଠ ପଢାରେ ମଜ୍ଜି ଯାଇଥିଲା । 

ନିଳୟ ଟିକେ ଦୂରରେ ରହି ଦେଖୁଥିଲା ନିଳାଦ୍ରୀକୁ ଅପଲକ ନୟନରେ । ନିଳାଦ୍ରୀ-ଈଶ୍ବରଙ୍କ ଏକ କମନୀୟ ସୃଷ୍ଟି । ପାଠପଢାରେ ଯେମିତି ଆଗୁଆ, ସବୁକାମରେ ସେମିତି ପ୍ରବୀଣା । ଗାଁରେ ସବୁରି ମୁହଁରେ ତା'ରି ପ୍ରଶଂସା । ରୂପଗୁଣରେ କେଉଁ ସ୍ୱର୍ଗ ଅପସରୀ ଠାରୁ କମ୍ ନୁହେଁ । ତା'ର ନୀଳ ନୀଳ ଆଖିରେ ଅନେକ ସ୍ୱପ୍ନ । ପାଠ ତା'ର ଜୀବନ । ପାଠ ଛଡା ଆଉ କିଛି ବୋଧେ ସେ ଜାଣିନି କି ଜାଣିବାକୁ ଚାହିଁନି । ସୂର୍ଯ୍ୟ ଆସ୍ତେ ଆସ୍ତେ ଉପରକୁ ଉଠୁଛନ୍ତି । ନିଳାଦ୍ରୀ ଅଗଣାରେ ପଡିଥିବା ଖଟ ଉପରେ ପଢୁଥାଏ । ସୂର୍ଯ୍ୟଙ୍କର ଟାଣ ଖରାରୁ ରକ୍ଷାରୁ ରକ୍ଷା ପାଇବା ପାଇଁ ନିଳାଦ୍ରୀ ବେକରେ ଗୁଡାଇଥିବା ନୀଳଓଢଣୀକୁ ମୁଣ୍ଡରେ ପକାଇଲା । ବାଃ!କି ଅପରୂପ ଦୃଶ୍ୟ!ଜହ୍ନପରି ତୋଫା ମୁହଁଟି ଉପରେ ନୀଳଓଢଣୀ । ନିଳୟର ଆଖିଦୁଇଟି ଲାଖି ରହିଥାଏ ନିଳାଦ୍ରୀ ଉପରେ । ମନେ ମନେ କେତେ କ'ଣ ସ୍ୱପ୍ନ ବୁଣୁଥାଏ ନିଳାଦ୍ରୀକୁ ନେଇ । କିନ୍ତୁ ନିଳାଦ୍ରୀକୁ ଏସବୁ ଜଣା ନଥାଏ । ଜେଜେମା ଏସବୁ ଦୂରରୁ ଥାଇ ଲକ୍ଷ୍ୟ କରୁଥାନ୍ତି । ଖୁସି ବି ହେଉଥାନ୍ତି । ନିଳୟ ଯିବାପରେ ନିଳାଦ୍ରୀର ପାଖକୁ ଆସି କହିଲେ, -"ଆଲୋ ନୀଳା,ଜାଣିଛୁନା ତୋତେ ସେ ଟୋକା କିମିତି ଚାହିଁକି ରହିଥିଲା?"ନିଳାଦ୍ରୀ ଚିଡିଉଠି କହିଲା,-" ଜେଜେମା .. । ତୁ ବି ନା ..ଆଉ କ'ଣ ଆଖି ବୁଜିକି ରହିଥାନ୍ତା?" ସଜ ମାଛରେ ପୋକ ପକାଇବା ତୋର କାମ । ନିଳାଦ୍ରୀକୁ କିଛି ଫରକ ପଡିଲାନି । 


ଦିନ ପରେ ଦିନ ଗଡିଚାଲେ । 3 ଶେଷରେ ନିଳାଦ୍ରୀ ଉଚ୍ଚଶିକ୍ଷା ପାଇଁ ସହରକୁ ଯିବାକୁ ପ୍ରସ୍ତୁତ ହୁଏ । ସେଦିନ କଥା ନିଳାଦ୍ରୀର ସ୍ପଷ୍ଟ ମନେପଡୁଛି । ନିଳାଦ୍ରୀର କିଛି କିଣାକିଣି କରିବାର ଥାଏ । ସେ ଜେଜେମା' ସହିତ ପାଖ ମାର୍କେଟକୁ ଯାଇଥାଏ । ଡ୍ରେସ କିଣୁଥାଏ । ବହୁତ ଡ୍ରେସ ଦେଖିବା ପରେ ବି ଗୋଟିଏ ପସନ୍ଦ ଆସୁନଥାଏ । ହଠାତ୍ ନିଳୟ ପହଞ୍ଚିଗଲା । ସେ ଗୋଟେ ହଳଦିଆ ଡ୍ରେସ, ଯାହାର କି ପ୍ୟାଣ୍ଟ ନାଲି ଏବଂ ଓଢଣୀ ନାଲିରଙ୍ଗର ଥିଲା ନିଳୟ-"ତୁମକୁ ଏଇ ଡ୍ରେସ ଖୁବ୍ ମାନିବ । " ନିଳାଦ୍ରୀ ଗୋଟେ ସ୍ମିତହାସ୍ୟରେ ଡ୍ରେସଟିକୁ ଦୋକାନୀକୁ ପ୍ୟାକ କରିବା ପାଇଁ କହିଲା । ନିଳୟ କ'ଣ କହିବା ଚାହାଣୀରେ ନିଳାଦ୍ରୀକୁ ଚାହିଁଥିଲା । ନିଳାଦ୍ରୀ ହସି ପଚାରିଲା,-କିଛି କହିବ ? ନିଳୟ ନାଁ ବୋଲି ମୁଣ୍ଡ ଟୁଙ୍ଗାରିଲା । 


ଏଇ ଥିଲା ନିଳୟର ନିଳାଦ୍ରୀ ସହିତ ଶେଷଦେଖା । ତାପରେ ଦୀର୍ଘ ଦଶ ବର୍ଷର ବ୍ୟବଧାନ । ନିଳାଦ୍ରୀ ଇତିମଧ୍ୟରେ ଜଣେ OES ଅଫିସର ଏବଂ ଗୋଟିଏ ଝିଅର ମାଆ ହୋଇସାରିଥିଲା । ସେ ପୁରାପୁରି ଭୁଲିଯାଇଥଲା ନିଳୟକୁ । କାହିଁକି ବା ମନେରଖିବ? ତା' ସହିତ ତ ନୀଳାଦ୍ରୀର କିଛି ସମ୍ପର୍କ ନଥିଲା । ହଠାତ୍ ଦିନେ ନିରୁ ସହ ଦେଖାହୁଏ । ଦୀର୍ଘ ୧୦ ବର୍ଷ ପରେ ପ୍ରିୟ ସାଙ୍ଗ ନିରୂକୁ ଦେଖି ନିଳାଦ୍ରୀର ଛାତି କୁଣ୍ଢେମୋଟ ହୋଇଯାଏ । ଏମିତି କଥାବାର୍ତ୍ତା ହେଉ ହେଉ ନିଳୟ କଥା ନିରୁ କହେ,"ନିଳୟ ତୋତେ ବହୁତ ଭଲପାଏ ନିଳାଦ୍ରୀ, ତୋର ମନେ ଅଛି, ଆମେ ଯେଉଁ ଗ୍ରୁପ୍ ଫଟୋ ଉଠାଇଥିଲେ ସ୍କୁଲ ବଗିଚାରେ, ମୋଠୁ ନେଇ ତା'ର ଫଟୋ ଆଲବମରେ ସାଇତି ରଖିଛି । ମୁଁ ଦିନେ ତାଙ୍କ ଘରକୁ ଯାଇଥିଲି, ସେଇ ଫଟୋଟି ମାଗିଲି । ସେ ସଫା ସଫା ମନା କରିଦେଲା । କହିଲା-"ଏଇ ଫଟୋ ଦେଖିଲେ ମୋତେ ଲାଗୁଛି ମୋ ନିଳାଦ୍ରୀ ମୋ ପାଖରେ ଅଛି । ତୁ ତ ତୋ ସାଙ୍ଗକୁ ମୋ କଥା କହିପାରିଲୁନି ନା,ସତରେ ନହେଲା ନାହିଁ, ସ୍ୱପ୍ନରେ ଦେଖି ଦେଖି ବାକି ଜୀବନ କଟାଇଦେବି । "


 ନିଳାଦ୍ରୀ ଜୋରରେ ହସିଲା । ନିଳାଦ୍ରୀ-ଆଉ ତା ସ୍ତ୍ରୀ ? ସେ କିଛି ପ୍ରତିବାଦ କରେନି ? ନିରୁ- ଦୁଇଜଣ ସେ ଫଟୋ ଦେବାକୁ ମନାକଲେ । କହିଲେ-" ଦେଖିଲୁ ଆମ ଫଟୋ ଆଲ୍ ବମଟା କେତେ ସୁନ୍ଦର ଦେଖାଯାଉଛି । ତୁ କୁଆଡେ ନେଇ ହଜାଇଦେବୁ । "ହାଃ ହାଃ ମୁଁ ପୁଣି ମୋ ସାଙ୍ଗର ଫଟୋ ହଜାଇଦେବି?

ନିଳାଦ୍ରୀ-ନିରୁ, ତୋତେ କିଛି ନିଳୟ କହିଥିଲା?

ନିରୁ-(ହସି ହସି)ହଁ ତୋ କଥା ନିଳୟ ଆମ ଘରେ ସବୁବେଳେ କହେ । ଆଉ ଜାଣିଛୁନା,ତୁ ଯୁଆଡେ ଯାଉ ନିଳୟ ତୋତେ ଲୁଚି ଲୁଚି ତୋ ପାଖେ ପାଖେ ସବୁବେଳେ ଥାଏ । ନିଳାଦ୍ରୀ-ଆଶ୍ଚର୍ଯ୍ୟ ! ଅଥଚ ମୁଁ ଜାଣିପାରିନି?ନିରୁ-ଜାଣିଛୁ,ନିଳୟ ଘରେ ତୋତେ ବହୁତ ପସନ୍ଦ କରନ୍ତି । ତାଙ୍କ କଥାରେ ମୁଁ ନିଳୟର ପ୍ରସ୍ତାବ ନେଇ ତୁମ ଘରକୁ ଯାଇଥିଲି । ସେଦିନ ତୁ ଘରେ ନଥିଲୁ । ନିଳୟକୁ ସମସ୍ତେ ବହୁତ ପସନ୍ଦ କଲେ । କିନ୍ତୁ ଅଲଗା ଜାତି ବୋଲି ମନ ଦୁଃଖ କରି ମନା କରିଦେଲେ । 

ନିଳାଦ୍ରୀ-(ଲମ୍ବା ନିଶ୍ୱାସ ନେଇ)ତାପରେ?

ନିରୁ-ନିଳୟ ବହୁତ ମନଦୁଃଖ କଲା । ଆମ ଘରେ ଆସି ବହୁତ କାନ୍ଦିଥିଲା । ସେ କ'ଣ କହିଥିଲା ଜାଣିଛୁ?

ନିଳାଦ୍ରୀ-କ'ଣ ? ନିରୁ-ନିଳୟ କହିଲା,"ଆକାଶର ଚାନ୍ଦକୁ କିଏ କ'ଣ ଛୁଇଁପାରେ ? ତାକୁ ଦୂରରୁ ଦେଖି ଖୁସିହେବା କଥା । "ନିଳାଦ୍ରୀ-ମୋତେ ସେ କିଛି କହିନଥିଲା କାହିଁକି?

ନିରୁ-ତୋତେ ସେ ବହୁତ ଭଲପାଏ ନିଳାଦ୍ରୀ । ଗାଁରେ ଜଣେ ସାଧାସିଧା ଉତ୍ତମ ଚରିତ୍ରର ଝିଅ ହିସାବରେ  ତୋତେ ସମସ୍ତେ ପ୍ରଶଂସା କରନ୍ତି । କାଳେ କିଏ କିଛି ଭାବିବ ସେଥିପାଇଁ ତୋତେ ସେ କିଛି କହିପାରି ନଥିଲା । ସିଧା ବିବାହ ପ୍ରସ୍ତାବ ଦେଇଥିଲା । ତୋ ଚରିତ୍ରରେ ଟିକେ ବି ଦାଗ ଲାଗୁ ସେ ଚାହୁଁ ନଥିଲା । ସେଥିପାଇଁ ତୋତେ ସେ ଦୂରରୁ ଦେଖେ କିନ୍ତୁ ସାମ୍ନାକୁ କେବେ ଯାଏନା । ଥରେ ସେ କହିଥିଲା,

-"ନିରୁ ! ଚନ୍ଦ୍ରମାରେ କଳଙ୍କ ଅଛି ହେଲେ ମୋ ନିଳାଦ୍ରୀ ନିଷ୍କଳଙ୍କ । "


ନିଳାଦ୍ରୀର ଆଖି ଓଦା ହୋଇ ଆସିଥିଲା । ପୁଣି ନିରୁ କହିଲା,

-ତୁ ନାଲି ରଙ୍ଗକୁ ଭଲପାଉ ବୋଲି ତା' ବଗିଚା ସାରା ନାଲି ରଙ୍ଗର ଗୋଲାପ ଲଗାଇଛି । ନିଳୟ ଓ ତା'ର ସ୍ତ୍ରୀ ତା'ର ଯତ୍ନ ନିଅନ୍ତି । ନିଳାଦ୍ରୀ ଅଭିଭୂତ ହୋଇଯାଇଥିଲା । ଇଏ କ'ଣ ପ୍ରେମ ? ନା କିଛି ପାଇବାର ଇଚ୍ଛା ଅଛି, ନା ହରାଇବାର ଭୟ ଅଛି । ତଥାପି ସେ ଭଲପାଇବାକୁ ହୃଦୟରେ ସାଇତି ରଖିଛି । ଶାଶ୍ୱତ ପ୍ରେମ । ଅନାବିଳ ପ୍ରେମ । ନିଷ୍କଳଙ୍କ ପ୍ରେମ । ନିଃସ୍ୱାର୍ଥପର ଭଲପାଇବା । ନିଳାଦ୍ରୀ କିଛି ସମୟ ପାଇଁ ସ୍ଥାଣୁ ପାଲଟି ଯାଇଥିଲା । ମନେ ମନେ ନିଳୟର ଭଲପାଇବାକୁ ପ୍ରଣାମ ଜଣାଉଥିଲା । 


ନିଳାଦ୍ରୀ ଫେରିଆସିଥିଲା ଘରକୁ । ସିକ୍ୟୁରିଟି ଗାର୍ଡ ଗେଟ୍ ଖୋଲିଲା । ନାଲିରଙ୍ଗର କାର୍ ଟା ଭିତରକୁ ପଶୁ ନ ପଶୁଣୁ ନିଳାଦ୍ରୀର ଝିଅ ଜସ୍ମିନ ଡାକ ଛାଡିଲା,"ମାମା ମୋତେ ମିଳିଗଲା । " ନିଳାଦ୍ରୀ-ଆରେ କ'ଣ ମିଳିଗଲା?

ଜସ୍ମିନ୍-ତୁମେ ଜଲ୍ଦି ଭିତରକୁ ଆସ ମୁଁ କହିବି,ସରପ୍ରାଇଜ୍ । ନିଳାଦ୍ରୀ-ଆଛା । ଜସ୍ମିନ୍-ଆଖି ବନ୍ଦକର । ନିଳାଦ୍ରୀ ଆଖି ବନ୍ଦ କଲା । ଜସ୍ମିନ୍ ନିଳାଦ୍ରୀ ହାତରେ କିଛି ଧରାଇଦେଇ, ହଁ ଏଥର ଆଖି ଖୋଲ । ନିଳାଦ୍ରୀ-ନାଲି ଓଢଣୀ......ଜସ୍ମିନ୍-ହଁ ମାମା । ତୁମେ ଏଇ ନାଲିଓଢଣୀକୁ କେତେ ଖୋଜୁଥିଲ । ହାଃ ହାଃ ହାଃ । ମୁଁ ଆଜି ପାଇଗଲି । 

ନିଳାଦ୍ରୀ-(କୋହଭରା କଣ୍ଠରେ)ହଁ ମୁଁ ବି ପାଇଗଲି । ନିଳାଦ୍ରୀ ନାଲି ଓଢଣୀକୁ ଛାତିରେ ଜାକି ଧରିଥିଲା । ଯେମିତି ସେ ଜୀବନର ସବୁକିଛି ପାଇଯାଇଛି । ସେ ଅନୁଭବ କରୁଥିଲା ଭିନ୍ନ ଏକ ଦୁନିଆର ବାସ୍ନାକୁ । ନିଃସର୍ତ୍ତ ଭଲପାଇବାର ପ୍ରତୀକ,ନାଲିଓଢଣୀ......... । 



Rate this content
Log in

Similar oriya story from Romance