Sabita Nayak

Others

4  

Sabita Nayak

Others

ତୁମ କଥା ଭାରି ମନେପଡେ

ତୁମ କଥା ଭାରି ମନେପଡେ

5 mins
213



ଋତୁରାଜ ବସନ୍ତର ଆଗମନରେ ସବୁଜ ପାଟ୍ଟଶାଢି ପିନ୍ଧି ଧରଣୀ ମା' ବହୁତ ସୁନ୍ଦର ଦେଖାଯାଉଛନ୍ତି।ଚାରିଆଡେ ବିଭିନ୍ନ ଫୁଲର ସମ୍ଭାର।ଆମ୍ବଗଛରେ ସଜାଇ ହୋଇଛି ବଉଳ।ବଉଳର ନହୁଲି ବାସ୍ନା ସତରେ ଆତ୍ମାକୁ ବିଭୋର କରିପକାଏ।ସ୍କୁଲର ଫାଙ୍କା ପିରିଅଡ ଥିବାରୁ ମୁଁ ମନକୁ ଟିକେ ହାଲ୍କା କରିବାକୁ ସ୍କୁଲ ହତାରେ ଥିବା ଆମ୍ବଗଛ ପାଖରେ ବସିଥାଏ।


ଆମ୍ବଗଛ ଚାରିପାଖରେ ବସିବା ପାଇଁ ଚାନ୍ଦିନୀ ହୋଇଛି। ଏଠି କେବଳ ମୁଁ ଆଉ କିଛି ନିରବତା।ଏଇଠି ବସି ମୁଁ ଖୋଜେ ନିଜକୁ।ଚତୁଃପାର୍ଶ୍ୱରେ ପ୍ରଜାପତିମାନେ ଏ ଫୁଲରୁ ସେଫୁଲକୁ ଉଡିବୁଲୁଥାନ୍ତି।ବଗିଚାର ଜାଇ,ଯୁଇ, ହେନା,ମଲ୍ଲୀଫୁଲର ବାସ୍ନା ମନକୁ ବିମୋହିତ କରିଦେଉଥାଏ।ଭାରି ଭଲଲାଗେ ଏଇ ଶାନ୍ତ କମନୀୟ ପରିବେଶରେ ନିଜକୁ ହଜାଇ ଦେବାକୁ।ହଠାତ୍ ପରିବେଶର ନୀରବତା ଭଙ୍ଗକରି କୋଇଲିଟିଏ କୁହୁକୁହୁ କରି ପଞ୍ଚମ ତାନରେ ଗାଇ ଉଠିଲା।ମୁଁ ମନ୍ତ୍ରମୁଗ୍ଧହୋଇ କିଛିକ୍ଷଣ କୋଇଲି ସ୍ୱରରେ ନିଜକୁ ହଜାଇଦେଲି।


 ଏଇ କୋଇଲିର ସ୍ୱରରୁ ତୁମକଥା ଭାରି ମନେପଡେ। ତୁମେ ମୋତେ ଡାକୁଥିଲ କୋକିଳ କଣ୍ଠି। ସତରେ ମୋ ସ୍ୱର କ'ଣ ଏତେ ମଧୁର ? 


- ସେଦିନର କଥା ଆଖିଆଗରେ ଆଜି ବି ନାଚିଯାଉଛି। ମୁଁ ଥିଲି ବହୁତ ଚୁପଚାପ ଆଉ ତୁମେ ବହୁତ ଲାଜକୁଳା। ସେଦିନ କ୍ଳାସ ସାରି ଫେରିଲାବେଳେ ହଠାତ୍ ମୁଁ ଝୁଣ୍ଟି ପଡିଲି ଆଉ ତୁମେ ମତେ ଧରିନେଲ। ବ୍ୟସ୍ତହୋଇ ପଚାରିଲ, " କିଛି ହୋଇନି ତ ? " ମୋ ଗୋଡର ବୁଢାଆଙ୍ଗୁଳିଟି ଯଦିଓ ଖଣ୍ଡିଆ ହୋଇ ରକ୍ତ ବାହାରୁଥିଲା ତଥାପି ମୁଁ, କିଛି ନ ହେବାର ଅଭିନୟ କରି ହସି କହିଲି, " ନାଇଁ କିଛି ହୋଇନି "। ତମେ କିନ୍ତୁ ଭାରି ବ୍ୟସ୍ତ ହୋଇପଡିଲ। ପାଖ ଦୋକାନ ଯାଇ ଅଏଣ୍ଟମେଣ୍ଟ ଆଣି ମୋ ବୁଢାଆଙ୍ଗୁଳିରେ ନିଜ ହାତରେ ଅଏଣ୍ଟମେଣ୍ଟ ଲଗାଇ ମୋର ବ୍ୟାଣ୍ଡେଜ କରିଦେଲ। ତାଗିଦକରି କହିଲ, " ଦେଖ ସତର୍କ ହୋଇ ଚାଲିବ,ଆଙ୍ଗୁଳି ଯେପରି ଓଦା ନହୁଏ । " ମୁଁ ସୁନାପିଲାଟି ପରି ମୁଣ୍ଡଟୁଙ୍ଗାରି ପଳେଇ ଆସିଲି। ଜଣେ ଅଚିହ୍ନା ଅପରିଚିତର ମୋ ପ୍ରତି ଏତେ ଯତ୍ନ ମୋତେ ଅଭିଭୂତ କରିଥିଲା।


- ଇଏ ଥିଲା ଆମ ପ୍ରଥମ ସାକ୍ଷାତ। ତାପରେ ଯେମିତି କଥାବାର୍ତ୍ତା ସମସ୍ତଙ୍କ ସାଥିରେ ସେପରି ଚାଲିଲା। କ୍ଳାସ ସାରି ଆମେ ସମସ୍ତେ ସେଇ ଦେବଦାରୁ ଗଛମୂଳେ କିଛି ସମୟ କଥାବାର୍ତ୍ତା ହେଉଥିଲେ । ମୋତେ କିଏ ପଦେ କହିଲେ ତୁମେ ତାକୁ ଦୁଇପଦ ଶୁଣାଉଥିଲ।ସେଦିନ ଭୁଲ ପ୍ରଶ୍ନକୁ ନେଇ ହଙ୍ଗାମା ହୋଇଥିଲା, ଆଉ ମୁଁ ପିଲାଙ୍କର ନେତୃତ୍ୱ ନେଇଥିଲି। ସାର୍ ମୋତେ ଟିକେ ଆଖି ଦେଖାଇ ଦବାଇ ଦେବାକୁ ଚେଷ୍ଟା କରୁଥିଲେ।ତମେ କିନ୍ତୁ ରାଗି ସାରଙ୍କୁ ଦୁଇପଦ ଶୁଣାଇଦେଲ। ମୁଁ ତ ସେଦିନ ଆଶ୍ଚର୍ଯ୍ୟ ହୋଇଥିଲି । ତୁମପରି ଜଣେ ଶାନ୍ତଶିଷ୍ଟ,ଲାଜକୁଳା ପିଲା ହଠାତ୍ ଏମିତି ରାଗିକରି ଯେ ସାରଙ୍କୁ କହିବ । ମୋ ପାଟିରୁ କଥା ବାହାରି ନଥିଲା। ମୋ ପାଖକୁ ଆସି କହିଲ,"ଜମା ଡରନା ମୁଁ ତୁମ ସହିତ ସବୁବେଳେ ଅଛି"।


- ଏମିତି ଦିନ ପରେ ଦିନ ଗଡିବାକୁ ଲାଗିଲା । ତୁମେ ମୋତେ ନିଜର ଭାବି ସବୁକଥା ସେୟାର କର। ଆଉ ମୁଁ ବି। ସବୁକାମରେ ମୋତେ ସାହସ ଦିଅ। କୁହ"ତୁମେ ସବୁ କରିପାରିବ।" ତୁମପାଇଁ ମୁଁ ନିଜକୁ ଚିହ୍ନିପାରିଲି। ମୋର ପ୍ରତିଟି କଥା ମୋ ଠାରୁ ତୁମେ ବେଶି ଜାଣ,ତାହା କିପରି ଆଜିବି ମନରେ ଏକ ପ୍ରଶ୍ନବାଚୀ ?


- ମୁଁ ବି ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ ! ମୁଁ ମୋର ଇ-ମେଲ ଆଇଡିର ପାସ୍ଓ୍ୱାର୍ଡ୍ ସବୁବେଳେ ଭୁଲିଯାଏ। ତମର କିନ୍ତୁ ମନେଥାଏ। ଏତେ ପିଲା ଭିତରେ ତମେ ମୋତେ ଦେଖିଲେ ଏତେ ଖୁସି ହୁଅ କାହିଁକି ?

- ମୋତେ କିଏ ଅପମାନିତ କଲେ, ତୁମକୁ ଏତେ କଷ୍ଟ ହୁଏ କାହିଁକି ?


- ସତରେ ମୁଁ ତୁମକୁ ଜମା ବୁଝିପାରେନି ।କଲେଜର ବାର୍ଷିକ ଉତ୍ସବରେ ଗୀତଗାଇବା ପାଇଁ ତୁମେ ହିଁ ତ ମୋତେ ଉତ୍ସାହିତ କରିଥିଲ।

- ମୁଁ କହିଲି "ନା.... ନା.... ମୋ ଦ୍ୱାରା ସେ ଗୀତ ଫିତ ହେବନାହିଁ। " ତୁମେ କିନ୍ତୁ ମୋତେ ଉତ୍ସାହିତ କରି କହିଲ, ତୁମେ ସମସ୍ତଙ୍କ ଠାରୁ ସୁନ୍ଦର ଗୀତ ଗାଅ।" 

- ଆରେ ବାବୁ ମୁଁ ତ କେହି ନଥିବା ବେଳେ ଗୁଣୁ ଗୁଣୁ ହୋଇ ୟାଡୁ ସିଆଡୁ କଣ ଟିକେ ଗାଏ ନା ,ୟାକୁ କେମିତି ଜଣା। ହଉ ଚେଷ୍ଟାକରିବା, ହେଲେ ସମସ୍ତଙ୍କ ସାମ୍ନାରେ .......। ମୋତେ ନର୍ଭସ ଲାଗୁଥାଏ।ତମେ ପାଖକୁ ଆସିଲ ଆଉ କହିଲ, "ବେଷ୍ଟ ଅଫ୍ ଲକ, ୟୁ ଆର୍ ୟୁନିକ୍, ଗୋ ଆହେଡ୍।" ଏତିକି କଥା ମୋ ମନରେ ଜୋଶ୍ ଭରିଦେଲା। ସେଦିନ ତୁମ କଥାରୁ ପ୍ରେରଣା ପାଇ ପ୍ରଥମକରି ଷ୍ଟେଜରେ ଗୀତ ବୋଲିଥିଲି ଆଉ ପ୍ରଥମ ପୁରସ୍କାର ମଧ୍ୟ ଜିତିଥିଲି ।


- ଏମିତି ଅନେକ କଥା ଭିତରେ ଗୋଟିଏ ଦିନର ସ୍ମୃତି । କଲେଜକୁ ସାଇକେଲରେ ଗଲାବେଳେ ବାଟରେ ଟେଲିଫୋନ୍ ଲାଇନ୍ ତାର ଯିବା ପାଇଁ ଏ ମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଗାତ ଖୋଳାଯାଇଥାଏ। ମୁଁ ଭାବିଲି ,ହଁ ସାଇକେଲ ପାର୍ କରିଦେବି।"ପାର୍ କରୁ କରୁ ସେଇ ଗାତରେ କଚାଡି ହୋଇ ପଡିଲି।ଚାରିଆଡକୁ ଚାହିଁଲି ,କେହି ନାହାଁନ୍ତି ତ।ନା... ନା... କେହି ନାହାଁନ୍ତି। ବୀର ଦର୍ପରେ ସାଇକେଲକୁ ଉଠାଇ କଲେଜକୁ ପୁଣି ବାହାରିଲି। ମୋ ଅଜାଣତରେ ତୁମେ ସବୁ ଦେଖୁଥିଲ। ଉଠାଇବାକୁ ଆସିଲନି। କାଳେ ମୋତେ ଲାଜ ମାଡିବ। ରିସେସ୍ ରେ ମୁଁ ହାତରେ ହୋଇଥିବା ଖଣ୍ଡିଆକୁ ଆଉଁସୁଥିବା ବେଳେ ଚୁପଚାପ୍ ଆସି କାନରେ କହିଲ,ଷ୍ଟଣ୍ଟଟା ଭଲଥିଲା। " ମୁଁ ଲାଜେଇ ଗଲି। ଅଜବ ପିଲାଟେ ଏ ସତରେ ! ମୋତେ ଉଠାଇବାକୁ ନ ଆସି ପଛରେ ମୋର ମଜାକ୍ କରୁଛି। କିନ୍ତୁ ପରେ ଭାବିଲି ତୁମେ ଠିକ୍ କରିଥିଲ। ମୋତେ ପରୋକ୍ଷରେ କହିଥିଲ,ନିଜ ଅସୁବିଧା ନିଜେ ସମାଧାନ କର। ପଡିଲେ ନିଜେ, ନିଜେ ଉଠ, କାହାର ସାହାରା ନିଅନା।


- ତୁମେ ମୋତେ ବାରମ୍ବାର କହୁଥିଲ, " ଜୀବନରେ ଅନେକ ଝଡ ଝଞ୍ଜା ଆସିବ, କେବେ ନିଜର ନୈତିକ ସାହସ ହାରିବ ନାହିଁ। ସମ୍ମାନର ସହ ବଞ୍ଚିବା ଶିଖ। ମୁଣ୍ଡଟେକି ଚାଲିବା ଶିଖ।"


- ବନ୍ଧୁତା କ'ଣ ତୁମଠାରୁ ମୁଁ ଶିଖିଲି। ବନ୍ଧୁତା ହୃଦୟରୁ ହୋଇଥାଏ। ସ୍ୱାର୍ଥବିହୀନ ଭଲପାଇବା ହିଁ" ବନ୍ଧୁତା"। ଆଗକୁ ବଢିବାକୁ ପ୍ରେରଣା ଦେବା ହିଁ ବନ୍ଧୁତା।


ସେଦିନ ଠିକ ଏମିତି ଏକ ଘଟଣା ଘଟି ଯାଇଥିଲା ଯାହା ଆଜି ନଲେଖିଲେ ମୋର ଏ କାହାଣୀ ଅଧୁରା ରହିଯିବ। ସେଦିନ ଥାଏ ନୂଆଁବର୍ଷର ପ୍ରଥମ ଦିନ। ମୁଁ ରୋଷେଇ କରିବା ପାଇଁ ଜିଦ୍ କଲି। ମା' ପାଖରେ ବସି ମୋତେ ଶିଖାଇ ଦେଲେ ଆଉ ମୁଁ ନିଜେ ରୋଷେଇ କଲି। ବିନା ପିଆଜ ରସୁଣରେ ପ୍ରସ୍ତୁତ ଡାଲମା,ଚଣାଶାଗ ଭଜା,ଅରୁଆ ଭାତ। ଠିକ୍ ଖାଇବା ସମୟରେ ତୁମେ ଆସି ପହଞ୍ଚିଗଲ।ବାପାଙ୍କ ଅନୁରୋଧରେ ତୁମେ ଖାଇବାକୁ ବସିଲ। ଖାଇସାରି କହିଲ,"ଆରେ ବାଃ !

ଏତେ ସ୍ୱାଦିଷ୍ଟ ! କିଏ ରୋଷେଇ କରିଛନ୍ତି ?



- ମା' କହିଲେ, ଆଜି "ପ୍ରୀତି, ପରା ଜିଦ୍ ଧରି ବସିଲା ସେ ରୋଷେଇ କରିବ, କୁହନି ବାବୁ ଏତେ ଜିଦି ଯାହା କହିଥିବ ସେଇୟା, କିଏ ତାକୁ ବୁଝାଇବ, ସେ ଆଜି ତା ନିଜ ହାତରେ ସବୁ ରୋଷେଇ କରିଛି। ମା କଥା ଶୁଣି "ତୁମେ କହିଥିଲ,"ମୋର ସୌଭାଗ୍ୟ ଆଜି ପରା ଦିନରେ ପ୍ରୀତି ହାତରନ୍ଧା ଖାଇଲି। ଯାହା ଘରକୁ ଯିବ,ଲକ୍ଷ୍ମୀଟିଏ ଯିବ। "ଆଜି ମୁଁ ଭାବି ପାରୁନି ମୁଁ କ'ଣ ସେଇ ଝିଅ ? ଯାହାକୁ ତୁମେ ଲକ୍ଷ୍ମୀ କହୁଥିଲ।


- ଏମିତି ଅନେକ ସ୍ମୃତି ତୁମ ସହିତ। ତୁମର ପ୍ରତି କଥା ମୋ ପାଇଁ ପ୍ରେରଣାର ଉତ୍ସ ।ଆଗକୁ ବଢିବା ପାଇଁ ଅମୋଘ ଅସ୍ତ୍ର। ସମୟ ତ କାହାକୁ ଅପେକ୍ଷା କରେନି। ଶେଷଦିନ ଶେଷଦେଖାରେ ତୁମେ ମନଦୁଃଖ କରି କହିଲ,"ଆଉ ତୁମ ସହିତ ଦେଖାହେବନି"। ମୁଁ କହିଲି ତ କ'ଣ ହେଲା,ତୁମେ ସବୁବେଳେ ମୋ ହୃଦୟରେ ଥିବ। ଆମ ବନ୍ଧୁତାକୁ କେହି କେବେ ଅଲଗା କରିବେନି। ଆଉ ଯେତେବେଳେ ଦେଖିବାକୁ ଇଛାହେବ,ବାସ୍ ଆଖିବନ୍ଦ କର,ମୋତେ ଦେଖିପାରିବ। "ତୁମେ ହସିଦେଇଥିଲ। ଗୋଟିଏ ନୀଳକଲମ ମୋତେ ଧରାଇ ଦେଇ କହିଥିଲ," ମୁଁ ଜାଣିଛି ପ୍ରୀତି ତୁମେ ଖୁବ ସୁନ୍ଦର ଲେଖ ଆଉ ତୁମ ଲେଖା ମୋର ଭାରି ପସନ୍ଦ ଏ କଲମଟି ରଖ, ଆଉ ହଁ, ଲେଖା କେବେ ବି ଛାଡିବନି ବନ୍ଧୁ ।


ଜୀବନରେ ଅନେକ ଝଡ଼ଝଞ୍ଜା ଆସିବ। ସବୁ ଜିନିଷକୁ ନେଇ କେବେ ଚିନ୍ତା କରିବ ନାହିଁ ସବୁ କିଛି କୁ ଅତି ସହଜ ଭାବରେ ନେବ। ଏଇ କଲମ ହେଉଛି ମୁଁ।ମୋତେ ଯଦି ସତରେ ଟିକେ ଭଲପାଉଥିବ,ତେବେ ହାତରୁ ଜମା ଛାଡିବନି। ତୁମ ହାତରେ ମୁଁ ସବୁବେଳେ ଥିବି।ତୁମ ଚିନ୍ତା ଚେତନାକୁ ରୂପ ଦେଇ ଦୁନିଆ ଆଗରେ ପ୍ରକାଶିତ ହେବି।"


- ତୁମ ବନ୍ଧୁତା ଆଗରେ ମୋର ମଥା ନଇଁଗଲା। ଈଶ୍ୱରଙ୍କୁ ମନେ ମନେ କୋଟିପ୍ରଣାମ ଜଣାଉଥିଲି ତୁମପରି ନିଃସ୍ବାର୍ଥପର ବନ୍ଧୁଟିଏ ଦେଇଥିବାରୁ। ସମସ୍ତଙ୍କୁ ଈଶ୍ୱର ତୁମପରି ବନ୍ଧୁ ଟିଏ ଦିଅନ୍ତୁ। ତୁମେ ଯେଉଁଠି ଥାଅ ଈଶ୍ୱର ତୁମକୁ ସଦାସର୍ବଦା ଖୁସିରେ ରଖିଥାନ୍ତୁ। ଆଉ ମୋର ପ୍ରତି ଜନ୍ମରେ ତୁମକୁ ହିଁ ବନ୍ଧୁ ରୂପେ ସମର୍ପଣ କରନ୍ତୁ। ତୁମକଥା ଭାରି ମନେପଡେ ବନ୍ଧୁ।ତୁମକଥା ଭାରି ମନେପଡେ।


ଅତୀତ ମୁହୂର୍ତ୍ତେ ଭାବନାରେ ତମେ 

ମନେ ପଡି ଯାଅ ଯେବେ, 

ସ୍ମୃତି କାଗଜରେ ଅଦୃଶ୍ୟ ଲେଖନୀ 

ପଢି ବସେ କେବେ କେବେ।। 




Rate this content
Log in