STORYMIRROR

Sabita Nayak

Inspirational

4  

Sabita Nayak

Inspirational

ଶ୍ରୀମାଧବାନନ୍ଦଜୀଉ

ଶ୍ରୀମାଧବାନନ୍ଦଜୀଉ

4 mins
22

ଶ୍ରୀଜଗନ୍ନାଥଙ୍କ ମାମୁଁଘର..ଶ୍ରୀ ମାଧବାନନ୍ଦଜୀଉ ପୀଠ

 ଶାନ୍ତାକାରମ୍ ଭୁଜଗଶୟନମ୍ ପଦ୍ମନାଭମ୍ ସୁରେଶମ୍ ବିଶ୍ବଧାରମ୍ ଗଗନସଦୃଶମ୍ ମେଘବର୍ଣ୍ଣମ୍ ସୁଭାଙ୍ଗମ୍ ଲକ୍ଷ୍ମୀକାନ୍ତମ୍ କମଳନୟନମ୍ ଯୋଗିଭିର୍ଦ୍ଧାନ୍ୟଗମ୍ୟମ୍ ବନ୍ଦେ ବିଷ୍ଣୁମ୍ ଭବଭୟହରମ୍ ସର୍ବଲୋକେକ୍ୟନାଥମ୍ ଯିଏ ଅନାଦି ..ଅନନ୍ତ..ନିରାକାର... ସର୍ବଲୋକନାଥ..ଜଳ ସ୍ଥଳ ଆକାଶ ସର୍ବତ୍ର ପରିବ୍ୟାପ୍ତ,ଚାରିବେଦ ଯାହାର ମହିମା ଗାନ କରିଥାଏ,ଯାହାଙ୍କୁ ପାଇବା ପାଇଁ ମୁନି ଋଷିମାନେ ଯୁଗ ଯୁଗ ଧରି ତପସ୍ୟାରତ।ସେ ନିରାକାର ପ୍ରଭୁ ପୁଣି ସାକାର ରୂପ ଧାରଣ କରନ୍ତି।ଜଗତରେ ଯେତେବେଳେ ଅଧର୍ମ ବଢିଯାଏ,ଅନ୍ୟାୟ ଅନୀତିର ସୀମା ଟପିଯାଏ,ସାଧୁଲୋକଙ୍କ ବଞ୍ଚିବା ଅସହ୍ୟ ହୋଇଯାଏ,ସେତେବେଳେ ପ୍ରଭୁ ମର୍ତ୍ତ୍ୟଧାମରେ ଅବତାର ଗ୍ରହଣ କରନ୍ତି।ଭାଗବତରୁ ପଦଟିଏ... "ତୁ ନାଥ ପରମ ଦୟାଳୁ ଦୁଷ୍ଟ ବିନାଶି ସନ୍ଥ ପାଳୁ" କଳିଯୁଗରେ ଯାହାର ନାମ ସ୍ମରଣରେ ପାପତାପର ବିନାଶ ଘଟେ,ପତିତମାନଙ୍କ ପାଇଁ ଯା'ର ପତିତପାବନ ବାନା..ସେ ଜଗତର ନାଥ ଜଗନ୍ନାଥଙ୍କ ପଦାରବିନ୍ଦରେ କୋଟିପ୍ରଣାମ ଜଣାଇ ତାଙ୍କର ମହିମାମୟ ପୀଠ ପ୍ରଭୁ ଶ୍ରୀ ଦୁର୍ଗାମାଧବଙ୍କ ବିଷୟରେ କିଛି ବର୍ଣ୍ଣିନା କରୁଛି। କଟକ ଜିଲ୍ଲାର ନିଆଳୀ ବ୍ଳକ ଅନ୍ତର୍ଗତ  ପ୍ରାଚୀନଦୀ ତଟସ୍ଥ ମାଧବଗ୍ରାମରେ ଐତିହାସିକ ମାଧବ ମନ୍ଦିର ଅବସ୍ଥିତ। ଏହି ମନ୍ଦିରରେ  ଦୁର୍ଗାମାଧବ ପୂଜା ପାଆନ୍ତି।କିମ୍ବଦନ୍ତି ଅନୁସାରେ ମହାଭାରତ ଯୁଗରେ ଧର୍ମରାଜ ଯୁଧିଷ୍ଠିର ପ୍ରାଚୀତୀରରେ ମଣିକର୍ଣ୍ଣିକା ପୁଷ୍କରିଣୀ ତଟରେ କିଛିଦିନ ଅବସ୍ଥାନ କରିଥିଲେ।ସେ ବିଷ୍ଣୁଙ୍କୁ ଉପାସନା ନ କଲେ ଅନ୍ନଜଳ ସ୍ପର୍ଶ କରନ୍ତି ନାହିଁ।ବିଷ୍ଣୁମୂର୍ତ୍ତି ପାଇବେ କେଉଁଠାରୁ?ସର୍ବଜ୍ଞାତା ସହଦେବ ବିଷ୍ଣୁମୂର୍ତ୍ତିର ସନ୍ଧାନ ଦେଲେ ଯେ ଭୈମାସୁର ଇନ୍ଦ୍ରଙ୍କ ଆରାଧ୍ୟ ମାଧବଙ୍କ ମୂର୍ତ୍ତିକୁ ନେଇଆସି ମଣିକର୍ଣ୍ଣିକା ପୁଷ୍ପରିଣୀରେ ଲୁଚାଇ ରଖିଥିଲା।ସେ ପ୍ରତ୍ୟେକଦିନ ଠାକୁରଙ୍କୁ ପୂଜାକରି ତାଙ୍କୁ ପୁଷ୍କରିଣୀରେ ଲୁଚାଇ ରଖେ ଓ ତା' କାମରେ ସେ ଚାଲିଯାଏ।ସହଦେବଙ୍କ ପରାମର୍ଶ ଅନୁଯାୟୀ ଭୀମ ଦକ୍ଷିଣାବର୍ତ୍ତରେ ଗଦାଚାଳନା କଲେ ।ସେ କ୍ଳାନ୍ତହୋଇ ପଡିଲେ ସିନା କିଛି ସୁଫଳ ମିଳିଲା ନାହିଁ।ପରେ ସେ କିଛି ଉପାୟ ନପାଇ ବାମାବର୍ତ୍ତରେ ଗଦାଚାଳନା କଲେ ଓ ଠାକୁରଙ୍କ ମୂର୍ତ୍ତି ଗଦାରେ ଲାଗି ବାହାରକୁ ଆସିଲେ। ଯେଉଁଠି ଭୀମ ଗଦା ପ୍ରହାର କରିଥିଲେ ତାହା ଭୀମକୁଣ୍ଡ ନାମରେ ଖ୍ୟାତ।ଏଠାରୁ ପାଣି ଝରି ୧୦ ମିଟର ଦୂରରେ ମଣିକର୍ଣ୍ଣିକା ପୁଷ୍କରିଣୀରେ ମିଶିଯାଇଛି। କଥିତ ଅଛି ଗଦାରେ ଲାଗି ଠାକୁରଙ୍କ ମୂର୍ତ୍ତି ବାହାରକୁ ଆସିଲାବେଳେ ଭୀମଙ୍କର ଗଦା ତାଙ୍କର ଚିବୁକରେ ଲାଗିଥିଲା।ତେଣୁ ଶ୍ରୀମାଧବାନ୍ଦଙ୍କ ଚିବୁକଟିରେ ସାମାନ୍ୟ କ୍ଷତ ରହିଛି।ମାଧବ ମନ୍ଦିରର ପୂଜକମାନେ କହନ୍ତି ଏହି ଚିବୁକଟିରୁ ସବୁବେଳେ ଜଳ ବାହିରିବା ପରି ଜଣାପଡେ।ତେଣୁ ପ୍ରତିଦିନ ପଣ୍ଡାମାନେ ଏହି କ୍ଷତ ସ୍ଥାନରେ ଧୂପ ପୂର୍ବରୁ ଚନ୍ଦନ ଲଗାନ୍ତି।ମୂର୍ତ୍ତି ପାଇ ଯୁଧିଷ୍ଠିର ଅତ୍ୟନ୍ତ ଖୁସି ହେଲେ ଏବଂ ପୂଜରେ ଯେପରି ବାଧା ନହୁଏ ସେଥିପାଇଁ ଭୀମଙ୍କୁ ଜଗାଇ ଦେଇ ନିଜ ପୂଜା ଆରମ୍ଭ କଲେ।ପୂଜା ଆରମ୍ଭର କିଛି ସମୟ ପରେ ଅସୁର ଆସି ହାଜର ହେଲା।ଭୀମ ତାକୁ ଅଟକାଇଲେ ,ଫଳରେ ଭୀମ ଓ ଅସୁରର ପ୍ରବଳ ଯୁଦ୍ଧ ହେଲା।ଭୀମଙ୍କ ହାତରେ ଅସୁରର ମୃତ୍ୟୁ ହେଲା।ଯୁଧିଷ୍ଟିର ଅସୁରର ମୃତ ଶରୀର ଦେଖି ଅସୁବିଧାରେ ପଡିଲେ।ସେ ଭାଇମାନେ ଅସୁରର ଶବସତ୍କାରର ବ୍ୟବସ୍ଥା କଲେ।ଏହିଦିନଟି ଥିଲା ମାଘମାସ ଶୁକ୍ଳପକ୍ଷ ଏକାଦଶୀ।ଏହା ଭୌମୀ ଏକାଦଶୀ ନାମରେ ପରିଚିତ।ସେହି ଯୁଗରୁ ଆଜି ପର୍ଯ୍ୟନ୍ତ ମାଧବ ଗ୍ରାମରେ ଶ୍ରୀ ମାଧବାନନ୍ଦ ପ୍ରାଚୀ ନଦୀକୂଳରେ ପିଣ୍ଡଦାନ କରି ଆସୁଛନ୍ତି।ଏହି ତିଥିରେ ପ୍ରତିବର୍ଷ ମାଧବରେ ଏକ ବଡ ମେଳା ହୁଏ।ହଜାର ହଜାର ଯାତ୍ରୀ ପ୍ରତିବର୍ଷ ଏହିଦିନ ଠାକୁରଙ୍କୁ ଦର୍ଶନ କରିବାକୁ ଆସନ୍ତି।ସେହିଦିନ ମନ୍ଦିରରେ ନୂଆ ପତାକା ଲଗାଯାଏ।ଠାକୁରଙ୍କର ରାଜବେଶ ଆଳତି ହୁଏ।ପରେ ଶୋଭାଯାତ୍ରାରେ ଠାକୁରଙ୍କ ପ୍ରତିମୂର୍ତ୍ତି ଲକ୍ଷ୍ମୀ ଓ ସରସ୍ବତୀଙ୍କୁ ପ୍ରାଚୀନଦୀ ତୀରକୁ ନିଆଯାଏ।ଶୋଭାଯାତ୍ରା ପରେ ମହାଦୀପ ଉଠେ।କଥିତ ଅଛି ମାଧବ ନିକଟରେ ଥିବା ପୋଡପଡାରେ ପାଣ୍ଡବ ଭ୍ରାତାମାନେ ଅସୁରକୁ ପୋଡିଲେ।ତେଲପାଟଣାରେ ତେଲ ଲଗାଇ ପ୍ରାଚୀ ନଦୀରେ ସ୍ନାନ କରି ପିତାପଡା ଗ୍ରାମରେ ତିକ୍ତାନ୍ନ ଖାଇଥିଲେ।ଅଜ୍ଞାତବାସ କାଳରେ ପାଣ୍ଡବମାନେ ମଣିକର୍ଣ୍ଣିକା କୂଳରେ ଏକ ଛୋଟ ମନ୍ଦିର ନିର୍ମାଣ କରିଥିଲେ।ଏହା ବର୍ତ୍ତମାନ ଭାଙ୍ଗିଯାଇଛି।ଏହି ପୁରୁଣା ମନ୍ଦିରର ଧ୍ବଂସାବଶେଷ ଏବେ ବି ମିଳୁଅଛି।ବର୍ତ୍ତମାନ ଠାକୁର ଯେଉଁ ମନ୍ଦିରରେ ଅଛନ୍ତି ତାହା ତୃତୀୟ ଅନଙ୍ଗଭୀମଦେବ ଦ୍ବାଦଶ ଶତାବ୍ଦୀରେ ନିର୍ମାଣ କରିଛନ୍ତି ଏହି ମନ୍ଦିରର ଉଚ୍ଚତା ୪୦ ଫୁଟ ଅଟେ ମନ୍ଦିର ଦେହରେ ଦଶ ଅବତାର, ବୃକ୍ଷ ବିଡାଳ,ନର୍ତ୍ତକୀ ଓ ଅନ୍ୟାନ୍ୟ ବହୁମୂର୍ତ୍ତି ଖୋଦିତ ହୋଇଅଛି।ଏହା ଭିତରେ ବହୁତ ସୁନ୍ଦର ବେଢାଟିଏ ଅଛି ଯାହା ପ୍ରାୟ ୨ ଏକରର ଜମି ଉପରେ ଅବସ୍ଥିତ।ବେଢା ଭିତରେ ଜଗମୋହନ ଆଗକୁ ଲାଗି ବଡମଣ୍ଡପ, ମହାବୀରଙ୍କ ଛୋଟ ମନ୍ଦିର,ଗୋଟିଏ ସ୍ନାନ ମଣ୍ଡପ,ରୋଷଘର ଓ ଏକ ଶିବମନ୍ଦିର ଦୃଷ୍ଟିଗୋଚର ହୁଏ।ମନ୍ଦିର ଭିତରେ ରତ୍ନସିଂହାସନ ଉପରେ ବିରାଜମାନ କରୁଛନ୍ତି ଶ୍ରୀ ଶ୍ରୀ ମାଧବାନନ୍ଦ ଯାହାଙ୍କର ଉଚ୍ଚତା ପ୍ରାୟ ୨ ଫୁଟ ହେବ।ଏହାର ଗୋଲେଇ ୪ ଇଞ୍ଚ ଓ ପ୍ରସ୍ଥ ପ୍ରାୟ ୧୪ ଇଞ୍ଚ ହେବ।ଠାକୁରଙ୍କ ଡାହାଣତଳ ହାତରେ ଶଙ୍ଖ, ଉପର ହାତରେ ପଦ୍ମ,ବାମ ହାତ ଉପରେ ଗଦା ଓ ତଳ ହାତରେ ଚକ୍ର ଚିହ୍ନ ରହିଛି।ମୂର୍ତ୍ତିଦେହରେ ବାମରେ ଲକ୍ଷ୍ମୀ,ଦକ୍ଷିଣରେ ସରସ୍ବତୀଙ୍କ  ଉପରି ଭାଗରେ ତ୍ରୀଶୁଳଧାରୀ ଶିବ ମୂର୍ତ୍ତି ବିରାଜମାନ କରିଛନ୍ତି।ସିଂହାସନ ଉପରେ ଅଷ୍ଟଧାତୁରେ ନିର୍ମିତ ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ଠାକୁର ବିଜେ କରିଛନ୍ତି ଏବଂ ବିଭିନ୍ନ ପ୍ରତିମା ଦୁର୍ଗା,ଲକ୍ଷ୍ମୀ, ସରସ୍ବତୀ,ନାରାୟଣ,ମଦନମୋହନ,ରାଧା,କୃଷ୍ଣ,ବିମଳା ବିରାଜମାନ କରିଛନ୍ତି।ଠାକୁରଙ୍କ ନିମ୍ନାଂଶରେ ମା ଦୁର୍ଗାଙ୍କର ସ୍ଥାନ।ସ୍ନାନ ସମୟରେ ଦୁର୍ଗାଙ୍କୁ ଠାକୁରଙ୍କ ନିକଟକୁ ନିଆଯାଏ।ଠାକୁରଙ୍କ ପୂଜା ଷୋଡଶ ଉପଚାରରେ ଗୋପାଳ ମନ୍ତ୍ରରେ ହୁଏ।ପ୍ରତ୍ୟେକ ଦିନ ସକାଳୁ ଠାକୁରଙ୍କର ସେବା ,ପୂଜା ଓ ବେଶ ହୋଇଥାଏ। ଏହି ଧୂପରେ ଦହି ଓ ଖଇ ଭୋଗ ଲାଗିଥାଏ।ପ୍ରାୟ ଦିବା ଘ.୧୨ଟିକା ବେଳକୁ ହୋଇଥାଏ ସକାଳ ଧୂପ।ଏହି ଧୂପରେ ଖେଚୁଡି,ଚନ୍ଦ୍ରକାନ୍ତି, କାକରା,ଡାଲି,ତରକାରୀ,ଶାଗ ଓ ଭଜା ଭୋଗ ଲଗାଯାଇଥାଏ।ତା'ପରେ ଠାକୁରଙ୍କର ବେଶ ବଦଳାଯାଇ ଲୁଗା,ଫୁଲ ଓ ଚନ୍ଦନ ଲାଗି କରାଯାଏ।ଏହା ପରେ ପରେ ଦ୍ବିପ୍ରହର ଧୂପର ଆୟୋଜନ ହୁଏ।ଏଥିରେ ଅନ୍ନ,ଡାଲି,ତରକାରୀ,ଶାଗ, ଭଜା,ଖିରି ଓ କାକରା ଆଦି  ଭୋଗ ଲଗାଯାଏ ।ଏହା ପରେ ପହଡ ପଡିଥାଏ। ଅପରାହ୍ନ ଘ.୫.ଟିକାରେ ପହଡ ଖୋଲାଯାଏ।ସଂନ୍ଧ୍ୟା ଆଳତି ବେଶ ହୁଏ ଏବଂ ଧୂପ ମଧ୍ୟ ହୁଏ।ଏଥିରେ ଅନ୍ନ, ଡାଲମା,ମାଠପୁଳ,ଗଜା ଭୋଗ ଲଗାଯାଏ।ଧୂପ ପରେ ବଡସିଂହାର ବେଶ ହୋଇଥାଏ।ଠାକୁରଙ୍କ ଶରୀରରେ ନାନା ପ୍ରକାର ପୁଷ୍ପରେ ସଜ୍ଜାଯାଏ।ସେବକମାନେ ଗୀତ- ଗୋବିନ୍ଦ ଗାନ କରନ୍ତି।ପରେ ଲକ୍ଷ୍ମୀନାରାୟଣଙ୍କ ଡମ୍ବରୁ ବିଜେ ହୋଇଥାଏ ଓ ମନ୍ଦିର ରାତ୍ରିପାଇଁ ବନ୍ଦ କରାଯାଏ। ଠାକୁରଙ୍କର ଭିନ୍ନ ଭିନ୍ନ ପର୍ବ ବଡ ଜାକଜମକରେ ପାଳନ କରାଯାଏ ।ବୈଶାଖମାସ ଶୁକ୍ଳ ଦ୍ବିତୀୟା ଠାରୁ ୨୧ ଦିନଧରି ଏଠାରେ ଚନ୍ଦନଯାତ୍ରା କରାଯାଇଥାଏ।ତିନିମୂର୍ତ୍ତି ମଦନ ମୋହନଙ୍କ ସହିତ ବିମାନରେ ବିଜେ ହୋଇ ମଣିକର୍ଣ୍ଣିକା ପୁଷ୍କରିଣୀ ତଟରେ ଥିବା ଚନ୍ଦନ ମଣ୍ଡପକୁ ଯାଇଥାନ୍ତି। ଚନ୍ଦନଯାତ୍ରାଟି ଗ୍ରୀଷ୍ମଋତୁରେ ହୁଏ।ତେଣୁ ଠାକୁର ପ୍ରବଳ ଗ୍ରୀଷ୍ମତାପର ନିବାରଣ ପାଇଁ ଦେହରେ ଚନ୍ଦନ ବୋଳିହୋଇ ନୌକାବିହାର କରିଥାନ୍ତି।ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଦୋଳ ।ଏଠାରେ ଫାଲ୍ଗୁନ ମାସରେ ଦୋଳ ଦଶମୀଠାରୁ ୬ଦିନ ପର୍ଯ୍ୟନ୍ତ ଦୋଳ ଯାତ୍ରା ହୁଏ।ଠାକୁର ମାଧବ ଗ୍ରାମ ଓ ପଡୋଶୀ ଗ୍ରାମମାନଙ୍କରେ ବୁଲି ବୁଲି ଭୋଗ ଖାଆନ୍ତି।ଚତୁର୍ଦ୍ଦଶୀଦିନ ସଭାମଣ୍ଡପରେ ମେଲଣ ,ପୂର୍ଣ୍ଣମୀଦିନ ଦୋଳବେଦି ଝୁଲଣ ଓ ଭେଟଆଳତି ଭକ୍ତ ମାନଙ୍କୁ ଆତ୍ମହରା କରେ।ଦୋଳବେଦିରେ ସେଦିନ ନୂତନ ପଞ୍ଜିକା ପଢାହୁଏ। ଦୋଳ ଓ ଚନ୍ଦନଯାତ୍ରା ବ୍ୟତୀତ ପ୍ରତି ଗୁରୁବାର ଓ ଏକାଦଶୀଦିନ ବେଢା ପରିକ୍ରମା,ଝୁଲଣଯାତ୍ରା,ଜାଗର ,ମକର,ଦୁର୍ଗାପୂଜା,ଆଶ୍ବିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବାଳ ଭୋଗ ,ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ପବିତ୍ରତାର ସହ କରାଯାଏ। କିନ୍ତୁ ସବୁଠାରୁ ଠାକୁରଙ୍କର ବଡ ପର୍ବ ହେଉଛି ମାଘମାସ ଶୁକ୍ଳପକ୍ଷ ଭୌମୀ ଏକାଦଶୀ।କିମ୍ବଦନ୍ତୀ ଅନୁସାରେ  ଶ୍ରୀ ମାଧବ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ।ସେହି ନୀତିରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରଧାମକୁ ମାଧବଠାକୁରଙ୍କ ପାଖରୁ ପ୍ରତିବର୍ଷ ପ୍ରଥମାଷ୍ଟମୀ ଭାର ପଠାଯାଉଅଛି।ଏହି ଭାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ପାଟବସ୍ତ୍ର ସହ ଚନ୍ଦନକାଠ,ତୁଳସୀ, ପଦ୍ମଫୁଲ,ବିରି,ଚାଉଳ,ନଡିଆ ଓ ମୁଖବାସ ପଠାଯାଉଅଛି।ସେହି ଲୀଳାମୟ ପୁରୁଷଶ୍ରେଷ୍ଠ ଭକତପ୍ରିୟ ମାଧବାନନ୍ଦଙ୍କ ପଦ୍ମପାଦରେ କୋଟିପ୍ରଣାମ ଜଣାଇ ଜଗତର ମଙ୍ଗଳକାମନା କରୁଅଛି। "ଓଁ କ୍ଳିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ମାଧବାନନ୍ଦାୟ ନମଃ।" 


Rate this content
Log in

Similar oriya story from Inspirational