Sabita Nayak

Others

3  

Sabita Nayak

Others

ଝରଣାର ଦୁଃଖ

ଝରଣାର ଦୁଃଖ

3 mins
227



ସୁନ୍ଦର ବନାନୀ।ସୁଶୀତଳ ବାଆ।ସବୁଜଶ୍ରୀ ବିମଣ୍ଡିତ

ପାହାଡ ହସିଉଠୁଛି।କାହିଁକି?

ବନପ୍ରଦେଶର ବୃକ୍ଷଲତା,ଜୀବଜନ୍ତୁ କାହାର ଆଗମନ ପାଇଁ ଏମିତି ଉକ୍ତଣ୍ଠିତ ହୋଇ ଉଠିଛନ୍ତି?

ପାହାଡ ମା' ଗର୍ଭବତୀ।କୁନି ଆଗନ୍ତୁକ ପାଇଁ ଭାରି ବ୍ୟସ୍ତ।କେଉଁଦିନ ଆସିବ ସେ?ତା'ରି ଆଗମନରେ

ସମଗ୍ର ତରୁଲତା ହସି ଉଠିବ।ବାଦଲ ମଧ୍ୟ ଆଗ୍ରହ ଓ

ଉତ୍କଣ୍ଠା ମଧ୍ୟରେ ଅପେକ୍ଷା କରିଥାଏ ସେଇ ମୁହୂର୍ତ୍ତକୁ।


କେଉଁଦିନ ତାଙ୍କର ପ୍ରେମ ସଫଳ ହେବ?କେବେ ତାଙ୍କର ପ୍ରେମ ବଗିଚାରେ କୁନି ଫୁଲଟିଏ ହସିଉଠିବ?

ବାସ୍ ସମସ୍ତ କଳ୍ପନାଜଳ୍ପନା ଆଉ ଅପେକ୍ଷାର ଅନ୍ତ ହେଲା।ଏଇତ ଆବିର୍ଭାବର ପୂର୍ବାଭାସ।ପାହାଡି ମା'ର ଗର୍ଭଯନ୍ତ୍ରଣାରେ କମ୍ପନ।

କିଛିସମୟ ପରେ ଜନ୍ମନେଲା ଏକ ସୁନ୍ଦର,ସରଳ ,ନିଷ୍ପାପ

କନ୍ୟା।କୁନି ଶିଶୁଟି ମୁଣ୍ଡଟେକି ଉପରକୁ ଚାହିଁଲା।

ମୁଣ୍ଡଉପରେ ନୀଳଆକାଶର ନୀଳିମା,ପକ୍ଷୀମାନଙ୍କର

କିଚିରିମିଚିରି ସୁଗମ ସଂଗୀତ ଆଉ ଧୀର ସମୀରଣର

ଶିରି ଶିରି ପବନ ସହିତ ତାଳଦେଇ ମା'ର ଗର୍ଭଚିରି

ଆବିର୍ଭାବ ହେଲା ପାହାଡିକନ୍ୟା।ଶାନ୍ତ,କମନୀୟ ଆଉ 

ସୌନ୍ଦର୍ଯ୍ୟର ନିଛ୍ଛକ ପ୍ରତିମୂର୍ତ୍ତି ସେ।ମା'ତାର ନାଁ ଦେଲା

"ଝରଣା"।

ବେଶ୍ ମା କୋଳରେ କିଛି ଦିନ ବଢିଲା ପରେ,ତାକୁ ଆଉ

ମା'ର ଆବଦ୍ଧ କୋଳ ଭଲଲାଗିଲା ନାହିଁ।କେମିତି ବା

ଲାଗିବ?ନୂଆଁ ଦୁନିଆ ସେ ତ ଦେଖିବ।ମା'ର କୋଳରୁ

ବିଦାୟ ନେଇ କୁନି କୁନି ପାଦରେ ପାହାଡର ଖୋଲପରୁ

ଖୋଲପକୁ (ପଥରରୁ ପଥରକୁ) ଡେଇଁ କଳକଳ ଛଳଛଳ ନାଦରେ ଆଗକୁ ଆଗେଇ ଚାଲିଲା।


ତରୁଣୀ ଝରଣାର ଚଞ୍ଚଳମନ,ଆଖିରେ କଟାକ୍ଷ ଚାହାଣୀ,

ପାଦରେ ଛଞ୍ଚଳତା।ଝରଣା ଆଗକୁ ଆଗକୁ ମାଡିଚାଲିଲା

ଆଖିରେ ଆଖିଏ ସ୍ବପ୍ନନେଇ।କେବେ ପଛକୁ ଫେରିଚାହିଁନି ସେ।ତା'ର ଗନ୍ତବ୍ୟପଥରୁ ଓହରିଯାଈନି।

ଗୋଟିଏ ଲକ୍ଷ୍ୟ ତା'ର "ସାଗର"।ବାଟରେ ଭେଟ ହୁଅନ୍ତି

ଅନେକ ସାଙ୍ଗସାଥି।ବେଶ୍ ସେମାନଙ୍କ ସହିତ ଖୁସିଗପ 

କରି ଆନନ୍ଦରେ ବିତିଯାଏ ତା' ଦିନ।ଅନେକ ବୃକ୍ଷଲତା

ତାକୁ ଆଶ୍ରାକରି ବଢିଉଠନ୍ତି।ଅନେକପଶୁପକ୍ଷୀ,ଜୀବଜନ୍ତୁ ଝରଣା ପାଖରେ କୃତଜ୍ଞ ହୁଅନ୍ତି।


କେବେ କାହାକୁ ଠକିନି ଝରଣା।କାହାକୁ ପ୍ରତାରଣା କରିନି।ନିଜେ ହସେ।ଅନ୍ୟକୁ ହସାଏ।ଛଳଛଳ କଳକଳ ନାଦରେ ଗୀତଗାଇ ମନକୁ ମନ ହସି ନୂପୁରର

ରୁଣ୍ ଝୁଣ୍ ଶବ୍ବରେ ସମଗ୍ର ବନଭୂମିକୁ ଆନନ୍ଦିତ କରି

କିଶୋରି ଝରଣା ଜୀବନ ପଥରେ ଅଗ୍ରସର ହୁଏ।


ଆଖିରେ ଆଖିଏ ସ୍ବପ୍ନ।ମନରେ ଅନେକ ଆଶା ଆଉ

ଭାବନାରେ ଉନ୍ମାଦନା।କାହିଁକି କେଜାଣି ଏଇ ସ୍ବପ୍ନ

ଭିତରେ ନିଜକୁ ହଜାଇ ଦେବାରେ ଥାଏ ଏକ ସ୍ବର୍ଗୀୟ 

ଅନୁଭବ।କଳ୍ପନା ରାଜ୍ୟରେ ଭାସିବୁଲିବା ଆଉ ଆଖି

ବୁଜିବୁଜି ମିଠା ସ୍ବପ୍ନ ଦେଖିବାରେ ଯେଉଁ ମଜା ବୋଧହୁଏ ତାହା କୌଣସି ବାସ୍ତବତାରେ ପାଇହୁଏ ନାହିଁ।


ସେଥିପାଇଁ ତ ମନୁଷ୍ୟ କ୍ଷଣିକ ପାଇଁ ହେଲେ ବି ବାସ୍ତବ

ଦୁନିଆର କ୍ଳାନ୍ତ,ବ୍ୟସ୍ତ ମନକୁ ଟିକେ ଶାନ୍ତି ଦେବାପାଇଁ

ଅବାସ୍ତବ ଦୁନିଆ ଆଡେ ନଜର ଦିଏ ବା ବୁଲିଆସେ।

ଆମର ନାୟିକା ଝରଣା ବା କିପରି ଏଥିରୁ ବାଦ୍ ପଡିବ।


କିଶୋରି ଝରଣା କଳ୍ପନାବିଳାସୀ,ସଦା ନୃତ୍ୟରତା।ନାଚିନାଚି,ଗାଇଗାଇ ଜୀବନକୁ ଉପଭୋଗ କରିବାକୁ

ଚାହେଁ ସେ।ଚତୁର୍ଦିଗରେ ତା'ର ସବୁଜବନାନୀ।ମୁଣ୍ଡଉପରେ ନୀଳଆକାଶ।ନୀଳଆକାଶରେ ଭାସି ଭାସି

ବୁଲୁଥିବା ପାଉଁଶିଆ ରଙ୍ଗର ବାଦଲ।ସତରେ କି ସୁନ୍ଦର! ଏଇ ଆକାଶର ନୀଳିମାରେ ହଜାଇ ଦେବାକୁ

ଭାରି ଇଛାହୁଏ।ଭାବେ ଏଇ ନୀଳିମା ମଧ୍ୟରେ ହଜିଯାଆନ୍ତି

କି?


ଏହିପରି ଭାବନା ମଧ୍ୟରେ ଦିନସବୁ ରାତି ହୁଆନ୍ତି ଆଉ ରାତିସବୁ ଦିନ।ଏହାମଧ୍ୟରେ କୁଆଁରୀ ଝରଣା କେତେବେଳେ ପୂର୍ଣ୍ଣଯୌବନା ନଦୀରେ ପରିଣତ ହୋଇସାରିଛି ତା'ର ନଜିର ନାହିଁ।ଅଙ୍ଗେ ଅଙ୍ଗେ ତା'ର

ଯୌବନର ଢେଉ।ଆଖିରେ ମିଳନର ଆଶା।କାହା

ସହିତ?

"ସାଗର" ତା'ର ମନର ମଣିଷ।ମନ କରେ ପ୍ରତିକ୍ଷା।

ବ୍ୟାକୁଳିତ ହୁଏ ହୃଦୟ।

ଇଛାହୁଏ ତା'ର ପରଥାଆନ୍ତା କି?ଉଡିଯାଆନ୍ତା ତା'ର

ସପନକୁମାର ପାଖକୁ।ଇଛାହୁଏ ସାଗରକୁ ସବୁବେଳେ

ପାଖରେ ପାଆନ୍ତା କି?ମନଖୋଲି ହୃଦୟତଳେ ଲୁଚି

ରହିଥିବା ଅକୁହା କଥାସବୁ କହିଯାଆନ୍ତା ଆଉ ସାଗର

ବକ୍ଷରେ ମୁଣ୍ଡରଖି ସବୁଦୁଃଖ ଭୁଲିଯାଆନ୍ତା?


ଏମିତି ଭାବନା ଭିତରେ ଦିନେ ତା'ର ସମସ୍ତ ପ୍ରତୀକ୍ଷାର

ଅନ୍ତଘଟାଇ ସାଗର ସହିତ ମିଳନ ହେଲା।

କି ଅପୂର୍ବ ସେ ଦୃଶ୍ୟ!ସାଗରର ଫେନିଳ ଚୁମ୍ବନର

ପହିଲି ସ୍ପର୍ଶରେ ଝରଣା ନଦୀରୂପେ ସାଗର ବକ୍ଷରେ

ଲୋଟିପଡିଲା।


ସାଗର ତାକୁ ତା'ର ବିଶାଳ ହୃଦୟ ମଧ୍ୟକୁ ଟାଣିନେଲା।

ଓଃ!ଯନ୍ତ୍ରଣା କି ଆନନ୍ଦ ମୁଁ କହିପାରିବିନି।ତା' ପରଠାରୁ

ଝରଣା ତା'ର ସତ୍ତା ହରାଇ ବସିଲା ସବୁଦିନ ପାଇଁ।

ସାଗରର ବିଶାଳ ଗର୍ଭରେ ଝରଣା ନିର୍ଲିପ୍ତ ହୋଇଗଲା।

ନିଜର ଅସ୍ତିତ୍ତ୍ବ ମିଶିଗଲା ସାଗର ସହିତ।ବେଳେ ବେଳେ

ମନେପଡେ ତା'ର ମା' ପାହାଡ କଥା।ବାପା ବାଦଲ କଥା ଆଉ ସାଙ୍ଗସାଥି,ବନପାହାଡ,ଲତା ,ତା'ର ସ୍ବପ୍ନର

ନୀଳଆକାଶ।ଇଛାହୁଏ ତା'ର ଥରେ ଫେରିଯିବାକୁ

ପଛକୁ,ଯେଉଁଠି ସେ କୁନି କୁନି ପାଦରେ ଡେଇଁ ଡେଇଁ

ନାଚି ବୁଲୁଥିଲା।କିନ୍ତୁ ପାରେନାହିଁ।ବୋହିଗଲା ପାଣି

ଆଉ କ'ଣ ଫେରିପାରେ?


ସାଗର ବୁକୁରେ ପଚାସଢା ଶରୀର,ଆବର୍ଜନା,ଶାମୁକା,

ମାଛ,ଗେଣ୍ଡା ଆଦି ସହିତ ଧସ୍ତାଧସ୍ତି ହୁଏ ।ହେଲେ,

ଝରଣା ଏହାର ପ୍ରତିବାଦ କରିପାରେନା।ସାଗର ବି କିଛି ଶୁଣେନି।ସାଗରକୁ ସେ କିପରି କହିବ?କ'ଣ ବା

କହିବ?ସାଗର କ'ଣ ଝରଣା ମନକଥା କେବେ ବୁଝିପାରିବ?


ବିଚାରୀ ଝରଣା ନିଜର ମନକଥା କହିପାରେ ନାହିଁ।

ଛଟପଟ ହୁଏ ମାନସିକ ଯନ୍ତ୍ରଣାରେ।ଅନ୍ତର କୋହକୁ

ଚାପିରଖି ଆଖିର ଲୁହକୁ ସାଥିକରି ଜୀବନର ଅନ୍ତିମ

ଦିନକୁ ଅପେକ୍ଷା କରେ।କିନ୍ତୁ ପାରେନାହିଁ।ଭାରାକ୍ରାନ୍ତ ମନ ଓ ହୃଦୟକୁ ହାଲ୍କା କରିବାକୁ ବୋଧହୁଏ ଝରଣା 

ସାଗର ବକ୍ଷରେ ଲହରି ସାଜି ତା'ର ସବୁତକ ରାଗ, ,ଅଭିମାନକୁ ସାଇତି ରଖି ଅଭୁଲା ଅତୀତକୁ 

ମନେପକାଇ ମଥାପିଟି ସବୁବେଳେ କାନ୍ଦୁଛି।କିଏ ବା

ବୁଝୁଛି ତା'ର ହୃଦୟ ତଳେ ଲୁଚିରହିଥିବା ଅକୁହା ବେଦନାକୁ?


କିଏ ବା ଦେଖୁଛି ତା'ର ମନରେ ବସା ବାନ୍ଧିଥିବା ଅଜସ୍ର

ଦୁଃଖକୁ?ବୋଧହୁଏ କେହିନାହିଁ।କାହିଁକି?

ଜୀବନସାରା ଅନ୍ୟପାଇଁ ଉତ୍ସର୍ଗ କରିଦେଇଥିବା ଝରଣା 

ପାଇଁ କ'ଣ ଜଣେ ବି ନିଜର ହୋଇପାରିବେନି?ତାକୁ

ଆଶ୍ବାସନା ଦେବାପାଇଁ ସହସ୍ର ସହସ୍ର ମୁଖମଧ୍ୟରୁ ଜଣକ

ମୁଖରୁ ପଦଟିଏ କଥା ବାହାରି ପାରିବନି?ତା'ର ଆଖିର

ଲୁହକୁ ପୋଛିଦେବା ପାଇଁ କୋଟିଏ ହାତମଧ୍ୟରୁ କ'ଣ

ଗୋଟିଏ ହାତ ଆସିପାରିବନି?


ଶେଷରେ ଝରଣାର ଗୋଟିଏ ଅବଶୋଷ ରହିଗଲା

ସାରାଜୀବନ ପାଇଁ।ତାକୁ କେହି ବୁଝିଲେନି।ସେ ବି

କାହାକୁ ବୁଝାଇ ପାରିଲାନି।ନିଜ ସହିତ ନିଜେ କଥାହୁଏ।ନିଜକୁ ନିଜେ ଆଶ୍ବାସନା ଦିଏ।ଦୁଃଖ ଲାଗିଲେ ଲୁଚି ଲୁଚି କାନ୍ଦେ।କାହାକୁ ଦୁଃଖରେ ଭାଗି କରେନା। ଅତୀତର ସ୍ମୃତି,ପାହାଡ,ନୀଳଆକାଶ,ତା'ର

ଭଲପାଇବା ଆଦି ମନେପକାଇ କେବେ ହସେ ,କେବେ

କାନ୍ଦେ।ହେଲେ ସେ କେବେ ଆଉ ମା' କୋଳ ଦେଖିନି।

ଅତୀତ ତା' ପାଇଁ ଏକ ବିରାଟ ସ୍ବପ୍ନ।


ଏ ତ ମୋର ମନକଥା।ହୃହୟର କଥା।ମୁଁ.......

ଗୋଟିଏ ଝିଅ .."ଝରଣା"।


Rate this content
Log in