Sabita Nayak

Inspirational

3  

Sabita Nayak

Inspirational

ପ୍ରଥମ ସ୍ପର୍ଶ

ପ୍ରଥମ ସ୍ପର୍ଶ

3 mins
241



ବଗିଚାରେ ପ୍ରଜାପତି ସବୁ ଏ ଫୁଲରୁ ସେ ଫୁଲକୁ ଉଡି ବୁଲୁଛନ୍ତି । ଆକାଶର ନିଳୀମା ଆହୁରି ସୁନ୍ଦର ଦିଶୁଛି । ମେଘମାଳାସବୁ ଆକାଶ ବକ୍ଷରେ ସୁନ୍ଦର ଭାବେ ଏଣେ ତେଣେ ଭାସି ବୁଲୁଛନ୍ତି । ଏକ ଲୟରେ ଆକାଶକୁ ଚାହିଁ ରହିଥିଲା ନିହାରିକା । ଶରୀରରେ ଅଜଣା ପୁଲକ । ନୂତନ ପୃଥିବୀର ବାସ୍ନା । କେଉଁ ଏକ ନୂତନ ଅତିଥିର ସ୍ୱାଗତ ପାଇଁ ତା'ର ମନର ପୃଥିବୀର ଦଶଦିଗ,ଆକାଶ,ପାତାଳ ସବୁକିଛି ସଜାଇ ହେବାରେ ଲାଗିଛି । ମନରେ ଅନେକ ସ୍ୱପ୍ନ । କେଉଁ ଦିନ ଆସିବ ସେ ? ନିହାରିକା କ'ଣ ସବୁ ଭାବି ଚାଲିଥିଲା । 


ହଠାତ୍ ଶାଶୁଙ୍କର ଚିତ୍କାର ଶୁଣି ପ୍ରକୃତିସ୍ଥ ହେଲା । ଶାଶୁ କହୁଥିଲେ, ତୁ ଯେତେ ପାଠ ପଢୁଛୁ ପଢ, ମୋର କିଛି କହିବାର ନାହିଁ । ମୋର ନାତିଟିଏ ଦରକାର । "ନଣନ୍ଦ ତାତ୍ସଲ୍ୟ କରି କହିଲା, "ନାତି ନହେଲେ ଭଣଜାକୁ ପୁଅକରି ଆଣିବ" । ହେ ଭଗବାନ ନିହାରିକାର ମୁଣ୍ଡରେ ବଜ୍ର ପଡିଲାପରି ଲାଗୁଥାଏ । କେତେ ସ୍ୱପ୍ନ ନେଇ ସେ ଶାଶୁଘରକୁ ଆସିଥିଲା । ନିହାରିକା ଭଲ ପାଠ ପଢୁଥିଲା । ଆଖିରେ ଆଖିଏ ସ୍ୱପ୍ନ । ଆକାଶକୁ ଛୁଇଁବାକୁ ଇଚ୍ଛା । 


ସ୍ୱାମୀ କଥାଦେଇ କହିଥିଲେ ,ତୁମେ ଯେତେ ପାଠ ପଢିବାକୁ ଚାହିଁବ ମୁଁ ପଢାଇବି,ସମୟ ପଡିଲେ ମୋର କିଡନୀ ବିକ୍ରିକରି ତୁମକୁ ପଢାଇବି" । ଭାବବିହ୍ୱଳ ହୋଇଯାଇଥିଲା ନିହାରିକା । ପରିବାର ଲୋକଙ୍କ ହଁ ନାହିଁ ମଧ୍ୟରେ କେତେବେଳେ ଯେ ଝିଅରୁ ବୋହୁ ହୋଇଯାଇଥିଲା ତାକୁ ଜଣାନଥିଲା । ପୁଣି ମା' ହେବାର ଅନୁଭବ ବାହାଘରର ପନ୍ଦର ଦିନ ମଧ୍ୟରେ । ଏସବୁ କ'ଣ ହୋଇଗଲା .. ଭଗବାନ? ମୋ ସ୍ୱପ୍ନ...? ମୋ ଆଶା...? କ'ଣ ସବୁ ଶେଷ? ମୁଁ କ'ଣ କେବେ ସଂସାରର ବନ୍ଧନ ଚାହିଁଥିଲି?ସେଦିନ ନିହାରଙ୍କ ସହ ସାକ୍ଷାତବେଳେ ନିହାରିକା କହିଥିଲା,"ମୁଁ ବିବାହ କରିବାକୁ ଚାହେଁ ନାହିଁ । ପଢିବାକୁ ଚାହେଁ । ନିଜ ଗୋଡରେ ନିଜେ ଠିଆ ହେବାକୁ ଚାହେଁ । ସମାଜ ପାଇଁ କିଛି କରିବାକୁ ଚାହେଁ । ବନ୍ଧନ ମୋତେ ଭଲଲାଗେନି । "ନିହାର କହିଥିଲେ, ମୁଁ ତୁମର ଜ୍ଞାନକୁ ଭଲପାଏ, ତୁମର ସ୍ୱପ୍ନ ପୂରଣ କରିବାକୁ ଚାହେଁ । ବାସ୍ ଆଉ କିଛି ତୁମଠୁ ଚାହେଁନା । "


ଓଃ!ଏସବୁ କଥା,ପ୍ରତିଶ୍ରୁତି କ'ଣ ମିଛ ଥିଲା?ସେ କ'ଣ ତା'ର ସ୍ୱପ୍ନ ସବୁ ଭୁଲି ସଂସାରର ମାୟାରେ ଛନ୍ଦି ହୋଇଯିବ?ହେ ଈଶ୍ୱର !ମୋର ମାର୍ଗଦର୍ଶନ କର । ଗୋଟିଏ ପଟେ ନିଜର ସ୍ୱପ୍ନ ଆଉ ଗୋଟିଏ ପଟେ ସଂସାରର ମୋହ । ଜୀବନର ଦୋଛକିରେ ଠିଆ ହୋଇଥିଲା ନିହାରିକା । ସତ୍ୟ ତାକୁ ଅସ୍ତବ୍ୟସ୍ତ କରି ପକାଉଥିଲା । ସହଜରେ ସେ ଜୀବନକୁ ଗ୍ରହଣ କରିପାରୁନଥିଲା । 


ତଥାପି କେଜାଣି ତାକୁ ଭାରି ଖୁସିଲାଗୁଥିଲା । ଧିରେ ଧିରେ ଗର୍ଭରେ ଶିଶୁଟିର ହୃଦୟସ୍ପନ୍ଦନର ଅନୁଭବ,ହାତଗୋଡ ହଲାଇ ଗର୍ଭରେ ବୁଲିଲା ବେଳେ କେମିତି ଏକ ଅହେତୁକ ଆକର୍ଷଣ ତା' ପ୍ରତି ଆସିଯାଇଥିଲା । ସକାଳ ସଞ୍ଜରେ ଈଶ୍ୱରଙ୍କୁ ପ୍ରାର୍ଥନା ଗୀତାପାଠ, ଧ୍ୟାନ କରେ । ଛୁଆଟି ବୁଦ୍ଧିମାନ ହେଉ, ସଂସ୍କାରୀ ହେଉ । 


ସେଦିନର କଥା । ଖୁଦୁରୁକୁଣୀ ପୂଜା ଚାଲିଥାଏ । ଝିଅମାନଙ୍କ ପ୍ରତି ନିହାରିକାର ଅହେତୁକ ଆକର୍ଷଣ ଥାଏ । ହାତଯୋଡି ମା'ଙ୍କୁ ପ୍ରାର୍ଥନା କଲା,"ମା' ମୋତେ ସର୍ବଗୁଣସମ୍ପନ୍ନ ସୁନ୍ଦର ଝିଅଟିଏ ଦିଅନ୍ତୁ । ପଡିଶାଘର ନାନୀକୁ କହିଲା, ମୋର ଝିଅଟିଏ ହେଲେ ମୁଁ ଆଉ ମୋ ଝିଅ ମିଶି ମା'ଙ୍କର ପୂଜାକରିବୁ । " ନାନୀ କହିଲେ,"ହଉ, ମୋତେ କହିଲୁ,ତୋ ଶାଶୁଘରେ କାହାକୁ କିଛି କହିବୁନି । " ନିହାରିକା କିଛି ବୁଝିପାରୁନଥିଲା,ଝିଅଟିଏ ପ୍ରତି ସମସ୍ତଙ୍କର ଏଭଳି ବୈମାତୃକ ମନୋଭାବ କାହିଁକି?ଝିଅଜନ୍ମକୁ କାହିଁକି ଶାଶୁ ନଣନ୍ଦ ବିରୋଧ କରନ୍ତି? ସେମାନେ ତ ପୁଣି ନିଜେ ଝିଅ ନା । କାହାକୁ କେମିତି ବୁଝାଇବ ନିହାରିକା?


ଡାକ୍ତର ତାରିଖ ଦେଈଥିଲେ ଡିସେମ୍ବର ୧୦ । କିନ୍ତୁ କାହିଁ ?କେବେ ଆସିବ ସେ ? ନିହାର ନେଇକି ଗଲେ ଚେକ୍ କରିବାକୁ । ଅଲଟ୍ରାସାଉଣ୍ଡରେ ସବୁ ଠିକ୍ ଠାକ୍ ଥିଲା । ଡକ୍ଟର କହିଲେ, "ଅଭିନନ୍ଦନ ସାର୍, ଲକ୍ଷ୍ମୀ ଆସୁଛନ୍ତି । ନିହାରିକାର ଛାତି କୁଣ୍ଢେମୋଟ । ମା' ଡାକ ଶୁଣିଛନ୍ତି । ରାଗରେ ଜଳୁଥିଲେ ନିହାର । ଦମ୍ ଦମ୍ ହୋଇ କ୍ଲିନିକ ବାହାରକୁ ଚାଲି ଯାଇଥିଲେ । ବାଟରେ କେତେ କ'ଣ ଗାଳି ଦେଇଥିଲେ । ନିହାରିକା ନିସ୍ତବ୍ଧ ହୋଇଯାଇଥିଲା, ଯେମିତି ମସ୍ତବଡ ଭୁଲଟିଏ କରିପକାଇଛି । ତଥାପି ସେ ଚାହିଁ ବସିଥିଲା । ତୁ କେବେ ଆସିବୁ ମା'?

ସମସ୍ତ ଯନ୍ତ୍ରଣା,ଅନେକ ପ୍ରତୀକ୍ଷାକୁ ଭେଦକରି ସେ ଆସିଲା । ଶାଶୁଘର ସମସ୍ତଙ୍କର ରକ୍ତ ଯେମିତି ପାଣି ଫାଟି ଯାଇଥିଲା । ନିହାରିକାର ଆନନ୍ଦର ସୀମା ନଥିଲା । ମନେ ମନେ ଖୋଜୁଥିଲା,"ମୋ ଝିଅ କାହିଁ? ମିଳନର ସମୟ ଆସିଲା । ନିହାରିକା ଦେଖୁଥିଲା ଇଏ କିଏ ? ଇଷତ୍ ଗୋଲାପି ଚେହେରା,ପଦ୍ମପାଖୁଡା ପରି ମୁହଁ । ଗୋଲାପି ମୁହଁରେ ଛୋଟ ନାକ, କୁନି ଓଷ୍ଠ, ମୁଦ୍ରିତ ଆଖି । ସୁଢଳ ଶରୀର । କ'ଣ ମା' ଆସିଛନ୍ତି? ନିହାରିକା ଭାବବିହ୍ୱଳ ହୋଇପଡୁଥିଲା । କୋଳରେ ଧରି ମା'ଙ୍କର ଦୁଇପାଦକୁ ମଥାରେ ଲଗାଇଲା । ଓଃ! ଅବର୍ଣ୍ଣନୀୟ ସେ ଅନୁଭବ । ମାତୃତ୍ୱର ପ୍ରଥମସ୍ପର୍ଶ ପୃଥିବୀର ସବୁ ସୁଖ ଠାରୁ ନିଆରା । 

କେତେ ସୌଭାଗ୍ୟ ମୋର ! ମା' ମୋର ମାନ ରଖିଛନ୍ତି । ଝିଅର ଡାକ ନାଁ ରଖିଲା ଲକି । ଝିଅଟିଏ ବିନା ସୃଷ୍ଟି ଅସମ୍ଭବ । ତେଣୁ ଝିଅର ଭଲ ନାଁ ରଖଲା ସୃଷ୍ଟି ।  



Rate this content
Log in

Similar oriya story from Inspirational