ମୁଁ ଫରି କହୁଛି
ମୁଁ ଫରି କହୁଛି
*ମୁଁ ଫରି କହୁଛି*
(କ୍ଷୁଦ୍ର ଗଳ୍ପ)
ଆଜି ପାର୍କ ରେ ଗୋଟେ ମେଳା ଲାଗିଛି। ସେଥିରେ ଅନେକ ପେଟ୍ ସପ ବି ଖୋଲା ଯାଇଛି। ମୁଁ ମୋ ଅତି ପ୍ରିୟ ହୂମାନ୍ ସହିତ ଯାଇଛି। କେତେ ସାଙ୍ଗ ତାଙ୍କର ଆସି ମୋତେ ଗେଲ କରିଦେଇ ଯାଉଛନ୍ତି। ମୋ ମମି ମୋତେ ବହୁତ୍ ସୁନ୍ଦର୍ ଡ୍ରେସ ବି ପିନ୍ଧାଇ ଛାଡିଛନ୍ତି। ଆସିଲା ବେଳେ କହିଲେ ମୋ ପାପା କୁ," ସୁନ୍ଦର୍ ଡ୍ରେସ ସବୁ ବାଛି କି ମୋ ବେବି ପାଇଁ ଆଣିବ। ତାର ସାମ୍ପୁ, ଲୋସନ୍,ଶୁଜ୍,ଆଉ ନେକ ବେଲଟ୍ ଭଲ ଡିଜାଇନ୍ ର ଆଣିବ।"
-- ହଁ ଆଣିବି।
ଆମେ ଖୁବ୍ ମଜାରେ ବୁଲୁଥିଲୁ। ମୋ ହ୍ୟୁମାନ ( ପାପା) ମୋତେ ସବୁ କଥା କହୁଥିଲେ,କଣ ନେବା ପଚାରୁ ଥିଲେ,ମୁଁ ମୋ ଭାଷା ଓ ଶାରୀରିକ ଅଙ୍ଗଭଙ୍ଗି ରେ ତାଙ୍କୁ ବୁଝି ଓ ବୁଝାଇ ଦେଉଥିଲି। ମୋର ଭାଷା ସେ ଖୁବ୍ ବୁଝନ୍ତି। ସେ ମୋର ଠାର କୁ ଖୁବ୍ ସୁନ୍ଦର୍ ଭାବରେ ବୁଝି ମୋର ସବୁ କାମ କରି ଦିଅନ୍ତି।
ହଠାତ୍ ମୋତେ କାହାର ବାସ୍ନା ଆସିଲା,ତାପରେ ପାଦ ଶବ୍ଦ। ଏତେ ଗହଳି ରେ ମୁଁ ଅନୁମାନ କରିନେଲି,ମୋର ପ୍ରଥମ ହୁମାନ ( ମାଲିକ) ସଦାନନ୍ଦ ଦାସ। ବହୁତ୍ ସ୍ନେହ ରେ ମୋତେ ଆଣିଥିଲେ ମୋତେ। ମୋର ମନେ ନାହିଁ ମୁଁ କେବେ ତାଙ୍କ ପାଖକୁ ଆସିଲି। ଶୁଣିଥିଲି ଆଖି ଫିଟିଲା ପରେ ମୁଁ ଭଲ ବ୍ରିଡ୍ ର ବୋଲି ସେ କେଉଁଠୁ କିଣି ଆଣିଥିଲେ। ଅତି ଆଦରରେ ୩/୪ ମାସ ମୋତେ ରଖିଥିଲେ। ତାଙ୍କ ପୁରା ପରିବାର ମୋତେ ବହୁତ୍ ସ୍ନେହ ଆଦର କରନ୍ତି। ତାଙ୍କ ପିଲା ଦୁଇଜଣ ମୋତେ ତାଙ୍କ ସାନ ଭଉଣୀ ବୋଲି କୁହନ୍ତି। ମୋ ପାଇଁ ଅଲଗା ବେଡ୍ ସେ ଆଣିଥିଲେ,ହେଲେ ମୁଁ ମୋ ଭାଇ ଭଉଣୀଙ୍କ ପାଖରେ ଶୋଇବାକୁ ଭଲ ପାଏ। ମମି ତାଙ୍କୁ ରହିଲେ,ଦୌଡ଼ି ଯାଇ ମୁଁ ମମି କୁ ଭୁକେ,ସେ ହସି ଦେଇ କହେ,
" ହଉ ହଉ ଆଉ ମାରିବିନି ତୋ ଭାଇ ଭଉଣୀଙ୍କୁ।"
ସେମାନେ ସ୍କୁଲ ଗଲେ ମୁଁ ମମି ପାପା ଙ୍କ ସହିତ ଖେଳେ,ସେମାନେ ମୋର ସବୁ ଦାୟିତ୍ଵ ନିଅନ୍ତି। କିଏ ଆସିଲେ ମୁଁ ବହୁତ୍ ଜୋରରେ ଭୋକେ,ସେଥିପାଇଁ କିଏ କିଏ ବିରକ୍ତ ହୁଅନ୍ତି।ହେଲେ ମୋତେ ଲାଗେ ,ମୋ ଘରକୁ କେହି ଅଜଣା ବ୍ୟକ୍ତି ନ ଆସନ୍ତୁ। ପାପା କି ମମି ମନା କଲେ ମୁଁ ଚୁପ୍ ହୋଇଯାଇ ତାଙ୍କୁ ଦୂରରୁ ନିରୀକ୍ଷଣ କରିଥାଏ। ଏମିତି ୩/୪ ମାସ ଭଲରେ କଟି ଗଲା। ପାପା ମୋତେ ସକାଳୁ ବୁଲାଇ ନେବା ବେଳେ କିଏ କିଏ କହନ୍ତି,
"ଦାସ ବାବୁ,ୟେ ଗୋଟେ ଅଧିକା କାମ ବଢ଼ିଗଲା ଆପଣଙ୍କର,କୁକୁର ଗୋଟେ ପାଳିବା କଣ ଛୋଟ କଥା!"
- ତାଙ୍କ ଲୋମ ଘର ଦ୍ବାର ସବୁଆଡେ ହେବ। କେତେ ସଫା କରିବା!!
- ୟେ ବିଦେଶୀ ଗୁଡ଼ାଙ୍କ ବହୁତ୍ ମେଣ୍ଟନାନ୍ସ ଖୋଜନ୍ତି। ପଇସା ବହୁତ୍ ଖର୍ଚ୍ଚ
- ସବୁବେଳେ ଭୋକୁଛି,ନିଦ ଭାଙ୍ଗି ଯାଉଛି ତା ପାଟିରେ।- ଏମିତି କେତେ ଟିପ୍ପଣୀ କିଏ କିଏ ଦିଅନ୍ତି।
ମମିଙ୍କ କିଟି ପାର୍ଟି ଥିଲା ସେଦିନ। ବହୁତ୍ ସାଙ୍ଗ ତାଙ୍କର ଆସିଥିଲେ। ତାଙ୍କ ଭିତରୁ ଜଣଙ୍କ ପୁଅ ଘରେ ବୁଲୁ ବୁଲୁ ମୋ ଭାଇର କପବୋର୍ଡ ରୁ କିଛି କାଢି ତା ପକେଟ୍ ରେ ପୁରାଉ ଥିଲା ,ମୁଁ ଭୋକିବା ଷ୍ଟାର୍ଟ କରିଦେଲି। ମୋ ମାଆ ଭାବିଲେ ମୁଁ ତାକୁ କାମୁଡି ଦେବି ବୋଲି,ମୋତେ ନେଇ ଆଉ ଗୋଟେ ଘରେ ପୁରାଇ ଦେଲେ,ବାହାରୁ ବନ୍ଦ କରିଦେଲେ। ମୁଁ ସେଦିନ ପୁରା ଭିତରେ ରହିଲି। ପାପା ସନ୍ଧ୍ୟା ରେ ଆସିଲେ,ମୋତେ କାଢି ବୁଲାଇ ବାକୁ ନେଲେ ଆଉ ଖାଇବାକୁ ଦେଲେ।
ମାଆଙ୍କ ସାଙ୍ଗ ବି କହିଲେ, "ଏ ବ୍ରିଡ୍ ଗୁଡାକ ଖାଲି ଦେଖା ସୁନ୍ଦର,ଭୋକିବେ କିଛି କରି ପାରିବେ ନାହିଁ। ଏମିତି ଗୁଡାକ ରଖି କିଛି ଲାଭ ନାହିଁ !"
ମୋତେ ନେଇ ଅନେକ ଥର ପାପାଙ୍କ ଆଗରେ ଆଲୋଚନା ହୁଏ। ପାପା ଚୁପ୍ ଚାପ୍ ଶୁଣନ୍ତି। ହେଲେ ମୋତେ ବହୁତ୍ ଖୁସି ରେ ରଖନ୍ତି। ମୋ ଭାଇ ଭଉଣୀ ଙ୍କୁ ମୁଁ ଗୋଟେ ସେକେଣ୍ଡ ନ ଦେଖିଲେ ମୋତେ ଭଲ ଲାଗେନାହିଁ। ତାଙ୍କ ପାଖରେ ମୁଁ ଛାଇ ପରି ଥାଏ।ମୋ ଭଉଣୀ କୋଳରେ ମୁଁ ସବୁ ବେଳେ ବସିଥାଏ। ଭାଇ ମୋ ସହିତ ବଲ୍ ଖେଳେ,ପଡ଼ିଆରେ ଦୌଡେ।ବହୁତ୍ ମଜା ଲାଗେ।
ମୋର କେନେଲ୍ ଆଉ ଡିସ ଥିଲେ ବି ମୁଁ ଭାଇ ଭଉଣୀ ଙ୍କ ସହିତ ଖାଏ ଆଉ ଶୁଏ। ମମି ମୋ ପାଇଁ ସୁନ୍ଦର୍ ସୁନ୍ଦର୍ ଡ୍ରେସ୍ ଆଣେ।
ଦିନେ ମମି ମୋ ଉପରେ ରାଗି ଥିଲେ, କାରଣ --ମୁଁ ବାହାରକୁ ଯିବା ପାଇଁ କେତେ ଈଶାରା ଦେଲି।କେହି ଆସିଲେନି ଟାଇମରେ। ମୁଁ ଘର ବାରଣ୍ଡା ରେ ସୁ ସୂ କରି ଦେଲି। କଥା ତ ମୁଁ କହି ପାରିବିନି ନା। ତାଙ୍କୁ କେତେ ଭୋକି ଭୋକି ଡାକିଲି ,ଡେରି କଲେ ଆସିବାକୁ। ମୁଁ ନିଜକୁ ସମ୍ଭାଳି ପାରିଲିନି। କଣ ଆଉ କରିବି!ମୁଁ ବି ରାଗି କି ଶୋଇଲି।ଆଉ ଉଠିଲିନି କି ଖାଇଲିନି। ସମସ୍ତେ ବ୍ୟସ୍ତ ହୋଇ ପଡିଲେ। ମୁଁ ଉଠିଲି ନାହିଁ।
ମମି ଙ୍କ ସାଙ୍ଗ ଆସିଥିଲେ,"କହିଲେ
-ବ୍ରୁସେଲ୍ସ୍ ଗ୍ରିଫନ୍ କୁକୁରମାନେ ତାଙ୍କର ଛୋଟ, ଚାପି ହୋଇଥିବା ମୁହଁ ଏବଂ ଭାବପୂର୍ଣ୍ଣ ଆଖି ପାଇଁ ପରିଚିତ। ସେମାନେ ସ୍ନେହ ଓ ଭଲପାଇବାରେ ଭଲଭାବେ ଫୁଟିଉଠନ୍ତି ଏବଂ ତାଙ୍କର ମାଲିକଙ୍କ ସହିତ ଗଭୀର ସମ୍ପର୍କ ଗଢ଼ି ତୋଳନ୍ତି। ସେମାନେ ବହୁତ ବୁଦ୍ଧିମାନ ଓ ମାନସିକ ଉତ୍ତେଜନାକୁ ଉପଭୋଗ କରନ୍ତି, ଯଦିଓ କେବେ କେବେ ଜିଦି ସ୍ୱଭାବର । ତାକୁ ଗେଲ କର ସେ ଆସିବ,ଆଉ ଖାଇବ"।
ସବୁକିଛି ଠିକ ଠାକ୍ ଚାଲିଥିଲା,ମୋତେ ଗୋଟେ ସୁନ୍ଦର୍ ଘର ପରିବାର ମିଳିଥିଲା। ପାପା ବୁଲାଇ ନିଅନ୍ତି,ତାଙ୍କ ସାଙ୍ଗ ମାନେ କେବେ କେବେ ଈର୍ଷ୍ୟା ପରାୟଣ ହୋଇ କୁହନ୍ତି,୧୩/୧୪ ବର୍ଷ ଏଗୁଡ଼ିକ ବଞ୍ଚିବେ,ହେଲେ କିଛି କାମକୁ ନୁହେଁ,ଦେଖା ସୁନ୍ଦର୍ କଖାରୁ ବଡ଼ି।ସେ ବଡ କୁକୁର ରଖିଲେ ଲାଭ ଅଛି ଠିକ୍ ଭାବରେ ଚୋର ଜାଗିବ। ପାପା ଙ୍କ ମୁଣ୍ଡରେ ପଶିଗଲା ଚୋର ଜଗା କଥା,କଥା କଥାରେ ଘରେ କହିଲେ, ୟାକୁ କାହାକୁ ଦେଇ ଦେବା,ଆଉ ଗୋଟେ ବଡ଼ କୁକୁର ଆଣିବା।
ମୋ ଭାଇ ଭଉଣୀ କହିଲେ,-" ନାହିଁ ପାପା ୟେ ଥାଉ,ଆଉ ଗୋଟେ ଆଣ,ୟାକୁ ବି ରଖିବା।"।
- ମାଆ କହିଲେ, ଦି ଦି ଟା କିଏ ପାଳିବ? କେତେ କାମ ,କେତେ ଖର୍ଚ୍ଚ ଜାଣିଛ ଗୋଟିକ ପିଛାରେ??
ଭାଇ କହିଲା,ଗୋଲ୍ଡେନ ରେଟ୍ରିଭର୍ ଟେ ଆଣିବା,ୟେ ବି ଥାଉ।
ପାପା ମନେ ମନେ କଣ ଭାବୁଥିଲେ କେଜାଣି,ତାପର ଦିନ ବୁଲିବାକୁ ଗଲା ବେଳେ ସକାଳୁ ଚାଲିବାକୁ ଆସିବାକୁ ଆସିଥିବା ସାଙ୍ଗଙ୍କୁ କହିଲେ,- କିଏ ୟାକୁ ନେବ କି,ଆମର ଆଉ ଗୋଟେ ବଡ଼ କୁକୁର ଦରକାର।
ଘରକୁ ମୋତେ ନେଇ କି ଆସିଲେ,କିଛି ଆଉ ଭଲରେ କଥା ହେଲେନି। ମୋତେ ଗେଲ କଲେନି। ମମି କୁ କହିଲେ,ଖାଇବାକୁ ଦେଇ ଦିଅ ତାକୁ,ମୁଁ ଅଫିସ୍ ପାଇଁ ରେଡି ହେବି।
ଦୁଇ ଦିନ ପରେ ଆଲୋକ ବାବୁ ଆସି ବେଲ୍ ମାରିଲେ,ମୁଁ ଭୋକିଲି ଜୋର ରେ। ମମି ମୋତେ ଭିତରକୁ ଟାଣି ନେଲା,କହିଲା,ଚୁପ୍ କର। ଭାରି ଚୋର ଜଗାଳୀ ଟା ତ,ବେଶୀ ପାଟି କରୁଛି।
ବହୁତ୍ କାନ୍ଦିଲି,ଭାଇ ଭଉଣୀଙ୍କୁ ଯାଇ କହିବାକୁ ଚେଷ୍ଟା କଲି, ତାଙ୍କ କୋଳକୁ ଡେଇଁ ପଡି ଗେଲ ହେଲି,ହେଲେ ଡର ବହୁତ୍ ଲାଗୁଥିଲା,ମୋତେ ଘରୁ ବାହାର କଲେ ମୁଁ କେମିତି ଏମାନଙ୍କୁ ଛାଡ଼ି ରହିବି। ଇଚ୍ଛା ହେଉଥିଲା କହିବି, ମାଆ,ମୁଁ ସବୁ କରିବି,ଘର ଦିନ ରାତି ଜଗିବି,ମୋତେ ଏଇଠି ରହିବାକୁ ଦେ, ମାଆ।
କେହି ମୋ କଥା ବୁଝି ପାରୁନଥିଲେ।
ଆଲୋକ ବାବୁ ସୋଫା ରେ ବସି ଥିଲେ,ପାପା ଆସିଲେ।
-- ଆପଣ କୁକୁରକୁ ବିକିବେ,ନା ସେମିତି ଦେଇ ଦେବେ?
-- ପାପା କହିଲେ,ନାହିଁ ଆଜ୍ଞା ଆମେ ବି କିଣି କି ଆଣିଥିଲୁ,ଆପଣ ସେତିକି ପଇସା ଦେଲେ ଆମେ ଦେଇ ଦେବୁ।
-- ହଉ ,ମୁଁ ଏବେ ଦେଇ ଦେଉଛି। ଏବେ ତାକୁ ଆପଣ ଦେବେ କି??
-- ହଁ ନେଲେ ଚଳିବ। ଆମେ ଟିକେ ବଡ଼ କୁକୁର ଖୋଜୁଛୁ ତ, ସେଥିପାଇଁ।
ମୁଁ ବହୁତ୍ କାନ୍ଦୁଥିଲି, ମାଆ ପାଖକୁ ରୋଷେଇ ଘରକୁ ଗଲି , ମାଆ ମୋତେ ଗୋଟେ ବିସ୍କୁଟ ଦେଲେ,ତଳେ ପଡ଼ିଗଲା,ଉଠାଇ କି ଖାଇବାକୁ ଇଚ୍ଛା ହେଲାନି। ପାପାଙ୍କ ପାଦ ତଳେ ବସିଲି।
ଲାଞ୍ଜ ହଲାଇ ହଲାଇ କେତେ ବିନତି କଲି,ମୋତେ ରଖିବାକୁ। ପାପା ଆଲୋକ ବାବୁ ସହିତ କଥା ବାର୍ତ୍ତା ହେଉଥିଲେ। ମୋର ଦାମ୍ ଛିଣ୍ଡାଇ ମୋତେ ନେଇ ଯିବାକୁ କହିଲେ।
ମୋ ଭିତରେ ଭୟ, ଆଶଙ୍କା। କଣ ମୋର ଭବିଷ୍ୟତ ହେବ। କିଏ ମୋତେ କିପରି ରଖିବେ। ମୋତେ ସ୍ନେହ ଟିକେ ଦରକାର ଥିଲା। କଣ କରିବି,ଘର ଭିତରକୁ ଯାଇ ଖଟ ତଳେ ଲୁଚି ଗଲି। ଭାଇ ଆସିଲା,ମୋତେ ଗେଲ କଲା,ମୁଁ ଭାବିଲି,ଭାଇ ଜିଦି କରି ମୋତେ ରଖିବ,କିନ୍ତୁ ସେ ମୋତେ ଆଲୋକ ବାବୁଙ୍କ କୋଳରେ ବସେଇ ଦେଲା,କହିଲା,"ସେ ଦୁଷ୍ଟ ନୁହେଁ ଆଜ୍ଞା, ଅଚିହ୍ନା ବାରୁଛି। ଟିକେ ହ୍ୟାନ୍ଡେଲ କରିବେ।"
ମୁଁ ଛାଟି ପିଟି ହୋଇ ତଳକୁ ଡେଇଁ ପଡ଼ିଲି,ପୁଣି ସେ ମୋତେ ଧରି ପକାଇଲେ, ମାଆକୁ ,ଭଉଣୀଙ୍କୁ ପାପାଙ୍କୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇ ଅନେଇଲି। କେହି ରଖିବାକୁ କହିଲେନି। ବଡ଼ ଆଶା ରେ ଦେଖିଲି ତାଙ୍କୁ,ହେଲେ ସେ ମୋତେ ପର କରିଦେଲେ। ମୋ ଆଖିରୁ ଲୁହ ବୋହି ଯାଉଥିଲା। ଆଲୋକ ବାବୁ ମୋର ପାପା ହୋଇ ମୋତେ ଗାଡ଼ି ରେ ବସାଇ ନେଇ ଗଲେ ତାଙ୍କ ଘରକୁ। ପାଖରେ ରୁହନ୍ତି,ତେଣୁ ଘରେ ପହଞ୍ଚି ଗଲୁ,ମୋ ଏବେକାର ମାଆ,ସେତେବେଳେ ମୋତେ ଫୁଲ ଚନ୍ଦନ ଲଗାଇ କୋଳାଇ ନେଇ ଭିତରକୁ ଗଲେ। ମୋତେ ବହୁତ୍ ଅଚିହ୍ନା ଲାଗୁଥାଏ,କାନ୍ଦି କାନ୍ଦି ତାଙ୍କ ସୋଫା ତଳେ ଶୋଇ ଗଲି।
ମୋର ସୁନ୍ଦର୍ ବଡ଼ ବଡ଼ ଲୋମ ଦେଖି ନୂଆ ମମି ମୋତେ ଫରୀ( Furry )ବୋଲି ଡାକିଲେ। ମୋ ପାଇଁ ଡ୍ରେସ,ଜୋତା,ନୂଆ ବେଡ୍, କେନେଲ ସବୁ ଆଣିଥିଲେ। ଖାଇବାକୁ ଦେଲେ,ବୁଲାଇ ନେଲେ ସେଇ ପାର୍କ କୁ ଯୋଉଥିକୁ ମୋ ଆଗ ପାପା ମୋତେ ନେଇ ଆସନ୍ତି। ସବୁ ମନେ ପଡ଼ିଲା,ମୋ ପରିବାର ମାନେ ପଡିଲେ,ହେଲେ ସେମାନେ ସେଇ ଦିନ ଯାଇ ନୂଆ କୁକୁର ନେଇ ଆସିଲେ।
ଏବେ ମୋର ପୁରୁଣା ପାପାଙ୍କୁ ଦେଖିଲି,ହେଲେ କିଛି ଆଉ ଭାବିଲିନି,ସମସ୍ତେ ନିଜର ଦରକାର ଅନୁଯାୟୀ କାମ କରନ୍ତି।ମୁଁ ଏବେ ତାଙ୍କୁ ଅଦରକାରୀ ଲାଗିଲି, ସେଥିପାଇଁ ମୋତେ ସେ ଅନ୍ୟ କୁ ଦେଇଦେଲେ। କିନ୍ତୁ ମୋ ପାପା ଆଲୋକ ବାବୁ ବହୁତ୍ ଭଲ। ତାଙ୍କର ଏବେ ପିଲା ହେବ। ସେଥିପାଇଁ ମୋତେ ତାଙ୍କର ପ୍ରଥମ ପିଲା କରି ନେଲେ। ମୁଁ ବି ଅପେକ୍ଷା କରିଛି ମୋର ଛୋଟ ଭାଇ କି ଭଉଣୀ ଆସିଲେ ମୋର ସବୁ ସ୍ନେହ ଆଉ ନିଷ୍ଠା ସହିତ ଚିର କାଳ ତାଙ୍କ ବିଶ୍ୱାସ ଭାଜନ ହୋଇ ରହିବି।
--------------------------------
© ଅଳକା ମହାନ୍ତି
ଭୁବନେଶ୍ୱର
