Alka Mohanty

Tragedy Classics

4.6  

Alka Mohanty

Tragedy Classics

ପ୍ରତୀକ୍ଷା

ପ୍ରତୀକ୍ଷା

4 mins
331



ସମୟ ପ୍ରାୟ ଦିବା ୩:୩୦ ହେବ। ମୁଁ ସେଦିନ କିଛି କାମ ସଂପାଦନ ଦାୟିତ୍ବ ନେଇ ତର ତର ହୋଇ ଆଇ ଆର ସି ଭିଲେଜ ର ଲେନ୍ ୫ ରେ ପହଞ୍ଚି ମୋର ସମ୍ପର୍କୀୟ ଲୋକଙ୍କ ଘରକୁ ଯିବାକୁ କଲିଙ୍ଗ ବେଲ୍ ବଜେଇଲି। ବୋଧହୁଏ ମୋର ବେଲ୍ ଟିକୁ ବଜାଇବା ଭୁଲ ହୋଇଯାଉଥିଲା କି କଣ। ମୋର ସମ୍ପର୍କୀୟା ଜଣକ ଗେଟ ଖୋଲିବାକୁ ଡେରି କରୁଥିଲେ। ମୁଁ ପୁଣି ଦୁଇଟା ବେଲ୍ ରୁ ଗୋଟେ ନ ବଜାଇ ଦୁଇଟି ଯାକ ବଜାଇ ବାକୁ ଯିବା ବେଳକୁ ,ଶୁଣିଲି 

ତୁମେ ତୁମ ମାସ୍କ ଖୋଲ ତ। ମୁଁ ତୁମକୁ ଦେଖିବି।


ମୁଁ ଅନ୍ୟ ମନସ୍କ ଥିଲି ,ପୁଣି ସେଇ କଥା ଶୁଣି ପାରିଲି। ଦେଖିଲି ସାମ୍ନା ଘର ବାଲକୋନୀ ରୁ ଗୋଟେ ଅର୍ଦ୍ଧ ଲଗ୍ନ ଝିଅ ଟେ। ବୟସ ୪/୫ ବର୍ଷ ହେବ।ଲାଲ ରଙ୍ଗ ର ଛୋଟ ଚଡି ଟିଏ ପିନ୍ଧି ବାଲକୋନୀ ଗ୍ରିଲ ଭିତରୁ ଯଥା ସମ୍ଭବ ମୁହଁ ଟି କାଢି ମୋତେ ଅତି ଜିଜ୍ଞାଶୁ ହୋଇ ଦେଖି ଚାଲିବା ସହିତ ମୋତେ ମାସ୍କ୍ ଖୋଲିବାକୁ କହି ଚାଲିଛି। ମୁଁ ଇଆଡ଼େ ସିଆଡେ ମୁଣ୍ଡ ଘୁରାଇ ଖୋଜୁଥିଲି ୟେ ଶବଦ୍ କେଉଁଠୁ ଆସୁଛି ବୋଲି। ହଠାତ୍ ତାକୁ ଦେଖି ଦେବା ବେଳେ ମୋର ସମ୍ପର୍କୀୟା ଗେଟ ଖୋଲି ସାରିଥିଲେ ଓ ମୁଁ ଟିକେ ବ୍ୟସ୍ତତା ଭିତରେ ଥିବାରୁ ସେ ଛୋଟ ଝିଅ ଟିକୁ ଉତ୍ତର ନଦେଇ ଭିତରକୁ ଚାଲିଗଲି।


ମୁଁ ମୋର କାମ ସାରି ବାକୁ ପ୍ରାୟ ଘଣ୍ଟେ ଦି ଘଣ୍ଟା ସେଇଠି ଲାଗିଗଲା। ମୁଁ ମୋ ବନ୍ଧୁ ଘରୁ ବିଦାୟ ନେଇ ପୁଣି ପ୍ରାୟ ସନ୍ଧ୍ୟା ୫ଟା ବେଳେ ତଳକୁ ଓଲା କ୍ୟାବ୍ ଡାକି ଆସିଲି। କ୍ୟାବ କୁ ଅପେକ୍ଷା କରୁ କରୁ ମୁଁ ଆଉ ମୋର ସମ୍ପର୍କୀୟ ଲୋକ ମିଶି କଥା ହେଉଥିଲୁ। ପୁଣି ମୋତେ ସେଇ ଆୱାଜ୍ ଆସିଲା,

-" ତୁମେ ତୁମ ମାସ୍କ ଖୋଲ ,ମୋତେ ତୁମ ମୁହଁ ଦେଖା ଯାଉନି।"

-- " ଆରେ ମା, କରୋନା ରେ ପରା ମାକ୍ସ ଖୋଲିବା ମନା,କେମିତି ଖୋଲିବି? ମୁଁ ତାକୁ ମଜାରେ ଉତ୍ତର ଦେଲି।

--"ତୁମ ମୁହଁ ମୁଁ ଦେଖି ପାରୁନି,ଖୋଲ!

--" ମୋ ମୁହଁ ଦେଖି ତୁମେ କଣ କରିବ?"

--" ତୁମେ ଖୋଲ ନା"( ସେ ବହୁତ୍ ଆଗ୍ରହ ର ସହିତ କହୁଥିଲା

ମୋତେ ).


ମୁଁ ଏମିତି ଗୋଟେ ଛୁଆ କଣ କହୁଛି ବୋଲି ମୁଁ ଧ୍ୟାନ ଦେଉ ନଥାଏ। ମଝିରେ ମଝିରେ ଏମିତି ନାସ୍ତିବାଚକ୍ କଥା କହି ତାର ମନ ବେହେଲାଇ ଦେଉଥାଏ। କିନ୍ତୁ ସେ ମୋତେ ସେଇ ଗୋଟିଏ ଅନୁରୋଧ କରି ଚାଲିଥାଏ।


ଟିକିଏ ପରେ ତାଙ୍କ ଘର ଭିତରୁ ଜଣେ ବୃଦ୍ଧା ଆସିଲେ,ତାକୁ ଭିତରକୁ ନେଇ ଯିବାକୁ। ମୋତେ କହିଲେ,

-"ଝିଅ ,ସେ ଛୁଆଟେ , ତା କଥା କିଛି ଖରାପ ଭାବିବନି,ସେ ସେମିତି ଯାହାକୁ ଦେଖୁଛି କହି ଦେଉଛି।


-- ମୁଁ କହିଲି,"ମାଉସୀ,ସେଥିରେ କଣ ଅଛି? ପିଲାମାନେ କେତେ କଣ କରନ୍ତି ଛୁଆ ବେଳେ। ତାର ଏମିତି କିଛି କହିବା କରିବା କିଛି ଅସ୍ବାଭାବିକ ନୁହେଁ। ମୁଁ ଖରାପ କାହିଁକି ଭାବିବି। "


- ମାଉସୀ କହିଲେ,ସେ ତିନିଟା ବେଳୁ ଏଇଠି ଠିଆ ହୋଇଛି।କହୁଛି,ସେ ସାମ୍ନା ଘରକୁ ମମି ଯାଇଛି। ତାକୁ ଡାକ ଆମ ଘରକୁ। ସେ ମାସ୍କ ବି ଖୋଲୁନି। 


ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ମୋତେ ମମି କଣପାଇଁ କହିବ ଯେ!!

କାହିଁକି ମାଉସୀ, ମୋତେ କାହିଁକି ମମି କହିବ ? ଘରେ ତାର ମମି ନାହାନ୍ତି କି? କୁଆଡେ ଯାଇଛନ୍ତି?


ମାଉସୀ ମୋତେ କିଛି ନ କହି ଛୋଟ ଝିଅ କୁ ଟାଣି ଟାଣି ଭିତରକୁ ନେଇ ଗଲେ। ଆଉ ବାଲକୋନୀ କବାଟ ବନ୍ଦ କରିଦେଲେ।

ଭାବିଲି,ପିଲାମାନେ ଏମିତି ବିନା କାରଣରେ ଆଗନ୍ତୁକ ଙ୍କ ସହିତ କଥା ନ ହେବା ପାଇଁ ବୋଧହୁଏ ସେ ମାଉସୀ ତାକୁ ସେଥିରୁ କ୍ଷାନ୍ତ କରାଇଲେ।

ମୁଁ ହସିଦେଲି,

ହେଲେ ମୋ ସମର୍କୀୟ ଙ୍କ ମଧ୍ୟରୁ ଜଣେ କହିଲେ,

ସେ ସମସ୍ତଙ୍କୁ କୁହେନି,ତାର ନିରୀହ ଚକ୍ଷୁ ଯୁଗଳ ସର୍ବଦା ତାର ମାଆ କୁ ଅପେକ୍ଷା କରୁଛନ୍ତି। ଯେତେେଳେ କିଏ ୟେ ଲେନ କୁ ସଲୱାର୍ କମୀଜ ପିନ୍ଧି, ମାସ୍କ ଲଗାଇଥିବା ଅଳ୍ପ ବୟସ୍କା ମହିଳା ଆସନ୍ତି ସେ ତାଙ୍କୁ ମାସ୍କ ଖୋଲିବାକୁ ଅନୁରୋଧ କରେ। ଗତ ଛ ମାସ ତଳେ ତାର ମାଆ କୁ କରୋନା ହୋଇଥିଲା,ସେ ବି ସଲୱାର୍ କମୀଜ୍ ପିନ୍ଧି ମାସ୍କ ଲଗାଇ ହସ୍ପିଟାଲ୍ ଗଲା ଆଉ ସେଇଠି ମୃତ୍ୟୁ ବରଣ କରିଥିଲା। କରୋନା ରୋଗୀ ଙ୍କର ତ ଏହି ହାଲ୍। ଘରକୁ ଆଉ ଫେରିନି କି ତାକୁ ସେ କୁନି ଝିଅ ଦେଖିନି। ସେ ସବୁଦିନ ଏଇଠି ଠିଆ ହୋଇ ଯେତେ କାର ଆସୁଛି ବା ସେମିତି ଡ୍ରେସ ରେ କିଏ ଆସୁଛି ସେ ଜିଜ୍ଞାସୁ ହୋଇ ତାଙ୍କୁ ସେମିତି ପଚାରି ଚାଲିଛି। ତାର କୋମଳ ମନ ଟି ଖାଲି ତାର ମମି କୁ ଖୋଜୁଛି।କିଏ ଆଣି ଦେବ ତାକୁ!! ସେ ବୃଦ୍ଧ ମହିଳା ତାର ଆଇ। ପାଖରେ ରହି ତାର ଦେଖା ଶୁଣା କରୁଛନ୍ତି।କଣ ଆଉ କହିଥାନ୍ତେ ସେ। ସେଥିପାଇଁ ଭିତରକୁ ନେଇଗଲେ।"


ମୋର କାର ଆସିଯାଇଥାଏ। ମୋତେ ବି ବିଳମ୍ବ କରିବାକୁ ଉପାୟ ନଥାଏ। ଭିତରେ ବସିବାକୁ ମୋର ମନ ହେଉ ନଥାଏ। ମୋତେ ମନୋଜ ଦାସ ସାର ଙ୍କର "ଶେଷ ବସନ୍ତ ର ଚିଠି "ର ରିନା ର ମୁହଁ ଦେଖାଯାଉଥିଲା। ମୋର ମାତୃ ହୃଦୟ ସେ ଉଦାସ ମତୃହରା ଅର୍ଦ୍ଧ ଲଗ୍ନ , ନାଲି ଚଡି ପିନ୍ଧା ଝିଅ କୁ ଛାଡ଼ି ଯିବାକୁ ଇଚ୍ଛା ହେଉ ନଥିଲା। ମୁଁ ମଧ୍ୟ ବାଳୁତ କାଳରୁ ମାଆ କୁ ହରାଇ ଥିଲି। ତା ପରି ଶାଢ଼ୀ, ତା ପରି ଅର୍ଦ୍ଧ ପକ୍ବ କେଶ ରେ ସିନ୍ଦୂର,ବଡ଼ ବଡ଼ ଆଖି ଦେଖିଲେ ମୋତେ ମୋର ବୋଉ ମନେ ପଡ଼ିଯାଉଥିଲା। ମୋର ମଧ୍ଯ ମୋ ମାଆ କୁ ଅପେକ୍ଷା କରିବାର ଆଜି କୁ ୪୫ବର୍ଷ ହୋଇ ଗଲାଣି। ସମସ୍ତଙ୍କ ମୁହଁ କୁ ଚାହିଁଲେ ,ଲାଗେ ପଚାରିବାକୁ ଇଚ୍ଛା ହୁଏ,"ତୁମେ ମୋ ମାଆ କୁ କୋଉଠି ଦେଖିଛ କି? କୋଉଠି ଅଛି କହିବକି ?" ସେ ଯେ ଅଫେରା ରାଇଜ କୁ ଯାଇଛି, ସେ କଥା ଗ୍ରହଣ ମୋ ମନ କରିପାରୁନି। ହୁଏତ ମୋ ପ୍ରତୀକ୍ଷା ର ଅନ୍ତ ନାହିଁ। ମୋ ମନଭିତର ର ଝିଅ ଆଉ ମାଆ ଦୁହେଁ ବସି ବିଳାପ କରିବାକୁ ଲାଗିଲେ। ଚଳନ୍ତା କାର୍ ରୁ ଓହ୍ଲେଇ ଆସି ସେ କୁନି ଝିଅ କୁ କୋଳେଇ ଆଣି ମୋ ହୃଦୟ ରେ ଲଗାଇ ଦେବାକୁ ମନ କରୁଥିଲା। ଅଜ୍ଞାତ ରେ ଅନେକ ଲୁହ ମୋର ବୁକୁ ଦେଇ ଗଡି ପଡିଲେ ମୁଁ ଜାଣିନି,ହେଲେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଡ଼୍ରାଇଭର ମୋତେ ଓହ୍ଲାଇବାକୁ କହିବାରୁ ମୋର ହୋସ ଆସିଲା ଯେମିତି। ହେଲେ ମୋର ହୃଦୟ ଆଉ ମୋ ମନ ସେ କୁନି ଝିଅ ପାଖରେ ।



Rate this content
Log in

Similar oriya story from Tragedy