ଲୋକ କଣ କହିବେ??
ଲୋକ କଣ କହିବେ??


ହଠାତ୍ ଅଫିସରୁ ଫେରୁ ଫେରୁ ଖୁସିର ସ୍କୁଟିଟି ପଙ୍କଚର୍ ହୋଇ ଗଲା । ଆରେ ଏ କଣ ହେଲା !! କେମିତି ଯିବ ସେ ଘରକୁ । ନୂଆ କରି ଜୟେନ୍ କରିଛି ଅଫିସରେ । ବାପାଙ୍କ ଅଫିସ ଠାରୁ ଖୁସିର ଅଫିସ ପ୍ରାୟ ୧୫ କିଲୋମିଟର । ତେଣୁ ସେ ଏକା ସ୍କୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଏପରି ପରିସ୍ଥିତି କେବେ ଆସିଯିବ ସେ ଭାବି ନଥିଲା । ସେ ଯାହା ହେଉ ଚୁପଚାପ୍ ଓହ୍ଲାଇଲା, ବାପାଙ୍କୁ ଫୋନ୍ କଲା ।
- ବାପା ଗୋଟେ ମେକାନିକ ନେଇ କି ଆସ, ମୁଁ ବାଟରେ ଅପେକ୍ଷା କରିଛି ।
- ଠିକ୍ ଅଛି, ହେଲେ ତୁ ଏତେ ରାତିରେ ଏକା କେମିତି କଣ ଅପେକ୍ଷା କରିବୁ କହିଲୁ ।
- ବାପା ଟିକେ ଦୂରରୁ ମୋତେ ଟୋଲ ଗେଟ ଦେଖା ଯାଉଛି । କିଛି ଅସୁବିଧା ନାହିଁ । ଏ ପରା ମେନ୍ ରୋଡଟା । ତୁମେ ତ ଡ଼୍ରାଇଭରକୁ ଛାଡ଼ିଦେଇଥିବ, ନିଜେ ଡ୍ରାଇଭ୍ କରି ଆଉ ଗୋଟେ ମେକାନିକ ନେଇ ଜଲଦି ଆସ । ମୁଁ ବି ମୋର ଯଦି କୋଉ ସାଙ୍ଗ ଅଫିସରୁ ନଯାଇ ଥିବେ ତାଙ୍କୁ ଫୋନ୍ କରି ଦେଖୁଛି । ଯଦି କେହି ଆସିଲେ ଭଲ ହେବ । ହଉ, ମୁଁ ତୁମକୁ ଅପେକ୍ଷା କଲି, ଆସ!
ଖୁସିର ପିତା ନିର୍ମଳ ବାବୁ ତୁରନ୍ତ ଗାଡ଼ି ଧରି ବାହାରିଲେ ଖୁସି ପାଖକୁ । ପାଖରେ ଥିବା ସର୍ଭିସ ସେଣ୍ଟରକୁ କଲ କରିଦେଲେ ମେକନିକ ପାଇଁ । ସେ ବି ଜଲଦି ଜଲଦି ନିକଟତର ମେକାନିକକୁ କହି ଖୁସି ଥିବା ସ୍ଥାନରେ ପହଞ୍ଚିବାକୁ କହିଲା । ହେଲେ ସେଇଠି ପହଞ୍ଚିବାକୁ ଘଣ୍ଟାଏ ଲାଗିବ ବୋଲି ସେ କହିଲା । ୨୦/୨୨ କିଲୋମିଟର ହେବ । ମୁମ୍ୱାଇ/ ପୁନେରେ ଲୋକ ବହୁତ୍ ଦୂର ଦୂଦୂରାନ୍ତରୁ ଟ୍ରାଭେଲ କରନ୍ତି । ତେଣୁ ସେମିତି ଡରିବାର କିଛି ନାହିଁ । ରାସ୍ତା ବି ଗହଳି ଥାଏ ।
ଅଚାନକ ଖୁସିର ସାଙ୍ଗ ବିବେକ ଆସିଗଲା । ବୋଧହୁଏ ସେ ଅଫିସରୁ ଲେଟରେ ଆସୁଛି ଆଜି ।
- ଖୁସି, ତୁ ଏଇଠି କାହିଁକି ଅଟକିଛୁ? କାହାକୁ ଅପେକ୍ଷା କରିଛୁକି?
- ନା ରେ, ମୋର ସ୍କୁଟି ଖରାପ ହୋଇଗଲା ।
- କାହାକୁ ଫୋନ କଲୁଣି??
- ହଁ, ଏବେ ବାପା ଆଉ ମେକାନିକ ଆସିବେ ।
- ଆଚ୍ଛା, ତୁ ତ ଏବେ ମୋ ସହିତ ସ୍କୁଟିକୁ ଛାଡି ଯାଇପାରିବୁନି । ମୁଁ ବି ଯାଉଛି ଘରକୁ । ଟେକ୍ କେୟର!
- ଥାଙ୍କ ୟୁ ବିବେକ!
ପୁଣି ଖୁସିର ଫୋନ୍ ବାପାଙ୍କୁ,
-'କୋଉଠି ହେଲ ବାପା, ସେ ଲୋକ ବି ପହଞ୍ଚି ନାହିଁ!'
- ଆରେ ମାଆ, ଏତେ ବାଟ, ତାକୁ ତ ଅଧ ଘଣ୍ଟା ନିଶ୍ଚୟ ଲାଗିବ । ତୁ ଟିକେ ଧୈର୍ଯ୍ୟ ଧରି ଅପେକ୍ଷା କର ।
ଟିକେ ପରେ ଖୁସି ଦେଖିଲା, ପଡୋଶୀ ଘର ଅଙ୍କଲ୍ ତାଙ୍କ କାରଟିକୁ ତା ସାମ୍ନାରେ ଅଟକାଇଲେ, କହିଲେ, " ଖୁସି ଏତେ ରାତିରେ ମଝି ରାସ୍ତାରେ କାହିଁକି ଠିଆ ହୋଇଛୁ??
ସେଇ ଉତ୍ତର ଦେଲା ତାଙ୍କୁ ଖୁସି, କହିଲା ବାପାଙ୍କୁ ଅପେକ୍ଷା କରିଛି ଆଉ ସ୍କୁଟି ଛାଡ଼ି ଯାଇ ପାରିବିନି ।
- ଓହୋ, ତାହେଲେ ମୁଁ ଯାଉଛି ।
- ଓ.କେ. ଅଙ୍କଲ, ଥାଙ୍କ ୟୁ!
ଟିକେ ପରେ ମେକାନିକଟି ଆସି ପହଞ୍ଚିଗଲା । ଖୁସି ଠାରୁ ଚାବି ନେଇ ଚକଟିକୁ ଖୋଲି, ପାଖରେ ଥିବା ଦୋକାନକୁ ନେଇଗଲା । ଠିକ୍ କରି ଆଣିଲେ, ଲଗାଇବ ବୋଲି କହି ସେ ବି ଚାଲିଗଲା ।
ଖୁସିର ଭାବମୂର୍ତ୍ତି ଅନେକ ବାଟୋଇଙ୍କ ଧ୍ୟାନ ଆକର୍ଷଣ କରୁଛି । ଦୁଇ ଜଣ କିନ୍ନର ତାକୁ କଣ ଭାବି ଇସାରା ଦେବାକୁ ଲାଗିଲେ । ଖୁସି ପୋଲିସକୁ ଫୋନ୍ କରିବି କହିଲା, ସେମାନେ ସେ ଜାଗା ଛାଡି ଚାଲିଗଲେ ।
ଖୁସି ଦେଖୁଥିଲା, ଗୋଟେ ଦମ୍ପତ୍ତି ଦୂରରୁ ଅନେକ ସମୟ ତାକୁ ଦେଖିଲେ, କିଛି ନକହି ଚାଲିଗଲେ । ତଥାପି ବାପା ଆସି ନଥାନ୍ତି କି ଚକା ଠିକ୍ ହୋଇନି ବୋଲି ମନ ଦୁଃଖରେ ଠିଆ ହୋଇଛି । ଏମିତି -ସେମିତି ମାଆଙ୍କୁ, ବାପାଙ୍କୁ, ସାଙ୍ଗଙ୍କୁ ଫୋନ୍ ଲଗାଇ କଥା ହେଉଛି ।
ଟିକେ ସମୟ ପରେ ଦୁଇଟି ସମ ବୟସ୍କ ତରୁଣୀ ଆସିଲେ, ଖୁସିକୁ କଲ୍ ଗର୍ଲ ଭାବି ବନ୍ଧୁତାର ହାତ ବଢାଇଲେ । କହିଲେ ଆମେ, ବି ଗରାଖଙ୍କ ଅପେକ୍ଷାରେ । ଏବେ ଆମ ମାଲିକ ଗାଡ଼ି ପାଠାଇବ । ଆମେ ଯିବୁ । ତୁମ ନମ୍ବର ଦିଅ । ଆମେ ସେଟିଂ କରିଦେବୁ । ଖୁସି ସମସ୍ତ ବୃତ୍ତାନ୍ତ କହିଲା । ତାଙ୍କୁ ବିଦାୟ ଦେଲା ।
ତାର ମନ ଭୟ ଆଉ ଆଶଙ୍କାରେ ଭରି ଯାଇଥାଏ । ବିଭିନ୍ନ ଲୋକଙ୍କ ଠାରୁ ବିଭିନ୍ନ ପ୍ରକାରର ସହାୟତାର ହାତ ତା ଆଡକୁ ବଢ଼ି ଆସୁଛି । ହେଲେ ବାପା ଆସି ନାହାନ୍ତି ।
ମାଆଙ୍କ ସହିତ ଫୋନରେ କଥା ହେଉଛି । ଭୋକ, ଶୋଷ ଆଉ ଆଶଙ୍କାରେ ତାର ମନ ଅଥୟ ହୋଇ ପଡ଼ିଲାଣି । ମେକାନିକ୍ ନେଇକି ଆ
ସିଲା, ଚକା ଲଗାଇଲା । ସ୍କୁଟି ନେଇ ଘରେ ପହଞ୍ଚି ଯିବ ବୋଲି କହି ଖୁସି ଠାରୁ ବିଦାୟ ନେଲା ।
ଅନେକ ଲୋକ ତାକୁ ବିଭିନ୍ନ ପ୍ରକାର ଚାହାଣିରେ ଦେଖି ଚାଲିଥାନ୍ତି । ଶେଷରେ ଖୁସିର ବାପା ଗାଡ଼ି ଧରି ପହଞ୍ଚିଲେ ।
ମାଆରେ, ତୁ ଜାଣିଛୁ! ମୁଁ ରାତିରେ ଗାଡ଼ି ଚଲାଇ ପାରେନା । ବହୁତ୍ କଷ୍ଟରେ ଆସିଲି ଡ଼୍ରାଇଭର ତ ଗଲାଣି ଭାରି ନା ।
- ହଉ ଚାଲ ବାପା, ଭୋକ ବି ଲାଗିଲାଣି ।
ଧିରେ ଧିରେ ଯାଇ ଦୁହେଁ ଘରେ ପହଞ୍ଚିଲେ ।
ମାଆ କହିଲେ, ଖୁସି ! ତୁ କହ କେଉଁ ପୁଅ ସହିତ କଥା ହେଉ ଥିଲୁ କି ରାସ୍ତାରେ??
- କାହିଁକି? କିଏ କହିଲା??
- ପଡିଶା ଘର ଆଣ୍ଟି, କହିଲେ ଖୁସି କଣ ଘରକୁ ନ ଆସି ରାତିରେ ରାସ୍ତାରେ ଠିଆ ହୋଇ ଗପ କରୁଛି ।
- ଆଉ କାହା କଥା କହୁଥିଲେ କି??
- ନା ସେ ନୁହେଁ, ତୋ ସାଙ୍ଗ କୁନିର ମାଆ ବି ଫୋନ୍ କରିଥିଲେ, କହିଲେ ଦି ଟା ଅଲଟ୍ରା ମଡର୍ଣ୍ଣ ଝିଅ ସହିତ ଖୁସି ଏତେ ରାତିରେ କାହିଁକି ଗପୁଥିଲା??
ହସି ହସି ଗଡି ଗଲା ଖୁସି । କହିଲା, ମାଆ କାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କର । ଆହୁରି ଖବର ଆସିବ ।
ସତରେ, ସକାଳୁ ମର୍ଣ୍ଣିଂୱାକରେ ଦେଖା ହେଲେ ଅଙ୍କଲ । କହିଲେ, ନିର୍ମଳ ବାବୁ, ଖୁସିକୁ କାଲି ଦେଖିଲି ଏକା ଥିଲା, ଝିଅଟେ । ତାକୁ ଏକୁଟିଆ ଆଉ ଛାଡନ୍ତୁନି । ରାତି କଥା । କଣ ହେବ କହି ହେବନି ।
ପଡିଶା ଘର ମାଉସୀ ବି ଵ୍ୟସ୍ତ, " ନିର୍ମଳ ବାବୁ, ଝିଅକୁ ଏକୁଟିଆ ଅଫିସ ଛାଡ଼ନ୍ତୁ ନାହିଁ । ଆମେ ଦେଖିଲୁ ସେ କିନ୍ନରଙ୍କ ହାବୁଡ଼ରେ ପଡ଼ିଥିଲା ।
ମାଆ, ଖୁସିକୁ କହିଲେ, ତାହେଲେ କାଲିଠାରୁ ବାପା ସକାଳୁ ଜଲଦି ବାହାରିବେ, ତୋତେ ଆଗ ଅଫିସରେ ଛାଡ଼ିବେ, ତାପରେ ସେ ତାଙ୍କ ଅଫିସ ଯିବେ । ହେଲା!! କାଲିଠାରୁ ସ୍କୁଟି ଚଳାଇବା ବନ୍ଦ ।
- କଣ ସ୍କୁଟି ସବୁ ଦିନ ଖରାପ ହେବ ନା କଣ? ଆକ୍ସିଡେଣ୍ଟକୁ ଡରି ସମସ୍ତେ କଣ ଗାଡ଼ି ଚଲେଇବା ଛାଡ଼ି ଦେବେ ନା କଣ??
କାହିଁକି ମାଆ?? ସମସ୍ତଙ୍କର ଗାଡ଼ି ଖରାପ ହେବ/ ହୁଏ ମଧ୍ୟ । ବାପା ଫାଲତୁଟାରେ ଜଲଦି ଉଠି ମୋ ପାଇଁ ଏତେ କଷ୍ଟ କରିବେ । ତାଙ୍କୁ ତାଙ୍କ ସମୟରେ ଯିବାକୁ ଦିଅ ମାଆ । ମୋତେ ବି ମୋ ସମୟରେ ଯିବା ଆସିବା କରିବାକୁ ଦିଅ । ଏତେ ନିର୍ଭରଶୀଳ ହେଲେ ମୁଁ ବଡ଼ ବି ହୋଇ ପାରିବିନି । ସେମିତି ତୁମ ଛୋଟ ଝିଅ ହୋଇ ରହିବି ।
- ନାହିଁ ନାହିଁ, ଏତେ ବାଟ ଯିବା ଆସିବା କରିବାରୁ ଏପରି ଅସୁବିଧା ହେଉଛି । ଏ ଲୋକ ବି ସବୁ କେତେ କଥା କହୁଛନ୍ତି ।
ତୁ ବାପାଙ୍କ ସହିତ ଯାଆ ଆଉ ଆସେ ।
ଏମିତି ଚାଲିଲା ଦିନସାରା । ଖୁସି ଜାଣିଥିଲା, ମଣିଷ ତାଙ୍କ ନିଜ ଅନୁଭବ ବା ଅନୁଭୂତି ଅନୁସାରେ ଅନ୍ୟର ଚରିତ୍ର ଚିତ୍ରଣ କରନ୍ତି । କୌଣସି ଜିନିଷର ସତ୍ୟାସତ୍ୟ ନଜାଣି ସେ ବିଷୟରେ ଅନେକ ମତମତ ଦିଅନ୍ତି । ବାପା ମାଆଙ୍କୁ ଡାକି କହିଲା, ଦେଖ ! ଗୋଟିଏ କେସ । ଭାବନା ଅଲଗା ଅଲଗା । କିଏ ସବୁ ଜାଣି କି ବି ଅନେକ ପ୍ରକାର ବିଶ୍ଳେଷଣ କରିବେ ତ କିଏ କିଛି ନଜାଣି ଅନେକ ମନ୍ତବ୍ୟ ଦେବେ । ଲୋକମାନେ ହେଲେ ଦର୍ଶକ । ତାଙ୍କ କାମ ହେଲା ତାଳି ମାରିବା ନହେଲେ ପଚା ଟମାଟୋ ଫୋପାଡିବା । ସେଥିପାଇଁ କଣ ଆମେ ଆମ ରଙ୍ଗମଞ୍ଚକୁ ଛାଡି ପଳାଇବା?? ଆମ କର୍ତ୍ତବ୍ୟ ଆମକୁ କରିବାର ଅଛି । ତେଣୁ ଏମାନଙ୍କ କଥାକୁ ଶୁଣିଲେ ଆମେ ବି ପଥ ଭ୍ରଷ୍ଟ ହେବା । ନିଜ କାମ ନିଜେ କରିବା କଥା ନା ।
ମାଆ କହିଲେ, ଦେଖ ! କାଲି ପୁଣି କଣ ହେଲେ, ସେମାନେ ପୁଣି ବିଭିନ୍ନ ପ୍ରକାରର କଥା କହିବେ । କିଏ ପାରିବ ସେ କଥାକୁ । ଆମର ଦରକାର୍ ନାହିଁ । ତୁ ଏକା ଆଉ ଯାଆ ନାହିଁ ।
- ଆଛା, ଯଦି ଲୋକମାନଙ୍କ କଥାରେ ମୋତେ ଅଫିସ ଯିବାକୁ ଦେବନି, ତାଙ୍କୁ କୁହ ମୋ ଅଫିସକୁ ଘର ପାଖକୁ ସ୍ଥାନାନ୍ତର କରିଦେବେ । ସେ ବି ଖୁସ୍, ମୁଁ ବି ଖୁସ୍ ଆଉ ତୁମେ ବି ।
ମାଆ, ଲୋକ କହିବେ । କାରଣ ସେମାନେ ସତ କଣ ଜାଣି ନଥାନ୍ତି ବା ଜାଣିବାକୁ ଚେଷ୍ଟା ନକରି ମନ୍ତବ୍ୟ ପୁଳାଏ ଦିଅନ୍ତି । ମୁଁ ତାହେଲେ ମୋର ଅଫିସକୁ ଦିଲ୍ଲୀକୁ ଟ୍ରାନସ୍ଫର୍ କରି ନେବି । ସେଇଠି ତ ଆଉ ତୁମ ପଡୋଶୀ ନଥିବେ । ତୁମକୁ ବି କେହି କିଛି କହିବେନି । ହେଲା???
ମାଆ ବାପା ଯାହା ଭାବିଥିଲେ ଖୁସିକୁ କାଲିଠାରୁ ଆଉ ଅଫିସ ଏକା ପଠାଇବେ ନାହିଁ, ଏବେ ତାଙ୍କ ମନରେ ବୋଧହୁଏ ସେ ଅଶଙ୍କା ଆଉ ନାହିଁ । ଭାବୁ ଥିଲେ, କାହା କଥା ଅବା ଶୁଣିବେ ସେ??