Alka Mohanty

Tragedy Fantasy

4.0  

Alka Mohanty

Tragedy Fantasy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

5 mins
336



 ନିଉଜ ପେପର ସକାଳୁ ଆସୁ ଆସୁ ସୁଭଦ୍ରା ଆଗ ହାତରେ ନେଇ ଯାଆନ୍ତି। ପୁଅ ବୋହୂ ପିଲାମାନେ ଆଜିକାଲି ଆଉ ବଡିଭୋର୍ କଣ ଜାଣନ୍ତି ନାହିଁ। ପିତାଙ୍କ ବିୟୋଗ ପରେ ସୁଭଦ୍ରା ନିଜ ବହୁତଳ ପ୍ରାସାଦରେ ଏକା ଚାକର ବାକର ସହିତ ନ ରହିବାକୁ ନିଷ୍ପତ୍ତି ନେଇ ପୁଅ ପାଖକୁ ଭୁବନେଶ୍ୱରସ୍ଥିତ ବାସ ଭବନ କୁ ଚାଲି ଆସିଛନ୍ତି। ଗାଁ ପରି ବଡ଼ ଅଗଣା ନାହିଁ କି ଅଗଣାରେ ବସି ସାହି ପଡିଶା ମାନଙ୍କ ସହିତ ଆଳାପ ଆଲୋଚନା କରିବାର ନାହିଁ। ହେଲେ ନିଜକୁ ନିଜେ ସମ୍ଭାଳିବାକୁ ସୁଭଦ୍ରା ଙ୍କ ପାଖରେ ଆଉ ଶକ୍ତି ନଥିଲା।ହେଉ ପଛେ ଗୋଟିଏ ରୁମ୍ ,ହେଲେ ସକାଳ ସନ୍ଧ୍ୟାରେ ତ ପୁଅକୁ ଦେଖୁଥିଲେ,ନାତି ନାତୁଣୀ ଓ ବୋହୂର ସାନ୍ନିଧ୍ୟ ରେ ଟିକିଏ ଆଶ୍ୱସ୍ତି ଲାଭ କରୁଥିଲେ ସେ। ପେପର ଟି ଲେଉଟାଇ ପଢ଼ୁ ପଢୁ ଦେଖିଲେ, "ସମୟରେ ଖାଇବାକୁ ନ ଦେଇ ପାରିବାରୁ ଶାବଳ ରେ ପିଟି ସ୍ବାମୀ ଦ୍ଵାରା ସ୍ତ୍ରୀ ର ହତ୍ୟା।" କି ଆଶ୍ଚର୍ୟ୍ଯ କଥା। ରାଗ ବ୍ରହ୍ମ ଚଣ୍ଡାଳ ,ଯେବେ ଦ୍ଵାର ଦେଶକୁ ଆସେ ତେବେ ବିବେକ ଦ୍ଵାର ଛାଡ଼ି ଚାଲିଯାଏ। ହେଲେ ସ୍ତ୍ରୀ କଣ ମାଡ଼ ଖାଇବା ଯୋଗ୍ୟା ? ମନକୁ ସମ୍ଭାଳିପାରି ନଥିଲେ ସେ। ନିଜ ଆଖିରେ ବହୁ ପୁରୁଣା କଥା ଚଳଚ୍ଚିତ୍ର ପରି ଭାସି ଉଠୁଥିଲା।ସେ ଦିନମାନଙ୍କର କରୁଣ କାହାଣୀ ସୁଭଦ୍ରା ଙ୍କ ଗ୍ରାମବାସୀ ତଥା ପିତା ମାତା ଭାଇ ଙ୍କ ଛଡ଼ା କେହି ଜାଣି ନଥିଲେ। ସେ ଯୁଗରେ ପାଲିଙ୍କି ଚଢ଼ା ବାହାଘର କରି ,ନାନା ଆଡମ୍ବରରେ , ମହଣ ମହଣ ସ୍ୱର୍ଣ୍ଣ ରୌପ୍ଯରଉପହାର ଦେଇ ବିଭାଘର କରିଥିଲେ ତାଙ୍କ ପିତା ଦିବାକର ପଟ୍ଟନାୟକ। ସ୍ବାମୀ ଲକ୍ଷ୍ମଣାନନ୍ଦ ମହାନ୍ତି ଦେଖିବାକୁ ଯେତିକି ତେଜୀୟାନ ସେତିକି ରୁଷ୍ଟ ସ୍ଵଭାବର ଥିଲେ। ସୁଭଦ୍ରା ଧନୀ ଘର ଝିଅ ବୋଲି ଶାଶୂ ନଣନ୍ଦ ,ସ୍ବାମୀ ,ଦିଅର ନିଜର ହୀନମନ୍ୟତା କାରଣରୁ ତାଙ୍କୁ ଇର୍ଷା କରୁଥିଲେ। ହେଲେ ନୂଆ ହୋଇ ଆସିଥିବା ଶୋଳବର୍ଷ ର ତରୁଣୀ କେବଳ ପତି ପ୍ରେମରେ ଲୀନ ହୋଇ ଖୁସିରେ ଦିନ କାଟିବା ଆରମ୍ଭ କରିଦେଇଥିଲେ। ଶାଶୂଘରେ ଏମିତି କୁହା କୁହି ହେବା ଏକ ସାଧାରଣ ପରମ୍ପରା ଭାବରେ ସେ ସମୟର କନ୍ୟା ମାନେ ଆଦରି ନେଇଥାନ୍ତି ବୋଧହୁଏ। ତେଣୁ ଛୋଟ ଛୋଟ ରୋକ୍ ଟୋକ କଥାକୁ ସେ ଭ୍ରୁକ୍ଷେପ କରନ୍ତିନି। ନୂଆ ଘର,ନୂଆ ବର, ବାଲ୍ୟ କାଳ ର କିଛି ସ୍ଵପ୍ନ କୁ ସାଥୀରେ ଧରି ନିଜର ନୂତନ ଜୀବନର ଆଶାକୁ ସେ ବଳବତ୍ତର କରିସାରିଥାନ୍ତି। ସେ ସମୟରେ ବିବାହ କରି ମାଆର ବିନା ଅନୁମତିରେ ସ୍ତ୍ରୀ କୁ ସାଥିରେ ନେଇଯିବା ଏକ ଅପରାଧ ପରି ମନେ ହେଉଥାଏ ।କଣ କରିବେ ନିଜର ନବ ବିବାହିତା, ସୁନ୍ଦରୀ ତରୁଣୀକୁ ଛାଡ଼ି ସ୍ବାମୀ ଅତି ସନ୍ତର୍ପଣରେ ଘରୁ ଚାଲି ଆସିଲେ ନିଜର କର୍ମ ସ୍ଥଳକୁ। ଘରେ ଏକା ମାତ୍ର ସାନ ଭାଇ ସହିତ ମା ଆଉ ସୁଭଦ୍ରା । ଲକ୍ଷ୍ମଣ ବାବୁଙ୍କ ଉପରେ ଘରର ସମସ୍ତ ଦାୟିତ୍ବ। ଭାଇ ଏବର୍ଷ ପ୍ରଥମ କରି କଲେଜ ଯାଇଛି। ତାର ପଢା ,ଘରର ସବୁ ଦାୟିତ୍ଵ ।ଘରେ ପିଉସୀଙ୍କ ଝିଅ ମଧ୍ୟ ରହି ପଢା ପଢ଼ି କରେ। ପିଉସାଙ୍କର ମୃତ୍ୟୁ ପରେ ତାର ପାଠପଢା ଦାୟିତ୍ଵ ବି କେହି ନେବାକୁ ନଥାନ୍ତି।ନିଜ ପିତାଙ୍କୁ ହରାଇଥିଲେ ମଧ୍ୟ ନିଜେ ପାଠ ପଢି ନିଜ ଗୋଡ଼ରେ ଠିଆ ହୋଇ ପୁରା ଘରେ ପାଞ୍ଚ ଜଣଙ୍କ ସମସ୍ତ ଦାୟିତ୍ଵ ନେଉଥିଲେ ଲକ୍ଷ୍ମଣ ବାବୁ। ଦିନ ଯାଏ ,ପତିଙ୍କ ଅନୁପସ୍ଥିିରେ ନିଜ ପିତା ମାତା ଭାଇ ଭଉଣୀଙ୍କୁ ଝୁରି ହୁଅନ୍ତି ସୁଭଦ୍ରା। ଘରେ ଦୁଇଟି ନବ ଯୁବକ ଯୁବତୀଙ୍କ ସହିତ ହସ ଖେଳ କରିବାକୁବି ସମୟ ପାଆନ୍ତି ନାହିଁ ସୁଭଦ୍ରା। ଘରେ ଯାବତୀୟ କାମ ଶାଶୁ ତାଙ୍କ ଉପରେ ନ୍ୟସ୍ତ କରି କେବଳ ଦାଣ୍ଡ ବାହାର କାମ ଦେଖନ୍ତି। ଷୋଡ଼ଶୀ କନ୍ୟା ବଧୂ ରୂପେ ଶାଶୁଙ୍କ ଇଙ୍ଗିତ ରେ ଚାଲିବାକୁ ବାଧ୍ୟ ହୁଅନ୍ତି। ଅଭିଆଡି ଝିଅ ଟିକୁ ସାଥିରେ ଧରି ରାତିରେ ଶୁଅନ୍ତି ସୁଭଦ୍ରା। ବିନା ପତିରେ ଶାଶୁଘର କଣ୍ଟକିତ ମନେ ହେଉଥିଲେ ମଧ୍ୟ ନା ପିତାଙ୍କ ଘର ଯାଇ ହୁଏ ନା ସ୍ଵାମୀ ଙ୍କ ପାଖକୁ। ଗଣେଶ ପୂଜା ଛୁଟିରେ ନଣନ୍ଦ ସୁକାନ୍ତି ପଳାନ୍ତି ନିଜ ଗାଁ କୁ କିଛି ଦିନ ପାଇଁ। ପତି ବିରହିଣୀ ସୁଭଦ୍ରା ଏବେ ଏକା ଏକା ରାତ୍ରୀ ର ନିସଂଗତା କୁ ସହ୍ୟ କରିବାକୁ ବାଧ୍ୟ। ଦିବସଭର କର୍ମରେ ଲିପ୍ତ ରହିବା ପରେ ରାତ୍ରରେ ଗଭୀର ନିଦ୍ରାରେ କେବେ ଶୋଇ ପଡନ୍ତି। ଶ୍ରାବଣ ମାସର ସେ ରାତ୍ରୀ। ଘୋର ଗର୍ଜନକରି ଚାରି ଦିଗକୁ ଆଛନ୍ନ କରି ଅବାରିତ ଜଳ ଧାରା , ଘଡ଼ ଘଡି ବିଜୁଳି ସହିତ ବର୍ଷି ଚାଲିଥାଏ। ନିଜ ବିଛଣାକୁ ସଜାଡି ଦେଇ ନିଜ ରୁମ୍ର କବାଟକୁ ଶିକୁଳି ଲଗାଇ ଶୋଇବାକୁ ଯିବା ମାତ୍ରେ ତାଙ୍କୁ ନିଦ ହୋଇ ଯାଇଥାଏ। ଯୌବନର ପ୍ରଥମ ପାହଚରେ ପାଦ ପକାଇବା ପରେ ପରେ ହିଁ ଶାଶୁ ତିନି ଚାରି ଭଦ୍ରଲୋକ ସହିତ ବିବାହ ପ୍ରସ୍ତାବ ଆଣି ତାଙ୍କୁ ବୋହୂ କରି ନେଇ ଆସିଲେ। ବହୁତ୍ ଶୀଘ୍ର ପିତା ମାତା ଭାଇ ଭଉଣୀଙ୍କ ଠାରୁ ନିଜର ଅନିଚ୍ଛା ସତ୍ତ୍ବେ ଅଲଗା ହେବାକୁ ପଡ଼ିଲା। ଇଚ୍ଛା ଥିଲା ଆଉ କେତେ ଦିନ ସେ ଘର ଅଗଣାରେ ରହିବାକୁ। ବିଧିର ବିଧାନକୁ ଆବୋରି ଚାଲି ଆସିଥିଲେ ସୁନା ନାକୀ ଝିଅ ସୁନା ନାକୀ ବୋହୂ ହୋଇ। ଯୌବନର କାଉଁରୀ ସ୍ପର୍ଶରେ ଭରପୁର କଳିକାଟି ନିଜର ନୀଡ ସର୍ଜନା କରିବାର ଅସୁମାରୀ ସ୍ବପ୍ନ ନେଇ ସ୍ଵାମୀଙ୍କ ବିଶାଳ ହୃଦୟ ଆଉ ସଶକ୍ତ ବାହୁର ପ୍ରଲୋଭନରେ ଆଗେଇ ଆସିଥିଲେ। ହେଲେ ସ୍ଵାମୀ ଙ୍କ ବିନା ସେ କେବଳ ଯନ୍ତ୍ରଚାଳିତ କଣ୍ଢେଇ ପରି କାମ କରିବା ପାଇଁ ହିଁ କରୁଥିଲେ।ହେଲେ ଜୀବନ ଟା ସଂଜ୍ଞା ହୀନ ପରି ମନେ ହେଉଥାଏ। ପ୍ରତିଟି ରାତ୍ରୀ ତକିଆ ଭିଜା ଲୁହର ମୁଖ ସାକ୍ଷୀ ହୋଇ ରହିଥାନ୍ତି। ସେଦିନ ସେ ବର୍ଷା ଭିଜା ରାତ୍ରୀରେ ,ଲଣ୍ଠନର କ୍ଷୀଣ ଆଲୋକରେ ସେ ଦେଖୁଛନ୍ତି ,ଯେମିତି ସ୍ୱାମୀ ସେ ଶିକୁଳିକୁ ଗୋଟେ ଛୋଟ ବାଡ଼ିର ସହାୟତାରେ ଆପେ ଆପେ ଖୋଲି ଅତି ଧୀରେ ଧୀରେ ପ୍ରବେଶ କରୁଛନ୍ତି। ବିଳମ୍ବିତ ପ୍ରହରରେ ନିଜର ମନର ମଣିଷକୁ ପାଇ ଏକ ଅଭିନବ ପୁଲକରେ ତାଙ୍କ ତନୁମନ ପୁଲକିତ ହୋଇ ଉଠିଲା। ଅନ୍ଧାରରେ ସ୍ପଷ୍ଟ ନଦେଖା ଯାଉଥିଲେ ମଧ୍ୟ ସେ ଅତି ଆଦରରେ ଆଲିଙ୍ଗନ କରିବାର କାଉଁରୀ ସ୍ପର୍ଶ ସେ ଅନୁଭବ କରିପାରୁଥିଲେ।ସ୍ବାମୀ ବିରହିଣି ସୁଭଦ୍ରା ସେ ଘୋର ଅନ୍ଧକାର ବର୍ଷା ଭିଜା ରଜନୀରେ ସ୍ବାମୀଙ୍କୁ ପାଇ ନିଜକୁ ହଜାଇ ଦେଇଥିଲେ । ସ୍ବାମୀ ଙ୍କ ମୁହଁରୁ ଗୋଟେ ବି ଶବ୍ଦ ସେ ଶୁଣି ପାରୁନଥିଲେ। ହେଲେ ଦୁହେଁ କ୍ଷୁଧିତ ଅଜଗର ପରି ଦୁହେଁ ଦୁହିଁଙ୍କ ଶରୀରରେ ବିନା ପ୍ରତିବାଦ ରେ ଗୁଡ଼ାଇ ହୋଇ ଯାଇଥିଲେ। କ୍ଷୁଧା ପ୍ରଶମିତ ପ୍ରାୟ। ୟେ କଣ ? ତୁମେ ଏମିତି ଯାଉଛ କଣ ? କୁଆଡେ ଯାଉଛ ଏବେ ଏତେ ରାତିରେ ? ପ୍ରକୃସ୍ଥିତଃ ହେଲେ ସୁଭଦ୍ରା, ସେ ତାଙ୍କ ପ୍ରାଣପ୍ରିୟ ସ୍ବାମୀ ନଥିଲେ,ଥିଲେ ତାଙ୍କ ଲମ୍ପଟ ଦିଅର। କଣ କରିବେ ! ପାଦ ତଳେ ଭୂକମ୍ପ ଆକାଶ ରେ ବିଜୁଳି ଆଉ ଘଡଘଡି ର ଘୋର ଗର୍ଜନ।କିଛି ବୁଝି ପାରୁନାହାନ୍ତି ସୁଭଦ୍ରା।କେମିତି ଏ ଲାଜ କଥା କହିବେ ଶାଶୁଙ୍କୁ। ନିଜ ସମବୟସ୍କ ଦିଅର କୁ କେମିତି ପାପୀ ବୋଲି ଆଖ୍ୟାୟିତ କରିବେ ! ଲଜ୍ଜ୍ୟା ଆଉ ଘୃଣା ରେ ସେ ନିଜକୁ କିଛି ବି ସାନ୍ତ୍ଵନା ଦେଇ ପାରୁ ନଥିଲେ। ଆଲୋକର ଅନୁପସ୍ଥିତିରେ ଅନ୍ଧକାର ତାଙ୍କ ଉପରେ ରାଜୁତି କରିଛି। କଣ ଆଉ କରିବେ ସେ। ଚାଲି ଚଳନ ଆଚାର ବ୍ୟବହାର ରେ ଅନେକ ପରିବର୍ତ୍ତନ ଆସିଗଲା ତାଙ୍କର। ଚୋରି ନ କରି ଚୋର ପରି ରହିବାକୁ ପଡେ।ଦୁଇମାସ ପରେ ସ୍ବାମୀ ଆସନ୍ତି ଦଶହରା ପର୍ବ ପାଳନ କରିବାକୁ ।ହାତରେ ଅନେକ ଉପହାର ନେଇ ଆସିଥିଲେ ସୁଭଦ୍ରାଙ୍କ ପାଇଁ।କେତେ ଶାଢୀ କେତେ ସ୍ୱର୍ଣ୍ଣ ଆଭୂଷଣ। ପତିପ୍ରାଣା ସୁଭଦ୍ରା ଯେ ଏପରି ବିପତ୍ତି ର ସମ୍ମୁଖୀନ ହୋଇଛନ୍ତି ସେ କଥା କହିବେ କିପରି। ସେ ଅନ୍ତଃସତ୍ୱା ବି ହୋଇ ସାରିଥଲେ। ଗର୍ଭ ରେ ଦିଅର ର ସନ୍ତାନକୁ ରଖି କିପରି କହିବେ ଏ ସ୍ଵାମୀଙ୍କର ବୋଲି। ଗର୍ଭ ଧାରଣ ପରେ ଅନେକ ପ୍ରକାର ପରିବର୍ତ୍ତନ ଆସେ। ବାନ୍ତି ଲାଗେ।ସେଥିରେ ସେ କିପରି ଲୁଚାଇ ପାରିବେ। ପ୍ରଥମ ରାତ୍ରୀରେ ତାଙ୍କ ଅସୁସ୍ଥତା ଦେଖି ଲକ୍ଷ୍ମଣ ବାବୁ ଅନେକ ସେବା କରୁଥିଲେ। ସୁଭଦ୍ରାଙ୍କ ଆଖିରୁ ଶ୍ରାବଣ ର ଧାରା ଶୁଖିବାର ନାଁ ନେଉ ନଥିଲା। ଡକ୍ଟର ପାଖକୁ ଯିବାକୁ କହିବାରୁ ସେ ସମସ୍ତ ସତ୍ୟ ସ୍ବାମୀ ଙ୍କୁ କହିଦେଲେ। ହଠାତ୍ ତାଙ୍କ ଚକ୍ଷୁରୁ ଅଗ୍ନି ସ୍ଫୁରଣ ହେବାପରି ଲାଗିଲା। ସେ ତାଙ୍କ ଗଳାରେ ହାତ ରଖି ଅଗଣା କୁ ଠେଲି ଫୋପାଡି ଦେଲେ ତାଙ୍କୁ।ତାପରେ ଦୌଡ଼ି ଯାଇ ଗୋଟେ ଲୁହା ଛଡ ଆଣି ପିଟିବାକୁ ଲାଗିଲେ। ମାଟି ଅଗଣା ରେ ସୁଭଦ୍ରା ଲହୁ ଲୁହାଣ ହୋଇ ପଡିଥାନ୍ତି।ଦୌଡ଼ି ଗଲେ ଦିଅରର ମୁଣ୍ଡ ଫଟେଇବାକୁ। ଘରେ ଯେପରି ତାଣ୍ଡବ ଲୀଳା ଚାଲିଥାଏ। ଈଶ୍ୱର ଙ୍କୁ ଆରାଧନା କରି ସୁଭଦ୍ରା ରକ୍ତ ନଦୀରେ ସ୍ନାନ କରୁଥାନ୍ତି।ଖଣ୍ଡ ଖଣ୍ଡ ରକ୍ତରେ ଘର ଅଗଣା ଭାସୁ ଥାଏ। କିଏ କଣ କରିବ। ତଥାପି ମୃତ୍ୟୁ ଆସିଲାନି ସୁଭଦ୍ରାଙ୍କୁ। ତାଙ୍କ ଆଖିରୁ ଝରୁଥିବା ଅବିଶ୍ରାନ୍ତ ଅଶ୍ରୁ, ଥର ଥର କଣ୍ଠରୁ ଅସ୍ପଷ୍ଟ ଶବ୍ଦ, ଭୀତତ୍ରସ୍ତ ହରିଣୀର ଭାବଭଙ୍ଗୀ ସୂଚାଇ ଦେଉଥିଲା ଯେ ସେ ଜାଣିଶୁଣି କିଛି ଭୁଲ କରି ନାହାନ୍ତି। ହେଲେ ତାଙ୍କ କଥା ଶୁଣିବ କିଏ ? ଦିଅର ବି ଆଗଭର ହୋଇ ଆସିଲେନି ଭାବିସନ୍ତାନକୁ ଆପଣାଇବାକୁ। ସ୍ବାମୀ ସେଇଦିନ ଘର ଛାଡ଼ି ଚାଲିଗଲେ ପୁଣି ତାଙ୍କ କର୍ମ କ୍ଷେତ୍ରକୁ। ଶାଶୁ ତୀବ୍ର ଧକ୍କାଦେଇ ,କହିଲେ,"ତୁ କଳଙ୍କିନୀ, ଅଲକ୍ଷଣି! ମୋ ସଂସାରକୁ ନଷ୍ଟ କଲୁ।ତୋ ମୁଁହ ଚାହିଁବିନି।" ଚାରିଆଡେ ବନର ଅଗ୍ନି ପରି କଥା ପ୍ରଚାର ହୋଇଗଲା। ସୁଭଦ୍ରାଙ୍କ ପିତାମାତା ଜାଣିଲେ। ଆସି ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କଲେ। ନିଜ ଘରେ ରଖିଲେ। ଯେଉଁ ଘରକୁ ଏତେ ଜଲଦି ଛାଡ଼ିବାକୁ ଇଚ୍ଛା କରୁନଥିଲେ,ସେ ଘରେ ଚିର ଆଶ୍ରିତ ହେଲେ। ପିତା ମାତା ଓ ଭାଇ ଭଉଣୀଙ୍କ ଆଦର ଯତ୍ନରେ ପୁତ୍ର ସନ୍ତାନ ଲାଭ କଲେ ସୁଭଦ୍ରା। ଭାଇ ମଧ୍ୟ ଏକ ଭାଗ ଜମି ଆଉ ଘର ତାଙ୍କୁ ଦେଇ ଦେଇଥିଲେ। ପୁଅ ବଡ଼ ହେଲା ,ବଡ଼ ଚାକିରୀ କଲା। ହେଲେ ସ୍ଵାମୀ ସୁହାଗିନି ସୁଭଦ୍ରା ଏବେ ବି ସ୍ଵାମୀଙ୍କ ପାଇଁ ସାବିତ୍ରୀ କରନ୍ତି ।ବାଧ୍ୟ ବୈଧବ୍ୟ ଜୀବନ ଅତିବାହିତ କରୁଥିବା ଚିରକୁମାରୀ ପରି ରହୁଥିବା ସୁଭଦ୍ରା ସେଦିନ ନିଉଜ ପେପରରୁ ବି ଖଣ୍ଡ ଖଣ୍ଡ ରକ୍ତର ସୁଅକୁ ଦେଖି ପାରୁଥିଲେ ।


Rate this content
Log in

Similar oriya story from Tragedy