Alka Mohanty

Inspirational

4.0  

Alka Mohanty

Inspirational

ପ୍ରବାସୀ ଓଡିଆ

ପ୍ରବାସୀ ଓଡିଆ

6 mins
436


ସକାଳୁ ସକାଳୁ ରିନାର ଫୋନ୍ ଆସିଗଲା, ସୁସ୍ମିତା ଆଉ ତାର ସ୍ୱାମୀ ବାହାରେ କଫି ଟେବୁଲର ଦୁଇ କଡେ ବସି ସକାଳ ଚାର ଆନନ୍ଦ ନେଉଥାନ୍ତି । ଦୂରରୁ ପାର୍କ ସାଇଡରେ ଥିବା ଗଛ ଆଢ଼ୁଆଳରେ କୋଇଲି ତାର ପଞ୍ଚମ ତାନରେ କୁହୁ କୁହୁ କରି ଗାଇ ଚାଲିଥାଏ । ସୁସ୍ମିତା କହିଲେ ଦେଖ !! ନିଶ୍ଚୟ କଣ ପାର୍ଟି କି ପୂଜା ଥିବ । ନହେଲେ ଏମିତି ସକାଳୁ ସକାଳୁ ରିନା ଫୋନ୍ କରିବନି । -- ଦେଖ, କଣ ପାଇଁ କରୁଛନ୍ତି । ଆଉ କିଛି ଦରକାର ଥାଇପାରେ । ଫୋନ୍ ରିସିଭ୍ କର! -- ଫୋନ୍ ହାତକୁ ନେଇ ସୁସ୍ମିତା କହିଲା, ହେଲୋ ! ରିନା ଗୁଡମର୍ଣ୍ଣିଂ ! ସକାଳୁ କେମିତି ମନେ ପକାଇଲୁ ?? -- ଆରେ ନାରେ । ଅଭିଜିତର ମାଆ ବାପା ଆସିଛନ୍ତି । ମୋ ପୁଅ ପାଇଁ କଣ ସତ୍ୟନାରାୟଣ ପୂଜା କରିବେ । ଆଜି ସନ୍ଧ୍ୟାକୁ ତୁମେ ପୁରା ପରିବାର ଆସିବ । ଆଉ ଡିନର ବି ଏଇଠି କରିବ । -- ଆଚ୍ଛା ! ମଉସା ମାଉସୀ ଆସିଛନ୍ତି ?? ତାହେଲେ ତ ନିଶ୍ଚିତ ଆସିବୁ । ଆଉ ସବୁ କାମ ବାତିଲ । ଠିକ୍ ଅଛି ସନ୍ଧ୍ୟାରେ ଦେଖା ହେବ । ରିନା ଆଉ ସୁସ୍ମିତା ପିଲା ଦିନ ସାଙ୍ଗ । ସ୍କୁଲରେ ବର୍ଣ୍ଣବୋଧ ଏକାଠି ପଢ଼ିବା ଆରମ୍ଭ କରିଥିଲେ । ଏକାଠି ଗୋଟିଏ ବିଦ୍ୟାଳୟରୁ ପାସ କଲେ । କଲେଜ ଜୀବନରେ କିଏ କେବେ ଅଲଗା ହେଲେ ସୁଦ୍ଧା ବିବାହ ପରେ ଦୁଇଜଣ ସୁଦୂର ପାଟନା ସହରରେ ଅବସ୍ଥାପିତ । ସ୍ୱାମୀଙ୍କ ଚାକିରି ଯୋଗୁଁ ଦୁଇ ଜଣଙ୍କ ମିଳନ ପୁଣି ଅନ୍ୟ ଏକ ରାଜ୍ୟରେ ହୋଇ ଯାଇଥିଲା । ଦୁହେଁ ଅନ୍ୟ ସବୁ ପ୍ରବାସୀ ଓଡ଼ିଆମାନଙ୍କ ସହିତ ଅନେକ ପାର୍ଟି କରି ସମୟକୁ ଅତିବାହିତ କରନ୍ତି । କେବେ କେବେ ଫାମିଲି ସହିତ ବାହାରକୁ ବୁଲି ଯାଇ ଜୀବନକୁ ଉପଭୋଗ କରନ୍ତି । ମାସିକିଆ କିଟି ପାର୍ଟିରେ ଅନେକ ଥିମ୍ ରଖି, ଯେମିତି ଏକ ରଙ୍ଗର ଶାଢି ବା ସୁଟ, କେବେ ପଶ୍ଚିମ ତ କେବେ ଭାରତୀୟ ବେଶଭୂଷା କରି ଖୁବ୍ ମଜା କରନ୍ତି । ପାଟନାରେ ରହି ରିନା ହିନ୍ଦୀ ବି ଖୁବ୍ ଶିଖି ଯାଇଥିଲା । ତାକୁ କେବେ କେବେ ଲୋକ,  ହିନ୍ଦୀ କହି ଆସୁନି ବୋଲି କହୁଥିଲେ, ଆଜି ସେ ହିନ୍ଦୀ ଛଡ଼ା ଓଡ଼ିଆ ଆଉ କହୁନି । ବସରେ ଚଢ଼ି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇ ପାରୁନଥିଲା, ଏବେ ହାଇୱେରେ ନିଜେ କାର ଚଳାଉଛି । ନିଜର ଇଚ୍ଛା ଶକ୍ତି ତାକୁ ବହୁତ୍ କିଛି ଉପଲବ୍ଧି କରାଇଛି । ତା ସହିତ ସେ ଏବେ ଭୁଲି ଯାଇଛି ଯେ ସେ କେଉଁ ଏକ ଅଜଣା ଗାଆଁର ଲାଜକୁଳୀ ଲତାଟିଏ ପରି ଥିଲା । ନିଜକୁ ପଶ୍ଚିମ ଢାଞ୍ଚାରେ ସେ ପୁରା ଢ଼ଳାଇ ସାରିଥିଲା । ତାକୁ ପଖାଳ କଥା କହିଲେ ଲାଜ ଲାଗୁଥିଲା, ମୁଢ଼ି ଚୁଡ଼ା କଣ ଜାଣି ନାହିଁ ବୋଲି କହୁଥିଲା । କେବଳ ବ୍ରେଡ, ପିଜା,  ବର୍ଗର, ମାଗି,  ଚାଇନିଜ୍ ଫୁଡ୍, କଣ୍ଟିନେଣ୍ଟାଲ ଫୁଡର ଚର୍ଚ୍ଚା ତା ପାଖରେ । ଲେଡିଜ୍ ପାର୍ଟିର ସବୁ ମେମ୍ବର ଜାଣିଥିଲେ, ସେ ପିମ୍ପୁଡ଼ି ପରି ରୁଖା ଉପରେ ବସି ସ୍ୱର୍ଗ ଆଉ ଦୁଇ ଆଙ୍ଗୁଳି ଅଛି ବୋଲି ଭାବୁଛି । ହେଲେ କେହି ମୁହଁରେ କହୁ ନଥାନ୍ତି । ତାର ଫୋନ୍ ଆସିଲେ ଦାନ୍ତ ତଳେ ଆଙ୍ଗୁଳି ରଖି ହସନ୍ତି । ହେଲେ ରିନା ତା ମସ୍ତିରେ ଥାଏ । ତାର ଝିଅଟିଏ ପ୍ରଥମେ ହେଲା ବୋଲି ତାଙ୍କ ଘର ଲୋକ ବହୁତ୍ ମ୍ରିୟମାଣ ହୋଇ ପଡ଼ିଥିଲେ । ରିନା କହିବା ଅନୁସାରେ ଝିଅ କୁଳ ରକ୍ଷା କରେ ନାହିଁ । ଗୋଟିଏ ପୁତ୍ର ପ୍ରାପ୍ତି ପାଇଁ ଅନେକ ଉପବାସ ସେ ସ୍ୱାମୀ - ସ୍ତ୍ରୀ କରୁଥିଲେ, ସାଧୁ ଲୋକଙ୍କ ପାଦ ଧୋଇ ପାଣି ପିଉଥିଲେ । ଘରେ କଦଳୀ ଗଛ ରଖି ଗୁରୁବାର ପୂଜା କରୁଥିଲେ । ଏ ସବୁ କରିବାର ପାଞ୍ଚ ବର୍ଷ ପରେ ଶ୍ରୀ କୃଷ୍ଣଙ୍କ କୃପାରୁ ତାଙ୍କର ପୁତ୍ର ପ୍ରାପ୍ତି ହେଲା । ସେଥିପାଇଁ ସବୁ ଶନିବାରରେ ତେଲ ଢାଳିବା, ସୋମବାରରେ କ୍ଷୀର ଢାଳିବା, ଶହେ ଆଠ ଥର ହନୁମାନ ଚାଳିଶା ପଢ଼ିବା, ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ କାମ । ସ୍ୱାମୀ ଅଫିସରୁ ଆସିଲେ ପୁଅକୁ ଧରି ବସିବେ ଯେ ଶୋଇବା ପର୍ଯ୍ୟନ୍ତ । ପୁଅକୁ ତଳେ ରଖାଇ ଦିଅନ୍ତି ନାହିଁ ସ୍ୱାମୀ ସ୍ତ୍ରୀ । ଷୋହଳ ପୂଜାର ଆଜି ସପ୍ତମ ବର୍ଷ । ପ୍ରତି ବର୍ଷ ତାର ଶାଶୁ ଶଶୁର ଆସନ୍ତି ସୁଦୂର ଓଡ଼ିଶାର ଏକ ଗ୍ରାମ୍ୟ ଅଞ୍ଚଳରୁ ଟିକେ ନାତି ନାତୁଣୀଙ୍କୁ ଦେଖିବାକୁ । ସେମାନେ ଗାଆଁରେ ଚାଷବାସ କରନ୍ତି । ପୁଅ ଯାହା ପଇସା ପଠାଇଦିଏ ସେଥିରେ ଚଳି ଯାଆନ୍ତି । ଏଠାରେ ରହିବାକୁ ଇଚ୍ଛା ଥିଲେ ବି ରହି ପାରନ୍ତି ନାହିଁ । ଭାଷା ଅଲଗା । ଲୋକ ଅଲଗା । କେମିତି ଚଳିବେ !! ସେଥିପାଇଁ ୧୦/୧୫ ଦିନ ରହି ପଳାନ୍ତି । ସନ୍ଧ୍ୟା ହେଲା । ସମସ୍ତେ ଆସିଲେ ପୂଜାରେ ସାମିଲ୍ ହେବା ପାଇଁ । ସୁସ୍ମିତା,  ତା ସ୍ୱାମୀ ଆଉ ପୁଅ ସହିତ ଆସିଥିଲା । ଅନେକ ଓଡ଼ିଆ, ଅଣ -ଓଡ଼ିଆଙ୍କ ଗହଣରେ ସତ୍ୟନାରାୟଣ ପୂଜା ଚାଲିଲା । ରିନା ଆଉ ଅଭିଜିତ ବେକରେ ଦୁଇଟି ଫୁଲ ହାର ପକାଇ ବ୍ରାହ୍ମଣର ମନ୍ତ୍ର ସହିତ ଏମିତି ମଜି ରହିଥାନ୍ତି,  ଲାଗୁଥାଏ ତାଙ୍କ ଠାରୁ ବଡ଼ ଭକ୍ତ ଆଉ କେହି ନାହାନ୍ତି । ପୁଅ ଛୋଟ ମାଳଟିଏ ବେକରେ ପକାଇ ବସି ଥାଏ ମାଆ ବାପାଙ୍କ ଡରରେ । ହେଲେ ତାର ମନ ଥାଏ ସାଙ୍ଗମାନଙ୍କ ପାଖରେ । ମଝିରେ ମଝିରେ କହୁ ଥାଏ, 

 -- ପାପା ମେଁ ଯା ଉଁ??

-- ନା ବେଟା ଅଭି ନହିଁ । ଥୋଡା ରୁକୋ ।  

ଏମିତି ପୁରା ପୂଜାଟା ସରିଗଲା । ସୁସ୍ମିତାର ପିଲା ସମସ୍ତ ଗୁରୁଜନମାନଙ୍କୁ ମୁଣ୍ଡିଆ ମାରି ସାରି ଅଭିଜିତର ମାଆ ବାପା ପାଖକୁ ଗଲେ ।  

-- ମାଉସୀ ମଉସା ପ୍ରଣାମ ! 

--ଦୀର୍ଘାୟୁ ହୁଅ ! 

-- ଆପଣ କେମିତି ଅଛନ୍ତି ମାଉସୀ, 

ସୁସ୍ମିତା କହିଲା 

-- ଭଲ ଅଛୁ ଝିଅ ।  

-- କେବେ ଓଡ଼ିଶାରୁ ଆସିଲେ? କେତେ ଦିନ ରହିବେ ?? ଆମ ଘର ଆଡେ ଆସିବେ ।  

-- ନା ମାଆ, ବେଶୀ ଦିନ କଣ ଆମେ ରହି ପାରିବୁ । ଘରେ କାମ ଅଛି । ଏ ପିଲାମାନଙ୍କୁ ଆମେ ଦେଖିବାକୁ ପଳାଇ ଆସୁ । ପୁଅକୁ ତ ଛୁଟି ମିଳୁନି । ତାର ପିଲାମାନେ ଗାଆଁରେ ମାଟି ଘରେ ଚଳିବେନି । ସେଥିପାଇଁ ଆମେ ଆସି ଯାଉଛୁ । ପୁଅ କହିଛି, ଏ ବର୍ଷ ଦି ବଖରା ଘର କଲେ, ସେ ପିଲା ଛୁଆଙ୍କୁ ନେଇ ଆସିବ । ତା ପିଲାମାନେ ଭଲରେ ଚଳି ଗଲେଣି । ଗାଆଁ ମାଟି କାଦୁଅରେ କଣ ସେମାନେ ଚଳି ପାରିବେ, କହିଲୁ ଝିଅ ।  

-- ନା ଦାଦି ମାଆ,  ଆମ ଘର ବି ମାଟି ଥିଲା । ଦାଦୁ ଏବେ ଗୋଟେ ରୁମ୍ ପକ୍କା କରିଛନ୍ତି । ହେଲେ ଆମକୁ ଭଲ ଲାଗେ ଗାଆଁ । ସେଠାରେ ପୋଖରୀ ଅଛି । ବତକ ଅଛନ୍ତି । ନଦୀ ଅଛି । ବହୁତ୍ ଭଲ ପାଇବା ବାଲା ଲୋକ ବି ଅଛନ୍ତି । ସୁସ୍ମିତାର ପୁଅ ମୁନା କହୁଥିଲା ।  

ତା କଥା ଶୁଣି ମାଉସୀ କହିଲେ, 

- ସୁସ୍ମିତା! ତୋ ପୁଅ ଓଡ଼ିଆ କହି ପାରୁଛି ?? କେମିତି ଶିଖିଲା?? କିଏ ଶିଖେଇଛି?? କୋଉଠୁ ଶିଖିଲା? କୋଉ ମାଷ୍ଟର ଶିଖାଇଛି କହିଲୁ ! ଆମ ପିଲା ତ କହି ପାରୁନାହାନ୍ତି କି ବୁଝି ପାରୁନାହାନ୍ତି । ଆମେ ନାତି ନାତୁଣୀ ସୁଖ କଣ ଜାଣି ପରିଲୁନି । ସେ ଆମ କଥା ବୁଝି ପାରୁନାହାନ୍ତି କି ଆମେ ତାଙ୍କ କଥା । ସବୁ ବେଳେ ଭାଇ ବୋହୂ ଦେଢ଼ଶୁର ପରି ଆମଠାରୁ ଅଲଗା ରହୁଛନ୍ତି । ଦି ପଦ କଥା ଆମେ ହୋଇନୁ ତାଙ୍କ ସହିତ । ରିନାକୁ କହିବି ମୋ ନାତି ନାତୁଣୀଙ୍କୁ ଶିଖାଇବ । ସେମାନେ କହି ଜାଣି ନାହାନ୍ତି । ବାହାରେ ଜନ୍ମ ହେଲେ । ରିନା ଆଉ ଅଭି କହୁଛନ୍ତି, "ସେ ଜନ୍ମରୁ କହିଲେନି । ଆମେ କଣ କରିବୁ" । ସେ ତ ଓଡ଼ିଆ କହିଲେ ବୁଝି ପାରୁ ନାହାଁନ୍ତି । ତୁ ଟିକେ କହୁନୁ ରିନା କୁ, ସେ ମୋ ନାତି ନାତୁଣୀଙ୍କୁ ସେ ମାଷ୍ଟର ପାଖକୁ ପଠାଉ । 

ସୁସ୍ମିତା କଣ ଆଉ କହିବ । ସେ ଅଭିଜିତ ଆଉ ରିନାଙ୍କର ଆଡମ୍ବର କଥା ଜାଣିଛନ୍ତି । ଲୋକଙ୍କୁ ନିଜର ଆଧୁନିକତାପଣିଆ ଦେଖାଇ ସେ ଖୁସି ହୁଅନ୍ତି । ସେ କଣ ଜାଣିବେ ମାଆ ବାପାଙ୍କ ମୂଲ୍ୟ ?? ଯୋଉ ରିନା ଆଉ ତା ବାପା, ଅଭିଜିତ ଏନ୍.ଆଇ.ଟି. ପାଇବା ପରଠାରୁ ତାକୁ ବାହା ହେବା ପାଇଁ ଚକ୍ରାନ୍ତ ଚଳାଇ ଥିଲେ, ସେ କଥା କେବଳ ସୁସ୍ମିତାର ପରିବାର ଜାଣନ୍ତି । କୁହା ବୋଲା କରି ବାହାଘର କରାଇନେଲେ । ତାପରେ ନିଜ ରୂପରେ ଆବିର୍ଭାବ ହୋଇଗଲେ । ନିଜେ ଦୁଇ ଅକ୍ଷର ଇଂଲିଶ ଲେଖି ପାରୁ ନଥିଲା । ହିନ୍ଦି ତ ଦୂର କଥା । ଆଜି ସେ ଅଂଗ୍ରେଜ୍ ହୋଇ ଯାଇଛି ମାତ୍ର ଏ ପାଟନା ଯାଏ ଆସିକି । ଲଣ୍ଡନ ଯାଇଥିଲେ ସେ ଆଉ କଣ ନ ହୋଇ ଥାନ୍ତା । ପିଲାମାନଙ୍କୁ ମାଆ ଯାହା କହେ ସେ ଶିଖନ୍ତି । ତେଣୁ ତାକୁ ମାତୃଭାଷା କୁହାଯାଏ । ନିଜର ହୀନ ଭାବନାକୁ ସେ ପିଲାଙ୍କ ଉପରେ ଲଦି ଦେଇ ନିଜକୁ ଆଧୁନିକା ବୋଲି ଭାବୁଛି । ନିଜ ପିଲା ଛଡ଼ା କେହି ତାର ନିଜର ନାହାନ୍ତି । ସ୍ୱାମୀ ଏଟିଏମ୍ ମେସିନ । ସେଥିପାଇଁ ଆଜି ଚାକିରି କରି ବିବାହ କରିବା ପରେ ଅଭିଜିତ କେବଳ ନିଜର ହୋଇ ଗଲା, ତାର ବୃଦ୍ଧା ମାଆ ଆଉ ବାପା ସବୁ ଅସ୍ପୃଶ୍ୟ ହୋଇଗଲେ । ଅଭିଜିତର ଘର ବି ରିନା ଆଉ ତା ପିଲାଙ୍କ ପାଇଁ ଏକ ଖତ ଗଦା । ଘରେ କଦଳୀ ଗଛ ପୂଜା କରୁଛି । ଲଙ୍କା ଜଳାଇ ପିଲାଙ୍କ ନଜର ଉତାରୁଛି । ହାତରେ କଳା ସୂତା ବାନ୍ଧି ବୁଲୁଛି । ଆଉ ଅନ୍ୟକୁ ମିଥ୍ୟା ଆଡମ୍ବର ଦେଖାଇ ନିଜକୁ ବହୁତ୍ ବଡ଼ ଆଧୁନିକା ମହିଳା ବୋଲି ସାବ୍ୟସ୍ତ କରୁଛି । କଣ ଆଉ ଏପରି ସ୍ତ୍ରଲୋକମାନଙ୍କ ଠାରୁ ଅଧିକ ଆଶା କରା ଯିବ । ସେପଟ ଘରୁ ଶୁଣା ଯାଉଥିଲା,  

--ମାମା, ୟେ ଦାଦା ଦାଦି କବ ଯାୟେଙ୍ଗେ । କିତନେ ଗନ୍ଦେ ହୈ । 

 -- ବେଟା ୟେ ଲୋଗ ଜମିନ୍ ମେଁ କାମ କର ରହେ ହୈ । ଇସିଲିଏ,  କୁଛ ଦିନୋ କି ବାତ୍ ହୈ । ଚୁପ୍ ହୋ ଯାଓ । ଅଭିଜିତ ଯେମିତି ମୂର୍ଖ ଅଶିକ୍ଷିତ ପରି ଖାଲି ତାମସା ଦେଖୁଥିଲା । ଯେମିତି ତାର ନିଜ ସ୍ତ୍ରୀ ପିଲା ଛଡ଼ା ଏ ଦୁନିଆରେ କେହି ନାହାନ୍ତି ।  

-- କହୁଥିଲା, ଆରେ ଡିନର କରି ଶୋଇବା ନା । ଚାଲ! ସମସ୍ତଙ୍କୁ ଏକାଠି କରିଦିଅ । ମାଆ ବାପା ଆଉ କେତେ ଦିନ ବଞ୍ଚିବେ, ଟିକେ ଚଳାଇ ନେଲେ ଗଲା । ଯେମିତି ଲାଗୁଥିଲା ଅଭିଜିତ ବି ମାଆ ବାପାଙ୍କର ମୃତ୍ୟୁର ଅପେକ୍ଷାରେ ଅଛି । କିଛି ଦିନ ପରେ ସେ ବି ମୁକ୍ତ ହୋଇଯିବ ସେଇ ମୂର୍ଖ ଅଶିକ୍ଷିତ ବାପା ମାଆଙ୍କ ଠାରୁ । ସୁସ୍ମିତା ତାର ସ୍ୱାମୀଙ୍କ ଆଡ଼କୁ ଚାହିଁ ଟିକେ ମୃଦୁ ହସିଦେଇ କହିଲା,  ଖାଇଦିଅ! ସେ ଭାବୁଥିଲା କିପରି ଲୋକ ଏମାନେ ସତରେ । ନିଜ ମାଆ ଆଉ ମାତୃଭାଷlର ଅପମାନ କରୁଛନ୍ତି ! ବୃଥା ଅଭିମାନରୁ କଣ ମିଳେ କେଜାଣି । ନିଜକୁ ଓଡ଼ିଆ ବୋଲି ପରିଚୟ ନ ଦେଇ ନିଜକୁ ମାତୃହରା ଭଳି ରଖିଥିବା ମନୁଷ୍ୟଙ୍କ ପ୍ରତି ତାର ଦୟା ଆସୁଥିଲା । ଆଉ ଅନ୍ୟ ମାନେ ତ ଏମିତି ରିନାର ଢୋଙ୍ଗି ସ୍ଵଭାବକୁ ସର୍ବଦା ଅଟ୍ଟହାସ୍ୟ କରି ମଜା ନିଅନ୍ତି, ସୁସ୍ମିତା ବି ରିନାର ନିର୍ବୋଧତାକୁ ଦେଖି ନ ହସି ରହି ପାରିଲାନି । ସତରେ ଲୋକେ କିପରି ବୃଥା ଗର୍ବ କରନ୍ତି ଆଉ ଜାଣି ପରାନ୍ତିନି ଯେ ତାଙ୍କ ନିର୍ବୋଧତା ଯୋଗୁଁ ପିଲାଙ୍କର ବୌଦ୍ଧିକ ବିକାଶରେ କିପରି ବାଧାପ୍ରାପ୍ତ ହେଉଛି ।  

ମାତୃ ଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ, 

 ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ||



Rate this content
Log in

Similar oriya story from Inspirational