Lalita Mohan Mishra

Drama Tragedy

3  

Lalita Mohan Mishra

Drama Tragedy

ମୁକ୍ତିର ଅନୁଭବ

ମୁକ୍ତିର ଅନୁଭବ

5 mins
261



ଦୂର ଦିଗ୍ ବଳୟରେ ଉଡୁଥିବା ପକ୍ଷୀଟି, ଖୋଲା ଆକାଶରେ ବୁଲୁଥିବା ମଣିଷଟି ଏବଂ ବଣରେ ବାସ କରୁଥିବା ପଶୁଟି ଏସବୁଙ୍କ ପାଇଁ ମୁକ୍ତି ହୋଇପାରେ ଏକ ଶବ୍ଦ ମାତ୍ର । ବାସ୍ତବରେ ମୁକ୍ତିର ପରିଭାଷା... ଏକ ଅନନ୍ୟ ଅନୁଭବ । ପିଞ୍ଜରା ଭିତରେ ଥିବା ଶୁଆ, ଚିଡ଼ିଆଖାନାର ପଶୁ ଏବଂ ଗୃହବନ୍ଦୀ କଏଦୀଙ୍କୁ ଯଦି ପଚରାଯିବ ? ମୁକ୍ତିର ପରିଭାଷା ସେ କହିବ - ଏହା ଏକ ଅନୁଭବ ଯେଉଁଥିରେ ଥାଏ ନବ ଆଶା ନବ ବିଶ୍ୱାସ ଏବଂ ନିଜକୁ ଗଢି ତୋଳିବାର ଏକ ସୁନେଲି ସ୍ବପ୍ନ । ତଥାପି ମଣିଷ ବାନ୍ଧିହୁଏ । କାରଣ ସେଥିରେ ଥାଏ ସୁଖ ଐଶ୍ଵର୍ଯ୍ୟ । ବାନ୍ଧି ହେଲା ପରେ ଦୁଃଖପାଏ ପଶ୍ଚାତାପ କରେ । ହୃଦୟଙ୍ଗମ କରେ ମୁକ୍ତିର ବ୍ୟାପକତାକୁ ଏବଂ ଅନ୍ତରରେ ଜଳୁଥିବା ଦୀପର ଗଭୀରତାକୁ । ବାସ୍ତବରେ ମୁକ୍ତିର ପରିଭାଷା ଏକ ଅନନ୍ୟ ଉପଲବ୍ଧି ।


ହଠାତ୍ କବାଟର ଠକ୍ ଠକ୍ ଶଦ୍ଦରେ ନିଦ ଭାଙ୍ଗି ଯାଏ ଅରୁନ୍ଧତୀର । ଏ ଅସମୟରେ କିଏ ? ତଥାପି ସବୁ ସନ୍ଦେହକୁ ଦୂର କରି ଦ୍ବାର ଖୋଲି ଦେଖେ ତ ସାନ ଭଉଣୀ ଅନୁ । ତୁ ଏତେ ରାତିରେ... ଅନୁ ! କୋହ ସମ୍ଭାଳି ନପାରି ଅପାକୁ କୋଳେଇ କାନ୍ଦିବାକୁ ଲାଗେ । ଅରୁନ୍ଧତୀ ବୁଝିପାରେ ନିଶ୍ଚିତ କିଛି ସମସ୍ୟା ? ପାଖକୁ ଟାଣି ଆଣି ଦେଖେ ତ ଗୋଡ ହାତ ପିଠି ଲହୁ ଲୁହାଣ । ତାକୁ ଆଉ ବୁଝିବାକୁ ସମୟ ଲାଗିଲା ନାହିଁ । କ'ଣ କହି ସାନ୍ତ୍ବନା ଦେବ ଜାଣି ପାରୁ ନ ଥାଏ ।


ରାଧେଶ୍ୟାମ ବାବୁଙ୍କର ଦୁଇ ଝିଅ । ବଡ ଝିଅ ଅରୁନ୍ଧତୀ, ସାନ ଝିଅ ଅନୁ । ବ୍ରାହ୍ମଣ ଘରର ନିତି ନିୟମରେ ପରିଚାଳିତ ଦୁହେଁ । ବାପା ମାଆ ଭାରି ନୈଷ୍ଠିକ । ଦୁଇଟି ଯାକ ଝିଅ ଭାରି ସୁନ୍ଦରୀ । ରାଧେଶ୍ୟାମ ବାବୁ ବଡ ଝିଅର ପାଠ ପଢା ପରେ ପାଖ ଗ୍ରାମ ନରୋତ୍ତମ ଦାସଙ୍କ ପୁଅ ସହିତ ବିବାହ କରାଇଥିଲେ । ପୁଅଟି ଇଞ୍ଜିନିୟରିଂ । ସାନ ଝିଅ ଅନୁ ଭଲ ପାଠ ପଢୁଥିଲା । ପାଠ ପଢା ସରିବା ପରେ ହାଇସ୍କୁଲରେ ପୋଷ୍ଟିଂ ପାଇଲା । ଶିକ୍ଷୟିତ୍ରୀ ଭାବରେ ଭଲ ନାଁ କରିଥିଲା, କିନ୍ତୁ ଜଣକର ପାଲରେ ପଡି ଜୀବନକୁ ବରବାଦ୍ କରିଦେଲା । ଅନୁର କିଛି ଦିନର ବ୍ୟବଧାନ ପରେ ସେଠାରେ ପୋଷ୍ଟିଂ ପାଇଲା ସୁନିଲ୍ । 


କବିତା ଲେଖିବାକୁ ଭଲ ପାଏ ଅନୁ । ଫେସବୁକରେ ସବୁ କବିତା ଗୁଡିକୁ ପୋଷ୍ଟ କରେ । ସୁନିଲ କବିତା ଗୁଡ଼ିକର ମତାମତ ଦିଏ । ଧିରେ ଧିରେ ଏ କବିତାକୁ ନେଇ କେତେବେଳେ ଉଭୟଙ୍କ ମଧ୍ୟରେ ଏକ ସମ୍ପର୍କ ଗଢି ଉଠିଥିଲା । ସେଦିନ ବାର୍ତ୍ତାଳାପ ମଧ୍ୟରେ ଦୁହେଁ ଦୁହିଁଙ୍କୁ ପରଖିଥିଲେ । ସୁନିଲ ପଚାରିଥିଲା - ତୁମେ କାହାକୁ ଜୀବନ ସାଥି ବାଛିଛ କି ? ଅନୁ ଲାଜେଇ ଯାଇଥିଲା । ସୁନିଲର ପ୍ରଶ୍ନର ଉତ୍ତରରେ ନିରବ ରହିଥିଲା । ଯୌବନର ଆଦ୍ୟଭାଗରେ ଅନୁ । ନିରବ ଭାବମୟ ମଧ୍ଯରେ ସ୍ବୀକୃତି ପାଇଥିଲା ସୁନିଲ୍ । କାରଣ ଷୋଳଟି ଫଗୁଣରେ ଅନୁ । ସୁନିଲର ଉତ୍କଣ୍ଠା ଭରା କଥାରେ ଅନୁର ଦେହ ମନରେ ପ୍ରେମର ରଙ୍ଗ ବୋଳି ହୋଇଥିଲା।


ଅନୁ ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା । ଗୋରା ତକତକ ଚେହେରା, ମୁହଁଟି ଚନ୍ଦ୍ର ପରି ଗୋଲ୍ । ଗାଲ ଦୁଇଟି ପଦ୍ମ ଫୁଲର ପାଖୁଡା ପରି ଇଶତ୍ ଲାଲ୍ । ଅତୁଟ ସ୍ବାସ୍ଥ୍ୟ, ସୁନ୍ଦର ଚେହେରା.... ଯେ କେହି ଦେଖିଲେ ମଧ୍ଯ ଆଖି ଲାଗି ରହିବ.... । ପ୍ରେମର ପ୍ରଥମାର୍ଦ୍ଧରେ ସୁନିଲ ଅନୁକୁ ନିଜର କରିନେଲା । ମନ ପକ୍ଷୀ ଉଡି ବୁଲିଲା ପରି ଅନ୍ତ ହୀନ ଆକାଶରେ ଅନେକ ଦୂରକୁ। ପ୍ରେମର ସାତ ରଙ୍ଗରେ ରଙ୍ଗୀନ ହେଲା ଉଭୟଙ୍କ ମନ। ସୁନିଲ ହଜିଲା ଦିବାରାତ୍ର ଅନୁର ପ୍ରେମରେ । ଅନୁର ସ୍ମିତହାସ୍ୟ ସୁନିଲ ମନର ଉନ୍ମାଦନା ଓ ଉତ୍ସୁକତାକୁ ଅନେକ ଗୁଣ ବଢ଼ାଇ ଦେଇଥିଲା । ଅନୁ ପାଇଁ ସ୍ବପ୍ନର ସୌଧଟିଏ ଗଢିଥିଲା ଅତି ଗୋପନ ଭାବରେ ସେଦିନ ।


ଅନୁ କିନ୍ତୁ ବିଷମ ପରିସ୍ଥିତିରେ ପଡିଥିଲା । ଅନ୍ୟ ଜାତିର ପୁଅ ସହିତ ବିବାହ କରିବାକୁ ବାପା ମା ରୋକ୍ ଠୋକ୍ ମନା କରିଦେଇଥିଲେ । ନିଜର ଭୁଲ ଠିକ୍ ବିଚାରି ନ ଥିଲା ଅନୁ । ବାପାମାଆଙ୍କର ପ୍ରତିବାଦ ସତ୍ତ୍ୱେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା । ବିବାହ ପରର ସକାଳ ଅନୁ ପାଇଁ ଗୋଟିଏ ନୂଆ ଠିକଣା ନେଇ ଆସିଥିଲା । ପାଖରେ ସୁନିଲଙ୍କୁ ପାଇଥିଲା ଶୟନ ଅବସ୍ଥାରେ । ଅନୁ ଭାବୁଥିଲା କେତେ ଭାଗ୍ୟବତୀ ମୁଁ ! ଭଲପାଉଥିବା ମଣିଷଟେ କାହା ଭାଗ୍ୟରେ ଥାଏ ? ଆମେ ଉଡି ବୁଲୁଥିବା ପ୍ରେମ ପକ୍ଷୀ ବସାଟିଏ ବାନ୍ଧିଲେ । ସେ ଭଡା ଘର ହେଉ ପଛେ... ନୀଡଟି ଆମର ବହୁତ ନିଜର । ଏହା ଭିତରେ ମାସେ ଅତିକ୍ରମ କରି ସାରିଥିଲା | କୁହନ୍ତି ପ୍ରେମର ଅନେକ ରଙ୍ଗ ଥାଏ କିନ୍ତୁ ସୁନିଲର କେଉଁ ରଙ୍ଗ ଥିଲା, ତାହା ବୁଝି ପାରୁନଥିଲା ଅନୁ । ସେ ଦିନର ମେଘୁଆ ସକାଳ, ଭାବିଲା ଆଜି ମନର କଥା କହିଦେବ ବୋଲି । 


ଭାବୁଛି ! ସ୍କୁଲ ଯିବା ଆରମ୍ଭ କରିଦେବି। ତୁମେ ତ ଯାଉଛ ମୁଁ କେତେଦିନ ଆଉ ଛୁଟି ନେଇ ରହିବି ? ମୁଁ ଘରେ ଏକା ରହି ବୋର୍ ହେଉଛି। ଏହା ଶୁଣି ସୁନିଲ ଅନୁ ପାଖକୁ ଆସିଗଲା ଆଉ ମୁହଁରେ ପଡିଥିବା ଛୋଟ ଚୁଟିକୁ ହାତରେ ହଟେଇ କାନ ପଛରେ ରଖି କହିଲା.... ମୋ ଠାରୁ ମନ ପୁରିଗଲା କି ? ପାଗଳ ହୋଇଗଲ କି କହି ହସି ଦେଲା ଅନୁ ! ତାହେଲେ ସ୍କୁଲକୁ ଯିବା କଣ ଦରକାର ? ଏତିକି କହି ଜୋରରେ ଧକ୍କା ଦେଲା । ବିରକ୍ତି ଭାବରେ ସୁନିଲ କହିଲା ! ସ୍କୁଲରେ ଅନ୍ୟ ସାର୍ ଙ୍କ ସହିତ ମିଶିବାକୁ ଚାହୁଁଛ ? ଅନୁ ଆଶ୍ଚର୍ଯ୍ୟ ହୋଇଗଲା ! ଏମିତି କ'ଣ କହୁଛ ? ସାଙ୍ଗେ ସାଙ୍ଗେ ଅନୁର ଗାଲକୁ ଶକ୍ତ ଚାପୁଡ଼ା ମାରି କହିଲେ... ଘରେ ବସ୍.... କୁଆଡେ ଯିବା ଦରକାର ନାହିଁ । ଆମ ଖାନ୍ ଦାନରେ ବୋହୂ ଘରୁ ଗୋଡ କାଢି ଚାକିରୀ କରେନି । ଅନୁ ଡରରେ ଥରି ଯାଇଥିଲା । ଅନୁର ମନ ,ଆତ୍ମା ପଚାରୁଥିଲା ? ଏଇଟା କିପରି ଛୁଆଁ ଥିଲା ଯେଉଁଟା ମୋତେ ମୋର କରାଯାଇଥିବା ନିଷ୍ପତ୍ତି ଉପରେ ପ୍ରଶ୍ନ କରୁଥିଲା ? ପୁରା ଦୁନିଆଟା ପର କରିଦେଲେ କଷ୍ଟ ହୁଏନି କିନ୍ତୁ ନିଜ ଲୋକ ଅବିଶ୍ଵାସ କଲେ ଭାରି କଷ୍ଟ ହୁଏ ।


ଅନୁ ଚାକିରୀ ଛାଡ଼ିବାକୁ ରାଜି ହେଲା ନାହିଁ । ସୁନିଲ୍ ତାର ଜିଦ୍ଦିରେ ଅଟଳ ରହିଲା । ଉଭୟଙ୍କ ମଧ୍ୟରେ ସ୍ନେହ ପ୍ରେମ ପରିବର୍ତ୍ତେ ଅବିଶ୍ବାସର ବାତାବରଣ । ଜଣେ ଜଣକ ପାଇଁ ତ୍ୟାଗ ସମର୍ପଣ ପରିବର୍ତ୍ତେ ହିଂସା ନିର୍ଯାତନା । ସବୁଦିନ କେତେ ସହିବ ଅନୁ ! ସାମାନ୍ୟ କଥାରେ ମାଡ । ନିଜ ବଂଶ ପରମ୍ପରା ଶିକ୍ଷକତାକୁ ଦୃଷ୍ଟିରେ ରଖି ସବୁ ସହିଯାଏ । ଏପଟେ ବଡ ଭଉଣୀ ଅରୁନ୍ଧତୀର ସ୍ବାମୀ ସଡକ ଦୁର୍ଘଟଣାରେ ଆର ପାରିକୁ ଚାଲିଗଲେ । ବାପାମାଆ ଭାଙ୍ଗି ପଡିଲେ । ଏଭଳି ଏକ ଦୁଃଖ ଆସିବ ସେ କେବେ ଜାଣି ନ ଥିଲେ । କିଏ ବୁଝାଇବ କେମିତି ବୁଝାଇବ ତାଙ୍କୁ ? ଦୁଇ ଝିଅଙ୍କ ଅବସ୍ଥା ନ କହିବା ଭଲ । ଅରୁନ୍ଧତୀ ଷ୍ଟାପ୍ ନର୍ସ ଭାବରେ ଅନୁ ଠାରୁ ଅଳ୍ପ ଦୂରରେ ପୋଷ୍ଟିଂ ହୋଇଥାଏ । ଭଉଣୀର ସବୁ କଥା ଜାଣେ କିନ୍ତୁ "କିଂ କର୍ତ୍ତବ୍ୟ ବିମୂଢ" ।


ଆଜି ଏ ଅବସ୍ଥାରେ ଅନୁକୁ ଦେଖି ଏକ ନିଷ୍ପତ୍ତି ନେବାକୁ ଚିନ୍ତା କଲା । ଅନୁ ଭଉଣୀ ଠାରୁ ସାହାସ ପାଇ ଗଲା ସୁନିଲ୍ ପାଖକୁ । ସୁନିଲ୍ ପଚାରିଲା କ'ଣ ପାଇଁ ଆସିଛ ? ତାର କଥା ଶୁଣି ରକ୍ତ ଗରମ ହୋଇ ଯାଉଥିଲା ଅନୁର । ନିଜକୁ ନିୟନ୍ତ୍ରଣ କରି ଛାଡପତ୍ର କାଗଜଟି ବଢ଼େଇ ଦେଲା । କ'ଣ ବୋଲି କହି ପଢି.... ରାଗରେ ଚିରି ଦେଲା । କହିଲା ସାହସ୍ ତ କମ ନୁହେଁ । ଅନୁ ଭାବି ହେଉଥାଏ - ଏଇ କାଗଜ ତୁମେ ଚିରି ଦେଇ ପାର କିନ୍ତୁ ମୁଁ ତୁମ ସହ ଆଉ କେବେବି ରହି ପାରିବିନି । ଜିନିଷ ପୁରୁଣା ହେଲେ ଅବହେଳା ବଢିଯାଏ । ମୋର ସତୀତ୍ଵ ଉପରେ ତୁମର ପ୍ରଶ୍ନ ? ମୁଁ ସବୁ ସହି ଆସିଛି, ସମ୍ପର୍କର ଆଉ ସେ ଅଡୁଆ ସୂତା କୁ ସଜାଡି ପାରିବି ନାହିଁ । ଆଜି ଠାରୁ କେବେବି ମୋ ସାମ୍ନାକୁ ଆସିବନି ଚେତେଇ ଦେଲି । 


ମୋ କଥା ଶୁଣି ରାଗିଯାଇ ମୋତେ ମାରିବାକୁ ଉଦ୍ୟତ ହେଲେ । ଏଥର କିନ୍ତୁ ମୁଁ ଚୁପ୍ ନ ଥିଲି । ଯେସାକୁ ତେସା ଭାବି ହାତକୁ ଧରି ନେଲି । ମୋ ଉପରକୁ ଆସୁଥିବା ସବୁ ଝଡ଼କୁ ପ୍ରତିରୋଧ କଲି । ସେ ମୋତେ ଛାଡପତ୍ର ଦିଅନ୍ତୁ ଅବା ନଦିଅନ୍ତୁ, କିନ୍ତୁ ମୁଁ ମୋ ମନ ହୃଦୟରୁ ତାଙ୍କୁ ସମ୍ପୂର୍ଣ୍ଣ ଭାବେ କାଢି ନିଜସ୍ବ ଶୈଳୀରେ ବଞ୍ଚିବାକୁ ଚେଷ୍ଟାକଲି । ବର୍ତ୍ତମାନ ମୁଁ ମୁକ୍ତ ଆକାଶର ବିହଙ୍ଗ ଭାବରେ ମୁକ୍ତିର ଅନୁଭବ କରୁଥିଲି ।


Rate this content
Log in

Similar oriya story from Drama