ମୃତ୍ୟୁ
ମୃତ୍ୟୁ


ଯାହା ସହିତ ତୁମେ ମିଶିଲ ତା'କୁ କ୍ରୋଧ କଲ । ଆଉ ଯାହା ସହ କେବେ ତୁମେ ଜୀବନ ବାଟରେ ମିଶି ପାରିଲନି ତା'କୁ ତୁମେ ରାଗି ପାରିଲନି । ଏଥିରୁ ତୁମେ କ'ଣ ବୁଝୁଛ, ସିପି ? ଯେ, ଯିଏ ଯାହାକୁ ଭଲପାଏ, ଭଲ ଭାବରେ ମିଶିଥାଏ, ତା'କୁ ହିଁ ସିଏ କ୍ରୋଧ କରିଥାଏ । ଅଜଣା ଅଚିହ୍ନାକୁ କିଏ - କେବେ - କାହିଁକି ରାଗିବ ? ତୁମ ଅନ୍ତରାତ୍ମାକୁ ପଚାର ମୁଁ ଠିକ୍ କହୁଛି କି ନାହିଁ ଜାଣି ପାରିବ ?
କଲେଜ୍ ଲାଇବ୍ରେରୀରେ ଆମେ ଦୁହେଁ ବସି ଏମିତି ଅନେକ ଆଳାପ କରୁଥିଲୁ । ସିପି ମୋତେ ପ୍ରଚୁର ରାଗୁଥିଲା । ତା' ରାଗିବାର କାରଣ ମୁଁ ଅନେକ କିଛି ଭାବୁଥିଲି । ହେଲେ ତା' ଠାରୁ ଯେବେ ଶୁଣିଲି ମୁଁ ଆଶ୍ଚର୍ଯ୍ୟ ହେଲି । ସହପାଠିନୀ ଡଲିକୁ କେମେଷ୍ଟ୍ରି ନୋଟ୍ ଦେଇ ସାହାଯ୍ୟ କଲି ବୋଲି ସେ ମୋତେ ରାଗୁଥିଲା । ତା'କୁ ସାହାଯ୍ୟ କି ସହଯୋଗ କଲେ ସେ ଈର୍ଷାରେ ଜଳୁଥିଲା । ଏହା ମୋ ପାଇଁ ଭାରି ଦୁଃଖ ଦାୟକ ଥିଲା ।
ସିପି ଆଉ ମୁଁ ପରସ୍ପରକୁ ଭଲପାଉ । ସେ ମୋତେ ଡଲି କୁ ନେଇ ବାରମ୍ବାର ସନ୍ଦେହ କରିବା ମୋ ପାଇଁ ଅତ୍ଯନ୍ତ ଅସହ୍ଯବୋଧ ହେଉଥାଏ ।
ସେଦିନ କଲେଜ୍ ରେ ପ୍ରଥମ ସେମିଷ୍ଟାର୍ ପରୀକ୍ଷା ଥିଲା । ଡଲିକୁ ଛାଡି ବାକି ସମସ୍ତେ ପହଞ୍ଚି ସାରିଥିଲେ । ପରୀକ୍ଷା ସରିଲା ପରେ କଲେଜ୍ କ୍ଯାମ୍ପସ୍ ରେ ମଞ୍ଜୁ ଠାରୁ ଯେବେ ସିପି ଆଉ ମୁଁ ଶୁଣିଲୁ ଆମେ ସ୍ତବ୍ଧ ହେଇଗଲୁ । ଆଜି ସକାଳେ ରିଆମାଳରୁ ଡଲି ତା' ଗାଆଁର ସଂପର୍କୀୟ ଭାଇ ଜୀବନ ସହ ମଟରସାଇକେଲ୍ ରେ କଲେଜ୍ କୁ ପରୀକ୍ଷା ଦେବାପାଇଁ ଆସୁଥିଲା । ଆସୁଥିବା ବେଳେ ହଦମୁଣ୍ଡା ଘାଟିଠାରେ ଦେବଗଡରୁ ଅନୁଗୋଳକୁ ଯାଉଥିବା ଯାତ୍ରୀବାହୀ ଘରୋଇ ସରସ୍ବତୀ ବସ୍ ସହ ତାଙ୍କ ମୋଟର ସାଇକେଲର ଧକ୍କା ହେଲା । ଫଳରେ ଘଟଣା ସ୍ଥଳରେ ତା' ଭାଇର ମୃତ୍ୟୁ ହେଲା । ଡଲି ଦେବଗଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁବରଣ କରିଛି । ଏହା ଶୁଣି ଆମର ଗୋଡହାତ କିଛି ସମୟ ଚଳିଲା ନାହିଁ । କଲେଜ୍ ସାରା ସମସ୍ତେ କହିବାକୁ ଲାଗିଲେ, ଆହା ! ଡଲି ବହୁତ୍ ଭଲ ଝିଅ ଥିଲା, ଚାଲିଗଲା ।
ଯେଉଁ ଡଲିକୁ ନେଇ ସିପି ମୋତେ ସବୁବେଳେ ସନ୍ଦେହ କରୁଥିଲା ସେ ଆଜି ଆଖିରୁ ଲୁହ ଝରାଇ କାନ୍ଦିବାକୁ ଲାଗିଲା । ମୁଁ ତା'କୁ ଅନେକ ବୁଝାଇଲି । ମୃତ୍ୟୁ କୁ ନେଇ ଯେବେ ବିସ୍ତୃତ ଭାବେ ମୋ ମନର ଭାବନା ଶୁଣାଇଲି ସେବେ ସେ ଏକ ଲୟରେ ଶୁଣିବାକୁ ଲାଗିଲା ।
ମୃତ୍ୟୁ ଲୋକରେ ମୃତ୍ୟୁ ସୁନିଶ୍ଚିତ । କିଏ - କେବେ - କେମିତି ମୃତ୍ୟୁକୁ ଆପଣାର କରିବ, ପ୍ରାପ୍ତ ହେବ ସେ ସବୁକିଛି ସମୟ ହାତରେ । ସମୟର କାଳଚକ୍ରରୁ କେହି ମଧ୍ୟ ବର୍ତ୍ତି ପାରିବେ ନାହିଁ । ଏ ସମୟ ହିଁ ସବୁକିଛି ବଦଳାଇ ଦେବ । ଦେଖିଲ ତ ! ଯାହାକୁ ନେଇ ମୋତେ ସବୁବେଳେ ସନ୍ଦେହ କରୁଥିଲ ସେ ଡଲି କ'ଣ ଆଜି ଆମ ଗହଣରେ ଆଉ ଅଛି ? ସେ ଯେଉଁ ବାଟ ଦେଇ ମର୍ତ୍ତ୍ଯପୁରରୁ ବିଦାୟ ନେଲା ଆମେ ମଧ୍ଯ ଦିନେ ଏଠାରୁ ଚାଲିଯିବା ସେଇ ବାଟ ଦେଇ । ହେଲେ; ଆମର ମୃତ୍ୟୁ ର କାରଣ ଦୁର୍ଘଟଣା ନ ହୋଇ ଅନ୍ଯ କିଛି ବି ହେଇପାରେ । ବଡ ବଡ ରୋଗର ଅନ୍ତ ଆପଣାର ମୃତ୍ଯୁରେ ହିଁ ହୋଇଥାଏ, ସିପି । ମୃତ୍ୟୁ ପରେ ପୂନର୍ଜନ୍ମ ହୁଏ ବୋଲି ପୁରାଣରୁ ଶୁଣିଛି, ହେଲେ; ତାହା ମିଛ ହେଇପାରେ । କିନ୍ତୁ; ଜନ୍ମମୃତ୍ଯୁ ସତ୍ଯ ବୋଲି ତୁମେ ବି ଜାଣିଛ ମୁଁ ବି ଜାଣିଛି । ସମୟ ସ୍ରୋତରେ ସମସ୍ତେ ଜନ୍ମଭୂମି, କର୍ମଭୂମି, ଧର୍ମଭୂମି ଧରାରେ ମୃତ୍ୟୁ ଲଭିବେ । ଏ ଧାରା ଧରାର ସର୍ଜନା ସମୟରୁ ହିଁ ଧରାରେ ଚଳି ଆସୁଛି । କେହି ଜଣେ ବି ବାଦ୍ ପଡି ନାହାଁନ୍ତି । ପରିବର୍ତ୍ତନଶୀଳ ଦୁନିଆରେ ମୃତ୍ୟୁକୁ ପରିବର୍ତ୍ତନ କରି କେହି ଜଗତରେ ସବୁଦିନ ପାଇଁ ଜୀବନ ଜୀଇଁବାର ଡିଣ୍ଡିମ ପିଟି ପାରିନାହିଁ । ଏ ଧରା ଥିବ, ହେଲେ; ଆମେ ନଥିବା । ଆମର ଆୟୁ ଅଳ୍ପ । ଆମ ଆଗରୁ ଅନେକ ଆସି ପୁଣି ଚାଲି ଯାଇଛନ୍ତି । କେତେ କେତେ ମୁନିଋଷି, ଜ୍ଞାନୀଗୁଣି, ରାଜା ମହାରାଜା, ନେତାମନ୍ତ୍ରୀ ମୃତ୍ୟୁ କୁ ଜୟ କରିପାରି ନାହାଁନ୍ତି । ଅନେକ ଦାର୍ଶନିକ, କବି - ସାହିତ୍ୟିକ, ବୈଜ୍ଞାନିକ ଏ ଧରାରେ ଜନ୍ମ ନେଇ ଧରାକୁ ପବିତ୍ର କରି ଦେଇଛନ୍ତି, ଅନେକ ଉଦ୍ଭାବନ - ଆବିଷ୍କାର କରି ଦେଇଛନ୍ତି, ଅନେକ ଅନେକ ବେଦ - ଶାସ୍ତ୍ର - ପୁରାଣ - ଗ୍ରନ୍ଥ - ଶ୍ଳୋକ - ମହାମନ୍ତ୍ର ରଚନା କରି ଯାଇଛନ୍ତି । ହେଲେ; ମୃତ୍ୟୁ କୁ ଜିତିବାର କଳା, ମହାମନ୍ତ୍ରକୁ କେହି ଦାନବ - ମାନବ ଅବା ଦେବତା ହାସଲ କରି ପାରି ନାହାଁନ୍ତି । ଜନ୍ମ ଲଭିଲା ମାତ୍ରକେ ମୃତ୍ୟୁ ପଛରେ ସେମାନେ ସମସ୍ତେ ଧାଇଁଛନ୍ତି, ନଚେତ୍; ମୃତ୍ୟୁ ସେମାନଙ୍କ ପଛରେ ଧାଇଁଛି । ଏହା ହିଁ ଧ୍ରୁବ ସତ୍ଯ ।
ମୃତ୍ୟୁ ଶରୀରର ହୁଏ, ଏହା ସତ୍ଯ । କାରଣ ଏ ଶରୀର ପଞ୍ଚଭୂତର ମହାମିଳନରୁ ସୃଷ୍ଟି । ତଥାପି ଆମେ ଶରୀରର ରୂପ - ରଙ୍ଗ - ଯୌବନକୁ ଭଲ ପାଆନ୍ତି । କେବେ ମଧ୍ଯ ଶରୀର ମଧ୍ଯରେ ନିବାସ କରୁଥିବା ପବିତ୍ର ଆତ୍ମାକୁ ଚିହ୍ନି ପାରନ୍ତି ନାହିଁ, ଯାହା ପରମାତ୍ମାଙ୍କ ଦାନ । କାହାରି ହୃଦୟର ନିଭୃତ ଇଲାକାରେ ବାସ କରିବା ପାଇଁ ଟିକିଏ ବି ଚେଷ୍ଟା କରନ୍ତି ନାହିଁ । କାହାକୁ ଭଲପାଇବା ଆଗରୁ ତା'ର ମନକୁ ନଚିହ୍ନି ଶରୀରକୁ ଦେଖନ୍ତି, ତାହା ଗୋରା ନା କଳା, ତା'ର କେତେ ଧନ - ଟଙ୍କା - ସୁନା ଅଛି । ତା'ର ପରିବାର ସମ୍ଭ୍ରାନ୍ତ କି ନାହିଁ ? ସତରେ ଆମେ କେଡେ ନିଷ୍ଠୁର ! ମନ ରୂପି ଆତ୍ମାକୁ ପୂଜା ନକରି ଦେହ ଯୌବନର ପଛରେ ପଡନ୍ତି । ତା' ପଛରେ ସକଳ ସମୟ ସାରି ଦିଅନ୍ତି । ଯେବେ ଶରୀରର ବୟସ ଚାଲିଯାଏ ସେବେ ପଶ୍ଚାତାପ୍ କରିବା ଛଡା ଆଉ କିଛି ଉପାୟ ହିଁ ପାଖରେ ନଥାଏ । ତେଣୁ ବେଳହୁଁ ସାବଧାନ ହୋଇ ଅନ୍ଯଠାରୁ ନିଜକୁ ପ୍ରଥମେ ଭଲ ପାଇବାକୁ ହେବ । ଯେ, ନିଜକୁ ଭଲ ପାଇ ପାଇବ ନାହିଁ ସେ କେବେ କେମିତି ଅନ୍ଯକୁ ଭଲପାଇ ପାରିବ ? ଏହା ତ ଅସମ୍ଭବ କଥା ନା !
ହଁ ହଁ, ତୁମେ ଠିକ୍ କହୁଛ ଜ୍ଯୋତି ବୋଲି ସିପି ମୋତେ କହିଲା ।
ମୁଁ ତା'ର ନୀଳ ନୀଳ ଆଖି ଦୁଇଟିକୁ ଦେଖି ପଚାରିଲି,
- ତୁମେ ସତରେ କ'ଣ ମୋତେ ପ୍ରେମ କର, ସିପି ?
- ହଁ, ଏଥିରେ ସନ୍ଦେହ ଅଛି କି ? ମୁଁ ତୁମକୁ ପ୍ରଚୁର ଭଲପାଏ ।
- ନା ନା, ମୁଁ ଭଲପାଇବା କଥା କହୁନି । ତୁମେ ମୋତେ ସତରେ ପ୍ରେମ କରୁଛ କି ବୋଲି ପଚାରିଲି ।
- ହଁ ପ୍ରେମ କରୁଛି, ବିବାହ ବି କରିବି ।
- ହଉ ଠିକ୍ ଅଛି, ତା' ହେଲେ ମୁଁ ଯାହା ପଚାରିବି ସବୁ ସତ ସତ ମୋତେ କହିବ ।
- ହଁ ହଁ, ପଚାର !
- ବର୍ତ୍ତମାନ ଆମେ ଅବିବାହିତ, ପୂର୍ଣ୍ଣ ଯୌବନ ପ୍ରାପ୍ତ । ନା ଏ କଲେଜ୍ ରେ ପଢିବା ଆଗରୁ ପରସ୍ପରକୁ ଆମେ ଚିହ୍ନିଥିଲେ ନା ଜାଣିଥିଲେ । ଯଦି ଏ କଲେଜ୍ ରେ ନ ପଢି ମୁଁ ଅନ୍ଯ କେଉଁ କଲେଜ୍ ରେ ପଢିଥାନ୍ତି ତା' ହେଲେ ତୁମ ସହ କେବେ ଜୀବନରେ ଭେଟ ଟିକିଏ ବି ହେଇ ନଥାଆନ୍ତା । ତୁମେ କ'ଣ ମୋତେ ଏ ଧରାରେ ଖୋଜିଥାନ୍ତ ? ପ୍ରେମ କରିଥାନ୍ତ ? ଏ ନୀଳ ନୀଳ ଆଖିରେ ମୋତେ ଦେଖିଲ, ତୁମକୁ ଭଲ ଲାଗିଲି ବୋଲି ମୋତେ ତୁମେ ସ୍ବୀକାର କଲ, ଭଲପାଇଲ - ପ୍ରେମ କଲ । ଯଦି ମୋର ଆଖି ଦୁଇଟି ଫୁଟିଯାଏ କି କୌଣସି ଦୁର୍ଘଟଣାରେ ସଂପୂର୍ଣ୍ଣ ଶରୀର ମୋର ଚଳପ୍ରଚଳ କରି ନପାରେ । ତେବେବି କ'ଣ ତୁମେ ମୋତେ ସ୍ବୀକାର କରିବ, ବିବାହ ପାଇଁ ରାଜି ହେବ ? ନିଜ ଅନ୍ତରାତ୍ମାକୁ ପଚାରି କି ମୋର ପ୍ରଶ୍ନର ଉତ୍ତର ଦିଅ, ସିପି ।
- ସିପି ଟିକିଏ ଗମ୍ଭୀର ରହି ମୋତେ କହିଲା - ଏମିତି ହେଲେ ତ ମୁଁ ନିଶ୍ଚିତ ମୋର ବାଟ ବଦଳାଇ ଦେବି । ତୁମ ପଛରେ କ'ଣ ପାଇଁ ମୋର ଅମୂଲ୍ୟ ସମୟ ବରବାଦ୍ କରିବି । ଯିଏ ମୋର ଭୋଗବିଳାସର ସାଥି ହେଇ ପାରିବ ନାହିଁ, ମୋ ସହ ପାଦକୁ ପାଦ ମିଶାଇ ଆଗକୁ ବଢି ପାରିବ ନାହିଁ । ତା' ସହ ବିବାହ ତ ଦୂରର କଥା ମୁଁ କୌଣସି ବନ୍ଧୁତା କିମ୍ବା ସଂପର୍କ ରଖିବା ପାଇଁ ପସନ୍ଦ କରିବି ନାହିଁ । ଏ ଦୁର୍ଲଭ ମାନବ ଜନ୍ମକୁ ମୁଁ ମନଭରି ଉପଭୋଗ କରିବାକୁ ଚାହେଁ, ଜ୍ଯୋତି ।
- ଏବେ ବୁଝି ପାରିଲ ତ । ଏ ସଂସାରରେ ସମସ୍ତେ ସ୍ବାର୍ଥୀ । ଆଖି ଅଛି ବୋଲି ଆମେ ସୁନ୍ଦର ଅସୁନ୍ଦର ବାଛବିଚାର କରୁଛନ୍ତି । କଳା ଗୋରା ବୋଲି କହି ଅନ୍ଯ ମନରେ କଷ୍ଟ ଦେଉଛନ୍ତି । ହେଲେ ଥରେ ଭାବ ତ ଯଦି ସେ ଆଖି ଦୁଇଟି ନଥାନ୍ତା । କ'ଣ କେବେ ତୁମେ ମୋ ପଛରେ ପଡିଥାନ୍ତ ? କେବେ ନୁହେଁ ନା ! ସଂସାରରେ ସମସ୍ତେ ବଞ୍ଚିବାକୁ ଭଲପାଆନ୍ତି ମରିବାକୁ ନୁହେଁ । ସୁଖ ଚାହାଁନ୍ତି ଦୁଃଖ ନୁହେଁ । ଏହା ସତ୍ଯ ।
ପ୍ରତାରଣା ଆଉ ମୃତ୍ୟୁ ପରସ୍ପର ପରିପୂରକ । ଆତ୍ମା ଓ ଶରୀରର ମହାମିଳନ ହିଁ ଜନ୍ମ । ଆଉ ତା'ର ବିଚ୍ଛେଦ ହିଁ ମୃତ୍ୟୁ । ସେହିପରି ମନର ପବିତ୍ର ମିଳନ ହିଁ ପ୍ରେମ ଆଉ ବିଚ୍ଛେଦ ହିଁ ପ୍ରତାରଣା ।
ଏ ସଂସାର ହେଉଛି ରଙ୍ଗମଞ୍ଚ, ଆଉ ଏ ରଙ୍ଗମଞ୍ଚର ଆମେ ଜଣେ ଜଣେ ଚରିତ୍ର । ଏ ଚରିତ୍ରର ମୃତ୍ୟୁ ଅଛି । ହେଲେ ଭଲ କର୍ମ ର କେବେ ମୃତ୍ୟୁ ହୁଏ ନାହିଁ । ସମୟ ପୁରିଲେ ମୃତ୍ୟୁ ଡାକ ଦେବ । ସମସ୍ତଙ୍କୁ ଇହଧାମ ଛାଡିବାକୁ ପଡିବ । ଯେ, ମୃତ୍ୟୁକୁ ଭୟ କରେ ସେ କେବେବି ଏ ସଂସାରରେ କୌଣସି ବି କାର୍ଯ୍ଯ କରିପାରିବ ନାହିଁ । ଏଣୁ ମୃତ୍ୟୁ କୁ ଭୟ ନକରି ଯାତ୍ରା ତଥା କର୍ମ କଲେ ସୁଫଳ ମିଳିବ । ମୃତ୍ୟୁ ଆସିବ, ଆଜି ନହେଲେ କାଲି । ତା' ବୋଲି ମୃତ୍ୟୁ କଥାକୁ ଚିନ୍ତା କରି ଆଗକୁ ପାଦ ବଢାଇବା କ'ଣ ବନ୍ଦ କରିଦେବା ? କଦାପି ନୁହେଁ ନା ! ମୃତ୍ୟୁ ସହ ସଂଘର୍ଷ କରିବା । ଏ ମୃତ୍ୟୁ ଯେମିତି ଆମ କର୍ମ ଆଗରେ ହାର୍ ମାନେ ସେଭଳି ଜନକଲ୍ଯାଣକାରୀ କର୍ମ କରିବାକୁ ହେବ । ତେବେ ଯାଇ ମୃତ୍ୟୁ ଲୋକରେ ମୃତ୍ୟୁକୁ ପ୍ରାପ୍ତ ହୋଇ ମଧ୍ୟ ଆମର ମୃତ୍ୟୁ ହେବ ନାହିଁ ।
ଏ ଭୂଇଁରେ ଜନ୍ମ ନେଇ ଅନେକ ବିଦ୍ବାନ, ମହର୍ଷି, ତପସ୍ବୀ, ସମାଜସେବୀ, ପରିବ୍ରାଜକ, ସମ୍ରାଟ୍, ଶିଳ୍ପୀ - କଳାକାର, ଗୁରୁ, ବୈଜ୍ଞାନିକ, ଯବାନ, ସଂଗ୍ରାମୀ ତଥା ଦେଶ ସେବକ ସମାଜର ହିତ ପାଇଁ ନିଜର ସମସ୍ତ ସମୟ ଉତ୍ସର୍ଗ କରି ଏମିତି କର୍ମ କରି ଯାଇଛନ୍ତି ଯେ, ସେମାନେ ସକଳେ ଆଜି ମୃତ୍ୟୁକୁ ପ୍ରାପ୍ତ କରି ମଧ୍ଯ ପ୍ରତିଟି ହୃଦୟରେ ଜୀବିତ ଅଛନ୍ତି । ଏ ସମାଜ ତା'ଙ୍କୁ ଭୁଲି ପାରୁନି । ଆମ୍ଭଙ୍କୁ ସେମିତି କର୍ମ କରିବାକୁ ହେବ । ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବାକୁ ହେବ ।
ବୃକ୍ଷ ପତ୍ରଝଡା ଦିଏ । ଯେଉଁ ପତ୍ରକି ବୃକ୍ଷ ପାଇଁ ଆହାର ଯୋଗାଏ । ଆଉ ଏ ଜଗତ ପାଇଁ ଅମ୍ଳଜାନ ଦେଇ ପ୍ରତିଟି ଜୀବନ ବଞ୍ଚାଏ । ଯଦି ସେ ପତ୍ର କଅଁଳୁ କଅଁଳୁ ଝଡିଯିବ, ଠିକ୍ ଡଲି ପରି । ସେବେ ଏ ସଂସାରର ଅବସ୍ଥା କ'ଣ ହେବ ? ପାଚିଲା ପତ୍ର ତଳେ ଝଡି ପଡିଲେ ଯେତିକି ଯନ୍ତ୍ରଣା ନମିଳେ, ତା' ଠାରୁ ବେଶି କଷ୍ଟ ମିଳେ ଯେବେ ପୂର୍ଣ୍ଣ ଯୌବନ ପ୍ରାପ୍ତ ହେବା ଆଗରୁ, ସମାଜର କୌଣସି ସେବାରେ ନଲାଗିବା ଆଗରୁ ଯଦି କେହି ମୃ
ତ୍ୟୁକୁ ପ୍ରାପ୍ତ ହୁଏ, କଞ୍ଚା ସୁସ୍ଥ ଶବଳ ପତ୍ରଟିଏ ଅକାଳରେ ତଳେ ଝଡି ପଡିଯାଏ । ସେ ଜାତି ଦୁର୍ବଳ ହେବା ସହ ସମାଜର ଅପୂରଣୀୟ କ୍ଷତି ହୁଏ ।
ଧରାରେ ମୃତ୍ୟୁ ହିଁ ଧ୍ରୁବ ସତ୍ଯ । ମୃତ୍ୟୁ ବାଟର ସମସ୍ତେ ବାଟୋଇ । ଜନ୍ମ ନେଲେ ମୃତ୍ୟୁ ହେବ, ଏହା ବିଧିର ନିୟମ । ସ୍ବୟଂ ଭଗବାନ୍ ମଧ୍ୟ ମୃତ୍ୟୁ ଲୋକରେ ଅବତାର ନେଇ ଜୀବିତାବସ୍ଥାରେ ସ୍ବର୍ଗାରୋହଣ କରି ପାରି ନାହାଁନ୍ତି । ପଞ୍ଚଭୂତକୁ ଆୟତ କରି ମୃତ୍ୟୁ ଉପରେ ବିଜୟ ପାଇବା କ'ଣ ଏତେ ସହଜ କଥା ? ଏ ମୃତ୍ୟୁ ହେଉଛି ମହାକାଳ । ଆଉ ଏ ମହାକାଳ ହେଉଛି ସମୟ । ଯେ, ସମୟକୁ ଜିତିଯିବ ସେ ନିଶ୍ଚିତ ମୃତ୍ୟୁ କୁ ବିଜୟ ପ୍ରାପ୍ତ ହେବ । ଧରାରେ ଜନ୍ମ ଲଭି ଦେବତାଗଣ ସମୟକୁ ଜିତିବାର ଦୁଃସାହସ କରି ପାରି ନାହାଁନ୍ତି ଆଉ ଆମେ ତ ଛାର ମାନବ । ସମୟକୁ ଜିତିବାର ପ୍ରଚେଷ୍ଟା - ଚିନ୍ତା ଆମ ଭାବନା ବାହାରେ, ଯାହା ହାସ୍ୟାସ୍ପଦ ।
ମୃତ୍ୟୁର ଦେବତା ଯମ । ହେଲେ; କାହାରି ମୃତ୍ୟୁ ପାଇଁ ସେ ଦାୟୀ ନୁହଁନ୍ତି । କେହି କେବେ ଯମକୁ ପ୍ରତ୍ଯକ୍ଷ ଭାବରେ ଦାୟୀ କରିବା ମୁଁ ଜାଣିନି ଆଜିଯାଏଁ । ସମସ୍ତେ କୁହାକୁହି ହୁଅନ୍ତି ଯମ ନେଇଗଲା । ସତରେ କ'ଣ ଯମ ଆସି ନେଇଯାଏ ? ଏହା ସତ୍ଯ ଯେ, ଏ ଧରାରେ ମୃତ୍ୟୁ ଲଭୁଥିବା ପ୍ରତ୍ୟେକ ବ୍ଯକ୍ତି ଅକାଳମୃତ୍ଯୁ, ରୋଗମୃତ୍ଯୁ, ଜରାମୃତ୍ଯୁ, ଦୈବ ଦୁର୍ବିପାକ ମୃତ୍ୟୁ, ଦୁର୍ଘଟଣା ଜନିତ ମୃତ୍ୟୁ, ତୀର୍ଥ ମୃତ୍ୟୁ, ଅପମୃତ୍ଯୁ ଆଦି ବିଭିନ୍ନ କାରଣ ଯୋଗୁଁ ହିଁ ମୃତ୍ୟୁକୁ ପ୍ରାପ୍ତ ହୋଇଥାନ୍ତି । ମୃତ୍ୟୁ କଥା ଶୁଣିଲେ ଶରୀର ଥରି ଯାଏ, ଲୋମ ଟାଙ୍କୁରି ଉଠେ । ମନରେ ବିଜୁଳି ଦୌଡେ । ହୃଦୟର ନିଭୃତ ଇଲାକାରେ ଶୀହରଣ ସୃଷ୍ଟି ହୁଏ । ସଂପର୍କୀୟର ମୃତ୍ୟୁରେ ଆଖିରୁ ଅଶ୍ରୁ ନିଗିଡି ପଡେ । ମନ ଜାଣେ ସେ ମୃତ୍ୟୁ ଲଭିଲା ମୁଁ ବି ଲଭିବି ଭବିଷ୍ୟତରେ । ମର୍ତ୍ତ୍ଯରେ ମରିବା ନିୟତିର ବିଧାନ ଯାହା ସୃଷ୍ଟିର ଆରମ୍ଭରୁ ନିୟମିତ ଧାରାରେ ଚଳି ଆସୁଛି । ଯେ, ଜନ୍ମ ଲଭିଲା ସେ ମୃତ୍ୟୁ ଲଭିବ ଦିନେ ପ୍ରକୃତି କୋଳରେ । ତଥାପି ମଧ୍ୟ ସେ ପାପର ପ୍ରଚାର କରେ, ଅଧର୍ମର ସହଯୋଗ କରେ, ହେଲେ; ଧର୍ମର ଜୟଗାନ କରେନାହିଁ । ପ୍ରେମର ଅସ୍ତିତ୍ଵକୁ ମନ ଭିତରେ ଜାଳି ପ୍ରତାରଣା ମିଶା କଳଙ୍କକୁ ହୃଦୟରେ ବସାଇବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରେ, ହିଂସା ଆଚରଣ କରେ, ହେଲେ; କେବେ ଅହିଂସା ବାଟର ବାଟୋଇ ସାଜି ପାରେନି । ଅନ୍ଯକୁ ଦୁଃଖ ଦେଖି ଆପେ ଖୁସି ଅନୁଭବ କରେ । ସତ୍ଯ ଠାରୁ ଦୂରକୁ ଦୂରକୁ ଘୁଞ୍ଚି ଯାଇ ମିଥ୍ଯାକୁ ଆପଣାର କରେ । ବାର - ତିଥି ଦେଖି ପାପ କର୍ମ କରେ, ମାଂସ ଆହାର କରେ । ବିଚିତ୍ର ମଣିଷ ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ମଧ୍ୟ ବଞ୍ଚିବା ପାଇଁ ବୃଥା ପ୍ରୟାସ କରେ । ବେଳ ଆସିଲେ ନିଜର ସ୍ବାର୍ଥ ସିଦ୍ଧି ପାଇଁ ଅନ୍ଯକୁ ମୃତ୍ୟୁ ଶେଯରେ ଶୁଆଇ ଦେଇ ପାରେ । ଆପଣାର ସୁଖ - ଭୋଗ ବିଳାସ ପାଇଁ କେବେ ସେ ଧାର୍ମିକ ସାଜି ଥାଏ ତ କେବେ ହିଂସ୍ର । ଅନ୍ଯକୁ ଘୃଣା ଓ ଈର୍ଷା କରିବାକୁ ସେ ଜମା ଭୁଲେନି ।
ଜରା ହିଁ ଅନୁଭବ କରେ ଜରା ସମୟର କଷ୍ଟ କେତେ ଯନ୍ତ୍ରଣା ଦାୟକ । ବଡ ବଡ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ଜାଣେ ରୋଗ କେଡେ ଭୟାନକ । ତେଣୁ ଜରା ହେଉ ଅବା ରୋଗୀ ସେମାନେ ଇଚ୍ଛା କରିଥାନ୍ତି ଶରୀରକୁ ବଦଳାଇ ପୁଣି ଏ ଧରାରେ ପୂନର୍ଜନ୍ମ ପାଇଁ । ତା'ର ଏକମାତ୍ର ମାଧ୍ୟମ ହେଉଛି ମୃତ୍ଯୁ । ମୃତ୍ୟୁ ସ୍ପର୍ଶ ନ କଲାଯାଏଁ ପୂନର୍ଜନ୍ମ ଅସମ୍ଭବ କଥା ।
ଏ ଧରାରେ କିଏ କେତେ ସମୟ ଜୀବିତ ରହିବ ଏହା କେବଳ ଭବିଷ୍ୟତ ଓ ସମୟ କହି ପାରିବ । ନିଜର ସମସ୍ତ କର୍ମର ଏକମାତ୍ର ସାକ୍ଷୀ ହିଁ ନିୟତି । ଆମେ କେତେ ଥର ଏ ଧରାରେ ଜନ୍ମ ନେଇ କେଉଁ କେଉଁ କର୍ମ କରି ପୁଣି କେମିତି ଭାବେ ମୃତ୍ୟୁକୁ ପ୍ରାପ୍ତ ହୋଇଥିଲେ ତାହା ନିୟତି ହିଁ କହି ପାରିବ । ଏ ପ୍ରକୃତି ହିଁ କେବଳ ଜାଣିଛି ଶହ ଶହ ହଜାର ହଜାର ବର୍ଷ ଆଗରୁ ଆମେ କେଉଁ ରୂପରେ କେଉଁ ଜାତିରେ ଜନ୍ମ ଲଭିଥିଲେ । ଏ ଧରାରେ ଆମେ କେତେଥର ଜନ୍ମମୃତ୍ଯୁର ବାଟରେ ବାଟୋଇ ସାଜିଲେଣି । ତା' ପରି ଜାଣିବା ବାଲା ଆଉ କିଏ ଏ ଧରାରେ ଅଛି ?
ଏହା ତ ସତ୍ଯ ମୃତ୍ୟୁରେ ସବୁକିଛି ଶେଷ ହୋଇଯାଏ । ନିଜର ସମସ୍ତ ପାପ କର୍ମ, ଦୁଷ୍ଟତା - ଧୃଷ୍ଟତା, ମୁର୍ଖାମୀ ଏମିତିକି ସବୁକିଛି ଅହମିକା । ଜୀବନ କାଳ ଭିତରେ ଯଦି ଭଲ କର୍ମ କେହି କରିଥାଏ ତା'ର ଜୟଗାନ ଏଇ ଧରା ତଳେ ବସବାସ କରୁଥିବା ପ୍ରାଣୀମାନେ ହିଁ କରିଥାନ୍ତି । ଯେଉଁମାନେ କି ଏ ଧରାତଳେ ଦିନେ ମୃତ୍ୟୁକୁ ପ୍ରାପ୍ତ ହୋଇଥାନ୍ତି । ଯାହା ବି କର୍ମ କର ସେ ପାପ ହେଉ ଅବା ପୂଣ୍ୟ ସବୁ ନିଜ ପାଇଁ । ଏଇ କଥାଟି ସତ ଯେ, ପାପ କର୍ମ ଦେଖି ଛି ଛି କହି ନିନ୍ଦୁଥିବା ଲୋକ କି ପୂଣ୍ୟ କର୍ମ ଦେଖି ଭଲ ଭଲ କହି ସମ୍ମାନ ଜଣାଉଥିବା ଲୋକ କେହି ବି ଏ ଧରାତଳେ ଆୟୁ ପୁରିଗଲେ ସମୟ ଚକ୍ରରେ ରହି ପାରନ୍ତି ନାହିଁ । ନା ଭଲ କହୁଥିବା ଲୋକ ଜୀବିତ ରହିପାରେ, ନା ମନ୍ଦ ପାଞ୍ଚୁଥିବା ଲୋକ ଅନନ୍ତ ସମୟ ଯାଏଁ ବଞ୍ଚି ପାରେ ? ନିୟତିର କାଳ ଗର୍ଭରେ ସମସ୍ତେ ମୃତ୍ୟୁକୁ ହିଁ ପ୍ରାପ୍ତ ହୋଇଥାନ୍ତି ।
ସମସ୍ତଙ୍କ ଭାଗ୍ଯରେ ମୃତ୍ୟୁ ଲେଖା । ଏ ମୃତ୍ୟୁ ସତ୍ୟ, ତ୍ରିବାର ସତ୍ଯ । ମୃତ୍ୟୁ ଆଗରେ ବି ଅଛି, ପଛରେ ବି ଅଛି । ମୃତ୍ୟୁଲୋକର ଦଶ ଦିଗରେ କେବଳ ମୃତ୍ୟୁ ହିଁ ମୃତ୍ୟୁ । ମୃତ୍ୟୁ ଛଡା ଏଠି ଆଉ କିଛି ହିଁ ନାହିଁ । ଜୀବନ ଯିଏ ଯେଉଁ ଢଙ୍ଗରେ ଜୀଇଁଲେ ମଧ୍ୟ, ଯୌବନର ରୂପ - ରଙ୍ଗ ଯେତେ ଆକର୍ଷଣୀୟ ହେଲେ ମଧ୍ୟ, ଏ ମାଟିକୁ ଯେତେ କିଣାବିକା କଲେ ମଧ୍ୟ, ଯେତେ ପାଠ ପଢି ଜ୍ଞାନୀ ହୋଇ ଧନ ଉପାର୍ଜନ କରି କୋଟିପତି ହେଲେ ମଧ୍ଯ ମୃତ୍ୟୁ ତୁମର ପିଛା କେବେ ମଧ୍ୟ ଛାଡିବ ନାହିଁ । ମୃତ୍ୟୁ ଆସିବ ଆଜି ନୁହେଁ ତ କାଲି, ନିଶ୍ଚିତ ଆସିବ । ଯେବେ ଆସିବ ତୁମେ ଅଚଳ ତଥା ସ୍ଥିର ହୋଇଯିବ ସବୁଦିନ ପାଇଁ । ନା କାହାକୁ ନିଜର କଥା ଶୁଣାଇ ପାରିବ ନା କାହା କଥା ଶୁଣି ପାରିବ । ତୁମେ ନିସ୍ତେଜ ହୋଇଯିବ । ତୁମ ପାଇଁ ଅନ୍ଯମାନେ ଲୁହ ଢାଳିବେ କିନ୍ତୁ ତୁମେ ଆଉ କେବେବି କାହା ପାଇଁ ଲୁହ ଝରାଇ ପାରିବ ନାହିଁ ।
ଏ ଶରୀର ଆମର ନୁହେଁ । ଯଦି ନିଜର ହୋଇଥାନ୍ତା, ତା' ହେଲେ ଡଲି ତା'ର ମୃତ୍ୟୁ ପରେ ନିଜ ଶରୀରକୁ ମର୍ତ୍ତ୍ଯରେ ଛାଡି ଯାଇ ନଥାନ୍ତା । ଏ ଶରୀର ପଞ୍ଚଭୂତ ମହାମିଳନର ଦାନ । ତୁମ ଅର୍ଜିତ ଧନ ସଂପତ୍ତି ଯେଉଁଠୁ ସାଉଁଣ୍ଟି ଥିଲ ସେଇଠାରେ ଛାଡି ଚାଲିଯିବ । ଅର୍ଥାତ୍ ତୁମେ ଯାହାବି ପାପରେ ହେଉ ଅବା ପୂଣ୍ଯରେ ଉପାର୍ଜନ କରି ଅମାରରେ ଗଚ୍ଛିତ କରି ରଖୁଅଛ ସେ ସବୁ ପୃଥିବୀର । ଏ ପ୍ରକୃତିର । ତୁମେ କିଛି ବି ଏଠାରୁ ଗଲାବେଳେ ନେଇ ପାରିବ ନାହିଁ । ଏ ଧରାରେ ତୁମେ ଯେଉଁ ମୂଲ୍ୟବାନ ସମୟ ବିତେଇଲ କେବଳ ସେଇ ସମୟ ତକ ହିଁ ତୁମର । ଯାହା ସେବନ କରି ଜଗତରେ ଜୀଇଁଲ ତାହା ତୁମର । ଅନ୍ଯ ସବୁ ପୃଥିବୀର । ତୁମେ ଆପଣାର ସମସ୍ତ ସାମର୍ଥ୍ୟ, ବପୁ ବଳ ଲଗାଇ ଯାହା ବି କିଛି ରୋଜଗାର କରୁଛ ତାହା ସବୁ ଅନ୍ଯ ମାନଙ୍କ ପାଇଁ । ତୁମେ କେବେବି ସେସବୁ ଭୋଗ କରି ପାରିବ ନାହିଁ । ଯେମିତି କଥାରେ ଅଛି -
" ମହୁ ସଂଗ୍ରହେ ମହୁପୋକ,
ଅନ୍ଯ କେ' ଖାଇ ଭୋଗେ ସୁଖ । "
ଏ ଧରା ସର୍ବଦା ଦିଲଖୁସ୍ । ତୁମ ଜନ୍ମରେ ମଧ୍ୟ ଆଉ ତୁମ ମୃତ୍ୟୁରେ ମଧ୍ୟ । ତୁମେ ଯେବେ ଧରାରୁ ଧନ ରତ୍ନ ସାଉଣ୍ଟିଥାଅ ମନପ୍ରାଣ ଲଗାଇ ସେବେ ସେ ହସୁଥାଏ ନିରବରେ । ତୁମକୁ କିଛିବି କହି ନଥାଏ । ତୁମେ ଯେବେ ମୃତ୍ୟୁ ଲଭିବ ସେବେ ମଧ୍ଯ ସେ ତୁମକୁ ଧନ ରତ୍ନ ସବୁ ଛାଡି ଦେଇ ଗଲ ବୋଲି ଧନ୍ଯବାଦ୍ ଜଣାଇବ ନାହିଁ । କାରଣ ସେ ଜାଣିଛି ଯେଉଁ ଧନ ତୁମେ ପରିଶ୍ରମ ବଳରେ କିମ୍ବା ପାପ - ଚୋରି - ଦାରି - ମିଥ୍ଯାରେ ରୋଜଗାର କରି ସାଇତି ରଖିଲ ସେ ସବୁ ତା'ର ।
ନିୟତିର ଇଚ୍ଛା ତୁମେ ବଞ୍ଚିଥିବା ଭିତରେ ଯେତେ ପାର ସେତେ ନିଜ ଜୀବନକୁ ଉପଭୋଗ କର । ତାହା ହିଁ ମୃତ୍ୟୁଲୋକରେ ଆନନ୍ଦ । ସକଳ ଆୟୁଷକୁ ବର୍ବାଦ ହେବାକୁ ଦିଅନି । ନିଜ ପରିବାର ସହ, କବି-ପଣ୍ଡିତ, ଜ୍ଞାନୀ ଗୁଣିଙ୍କ ସହ, ବନ୍ଧୁ ପରିଜନଙ୍କ ସହ, ସହପାଠୀ-ସହପାଠିନୀ ସହ, ସାଙ୍ଗ ସାଥୀ - ମିତ୍ର ସହ ସମୟ ବିତାଅ ସଂପୂର୍ଣ୍ଣ ଶୁଦ୍ଧ ଚିତ୍ତରେ, ଆତ୍ମା ସହକାରେ, ପ୍ରେମରେ କେବେ ଅବିଶ୍ଵାସରେ ନୁହେଁ । କିଏ ଜାଣେ ଏ ସମୟ ଆଉ କେବେ ପୁଣି ଜୀବନ କାଳ ଭିତରେ ଆସିବକି ନାହିଁ ?
ଯେବେ ମୃତ୍ୟୁ ଆସିବ ସେବେ ସବୁକିଛି ଭୁଲି ଯିବାକୁ ହେବ । କିଛି ବି ମନେ ରହିବ ନାହିଁ । ତୁମେ କିଏ ? କେଉଁଠାକୁ ଆସିଥିଲ ଏବେ କେଉଁଠାକୁ ଯାଉଛ ? ନିଜର ସମସ୍ତ ବୁଦ୍ଧି, ବିବେକ ଏମିତିକି ସବୁକିଛି ହରେଇବାକୁ ପଡିବ । ଏଣୁ ଜୀବନରେ ସକଳ ସଫଳତା ପାଇଁ ମିଳୁଥିବା ସମ୍ମାନ, ପୁରସ୍କାର ଆଉ ଆନନ୍ଦକୁ କେବେ ହାତଛଡା କରିବା କଥା ନୁହେଁ । ସେ ସମୟ ଥରେ ଚାଲିଗଲେ ଆଉ କେବେ ଫେରି ଆସେନା ।
ଧରାତଳେ ନିଜର କର୍ମଫଳ ନିଜକୁ ଭୋଗ କରିବାକୁ ପଡିଥାଏ । ଅନ୍ଯର କର୍ମଫଳ କେବେବି ନିଜକୁ ଭୋଗିବାକୁ ପଡି ନଥାଏ । ନିଜର ସମସ୍ତ ଶକ୍ତି ଲଗାଇ ଧର୍ମ କାର୍ଯ୍ଯରେ ନିଜକୁ ଉତ୍ସର୍ଗ କଲେ ଆପଣାର ଆତ୍ମା ଧର୍ମାତ୍ମା ପାଲଟିଯାଏ । ସେହିପରି ପ୍ରେମ ଠାରେ ଉତ୍ସର୍ଗ କଲେ ପ୍ରେମାତ୍ମା ।
ଜନ୍ମ ମୃତ୍ୟୁ ଏ ଦ୍ବୟ ହିଁ ଏ ମର୍ତ୍ତ୍ଯରେ ଶାଶ୍ବତ, ଚିରନ୍ତନ ଓ ଧ୍ରୁବସତ୍ଯ । ଏ ମହୀମଣ୍ଡଳରେ ଜନ୍ମ ନେବା ଅର୍ଥ ଦିନେ ମୃତ୍ୟୁକୁ ବରଣ କରିବା, ସଂସାର ଚକ୍ରରୁ ସ୍ବାଧୀନ ହୋଇଯିବା, ସାଂସାରିକ ମୋହମାୟା ଠାରୁ ଅନେକ ଦୂରକୁ ଚାଲିଯିବା ।
ମୋ ଠାରୁ ସିପି ମୃତ୍ୟୁ କଥା ଶୁଣି ଡଲି, ଡଲି ••• କହି ମୋତେ ଭିଡି ଧରି କାନ୍ଦିବାକୁ ଲାଗିଲା । କହିଲା, ଆମେ ଦିନେ ସମସ୍ତେ ମରିଯିବା ଜ୍ଯୋତି, ଡଲି ପରି । ମୁଁ ମୋର ଭୁଲ୍ ବୁଝି ପାରିଲି, ମୋତେ କ୍ଷମା କରିଦେବ । ମୁଁ ତୁମକୁ ଅଯଥାରେ ସନ୍ଦେହ କରୁଥିଲି । ଏ ଦୁର୍ଲଭ ଜନ୍ମ ଖାର ହେବା ଆଗରୁ ସମସ୍ତଙ୍କ ସହ ମିଶି ଖୁସି ମନାଇବା କଥା । ସମସ୍ତଙ୍କୁ ସାହାଯ୍ୟ- ସହଯୋଗ କରିବା କଥା । ଏହା ମୁଁ ଭୁଲି ଯାଇଥିଲି । ମୋର ମୋହ ଭଙ୍ଗ କରିଥିବାରୁ ତୁମକୁ ଅନେକ ଅନେକ ଧନ୍ଯବାଦ୍ ଜ୍ଯୋତି ।
ଡଲିର ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଆମେ ସବୁ କଲେଜ୍ ପିଲା ମିଶି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲୁ, ସହର ସାରା ଶୋଭାଯାତ୍ରାରେ ବାହାରିଲୁ । କଲେଜରେ ତା' ପାଇଁ ଶୋକସଭା କଲୁ - କ୍ଯାଣ୍ଡେଲ୍ ଜଳାଇ ତା'ର ଅମର ଆତ୍ମାର ସଦଗତି କାମନା କଲୁ । ବିଭିନ୍ନ ଖବରକାଗଜ ଗୁଡିକରେ ଏ ଖବରଟି ସ୍ଥାନ ପାଇଲା, ହେଲେ; କେହି ସଚେତନ ହେଲେ ନାହିଁ ।
ତା'ର ଦୁର୍ଘଟଣା ପରଠାରୁ ଆଜିଯାଏଁ ଦେବଗଡ ଜିଲ୍ଲାର ପ୍ରତିଟି ରାସ୍ତାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ଯା ବଢୁଛି ସିନା, କେବେବି କମିବାର ନାଁ ଧରୁନି ।