Dr Jagatabandhu Mohapatra

Classics

4.6  

Dr Jagatabandhu Mohapatra

Classics

ମରଦପଣିଆ

ମରଦପଣିଆ

7 mins
198



କେତେ ଲୋକ ଏଇ ସଂସାରକୁ ଆସୁଛନ୍ତି ଆଉ କେତେ ଲୋକ ଏଇ ସଂସାରରୁ ବିଦାୟ ବି ନେଉଛନ୍ତି I ପ୍ରତିଦିନ ଜନ୍ମମୃତ୍ୟୁର ଯିବାଆସିବା ଚାଲିଆସୁଥିଲା, ଚାଲିଛି ଓ ଚାଲିବ ମଧ୍ୟ I କିନ୍ତୁ ଯେଉଁଦିନ ମାଳତୀ ମା’ ଏ ସଂସାର ଛାଡି ଚାଲିଗଲା, ସେଦିନ ଖବରଟା ବାରିପଦା ସାରା ସବୁଆଡେ ବ୍ୟାପିଗଲା I ଯିଏ ଶୁଣିଲା, ସମସ୍ତଙ୍କ ଆଖିରେ ଲୁହ ଆସିଗଲା I ସମସ୍ତଙ୍କ ପାଟିରୁ ଗୋଟିଏ କଥା ସ୍ଵତଃ ବାହାରି ପଡିଲା, ମା’ ପରି ମା’ ଟିଏ ଆଜି ଚାଲିଗଲା I ଶେଷ ଦର୍ଶନ ପାଇଁ କାମଧନ୍ଦା ଛାଡି ବହୁତ ଲୋକ ବି କପ୍ତିପଦା ଅଞ୍ଚଳକୁ ଧାଇଁଲେ I


ଆହୁରି ଗୋଟିଏ ଖବର ଦ୍ରୁତଗତିରେ ବାରିପଦା ସାରା ଘୁରି ବୁଲିଲା I ମାଳତୀ ମା’ଙ୍କୁ ମୁଖାଗ୍ନି ଦେଲେ, ଏକାଥରକେ ୧୦ ଜଣ ମହିଳା I ଇଏ ବି ଚକିତର କଥା ଥିଲା I ମୁଖାଗ୍ନି ପୁଣି ମହିଳା ଦେଲେ, ତା'ପରେ ଏକା ନୁହେଁ, ଏକାଥରକେ ୧୦ ଜଣ I ଶୁଣିବାକୁ ମିଳିଲା, ୧୦୦ରୁ ଊର୍ଦ୍ଧ୍ଵ ଲୋକ ମାଳତୀ ମା'ଙ୍କ ପାଇଁ ଲଣ୍ଡା ହେଲେ I


ମାଳତୀ ମା' କିଏ ? ସେ କ'ଣ ବାରିପଦାର ଏମ୍. ପି. ନା ଏମ୍. ଏଲ. ଏ I ଅବା ରାଜପରିବାରର ରାଣୀ I ଅଥବା ସ୍ଵାଧୀନତା ସଂଗ୍ରାମୀ I ନା' ସେ ଜୀବନରେ ଅସଲ ମରଦପଣିଆ କ'ଣ, ସେ କଥା ଲୋକଙ୍କୁ ଶିଖାଇଛନ୍ତି I ଜୀବନର ଚଲାପଥରେ ପ୍ରକୃତ ମରଦପଣିଆ କ'ଣ, ତାହାର ଜ୍ଵଳନ୍ତ ଉଦାହରଣ ସେ ନିଜେ ସାଜିଛନ୍ତି I ମରଦପଣିଆ କ'ଣ ? ଗୁଣ୍ଡାଗର୍ଦି, ବାଡିଆପିଟା, ଗଣ୍ଡଗୋଳକୁ ବୁଝାଏ I ଯଦି ମାଳତୀ ମା' ଏ ସବୁ କରିଥାନ୍ତେ ,ତା’ହେଲେ ତାଙ୍କୁ ଅଣ୍ଡିରାଚଣ୍ଡି କୁହାଯାଇଥାନ୍ତା, କିନ୍ତୁ ମରଦପଣିଆର ଜ୍ଵଳନ୍ତ ଉଦାହରଣ କହିବାର ମାନେ ?


ମାଳତୀ ମା' କଥା ପଚାରିଲେ, ସମସ୍ତେ କହିବେ, ମାଳତୀର ପ୍ରକୃତ ଗାଁ ବାଲେଶ୍ଵର ଜିଲ୍ଲାର ଔପଦା ଅଞ୍ଚଳରେ I ମାଳତୀର ବାପା ଗୋବିନ୍ଦ ସାହୁ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିଲା I କିନ୍ତୁ ଯେତେବେଳେ ମାଳତୀ ଜନ୍ମ ନେଲା, ତିନି ନମ୍ବର ଝିଅ ହୋଇ, ସେତେବେଳେ ମାଳତୀର ବାପା ଦୁଃଖରେ ଭାଙ୍ଗିପଡିଥିଲା I ପୁଅର ଆଶା କରି କରି ସେ ତିନି ତିନୋଟି ଝିଅର ବାପା ହେଲା I ଝିଅ ହେବା ପାଇଁ ତା’ ସ୍ତ୍ରୀକୁ ସେ ସବୁବେଳେ ଦାୟୀ କରୁଥିଲା I ଧୀରେ ଧୀରେ ସେ ମଦ ପିଇବା ଆରମ୍ଭ କଲା I କାମଧନ୍ଦା କିଛି କଲା ନାହିଁ I ମାଳତୀର ବୋଉ ବାଧ୍ୟ ହୋଇ ଘର କାମ ସହ ବାହାର କାମ ବି କରି ତା’ ସଂସାର ରଥକୁ ଆଗେଇ ବି ନେଉଥିଲା I


ଥରେ ଆଠ ଦିନ ଧରି ଝଡି ବର୍ଷା ହେଲା I ଖାଡା ଉପାସ ସାରା ପରିବାର ଥିଲା I ପେଟକୁ ଦାନାଟିଏ ବି ଯାଇ ନଥିଲା କାହାର I ଦୁଇ ଭଉଣୀ କାନ୍ଦି କାନ୍ଦି ଚୁପ୍ ଚାପ୍ ଶୋଇ ଯାଇଥିଲେ I ଭୋକର ଜ୍ଵାଳାକୁ ଆଉ ସମ୍ଭାଳି ନ ପାରି ନିଜ ଦୁର୍ବଳିଆ ଦେହକୁ ଘୋଷାଡ଼ି ଘୋଷାଡ଼ି ମାଳତୀର ବୋଉ ରାତିର ଝଡ ବର୍ଷାରେ ଭିଜି ଭିଜି କିଛି ତେନ୍ତୁଳୀ ପତ୍ର ଖୋଜି ଆଣି ଚୋବାଇବାକୁ ଯାଉଥିବାବେଳେ, ମାଳତୀର ବାପା ଗୋବିନ୍ଦ ସାହୁ ଦୁମ୍ କରି ଗୋଟେ ଗୋଇଠା ମାରି କ'ଣ ଏକା ଏକା ଖାଇ ଯାଉଛୁ, ବୋଲି ଗାଳି କରି ମାଡ ମାରିଥିଲା, ନିଜର ମରଦପଣିଆ ଜାହିର୍ କରି I ଏ ତ ନିତିଦିନିଆ କଥା ଥିଲା I ମାଳତୀର ହେତୁ ପାଇବା ଦିନଠୁ ମରଦପଣିଆର ରୂପଟା ସେ ବେଶ୍ ଭଲଭାବେ ଦେଖିଆସିଛି I ଘରର ସବୁ କାମ କରି ଇଆ ତା' ଘରେ ଅଇଁଠା ବାସନ ମାଜି ନିଜ ଘର କଥା ବୁଝୁଥିବା ଲୋକଟା ଉପରେ ଏତେ ମାଡଗାଳି I ତଥାପି ସେ ସବୁ କିଛି ସହିଯାଏ, କିଛି କୁହେନି କାହିଁକି ?


ସେଦିନ ରାତିରେ ସେ ତା’ ବୋଉକୁ ଏ କଥା ପଚାରିଥିଲା I ବୋଉର କଥା ଶୁଣି ସେଦିନ ନିର୍ଣ୍ଣୟ ନେଇଥିଲା, ତା’ ବୋଉ ପାଇଁ ସେ ତା’ର ଗୋଟେ ପୁଅ ସାଜିବ I ଯୋଉ ପୁଅ ହାତ ଉଠେଇ ମାରୁନଥିବ, କାନ୍ଧକୁ କାନ୍ଧ ଲଗେଇ ଆଗକୁ ଆଗେଇଚାଲୁଥିବ I ଅସଲି ମରଦପଣିଆ ବୁଝୁଥିବା ଭଳି ପୁଅଟିଏ ହେବ I ନିଜେ କିଛି କାମ ନ କରି ନିଜ ସ୍ତ୍ରୀ ପଇସାରେ ମଦ ପିଇ ନିଜ ସ୍ତ୍ରୀ ଉପରେ ମାଡ ଗାଳି ଦେଉଥିବା ପୁରୁଷମାନେ କ’ଣ ସତରେ ମରଦ ? ସେମାନଙ୍କ ପାଖରେ ସତରେ କ’ଣ ମରଦପଣିଆ ଅଛି, ବୋଲି କୁହାଯିବ ? ଏଇ ପ୍ରଶ୍ନର ଉତ୍ତର ସେଦିନ ମାଳତୀ ଭଲ ଭାବେ ପାଇଯାଇଥିଲା I ତା’ ପରଠୁ ସେ ବି ତା’ ବୋଉ ସାଙ୍ଗରେ କାମ କରିବାକୁ ଯାଏ I ତା’ ବୋଉ ପାଦରେ ପାଦ ମିଶେଇ ଚାଲେ I ତା’ ବୋଉ ତା’ର ପ୍ରଥମ ଗୁରୁ I ଯାହାଠୁ ସେ ଶିଖିଛି, ପ୍ରକୃତ ମରଦପଣିଆ କ’ଣ?  


ତିନି ଝିଅଙ୍କୁ କେମିତି ମଣିଷ କରିବ, ସେ କଥା ମାଳତୀ ବୋଉର ଗୋଟେ ଲକ୍ଷ୍ୟ ଥିଲା I ଲକ୍ଷ୍ୟକୁ ସାକାର କରିବା ପାଇଁ ଦିନରାତି ଏକ କରି କାମ କରୁଥିଲା, ସେ I ତିନି ଝିଅଙ୍କୁ ଗାଁ ସ୍କୁଲରେ ପାଠ ପଢାଉଥିଲା I ଖେଳକୁଦରେ ମାଳତୀ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ଆଣି ଘରକୁ ଆସିଲେ, ତା' ବୋଉ ଦେଖି ବହୁତ ଖୁସି ହୁଏ I ମାଳତୀର ଦେହ ସବଳ ହେଲେ ତା’ ବୋଉ ଆଖିରେ ସାହସ ବଢେ I ବଳ ନ ହେଲେ ସମାଜରେ ଥିବା ମହିଷାସୁରମାନଙ୍କର ପ୍ରତିରୋଧ କରିବ କେମିତି ? ଏହା କ'ଣ ମାଳତୀ ବୋଉର ମରଦପଣିଆ ନ ଥିଲା ! ହଁ ଥିଲା, କାହା ଆଖିରେ ଏହା ମରଦପଣିଆ ନ ଥିଲେ, ବି ମାଳତୀ ଆଖିରେ ମରଦପଣିଆ ଥିଲା I ନିଜର ଲକ୍ଷ୍ୟ ପୂରଣ ପାଇଁ ଅହରହ ଚେଷ୍ଟା ତ ମରଦପଣିଆ ବୋଲି ସେ ତା’ ମା’ ଠାରୁ ଶିଖିଛି I


ମାଳତୀ ବୋଉର ମରଦପଣିଆ ସତରେ ସାକାର ହେଲା I ନିଜର ସବୁ ଚେଷ୍ଟା ତା’ର ସଫଳ ହେଲା I ସବୁ ଝିଅଙ୍କର ବିବାହ କରାଇଲା I କିନ୍ତୁ ଏଥିରେ ମାଳତୀ ବାପାର କିଛି ବି ଅବଦାନ ନ ଥିଲା I ସେ ଗୋଟିଏ ଜିନିଷ ବୁଝିଥିଲା, ଯିଏ ମରଦ ସିଏ ମଦ ପିଇବ I ଯିଏ ମଦ ପିଏନି, ସେ କୁଆଡେ ମରଦ ନୁହେଁ, ମାଇଚିଆ I 


ମାଳତୀର ସୁନେଲି ସ୍ଵପ୍ନ ସବୁ ଯେମିତି ଧୀରେ ଧୀରେ ଭାଙ୍ଗି ଚୁର୍ ମାର୍ ହୋଇ ପଡୁଥିଲା, କାରଣ ସେ ଜାଣିବାକୁ ପାଇଥିଲା, ତା’ର ସ୍ଵାମୀ ତା' ବାପା ଭଳି ଗୋଟେ ମଦୁଆ I ତା' ସ୍ଵାମୀକୁ ବୁଝାଇ ସୁଝାଇ ବାଟକୁ ଆଣିବାକୁ ଅନେକ ଚେଷ୍ଟା କରିଥିଲା, ସେ I କିନ୍ତୁ ତା'ର ସମସ୍ତ ଚେଷ୍ଟା ଆଉ ଉଦ୍ୟମରେ ସେ ବାରମ୍ବାର ବିଫଳ ହେଉଥିଲା I ହତାଶ ଆଉ ପୁଞ୍ଜିଭୂତ ଦୁଃଖରେ ସେଦିନ ଭାଙ୍ଗି ପଡିଥିଲା, ମାଳତୀ ଯେଉଁଦିନ ତା’ ସ୍ଵାମୀ ଆଉ ଗୋଟେ ବିବାହିତା ମହିଳାକୁ ନେଇ ଘରକୁ ଆସିଲା I ତଥାପି ପ୍ରତିବାଦ ନ ଥିଲା, ତା’ର I ଘରେ ଚାକରାଣୀ ଭଳି ସବୁ କାମ କରୁଥିଲା ଓ ଶାଶୁର ସେବା ଯତ୍ନ କରିବାରେ କିଛି ବି ଅବହେଳା କରି ନ ଥିଲା I


ସମୟ ବଦଳିଲା, ଧୀରେ ଧୀରେ ମାଳତୀ ସ୍ଵାମୀର ବେପାରରେ କ୍ଷତି ହେବାକୁ ଲାଗିଲା I ତା’ ଦ୍ଵିତୀୟ ସ୍ତ୍ରୀ ତାକୁ ଛାଡି ପଳେଇଲା I ସେ ସବୁବେଳେ ମାଳତୀକୁ ଏଥିପାଇଁ ଦୋଷ ଦେଇ ଗାଳିମନ୍ଦ କରି ବାଡିଆ ପିଟା ମଧ୍ୟ କଲା I ବହୁତ ବୁଝାଇଲା, ମାଳତୀ ତା’ ସ୍ଵାମୀକୁ ତଥାପି ତା’ ସ୍ଵାମୀ ବଦଳିଲା ନାହିଁ I ତା’ ପରିବାରର ବୋଝ ମାଳତୀ ଉପରେ ପଡିଲା I ପ୍ରକୃତ ମରଦପଣିଆ ଦେଖାଇ ସେ ବି ବୋହି ଚାଲିଥିଲା, ତା’ ସଂସାର ରଥକୁ ଆଗକୁ ଆଗକୁ I


ସେଦିନ ମାଳତୀ ବହୁତ ଭାଙ୍ଗି ପଡିଥିଲା, ଯେଉଁଦିନ ତା’ ବୋଉ ଚାଲିଗଲା I ତା’ ବାପା ତ ମଦଭାଟିରେ ମଦ ପି ମାତାଲ I ସ୍ଵାମୀ ତ ତାକୁ ବଳକା I ସେ ଘରେ ପହଞ୍ଚିଲା, ବେଳକୁ ମୁହଁ ସଞ୍ଜ I ମୁଖାଗ୍ନି ଦେବାକୁ ଲେଖା ଯୋଖା ପୁତୁରାଟିଏ ଆସିବାର ଥିଲା, ଯେ ସେ ଆସିନଥିଲା I ବୋଉ କଥା ଭାରି ମନେ ପଡୁଥିଲା, ତା’ର I ମୋତେ କୋଉ ସ୍ଵର୍ଗଦ୍ଵାରକୁ ନବନି I ଆମ ଗାଁ ମୋ ପାଇଁ ସ୍ଵର୍ଗର ଦ୍ଵାର I ଏଇ କଥା ମାଳତୀର ବୋଉ ସବୁବେଳେ ମାଳତୀକୁ କହୁଥିଲା I ଲୁଗା ବଦଳାଇ ସିଧା ଚାଲିଥିଲା, ତା’ ବୋଉ ପଛେ ପଛେ I ଆଖିରେ ତା’ର ଲୁହ ନ ଥିଲା I ସବୁତକ ଲୁହ ଶୁଖିଯାଇଥିଲା, ବୋଧେ I ନିଜର ଅତି ପ୍ରିୟ ମଣିଷଟି ଆଜି ଚାଲିଗଲା, ପରେ ତାକୁ ବହୁତ ଏକୁଟିଆ ଲାଗୁଥିଲା I ବୋଉର ପାଦକୁ ତା’ ମୁଣ୍ଡରେ ସ୍ପର୍ଶ କରି ଯଥାସମ୍ଭବ ଜୋରରେ ଚିଲାଇ କହିଥିଲା, କାହାକୁ ଅପେକ୍ଷା କରିବା ଦରକାର ନାହିଁ I ମୁଁ ମୁଖାଗ୍ନି ଦେବି, ମୋ ବୋଉକୁ I ମୁଖାଗ୍ନି ଦେଲା, ମଧ୍ୟ ତା’ ବୋଉକୁ I


ସେଦିନ କାମରୁ ଫେରି ଶୁଣିଲା, ତା’ର ସ୍ଵାମୀ ବିଷାକ୍ତ ମଦ ପିଇ ମରିଯାଇଛି I ତା’ ସ୍ଵାମୀର ମୃତ୍ୟୁ ଖବର ଶୁଣିବା ପରେ ତା’ ଶାଶୁ ଚାଲିଗଲେ I ଏ ସଂସାରରେ ଏକୁଟିଆ ହୋଇଗଲା, ସେ I ସେଦିନ ତା’ ଶାଶୁର ପାଦ ଛୁଇଁ ଶପଥ ନେଲା, ଏ ଇଲାକାରୁ ମଦ କେମିତି ବନ୍ଦ ହେବ, ସେ କାମ ସେ କରିବ I ଦେଶୀ ମଦ ତିଆରିକୁ କେମିତି ବନ୍ଦ କରିବ ? ପ୍ରଥମେ ତା’ ଭଳି ମାଳତୀ ମାନଙ୍କୁ ସେ ଖୋଜି ବାହାର କଲା I ଯେଉଁମାନଙ୍କ ସଂସାର ମଦ ଯୋଗୁଁ ଭାଙ୍ଗିଯାଇଥିଲା I


ସମସ୍ତେ କହିଲେ, ଆମେ ଏକ ହୋଇ ମଦଭାଟିକୁ ଭାଙ୍ଗିଦେବା I ନିଶା ନିବାରଣ ସଂଘ ଗଢିବା I କିନ୍ତୁ ମାଳତୀ ପାଇଁ ଏ ସବୁ ଚିନ୍ତାଧାରା ଅସଲ ମରଦପଣିଆର ରୂପ ନ ଥିଲା I ସେ ବୁଝିଥିଲା, ସମସ୍ତେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନର ଚଲାପଥରେ ଲଢେଇ କରିଚାଲିଛନ୍ତି I ଏ ଲଢେଇ ଦେଶ ପାଇଁ ନୁହେଁ, ଜାତି ପାଇଁ ନୁହେଁ, ବରଂ ନିଜ ପେଟ ଚାଖଣ୍ଡକ ପାଇଁ I ସେମାନେ ମଦ ଦୋକାନକୁ ବନ୍ଦ କରି କିପରି ପୁନଃ ରୋଜଗାରକ୍ଷମ ହୋଇପାରିବେ I କାରଣ ମଦ ବ୍ୟବସାୟ ଜୀବିକାର ଗୋଟେ ମାଧ୍ୟମ ତ ନୁହେଁ I ସେଥିପାଇଁ ଲଘୁ ବନଜାତ ଦ୍ରବ୍ୟକୁ ବ୍ୟବହାର କରି କିପରି ତାଙ୍କର ଜୀବିକା ନିର୍ବାହ କରିପାରିବେ, ଏ କଥା ମାଳତୀର ଚିନ୍ତାର ବିଷୟ ଥିଲା I ଲୋକମାନେ ନିଜ ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ବଳକୁ ଉପଯୋଗ କରି ନିଜେ ରୋଜଗାରକ୍ଷମ ହେବା ସହ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ, ସେ କଥା ମାଳତୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା I ଦ୍ଵିତୀୟରେ ଯାଇ ମଦର ଅପକାରିତା ବିଷୟରେ ଲୋକଙ୍କୁ ବୁଝେଇବ I


ସେ ଅଞ୍ଚଳରେ ପ୍ରତିଦିନ ସୂର୍ଯ୍ୟ ଉଇଁଲା ଭଳି ମାଳତୀ ଗୋଟେ ମରଦପଣିଆର ପଣ ନେଇ ଆଗକୁ ଆଗେଇ ଚାଲିଥିଲା I ବର୍ଷାଦିନେ ଲୋକେ ସୂର୍ଯ୍ୟକୁ ନ ଦେଖନ୍ତି, ବରଂ ମାଳତୀକୁ ଦେଖନ୍ତି I ମାଘ ମାସର ଜାଡରେ ପିଣ୍ଡାରେ ଘୋଡିଘାଡି ହୋଇ ଲୋକେ ବସିଥିବାବେଳେ ମାଳତୀ ଚାଲିଥାଏ, ତା’ କାମରେ I ଧୀରେ ଧୀରେ ମାଳତୀରୁ ସେ ମାଳତୀ ମା’ ଭାବରେ ପରିଚିତ ହୁଅନ୍ତି I ବହୁତ ଲୋକେ ସ୍ଵଇଚ୍ଛାରେ ମଦଭାଟି ବନ୍ଦ କରି ଚାଷବାସ ଓ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ହୁଅନ୍ତି I ବହୁତ ଲୋକ ମଦ ପିଇବା ଛାଡିଦିଅନ୍ତି I କେତେ ସଂସାର ଭାଙ୍ଗିବା ଆଗରୁ ସତରେ ବର୍ତ୍ତିଯାଏ I କେତେ ସଂସାର ପୁଣି ଯୋଡି ହୋଇଯାଏ I ଯେମିତି ପିଢି ପରେ ପିଢି ଏଇ ମଦ ଯୋଗୁଁ ବରବାଦ ହେଉଛି, ତାକୁ ସତରେ ମଦ ଚକ୍ର ବୋଲି କୁହାଯାଇପାରେ I ଆଉ ଏଇ ମଦ ଚକ୍ରକୁ ଭାଙ୍ଗିବାକୁ ପଡିବ, ଯେମିତି ଉତ୍ତର ପିଢିକୁ ସିଏ ନଷ୍ଟ ନ କରିଦେଉ, ଏହା ଥିଲା, ମାଳତୀ ମା’ର ଲକ୍ଷ୍ୟ I        


ମାଳତୀ ମା’ଙ୍କର କିଛି ରୋଗ ନ ଥିଲା I କ’ଣ ହେଲା, କେଜାଣି ଆଜି ହଠାତ୍ ମାଣବସା ଗୁରୁବାର ଦିନ ମାଳତୀ ମା’ ସମସ୍ତଙ୍କୁ ଛାଡି ଚାଲିଗଲେ I ଯିଏ ବୁଝିଥିଲେ, ପ୍ରକୃତ ମରଦପଣିଆ କ’ଣ ? ଗୁଣ୍ଡାଗର୍ଦି, ବାଡିଆପିଟା, ଗଣ୍ଡଗୋଳ ନୁହେଁ I ବରଂ ପରିବର୍ତ୍ତନର ଗୋଟେ ସ୍ଵର I ସମସ୍ତେ ଆଜି ଯଦୁବଂଶୀଙ୍କ ପରି ସୋମରସ ପାନ କରିବାରେ ଅତ୍ୟନ୍ତ ଆଗ୍ରହୀ I ଯଦୁବଂଶ ଯେମିତି ଧ୍ଵଂସ ହେଲା, ଏ ସମାଜ ସେମିତି ଧ୍ଵଂସ ନ ହେଉ I


ଆଖପାଖ ଗାଁ ବୁଲା ସରିଯାଇଥିଲା, ନଗର ସଙ୍କୀର୍ତ୍ତନ ସହ I ଗାଁ ମଶାଣିରେ ବହୁତ ଲୋକ ରୁଣ୍ଡ ହୋଇଥିଲେ I ସମସ୍ତଙ୍କ ଆଖିରୁ ଅବିରତ ଭାବରେ ଲୁହ ବୋହିଚାଲୁଥିଲା I ମାଳତୀ ମା’ର ଜୁଇ ହୁ ହୁ ହୋଇ ଜଳିଉଠିଲା, ଗାଁ ମଶାଣିରେ I ସେ ଅଞ୍ଚଳର ଲୋକମାନେ ସତରେ ଆଜି ଗୋଟେ ମା’କୁ ହରେଇଲେ I କିଛି ଲୋକ ମଧ୍ୟ କୁହାକୁହି ହେଉଥିଲେ, ଆମେ ମା’ ଛେଉଣ୍ଡ ହୋଇଗଲୁ I   


Rate this content
Log in

Similar oriya story from Classics