Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Satyaprakash Sethy, M. A(UGC NET)

Inspirational Drama


3.0  

Satyaprakash Sethy, M. A(UGC NET)

Inspirational Drama


ମୋନା ଓ ସୋନା

ମୋନା ଓ ସୋନା

6 mins 516 6 mins 516

ମୋନା ଓ ସୋନା ଦୁଇଟି ଆତ୍ମିକ ସତ୍ତା, ସେମାନେ ହୋଇପାରନ୍ତି ସ୍ତ୍ରୀ ଅବା ପୁରୁଷ, ଅବା ଦୁଇଟି ପ୍ରାଣୀ, କିନ୍ତୁ ପରସ୍ପରେ ଭଲ ପାଆନ୍ତି । ପରସ୍ପରକୁ ଖୁବ୍ ବେଶୀ ଭଲ ପାଆନ୍ତି-ଜଣେ ଅନ୍ୟ ଜଣଙ୍କୁ ନିଜଠୁଁ ଅଧିକା।ବୁଝିବାକୁ ଗଲେ ଏକେ ବିନା ଆରକର ସ୍ଥିତି ପ୍ରାୟତଃ ଅସମ୍ଭବ। ତେଣୁ ସେମାନେ ଭଲ ବାନ୍ଧବୀ।ସମ୍ପର୍କଟା ଅତି ଉତ୍ତମ । ଉଭୟେ ସ୍ପୋର୍ଟ୍ସ ହଷ୍ଟେଲରେ ରହନ୍ତି। ପଡ଼ିଆରେ ଖୁବ୍ କସରତ କରନ୍ତି। ଆଗାମୀ ଦିନର ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତି।


ପଡ଼ିଆରେ ଥିଲା ବେଳେ ଉଭୟ ଉଭୟଙ୍କର ପ୍ରତିଯୋଗୀ, ମାତ୍ର୍ ରୁମକୁ ଫେରି ଆସିଲା ପରେ ପରସ୍ପର ପରସ୍ପରକୁ ଭଲ ପାଆନ୍ତି, ସୁଖ ଦୁଃଖରେ ସାମିଲ ହୁଅନ୍ତି। ନିଜ ମନୋଭାବ ଉଭୟ ଉଭୟଙ୍କୁ ବିନିମୟ କରିଥାନ୍ତି। ଜଣଙ୍କର ସମସ୍ୟା ଅନ୍ୟ ଜଣଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ଉଭୟଙ୍କ ସମ୍ପର୍କର ନିଗଢ ବନ୍ଧନ ଅନ୍ୟ ମାନଙ୍କ ହୃଦୟରେ ଇର୍ଷାର ପ୍ରଦୀପ ଶିଖା ପ୍ରଜ୍ଜ୍ଵଳନ କରୁଥାଏ। ଏମିତି କେଉଁ ପାଗ ଯୋଗରେ ସେମାନେ ବାନ୍ଧବୀ ହେଲେ କେ ଜାଣି ଜଣେ ଅନ୍ୟ ଜଣଙ୍କୁ ଦଣ୍ଡେ ନଦେଖିଲେ ଅନ୍ତରରେ ଉଦ୍ୱେଳନ ସୃଷ୍ଟ ହୁଏ, କେହି କାହାକୁ ଛାଡ଼ି ମିନିଟିଏ ରହି ପାରନ୍ତି ନାହିଁ। ଜଣଙ୍କ ପାଇଁ ଅନ୍ୟ ଜଣଙ୍କ ହୃଦୟ ବିଗଳିତ ହୁଏ । ହୃଦୟ ତନ୍ତ୍ରିରେ ପ୍ରେମ ଭାବ ଶିକ୍ତ ହୁଏ, ପ୍ରବହମାନ ହୁଏ ପ୍ରେମର ଅମନ୍ଦ ମନ୍ଦାକିନୀ। ଦୁଇଟି ଆତ୍ମା ଗୋଟିଏ ପ୍ରାଣ। ଯେତେବେଳେ ଦେଖିବ ଦୁଇଜଣଙ୍କୁ- ଏକାଠି । ଇଏ କି ପ୍ରକାରର ବନ୍ଧୁତା? ଜଣଙ୍କୁ ଛାଡ଼ି ଆଉ ଜଣଙ୍କର ସ୍ଥିତି ଅସମ୍ଭବ, ଅପରିକାଳ୍ପନୀୟ।


ଆଜି ଉଭୟଙ୍କୁ କ୍ରୀଡା ଜଗତରେ ଯଥେଷ୍ଟ ସମ୍ମାନ ମିଳିଛି।, ତା ‘ସହିତ ସରକାରୀ ଚାକିରୀ ବି। ହାତକୁ ଅର୍ଥ, ପ୍ରତିପତ୍ତି, ସମ୍ମାନ ସବୁ ଆସିଛି ।ଉଭୟଙ୍କ ପରିବାର ଚାହୁଁଛି ଭଲ ଘର ଦେଖି ଭଲ ଲଗ୍ନରେ ଉଭୟଙ୍କର ବାହାଘର କରିଦେବାକୁ, ଯେପରି ସେମାନଙ୍କର ଉଜ୍ଜ୍ଵଳ କ୍ରୀଡା ଭବିଷ୍ୟତରେ କିଛି ଆଞ୍ଚ ନ ଆସିବ। କାରଣ ବାହାଘରର ପୁଣି ଗୋଟେ ସମୟ ସୀମା ଅଛି ନା, ବୟସ ଗଡେଇ ଲାଭ କ’ଣ, ଲୋକେ କ’ଣ କହିବେ ? କହିବେ – “ଦେଖ ହୋ! ଅମକେଇ ଲୋକ ସ୍ୱାର୍ଥାନ୍ଧ ହୋଇ ତା’ ଝିଅକୁ ବାହା କଲା ନାହିଁ, ଏ ଅପଯଶ ମୁଣ୍ଡେଇ ହେବ ନାହିଁ, ଡେରି କଲେ ଆଗକୁ ହୁଏତ ବେଶୀ ସମସ୍ୟା ସୃଷ୍ଟି ହୋଇପାରେ, ଯେଉଁ ସମସ୍ୟାରୁ ନିସ୍କୃତି ମିଳିବା କାଠିକର ପାଠ” । ତେଣୁ ଘର ଲୋକଙ୍କର ପ୍ରସ୍ଥାବ ଆଗତ – ବାହାଘର ପ୍ରସ୍ଥାବରେ ହଁ ଭରିବାକୁ ଓ ଦେଖାଦେଖି ପର୍ବକୁ ଆଗକୁ ବଢାଇବାକୁ ।

ମାତ୍ର୍ ଏ ବିବାହ ପାଇଁ ଏ ଦୁଇ ଜଣଙ୍କର ଟାଳଟୂଳ ନୀତି ପରିବାର ବର୍ଗକୁ ଚିନ୍ତାରେ ପକାଇ ଦେଇଥାଏ। କାରଣ ଜାଣିବାକୁ ସମସ୍ତଙ୍କ ମନରେ ବ୍ୟଗ୍ରତା ଓ ଉତ୍ସୁକତା ଭରି ଯାଇଥାଏ। ପୁଣି ପିଲା ପିଚିକା କଥା , କାଳେ କୁଆଡେ ପ୍ରେମ ବେପାର ବା ଲଭ୍ ଆଫାୟାରରେ ଫଶି ଯାଇଥିବେ। ଏଭଳି ଆଶା ଓ ଅକାଂକ୍ଷାରେ ଚିତ୍ତଲୋକ ଶିହରିତ ହୋଇଉଠୁଥାଏ। ତେଣୁ ମନରେ ଉପୁଜୁଥାଏ ଡର – ସନ୍ଦେହ ଐନ୍ଦ୍ରଜାଲ। ଯେତେ ଫୁସୁଲେଇ କି ପଚାରିଲେ ମଧ୍ଯ କଥାଟାର ଗୁମର ଫିଟୁନଥାଏ। ଝିଅ ପିଲା କଥା, ଅଧିକ ଚାପ ପ୍ରୟୋଗ କଲେ , କାଳେ କିଛି କାଣ୍ଡ ସୃଷ୍ଟି କରିବେ, କାରଣ ଏମାନେ ତ ଭାରି ଇମୋସନାଲ୍ ମାନେ ଭାବପ୍ରବଣ। ତେଣୁ ପରିବାର ଲୋକ କିଛି ବେଶୀ କହି ପାରୁନଥିଲେ। ମନରେ ଦୁର୍ଭାବନା ପଶୁଥିବାରୁ ବିରକ୍ତ ହେଉଥାନ୍ତି ଓ ଚିତ୍ତ ଚାଞ୍ଚଲ୍ଯ ସୃଷ୍ଟି ହେଉଥାଏ।

ମୋନାଟା ଟିକିଏ ସିଧା ସଳଖ ଝିଅଟା, ଯାହା କହେ ମୁହଁରେ କହେ। ତେଣୁ ସେ ରୋକଠୋକ୍ କହି ଦେଇଥାଏ – “ତୁମେମାନେ ମୋ ବାହାଘର ଚିନ୍ତା କର ନାହିଁ, ଠିକଣା ସମୟରେ ମୋ ନିଜ ନିଷ୍ପତ୍ତି ମୁଁ ନିଜେ ନେବି। ସେଥିରେ ତୁମର କାହାରି କିଛି ମୁଣ୍ଡ ଖେଳେଇବା ଦରକାର ନାହିଁ”। ଘର ଲୋକଙ୍କର ସେଇଦିନୁ ପାଟି ଫିଟୁନାହିଁ- ତାକୁ କିଛି କହିବା ପାଇଁ। ତାକୁ କିଏ କ’ଣ କହିବ ଲୋ ମାଆ! କିଛି ଯଦି କହିଲ ତେବେ ମଲ, ସେ ଖାଲି ଫଁ ଫଁ କରି ଗୋଡେଇ ଆସିବ, ଘଟଣାଟା କିଛି ବୁଝିବ ନାହିଁ, ଏଟା ପରା ଆଜ୍ଞା ଅଣ୍ଡରା ଚାଣ୍ଡି ତେଣୁ କହି ଲାଭ ନାହିଁ, ଓଲଟା ଅପଦସ୍ତ ହେବାକୁ ହିଁ ପଡିପାରେ। ସେ ତା’ର ଯାହା ଇଛା ସେୟା କରୁ, ଆମର ତା’ କଥା ଆଲୋଚନା କରି ଲାଭ ନାହିଁ। ଆମେ ସିନା ତା’ଭଲ ପାଇଁ ଏତେ କଥା ଚିନ୍ତା କରୁଥିଲେ, ହେଲେ ସେ ବୁଝିଲେ ତ ହୁଏ? ପୁଣି ପରିବାରଟା ତା’ରି ଉପାର୍ଜ୍ଜନ ଉପରେ ନିର୍ଭର କରିଥାଏ। ଘରକୁ ଆଉ ଗୋଟେ କେହି ରୋଜଗାରିଆ ପୁଅ ଥିଲେ ତ ଯାହା। ତାକୁ କିଛି କହିଲେ ଏଇଲାଗେ ଅଘଟଣ ଘଟିବ। ତେଣୁ ସମସ୍ତଙ୍କ ପାଟି ଚୁପ୍- ମାନେ ଏକଦମ୍ ଚୁପ୍।


ଅନ୍ୟ ପଟେ ସୋନା। ସୋନା ପରିବାରବାଲେ କିନ୍ତୁ ଥୟ ଧରୁ ନଥା’ନ୍ତି। ଅଥୟ ହୋଇ ଖାଲି ଥେଇ ଥେଇ କରୁଥାନ୍ତି-ବାହାଘର ପାଇଁ ସମ୍ମତି ପ୍ରଦାନ କରିବାକୁ । ଲାଜକୁଳୀ ସୋନା ବଡ଼ ଅଡୁଆରେ ପଡିଗଲା। ମୁହଁ ଖୋଲି କିଛି କହି ପାରୁ ନଥାଏ। ଏପଟେ ମୋନାକୁ ବାହା ହେବାର ନିଷ୍ପତ୍ତିଟା ସାମାଜିକ ବିଧି ବ୍ୟବସ୍ଥା ଓ ପାରମ୍ପାରିକ ନୀତି ଗତିର ବିରୁଦ୍ଧାଚରଣ କରୁଥାଏ। ଘଟଣାଟିକୁ ସଙ୍ଗିନୀ କରି ଗଢି ତୋଳିଥାଏ, ଯାହା ଅଡୁଆ ସୁତା ପରି ଭାରି କିଟିମିଟିଆ। ପରିସ୍ଥିତି ଅଡୁଆ। ମୁଣ୍ଡ ବାଳର ଅଡୁଆ ଖିଅ ପରି ଜଟିଳ। ଶେଷରେ ହିମ୍ମତ ନହାରି ନିଷ୍ପତ୍ତିଟିକୁ ଜଣେ/ ଦୁଇ ଜଣ ପରିବାର ଲୋକଙ୍କ ଆଗରେ ପ୍ରତ୍ୟେକ୍ଷ ବା ପରୋକ୍ଷରେ ଉଦଗାରୀ ପକେଇଲା । ଏଣିକି ପରିସ୍ଥିତି ଅଣାୟତ୍ତ, ସ୍ଥିତି ବିସ୍ଫୋଟକ। କାରଣ ଘଟଣାଟା ଅଣପାରମ୍ପରିକ ଓ ସ୍ଥାନୀୟ ଅଞ୍ଚଳରେ ଇତିହାସ ରଚିବାକୁ ଯାଉଥାଏ।


ବାସ୍ତବରେ ଏପରି ସମ ଲିଙ୍ଗୀୟ ବିବାହ ଓ ବିବାହ ଚିନ୍ତାଧାରାଟା ବିଦେଶରେ ଭୂଇଁରେ ସିନା ସ୍ପୃହଣୀୟ ହୋଇପାରେ ହେଲେ ଆମ ଦେଶୀୟ ଓ ଦେଶଜ ସଂସ୍କୃତିରେ ଗ୍ରହଣୀୟତା ସୃଷ୍ଟି କରିବା ଏତେଟା ସହଜ ନୁହେଁ। ଫଳରେ ପରିବାର ଭିତରେ ଗ୍ରହଣୀୟତା ସୃଷ୍ଟି କରିପାରିଲା ନାହିଁ ସମସ୍ତେ ପ୍ରତିବାଦ କରି ଉଠିଲେ। ପ୍ରତିବାଦର ସ୍ଵର ହେଲା ଭାଷ୍ବର। ବାଧା ଓ ପ୍ରତିବନ୍ଧକର ଶୀକାର ହେଲା ସୋନା। ମାତ୍ର ମଣିଷର ସଙ୍କଳ୍ପ ନିକଟରେ ସବୁ କିଛି ହାର ମାନେ। ସୋନାର ଏକାନ୍ତ ଜିଦ୍ ସେ ଯଦି ବାହା ହେବ ତ ତାହେଲେ ଏକଦା ତା’ ଖେଳ ସାଥୀ,ହଷ୍ଟେଲ୍ ମେଟ୍, ରୁମ୍ ମେଟ୍ ଥିବା ତା’ର ବେଷ୍ଟ ଫ୍ରେଣ୍ଡ୍ବେ ଓ ବେଡ୍ ପାର୍ଟନର ମୋନାକୁ ହିଁ ବିବାହ କରିବ। ତା ସହିତ କେବଳ ସେ ବିବାହ ବନ୍ଧନରେ ବାନ୍ଧି ହୋଇପାରେ, ନୋହିଲେ ଭୂଲି ଯାଅ ସମସ୍ତେ ତା’ ବାହାଘରର ସ୍ଵପ୍ନ। ଫଳତଃ ପରିସ୍ଥିତି ଓ ପରିବେଶ ସହିତ ଦେଖାଦେଲା ସଂଘର୍ଷ। ଏହି ସଂଘର୍ଷ ଦିନକୁ ଦିନ ତୀବ୍ରରୁ ତୀବ୍ରତର ହେବାରୁ ଘଟଣାଟା ପରିବାର ଭିତରେ ସୀମିତ ନରହି ଲୋକ ଲୋଚନକୁ ଆସିଲା। ସମାଜର ବିଭିନ୍ନ ବର୍ଗରେ ଏହା ହିଁ ବର୍ତ୍ତମାନର ମୁଖ୍ୟ ଆଲୋଚ୍ୟର ବସ୍ତୁ, ଯହିଁରୁ ବିତର୍କର ଅୟମାରମ୍ଭ ହୋଇ ପରିସ୍ଥିତି ଓ ପରିବେଶକୁ ଆହୁରି ଶାଣିତ କରି ଗଢି ତୋଳିଥାଏ।

ସମଲିଙ୍ଗୀ ବିବାହ କେତେଦୂର ଯୁକ୍ତି ସଙ୍ଗତ ଓ ସାମାଜିକତା ଦୃଷ୍ଟିକୋଣରୁ କେତେଦୂର ସ୍ପୃହଣୀୟ – ତାହା ହିଁ ବିଚାର ବିମର୍ଶର ମୂଳତଃ କାରଣ। ଏହିଭଳି ଏକ ସଙ୍ଗିନୀ ମାମାଲାର ନିଷ୍କର୍ଷ ମିଳିବା ପ୍ରାୟତଃ କଷ୍ଟ। ଆମେ ଜାଣିଛେ ଦୁଇଟି ଆତ୍ମାର ମିଳନ ହେଲେ ପ୍ରେମ ଭାବ ଉତ୍ପନ୍ନ ହୁଏ। ପୁଣି ସେହି ବନ୍ଧୁତ୍ୱ ଯେତେବେଳେ ନିଗଢ ବନ୍ଧନର ନିଗୂଢ ଫାାଶରେ ବାନ୍ଧି ହୋଇଯାଏ -ତାକୁ ପ୍ରେମ କହେ। ଶରୀର ସହିତ ଶରୀର ଓ ଆତ୍ମା ସହିତ ଆତ୍ମାର ଅପୂର୍ବ ମିଳନ ହେଉଛି ବିବାହ ବନ୍ଧନ। ହେଲେ ଏହି ବିବାହ ଗତାନୁଗତିକ ଭାବେ ଦୁଇ ବିପରୀତ ଲିଙ୍ଗୀୟ ମଣିଷ ଭିତରେ ସଂଘଟିତ ହୋଇଥାଏ। ତେଣିକି ସେମାନେ ସ୍ତ୍ରୀ ହୋଇଥାନ୍ତୁ ଅବା ପୁରୁଷ ବା ପୁରୁଷ ଓ ନାରୀ ହେଲେ ଏ କି ଆଶ୍ଚର୍ଯ୍ୟ ଚକିତ ବିଷୟ ଯେ, ଦୁଇଟି ସମ ଲିଙ୍ଗୀ ଭିତରେ ବୈବାହିକ ସମ୍ପର୍କ – ହେଲେ କି ତା ‘ସମ୍ଭବ? ପ୍ରାକ୍ ଐତିହାସକ ପ୍ରସ୍ଥର ଯୁଗଠୁଁ ଏଯାଏଁ ସମାଜରେ କେତେ କେତେ ଅଦ୍ଭୁତପୂର୍ବ ପରିବର୍ତ୍ତନ ହେବା ସମ୍ଭବପର ହୋଇଛି। ପୁଣି ପରିବର୍ତ୍ତନର ନିୟମ ଅନୁସୃତ ହୋଇ ସମାଜର ପ୍ରଚଳିତ ବିଶ୍ବାସ ଓ ଭାବଧାରା ପରିବର୍ତ୍ତିତ ହୋଇ କେତେ କେତେ ନୂତନ ସମାଜ, ସଂସ୍କୃତି ଓ ପରମ୍ପରା ତିଆରି ହୋଇଛି। ଇଏ ତାହେଲେ ତାହାରି ଭିତରୁ କ’ଣ ଗୋଟେ?


ଅବଶ୍ୟ ଏ ପ୍ରକାର ସମ୍ପର୍କକୁ ସର୍ବୋଚ୍ଚ ନ୍ୟାୟାଳୟ ଓ ସରକାର ମଧ୍ଯ ସ୍ୱୀକୃତି ଦେଇ ସାରିଛନ୍ତି ଓ ଏହା ଏକ ଅପରାଧିକ ମାମଲା ହୋଇ ଆଉ ରହି ନାହିଁ। କାରଣ ଆଜିର ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିଟି ମଣିଷ ସ୍ଵତନ୍ତ୍ର ଭାବରେ ବଞ୍ଚିବାର ଓ ନିଜସ୍ଵ ଶୈଳୀରେ ଜୀବନ ନିର୍ବାହ କରିବାର ଅଧିକାର ତା’ର ଏକାନ୍ତ ବ୍ୟକ୍ତିଗତ। ଏହି ପରିପ୍ରେକ୍ଷୀରେ ଦେଖାଯାଉ ମୋନା ଓ ସୋନାର ଜୀବନର ଗତି କେଉଁ ଦିଗଭାଗ ଦେଇ ଆଗକୁ ବଢୁଛି।

ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ ପ୍ରେମ ହୁଏତ ଭିନ୍ନ୍ କଥା ହୋଇପାରେ , ମାତ୍ର ବିବାହ ଅଧିକନ୍ତୁ ଶରୀରର ଆକର୍ଷଣ ଓ ଯୌନାକର୍ଷଣ ତାହାର ମୂଳପିଣ୍ଡ। ଯେଉଁ ତତ୍ତ୍ଵ ଉପରେ ସୃଷ୍ଟି ସଂରଚନା ଓ ସମ୍ପ୍ରସାରଣ ନିୟମ ନିର୍ଭରଶୀଳ। ତେଣୁ ମଣିଷ ସଂସାରୀ ହୋଇ ଜୀବନ ନିର୍ବାହ କରିଥାଏ। ଯୌନସମ୍ଭୋଗର ଅପୂର୍ବ ଅକାଂକ୍ଷା ଓ ଅପାର ଲାଳସାକୁ ଅତି ଶୃଙ୍ଖଳିତ ମାଧ୍ୟମରେ ପରିଚାଳିତ କରିବା ପାଇଁ ବିବାହ ଏକ ମାଧ୍ୟମ ହୋଇଥାଏ । ଏ ସବୁ ଦୃଷ୍ଟିକୋଣରୁ ମୋନା ଓ ସୋନାର ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ ତ? ସମୟ ହୁଏତ ଏହାର ଉତ୍ତର ରଖିପାରେ, ତେବେ ସାମ୍ପ୍ରତିକ ପରିସ୍ଥିତି ଉପରେ ଦୃଷ୍ଟି ସମ୍ପ୍ରାତ ପୂର୍ବକ କେବଳ ଏତିକି କୁହାଯାଇପାରେ ଯେ, ଆଜିର ସମାଜର ଗତି କୁଆଡେ ଓ ଏହାର ପରିଣତି କ’ଣ ପ୍ରତିପାଦନ କରିବାକୁ ଚାହୁଁଛି । ଏହା ନିଶ୍ଚିତ ଭାବେ ପ୍ରଣିଧାନ ଯୋଗ୍ୟ।


ଯାହା ବି ହେଉ ସଫଳତାର ପାହୁଚେ ଅତିକ୍ରମ କରିଯାଇ ଓ ସମସ୍ତ ବାଧାବନ୍ଧନକୁ ଅକ୍ଳେଶରେ ଏଡ଼ାଇ ଯାଇ ଏବେ ମୋନା ଓ ସୋନା ଉଭୟେ ବିବାହ ବନ୍ଧନରେ ଯୋଡି ହୋଇଯାଇ ଦାମ୍ପତ୍ୟ ଜୀବନ ଖୁସିରେ ଅତିବାହିତ କରୁଛନ୍ତି। ସେମାନଙ୍କର ଭୂକ୍ଷେପ ନାହିଁ ମାନବ ସମାଜ କ’ଣ କହିବ। ସେମାନେ ସ୍ଵାଧୀନ ଓ ସ୍ୱଛନ୍ଦ, ପ୍ରତିବନ୍ଧକ ଓ ପ୍ରତିବାଦକୁ ପ୍ରତିହତ କଲା ପରି ଶକ୍ତି ସେମାନଙ୍କ ଠାରେ ଏକଠା। ସମୟ କହିବ ସେମାନଙ୍କର ସଫଳତା ଓ ବିଫଳତାର କାହାଣୀ।


ଆମେ ତ କେବଳ ପ୍ରୟୋଗଶାଳାରେ ଏପରି କିଛି ଭିନ୍ନ ତତ୍ତ୍ଵକୁ ଭିନ୍ନ ଭିନ୍ନ ପ୍ରୟୋଗ କରି ପାରନ୍ତି, ଯହିଁରୁ ନିତ୍ୟ ନୈମିତ୍ତିକ ନୂଆ ନୂଆ ପରୀକ୍ଷା ନିରୀକ୍ଷା ଶେଷେ କିଛି ନୂତନ ସୃଷ୍ଟି ହେବା ସମ୍ଭବ। ଏହା କେତେଦୂର ଫଳପ୍ରଦ ଓ କୃତିତ୍ୱସମ୍ପନ୍ନ ହୋଇପାରୁଛି ତାହା କେବଳ ଅନାଗତ ଭବିଷ୍ୟ କହିବ।


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Inspirational