ମୋ ସ୍ୱପ୍ନର ଶବ
ମୋ ସ୍ୱପ୍ନର ଶବ
ଦିନେ ମୁଁ ନିଜକୁ ଏକ ଖୁବ୍ ସୁନ୍ଦର ସ୍ଥାନରେ ପାଇଲି | ଏହା ଏକ ସୁନ୍ଦର ସବୁଜ ବନଭୂମି ଥିଲା | ଅନତି ଦୂରରେ ଭିଡ଼ ଜମିଥିବାର ମୁଁ ଦେଖିବାକୁ ପାଇଲି । ସେହି ଦିଗରୁ ଭାସି ଆସୁଥିଲା ହସ ଏବଂ କାନ୍ଦିବାର ମିଶ୍ରିତ ଶବ୍ଦ | ମୋର ପାଦ ସ୍ବତଃ ସେହି ଦିଗକୁ ଗତି କରୁଥିଲା | ପାଦରେ କୋମଳ ସବୁଜ ଘାସର ସ୍ପର୍ଶ ମୋତେ ଖୁବ୍ ଆନନ୍ଦ ଦେଉଥିଲା | ଉପରେ ଆକାଶରେ ମେଘ ଚଳନ କରିବାର ଦୃଶ୍ୟ ମୋର ମନକୁ ଆକର୍ଷିତ କରୁଥିଲା ନିଜ ଆଡକୁ | କୋଇଲି ର ଗୀତ ସାଙ୍ଗକୁ ମୟୂର ର ନୃତ୍ୟ ତଥା ସୁନ୍ଦର ପଶୁପକ୍ଷୀଙ୍କର କିଚିରି ମିଚିରି ଶବ୍ଦ ସ୍ଥାନ ଟିକୁ ରମଣୀୟ କରି ଦେଉଥିଲା । ନିକଟରେ ଏକ ଛୋଟ ନଦୀ ପ୍ରବାହିତ ହେଉଥିଲା | ପରିବେଶ ଏତେ ସୁନ୍ଦର ଥିଲା ଯେ କେହି ଦେଖିଲେ କ୍ଷଣେ ପଲକ ପକାଇବାକୁ ଭୁଲି ଯିବ | ଶବ୍ଦ ଆସୁଥିବା ସେ ଭିଡ଼ ଆଡକୁ ମୁଁ ଧୀରେ ଧୀରେ ଅଗ୍ରସର ହେଲି । ଟିକେ ପାଖକୁ ଆସିବାରୁ ମୁଁ ଦେଖିଲି ସେଠାରେ ଯେଉଁ ଭିଡ଼ ଥିଲା ସେ ସମସ୍ତେ ଠିକ୍ ମୋର ପ୍ରତିଛବି ଥିଲେ । ଅବିକଳ ମୋ ପରି ଚେହେରା ଥିଲା ସେମାନଙ୍କର । ସେମାନଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି | କେହି କେହି ଧଳା ଏବଂ ଅନ୍ୟମାନେ ରଙ୍ଗୀନ ପୋଷାକ ପିନ୍ଧିଥିଲେ। ସେମାନଙ୍କ ମଧ୍ୟରୁ କେତେକ ହସୁଥିଲେ ଏବଂ ଅନ୍ୟମାନେ କାନ୍ଦୁଥିଲେ। କେହି କେହି ନିଜ ମଧ୍ୟରେ ଯୁକ୍ତିତର୍କ କରୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ ଏବଂ କେତେକ ଚିନ୍ତିତ ଦେଖାଯାଉଥିଲେ | ସେମାନେ କିଏ ? ସେମାନେ ଏଠାରେ କଣ କରୁଛନ୍ତି ? ସମସ୍ତେ ମୋ ପରି କାହିଁକି ଦେଖାଯାଉଛନ୍ତି ? ମୋ ମନରେ ଏମିତି ଅନେକ ପ୍ରଶ୍ନ ଉଠୁଥିଲା |
ପ୍ରଥମେ ମୁଁ ସେହି ସ୍ଥାନକୁ ଗଲି ଯେଉଁଠାରେ କିଛି ମୃତ ଦେହ ଧଳା କପଡାରେ ଆବୃତ ହୋଇଥିଲେ ଓ ଅନ୍ୟ କିଛି ମୋର ପ୍ରତିମୂର୍ତ୍ତି ଶବ ଗୁଡିକୁ ବୋହି ନେଇ ଯାଉଥିଲେ । କୌତୁହଳ ବଶତଃ ମୁଁ ତାଙ୍କ ପାଖକୁ ଯାଇ ତାଙ୍କ ଉପରୁ କପଡା ଉଠାଇ ଦେଲି । ତା’ପରେ ଶବଗୁଡ଼ିକ ଜୀବନ୍ତ ହୋଇ ଉଠିଲେ । ସେମାନେ ଅସୁନ୍ଦର ଓ କଦାକାର ଦେଖା ଯାଉଥିଲେ | ଏହା ପରେ ସେମାନେ ମୋତେ ଅନୁସରଣ କଲେ ଓ ଭୟଭୀତ ହୋଇ ମୁଁ ସେଠାରୁ ଦଉଡିବାକୁ ଲାଗିଲି | ବାଟରେ ମୁଁ ଜଣେ ଡାକ୍ତର, ନର୍ସ, ଓକିଲ, ଶିକ୍ଷକ, ମାଷ୍ଟର ସେଫ୍ , ନୃତ୍ୟଶିଳ୍ପୀ, ଗାୟକ ଏବଂ ଲେଖକଙ୍କ ବେଶରେ ମୋର ପ୍ରତିମୂର୍ତ୍ତି ମାନେ ନିଜ କାମରେ ବ୍ୟସ୍ତ ଥିବାର ଦେଖିଲି । ସମସ୍ତେ ମୋ ପରି ଦେଖାଯାଉଥିଲେ | କେହି କିଛି କହୁ ନଥିଲେ। କେବଳ ସମସ୍ତେ ମୋତେ ଦେଖିଲା ପରେ ଅନୁସରଣ କରିବାକୁ ଲାଗିଲେ । ଭୟରେ ମୁଁ ପଛକୁ ନଦେଖି ଆଗକୁ ଦୌଡ଼ିବାକୁ ଲାଗିଲି | କିଛି ସମୟ ପରେ ମୁଁ ଜଣେ ସାଧୁଙ୍କୁ ଗଛ ମୂଳରେ ବସିଥିବାର ଦେଖିଲି ଏବଂ ତାଙ୍କ ନିକଟକୁ ଗଲି | ବର୍ତ୍ତମାନ ମୋର ପ୍ରତିମୂର୍ତ୍ତି ଗୁଡ଼ିକ ଆଉ ମୋର ପଶ୍ଚାତ୍ ଧାବନ କରୁ ନଥିଲେ । ମୁଁ ଦେଖିଲି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ସେମାନେ ଅଦୃଶ୍ୟ ହୋଇ ଯାଉଥିଲେ | ମୁଁ ଟିକିଏ ଆଶ୍ୱସ୍ତ ହେଲି । ସେ ସାଧୁଙ୍କୁ ପ୍ରଣାମ କରି ସାଧୁଙ୍କଠୁ ସେମାନଙ୍କର ରହସ୍ୟ ବିଷୟରେ ଜାଣିବାକୁ ଚାହିଁଲି ।
ସାଧୁ ଉତ୍ତର ଦେଲେ ଝିଅ, ତୁମେ ଦେଖୁଥିବା ଏହି ସୁନ୍ଦର ବନଭୂମି ତୁମର ସ୍ୱପ୍ନର ଦୁନିଆ ତୁମର ମନୋଭୂମି | ସମସ୍ତ ପ୍ରତିମୂର୍ତ୍ତି ଗୁଡିକ ସ୍ୱପ୍ନ ଥିଲା ଯାହା ତୁମେ ଏବଂ ତୁମର ସମ୍ପର୍କୀୟମାନେ ତୁମ ପାଇଁ ଦେଖିଥିଲେ | ତୁମେ ଦେଖିଥିବା କ୍ରନ୍ଦନରତ ପ୍ରତିମୂର୍ତ୍ତି ଓ ଶବଗୁଡ଼ିକ ତୁମର ସେହି ସମସ୍ତ ମୃତ ସ୍ୱପ୍ନ ଯାହା କେବେ ପୂରଣ ହୋଇ ନାହିଁ କି ହେବ ନାହିଁ | କ୍ରୋଧିତ ପ୍ରତିମୂର୍ତ୍ତି ଗୁଡିକ ହେଉଛନ୍ତି ସେହି ସ୍ୱପ୍ନଗୁଡିକ ଯାହା ତୁମେ ପୂରଣ କରିବାକୁ ଯାଇ ଅଧାରେ ଛାଡିଥିଲ | ରଙ୍ଗୀନ ପୋଷାକ ପିନ୍ଧିଥିବା ପ୍ରତିମୂର୍ତ୍ତି ଗୁଡିକ ତୁମର ସେହି ସ୍ୱପ୍ନ ଯାହା ସାକାର ହୋଇସାରିଛି | ପରସ୍ପର ଯୁକ୍ତିତର୍କ କରୁଥିବା ପ୍ରତିମୂର୍ତ୍ତି ଗୁଡିକ ହେଉଛନ୍ତି ତୁମର ସେହି ସ୍ୱପ୍ନ ଯାହା ଏବେ ବି ତୁମ ଭିତରେ ଜୀବିତ ଅଛନ୍ତି ଓ ସାକାର ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଅସଂପୂର୍ଣ୍ଣ ଏବଂ ମୃତ ସ୍ୱପ୍ନ ବେଳେବେଳେ ମନୁଷ୍ୟର ମନକୁ ଦ୍ୱନ୍ଦ୍ୱ, ଅଶାନ୍ତି , ଆତ୍ମଗ୍ଳାନି , ଅସନ୍ତୋଷ ରେ ଭରି ଦେଇ ଥାଏ | ତେଣୁ ସେମାନେ ତୁମର ପଶ୍ଚାତ୍ ଧାବନ କରୁଥିଲେ । ଯେଉଁ ସ୍ଥାନରେ ଆସି ସେମାନେ ଅଦୃଶ୍ୟ ହୋଇ ଯାଉଛନ୍ତି , ତାହା ସମୟର ସୀମାରେଖା । ନିର୍ଦିଷ୍ଟ ସମୟ ଆସିଲେ ସେମାନେ ଆପେ ଆପେ ଫେରିଯିବେ । ପୁନର୍ବାର ମୁଁ ବାବା ଙ୍କୁ ପ୍ରଶ୍ନ କଲି , ମୋତେ କୁହନ୍ତୁ ଆପଣ କିଏ ଏବଂ ମୁଁ ସେମାନଙ୍କଠାରୁ କିପରି ନିଜକୁ ରକ୍ଷା କରିପାରିବି ? ସେ କହିଲେ , ମୁଁ ସମୟ । ସବୁକିଛି ମୋର ଖେଳ | ମୋତେ ବିଶ୍ୱାସ କର ସବୁକିଛି ଠିକ୍ ହୋଇଯିବ , ତୁମେ କେବଳ ତୁମର କର୍ତ୍ତବ୍ୟ କର | ତା’ପରେ ସାଧୁ ଅଦୃଶ୍ୟ ହୋଇଗଲେ । ବାବା ବାବା କହି ମୁଁ ଆଖି ଖୋଲି ଦେଖିଲା ବେଳକୁ ନିଜକୁ ଖଟ ଉପରେ ପାଇଲି | ମୋର ହୃଦୟଙ୍ଗମ ହେଲା ଯେ ସେସବୁ ମୋର ସ୍ୱପ୍ନ ଥିଲା ଓ ମୋ ମୁହଁରେ ସ୍ମିତହାସ୍ୟ ଖେଳିଗଲା ।
