ବଳାତ୍କାର
ବଳାତ୍କାର
ସୁମୀ ଗୋଟିଏ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲା । ସେମାନେ ତିନି ଭଉଣୀ ଥିଲେ । ଦୁଇ ଭଉଣୀ ବିବାହ କରି ଶାଶୁ ଘରକୁ ଚାଲିଯାଇଥିଲେ । ସୁମି ଓ ତାର ବାପା ମାଆଙ୍କୁ ନେଇ ଘରେ ତିନି ଜଣ । ସୁମି ପାଠ ପଢି ବଡ ମଣିଷ ହେବାର ସ୍ୱପ୍ନ ଦେଖୁଥିଲା । ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁ ଥିବା ବେଳେ ତାର ମାଆ ମରି ଯିବାରୁ ତା ଉପରେ ଘର ଦାୟିତ୍ୱ ଆସିଗଲା । ତେଣୁ ପାଠ ପଢା ବନ୍ଦ ହେଲା । ତାର ବାପା ଜଣେ ବହୁତ ବଡ଼ ମଦୁଆ, ଘର କଥା ବୁଝେ ନାହିଁ । ତେଣୁ ସୁମି ଘର କାମ ସାରି ରାସ୍ତା କାମ କରିବାକୁ ଯାଏ । ଯାହା ମଜୁରୀ ପାଏ ଘର ପାଇଁ ରାସନ ଆଣେ ।
ଥରେ ସେ ସନ୍ଧ୍ୟା ବେଳେ କାମରୁ ଫେରୁ ଥାଏ । ଗୋଟିଏ ନିଛାଟିଆ ଜାଗାରେ କିଛି ଅସାମାଜିକ ଯୁବକ ତାକୁ ଗଣ ଦୁଷ୍କର୍ମ କଲେ । ତାର ଚିତ୍କାର ଶୁଣି ଲୋକ ଆସିଲା ବେଳକୁ ସବୁ ଯୁବକ ଫେରାର ହୋଇ ଗଲେ । ଶେଷରେ ଜଣେ ଯୁବକ ଉତ୍ତ୍ୟକ୍ତ ଲୋକଙ୍କ ହାତରେ ଧରା ପଡିଲା । ତାକୁ ଗାଁ ଲୋକ ବହୁତ ମାରିଲେ ଓ ତା ଠୁ ପନ୍ଦର ହଜାର ଟଙ୍କା ଜୋରିମାନା ନେଲେ । ସେ ଟଙ୍କା ନେଇ ସୁମିର ବାପା ଗୋଟିଏ 4g ମୋବାଇଲ କିଣି ଆଣିଲା ଓ ବାକି ଟଙ୍କାରେ ମଦ ପିଇ ସାରି ଦେଲା । ଲୋକ ମାନେ ସୁମି କୁ ବହୁତ ଟାହି ଟାପରା କଲେ । କେହି ତାର କଷ୍ଟ କୁ ଅନୁଭବ କଲେ ନାହିଁ କି ତାର ମାନସିକ ସ୍ଥିତିକୁ ପର୍ଯ୍ୟାଲୋଚନା କଲେ ନାହିଁ । ଖାଲି ସୁମିକୁ ସମାଲୋଚନା କରାଗଲା । ଏ ସମାଜ ଆଖିରେ ବଳାତ୍କାରର ଶିକାର ହୋଇ ଥିବା ସୁମି ଦୋଷୀ ଥିଲା ଓ ରେଫ କରିଥିବା ବ୍ୟକ୍ତି ଛାତି ଫୁଲେଇ ରାସ୍ତାରେ ଚାଲୁଥିଲା । ସମାଜର ନିନ୍ଦା ଅପବାଦର ଜହର ପିଇ ନପାରି ସୁମି ବାଛି ନେଲା ମୃତ୍ୟୁକୁ । ଆପଣ କୁହନ୍ତୁ ସୁମି ମୃତ୍ୟୁର ଦାୟୀ କିଏ ? ବଳାତ୍କାରୀମାନେ, ସୁମିର ବାପା, ସମାଜ ନା ମଦ ?
