sasmita tripathy

Abstract Inspirational

4.5  

sasmita tripathy

Abstract Inspirational

ପାଳଭୂତ

ପାଳଭୂତ

6 mins
291



   ଏଥର ଦଶହରା ଛୁଟି ମଧୁ ମାଉସୀ ଙ୍କ ସହ କଟାଇବ ବୋଲି ସ୍ଥିର କରିଛି । ରାଜଧାନୀ ଦିଲ୍ଲୀ ର ଚାକଚକ୍ୟ ଓ ପ୍ରଦୂଷିତ ପରିବେଶ ରୁ କିଛି ଦିନ ପାଇଁ ବାହାରି ନିଜ କୁ ମୁକ୍ତ ଗ୍ରାମାଞ୍ଚଳ ର ସରଳ ନିଚ୍ଛକ ଜୀଵନ ରେ ହଜାଇ ଦେବା ପାଇଁ ଭାବିଛି । ମାଉସୀ ରମ୍ଭା ଜଣେ ସମାଜସେବୀ ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ । ଭଦ୍ରକ ଜିଲ୍ଲା ର ଅନନ୍ତପୁର ଗ୍ରାମ ରେ ସେ ରହନ୍ତି । ଅବିବାହିତ ଥିବାରୁ ତାଙ୍କ ସହ ଜଣେ କାମବାଲି ଓ ରାନ୍ଧୁଣି ମାଉସୀ ରହନ୍ତି । ଏତିକି ତାଙ୍କ ପରିବାର । ମଧୁ ଜଣେ ସଫ୍ଟୱେର ଇଂଜିନିୟର । ଛୋଟ ବେଳ ରୁ ଅନାଥଶ୍ରମ ରେ ବଢିଛି । ନିଜର ବୋଲି କେହି ନାହାଁନ୍ତି । ମାତ୍ର ମଧୁ କୁ ଜନ୍ମ ଦେଇ ତାର ମାଆ ଯେବେ କୁଆଁରି ମାତୃତ୍ୱ ର ଅପନିନ୍ଦା ର କଳଙ୍କ କୁ ପୋଛି ଦେବା ପାଇଁ ମଧୁ କୁ କୁକୁର ବିଲୁଆ ଙ୍କ ଶିକାର ହେବା ପାଇଁ ରାସ୍ତାକଡରେ ଛାଡି ଚାଲି ଯାଇଥିଲା, ଠିକ୍ ସେ ସମୟରେ ରମ୍ଭା ମାଉସୀ ଦେବତାଙ୍କର ଦୂତ ସାଜି ଅଵତରଣ କରିଥିଲେ ତା ପାଇଁ ଏ ଧରା ରେ । ତାର କୁଁଆ କୁଁଆ ଡାକ ତାଙ୍କ ହୃଦୟ ତନ୍ତ୍ରୀ ରେ ମାତୃତ୍ୱ ମୋହ ର ଝଙ୍କାର ତୋଳି ଥିଲା । ସେ ତାକୁ ଅତି ଆଦରରେ ତୋଳି ନେଇ ଥିଲେ କୋଳ କୁ । ମାତ୍ର ଏକା ମଣିଷ ଓ ଅନେକ ଦାଇତ୍ୱବୋଧ ର ବୋଝ ତଳେ ଚାପି ହୋଇ ଯାଇ ଥିଲା ତାଙ୍କ ମାତୃତ୍ୱ । ଶେଷ ରେ ସେ ତାକୁ ଛାଡି ଆସି ଥିଲେ ମମତା ଅନାଥ ଆଶ୍ରମ ରେ । ହେଲେ କେମିତି ଗୋଟେ ମାୟା ତାଙ୍କୁ ବାନ୍ଧି ଦେଇଥିଲା ପିଲାଟିର ଆକର୍ଷଣରେ । ସେ ତାକୁ ସମୟ ମିଳିଲେ ଦେଖା କରନ୍ତି ଓ ତାର ସମସ୍ତ ଭରଣ ପୋଷଣ ର ଦାୟିତ୍ୱ ମଧ୍ୟ ତୁଲାଉ ଥିଲେ । ରମ୍ଭା ମାଉସୀଙ୍କ ଦୟାରୁ ସେ ଇଂଜିନିୟରଟିଏ ହୋଇ ପାରିଛି । ମଧୁ ମଧ୍ୟ ରମ୍ଭାଙ୍କୁ ନିଜ ଦୁନିଆ ଭାବେ । ବହୁତ ଦିନ ହେଲା ତାଙ୍କ ଠାରୁ ଦୂର ରେ ରହିଛି । ନୂଆ ପୋଷ୍ଟିଂ ହୋଇଥିବାରୁ ମଧୁ ଛୁଟି ନେଇ ଆସି ପାରୁ ନଥିଲା । ଦୁର୍ଗା ପୂଜା ପାଇଁ ତିନି ଦିନ ଛୁଟି ମିଳିଲା ଓ ସେ ନିଜର କିଛି ଛୁଟି ମିଶାଇ ଦଶ ଦିନ ପାଇଁ ରମ୍ଭାଙ୍କ ପାଖ କୁ ଆସୁଛି । 


    ମଧୁ ର ଆସିବା ଖବର ଶୁଣି ରମ୍ଭା ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି । ଯେମିତି ମଧୁ ର ସ୍ୱାଗତ ରେ କିଛି କମି ରହି ନଯାଉ, ଠିକ୍ ଜଣେ ସ୍ନେହୀ ମାଆ ପରି । ମଧୁ ଆସି ଘରେ ପହଞ୍ଚିଲା ପରେ, ପରସ୍ପର ପରସ୍ପରକୁ ଦେଖି ବହୁତ ଖୁସି ହେଲେ । ପରଦିନ ମଧୁ ଗାଁ ବୁଲିବାକୁ ବାହାରିଲା ରମ୍ଭାଙ୍କ ସହିତ । ରମ୍ଭା ସମାଜସେବୀ ହୋଇ ଥିବାରୁ ଗାଁ ଲୋକ ମାନଙ୍କର ଭଲମନ୍ଦ ବୁଝାସୁଝା କରନ୍ତି । ଯାହାକୁ ଯାହା ସାହାଯ୍ୟ ଦରକାର ଚାଲି ଆସନ୍ତି ରମ୍ଭା ମାଉସୀ ଙ୍କ ପାଖକୁ । ସେ ଗାଁ ସାରା ସମସ୍ତଙ୍କର ମାଉସୀ । ଗାଁ ଭିତରେ ବୁଲୁବୁଲୁ ସେମାନଙ୍କର ଦୃଷ୍ଟି ଆକର୍ଷଣ କରେ ରଘୁଆ ପ୍ରଧାନ ର ଏକ ମାତ୍ର ବୋହୁ ର ଅସହ୍ୟ ଗାଳି ଗୁଲଜ । ମଧୁ ପ୍ରଥମେ ବୁଝି ପାରିଲାନାହିଁ ଘଟଣା କଣ ବୋଲି । ତାର ପାଦ ଅଟକି ଗଲା ସେଠାରେ ମାତ୍ର ରମ୍ଭା ତାର ହାତ ଧରି ଖୁବ ଶୀଘ୍ର ସେଠାରୁ ଆଗକୁ ଚାଲିବାକୁ ଆରମ୍ଭ କଲେ । ଗାଁ ପାଖ ନଦୀ ବନ୍ଧ ସନ୍ଧ୍ୟା ଆଗତ ହେବାରୁ ଖୁବ ମନୋରମ ଲାଗୁ ଥାଏ । ତେଣୁ ସେଠାରେ କିଛି ସମୟ ପ୍ରକୃତି କୁ ଅଵଲୋକନ କରି ଘରକୁ ଫେରିବେ ଭାବି ଦୁହେଁ ଟିକେ ବସି ପଡିଲେ । 


  ଗୋଧୂଳି ସମୟ, ଗାଇଆଳ ପିଲା ଗାଇନେଇ ଘର କୁ ଫେରୁଥାନ୍ତି । ପକ୍ଷୀମାନେ ବସା କୁ ଲେଉଟୁଥାନ୍ତି । କିନ୍ତୁ ମଧୁ ଫେରି ପାରୁ ନଥାଏ ଗାଁ ଭିତରେ ଦେଖି ଆସି ଥିବା ଘଟଣା ବାହାରକୁ । ମଧୁ ନିଜ ପ୍ରଶ୍ନିଳ ମନ କୁ ଆଉ ଅଟକାଇ ପାରିଲାନି । ମାଉସୀ ଙ୍କୁ ପଚାରିଲା, ସେ ସ୍ତ୍ରୀ ଲୋକଟି କିଏ ? କାହାକୁ ଓ କଣ ପାଇଁ ଗାଳି ଗୁଲଜ କରୁଥିଲା । ମଧୁର କଥା ଶୁଣି ରମ୍ଭା କହିଲେ, ସେ ସ୍ତ୍ରୀ ଲୋକ ହେଉଛି ରଘୁଆ ପ୍ରଧାନ ର ଗୋଟିଏ ମାତ୍ର ପୁଅ ର ସ୍ତ୍ରୀ । ରଘୁଆ ବୁଢୀ ସାତ ଟି ଝିଅ ଜନ୍ମ କଲା ପରେ କେତେ ଦିଅଁ ଦେବତା ଡାକି ଓଷା ବାର କରି ଶେଷରେ ଗୋଟେ କୁଳାଙ୍ଗାର ପୁଅ କୁ ଜନ୍ମଦେଲା । ମାତ୍ର ତାର ସାତ ଟି ଝିଅ ଏବେ ସମସ୍ତେ ଶିକ୍ଷକ, ନର୍ସ, କ୍ଲାର୍କ ଏମିତି ଛୋଟ ବଡ଼ ଚାକିରୀ କରି ଆରମରେ ଶାଶୁଘରେ ରହୁଛନ୍ତି । ହେଲେ ପୁଅ ତାର ମଦୁଆ । ଏ ଯେଉଁ ସ୍ତ୍ରୀ ଲୋକ ଗାଳି ଦେଉ ଥିଲା, ସେ ତା ଶଶୁର କୁ ଗାଳି ଦେଉଥିଲା । ରଘୁଆ ବୁଢ଼ାର ସ୍ତ୍ରୀ କେବେ ଠୁ ମଲାଣି । ଏବେ ଘରେ ବୁଢ଼ା ର ପୁଅ, ବୋହୂ, ନାତି, ନାତୁଣୀ ବୋହୂ ଓ ତାଙ୍କର ଦୁଇ ଝିଅ ରହୁଛନ୍ତି । ମାତ୍ର କେହି ବୁଢା ର ସେବା ଯତ୍ନ କରନ୍ତି ନାହିଁ । ବୁଢ଼ା ବସିବା ଜାଗା ରୁ ଉଠି ପାରେନି । ଯେଉଁଠି ବସିଲେ ସେଇଠି ଝାଡ଼ା ପରିସ୍ରା ହୋଇଯାଏ । ସେଥିପାଇଁ ତା ବୋହୂ ଗାଳି ଗୁଳଜ କରେ ଓ ଅନେକ ଥର ମାଡ଼ ମଧ୍ୟ ମାରେ । ଏତିକି ଶୁଣି ସାରିଲା ପରେ ମଧୁ ରମ୍ଭା ଙ୍କୁ ଅଟକାଇ କହିଲା, ମାଉସୀ ତୁମେ ତ ଏତେ ସଂସ୍ଥା ସହ ଜଡ଼ିତ ଅଛ, ସେ ବୁଢ଼ା ପାଇଁ ଗୋଟେ ବୃଦ୍ଧାଶ୍ରମ ର ବ୍ୟବସ୍ଥା କରୁନ । ସେଠାରେ ତ ସେ ଭଲ ରେ ରହି ପାରନ୍ତା । ହଁ , ତୁ ଠିକ୍ କହିଲୁ । ମୁଁ ଏ କଥା ପାଞ୍ଚ ବର୍ଷ ପୂର୍ବରୁ ଚେଷ୍ଟା କରି ସାରିଛି । ସେତେବେଳେ ବୁଢା ଭଲ ଅବସ୍ଥାରେ ଥିଲା । ପୁଅ ବୋହୂ ମାଡ଼ ମାରନ୍ତି । ଖାଇବାକୁ ପିଇବାକୁ ଦିଅନ୍ତି ନାହିଁ। ସରକାରୀ ଭତ୍ତା ଗଣ୍ଡାକ ବି ବୁଢା ଠୁ ଟିପମାରି ନେଇ ଯାନ୍ତି । ବୁଢ଼ା ବେଳେବେଳେ ମୋ ପାଖକୁ ଆସେ । ମୁଠାଏ ଖାଇ ବାରଣ୍ଡାରେ ଶୋଇ ପୁଣି ଚାଲି ଯାଉ ଥିଲା । ଥରେ ବୁଢା ର ଦୁଃଖ ସହି ନପାରି ମୁଁ ବୁଢ଼ା କୁ କହିଲି ଚାଲ ମୁଁ ତୁମ କୁ ବୃଦ୍ଧାଶ୍ରମ ରେ ରଖିଦେବି । ସେଠାରେ ଭଲ ରେ ରହିବ । କିଛି ଅସୁବିଧା ହେବ ନାହିଁ । ମାତ୍ର ବୁଢା ମୋତେ ଉତ୍ତର ରେ କହିଲା, ଦିଦି ତୁମେ ଯୋଉ ପରିବାର ଘର କଥା କହୁଛ ତାହା ମୋ ପାଇଁ ମୋ କ୍ଷେତ ଠାରୁ କିଛି କମ ନୁହଁ । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି କେମିତି ? ସେ କହିଲା ଦେଖ ଦିଦି ମୁଁ ଯେମିତି ମୋ କ୍ଷେତ ର ଯତ୍ନ ନିଏ ସେମିତି ମୋ ପରିବାର ର ଯତ୍ନ ନିଏ । ଝାଳ ନିଗାଡି ପରିଶ୍ରମ କରି କ୍ଷେତ କୁ ଯେମିତି ସବୁଜ ସୁନ୍ଦର କରେ ସେମିତି ମୋ ପରିବାର ବାସୀ ଙ୍କ ମୁହଁ ରେ ଆଧାର ଦିଏ । ଆଠ ଟା ପିଲା ଙ୍କୁ ମଣିଷ କରିବା କଣ କମ କଥା । ହଁ ସେତେବେଳେ ସୁଲ ମୋ ସହ ଥିଲା କାନ୍ଧ କୁ କାନ୍ଧ ମିଳାଇ ହସ ଦୁଃଖ ବାଣ୍ଟି ସବୁ ସହି ଯାଉ ଥିଲି । ହେଲେ ଆମେ ଦୁହେଁ ମିଶି ଗଢି ଥିବା ସେ କ୍ଷେତ କୁ କଣ ମୁଁ ଏମିତି ଛାଡି ଚାଲି ଯିବି ?ସେମାନେ ପିଲା ଲୋକ ବୁଝି ନାହାଁନ୍ତି , ମୁଁ ତ ବୁଝିଛି । ନିଜ ହାତରେ ଗଢିଥିବା ଜିନିଷଟା କିଏ କଣ ନିଜେ ଭାଙ୍ଗି ଦିଏ । ହଁ , ମୁଁ ଏବେ ବୁଢା ହୋଇ ଯାଇଛି , ପରିଶ୍ରମ କରି ପାରୁନି ।ଦେହର ବଳ ସିନା କମି ଯାଇଛି ହେଲେ ମନୋବଳ ସେମିତି ଅଛି। କିନ୍ତୁ ସେ କ୍ଷେତ ପାଇଁ କଣ ମୁଁ ପାଳଭୂତ ଟିଏ ହୋଇ ପାରିବିନି । ପାଳ ଭୂତ ମୁଣ୍ଡ ରେ ଥିବା ସେ ହାଣ୍ଡି ପରି ମୋ ମୁଣ୍ଡ କେଶ ହୀନ ଲଣ୍ଡିତ । ନାତି ନତୁଣୀ ବୋହୁ ଙ୍କ ତାଛଲ୍ୟ ମୋତେ , ପାଳଭୂତ ମୁଣ୍ଡ ରେ ବସି ପକ୍ଷୀ ମାନଙ୍କର ଥଣ୍ଟ ଘଷିଲା ପରି ମନେ ହୁଏ । ମୁଁ କଣ ସେଥିରେ ଡରି ଯିବି । ପାଳଭୂତ ଦେହ ର ସେ ଚିରା ଫଟା ପୋଷାକ ପରି ମୋ ଦେହ ରେ ମଧ୍ୟ ମୋ ପୁଅ ନାତି ଙ୍କର ପୁରୁଣା ଚିରା ଫଟା ପୋଷାକ । ଆଉ ପାଳଭୂତ ର ଶରୀର ରେ ଥିବା ସେ ନଡ଼ା କାଠି କୁଟା ମୋ ଦେହ ରେ ଥିବା ଧୁଡୁ ଧୁଡୁ ଚମ ତଳ ର ପିଞ୍ଜରା କାଠି । ସେ ଯେମିତି ଗୋଟିଏ ସ୍ଥାନ ରେ ରହି ଖରା, ବର୍ଷା, ଶୀତ, କାକର କୁ ନ ଡରି କ୍ଷେତ କୁ ଶତ୍ରୁ ଆକ୍ରମଣ ରୁ ବଞ୍ଚାଏ, ଠିକ୍ ସେମିତି ମୁଁ ବି ମୋ କ୍ଷେତ କୁ ରକ୍ଷା କରେ । ଦାଣ୍ଡ ଅଗଣା ରେ ଶୋଇ ଥିବାର ଦେଖିଲେ ଚୋର ତୋ ଚୋର, କୁକୁର ବିଲେଇ ବି ଘରେ ପଶିବାକୁ ସାହସ କରନ୍ତି ନାହିଁ । ତେଣୁ ଏ ପାଳଭୂତ ତା କ୍ଷେତ କୁ ଛାଡି କୁଆଡେ ଯିବ ଦିଦି ? ତୁମେ କୁହ ମୋ ବିନା ଏ ଘର ର ଅବସ୍ଥା କଣ ହେବ ? ଏମିତି କହି ବୁଢ଼ା ବାଡ଼ି ଧରି ଠୁକୁ ଠୁକୁ ନିଜ ଘର କୁ ଚାଲି ଗଲା । ସେବେ ଠାରୁ ବୁଢା କେବେ ଆମ ଘର କୁ ଆସେ ନାହିଁ । 


        ଏ କଥା ଶୁଣି ମଧୁ ହୃଦୟଙ୍ଗମ କଲା ଯେ , ଯେଉଁ ବାପା ମାଆ ଙ୍କୁ ବୃଦ୍ଧ ଅବସ୍ଥା ରେ ପିଲାମାନେ ଛାଡି ଦିଅନ୍ତି ସେମାନେ ହିଁ ପରିବାର ର ବାସ୍ତବିକ ରକ୍ଷାକାରୀ । କିନ୍ତୁ ଏ ସମାଜ କଣ ଏହିପରି ପାଳଭୂତ ମାନଙ୍କୁ କେବେ ସମ୍ମାନ ଦିଏ ? ଏ ସମାଜ ରେ ସେମାନେ ଅବହେଳିତ , ନିଷ୍ପେସିତ, ଅଲୋଡା , ଅଖୋଜା ହୋଇ ନିଜର ଅବଶିଷ୍ଟ ଜୀଵନ ଜୀଉଁ ଥାନ୍ତି ପାଳଭୂତ ଟିଏ ସାଜି । ତଥାପି ସେମାନେ ନିଜ ପରିବାର ର ଅମଙ୍ଗଳ ଚିନ୍ତା ବି କରି ପାରନ୍ତି ନାହିଁ କି ପରିବାର ଠୁ ଦୂର ରେ ରହିବା କଥା ସ୍ୱପ୍ନ ରେ ଭାବି ପାରନ୍ତି ନାହିଁ । ଖୋଜିନ୍ତି ଟିକେ ସ୍ନେହ , ଶ୍ରଦ୍ଧା, ଭଲ ପାଇବା ଓ ଯତ୍ନ । ଏତିକି କଣ ଆମେ ତାଙ୍କୁ ଦେଇ ପାରିବା ନାହିଁ ? 

 


Rate this content
Log in

Similar oriya story from Abstract