ଅନାଥ
ଅନାଥ
ବାପା ମାଆ ଓ ଚାରି ପିଲାଙ୍କୁ ନେଇ ଗୋଟେ ହସ ଖୁସିର ପରିବାର ଥିଲା । ବାପା ମାଆ ନିଜ ବିବାହର ଷୋହଳ ବର୍ଷ ପରେ ତିନୋଟି ପୁତ୍ର ପ୍ରାପ୍ତ କଲା ପରେ ମାଆ ଦୁର୍ଗାଙ୍କୁ ବହୁ ବ୍ରତ ଉପାସନା କରି ଝିଅ ଶ୍ରଦ୍ଧାକୁ ପାଇ ଥିଲେ । ତିନି ଭାଇରେ ଗୋଟିଏ ଭଉଣୀ ହୋଇ ଥିବାରୁ ପୁଣି ସମସ୍ତଙ୍କଠୁ ଛୋଟ ତେଣୁ ସମସ୍ତେ ଶ୍ରଦ୍ଧାକୁ ବହୁତ ଭଲ ପାନ୍ତି । ତେଣୁ ସେ ଟିକେ ଜିଦଖୋର ହୋଇ ଯାଇଛି । ସେ ଯାହା ଚାହେଁ ତାକୁ ମିଳି ଯାଏ । ବାପାଙ୍କର ସେ ସବୁଠୁ ବେଶି ପ୍ରିୟ । ଧୀରେ ଧୀରେ ଶ୍ରଦ୍ଧା ବଡ ହେଲା ମାତ୍ର ତାର ସ୍ଵଭାଵ ଅପରିବର୍ତ୍ତିତ ରହିଲା । ଶ୍ରଦ୍ଧା ଏବେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ । ଦେଖିବାକୁ ସୁନ୍ଦରୀ ଓ ଭଲ ପଢେ । ତେଣୁ ଯେ କେହି ଦେଖିଲେ ପ୍ରେମରେ ପଡି ଯିବ । ତାକୁ ଦେଖି ସେହି କଲେଜରେ ପଢ଼ୁଥିବା ପିଜି ଛାତ୍ର ଆଦିତ୍ୟ ପ୍ରେମରେ ପଡିଗଲା । ଆଦିତ୍ୟ ବି ଭଲ ପଢେ ଓ ଦେଖିବାକୁ ସୁଢଳ ଚେହେରା । ହେଲେ ସେ ଶ୍ରଦ୍ଧାଠୁ ନୀଚ୍ଚ ଜାତିର ପିଲା । କିଛି ଦିନ ମନେ ମନେ ଭଲ ପାଇଲା ପରେ ଦିନେ ଶ୍ରଦ୍ଧାକୁ ପ୍ରେମ ନିବେଦନ କଲା । ମାତ୍ର ଶ୍ରଦ୍ଧା ରାଜି ନହେବାରୁ ଆତ୍ମହତ୍ୟା ପାଇଁ ପ୍ରୟାସ କଲା ଓ ଶେଷରେ ଶ୍ରଦ୍ଧାକୁ ମନାଇ ନେଲା । ଦୁହିଁଙ୍କ ମନ ଆକାଶରେ ପ୍ରେମର ରଙ୍ଗ ଲାଗିଲା ଓ ମୁକ୍ତାକାଶ ବିହଙ୍ଗ ସାଜି ଉଡ଼ି ବୁଲିଲେ ପ୍ରେମ ଦୁନିଆରେ । ୟା ଭିତରେ କିଛି ବର୍ଷ ବିତିଗଲା, ଦୁହେଁ ପାଠ ପଢ଼ା ସାରି ଚାକିରୀ ମଧ୍ୟ କରି ଗଲେ । ଘରେ ଯେବେ ବିବାହ ପ୍ରସଙ୍ଗ ଉଠିଲା ଦୁଇ ଜଣ ନିଜ ନିଜ ପରିବାରକୁ ନିଜ ପ୍ରେମ ସମ୍ପର୍କରେ ଜଣାଇଲେ । ଆଦିତ୍ୟ ଘରେ ସମସ୍ତେ ରାଜି ହୋଇଗଲେ କିନ୍ତୁ ଶ୍ରଦ୍ଧା ଘର ଲୋକ ରାଜି ନଥିଲେ । ଶ୍ରଦ୍ଧା ବହୁତ ଜିଦଖୋର ଥିଲା ଓ ଶେଷରେ ସମସ୍ତେ ରାଜି ହେଲେ ଓ ବିବାହ ସମ୍ପର୍ଣ୍ଣ ହେଲା । ଏବେ ସେମାନେ ହସ ଖୁସିରେ ସଂସାର କଲେ ।
ବିବାହକୁ ତିନି ବର୍ଷ ବିତି ଗଲାଣି, ତାଙ୍କର ଏବେ ପୁଅଟିଏ ଦେଢ଼ ବର୍ଷର । ଶ୍ରଦ୍ଧା ଜଣେ ସରକାରୀ ସ୍କୁଲର ଶିକ୍ଷୟତ୍ରୀ । ସେ ପୁଅ ସହ ସ୍କୁଲ ପାଖରେ ଭଡା ଘର ଟିଏ ନେଇ ରହୁଛି । ମାତ୍ର ଆଦିତ୍ୟଙ୍କର ଛଅ ମାସ ତଳେ ଗୋଟେ ଘରୋଇ ସଂସ୍ଥାରେ ବଡ ପଦବୀରେ ନିଯୁକ୍ତି ହେବାରୁ ତାଙ୍କୁ ଦିଲ୍ଲୀରେ ରହିବାକୁ ପଡୁଛି । ଦିଲ୍ଲୀ ଯିବା ଆଗରୁ ସବୁ କିଛି ଠିକ ଠାକ ଥିଲା । ମାତ୍ର ଦିଲ୍ଲୀର ପାଣିପାଗ ସବୁ କିଛି ଉଲଟ ପାଲଟ କରି ଦେଲା । ସେମାନଙ୍କର ହସ ଖୁସିର ସଂସାରକୁ କାହାର ନଜର ଲାଗି ଗଲା । ଆଦିତ୍ୟଙ୍କର ବ୍ୟବହାର ଧୀରେ ଧୀରେ ପରିବର୍ତ୍ତନ ହେବା ଅନୁଭବ କରୁ ଥିଲା ଶ୍ରଦ୍ଧା । ସମୟ ବଢିବା ସହ ଯେମିତି ଆଦିତ୍ୟ ଓ ତା ମଝିରେ ଦୂରତ୍ୱ ବଢି ବଢି ଯାଉଥିଲା । ପିଲାର ଦାୟିତ୍ୱ, ସ୍କୁଲର କର୍ତ୍ତବ୍ୟ ଓ ଘରର ସବୁ ଦାୟିତ୍ୱ ତୁଲାଉ ତୁଲାଉ ସେ ଯେମିତି କ୍ଲାନ୍ତ ହୋଇ ପଡୁଥିଲା । କେମିତି ବା ନହେବ, ସ୍ୱାମୀଙ୍କର ପ୍ରେମ, ଭଲ ପାଇବା ଓ ସାଥ ଥିଲେ ସେ ସବୁ ଵାଧିଵ ନାହିଁ । ହେଲେ ସେ ନିଜକୁ ଏକା ଏକା ଅନୁଭବ କରୁଥିଲା । ପ୍ରେମ ବିବାହ କରିଥିବାରୁ ନା ଶାଶୁଘର ଲୋକ ତାକୁ ଭଲ ଦୃଷ୍ଟିରେ ଦେଖୁଥିଲେ ନା ଆଗ ପରି ବାପଘରର ଭଲ ପାଇବାକୁ ସେ ନିଜର କରିପାରୁଥିଲା । ଭାଇମାନେ ବିବାହିତ ତେଣୁ ସେ ବି ଟିକେ ଟିକେ କଥାରେ ବାପଘର ଲୋକଙ୍କୁ ସାମିଲ କରିବା ଠିକ ଭାବେନି । ଏପଟେ ଆଦିତ୍ୟ ଫୋନ କଲେ ଧରନ୍ତି ନାହିଁ, ବ୍ୟସ୍ତ ଅଛି, ମିଟିଂରେ ଅଛି କହନ୍ତି । ମେସେଜ ଦେଲେ ଦେଖନ୍ତି ନାହିଁ । ନିଜ ପଟୁ ଫୋନ କଲେ ପାଞ୍ଚ ଦଶ ମିନିଟ କଥା ହୋଇ କାଟି ଦିଅନ୍ତି ଫୋନ ।
ଏ ସବୁ ଶ୍ରଦ୍ଧା ପାଇଁ ଦିନକୁ ଦିନ ଅସହ୍ୟ ହୁଏ । ତାର ଇଚ୍ଛା ହୁଏ ସବୁ କିଛି ଛାଡ଼ି ଦେଇ ଆଦିତ୍ୟଙ୍କ ପାଖକୁ ଚାଲି ଯିବାକୁ ମାତ୍ର ସବୁ ଇଚ୍ଛା ଦାୟିତ୍ୱବୋଧର ଭାରରେ ଚାପି ହୋଇ ଯାଏ । ତାଙ୍କର ଏ ଅବହେଳା ଓ ଅଣଦେଖା ତା ପାଇଁ ହୃଦୟ ବିଦାରକ ଓ ଖୁବ ଯନ୍ତ୍ରଣାଦାୟକ । ନିଜର ଭଲ ପାଉଥିବା ବା ଅତି ଆପଣାର ମଣିଷଟି ଦୂରେଇ ଗଲେ କେତେ ଯେ କଷ୍ଟ ଲାଗେ କେବଳ ସେ ହିଁ ବୁଝିବ ଯେ ଅନୁଭବ କରିଛି । ତାକୁ ଭାଷାରେ ବର୍ଣ୍ଣନା କରି ହେବ ନାହିଁ । ଏ ସବୁ ଭିତରେ କୋରନା ପାଇଁ ଲକଡାଉନ ହୁଏ । ସ୍କୁଲ ଛୁଟି ହୋଇଯାଏ । ଏବେ ଶ୍ରଦ୍ଧାକୁ ବହୁତ ସମୟ ମିଳିଲା । ସେ ଆଦିତ୍ୟଙ୍କର ଅନୁପସ୍ଥିତି ଓ ଅବହେଳାକୁ ବେଶୀ ବେଶୀ ଅନୁଭବ କଲା । ଲକଡାଉନ କଟକଣା ପାଇଁ ସେ ନା କୁଆଡେ ଯାଇପାରୁଥାଏ ନା ତା ପାଖକୁ କେହି ଆସି ପାରୁଥାନ୍ତି । ତାର ଏକାକୀତ୍ୱ ତାକୁ ଭିତରେ ଭିତରେ ଖାଇଚାଲିଥାଏ ଏବଂ ଆଦିତ୍ୟଙ୍କର ଅଣଦେଖା ତା ଜୀଵନକୁ ଜାଳି ପୋଡି ପାଉଁଶ କରି ଦେଉ ଥାଏ । ଗୋଟେ ଦିନ ସକାଳୁ ସେ ଆଦିତ୍ୟଙ୍କୁ ଫୋନ କଲା ଆଦିତ୍ୟ ପରେ ଫୋନ କରିବି କହି କଲେନାହିଁ । ତାପରେ ଦିନ ଦୁଇରେ ସେ ବାରମ୍ବାର ଫୋନ କରିବାରୁ ଆଦିତ୍ୟ ଓ ତା ଭିତରେ ବହୁତ ଝଗଡା ହେଲା । ଆଦିତ୍ୟ ତାକୁ କଣ କହିଲେ ମାଆ ଗଙ୍ଗେ ଜାଣନ୍ତି । ସେ ବୋଧହୁଏ ସହି ପାରିଲାନି । ରାତି ଆଠଟା ବେଳକୁ ପୁଅକୁ ଖାଇବାକୁ ଦେଇ ଶୁଆଇଦେଲା ଓ ନିଜେ ରସି ଲଗାଇ ଆତ୍ମହତ୍ୟା କଲା । ରାତି ନଅରେ ଆଦିତ୍ୟ ଫୋନ କଲେ କାରଣ ସେ ଠିକ ସେ ଜାଣି ଥିଲେ ସେ ଶ୍ରଦ୍ଧାକୁ କଣ କହିଥିଲେ ଓ ଶ୍ରଦ୍ଧା କେମିତି ତାକୁ ଗ୍ରହଣ କରିଛି ଜାଣିବା ପାଇଁ । ମାତ୍ର ସେତେବେଳକୁ ଶ୍ରଦ୍ଧା ଦୁନିଆ ଛାଡି ସାରିଛି । ଫୋନ ରିଂ ହୋଇ କଟିଯିବାରୁ ସେ ପଡୋଶୀ ଘରକୁ ଫୋନ କରି ଶ୍ରଦ୍ଧାକୁ ଦେଖିବାକୁ କହିଲେ । ସେ ଆସି ଦେଖେ ତ ପୁଅ ଶୋଇଛି ଓ ଶ୍ରଦ୍ଧା ଆଉ ଜୀବିତ ନାହିଁ । ସେ ପ୍ରତାରଣାର ହଳାହଳ ବିଷକୁ ପିଇ ଦୁନିଆକୁ ପର କରି ସାରିଥିଲା । ଆଦିତ୍ୟ ଶୁଦ୍ଧି ହେବା ପାଇଁ ଦିଲ୍ଲୀରୁ ଓଡ଼ିଶା ଆସିଲେ । ତାଙ୍କ ମୁହଁରେ ଲେଶ ମାତ୍ର ଦୁଃଖ ପ୍ରତୀୟମାନ ହେଉନଥିଲା ବରଂ ଅନ୍ତରର ଖୁସି ବାରି ପଡୁଥିଲା । ଆଉ ଛୁଟି ମିଳିବନି, କୋରନା କଟକଣା ପାଇଁ ମୁଁ ଆସି ପାରିବିନି, ପୁଣି ହୋଟେଲ ବନ୍ଦ ଥିବାରୁ ଖାଇବା ପିଇବାରେ ଅସୁବିଧା ଦର୍ଶାଇ ତେର ଦିନରେ ଫେସବୁକ ମାଧ୍ୟମରେ ଭଲ ପାଇ ଥିବା ଗୋଟେ ଝିଅ ସହ ବିବାହ କରି ଦିଲ୍ଲୀ ଫେରି ଗଲେ ଆଦିତ୍ୟ । ମାତ୍ର ଥରୁଟେ ବି ସେ ଚିନ୍ତା କଲେନି ପୁଅ କଥା । ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ଶ୍ରଦ୍ଧାର ମାଆଙ୍କ ହାତରେ ଦେଇ ସେ ନିଜ ସ୍ୱାର୍ଥରେ ନିଜ ବାଟରେ ଚାଲିଗଲେ । ମାଆ ଶ୍ରଦ୍ଧା ମଧ୍ୟ ନିଜ ଜୀବନ ହାରିବା ଆଗରୁ ଥରୁଟିଏ ବି ପୁଅ କଥା ଭାବିଲା ନାହିଁ । ଆଦିତ୍ୟ ପାଖରେ ସିନା ତୋ ଜୀଵନର କିଛି ମୂଲ୍ୟ ନଥିଲା କିନ୍ତୁ ଯିଏ ତା ପାଇଁ ଦୁନିଆକୁ ଆସିଛି, ତାର କଣ ହେବ । ଗୋଟେ ନାରୀ ମାଆ ହେଲା ପରେ ସେ ଆଉ ନିଜ ପାଇଁ ବଞ୍ଚି ନଥାଏ, ସେ ବଞ୍ଚି ରହେ ନିଜ ପିଲା ପାଇଁ । ଏତେ ଛୋଟ ପିଲା ପୁଣି ମାଆ ସହ ଏକା ରହୁ ଥିବାରୁ ସେ କାହାକୁ ଚିହ୍ନି ନାହିଁ, ମାଆ ଛଡା । ମାଆକୁ ଝୁରି ଝୁରି ଖାଦ୍ୟପେୟ ଛାଡି କଣ୍ଟା ହୋଇ ଗଲାଣି ପିଲାଟି । ମାଆ ବିନା ଦୁନିଆ କଣ ଜାଣି ନଥିବା ପିଲାଟା କେମିତି ବଞ୍ଚିବ ଏ ସ୍ୱାର୍ଥପର ଦୁନିଆରେ । ତେଣୁ ପ୍ରେମର ମିଠା ସ୍ୱାଦ ଚାଖିବା ପୁର୍ବରୁ ପ୍ରତାରଣାର ତିକ୍ତ ସ୍ୱାଦ ପାନ ପାଇଁ ଛାତିରେ ସାହାସ ଓ ମନରେ ଦମ୍ଭ ରଖି ନିଜକୁ ପ୍ରସ୍ତୁତ କରି ରଖିବା ଦରକାର କାରଣ ଭବିଷ୍ୟତ ଆମ ପାଇଁ କଣ ରଖିଚି ଆମେ ଜାଣୁନା । ଯିଏ ଆମକୁ ଭଲ ନ ପାଇଲା ଆମେ ବି ତାକୁ ଭୁଲି ଯାଇ ଯେତେ ଶୀଘ୍ର ନିଜକୁ ସହଜ କରି ନେଇ ପାରିବା ତାହା ସମସ୍ତଙ୍କ ପାଇଁ ମଙ୍ଗଳପ୍ରଦ ହେବ । ଗୋଟେ ସ୍ୱାର୍ଥପର ପାଇଁ ଜୀଵନ ହାରିବାରେ କୋଉ କୃତିତ୍ୱ ପ୍ରାପ୍ତ ହେବ । ବରଂ ତାକୁ ଦେଖାଇ ଦେବାକୁ ହେବ ତୋ ବିନା ମୁଁ ବି ଭଲରେ ବଞ୍ଚି ପାରିବି । ଅଯଥା ଭାବପ୍ରବଣତାର ଶିକାର ନହୋଇ ବାସ୍ତଵବାଦୀ ହେବା ଦରକାର । ସେ ପିଲାର କଣ ଦୋଷ ଥିଲା ?? ପ୍ରେମ ଓ ପ୍ରତାରଣାର ଦୁଃପ୍ରଭାଵର ଶିକାର ହୋଇ ସେ ଆଜି ପାଲଟି ଯାଇଛି ଅନାଥ, ଅରକ୍ଷ ଓ ଅଭିଶପ୍ତ ।
