ପାଳଭୂତ
ପାଳଭୂତ
ଏଥର ଦଶହରା ଛୁଟି ମଧୁ ମାଉସୀଙ୍କ ସହ କଟାଇବ ବୋଲି ସ୍ଥିର କରିଛି । ରାଜଧାନୀ ଦିଲ୍ଲୀର ଚାକଚକ୍ୟ ଓ ପ୍ରଦୂଷିତ ପରିବେଶରୁ କିଛି ଦିନ ପାଇଁ ବାହାରି ନିଜକୁ ମୁକ୍ତ ଗ୍ରାମାଞ୍ଚଳର ସରଳ ନିଚ୍ଛକ ଜୀଵନରେ ହଜାଇ ଦେବା ପାଇଁ ଭାବିଛି । ମାଉସୀ ରମ୍ଭା ଜଣେ ସମାଜସେବୀ ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ । ଭଦ୍ରକ ଜିଲ୍ଲାର ଅନନ୍ତପୁର ଗ୍ରାମରେ ସେ ରହନ୍ତି । ଅବିବାହିତ ଥିବାରୁ ତାଙ୍କ ସହ ଜଣେ କାମବାଲି ଓ ରାନ୍ଧୁଣି ମାଉସୀ ରହନ୍ତି । ଏତିକି ତାଙ୍କ ପରିବାର । ମଧୁ ଜଣେ ସଫ୍ଟୱେର ଇଂଜିନିୟର । ଛୋଟ ବେଳରୁ ଅନାଥଶ୍ରମରେ ବଢିଛି । ନିଜର ବୋଲି କେହି ନାହାଁନ୍ତି । ମାତ୍ର ମଧୁକୁ ଜନ୍ମ ଦେଇ ତାର ମାଆ ଯେବେକୁଆଁରି ମାତୃତ୍ୱର ଅପନିନ୍ଦାର କଳଙ୍କକୁ ପୋଛି ଦେବା ପାଇଁ ମଧୁକୁ କୁକୁର ବିଲୁଆଙ୍କ ଶିକାର ହେବା ପାଇଁ ରାସ୍ତାକଡରେ ଛାଡି ଚାଲି ଯାଇଥିଲା , ଠିକ୍ ସେ ସମୟରେ ରମ୍ଭା ମାଉସୀ ଦେବତାଙ୍କର ଦୂତ ସାଜି ଅଵତରଣ କରି ଥିଲେ ତା ପାଇଁ ଏ ଧରାରେ । ତାର କୁଁଆ କୁଁଆ ଡାକ ତାଙ୍କ ହୃଦୟ ତନ୍ତ୍ରୀରେ ମାତୃତ୍ୱ ମୋହର ଝଙ୍କାର ତୋଳି ଥିଲା । ସେ ତାକୁ ଅତି ଆଦରରେ ତୋଳି ନେଇ ଥିଲେ କୋଳକୁ । ମାତ୍ର ଏକା ମଣିଷ ଓ ଅନେକ ଦାଇତ୍ୱବୋଧର ବୋଝ ତଳେ ଚାପି ହୋଇ ଯାଇ ଥିଲା ତାଙ୍କ ମାତୃତ୍ୱ । ଶେଷରେ ସେ ତାକୁ ଛାଡି ଆସି ଥିଲେ ମମତା ଅନାଥ ଆଶ୍ରମରେ । ହେଲେ କେମିତି ଗୋଟେ ମାୟା ତାଙ୍କୁ ବାନ୍ଧି ଦେଇ ଥିଲା ପିଲାଟିର ଆକର୍ଷଣରେ । ସେ ତାକୁ ସମୟ ମିଳିଲେ ଦେଖା କରନ୍ତି ଓ ତାର ସମସ୍ତ ଭରଣ ପୋଷଣର ଦାଇତ୍ୱ ମଧ୍ୟ ତୁଲାଉ ଥିଲେ । ରମ୍ଭା ମାଉସୀଙ୍କ ଦୟାରୁ ସେ ଇଂଜିନିୟରଟିଏ ହୋଇ ପାରିଛି । ମଧୁ ମଧ୍ୟ ରମ୍ଭାଙ୍କୁ ନିଜ ଦୁନିଆ ଭାବେ । ବହୁତ ଦିନ ହେଲା ତାଙ୍କ ଠାରୁ ଦୂରରେ ରହିଛି । ନୂଆ ପୋଷ୍ଟିଂ ହୋଇଥିବାରୁ ମଧୁ ଛୁଟି ନେଇ ଆସି ପାରୁ ନଥିଲା । ଦୁର୍ଗା ପୂଜା ପାଇଁ ତିନି ଦିନ ଛୁଟି ମିଳିଲା ଓ ସେ ନିଜର କିଛି ଛୁଟି ମିଶାଇ ଦଶ ଦିନ ପାଇଁ ରମ୍ଭାଙ୍କ ପାଖକୁ ଆସୁଛି ।
ମଧୁର ଆସିବା ଖବର ଶୁଣି ରମ୍ଭା ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି । ଯେମିତି ମଧୁର ସ୍ୱାଗତରେ କିଛି କମି ରହି ନଯାଉ , ଠିକ୍ ଜଣେ ସ୍ନେହୀ ମାଆ ପରି । ମଧୁ ଆସି ଘରେ ପହଞ୍ଚିଲା ପରେ , ପରସ୍ପର ପରସ୍ପରକୁ ଦେଖି ବହୁତ ଖୁସି ହେଲେ । ପରଦିନ ମଧୁ ଗାଁ ବୁଲି ବାକୁ ବାହାରିଲା ରମ୍ଭାଙ୍କ ସହିତ । ରମ୍ଭା ସମାଜସେବୀ ହୋଇ ଥିବାରୁ ଗାଁ ଲୋକ ମାନଙ୍କର ଭଲମନ୍ଦ ବୁଝାସୁଝା କରନ୍ତି । ଯାହାକୁ ଯାହା ସାହାଯ୍ୟ ଦରକାର ଚାଲି ଆସନ୍ତି ରମ୍ଭା ମାଉସୀଙ୍କ ପାଖକୁ । ସେ ଗାଁ ସାରା ସମସ୍ତଙ୍କର ମାଉସୀ । ଗାଁ ଭିତରେ ବୁଲୁ ବୁଲୁ ସେମାନଙ୍କର ଦୃଷ୍ଟି ଆକର୍ଷଣ କରେ ରଘୁଆ ପ୍ରଧାନର ଏକ ମାତ୍ର ବୋହୁର ଅସହ୍ୟ ଗାଳି ଗୁଲଜ । ମଧୁ ପ୍ରଥମେ ବୁଝି ପାରିଲାନାହିଁ ଘଟଣା କଣ ବୋଲି । ତାର ପାଦ ଅଟକି ଗଲା ସେଠାରେ ମାତ୍ର ରମ୍ଭା ତାର ହାତ ଧରି ଖୁବ ଶୀଘ୍ର ସେଠାରୁ ଆଗକୁ ଚାଲି ବାକୁ ଆରମ୍ଭ କଲେ । ଗାଁ ପାଖ ନଦୀ ବନ୍ଧ ସନ୍ଧ୍ୟା ଆଗତ ହେବାରୁ ଖୁବ ମନୋରମ ଲାଗୁ ଥାଏ । ତେଣୁ ସେଠାରେ କିଛି ସମୟ ପ୍ରକୃତିକୁ ଅଵଲୋକନ କରି ଘରକୁ ଫେରିବେ ଭାବି ଦୁହେଁ ଟିକେ ବସି ପଡିଲେ ।
ଗୋଧୂଳି ସମୟ , ଗାଇଆଳ ପିଲା ଗାଇ ନେଇ ଘରକୁ ଫେରୁଥାନ୍ତି । ପକ୍ଷୀ ମାନେ ବସାକୁ ଲେଉଟୁ ଥାନ୍ତି । କିନ୍ତୁ ମଧୁ ଫେରି ପାରୁ ନଥାଏ ଗାଁ ଭିତରେ ଦେଖି ଆସି ଥିବା ଘଟଣା ବାହାରକୁ । ମଧୁ ନିଜ ପ୍ରଶ୍ନିଳ ମନକୁ ଆଉ ଅଟକାଇ ପାରିଲାନି । ମାଉସୀଙ୍କୁ ପଚାରିଲା , ସେ ସ୍ତ୍ରୀ ଲୋକଟି କିଏ , କାହାକୁ ଓ କଣ ପାଇଁ ଗାଳି ଗୁଲଜ କରୁ ଥିଲା । ମଧୁର କଥା ଶୁଣି ରମ୍ଭା କହିଲେ , ସେ ସ୍ତ୍ରୀ ଲୋକ ହେଉଛି ରଘୁଆ ପ୍ରଧାନର ଗୋଟିଏ ମାତ୍ର ପୁଅର ସ୍ତ୍ରୀ । ରଘୁଆ ବୁଢୀ ସାତଟି ଝିଅ ଜନ୍ମ କଲା ପରେ କେତେ ଦିଅଁ ଦେବତା ଡାକି ଓଷା ବାର କରି ଶେଷରେ ଗୋଟେ କୁଳାଙ୍ଗାର ପୁଅକୁ ଜନ୍ମ ଦେଲା । ମାତ୍ର ତାର ସାତଟି ଝିଅ ଏବେ ସମସ୍ତେ ଶିକ୍ଷକ, ନର୍ସ , କ୍ଲାର୍କ ଏମିତି ଛୋଟ ବଡ଼ ଚାକିରୀ କରି ଆରମରେ ଶାଶୁଘରେ ରହୁଛନ୍ତି । ହେଲେ ପୁଅ ତାର ମଦୁଆ । ଏ ଯେଉଁ ସ୍ତ୍ରୀ ଲୋକ ଗାଳି ଦେଉ ଥିଲା , ସେ ତା ଶଶୁରକୁ ଗାଳି ଦେଉ ଥିଲା । ରଘୁଆ ବୁଢ଼ାର ସ୍ତ୍ରୀ କେବେ ଠୁ ମଲାଣି । ଏବେ ଘରେ ବୁଢ଼ାର ପୁଅ , ବୋହୁ , ନାତି , ନାତୁଣୀ ବୋହୁ ଓ ତାଙ୍କର ଦୁଇ ଝିଅ ରହୁଛନ୍ତି । ମାତ୍ର କେହି ବୁଢାର ସେବା ଯତ୍ନ କରନ୍ତି ନାହିଁ । ବୁଢ଼ା ବସିବା ଜାଗାରୁ ଉଠି ପାରେନି । ଯେଉଁଠି ବସିଲେ ସେଇଠି ଝାଡ଼ା ପରିସ୍ରା ହୋଇ ଯାଏ । ସେଥିପାଇଁ ତା ବୋହୁ ଗାଳି ଗୁଳଜ କରେ ଓ ଅନେକ ଥର ମାଡ଼ ମଧ୍ୟ ମାରେ । ଏତିକି ଶୁଣି ସରିଲା ପରେ ମଧୁ ରମ୍ଭାଙ୍କୁ ଅଟକାଇ କହିଲା , ମାଉସୀ ତୁମେ ତ ଏତେ ସଂସ୍ଥା ସହ ଜଡ଼ିତ ଅଛ ସେ ବୁଢ଼ା ପାଇଁ ଗୋଟେ ବୃଦ୍ଧାଶ୍ରମର ବ୍ୟବସ୍ଥା କରୁନ । ସେଠାରେ ତ ସେ ଭଲରେ ରହି ପାରନ୍ତା । ହଁ , ତୁ ଠିକ୍ କହିଲୁ । ମୁଁ ଏ କଥା ପାଞ୍ଚ ବର୍ଷ ପୂର୍ବରୁ ଚେଷ୍ଟା କରି ସାରିଛି । ସେତେବେଳେ ବୁଢା ଭଲ ଅବସ୍ଥାରେ ଥିଲା । ପୁଅ ବୋହୂ ମାଡ଼ ମାରନ୍ତି । ଖାଇବାକୁ ପିଇବାକୁ ଦିଅନ୍ତି ନାହିଁ। ସରକାରୀ ଭତ୍ତା ଗଣ୍ଡାକ ବି ବୁଢା ଠୁ ଟିପ ମାରି ନେଇ ଯାନ୍ତି । ବୁଢ଼ା ବେଳେବେଳେ ମୋ ପାଖକୁ ଆସେ । ମୁଠାଏ ଖାଇ ବାରଣ୍ଡାରେ ଶୋଇ ପୁଣି ଚାଲି ଯାଉ ଥିଲା । ଥରେ ବୁଢାର ଦୁଃଖ ସହି ନପାରି ମୁଁ ବୁଢ଼ାକୁ କହିଲି ଚାଲ ମୁଁ ତୁମକୁ ବୃଦ୍ଧାଶ୍ରମରେ ରଖି ଦେବି । ସେଠାରେ ଭଲରେ ରହିବ । କିଛି ଅସୁବିଧା ହେବ ନାହିଁ । ମାତ୍ର ବୁଢା ମୋତେ ଉତ୍ତରରେ କହିଲା, ଦିଦି ତୁମେ ଯୋଉ ପରିବାର ଘର କଥା କହୁଛ ତାହା ମୋ ପାଇଁ ମୋ କ୍ଷେତ ଠାରୁ କିଛି କମ ନୁହଁ । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି କେମିତି ? ସେ କହିଲା ଦେଖ ଦିଦି ମୁଁ ଯେମିତି ମୋ କ୍ଷେତର ଯତ୍ନ ନିଏ ସେମିତି ମୋ ପରିବାରର ଯତ୍ନ ନିଏ । ଝାଳ ନିଗାଡି ପରିଶ୍ରମ କରି କ୍ଷେତକୁ ଯେମିତି ସବୁଜ ସୁନ୍ଦର କରେ ସେମିତି ମୋ ପରିବାର ବାସୀଙ୍କ ମୁହଁରେ ଆଧାର ଦିଏ । ଆଠଟା ପିଲାଙ୍କୁ ମଣିଷ କରିବା କଣ କମ କଥା । ହଁ ସେତେବେଳେ ସୁଲ ମୋ ସହ ଥିଲା କାନ୍ଧକୁ କାନ୍ଧ ମିଳାଇ ହସ ଦୁଃଖ ବାଣ୍ଟି ସବୁ ସହି ଯାଉ ଥିଲି । ହେଲେ ଆମେ ଦୁହେଁ ମିଶି ଗଢି ଥିବା ସେ କ୍ଷେତକୁ କଣ ମୁଁ ଏମିତି ଛାଡି ଚାଲି ଯିବି ?ସେମାନେ ପିଲା ଲୋକ ବୁଝି ନାହାଁନ୍ତି , ମୁଁ ତ ବୁଝିଛି । ନିଜ ହାତରେ ଗଢି ଥିବା ଜିନିଷଟା କିଏ କଣ ନିଜେ ଭାଙ୍ଗି ଦିଏ । ହଁ ,ମୁଁ ଏବେ ବୁଢା ହୋଇଯାଇଛି , ପରିଶ୍ରମ କରି ପାରୁନି ।ଦେହର ବଳ ସିନା କମି ଯାଇଛି ହେଲେ ମନୋବଳ ସେମିତି ଅଛି। କିନ୍ତୁ ସେ କ୍ଷେତ ପାଇଁ କଣ ମୁଁ ପାଳଭୂତଟିଏ ହୋଇ ପାରିବିନି । ପାଳ ଭୂତ ମୁଣ୍ଡରେ ଥିବା ସେ ହାଣ୍ଡି ପରି ମୋ ମୁଣ୍ଡ କେଶ ହୀନ ଲଣ୍ଡିତ । ନାତି ନତୁଣୀ ବୋହୁଙ୍କ ତାଛଲ୍ୟ ମୋତେ , ପାଳଭୂତ ମୁଣ୍ଡରେ ବସି ପକ୍ଷୀ ମାନଙ୍କର ଥଣ୍ଟ ଘଷିଲା ପରି ମନେ ହୁଏ । ମୁଁ କଣ ସେଥିରେ ଡରି ଯିବି । ପାଳଭୂତ ଦେହର ସେ ଚିରା ଫଟା ପୋଷାକ ପରି ମୋ ଦେହରେ ମଧ୍ୟ ମୋ ପୁଅ ନାତିଙ୍କର ପୁରୁଣା ଚିରା ଫଟା ପୋଷାକ । ଆଉ ପାଳଭୂତର ଶରୀରରେ ଥିବା ସେ ନଡ଼ା କାଠିକୁଟା ମୋ ଦେହରେ ଥିବା ଧୁଡୁ ଧୁଡୁ ଚମ ତଳର ପିଞ୍ଜରା କାଠି । ସେ ଯେମିତି ଗୋଟିଏ ସ୍ଥାନରେ ରହି ଖରା ,ବର୍ଷା ,ଶୀତ , କାକରକୁ ନ ଡରି କ୍ଷେତକୁ ଶତ୍ରୁ ଆକ୍ରମଣରୁ ବଞ୍ଚାଏ , ଠିକ୍ ସେମିତି ମୁଁ ବି ମୋ କ୍ଷେତକୁ ରକ୍ଷା କରେ । ଦାଣ୍ଡ ଅଗଣାରେ ଶୋଇ ଥିବାର ଦେଖିଲେ ଚୋର ତୋ ଚୋର ,କୁକୁର ବିଲେଇ ବି ଘରେ ପଶିବାକୁ ସାହସ କରନ୍ତି ନାହିଁ । ତେଣୁ ଏ ପାଳଭୂତ ତା କ୍ଷେତକୁ ଛାଡିକୁଆଡେ ଯିବ ଦିଦି ? ତୁମେ କୁହ ମୋ ବିନା ଏ ଘରର ଅବସ୍ଥା କଣ ହେବ ? ଏମିତି କହି ବୁଢ଼ା ବାଡ଼ି ଧରି ଠୁକୁ ଠୁକୁ ନିଜ ଘରକୁ ଚାଲି ଗଲା । ସେବେ ଠାରୁ ବୁଢା କେବେ ଆମ ଘରକୁ ଆସେ ନାହିଁ ।
ଏ କଥା ଶୁଣି ମଧୁ ହୃଦୟଙ୍ଗମ କଲା ଯେ , ଯେଉଁ ବାପା ମାଆଙ୍କୁ ବୃଦ୍ଧ ଅବସ୍ଥାରେ ପିଲାମାନେ ଛାଡି ଦିଅନ୍ତି ସେମାନେ ହିଁ ପରିବାରର ବାସ୍ତବିକ ରକ୍ଷାକାରୀ । କିନ୍ତୁ ଏ ସମାଜ କଣ ଏହିପରି ପାଳଭୂତ ମାନଙ୍କୁ କେବେ ସମ୍ମାନ ଦିଏ ? ଏ ସମାଜରେ ସେମାନେ ଅବହେଳିତ , ନିଷ୍ପେସିତ , ଅଲୋଡା , ଅଖୋଜା ହୋଇ ନିଜର ଅବଶିଷ୍ଟ ଜୀଵନ ଜୀଉଁ ଥାନ୍ତି ପାଳଭୂତଟିଏ ସାଜି । ତଥାପି ସେମାନେ ନିଜ ପରିବାରର ଅମଙ୍ଗଳ ଚିନ୍ତା ବି କରି ପାରନ୍ତି ନାହିଁ କି ପରିବାର ଠୁ ଦୂରରେ ରହିବା କଥା ସ୍ୱପ୍ନରେ ଭାବି ପାରନ୍ତି ନାହିଁ । ଖୋଜିନ୍ତି ଟିକେ ସ୍ନେହ , ଶ୍ରଦ୍ଧା , ଭଲ ପାଇବା ଓ ଯତ୍ନ । ଏତିକି କଣ ଆମେ ତାଙ୍କୁ ଦେଇ ପାରିବା ନାହିଁ ?
