ମୋ ଗାଁ ଶଗଡ଼ି ଯାତ୍ରା
ମୋ ଗାଁ ଶଗଡ଼ି ଯାତ୍ରା
କୋଉଠି ଜନ୍ମ ନିଏ ଝିଅଟିଏ, ପଢ଼େ ,ବଢେ ,ରଜ କରେ ,ରାଜ ବି କରୁଥିବା ଘରୁ, ଦିନେ କିନ୍ତୁ ବିବାହ କରି ଚାଲିଯାଏ ପରଘରକୁ। ସେ ଗାଁର ପାଣି ପବନ, ଝରଣା ନଈ, ଦୂର ଦିଗବଳୟ ସ୍ଵାଗତ କରେ ଝିଅଟିକୁ ବଧୂ ରୂପେ। ଝିଅଟିକୁ କିନ୍ତୁ ସମୟ ଲାଗେ, ବୁଝିବାକୁ ସମସ୍ତଙ୍କୁ, ସହିବାକୁ , ଚଳିବାକୁ ତଥା ସେଘର ,ସେ ଗାଁ ର ଲୋକମାନଙ୍କର ଓ ପ୍ରକୃତିର ନିଜର ହୋଇ ସବୁଜ ସ୍ପର୍ଶ ପାଇବାକୁ। ସେଦିନ କାର ରହିଗଲା ଗାଁ ମୁଣ୍ଡରେ ଆଉ ହାତେ ଓଢଣା ଟାଣି ଘର ପର୍ଯ୍ୟନ୍ତ ବଡ କଷ୍ଟରେ ଶଗଡ଼ିରେ ପ୍ରଥମ କରି ବସିଥିଲା ଲୋପା ନାମ୍ନୀ ଝିଅଟି। ସହର ରୁ ଆସିଥିବା ଝିଅ ,ଗାଁର ପାଣି ପବନ, ଗଛଲତା ସହିତ ନିବିଡ ସଂପର୍କ ବାନ୍ଧୁ ବାନ୍ଧୁ , ମନରେ ବେଳେ ବେଳେ ଦୁଃଖ ଆସେ, ଶେଷକୁ ଶଗଡ଼ିରେ ବି ବସିବାକୁ ପଡିଲା, ହେଲେ ମନ ବୁଝିଯାଏ, ନାରିକେଳ , ବଉଳ, ଛୁରିଅନା ର ସବୁଜିମା ସ୍ପର୍ଶ ଭିତରେ, ସାକ୍ଷୀଗୋପାଳଙ୍କ କୃପା ଓ କରୁଣାରେ। ଏ ଭିତରେ ଲୋପା ଖୁବ୍ ଭଲ ନହେଲେ ବି କିଛି ଲେଖାଲେଖି କରି ତା ଗ୍ରାମ ର ନାମ ରଖିବା ସହ ସାକ୍ଷୀଗୋପାଳଙ୍କ ଦୟା ଓ ମହିମାରୁ ତା ଗାଁ ମାଟିରେ ଆଦୃତ ହୋଇସାରିଥିଲା ।ତ, ସେଦିନ ନିମନ୍ତ୍ରଣ ଟିଏ ମିଳିଲା। ସିଦ୍ଧ ବକୁଳ, ଯାହାଙ୍କୁ ଆମେ ଜଗନ୍ନାଥଙ୍କ ଅଜା ବୋଲି ଜାଣୁ, ସେଠାରୁ ଶଗଡ଼ିରେ ସେନାପଟା ଲାଗି ପାଇଁ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ, ଶ୍ରୀଅଙ୍ଗ ରେ ଲାଗି ହେବା ପାଇଁ ବଉଳ କାଠ ଯିବ, ତେଣୁ କବି ସମ୍ମିଳନୀଟିଏ ,ଆୟୋଜକ ମାନଙ୍କ ଦ୍ଵାରା ଆୟୋଜିତ ହୋଇଛି ଓ ଲୋପାଙ୍କୁ ମଞ୍ଚକୁ ନିମନ୍ତ୍ରଣ l ଦେହ ଶୀତେଇ ଉଠିଲା କି ସଂଯୋଗ ସତରେ! ବୋହୁ ହୋଇ ଆସିବା ବେଳେ ଲୋପା ଦେଖେ ପୁରୀ, ତା ନିଜ ସହରର ପରମ୍ପରା, ସଂସ୍କୃତି, ଐତିହ୍ୟ ସହିତ ତା ଶାଶୁଘର ସାକ୍ଷୀଗୋପାଳର ବହୁ ସାମଞ୍ଜସ୍ୟ ରହିଛି। ଜଗନ୍ନାଥଙ୍କ ରୀତି ନୀତି ଭଳି ଗୋପୀନାଥଙ୍କର ମଧ୍ୟ ଚନ୍ଦନଯାତ୍ରା, ଦେବ ଦୀପାବଳୀ ଇତ୍ୟାଦି ସହ ଅଁଳାନବମୀ ସ୍ୱତନ୍ତ୍ର। ତା ଛଡା ପୁରୀକୁ ଆସୁଥିବା ତୀର୍ଥଯାତ୍ରୀ ମାନେ ଆସନ୍ତି ଗୋପୀନାଥ ଓ ସିଦ୍ଧ ବକୁଳ ଅର୍ଥାତ୍, ବକୁଳ ବନ ଭିତରେ ଥିବା ବଳରାମ ଦାସ ସିଦ୍ଧି ପ୍ରାପ୍ତ ହୋଇ ଜଗନ୍ନାଥଙ୍କ ସଦୃଶ ରହିଗଲେ ତାଙ୍କ ଅଜା ହୋଇ। ବଉଳ ଗଛ ଓ ଅଁଳା ଗଛ ଘେରା ମନ୍ଦିରରେ l ଅଁଳା ନବମୀ ବେଳେ ଦର୍ଶନାର୍ଥି ତଥା ସ୍ଥାନୀୟ ଅଧିବାସୀ ମାନେ ସିଦ୍ଧ ବକୁଳ ପୀଠରେ ଥିବା ଅଁଳା ଗଛ ପୂଜା କରି ଅନ୍ନ ପ୍ରସାଦ ସେବନ କରନ୍ତି, ଲୋପା ବି ଯାଇଛନ୍ତି ଅନେକ ଥର, ପାଇଛନ୍ତି ପ୍ରସାଦ ଓ ଅତିଥି ଅଭ୍ୟାଗତ ଆସିଲେ ଖୁଆଇଛନ୍ତି, ଆଉ ଦେଖିଛନ୍ତି ମଧ୍ୟ ସିଦ୍ଧ ବକୁଳ ଙ୍କ ରଥ ,ଚନ୍ଦନ ପୋଖରୀ ଯାଏଁ ଯିବା। କିନ୍ତୁ ଆଜି ଏଇ ପ୍ରଥମ ଥର ଜାଣିଲେ, ବଉଳ କାଠ, ଜଗନ୍ନାଥଙ୍କ ଶ୍ରୀଅଙ୍ଗ ଲାଗି ପାଇଁ ଏହି ସାକ୍ଷୀଗୋପାଳରୁ ସଂଗୃହୀତ ହୋଇ , ସେନାପଟା ନାମରେ, ସିଦ୍ଧବକୁଳ ପୀଠରୁ ଶଗଡି ଶୋଭାଯାତ୍ରା ରେ ଯାଏ। ଦେହ ମୁଣ୍ଡ ରେ ତଥା ମନରେ ତାଙ୍କର ଶିହରଣ ଓ ଜାଗରଣ। କି ସଂଯୋଗ ସତରେ। ଲୋପାବି ଦିନେ ତାଙ୍କ ସହର ପୁରୀରୁ କାରରେ ଆସି ମଝି ବାଟରୁ ଶଗଡି ଯାତ୍ରା କରିଥିଲେ,ବୋଲି ମନଦୁଃଖ କରିଥିଲେ,ହେଲେ ଆଜି ସେନାପଟା ଶଗଡି ଶୋଭାଯାତ୍ରାରେ କବି ସମ୍ମିଳନୀରେ ସେ ଜଣେ ମୂଖ୍ୟ ପୁରୋଧା। ବିଗଳିତ ହୃଦୟ ଓ ମନରେ ଉଦ୍ ବୋଧନ ଦେଉଥିଲେ, ପ୍ରତ୍ୟେକ ଗୋଟେ ଳେଖାଏଁ, ବଉଳ ଗଛ ଲଗାଇ, ତା ସବୁଜିମା ରେ ହଜିଯିବା, ଆଉ ଶଗଡି ପ୍ରଥାକୁ ବଜାୟ ରଖି ବଳଦ ମାନଙ୍କର ଯତ୍ନ ନେଇ କୃଷକ ଭାଇ, ଶ୍ରମିକ ଭାଇ ତଥା ଏ ପ୍ରଥାରେ ସଂଶ୍ଳିଷ୍ଟ ଥିବା ପ୍ରତ୍ୟେକ ଜନତା ଓ ସଂଘକୁ ଜିନ୍ଦାବାଦ। ଘନ ଘନ କରତାଳି ଭିତରେ, ସେନାପଟା ଶଗଡି ଗଡୁଥିଲା ହରିବୋଲ, ହୁଳହୁଳି ତଥା ସଙ୍କୀର୍ତ୍ତନ ଭିତରେ। ଲୋପା କହୁଥିଲେ ଜୟ ଜଗନ୍ନାଥ ଜୟ ସାକ୍ଷୀଗୋପିନାଥ, ଜୟ ସିଦ୍ଧବକୁଳ, ଜୟ ବୃକ୍ଷ ବଉଳ।
