Lopamudra Parida

Action Inspirational

3  

Lopamudra Parida

Action Inspirational

ମୋ ଅନୁଭୂତି ରେ ରଥଯାତ

ମୋ ଅନୁଭୂତି ରେ ରଥଯାତ

6 mins
177



,ରୁକୁଣାହରଣ ଆଉ ସ୍ନାହାନ ଠୁ କୁହେ ,ବେଶୀ ଭଲ କରି କହିପାରିବି ସେଇଠୁ ଆରମ୍ଭ କଲେ ବୋଲି ଲାଗୁଛି ।ଆମ ଘର ପୁରୀ ବାଲିସାହି ର ଗଣାମଲ୍ଲ ସାହିରେ ।ଦେଉଳଠୁ ଖୋଜେ ବାଟ ।ନିତି ସକାଳୁ ଆମେ ମଙ୍ଗଳା ଆଳତୀ ଦର୍ଶନ ରେ ଆସୁ ।ସାହିରୁ ସବୁ ବୟସ୍କା ଆଈ ମାନେ ଡକାଡକି ହେଇ ତରତର ପାଦରେ ବାହାରି ଯାଉଥିବାର ଦୃଶ୍ୟ ଏବେବି ନଜରକୁ ଆସେ ।ସାଦାରେ ଲୁଗାପିନ୍ଧା କାନିଟିକୁ ଓଢଣା ଟଣା ମୁଣ୍ଡ ରେ ଗୁଡେଇ ଆଣି ବାରିରୁ ଯାହା ତୁଳସୀ, ଦୟଣା, ଫୁଲ,ମାଳ ଯାହା ....କିଛି ନହେଲେ ଗୀତ ଗୋବିନ୍ଦ ଗୁଣୁଗୁଣେଇ ଏକ ଲୟରେ ଖାଲି ପାଦରେ ଦେଉଳେ ।ବାହାର ପାଣି ଠାରେ ପାଦ ପ୍ରକ୍ଷାଳନ କରି ଅରୁଣ ସ୍ତମ୍ଭରେ ମୁଣ୍ଡ ଲଗେଇ ଦ୍ବାର ଲକ୍ଷ୍ମୀଙ୍କୁ ଦୁଇ ଭୁଜ ତୋଳି ନିଉଛାଳି ହେଇ ସିଂହଦୁଆର ରୁ ନଇଁ ପଡି ବଡ ଦେଉଳର ପ୍ରଥମ ପାହାଚ ସ୍ପର୍ଶ ପୂର୍ବକ ଦର୍ଶନ ଅଭିଳାଷି ଆତ୍ମାଟି ମାନ ସହଳ ସହଳ ପାଦ ବଢାନ୍ତି ବାଇଶିଟାହାଚ ଆଡକୁ ପତିତପାବନ ମହାପ୍ରଭୁଙ୍କ ପାଖେ ମଥାନତ କରି  ।ତାଙ୍କୁ ସବୁ ଦେଖିଲେ ହି ପବିତ୍ର ପବିତ୍ର ଭାବ ଭରିଯାଏ ମନରେ ।ନିତି ଦେଉଳରେ ଜଗା ର ପାହାଡ ଭାଙ୍ଗିବା ଆଗରୁ ଆମେ ସମସ୍ତେ ଗରୁଡ ପଛରେ ଏକାଠି ହୋଇ ମଙ୍ଗଳ ଗୀତ ଗାନରେ ଅମୃତମୟ ହେଉଥାଉ ।ଫେରିଲା ବେଳକୁ ସବୁରି ମୁଠାରେ ନଖତୁଳସୀ ଆଉ ଆଳତୀକର୍ପୂର ଖଳି ପାବନ କରୁଥାନ୍ତି ।ବାଟ ଯାକ ଯିଏ ଭେଟିଲେ, ଯିଏ ଟିକେ ବିଳମ୍ବିତ ପାଦ ପକେଇଲେ ସେମାନଙ୍କୁ ଆଳତୀ ବାଣ୍ଟି ବାଣ୍ଟି ଜୀବ ପୁଣି ବୈକୁଣ୍ଠରୁ ଜଞ୍ଜାଳ ଆଡକୁ ମୁହଁଉଥାଏ ।ନିତିଦିନିଆ ଦୃଶ୍ୟ କାଳିଆ ପାଖୁ ସଖାଳ ଆରମ୍ଭ ।

ହଁ ,ରଥ କଥା କହିବି ପରା ।ଜଗା ଟା ମୋର ଏମିତି ପରା କୁଆଡୁ ବୋଲି କୁଆଡୁ କେତେ କଥା ତା ସହ ବନ୍ଧା ।କେତେ ଛୋଟେଇକି ଲେଖିବ ଯେ ! ପ୍ରତିଟି ବର୍ଷ ର ଅନୁଭୂତି ଭିନ୍ନେ ,ନୂତନ ।ତେବେ ଗୋଟିଏ ଗୋଟିଏ କରି କହିବି ଯାହା ବେଶୀ ଗହୀରରେ ଲେଖା ସ୍ମୃତି ପଟଳରେ ।

ରୁକ୍ମଣୀ ହରଣ ଏକାଦଶୀ ।

ସେ ଦିନ ରୁକୁଣାବିଭା ଏକାଦଶୀ ହେଇଥାଏ ।ଦେଉଳରେ ଦେଉଳେ ଲୋକ ।ଦିଅଁ ଙ୍କ ବିଭାଘରଟି, କ'ଣ କମ କଥା !ଦିନରେ ରୁକୁଣା ହରଣ ନୀତିକାନ୍ତି ବଢିଥାନ୍ତି ଯଥାରୀତି ଯେମିତି ଆମେ ଶୁଣିଛୁ ,ଜାଣିଛୁ ପୁରାଣ ପୃଷ୍ଠାରୁ । ଗହଳି ଚହଳି, ବନ୍ଦାପନା ଥାଳି ବୁଲୁଥାନ୍ତି ତୁହାକୁ ତୁହା ନବ ବିବାହିତ ବରକନିଆଁଙ୍କ ଉପରେ ଫୁଲ, ଦୁବ, ଚାଉଳ, ବରକୋଳି ପତ୍ରର ।ନବିନ ବସ୍ତ୍ର ପରିହିତ ନବବଧୂ ଲଜ୍ଜାରୁଣା ଶ୍ରୀ ରୁକ୍ମଣୀ ଓ ନବକୁଅଁର ଶ୍ରୀମଦନମୋହନ ଅଦ୍ବିତୀୟ ଶୋଭାମଣ୍ଡିତ ହୋଇ ମୁରୁକି ମୁରୁକି ହସୁଥାନ୍ତି ।ଫଳମୂଳ,ମାଳଚୂଳ ,ତୁଳସୀହାର ଗଦା ଗଦା, ଉପହାର ଗଦା ଗଦା ନାଟ ମଣ୍ଡପ ରେ,ଗାୟଣୀ ମଣ୍ଡପରେ ।ବୋଉ ଯାଇ ହୁଳହୁଳି ଦେଇ ବନ୍ଦେଇଲା ।ମୁଁ ବି ବନ୍ଦେଇଲି ତା ପଛେ ପଛେ ।ମତେ ସେତେବେଳେ ଦଶ/ ବାର ବରଷ ।ମୋ ବନ୍ଧାଣ ଦେଖି ହସୁଥାନ୍ତି ସମସ୍ତେ ।ହେଲେ ମୋ ଆଖି ସେଇ ଶ୍ଯାମଳ ସୁବର୍ଣ୍ଣ ସୁନ୍ଦର ଯୁଗଳ ମନଜିଣା ଆଖି ଦି 'ହଳରେ ଲାଖି ରହିଥାଏ ।କି 'ଅଭିନବ ଜଳଧର ସୁନ୍ଦର ହେ ।କି ବାସ୍ନାମୟ ଚତୁର୍ଦିଗ ।ମନମୁଗ୍ଧକର ଯାଦୁ ।ଗହଳି ବଢୁଥାଏ ।ସଂଧ୍ୟା ସମୟ ।ସମସ୍ତେ ମହାପ୍ରଭୁଙ୍କୁ ମହାଦେବୀଙ୍କ ସହ ଦର୍ଶନ ଓ ବନ୍ଦାପନା ପାଇଁ ତତ୍ପର ।ପାଦ ଦ୍ବୟରୁ ଫୁଲ ତୁଳସୀ ହାଲୁକା ହାଲୁକା ଘୁଞ୍ଚାଇ ରଖୁଥାନ୍ତି ପୁଜାପଣ୍ଡା ମହାଶୟ ।ସମସ୍ତେ ଶ୍ରୀପାଦ ଦିହଳକୁ ଛୁଇଁ ବିନୀତ ଭଙ୍ଗିରେ ମୀନତି ବାଢୁଥାନ୍ତି ।ବୋଉର ଗାୟଣୀ ମଣ୍ଡପ ମୋର ବାହାର ବେଢାକୁ ଆସିଲୁ , ଅଜାଙ୍କ ସଙ୍ଗାତ ଅଜା ସେଇଠି ବସନ୍ତି ସୁଖାସନରେ ।ଏବେ ବି ବସୁଛନ୍ତି ସେଇ ସମାନ ଯାଗାରେ କାନ୍ଥ କୁ ଡେରୀ ହେଇ ।ତାଙ୍କ ପତଳା ଗୋରା କମନୀୟ କଳେବରକୁ ଦୁତିଆଜହ୍ନ ପରି ଧାରେ ହସ ସବୁବେଳେ ଖୁସି ବାଣ୍ଟିବା ସହ ସମସ୍ତ ଙ୍କ ହାତରେ ଦିଅଁ ଙ୍କ ଫୁଲ, ତୁଳସୀ, ଆଳତୀ ଦେବାରେ ବ୍ଯସ୍ତ ଥାଏ ।କାଳିଆ ଆଶିଷ ବାଣ୍ଟିବା ସେବାରେ ସତେ ସେ ସମଗ୍ର ଜୀବନ ବ୍ରତୀ ।ତାଙ୍କରି ପାଖରେ ବସି ବୋଉ ସୁଖଦୁଃଖ ହଉଛି,ଦେହ ପା କଥା ବୁଝୁଛି ।ମୁଁ ସେଇଠି ପିଣ୍ଡା ରେ ବସି ଯା ଆସ କରୁଥିବା ସହସ୍ର ପ୍ରକାର ବେଶଭୂଷା ର ଯାତ୍ରୀ ମାନଙ୍କୁ ଦେଖୁଛି । ମୁଁ କହିଲି, "ବୋଉ କଣ ଗୋଟେ ବଢିଆ ବାସ୍ନା ହଉଛି, ମିଠା ମିଠା "।ବୋଉ ତାର କଥା ମଝିରେ କହିଲା," ଆଜି ପରା ଦିଅଁ ଙ୍କ ବାହାଘର ।ଭୋଜି ବାସ୍ନା ।" ଆଉ ପୁଣି ତାର କୋଉ କଥାର ଖିଅ କୁ ଧରି ପୁଣି ସେପଟେ ଗପିଲା ।ଆଉ କିଏ କିଏ ଚିହ୍ନା ସବୁ ବି ଜୁଟିଲେଣି ।ମୁଁ ପୁଣି କହିଲି, " ବୋଉ ମୁଁ ବେଢା ବୁଲି ଆସିବି? " ସିଏ କହିଲା, "ହଁ ଯା ।ଏଇଠିକି ଆସିବୁ ।ମୁଁ ଏଇଠି ଅଛି ।ଚଞ୍ଚଳ ଆ । "

ମୁଁ ଡିଆଁ ମାରିଦେଲି ।ମତେ ଏକା ଏକା ସବୁ ଦେଖିବାକୁ ଭାରି ଭଲ ଲାଗେ ଯେମିତି କଣ ଗୋଟେ ଅଦ୍ଭୁତ ଏଇ ତ ଆବିଷ୍କାର କରିପକେଇବି ଯୋଉଟା ମତେ ହି ଦିଶିବ ବୋଲି ଲୁଚିଛି ଅଦୃଶ୍ୟ ରେ ।ମୁଁ ମନ ଆନନ୍ଦିଆ ବୁଲୁଛି ।ବେଢା ଯାକ ଘେରିକି ଲୋକେ ପତ୍ର ପକେଇ ବସିଛନ୍ତି ।ଯିଏ ଆସୁଛି ସିଏ ବସୁଛି ।ବାପାଙ୍କ ବାହାଘରରେ ସନ୍ତାନ ର ହକ୍ ।ନିମନ୍ତ୍ରଣ କଣ ଖୋଜାହବ ? ଚାରିପଟେ ଆନନ୍ଦ ବଜାର ।ଅବଢା, ଖେଚଡି, ପଲଉ, କାନିକା, ମିଠା ଡାଲି, ଡାଲମା, ବେସର, ମହୁର, ଶାଗ, ଖଟା, ରାଇତା ,ଦହିବରା,ବିରିପିଠା, ରାବିଡି, ଛେନା, ଖିରା..... ସମସ୍ତେ ଆନନ୍ଦେ ହାପୁଡୁଥାନ୍ତି ।ସମସ୍ତଙ୍କ ମୁହଁ ରେ ଦିବ୍ଯ ହସ ।ଆହାଃ ।ବାଣ୍ଟିକୁଣ୍ଟି ଏକାଠି ଖାଇବାରେ ଯୋଉ ଆନନ୍ଦ ।ଦେଉଳ ସେବାକରଣ ପିଲେ ବଢାବଢି କରୁଥାନ୍ତି ଅନବରତ ।

ଜଣେ ଖାଇ ପତ୍ର ନେଇ ଉଠିଗଲେ ଆଉ ଜଣେ ବସୁଥାଏ ସେଇଠି ।ମୁଁ ବଡ ବଡ ପାହୁଣ୍ଡ ପକେଇ ଭୋଜି ତଦାରଖି ମୁରବୀ ପରି ବୁଲୁଥାଏ ।ପୁରା ଭିତର ବେଢା ଯାକ ବୁଲି ପୁଣି ଆସି ଯୋଉଠୁ ବାହାରି ଥିଲି ସେଇଠି ହେଇଛି କି ଲାଇଟି କଟିଗଲା ।ଚାରିଆଡେ ଝାପସା ଅନ୍ଧାର ।ଗହଳି ଚହଳିରେ ଜଣା ଯାଏନି ଏ ଅନ୍ଧାର ଦେଉଳରେ ।ତଥାପି ମୁଁ ବୋଉକୁ ଅଣ୍ଡାଳିଲି କୁଆଡେ ଗଲା ବୋଲି ।ବୋଉ ସେଠୁ ଉଠି ମୁକ୍ତି ମଣ୍ଡପ ପାଖ ଶ୍ରୀ ଆଦି ନୃସିଂହନାଥ ଙ୍କୁ ମୁଣ୍ଡିଆ ମାରି ଲେଉଟୁଥିଲା ।ମୁଁ ଖୋଜୁଛି ଦେଖି ଆସିଲା ପାଖକୁ ।କହିଲା ," ଚାଲେ ବିମଳା ଙ୍କୁ ଦର୍ଶନ କରି ଖାଇଦେ ।" ଆମେ ମାଆ ବିମଳାଙ୍କୁ ଦର୍ଶନ କରି ମାହା ଲକ୍ଷ୍ମୀ ମନ୍ଦିର ପଟ ପାଟ ଅଗଣାର ଧାଡିରେ ବସିଲୁ ।ବୋଉ କହିଲା ଏଇଠି ବସେ, ମୁଁ ମାଆକୁ ମୁଣ୍ଡିଆ ମାରିଦେଇ ଆସୁଛି ।ଲକ୍ଷ୍ମୀ ମନ୍ଦିର ରେ ବୋଉ ।ମୋ ପତ୍ରରେ ମଣୋହୀ ପ୍ରସାଦ ।ମୋ ଆନନ୍ଦ ଦେଖେ କିଏ ? ଘିଅ ଅନ୍ନରୁ କାଜୁ ଦିଟା ବାଛି ଟପ୍ କି ପାଟିରେ ପୁରେଇ ବୋଉ ଫେରିବା ବାଟକୁ ଚାହିଁଲି ।ବୋଉ ଆସିଲାରୁ ପଚାରିଲି, " ବୋଉ ଏତେ ଲୋକ ଖାଉଛନ୍ତି ।ରୋଷେଇ କିଏ କଲା ଏତେ? " ବୋଉ ଲକ୍ଷ୍ମୀ ମନ୍ଦିର ପଟକୁ ଅନେଇ ହାତ ଯୋଡି କହିଲା, " ମାଆ " ।

_ ଏତେ?

_ ହଁ ।ସିଏ ଅନ୍ନପୂର୍ଣ୍ଣା ।ଏ ବ୍ରହ୍ମାଣ୍ଡରେ କିଟପତଙ୍ଗ ଠୁ ବନଲତା ଯାଏ ସମସ୍ତ ସତ୍ତା ଙ୍କର ଖାଇବା କଥା ସେଇ ମାଆ ବୁଝେ ।ପୃଥିବୀ ର ସବୁଠୁ ବଡ ରନ୍ଧା ଶାଳ ପରା ତାର ।ତାରି କୃପା ରେ କେହି ଅଭୁକ୍ତ ଶୁଏନି ଶ୍ରୀକ୍ଷେତ୍ର ପରିଧି ଭିତରେ ।ଟିକି ଚଢେଇଟିଏର ପେଟ ବି ଅପୋଷା ରଖେନି ମାଆ ।

ବୋଉ ଖାଉ ଖାଉ ଗଳ୍ପ ଟିଏ କହିଲା କିମ୍ବଦନ୍ତୀ ପୃଷ୍ଠା ରୁ ।ମୁଁ ବି ଖିରା ହାପୁଡୁଥାଏ ।ଲଙ୍କା, ଲୁଣ,ଲେମ୍ବୁରସ ଦଳା ଟିପେ ଜିଭରେ ମାରି ସୁ ସୁ କରୁଥାଏ ଆଉ ଶୁଣୁଥାଏ ।

_ ଦିନେ ଜଣେ ସନ୍ଥ ( ନାମ ମୋର ଏବେ ଆଉ ସ୍ମରଣେ ନାହିଁ ।ଅନେକ ସାଧୁ ସନ୍ଥ ଯୁଗେ ଯୁଗେ ପୁରୀରେ ପ୍ରଭୁ ଦର୍ଶନାର୍ଥେ ବିଜେ କରୁଥାନ୍ତି ଓ ପ୍ରଭୁ ମହିମା ପ୍ରତ୍ୟକ୍ଷ କରୁଥାନ୍ତି ) ଏଇ କଥା ଶୁଣିଲେ ଯେ ଶ୍ରୀ କ୍ଷେତ୍ରେ ଖାଲି ପେଟରେ କେହି ଶୁଏନି ।ଏମିତିକି କାଷ୍ଠା, ନିର୍ଜଳା କୁହାଯାଉଥିବା ବ୍ରତ ଆଦିରେ ମଧ୍ୟ ଅବଢା ଖାନ୍ତି ଲୋକେ ।ଲକ୍ଷ୍ମୀ ଙ୍କୁ କେହି ନିନ୍ଦନ୍ତିନି ।

ସେ ଭାବିଲେ ପରୀକ୍ଷା କରାଯାଉ ।ସେ ରହୁଥିବା ବଗାଡିଆ ଧର୍ମଶାଳା ର କକ୍ଷଟିରେ ନିଜକୁ ବନ୍ଦୀ ରଖିଲେ । ପୁରା ଦିନ ଦାନା ପାଣି କିଛି ଗ୍ରହଣ କଲେନି ।ବଡ ସିଂହାର ବେଶବେଳକୁ ଦର୍ଶନ ନିମନ୍ତେ ଗଲେ ବଡ ଦେଉଳ ।ସେତ ବେଳକୁ ଜଗା ବି ଖାଇ ପି ଶୋଇବାକୁ ସଜ ହେଲାଣି ।ମହାଲକ୍ଷ୍ମୀ ଙ୍କର ଜଗମୋହନରେ ମହାପ୍ରଭୁଙ୍କ ଠି ତାମ୍ବୁଳ ପ୍ରସାଦ ଲାଗି ବଢିଲା ପରେ ଝାଞ୍ଜ ପିଟା ମଠ ସେବାକାରୀ ଝାଞ୍ଜ ପିଟି ସାରି ରାତି ପହଡ ପଡିଲେ ।ସିଏ ନିରବରେ ଓ ଦର୍ପରେ କେବଳ ଲକ୍ଷ୍ମୀ ମନ୍ଦିର କୁ ଚାହିଁ ହସିଦେଇ ଫେରିଆସିଲେ ତାଙ୍କ ରହଣୀ ବସାଟିକୁ ।ଆଉ ମନେ ମନେ ଭାବିଲେ, " ହୁଁ, ଅଜଥାରେ ସାରା ଦିନ ଭୋକିଲା ରହିଲି ସିନା ।ପାଣି ମୁନ୍ଦେ ବି ନ ଘେନିଲି ।ଏ ଅଜଣା ସହରରେ କିଏ ଥିଲା ଯେ ଆସି ଶଙ୍ଖୋଳି ଥାନ୍ତି ମତେ ? ଛାଡ ସକାଳେ ଏକାଥରେ ଯାହା ବୁଝାଯିବ ।ଏତେ ରାତିରେ ଆଉ କି ବ୍ଯବସ୍ଥା! "

ନିଦ୍ରାଦେବୀ ଚକ୍ଷୁ ପଲକେ ଗାଢେଇଲେ କି ,ପେଟର କରଡି ଶୁଏଇ ଦେଲାନି ।ଉଠୁ ପଡ ହଉ ହଉ ଘୁମ ଆସୁଯାଉ ଅବସ୍ଥା ।କବାଟରେ କାହାର କରାଘାତ ଶୁଭିଲା ।ଏ ମଧ୍ୟରାତ୍ରୀ ହେବାକୁ ଆଉ ଅଳ୍ପ ସମୟ ବାକି । ଏ ବେଳାରେ ପୁଣି କିଏ ହୋଇପାରେ? ଏଠି ତ ସେ କାହାକୁ ଜାଣନ୍ତିନି ।ହୋଇପାରେ ଧର୍ମ ଶାଳାର କୌଣସି କର୍ମଚାରୀ ।ତେବେ ଏ ରାତିଟାରେ ତାଙ୍କ ପାଖରେ କାହାର ଭଲା କି କାମ ।ବଡ କୁନ୍ତୁସୁନ୍ତୁ ରେ ଓ ବିରକ୍ତି ସହ ସେ ଉଠି ଦରଜା ଖୋଲନ୍ତେ ଏକ ଛାୟାମୂର୍ତ୍ତି ମୁଣ୍ଡ ରେ ଟୋକେଇଟିଏ ମୁଣ୍ଡେଇ ଠିଆ ହେଲାପରି ପ୍ରତିତ ହେଉଥାଏ ।ଇଏ ପଚାରିଲେ,

_ କିଏ ? କିଏ ?

ସେପଟୁ ଉତ୍ତର ଫେରିଲା ।

_ ଆଜ୍ଞା ଆପଣ ଅମୁକ ବାବାଜୀ ତ ? ଆଜ୍ଞା ଅମୁକେଇ ମଠରେ ଆଜି ଶ୍ରୀରାମାୟଣ ପାରାୟଣ ଯୋଗେ ଅବଢା ଖାପିଅ ଥିଲା ତ ।ମହନ୍ତ ଆପଣଙ୍କ ପାଇଁ ପଠେଇଲେ ।ଖାଇଦେଇ ଶୋଇବେ ।ଏଇଠି ରଖିଲି ।ମୁଁ ଯାଏ ମୋର ଆହୁରି କେତେ ଆଡେ କାମ ।ମହନ୍ତ ଙ୍କୁ କହିଦେବେ ଆଜ୍ଞା ସମୟ ରେ ପହଞ୍ଚେଇଦେଇଛି ବୋଲି ।

ଏକାନିଶ୍ବାସକେ ଏତକ କହି ଅଦୃଶ୍ୟ ହେଇଗଲା ଲୋକଟି କେଉଁ ଆଡେ ।ଏକାଥରେ ଉଭାନ ।ଇଏ କିଛି ବୁଝିବା ଆଗରୁ ତାଙ୍କ ଆଗରେ ଥୁଆ ଅବଢା ଡାଲାରୁ ମହମହ ଅମୃତ ବାସ୍ନା ଘର ଯାକ ଖେଳିଗଲା ।ଦୀପ ଆଲୁଅରେ ସିଏ ପତ୍ର ରେ ବାଢି ଆଗେ ପେଟଟେ ସ୍ବସ୍ତି ରେ ଭୋଜନ କଲେ ମାହାର୍ଦ୍ଦ ମହାଆନନ୍ଦେ ।ବଡ ଏଉଡିଟେ ମାରି ଗଡିପଡିଲେ ଦିନ ଯାକର ଭୋକ ହାଲିଆ ମେଣ୍ଟେଇ ।ଗାଢା ନିଦ ହେଇଗଲା ।ପ୍ରାତଃ କାଳୁ ସେ ଯେତେବେଳେ ଉଠିଲେ, ତାଙ୍କ ର ମନେ ପଡିଲା ।ସିଏ ଭାବିଲେ, "ଆରେ ,ମୁଁ ତ ପେଟେ କରି ଖାଇଲି ।ଅଭୁକ୍ତ ରହିଲି କୋଉଠି? ହେଲେ ପଠେଇଲା କିଏ ?

ଯୋଉ ମହନ୍ତ ଙ୍କ ନାଆଁ ଶୁଣିଥିଲେ ଅବଢା ସୁଆର ଠୁ ସେ ମଠ ଖୋଜିଖାଜି ସେଠି ହାଜର ହେଲେ ।ଜେରା କରି ଜାଣିଲେ ହଁ ପାରାୟଣ ତ ହେଇଥିଲା ।ତେବେ ଏ ମହନ୍ତ ତାଙ୍କୁ ତ ଚିହ୍ନନ୍ତି ନାହିଁ ।ସେ ଅବଢା ପଠେଇବେ ହି କାହିଁକି ।ପୁଣି ଏତେ ରାତିରେ ତାଙ୍କ କୋଠରୀ ଦୁଆର ଯାଏ?

ଏବେ ତାଙ୍କ ଚେତା ପଶିଲା ।ଗରବ ଗଞନ ହରି ତାଙ୍କ ଅହଂ କୁ ପାଣି ପୋଟକା ପରି ମିଳେଇଦେଇଥିଲେ ।କାସବାସକୁ ପାଶୋରି ଧାଇଁଲେ ।ମହାଲକ୍ଷ୍ମୀ ଙ୍କ ଦୁଆରେ ଯାଇ ଲମ୍ବ ପଡିଲେ ।କହିହଉଥାନ୍ତି ମାଆ ତୁ ସତ୍ଯ, ମାଆ ତୁ ନିତ୍ଯ ।ମାଆ ମାଆ ମତେ ବାଳକ ଭାବି କ୍ଷମା କରେ ମାଆ ।କ୍ଷମା କରେ ।

ଲୋକେ ଶୁଣା ଶୁଣି କୁହାକୁହିରେ ଏ କଥା ଚାରିଆଡୁକୁ ପ୍ରଘଟିଲା ।ମହାଲକ୍ଷ୍ମୀ ମହିମା ଜଗତ ଜାଣିଲା ।

ଗପ ଶୁଣି ସାରିଲା ବେଳକୁ ଆମେ ମାଆ ଝିଅ ଆନନ୍ଦବଜାର କଳରେ ହାତ ଧୋଇ ଘର ପାଇଁ ଭୋଜି ଅଢବାରୁ ଖାଣ୍ଡିରେ ଖାଣ୍ଡିଏ ଯୋଗାଡି ବାହାରିଲୁ ।ରାସ୍ତା ସାରା ମୁଁ ଭାବୁଥାଏ ସତରେ ନା ମାଆ ର ରୋଷେଇଘର କେତେବଡଟେ ହେଇଥିବ ।ମାଆ କେତେ ସୁଆଦିଆ ରାନ୍ଧିବା ଜାଣେ ।ସବୁଥର ନୂଆ ଲାଗେ ତା ରାନ୍ଧଣା ।

ପରେ ଅନେକ ଥର ଦେଖିଛି ରୋଷଘର ।ଓ ସବୁଥର ସମାନ ଆଶ୍ଚର୍ଯ୍ୟ ହେଇଛି ପିଲାଦିନ ପରି ।


କ୍ରମଶଃ



Rate this content
Log in

Similar oriya story from Action