ମୋ ଅନୁଭୂତି ରେ ରଥଯାତ ( ୬ )
ମୋ ଅନୁଭୂତି ରେ ରଥଯାତ ( ୬ )
ନିଳାଦ୍ରୀ ବିଜେ
ବାହୁଡା ପରେ ଏକାଦଶୀରେ ସୁନାବେଶ, ଦ୍ବାଦଶୀରେ ଅଧର ପଣା ପରେ ତିଥି ବାର ଦେଖି ଦୁଇ ତିନି ଦିନ ଭିତରେ ବା କିଛି ବାଧା ନଥିଲେ ତ୍ରୟୋଦଶୀ ଦିନ ହିଁ ମହାପ୍ରଭୁଙ୍କର ନିଳାଦ୍ରୀ ବିଜେ ନୀତି ସମାପିତ ହୁଏ ।ଆଜି ରଥ ପର୍ବ ର ଶେଷ ଦିନ ।କାଲିଠୁ ନିଳାଦ୍ରୀ ଅଭଢା ରନ୍ଧା ହେବେ ।ପୁଣି ବଡ ଦେଉଳ ଭକ୍ତ ଗହଳରେ ଚଞ୍ଚଳ ହେବ ।
ମୋର ନିଳାଦ୍ରୀ ବିଜେ ର ଅନୁଭବ ଅତି ସୁନ୍ଦର, ଦିବ୍ୟ, ମଧୁର ।ସବୁ ବର୍ଷ ନିଳାଦ୍ରୀ ବିଜେ କୁ ରାତି ଦଶ ଏଗାର ବେଳକୁ ଆମେ ଘରୁ ବାହାରୁ ।ବୋଉ ,ମୁଁ ,ବଡମାଇଁ, ସାନ ମାଇଁ, ଆଖି ପାଖ ସମସ୍ତ ସେବାୟତ ଘର ମଣିଷ ଓ ପୁରୀ ଅଧୀବାସୀ ।ଏ ଦିନକୁ ସାଧାରଣତଃ ଦାଣ୍ଡ ମଣିଷ ଆଉ କେହି ନଥାନ୍ତି ।ବାହୁଡା ପରେ ଯେଝା ଗାଁ କୁ ବାହୁଡି ସାରିଥାନ୍ତି ।ଏବେ ଏବେ ସିନା ସୁନାବେଶ, ନିଳାଦ୍ରୀ ବିଜେ ରେ ବି ଲକ୍ଷ ଲକ୍ଷ ଅଗଣିତ ଲୋକ ଗହଳି ହେଉଛି ।ଆଉ ଏ ସବୁ ଏତେବର୍ଷ ରୁ ସିନା କେତେ ପ୍ରକାରରେ କଟକଣା ହେଇଗଲାଣି ନ ହେଲେ ସେବେ ଶାନ୍ତି ରେ ସମସ୍ତେ ନିଜ ପ୍ରଭୁଙ୍କ ପାଖରେ ପହଞ୍ଚି ପାରୁଥିଲେ ।ସେଇ ତ ମହାନ ଉଦ୍ଦେଶ୍ୟ ରଥ ଯାତ୍ରା ର ।ସମସ୍ତେ ପ୍ରଭୁ ଙ୍କୁ ପାଖରେ ଆପଣାର କରି ପାଇବେ ।ପତିତପାବନ ପତିତ ଉଦ୍ଧାର କରିବେ, ଦର୍ଶନ ଦେବେ ।କେତେ ଅପେକ୍ଷା ର ପର୍ବ ।କୃପାଦୃଷ୍ଟି, ବରଦା ହସ୍ତ / ପ୍ରଳମ୍ଭ ବାହୁ ର ଛାୟା,ଶ୍ରୀପୟର ଶରଣ,ଭକ୍ତି, ଅଂଗସଂଗ, ବାଣ୍ଟୁଥାନ୍ତି ମହାବାହୁ ।
ବର୍ଷ କର କଥା ।
ବାହୁଡାରେ ସେ ବର୍ଷ ମହାରାଜ ଗଜପତିଙ୍କର ଦୁଇ ସୁପୁତ୍ର ଆସିଥାନ୍ତି ରଥ ଦାଣ୍ଡ କୁ ଗଜପତିଙ୍କ ସହ ଛେରାପହଁରା ବେଳେ ।କୃଷ୍ଣ ବଳରାମ ପରି ଦିଶୁଥାନ୍ତି ଦିହେଁ ପୀତ,ନୀଳ ପାଟରିପାଟିରେ ।ଦୁଇରାଜପୁତ୍ର କିଶୋର ବୟସରେ ସେତେବେଳେ ।କି ସୁନ୍ଦର ଦିଶୁଥାନ୍ତି ଆହା ।ଲାଗୁଥାଏ ମଥୁରା ରୁ ଫେରି ଆସିଛନ୍ତି ସତେ ଜଗାବଳିଆ ।ବାହୁଡା ଦିନ ବୋଉର ମୋର ଗୁଣ୍ଡୁଚା ଘରୁ ଚାଲି ଚାଲି ଥଣ୍ଡା ପବନରେ ମେଘରେ ଭିଜି ଭିଜି ଆନନ୍ଦେ ଆସୁଥାଉ ରଜାନହର ଠି ମହାପ୍ରଭୁଙ୍କ ର ଲକ୍ଷ୍ମୀ ନାରାୟଣ ଭେଟ ନୀତି ବଢିଲେ ।ତିନିଥର ଆଗକୁ ଗଡିଲେ ।ବୋଉ ମତେ ହାତ ଦେଖେଇ କିଛି ଦେଖିବାକୁ କହିଲା ।ମୁଁ ଦେଖେ ନହର ଛାତ ଆଗପଟ ବାଲକୋନି ରେ ତିନି ରାଜଜେମା ହାତଯୋଡି ମହାପ୍ରଭୁଙ୍କୁ ପ୍ରଣତୀ ବାଢୁଥାନ୍ତି ।ସୁନ୍ଦର ଦୀପ୍ତିମୟୀ ରାଜକୁମାରୀ ତିନିହେଁ ଙ୍କୁ ଦେଖି ବହୁତ ଭଲ ଲାଗିଲା ।ଠିଆ ହେଇ ଦେଖିଲି ।ଅଳ୍ପ ସମୟ ଉତ୍ତରେ ସେମାନେ ଭିତର ମହଲକୁ ବିଜେ କରିଗଲେ ।ମୁଁ ପଚାରିଲି, ବୋଉ ରାଣୀ ମାଆ? ବୋଉ କହିଲା , ରାଣୀ ମାଆ ଭିତର ସୂକ୍ଷ୍ମ ଝରକା ସବୁରୁ ଦର୍ଶନ କରନ୍ତି ।
ନିଳାଦ୍ରୀ ବିଜେ ଦିନ କଥା କହୁଥିଲି ପରା ।ସୂର୍ଯ୍ୟ ନମସ୍କାର ପ୍ରିୟ, ହର ଜଳ ପ୍ରିୟ, ଶ୍ରୀବିିଷ୍ଣୁ ଅଳଙ୍କାର ପ୍ରିୟ ।ଆମେ ସବୁ ଘରୁ ମୋଟା କରି ଅଳତା ନାଇ ସୁନ୍ଦର କରି ସଜ ହେଇ ପାଟ ଲୁଗା ସାଦାରେ ପିନ୍ଧି ଦେଉଳକୁ ଯାଉ ।ରଥ ଉପରେ ତିନି ଦିଅଁ ଙ୍କୁ ପାଖରୁ ଦର୍ଶନ କରି ଦେବୀ ଦଳନ ରଥ ଉପରେ ବସୁ ।ସବୁ ମାଆ ମାନେ ଏକାଠି ମାଆ ପାଖରେ ବସୁ ।ମୁଁ ମାଆ ଜଗଦାତ୍ରୀ ଙ୍କୁ ମନଦେଇ ଦେଖୁଥାଏ ।କି ଦିବ୍ଯ, ତ୍ରିଭୂବନ ତ୍ରୈଲୋକ୍ଯ ମୋହୀନି, ମହାମାୟା, ଯୋଗମାୟା ଐଶ୍ଚଯ୍ଯମୟୀ ପରମେଷ୍ଠି କାମ୍ପିଲ୍ଯ ବାସିନୀ ଘଟଘଟ ବାସିନୀ ଭବାନୀ ମାଆ ସିଏ ।ହଳଦୀ ଗୁରୁଗୁରୁ ଚାନ୍ଦ ମୁହିଁ ।ତାଙ୍କରି ପାଖରେ ତାଙ୍କ ପାଦତଳେ ପେଟକୁ ଆଉଜି ଆମେ ସମସ୍ତେ ବେଢୀ ବସିଥାଉ ।ସମସ୍ତେ ଦିବ୍ଯ ଦିଶୁଥାନ୍ତି ।ଚକ୍ର ରାଜ ସୁଦର୍ଶନ ମହାରାଜ ଓ ବଡବାଡର ବଡଠାକୁରେ ହଳପାଣି କ୍ଷିପ୍ର ଓ ରୁଦ୍ର ପହଣ୍ଡି ରେ ବିଜେ କରନ୍ତି ।ଆହା ଶ୍ବେତ ଟାହିଆ ନାଚୁଥାଏ ହଲି ହଲି ଝୁଲି ଝୁଲି ।ତା 'ପଛକୁ ଶୂନ୍ୟ ପହଣ୍ଡି ରେ ମାଆ ଜଗଦାତ୍ରୀ ବାହାରନ୍ତି ।ମାଆ ତୋରଣ ଲକ୍ଷ୍ମୀ ସାନ୍ତାଣୀ ସୁଦର୍ଶନେ,ଦେଢଶୁର ବଡଭାଇ ବଳରାମ ଓ ନଣନ୍ଦରାଣୀ ଝିଅମାଆ କଲ୍ଯାଣୀ ଙ୍କୁ ସ୍ବାଗତ କରି ପାଛୋଟି ନିଅନ୍ତି ଶ୍ରୀ ମନ୍ଦିରରେ ।ମାଆ ଶ୍ରୀ ମାନମୟୀ ଅଭିମାନୀନି ଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗୁଥାଏ ।ହାଣ୍ଡି ହାଣ୍ଡି ଧଳାଧୋବ ଗରମ ନରମ ମିଠା ରସାଳ ସିରା ସିରା ରସଗୋଲା ।ସବୁରି ମୁହଁ ରେ ମିଠା ।ଯେତେ ଖାଇ ପାରିବ ।ଓଳି, ସରା, ସାନ କୁଡୁଆ ସବୁରେ ତୁଳସୀ ମହକ ଭରା ବୁହା ରସଗୋଲା ।ତେବେ ବାହାରେ ଜଗା ।ମାଆ ଚାହିଁ ଥାନ୍ତି ଚାହାଣୀ ମଣ୍ଡପ ରୁ ।ଆଳତୀ କରୁଥାନ୍ତି, ପ୍ରଣତୀ ବାଢୁଥାନ୍ତି, ରୁଷୁଥାନ୍ତି ।ଦାମ୍ପତ୍ୟ ଅଭିମାନ ର ମିଠା ଛିଟା ରସଗୋଲା ର ମିଠା ପଣରେ ସୁଆଦିଆ ଲାଗୁଥାଏ ।ଶିଖଉଥାନ୍ତି ପରମଦିବ୍ଯ ଦମ୍ପତି କେମିତି ହେବା କଥା ସୁନ୍ଦର ଦାମ୍ପତ୍ୟ ।ଶିଖାନ୍ତି ଭାଇ ଭଉଣୀ ର ଭଲପାଇବା ।
ଶ୍ରୀ ଜିଉମାନେ ରତ୍ନ ବେଦୀକୁ ଗୋଟି ପହଣ୍ଡି ରେ ବିଜେ କରନ୍ତି ।କାଳିଆ ଚାରମାର ପାରି କରି ଚାମର, ଛତି,ଆଲଟ, ଘଣ୍ଟା ଘଣ୍ଟ,ହରିବୋଲ, ହୁଳହୁଳି ପ୍ରକମ୍ପିତ ନାଦ ଭିତରେ ଟାହିଆ ଦୋହଲି ସିଂହିଦୁଆର ପାଖରେ ହେଲେ ମାଆ ଚଞ୍ଚଳା କ୍ଷଣକୋପ ବିରହବିଧୂରା କ୍ଷିରାବ୍ଧି
ତନୟା ରେ ଟିକେ ମାନ କରି ଦୁଆର ପକେଇ ଦିଅନ୍ତି ।ଏଇଠି ଅବଲୋକନ କରିବାର କଥା ଅତୀବ ଅପୂର୍ବ ମୂହୁର୍ତ୍ତ କୁ ।ମହାପ୍ରଭୁ ଏଡେ ସୁନ୍ଦର କରି ବୁଲି ପଡି ଢଳି ପଡି କି ବାଙ୍କ ଚାହାଣୀ ରେ ମାଆ ଜଗଦାତ୍ରୀ ଙ୍କୁ ଚାହାଁନ୍ତି ।ଆହା ହାଃ ।କି ଦିବ୍ଯ, ମହାଦିବ୍ଯ ସେ ଦୃଶ୍ୟ ।ଚାରିଚକ୍ଷୁ ର ମିଳନ ଏତେ ଅପୂର୍ବ ଯେ ଶବ୍ଦ କାହିଁ ଏ ବ୍ରହ୍ମାଣ୍ଡେ ତାକୁ ବର୍ଣ୍ଣିବାକୁ ଅବା ।ଜଗାର ସେ ଚାହାଣୀ ମନମୋହକ ।ମନମୋହକ ।ଚିତ୍ତଚୋର ସିଏ ।
ଗୋଟେ ବର୍ଷ ଆମେ ବାଇଶିପାହାଚରେ ବସିଥାଉ କାଶୀ ବିଶ୍ବନାଥ ମହାପ୍ରଭୁଙ୍କ ପଟ ପାହାଚକୁ ନିଳାଦ୍ରୀ ବିଜେ ଦିନ ।ମୋର ସ୍ପଷ୍ଟ ମନେ ପଡେ ଦର୍ପିଳ ପହଣ୍ଡି କଥା, ବଡ ଠାକୁରେ ଯେତେବେଳେ ବିଜେ କଲେ ରଥରୁ ଗମ୍ଭୀରା ଦେଇ ବାଇଶିପାହାଚରେ ଉଠିଲେ ଆମେ ସମସ୍ତେ ଠିଆ ହେଇପଡିଥାଉ କରପତ୍ର ଯୋଡି ।ପ୍ରାର୍ଥନା ଗୁଞରିତ ହେଉଥାଏ ଚଉଦିଗ ।କୂର୍ମ ବେଢା ପାଖ ପନ୍ତି ଘରେ ଭୋଗ ବଢାହେଇଥାନ୍ତି କେତେ ବୋଲି କେତେ ପ୍ରକାରରେ ।ଅଚଳ ମହାମେରୁ ବଳିୟାର ଭୁଜ ପ୍ରଭୁ ଚଢୁଥାନ୍ତି ଗୋଟିଏ ଗୋଟିଏ ପାହାଚ ।ଆପଣ ବିଶ୍ବାସ କରିବେ କମ୍ପି ଯାଉଥାଏ ମାଟି ଠୁ ଆକାଶ ।ଥରିଯାଉଥାଏ ପାହାଚର ପ୍ରତିଟି ପଥର ଧନ୍ଯ କୃତ୍ଯ କୃତଜ୍ଞତା ରେ ।ସଂଚରି ଯାଉଥାଏ ସେଇ ଭାବ ମୋ ଠେଇ ।ଧୁମ୍, ଧୁମ୍,ଧୁମ୍ ବଢୁଥାନ୍ତି ହଳପାଣିଜୀଉ ।ପାଦଚିହ୍ନ ପଡି ପଡି ଯାଉଥାଏ ପଥେ ପଥେ ।ଝରିଥାଏ ଟାହିଆ ଦୂବ, ମଥା ଦୟଣା, ତୁଳସୀ, ପୁଷ୍ପ ।ଗୋଟେଇ ଆଣି ଗଡିଗଲୁ ସବୁ ତାଙ୍କ ପଛେ ପଛେ ବାଇଶିପାହାଚରେ ।ଅଦ୍ଭୁତ ପୁଲକ । ଦୁର୍ଲଭ ।ସେମିତି ଅନୁଭବ କୋଉଠି ନାହିଁ ।ମାଆ ଆସିଲେ ଶୂନ୍ୟ ପହଣ୍ଡି ରେ ।ବାଇଶିପାହାଚେ କ୍ଷଣେ ବିଶ୍ରାମ ନେଇ ପଧାରିଲେ । ହାତ ବଢେଇ ଛୁଏଁ ତ ମାଆ ଆଗୁସାର ହେଲେ ।ଦିହୁଡି ଜଳୁଥାଏ ।ଉଜ୍ବଳ ଚତୁର୍ଦିଗ ।ଅରକ୍ଷ ରକ୍ଷିଣି ମାଆ ଯେମିତି କୃପା ବରସିବାକୁ ଅଟକିଥିଲେ ।ନିଉଛାଳି ହେଲୁ ।ହରିଦ୍ରାବଦନୀ ମାଆ ଙ୍କର ମଧ୍ୟ ପନ୍ତି ଭୋଗ ବଢାଗଲେ ।
ଜଗା ଆସିବାକୁ ଡେରି ହବ ଅଳପ ।ସାଆନ୍ତାଣୀ ମାଆଙ୍କ ସହ କଥା ମାନ ଅଭିମାନ ଦୀଆ ଦିଆ ନିଆ, ଜୟ ବିଜୟ ଦୁଆର ପୁଣି ପଡିବ, ବିଡିଆ ପାନ ମଣୋହୀ କରିବେ ମା ଚଞ୍ଚଳା,ଭଣ୍ଡାର ଘର ପଟକୁ ଜଗା ଚାହିଁବ ,ସେଇଠି ଭେଟିବେ ସାଆନ୍ତ, ସାଆନ୍ତାଣୀ ।ନୂଆ ବୋହୂ ପିଲା ଆମର ।ଆଜି ଫିଟିଛି ସେଦିନ ର ବାହା ଗଇଁଠାଳ ।ସେଥିଲାଗି କିଳା ହେଇଛି ସିଂହକବାଟ ।ପରିଚାରୀ ମାନଙ୍କ ଭିତରେ ବୋଲି କଳି ବଢିବ ।ମାନବିୟ ଲୀଳାରେ ଶ୍ରୀ ପଦ୍ମାଳୟା, ପଦ୍ମକାନ୍ତ ।ଦୂତୀ ସାଜିବେ ସେବାୟତ ମାନେ ।କଟୁ ମଧୁର ଭାଷାରେ ଟିପଣୀ ଦେଉଥାନ୍ତି ।ବନ୍ଦାପନା ହୁଏ ।ପ୍ରଣବଙ୍କର ପ୍ରଣୟ ଲୀଳା ।ଚାହାଣୀ ମଣ୍ଡପରେ ମାଆ ।ନିଛ୍ଛକ ଜୀବନ୍ତ ପ୍ରତିଛବି ପ୍ରିୟ ପ୍ରିୟାଙ୍କର ଅତୁଟ ଭଲପାଇବା ର ।ଭାବ ବିହ୍ବଳ ମୟ ଚାରିପଟ ।ଉତ୍କଳିୟ ଘର ସଂସ୍କୃତି ର ନିଖୁଣ ଚିତ୍ର ।
ଏମିତି ଶୁଣୁଥାଏ ମୁଁ ବୋଉ ଠୁ ।ମୟୁର ପୁଛ୍ଛ ପରି ଟାହିଆ କୁ ମେଲେଇ ଢଳି ଢଳି ବନମାଳା ପିନ୍ଧି ବନମାଳିଆ ସୁନାଥାଳିଆ ଜଗାସୁନ୍ଦର ପହଣ୍ଡି ବିଜେ କରି ସିଂହିଦୁଆର ଗୁମୁଟ ଘରୁ ଯେତେବେଳେ ବାଇଶି ପାହାଚରେ ପାଦ ଦେଲେ ମୁଁ ଉଠି ଆଗକୁ ଆସିଗଲି ।ହଜିଗଲି ।ଭୁଲିଗଲି ମୋ ଚାରିପଟକୁ ।ମନମୋହନ ର ଆକର୍ଷଣ ରେ ସୁଦବୁଧ ହରେଇଲି ।ଚାମର ଆଲଟ ପଡୁଥାଏ ।କାଳିଆର ପାଦ ଗୋଟିଏ ପାହାଚ ଚଢି ଚାରିପଟକୁ ବୁଲି ଚାହୁଁ ଥାଏ ।ତାର ଦେଉଳ କୁ ସେ ମନ ପୁରେଇ ଦେଖୁଥାଏ ।ପୁଣି ଆଉ ବରଷେ ପରେ ବାହାରକୁ ଆସିବେ ବୋଲି ଭାବୁଥାଏ କି କଣ ।ମୁଁ ତାରି ଶ୍ରୀମୁଖକୁ ଚାହିଁ ଚାହିଁ ଆଗକୁ ବଢୁଥାଏ କି କିଏ ବୋଧେ ବାଇଶିପାହାଚରେ ଶୋଇଛନ୍ତି ମୁଁ ଦେଖିପାରିନି ଆଉ ତାଙ୍କୁ ସଂପୂର୍ଣ୍ଣ ଡେଇଁ ପାରିଗଲା କ୍ଷଣି କିଏ ଜଣେ ପଛରୁ କହିଲେ, ଆରେ ଝିଅ ଟି ଭାଙ୍ଗପଣା ପକେଇ ଦେଇଛି ନା କଣ ? ମୋ କାନରେ ତ ପଡିଲା କିନ୍ତୁ ମୁଁ ସେଇ ଝିଅ ବୋଲି ମୋର ହେଜ ନାହିଁ ।କାଳିଆ ଚଢି ଚଢି ଯାଉଛି, ଆନନ୍ଦ ବଜାର ଠି ହେଲାଣି ।ତା ପଛରେ ସବୁ ଆଲୁଅ ନିର୍ବାପିତ ।ମୁଁ ବାତୁଳି ପରି ଚାହିଁ ରହିଛି ତା ଯିବା ବାଟକୁ ।ଗୋଟେଇ ରଖିଥିବା ଫୁଲ ସବୁକୁ ମଥାରେ ଲଗେଇ ଚୁମୁଛି ।ବାସ୍ନା ଖେଳୁଛି ସମୀରରେ ।ମାମୁଁ, ବାପା, ଭାଇ ସମସ୍ତେ ଜଗାକୁ ବସେଇ ପଛରେ ଫେରିବେ ।ବୋଉ ମୋ ପାଖକୁ ଆସି କହିଲା ,ଆ ଘରକୁ ଯିବା ।ଏଇଠି ନମ କରିଦେ ।ବାଇଶିପାହାଚରେ କାଳିଆ ର ପାଦଚିହ୍ନ କର୍ପୂର ଚୁନା ,ଚୁନା ଫୁଲ ରେ ମହକୁଛି ।ମୁଣ୍ଡ ନୋଇଁ ମୁକ୍ତି ପଥକୁ ଛୁଇଁଲି ।ସିଂହିଦୁଆର ର ଜଳାକବାଟ ବାଟେ ଗଳି ଆମେ ବାହାରକୁ ବାହାରିଲୁ ।ବୋଧ ସମୟ ଭୋର ତିନି ।ବଡଦାଣ୍ଡ ଶାନ୍ତ ।ଶୂନ୍ୟ ନହେଲେ ବି ଗହଳି ପତଳା ।କୁହନ୍ତି ପରା ପୁରୀରେ ରାତି ନାହିଁ କି କଟକଟରେ ଜାତି ନାହିଁ ।ପୁରୀ ଦାଣ୍ଡ ରେ ସାଧୁ, ସନ୍ଥ, ଦେବୀ, ଦେବତା, ମନୁଷ୍ୟ, ଜୀବ ଯିଏ ହେଲେ ଆତଯାତ ।
ଆମେ ଦିହେଁ ମୁହେଁଇଲୁ ଘର ଆଡେ ଇଛ୍ଛା ତ ନଥିଲା ଜଗାକୁ ଛାଡି ଯିବାକୁ କିନ୍ତୁ ଅନ୍ତରଆତ୍ମା ଅନ୍ତର୍ଯ୍ୟାମୀ ଙ୍କ ଦର୍ଶନ ରେ ପୂର୍ଣ୍ଣତା ଶାନ୍ତି ପାଇଥିଲା ।