Lopamudra Parida

Action Inspirational

3  

Lopamudra Parida

Action Inspirational

ମୋ ଅନୁଭୂତି ରେ ରଥଯାତ ( ୨ )

ମୋ ଅନୁଭୂତି ରେ ରଥଯାତ ( ୨ )

4 mins
212



ହଁ କାଲି କହୁନଥିଲି ବାହାପଙ୍ଗତ କଥା ।କି ଧଳା ଧଳା ରସରସିଆ ରସଗୋଲା କିଓ ! ଖାଲି ଶୁଣିକି ବି ପାଟିରୁ ନାଳ ଗଡିବା ଥୟ ।ସେଥିରୁ ଯୋଡେ ତିନିଟା ପାଟିରେ ପୁରେଇ ବାହାରିଲି ଦେଉଳରୁ ।କହୁନ କହୁନ ଏଇ ରସଗୋଲା ଚିପୁଡି ଚିପୁଡି ଖାଇବାରେ ଯୋଉ ମଜା ଆଉ କୋଉଥିରେ ଅଛି ନା ଆଗେ ।


ଏବେ ବି ମହାସମାରୋହରେ ମହାପ୍ରଭୁଙ୍କ ବାହାଘର ପୁରା ରୀତିନୀତି ସହ ସମ୍ପନ୍ନ ହୁଏ ଓ ଭୋଜିଭାତରେ ପାଟଅଗଣା ଚହଳେ ।


ସେବେ ସ୍ମୃତି ପୁଡିଆରୁ ସ୍ନାହାନ ଯାତ କଥା କହିବା ।


ସ୍ନାନ ପୂର୍ଣ୍ଣିମା 



ସ୍ନାହାନ ସକାଳୁ ଆମେ ସମସ୍ତେ ମୁଣ୍ଡବୁଡେଇ ଗାଧୋଇ ପାଧୋଇ ଦେଉଳକୁ ବାହାରିଯାଉ ।ବେଢା ପରିକ୍ରମା ସାରି ଯାଇ ଆନନ୍ଦ ବଜାରେ ସ୍ନାନ ମଣ୍ଡପ ପାଖରେ ଗୋଟେ ଜାଗା ସୁବିଧା କରି ବସୁ ଯୋଉଠୁ ପହଣ୍ଡି ଠୁ ସ୍ନାହାନ ପର୍ବ ସଂପୂର୍ଣ୍ଣ ଦର୍ଶନ କରିହେବେ ।


ଗୋଟେ ବର୍ଷ ର କଥା ।ସେଥର ବି ସକାଳୁ ଆମେ ଗଲୁ ।ସ୍ନାହାନ ମଣ୍ଡପ ଦକ୍ଷିଣକୁ ଗୋଟେ ବିରାଟ ଗଛଟେ ଅଛି ।କେତେ ତ ଗଛ ଥାଏ ।ଏଇ ଗଛଟି ଚଢିବାକୁ ସୁବିଧା ସହ ବସିବାକୁ ବି ଡାଳ ମେଲେଇ ଯେମିତି ଡାକୁଥାଏ ।ଆମରି ପରି ସହସ୍ର ଲୋକେ ଗଦା ହେଇଥାନ୍ତି ।ଗଛର ଡାଳପତ୍ର ସବୁ ମଣିଷରେ ତିଆରି ପରି ଦିଶୁଥାନ୍ତି ।ସେଇ ଗଛ ଉପରକୁ ମୁଁ ଚଡିକି ଆରାମରେ ବସିଗଲି ।ପୂର୍ବ ପଟୁ ସୂର୍ଯ୍ୟ ଙ୍କର ନରମ କିରଣ ପତ୍ର ଗହଳରୁ ଖସି ଆସି ଗାଲମୁହଁ ସବୁକୁ ସୁନ୍ଦରିଆ କରୁଥାଏ ।କି ସୁନ୍ଦର ଚୁନା ଚୁନା ଆମ୍ବ ବଉଳ ପରି ହାଲୁକା ଗୋଲାପି କମଳା ରଙ୍ଗର ଫୁଲଟି ମାନ କେଣ୍ଡା ଧରିଥାଏ ଶାଖାଟି ମାନଙ୍କରେ ।ଗଛ ଯାକ କେତେ ଲୋକ ।ଦେଉଳ ମାଙ୍କଡ ମାନେ ବି ଆଉ ଟିକେ ଟିକେ ଉପରକୁ ସୁନାପିଲାଟି ମାନ ପରି ବସିଥାନ୍ତି ।ତାଙ୍କ ର ସିଏ ଡାଳମାଙ୍କୁଡି ଖେଳୁଥାନ୍ତି ।ତାଙ୍କ ଛୁଆ ମାନେ ବି ଗଳି ଗଳି ଆମକୁ ଦେଖି ଭାବୁଥାନ୍ତି, କିଏ ଏମାନେ ଆମ ଗଛରେ? ଆମରି ଭାଇବନ୍ଧୁ ହେଇଥିବେ କି କଣ ! ହା ହା ।ମତେ ସେଠି ବସି ଗୋଡ ଝୁଲେଇ ଝୁଲେଇ ରାଜଜେମା ପରି ଅନୁଭବିବାକୁ ମଜା ଲାଗୁଥାଏ ।ତଳକୁ ବୋଉ ଗଛପିଣ୍ଡି ଉପରକୁ ଆମ ପୁଅକୁ କାଖେଇକି ଠିଆ ହେଇଥାଏ ।ମୁଁ କହିଲାରୁ ବୋଉ ପୁଅକୁ (ମୋ ସାନ ଭାଇ ) ଟେକିଦେଲା ।ସିଏ ବି ଆସି ମୋ କଡକୁ ବସିଲା ।ସେତେବେଳେ ସିଏ ତିନି ଚାରି ବର୍ଷ ର ଆଉ ମୁଁ ଦଶ ବାର ବର୍ଷ ର ହେବିକି କ'ଣ ! ବାପା ତ ତାଙ୍କର ମାମୁଁ ମାନଙ୍କ ସାଙ୍ଗେ ରେ ଘଣ୍ଟ, ଚାମର ସେବାରେ ମୁଖ୍ଯ ମନ୍ଦିର ଆଡେ ।ଘଣ୍ଟ ଘଣ୍ଟା ଶବ୍ଦରେ ପୁରି ଉଠିଲା ଗଗନ ପବନ ।ବୋଉ ତଳୁ ହଲ୍ଲା କରି କହିଲା , " ଅନା ଅନା ସୁଦର୍ଶନେ ବିଜେ କଲେ।" ଏଡେ ଗହଳିରେ ବି ସମସ୍ତେ ଶୁଣିପାରିଲେ ଆଉ ସବୁତକ ବେକ ଏକାସାଙ୍ଗେ ଆନନ୍ଦ ବଜାର ପଟକୁ ବାମକୁ ବୁଲିଗଲେ ।ଆହାଃ କି ସୁନ୍ଦର ଦୃଶ୍ୟ । ତା'ପଛକୁ ପଛ କାମପାଳ ଶ୍ରୀ ବଳଦେବ ,ମାଆ ଜଗଦାତ୍ରୀ ହରିଦ୍ରାମୁଖୀ ସୁଭଦ୍ରା ଆଉ ପଛକୁ ଗହଳି ଲଗେଇ ଆସିଲା ଅଚଳ ମହାମେରୁ କ୍ଷିରାବ୍ଧି ତନୟା ଜୀବନ ନବନୀତ ଚୋର ଆସି ବିରାଜିଲେ ସ୍ନାନ ମଣ୍ଡପ ରେ ।କି ସୁନ୍ଦର ସେ ଟାହିଆ ର ନାଚ, କି ସୁନ୍ଦର ବାସ, କି ସୁନ୍ଦର ଶୋଭା, କି ସୁନ୍ଦର ତାଳ ।


ମୁଁ ଝୁମି ଝୁମି ଗାଉଥାଏ, 


ଦେଖ ଲୋ ସଂଗାତ ବଡ ଦାଣ୍ଡେ ବିଜେ ଠୁ ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦମୁହିଁରେ ଯାଏ । ବାପା ଶିଖେଇଥାନ୍ତି , ଜପୁଥିବୁ ହରିହରି ।


ଦିଅଁ ବସିସାରିଲେ ।ଫୁଲ ବେଶ ହେଲେ ।କର୍ପୂର ନାଇଲେ ।ବୋଇରାଣୀ ନୀଳ ପାଟ ପିନ୍ଧିଲେ ।ଟେରା ବନ୍ଧା ହେଲେ ।ଦିଅଁ ଗାଧେଇଲେ ।ସବୁ ଆଡେ ଆନନ ।ଆଖି ପଲକ ପଡୁ ନଥାଏ ।କାଳିଆ ଚାରିଆଡକୁ ବୁଲି ବୁଲି ଚାହୁଁ ଥାଏ ।କୃପା ବରଷୁଥାଏ ।ଦିଅଁ ବାହାରକୁ ବାହାରିଲେ ତେତିଶ କୋଟି ଦେବତା ସହ କେତେ କେତେ ଲୋକର ସତ୍ତା ଦର୍ଶନ ପାଇଁ ପଦାର୍ପଣ କରନ୍ତି । ରୁଣୁଝୁଣୁ ମେଘ ଛିଞ୍ଚିହଉଛି । ମାମୁଁ ଓଳିଟେରେ ଦିଅଁ ଅବକାଶ ଜଳ ଆଣି ମତେ ବଢେଇ ଦେଲେ ଆଉ ଓଳିଏରେ ତଳେ ଯେତେ ଲୋକ ଠିଆ ହେଇଥିଲେ ସମସ୍ତଙ୍କ ଅମୃତ ଆଶାୟୀ ପାପୁଲିରେ ବାଣ୍ଟିଦେଲେ ମହାମୃତ ।ମୁଁ ବି ତାଙ୍କ ଦେଖାଦେଖି ମୋ ଉପରକୁ ଉପର ଯେତେ ଡାଳ ଯାଏ ଲୋକ ଥିଲେ ସମସ୍ତଙ୍କୁ ବାଣ୍ଟି ଦେଲି ।ପୁଅ ଜିଭରେ ଟିକେ ଲଗେଇ ଦେଇ ଶେଷକୁ ଓଳି ଭିତରେ ବିଲେଇ ପରି ମୁହଁ ପୁରେଇ ଦେଲି ।ଟୋପାଏ ମିଳିଲେ ସେଥିରୁ ପରା ସିନ୍ଧୁଏ ର ଆନ୍ତରିକ ଆନନ୍ଦ ! ମାମୁଁ ତାଙ୍କର ଫେରିଗଲେଣି ସେବାକୁ । ମୋର ଭାରି ମନ ହେଲା ଯିବି ଜଗା ପାଖକୁ । କ'ଣ କେମିତି ଓହ୍ଲେଇବି ,ତଳେ ତ ଠିଆ ହବାକୁ ଜାଗା ନାହିଁ । ବୋଉ ବି ସେମିତି ଠିଆ ହେଇଛି ଦି ହାତ ଯୋଡି ସେତେବେଳୁ ।ଜଗନ୍ନାଥ ଅଷ୍ଟକମ ଠୁ ଗୀତଗୋବିନ୍ଦ ଯାଏ ସବୁ ଗାଇ ସାରିବଣି । ମୁଁ ଡାକିଲି ବୋଉକୁ," ବୋଉ ,ବୋଉ ।" ଗହଳିରେ ମିଳେଇ ଗଲା ।ଆଉ ଦି ଚାରିଥର ଡାକିଲାରୁ ଜଣେ ସ୍ତ୍ରୀ ଲୋକ ମାଆ ଜଣେ ବୋଉ ଟିକେ ଉପରକୁ ଠିଆ ହେଇଥିଲେ ବୁଲିକି ଚାହିଁଲେ, ତାଙ୍କୁ ଶୁଭିଲା କି କ'ଣ ବୋଧେ! ସିଏ ମୋ ମୁହଁ କୁ ଯେମିତି ଚାହିଁଛନ୍ତି ତାଙ୍କ ଆଖି ଦିଟି ବିସ୍ପାରିତ ହେଲା ଆଶ୍ଚର୍ଯ୍ୟରେ । ମୁଁ କାବା ।ଆରେ ମୋ ବୋଉକୁ ଟିକେ ଡାକିଦିଅ ,ମତେ ଏମିତି ନଦେଖିଲା ଚିଜ ଭଳିଆ ଆଁ କରି ଅନେଇଲ କ'ଣ ? ସିଏ ଆଫୁ ଆଫୁ କି ମତେ କ'ଣ ଠାରୁଥାନ୍ତି । ମୁଁ ତ ସହଜେ ବୋକି ,ଠରା କଥା କୋଉ ବୁଝୁଛି ! ଦି ଚାରି ଥରରେ ଧରିଲି ସିଏ ମୋ ମୁଣ୍ଡରୁ କ'ଣ ଗୋଟେ ଝାଡିଦବାକୁ ଠାରୁଛନ୍ତି ।କ'ଣ ପତ୍ର ସତ୍ର ହେଇଥିବ ଭାବି ମୁଁ ଡେବିରି ହାରରେ ଝାଡିଦିଏ କି ,ହେ ବାପକିଲୋ କହି ସିଏ ବହଟେ ହଲିଗଲେ ଆଉ ଗହଳି ଭିତରେ ଚହଳି ଲାଗିଗଲା ।ବୋଉ ବି କ'ଣ ହେଲା ବୋଲି ବୁଲିକି ଚାହିଁଲା । ମୋ ମୁଣ୍ଡ ଉପରେ ଚାଖଣ୍ଡେ ହବ ଲମ୍ବ ର ଲାଲି କମଳା ରଙ୍ଗର ବଡ ବିଛାଟିଏ ଠିକ୍ ମଝି ସୁନ୍ଥାଣୀ ପରା ଜାଗାରେ ବସି ସୁନାଟେ ପରି କାଳିଆ ଦର୍ଶନ କରୁଥିଲା ।ମୋର ଦି ଟିକିଆ ବେଣୀପରା ଖାପରେ ମୁଁ କୋଉ ଧରିପାରିଥିଲି ଭଲା ।ମୋର ହାତ ଝଡାରେ ବିଚରା ତଳେ ପଡି କେଣେ ଚାଲିଗଲା ।ଜଣେ କହିଲେ, ସୁଭଦ୍ରା ସିଏ ସୁଭଦ୍ରା ସ୍ବୟଂ ।ମୋ ପଟକୁ ଚାହିଁ କିଏ କିଏ ହାତ ଯୋଡିଲେ । ମୁଁ ତଳକୁ ଓହ୍ଲେଇ ଆସି ବାପାଙ୍କ ହାତ ଘେର ଭିତରେ ଦିଅଁ ଙ୍କୁ ଛୁଇଁବାକୁ ଗଲି ।ବୋଉ ଆଉ ପୁଅ ମାମୁଁ ସାଙ୍ଗରେ ଆସିଲେ । ମୁଁ ହଳପାଣି, ମାଆ କଲ୍ଯାଣୀ ଙ୍କୁ ପ୍ରଣାମ କରି କାଳିଆ ପେଟରେ ଲେସି ହେଇଗଲି । ତଳୁ ପଙ୍କ ଉଠୁଥାଏ ପଚପଚ ,ମହମହ ବାସୁଥାଏ ଫୁଲ, ତୁଳସୀ, ଚନ୍ଦନ, କର୍ପୂର । କାଳିଆକୁ ଆଲିଙ୍ଗନ ପରେ ତୁମେ ମଧ୍ୟ ଅନେକ ଦିନ ଯାଏ କାଳିଆ କାଳିଆ ବାସ ।ଏହା ସତ ।ହାତୀ ବେଶ ହବାକୁ ସମୟ ଥାଏ । ଦିଅଁ ସଂଜକୁ ହାତୀବେଶରେ ଦର୍ଶନ ଦିଅନ୍ତି । ଘରକୁ ଲୋକେ ଲେଉଟିଲେଣି ମୁଣ୍ଡିଆ ମାରି । ସଂଧ୍ୟାରେ ପୁଣି ବଡଦାଣ୍ଡରୁ ଦର୍ଶନ ।


ଗହଳି ଭାଙ୍ଗିଲା ପରେ ମୁଁ ଖୋଜିଲି ସେ ବିଛାକୁ ଆଉ ପାଇଲିନି ।ସେମିତିଆ ବଡ ଆଉ ସେମିତି ରଙ୍ଗର ଏଡେ ସୁନ୍ଦରିଆ ବିଛା ମୁଁ ତା ପରେ ଆଉ କୋଉଠି ଦେଖିନି ଏଯାବତ୍ ।


କଳା ଧଳା ଯୋଡ ହାତୀ ଭକ୍ତ ଗଣପତି ଭଟ୍ଟ ଙ୍କର ଭକ୍ତି ର ମାନ ରଖି ବଡଦାଣ୍ଡ ଦୁଲୁକେଇଲେ ସଂଜକୁ ।


କ୍ରମଶଃ


Rate this content
Log in

Similar oriya story from Action