Lopamudra Parida

Drama Classics Inspirational

4.0  

Lopamudra Parida

Drama Classics Inspirational

ମୋ ଅନୁଭୁତିରେ ଦଶହରା-୨

ମୋ ଅନୁଭୁତିରେ ଦଶହରା-୨

3 mins
245



କଟକ ରେ ମେଢ ଓ ଭସାଣି ଯାତ 

*******


ଆମ ଝାଞିରୀମଙ୍ଗଳାଙ୍କ ଠି ଗୋଟିଏ ବଡ ଖୋଲା ପେଣ୍ଡାଲ ଅଛି ତା ବାମକୁ ଗୋଟେ ଦୋତାଲା ପେଣ୍ଡାଲ ।ବଡ ଖୋଲା ପେଣ୍ଡାଲ ଟିରେ ବାରମାସୀ ଫୁଲ, ପରିବା, ଆଦିର ପସରା ସକାଳୁ ମେଲେ ଆଉ ଦିନ ଏଗାର ସୁଦ୍ଧା ସରିଥାଏ, ଫୁଲବୁଢୀଟି କେବଳ ବସି ରହେ ମା'ର ଦିପହର ପହଡ ପଡିବା ଯାଏଁ କାଳେ ଆଉ ଯୋଡେ ଫୁଲ ବିକିରି ହେଇଯିବ ଆଶା ନେଇ ଫେରେଇ ନେଇ ବି କଣ କରିବ ଫୁଲ ତ ବୃନ୍ତସ୍ଥିତ ଥିବା ଯାଏ ସତେଜ ଈଶ୍ବର ପାଦେ ସମର୍ପିତ ସ୍ବପ୍ନ ନେଇ ବୃନ୍ତଚ୍ଯୁତ ହେଲା ପରେ ତାର ଆୟୁଷ ବା କେତେ ମଉଳି ଗଲେ ତ ସରିଲା ।

ବାରଟାରୁ ପାଞ୍ଚ ଟା ପହଡ ପଡନ୍ତି ଅନ୍ନ ଭୋଗ ଉଠିବା ଉତ୍ତାରେ ମନ୍ଦିର ପୁଣି ସଂଧ୍ୟା ଦର୍ଶନ ନିମନ୍ତେ ଖୋଲେ ।

ସେଇ ବଡ ପେଣ୍ଡାଲରେ ଏଇ ଚୈତ୍ର ମାସରେ ଶ୍ରୀ ରାମ ନବମୀ ଠଉଁ ମାସେ ଯାଏଁ ରାମଲୀଳା ମଞ୍ଚସ୍ତ ହୁଏ ଆମ ସାହି ଓ ବାହାରର କଳାକାର ମାନଙ୍କୁ ନେଇ,ସାହି ପିଲାଙ୍କର କାଠି ଖେଳ,ମାଲଖମ୍ବ ଆଦି ସହ , ଶ୍ରୀରାମଚରିତମାନସ ,ଗୀତା ,ଭାଗବତ,ପ୍ରବଚନ ହୁଏ ।ଗୀତା ଯଜ୍ଞ ହୁଅନ୍ତି ।ଭୋଗ,ପଣା ବଣ୍ଟା ହୁଏ ,ହନୁମାନ ଜୟନ୍ତୀ ( ପଣା ସଂକ୍ରାନ୍ତି)କୁ ଶହେଆଠ ଚାଳିଶା ପାଠ ଆଦି ପରେ ପାଲ ଫିଟା ହୁଏ ।


ଏଇ ଦଶରା ବେଳେ ତଳ ବଡ ପେଣ୍ଡାଲରେ ବହୁତ ପ୍ରକାର ଖେଳ ବସେ ।ବାଟି ଗଢା, ବନ୍ଧୁକ ବେଲୁନୁ ଠୋ ଲକ୍ଷ୍ଯ, କନା କଣ୍ଢେଇ ନାଚ,ପେଏଁକାଳୀ, ଝୁମୁକା, ଫେରିବାଲା ର ଲାଲି ଟୁପୁଟୁପିଆ ଗୋଲ ବେଲୁନୁ ଭିତରେ ମୁଠେ ଶୋରିଷ ବାଲି ମାରିଆ ଆଉ ଖଣ୍ଡେ ଖଡିକା କଣିରେ ବନ୍ଧା, ଭଳିକି ଭଳି ଖେଳ ଜିନିଷ, ମାଟି କଣ୍ଢେଇ ରେ ମାଛ,ସରାଗାତ,କଖାରୁ,ପରିବା କାଟୁଥିବା ବୋଉ,ଗୋଡଲମ୍ବେଇ ପୁଅ ଶୋଇଦଉଥବା ବୋଉ ,ଟିକି ଟିକି ହାଣ୍ଡି, କଡେଇ,ଚୁଲା, ରିବନ,ଟିପା, ବଡ ବଡ ଯୋଡେ ରସ ହାଣ୍ଡି ରେ ବାସ୍ନା ବାଲା ଦହିବରା ବାଲା,ଝାଲ୍ମୁଢୀ, ଜଲେପି, ଚାଟ୍, ଗୁପ୍ ଚୁପ୍, ଗାଢା ଗୋଲାପି ରଙ୍ଗ ର ବମ୍ବେ ମିଠେଇ ଗୋଲିଆ ଡବାରୁ ସରୁ କି ବାହାରୁ ଥିବା କୁକୁଡା,ମୟୁର, ବିଲେଇ, ଠେକୁଆ, ଆଃ କି ମିଠା,ଧଳା ଧଳା ସୁନୁପାମ୍ପୁଡି,କାଗଜର ହାତ ହଲା କଣ୍ଢେଇ , ଏଇମିତି କେତେ କଣ ର ଜାଦୁଗରୀ ଯାଦୁ ମେଲି ବସିଥାଏ ।ଗରାଖ ବେଶୀ ହେଲେ ଆମ ପରି ଟୁଙ୍ଗୁଡୁ ମାନେ ।


ଦୋତାଲାର ତଳ ମେଲା ପେଣ୍ଡାଲରେ ବଢିଆ ସୁନ୍ଦର ପୁରା ସତ ମଣିଷ ପରି ଦିଶୁଥିବା ମୂର୍ତ୍ତି ସବୁ ନିର୍ମାଣ କରାଯାଇଥାନ୍ତି ପୌରଣିକ ବିଷୟବସ୍ତୁକୁ ନେଇ ଯେମିତି ଅଭିମନ୍ୟୁ ବଧ, ମହାଭାରତ କଥା,ସୀତା ବିବାହ, ଏକଲବ୍ଯ କଥା,ଆରୁଣି ବାରୁଣି କଥା,ଦ୍ରୋପଦୀ ଚୀରହରଣ ,ଦୌପଦୀ ସ୍ବୟଂବର,ଶବରୀର କୋଳିଖୁଆ ରାମ,ରୁକୁଣାହରଣ, ବାଳକୃଷ୍ଣ ଲୀଳା, ଆଦି ଆଦି ।ପିଲାମନ ସେ ସବୁକୁ ଘଣ୍ଟା ଘଣ୍ଟା ଦେଖିଲା ପରେ ବି ପୁରୁ ନଥିଲା କେମିତି ଗଢାହେଇଛନ୍ତି, ରଙ୍ଗ ଦିଆ ହେଇଛି, ସଜେଇ ହେଇଛନ୍ତି, ସତ ପରି ଦିଶୁଛନ୍ତି ଭାବୁଥିଲି ।ପ୍ରତିବର୍ଷର ନୂତନ ବିଷୟର କଥାଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଥିଲା ।ସବୁ ଚରିତ୍ର ତଳେ ତାଙ୍କ ନାଁ କାଗଜରେ ବଡ ବଡ ଅକ୍ଷରରେ କାଳି ମଡେଇ ଲେଖାଥାଏ ।ଅନ୍ତତଃ ସବୁ ସାଙ୍ଗ ମାନେ ବାହାରେ ଖେଳ ଆଉ କିଣା ଦେଖାରେ ହଜିଥିବା ବେଳେ ମୁଁ ମେଢର ସୁରକ୍ଷା ପାଇଁ ବନ୍ଧା ବାଉଁଶ ବାଡରେ ଲଟକିଥାଏ କିଏ ଜଣେ" ଏ ଘରକୁ ଚାଲ୍ " ନ ଡାକିବା ପର୍ଯ୍ଯନ୍ତ ଆଖିରେ ପଲକ ପଡେନି, ଦିନକୁ ତିନି ଥର ତ ମିନିମମ୍ ଦୁଆର ମୁହଁ ରେ ତ ....ଚଟ୍ ଟି ଗଳିଯାଅ ।ସେତେବେଳେ ଏତେ ବିପଦିଆ ଲୋକ ନଥିଲେ ଘରେ ଏତେ ଏଠି ଯା ନା, ସେଠି ଯାନା ,ସୁରକ୍ଷା ନିୟମ,ନଥିଲା ଦାଣ୍ଡ କବାଟ ସବୁବେଳେ ଖୋଲା ରାତିକି ଖଣ୍ଡେ କାଠ ଡେରି ବନ୍ଦ କରାହେଉଥିଲା ଲୋକେ ଦାଣ୍ଡରେ ଛାତରେ ଶୋଉଥିଲେ,ହସୁଥିଲେ,ଖାଉଥିଲେ ହସୁଥିଲେ,ପିଲାଙ୍କ ପାଇଁ ସବୁ ଘର ଆପଣାର ଥିଲା ।ଗହଳିଚହଳି,ରନ୍ଧା ବଢା,ଖା'ପିଅ ଲାଗିଥାଏ, ସକାଳୁ ସଂଜ ଯାଏ ।


ଉପର ପେଣ୍ଡାଲଟିରେ ସବୁବେଳେ ଭଜନ ସମାରୋହ, ନୂଆ କଳାକାର ମାନଙ୍କର କଳା ଅଭ୍ଯାସ, ସମର କଳା, ସଙ୍ଗୀତ କଳା,କବିତା ଆସର, ସୃଜନର ଖଟ୍ଟି, ଆଦିର ଆଲୋଚନା ଆସର ହୁଏ ବର୍ଷ ସାରା। ଆମ ସାହିରେ ବହୁତ ଭଲ ଭଲ ନାଁ 'କରା କଳାକାର ମାନଙ୍କର ସୃଷ୍ଟି ।ଯେମିତିକି ଅଭିଜିତ୍ ମଜୁମଦାର ଦାଦା , ମୋହିତ ଚକ୍ରବର୍ତ୍ତୀ ସାର, ନିର୍ମଳ ନାଏକ ସାର୍ ଆହୁରି ଆହୁରି ଆନେକ ।ଦଶରା ମାନେ ଆମ ସାହିରେ ନୂତନ ପ୍ରତିଭା ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।ମଞ୍ଚ ମିଳେ,କରତାଳି ମିଳେ, ସାବାସି, ବାହା ବା,ଆଗକୁ ବଢିବାର ପ୍ରେରଣା, ପଥ ,ଉତ୍ସ ସବୁ ଅନୁପ୍ରାଣିତ କରେ ଆହୁରି କଳାମୟ ହେବାକୁ ।ଏଇଟି ଭଲ ହୁଏ କି ନୂଆ ପିଲାଙ୍କୁ ସବୁ ବେଳେ ଆଗରେ ଥିବା ସଫଳ ଜଣାଶୁଣା ବ୍ଯକ୍ତି ମାନେ ଆଗକୁ ଆସିବାକୁ ଦିଅନ୍ତି ହର୍ସ ମନରେ ।ମଙ୍ଗଳାଙ୍କ ଧଣ୍ଡା ଛୁଆଁ ଗେଣ୍ଡୁ ମାଳଟିଏ ପକେଇ ଆଗେଇବାର ସାହାସ ଜୁଟାଏ ନୂଆ ପ୍ରତିଭା ଟି । 


ଆଗରୁ ଆମର ସବୁ ସାହିଚଳଣିରେ ପରଆପଣା ନଥାଏ ।ସମସ୍ତେ ଘର ମଣିଷ ପରି ଏକାଠି ମନ ମିଶେଇ ଚଳନ୍ତି ।ତ ଦଶହରାରେ ଗୁରୁଜନ ମାନଙ୍କୁ ପ୍ରଣାମ କଲେ ଦଶରା ଖରଚ ମିଳେ ।ଯିଏ ଯାହାର ଯେମିତି ଖର୍ଚ୍ଚ କରିପାରିବ ।ମୁଁ ବୋଉକୁ ନେଇ ଦେଇଦିଏ, ହିସାବ କିତାବ କିଣା ବିକା କାମ ମତେ ଭାରି ଅଡୁଆ ।ମୋର ମେଢ କାରିଗରୀ ଦେଖିବାରେ ମନ ,ମତେ ତ ଯାହା ଦରକାର ବାପା ବୋଉ ତାଙ୍କର ଆପେ ଆଣିଦିଅନ୍ତି ....।


କ୍ରମଶଃ


Rate this content
Log in

Similar oriya story from Drama