STORYMIRROR

Lopamudra Parida

Drama Classics Inspirational

3  

Lopamudra Parida

Drama Classics Inspirational

ମୋ ଅନୁଭୁତି ରେ ଦଶହରା-୪

ମୋ ଅନୁଭୁତି ରେ ଦଶହରା-୪

3 mins
240


ଭସାଣି 

***


ଭସାଣି ଦିନ ଭୋରୁ ଉଠିବାକୁ ହୁଏ ରାତି ତିନି କି ଚାରି ।ସମସ୍ତେ ମିଶି ବାହାରୁ ପୁରୀଘାଟ ଦେବୀଗଡା ଠିକି ଚାଲି ଚାଲିକା ..... ତେଲେଙ୍ଗା ବଜାର ବାଟେ ନଈକୂଳ ବଡହନୁମାନ ମନ୍ଦିର ଠି ବାହାରି ଥାନା ଯାଏଁ ।

ବୋଉ ଆମର ଦିଟା କନାବ୍ଯାଗ ନେଇଥାଏ ଚଉତିକି ।ଥାନା ର ରଙ୍ଗଛଡା ଚାରି ପାଞ୍ଚ ଫୁଟ ଉଚ୍ଚ ପାଚେରୀ ଉପରେ ବାପା କାଖେଇକି ବସେଇଦିଅନ୍ତି ।ସେଇଠୁ ସବୁ ମେଢ ଦିଶିବେ ବୋଲି ।ଗୋଟି ଗୋଟି କି ମା ' ମାନେ ଆସୁଥାନ୍ତି ପଛକୁ ପଛ ...... ଛକ ବୁଲାଣି ଠି ବୁଲିକି ଗଢାଣି ରେ ନଈ ଭିତରକୁ ଗଡିଯାନ୍ତି ।ଆଗରେ ପଛରେ ନାଲିପାଣି ରେ ବୁଡିଥିବା ପିଓର ଭକ୍ତମାନଙ୍କର ଯୋଉ ରୁମାଲ,ଗାମଛା ଉଡା ଭକ୍ତିପୂତ ଭସାଣି ନାଚ( ମହିଷା ବଧ୍ଧ ରେ ତା ' ବଂଶଜ ଖୁସି ହେଇ ନାଚିଲା ପରି ଦିଶନ୍ତି),ଡେକ୍ ର କାନଫଟା ନାଚଉଥିବା ଗୀତ ( ମା ବି ଭାବୁଥିବେ ଆରେ କଣ ! ଟିକେ ଥିରି ବଜା ।ବୁଝିହଉନି କିଛି ।ତଳେ କିଏ ହାତ ଯୋଡି କଣ ମାଗୁଣି କରୁଛି ଶୁଣି ବି ହଉନି ।) ସମସ୍ତଙ୍କ ବେକରେ ଗେଣ୍ଡୁ ମାଳ,ମୁଣ୍ଡ ସାରା ରଙ୍ଗ ଅବିର, ହାତରେ ରଜନୀ ଗନ୍ଧା ମାଳ,ଧଳା ଚୁଡିଦାର ଆଉ ଧୋତି ପିନ୍ଧା ସାହିମାମତକାର ଓ ମୁରବୀଗଣ ଧାଡିକରି ଯିଏ ଯାହା ଭଙ୍ଗି ରେ ଚାଲିଥାନ୍ତି ।ଆମେ ପାଚିରୀ ଉପରୁ ମୁଗ୍ଧ ହେଇ ଦେଖୁଥାଉ ।ବାଜାର ଧିନ୍ ଧଡାକ୍ ତାଳେ ତାଳେ କେତେ ପାଦ ଆପେ ଉଠେ ପଡେ ।ସେଇଟା ପାର୍ବଣ ଝୁଙ୍କ ଆପେ ଉଠେ ।ସାଗର ର ଉତୁଙ୍ଗ ଲହଡି ରେ ଯିଏ ପଡେ ଢେଉ ହେଇଯାଏ ।


ବୋଉ ଆମକୁ ଦେବୀକୁ ପକେଇବା ଦୃଶ୍ୟ ଦେଖିବାକୁ ଦିଏନି ।ପରେ ନିଜେ ଦେଖିକି କଷ୍ଟ ଲାଗେ ।କିନ୍ତୁ ପରମ୍ପରା ତ ସେୟା ।ପଚାରିଲେ କହେ, ପାଣି ବାଟେ କାଳେ ସରଗକୁ ବାଟ ମା ଫେରିବ ପୁଣି ସେଇବାଟେ ଆର ବରଷକୁ କଳସୀ ପୂଜା ଦିନ, ବିଲ୍ବବରଣ ଦିନ ମା ଫେରେ ସେଇ ଜଳରେ ଜୀବନ ଭରି ଶକ୍ତି ସଂଚରେ ପ୍ରତି ପ୍ରାଣରେ ପ୍ରାର୍ଥନା ହୋଇ ହସେ ପ୍ରତି କଣ୍ଠରେ ଝଂକୃତ ହୁଏ ପ୍ରତି ତନ୍ତ୍ରୀରେ ।


ଠାକୁରାଣୀ ଦେଖା ଅଧା ରଖି ଆମକୁ ବାପା ଓହ୍ଲାଇ ଦିଅନ୍ତି ଉପରୁ ଛ'ଟା ସୁଦ୍ଧା । ଆଉ ଦଶ ମିନିଟ୍, ପାଞ୍ଚ ମିନିଟ୍ କହି କହି ଆଉ ଯୋଡେ ମେଢକୁ ଟଣାହୁଏ ସମୟ କଣ୍ଟା । ଆସିବାକୁ ଇଛ୍ଛା ନଥିଲେ ବି ଫେରିବାକୁ ହୁଏ ।ଖରା ଟାଣାଏ ବୋଉ ର ଘର ଯାକର କାମ ପଡିଥାଏ ଆଉ ଭୋକ ବି ତ ମେଢ ଦେଖାରେ ଉଭେଇ ଯାଇଥିଲେ ବି କୁଁ କୁଁ କରିବା ଆରମ୍ଭ କରିଥାଏ ।ଆମେ ଚାଲି ଚାଲି ଫେରିବା ବାଟରେ ମଜୁବୁତ କି ବିଟ ବାଡିଆ ଖଡିକା ପିନଛ,ଡମୁରୁ,ପେଏଁକାଳୀ କୁଲା,ପାଛିଆ,ଡାଲା,ଚକା,ଘୋରଣା, ପେଶଣା, ଶିଳଶିଳପୁଆ, ତାଳବରଡା ଆସନ,ସଅପମସିଣା, ପଟି, ପାଲ,ପନିକି, କୋରଣା, ହେମଦସ୍ତା, ନଡିଆ, ତେନ୍ତୁଳି, ଫୁଲକୋବି, ବନ୍ଧାକୋବି, ମୂଳେ,ଶାଗ,ସ୍ଟିକର ଚିତା,ପିଠା ଚାନ୍ଚ, ଡୁବ୍ ଡୁବି ବେଙ୍ଗ ବାଜା, ତେଲିଙ୍ଗି ବାଜା,ଛବିଳ ବର୍ଣ୍ଣବୋଧ,ହସ୍ତାକ୍ଷର ଖାତା,ଟ୍ରାନ୍ସଲେସନ୍ ଚାର୍ଟ, ସହଜ ଇଂରାଜୀ ଶିକ୍ଷା, ପଣିକିଆ ବହି,ପକେଟ ଡିକ୍ସିନାରୀ ( ସେ ବିକୁଥିବା ଲୋକଟା ଡାକେ ଡେକ୍ଚି_ ଓ _ନାରୀ ) , ମାଳି ଗୁନ୍ଥା ସିଲଟ,ନୀତିଶିକ୍ଷା ବହି ,ମାଳୀ,ଫୁଲ ଚାଙ୍ଗୁଡି,ମାଣ,ପାନଡାଲା, ପିକଦାନୀ,ଝୁଣାଦାନୀ ଏଇମିତି କେତେ କଣ ର ପସରା ମେଲିଥାନ୍ତି ପାଖଆଖ ଗାଁ ର ସାନ ବେପାରୀ ମାନେ ଆଖି ରେ ଆଖିଏ ଆଶା ନେଇ ଡାକୁଥାନ୍ତି ।ଏଇ ଦିନ ଯାହା ଦି ପଇସା ହୁଏ ବୋଲି କେତେ ଦିନରୁ ସଞ୍ଚା ସପନ ଓ ଖଟଣି କୁ କାନି ରେ ବାନ୍ଧି ଆସିଥାନ୍ତି ।ସବୁ ହାତତିଆରି, ସବୁ ଘରକରଣା ,ସବୁ ନୀତିଦିନ ବ୍ଯବହାର୍ଯ୍ଯ ଦରବ ।


ଆମର ଯାହା ଆସୁ ନ ଆସୁ ଆଙ୍ଗୁଳିରେ ସୁର କି ସବୁଜ, ଗୋଲାପି,ହଳଦିଆ ଗାରପକା କୁଲା ବାଉଁଶିଆ ଦିଟା ଆଉ ବୁଢୀମା ର ପାନଡାଲାଟେ ତ ଆସେ ହି , ଆଉ ବହିରୁ ଥାକେ ।ଆଗକୁ ପରା ଆଠଦିନେ କୁଆଁର ପୁନେଇ, ଆଞୁଳି ଟେକିଆକୁ ନୂଆ କୂଲା ଦରକାର କି ନାହିଁ ।ସେଇଲାଗି ଏବେହୁଁ ଯୋଗାଡ ।ଗୋଟେ ଛୁଆ କୁଲା ଟେ ବି ।ବୁଢୀ ମା ପାଖରେ ବସି କଣ୍ଢେଇ ରାଣୀ ତା ଚାଉଳ ପାଛୁଡିବା ଶିଖିବ ବୋଲି ।


ଦଶହରା ପର ଦିନ, ଏକାଦଶୀ ଦିନ ସାଧାରଣତଃ ଭସାଣି ହୁଏ ।ନଚେତ୍ ଦୁର୍ଗା ପୂଜା ଆସୋସିଏସନ୍ ର ସଂଯୁକ୍ତ ନିଷ୍ପତ୍ତି ଉପରେ ନିର୍ଭର କରେ ।ମାନେ ଧର ଗୁରୁବାର ପଡିଗଲା ଏକାଦଶୀ ତ ମା ' ବିସର୍ଜିତ ହେବେନି ।ପୋଲିସ୍ ଶୃଙ୍ଖଳା ରେ କଡା ତଦାରଖ ଓ ସାହି ମୁରବୀ ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।ସମସ୍ତ ସାହିର ବୈଠକ ରେ ନିଷ୍ପତ୍ତି ନିଆଯାଏ ସହମତି ସହ ।ସମୟ ବାଣ୍ଟି ,କାହା ପରେ କୋଉ ଥାକ ମେଢ ବାହାରିବେ ସେଇ ଅନୁସାରେ ଆଦେଶନାମା ସ୍ଥିରୀକୃତ ହୁଏ ।ମା' ଙ୍କର ଭସାଣିଟି ଏକ ଭାବବିହ୍ବଳ ମୁହୂର୍ତ୍ତ ।ସବୁରି ଆଖିରେ ପାଣି ଥାଏ ।


ମା ପାଣି ରେ ଥାଏ ଭାବୁଥାଏ ଏଇ ହେଲା ସନ୍ତାନ ।


ସରିଯାଏ ଏ ବର୍ଷର ଦଶରା ସୁରୁଖୁରୁରେ ।ସମସ୍ତେ ମଥାନତ କରନ୍ତି ମା ଚରଣାରବିନ୍ଦେ ।ଅପେକ୍ଷା ରହେ ଆର ବରଷକୁ ।


କ୍ରମଶଃ ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama