ମୋ ଅନୁଭବ ରେ ରଥଯାତ ( ୪ )
ମୋ ଅନୁଭବ ରେ ରଥଯାତ ( ୪ )
ରଥକୁ ସିଂହଦରଜା ଗୁମୁଟ ଠି ବାପା ଚାମର କରୁଥାନ୍ତି ।ଅନୁମାମୁଁଆଉ ବାପା ବଡଠାକୁର ଙ୍କ ସାଙ୍ଗେ ଆସନ୍ତି ପୁଣି ରଥରେ ବସେଇ ଦୌଡନ୍ତି ସୁଭଦ୍ରା ଙ୍କୁ ଆଣିବାକୁ .... ସୁଭଦ୍ରା ବସିସାରିଲେ ପୁଣି ଧାଇଁଲେ କାଳିଆକୁ ପାଛୋଟିବାକୁ ।ଲକ୍ଷ୍ୟ ଦିଅଁ ଙ୍କ ଠି ।ସେ ଗହଳି, ଠେଲାପେଲା ଆଗପଛ କୌଣସି ଥିକି ବିଚାର କି ଭୟ ନଥାଏ ।କୁହନ୍ତି ନି ରଥ ବେଳେ ଶୋରିଷ ବୁଣିଆକୁ ଯାଗା ନଥାଏ, ଥାଳି ମାରିଦେଲେ ଥାଳି ଚାଲିଯିବା ପରି ଭିଡ ।କଳାଭ୍ରମରେ ଦର୍ଶନ କଳାସାଗର ପରି ଦୃଶ୍ୟ ମାନ ହୁଏ ବଡଦାଣ୍ଡ ମଣିଷ ମୁଣୁଷା ଭରା ହେଇ ।ହଁ ଭିଡ ଭିତରେ ମାମୁଁ ଜଗା ପାଖରେ ଆଉ ବାପା କାହିଁ ପଛରେ ପେଲି ଧସି ହେଇ ଠିଆ ।ମନ ବିକଳ ହେଲା ।କ'ଣ କରିବି କେମିତି ଯିବି ପାଖକୁ ? କାଳିଆକୁ ଟିକେ ଛୁଇଁବି? ଚାମର ବୁଲୁଥାଏ ବାମଦକ୍ଷିଣ ହେଇ ତାଙ୍କ ହାତରେ ଅବିରତ ।ମତେ ଆଶ୍ଚର୍ଯ୍ୟ ଲାଗେ ।ଖୁଆ କାଟେନି? ବେଳେବେଳେ ସେ ସୁନେଲିବେଣ୍ଟ ଲଗା ଚାମରରେ ଦିଅଁ ଙ୍କୁ ଦି ଥରକି ବିଞ୍ଚିଦେବା ଲୋଭ ସମ୍ଭରଣ କରିନପାରି ବାପାଙ୍କ ଠୁ ମାଗି ପାଞ୍ଚ ଦଶ ମିନିଟରେ ଏ ହାତ ସେ ହାତ ହେଇ ଲେଉଟେଇ ଦେଇଥିବି ଅନେକ ଥର ।ବାପା କିନ୍ତୁ ସେମିତି ଘଣ୍ଟା ଘଣ୍ଟା ଏକଲୟରେ ଠିଆ ହେଇ ମଣିମାଙ୍କ ଆଡକୁ ଚାହିଁ ଥିବେ, ଚାମର ଲହରୁଥିବ ।ତା ସହ ଗୋବିନ୍ଦ, ଗୋବିନ୍ଦ, ଗୀତ ଗୋବିନ୍ଦ, ଭାଗବତ ଧାଡି ବି ଗାଇଚାଲିଥିବେ ଲୁହ ଲୁହ ହୋଇ ଅନ୍ତରର ସବୁ ଭକ୍ତି ନିଗାଡି, ସବୁ ଅବ୍ଯକ୍ତ ଭାବ ଢାଳି ।
ଧନ୍ଯ ତାଙ୍କ ଏକାଗ୍ରତା କୁ ।ହଁ ମାମୁଁ ଭିଡରୁ ହଠାତ୍ ଆସି ବାପାଙ୍କ ହାତ ଧରି ଟାଣିନେଲେ ଆଉ କାଳିଆ ପେଟରେ ନୁଆଁଇ ମୁଣ୍ଡିଆ ମରେଇ ଦେଲେ ।ବାପା କାଳିଆର ବିଶାଳ ପେଟ ଚାରିପଟକୁ ହାତରେ ବେଢେଇ କୁଣ୍ଢେଇ ଭାବ ବିହ୍ଵଳ ହେଇ ଯାଉଥାନ୍ତି ।ପହଣ୍ଡି ଉଛୁର ହେବାରୁ ଛାଡିଲେ ।କାଳିଆର ସାନିଧ୍ଯ ଏତେ ପାଖରୁ ପାଇ କାହାର ବା ଆତ୍ମା ଡାକେ ଛାଡିବାକୁ ଭଲା ।ପଟୁଆର ରେ ଦିଅଁ ରଥାରୁଢ ହେଲେ ।ଚାମର କରିବାରେ ମୋ ସ୍ବାମୀ ର ନିଷ୍ଠା ମଧ୍ୟ ଅଚଳ ବୋଲି ବାହା ପରେ ଦୁଇ ବର୍ଷ ନିଳାଦ୍ରୀ ବିଜେ ଓ ବାହୁଡାରେ ଦେଖିଲି।
ଗୋଟେ ବର୍ଷ ବାହୁଡାକୁ ମୁଁ ଅନୁମାମୁଁ, ବାପା, ଆଉ ମୋର ସାନ ସାନ ପାଞ୍ଚ ଭାଇଙ୍କ ସହ ଗୁଣ୍ଡିଚା ଘରକୁ ଯାଇଥାଏ ।ମାମୁଁ ମତେ ଗୁଣ୍ଡୁଚା ଘର ଏପାଖକୁ ବନ୍ଧାଯାଇଥିବା ଭଜନ ସମାରୋହ ଓ ସୂଚନା ଭବନ ମଞ୍ଚ ଉପରେ ଦର୍ଶନ ବସିବାକୁ ହୋଇଥିବା ଜାଗାରେ ବସେଇଦେଲେ ଜଗାର ପହଣ୍ଡି ପରେ ।ସେ ଯାଏ ମୁଁ କର୍ଡନ ଭିତରେ ଦେଇ ଗୁଣ୍ଡିଚା ମନ୍ଦିର ଭିତରେ ମୋ ପରିବାର ସହ ଥାଏ ।ସେ ଦିନ ଭୁଲିହବନି ।ଆଡପ ମଣ୍ଡପ ଭିତରେ ଆମେ ସମସ୍ତେ ଏକାଠି ଦର୍ଶନ କଲୁ । ମାମୁଁ କେତେ ପ୍ରକାରରେ ପ୍ରକାରେ ଭୋଗ ,ତୁଳସୀ, କର୍ପୂର ଆଣି ଦେଉଥାନ୍ତି ।ତାରି ଭିତରେ ଗୋଟିଏ ଜାଗାରେ ଆମେ ଖେଚଡି, ମୁଗ ଡାଲମା, ଦହିପଖାଳ, ବେସର,ବିରିବରା, ପିଠା ଆଉ ଚଢେଇନଦା ଗରମ ଗରମ କରି ପେଟେକି ଖାଇଲୁ ।ଓଳିରେ ପାଣି ପିଇଲୁ । ସୁଦର୍ଶନେ , ବଳଭଦ୍ର, ସୁଭଦ୍ରା ରଥକୁ ପହଣ୍ଡି ବିଜେ କରି ସାରିଲେଣି ।ବାପା ଆଉ ମାମୁଁ ତାଙ୍କର ଯାଉଛନ୍ତି ଆସୁଛନ୍ତି ଥରକୁ ଥର ।ଆମେ ଭାଇଭଉଣୀ ତକ ୟା ଢିତରେ ।ମାମୁଁ ଆସି କହିଲେ ଚାଲ ପିଲେ ଚାଲ ମହାପ୍ରଭୁଙ୍କ ପହଣ୍ଡି ହେବେ ।ଭିତର ପଟୁ ଦେଉଳ ଦୁଆର ପଡିଯିବେ ଦିଅଁ ବାହାରୁ ବାହାରୁ ।ସମସ୍ତେ ଦଉଡିଲୁ ।ସେମାନେ ସମସ୍ତେ ଦିଅଁ ଙ୍କ ସାଙ୍ଗେ ସାଙ୍ଗେ ପହଣ୍ଡି ଗହଳିରେ ମିଶିଗଲେ ।ମୁଁ ପଛରେ ରହିଗଲି ।ପୁଣି ଝିଅଟେ ହୋଇଥିବାରୁ ପହଣ୍ଡି ବେଳେ ଦିଅଁ ଙ୍କ ର ପୁରା ପାଖେ ପାଖେ ଚାଲି ହେବନି ।ଗହଳି ଭରା ଯୋଗେ ।ତଥାପି ମୁଁ ଚାଲିଲି କାଳିଆ ପଛେ ପଛେ ।ମତେ କିଏ କିଏ ଚାହୁଁ ଥାନ୍ତି ,ସବୁଆଡେ ପୁରୁଷ ପିଲା ଭିତରେ ଇଏ କିଆଁ ର ପ୍ରଶ୍ନ ନେଇ ।ମୁଁ କାଳିଆକୁ ପଛପଟୁ ଚାହିଁ ଥାଏ ।ସିଏ ନାଚି ନାଚି ହଲି ଦୋହଲି ମେଦିନି ଦୁଲୁକେଇ ଯାଉଥାଏ ।ଥରି ଯାଉଥାଏ ମାଟି ।ପବିତ୍ର ହେଉଥାଏ ରେଣୁ ରେଣୁ ।କାଳିଆ ର ପାଦ ଚିହ୍ନ ପଡି ପଡି ଯାଉଥାଏ ।ପଦ୍ମ, ତୁଳସୀ, ଦୁର୍ବାଦଳ, ଟଗର, ମଲ୍ଲୀ,ଗୁରୁଦଲାଙ୍ଗ, କିଆଁ,କେତକୀ, ଚମ୍ପା,ଧବଳ କୋମଳ ସୁନ୍ଦର ପୁଷ୍ପ ସବୁ ଖସି ଖସି ଗୁଣ୍ଡିଚା ମହଲ ବେଢାକୁ ସୌଭଗ୍ଯ ଦାନ କରି ଯାଉଥାଏ ।ବାସ ଚହଟେଇ ମୋ କୃଷ୍ଣ ଗୋପଦାଣ୍ଡ ଧୂଳି ଉଡେଇ ବାଳଲିଳା କରୁଥାଏ ସତେ ।ମନମୋହନ ମନ ମୋହି ମୋହି ନଗରେ ଡଗରେ ମହିମାମଣ୍ଡିତ କରୁଥାଏ ।ମହାର୍ଘ୍ଯ ମୂହୁର୍ତ୍ତ ।
ଏତେ ପାଖରେ ଜଗା ପଛେ ପଛେ ମୁଁ ସମ୍ମୋହିତା ପରି ଟାଣି ହେଇ ଝୁମି ଚାଲୁଥାଏ ।ଗୋଟେଇ ନେଇ ବାନ୍ଧୁଥାଏ ଝରିପଡୁଥିବା ଫୁଲ ତୁଳସୀ ଓଢଣୀ କାନିରେ ।ଦୁଇଧାରରେ ଠିଆ ଜନ ଗହଳିରୁ ଫୁଲ କେରା କେରା ହେଇ ଗଦେଇ ହେଇ ପଡୁଥାଏ ଜଗା ଉପରେ ଆଉ ତା ପାଖରେ ଥିବା ସଭିଁଙ୍କ ଉପରେ ।ମୋ ମୁଣ୍ଡ ଉପରେ ବି ଗୁଣ୍ଡ ଗୁଣ୍ଡ ଫୁଲ ।ଅମୃତ ଅମୃତ ଲାଗୁଥାଏ ।ସ୍ବପ୍ନ ସତ ପରି ।କୋଟି କୋଟି ଜନ୍ମ ର ପୂଣ୍ୟ ଫଳ ଦେଇଦେଲା ଜଗା, ଏମିତି ଲାଗୁଥାଏ ।ମୁଁ ଭାବୁଥାଏ ମୋର ସବୁ ଜନ୍ମ ର ପୂଣ୍ୟ ବଦଳରେ ସବୁ ଜନ୍ମ ରେ ଏଇ ସୌଭାଗ୍ଯ ତକ ଲେଖିଦେଇଥିବୁ ଜଗା ।ତତେ ମୋ ରାଣ ।
ହଠାତ୍ ଦାଣ୍ଡ କୁ ବାହାରିବା କବାଟ ପାଖାପାଖି ହୁଅନ୍ତେ ଜଗା ଗଡଗଡ କରି ଆଗେଇଗଲା ।ଚାରିପଟୁ ଯେତେ ଲୋକଥିଲେ ଘେରିଗଲେ ମଧୁର ସୁଗନ୍ଧିତ କୁମୁଦ ଚତୁଃପାର୍ଶ୍ବେ ଷଟପଦି ମେଳି ବାନ୍ଧିଲା ପରି ।ମୁଁ ପଛକୁ ରହିଗଲି ।ହେ ହେ କହୁ କହୁ ଜଗା ଭକ୍ତ ଙ୍କୁ ଭେଟିବାକୁ ତରତର ହୋଇ ଦେଉଳୁ ଯାଇ ଦାଣ୍ଡ ରେ ।ତା ସାଙ୍ଗରେ ଥିବା ସମସ୍ତେ ବାହାରେ ।ମୁଁ ପଛକୁ ରହିଗଲି ।ପୁଣି ଭିଡ କମିଲାରୁ କହି ବୋଲି କି ପୋଲିସ୍ ମାନଙ୍କୁ ଦାଣ୍ଡ କୁ ବାହାରିଲି ସିନା ହେଲେ କର୍ଡନ ବାହାରେ ଏକାଥରେ ।ଘର ମଣିଷ ସବୁ ଗହଳିରେ କିଏ କୁଆଡେ ପବନରେ ପାଣି ଫୋଟକା ମିଳେଇ ଗଲା ପରି ଦିଶୁ ନଥାନ୍ତି ।ଏବେ ମୁଁ କରେ ତ କରେ କଣ ? ଯେତେ ଚେଷ୍ଟା କଲି କର୍ଡନ ପୋଲିସ ମାନେ ନଛୋଡବନ୍ଧା ।ଛାଡିବେନି ମାନେ ଛାଡିବେନି ।ପ୍ରଦକ୍ଷିଣା କଲା ପରି ପୁରା ଗୁଣ୍ଡିଚା ମନ୍ଦିର ଚାରିପଟ ଠୁ ରଥ ଚାରିପଟ ଘୁରି ଆସିଲିଣି ।ଯେତେ ବୁଝେଇ କହିଲେ ବୁଝିବାକୁ ନାରାଜ ପୋଲିସ କର୍ଡନ ପରିଚୟ ପତ୍ରଟି ବି ପାଖରେ ନାହିଁ ।ହେଲା ମାମୁଁ ଯୋଉଠି ବସେଇଥିଲେ ସେଠିକି ହେଲେ ଯାଏ ।ମାମୁଁ କି ବାପା କି ପିଲେ କିଏ ତ ଖୋଜିକି ସେଠି ଅନେଇବେ ।ଜଗା କୁ ପାଖରେ ପାଇ ଆଉ କିଏ କାହାକୁ ସଂସାରେ ଖୋଜୁଛି ଭଲା ଯେ ସେମାନେ ମତେ ଖୋଜନ୍ତେ ।ଏମିତି ବୁଲୁ ବୁଲୁ ଭାରି ପାଦ କାଟିଲା ।ପ୍ରବଳ ଅଭିମାନ ଆସିଲା ।ଥମଥମ ଲୁହ ଭରିଗଲା ଆଖି ରେ ।ଆଉ ଟିକେ ଆଗରୁ ଏତେ ଭାଗ୍ୟ ଓଜାଡି ଦେଇଥିବା ଜଗା ତେ ଏମିତି ହତାଦର କରିଦେଲା ପରି ଲାଗିଲା ।ଭାବିଲି ତା ପଛେ ପଛେ ତା ମଥାରୁ ଝରୁଥିବା ଫୁଲ ଗୋଟେଇ ଗୋଟେଇ ଆସୁଥିବା ବେଳେ କୋଉବାଟେ ଟିକେ ତ ଅହଂ ଗଳି ପଶିଛି ମନରେ ଅବଚେତନ ଭାବେ ।
ଆଉ ମହାପ୍ରଭୁ ସବୁ ସହିବେ ଅହଂ ନୁହେଁ ।ଗରବ ଗଞନ ପତିତପାବନ କେମନ୍ତ ସହନ୍ତେ ଭଲା ଏ ଅକିଞନର ଏତେବଡ ଦୁଃସାହସ କୁ ।ଅହଂ କୁ ।ଅତଃ ଏ ବ୍ଯବସ୍ଥା ।ବୁଝିଲି କୋଉଠି ସେତେବେଳେ ? ଚାରିପଟେ ଅଚିହ୍ନା ଲୋକ ଭିଡ ।ଘର ପୁରୀରେ ହେଲେ ବି କାଇଁ କେଜାଣି ସେଦିନ ଭାରି ଏକା ଭାସିଗଲା ପରି ଲାଗିଲା ସେ ସମୟ ତକ ।ଆଖି ବୁଜି କାନ୍ଦିଲି କାନ୍ଦିଲି ।ବୋଉ ମୁହଁ ମନେପଡିଲା ।ଟିକେ ସାହାସ ହେଲା ।ସିଏ କହେ ଯେତେ ଦୂରରୁ ଦେଖିଲେ ବି ଜଗାର ସେ ଜଗତଜିଣା ଚନ୍ଦ୍ର ସୂର୍ଯ୍ୟ ଆଖି ଦିଟି ଦିଶେ ।କାଳିଆ ଥାଏ ଚଉବାହାକୁ ,ଡର କାହାକୁ ଭୟ କାହାକୁ ।ତଥାପି ଧାର ଧାର କାନ୍ଦୁଥାଏ ।ପଛକୁ ପଛକୁ ଯାଇ ଯୋଉଠୁ ଜଗା ରଥ ଉପରୁ ତାର ଦି ଆଖି ସ୍ପଷ୍ଟ ଦିଶିଲେ ସେଇଠି ଠିଆ ହେଲି ।କହିଲି, ହଉରେ ଧନ ।ଏଇଆ ତ ? ମତେ ଏମିତି ହଟାପଟା କଲୁ ଟି ?ଧନରେ ଯାହା ଦୋଷ କଲି ମୁଁ ଛାର ମଣିଷ ମାତ୍ର ମୋର କି ଚାରା ଯେ ମୁଁ ଜାଣି ବୁଝି ପାରିବି? କ୍ଷମା ଦେ କୃପାମୟ ।" ଦି ହାତ ଉପରକୁ ଟେକି ଦେଇ ବାପା ଶିଖେଇବା ପରି ବଡଦାଣ୍ଡ ଧୂଳିରେ ଲମ୍ବ ଦଣ୍ଡବତ କଲି ।ଶାନ୍ତି ଲାଗିଲା ।ଲୋକେ ପଛରୁ ପାଟି କଲେ ହେ ଚଢିଯିବେ ମଣିଷ ଏଇଠି କଣ ଏମିତି ମୁଣ୍ଡିଆ ମାରୁଛ? ମୋର ଆଉ କିଛି କଥାକୁ ଶୁଣିବାକୁ ତର କାଇଁ! ରଥ ଟଣା ଆରମ୍ଭ ହେଇଗଲା ଘଡ ଘଡ ହେଇ ନନ୍ଦିଘୋଷ ର ଘର୍ଘରିତ ଚକ ପାପନାଶିନୀ ଚକ କେତେ ତପି, କପି,ପାପୀ, ଗୋପୀ ,ଙ୍କୁ ପୂଣ୍ୟମୟ କରି ଗଡିଯାଉଥାଏ ।ମୁଁ ଚାଲୁଥାଏ ପଛେ ପଛେ ଗହଳିରେ ନ ପଶି ।କାଳିଆ ରଥ ପାଖେ ସବୁତକ ଗହଳି ହୁଏ ।ତାର ଆକର୍ଷଣ ହି ସେମିତି ।ଗୁଣ୍ଡିଚା ମନ୍ଦିର ମୁହଁ ଶୁଖେଇ ଠିଆ ହୋଇଥାଏ ପଛରେ ଛଳଛଳ ଆଖି ନେଇ ।କହୁଥାଏ, କେମିତି ବରଷେ ପୁରିବ, ମୋ କୋଳକୁ ପୁଣି ମୋ ଜଗା ଫେରିବ ।
ବଳଗଣ୍ଡି ଠି ରଥ ଅଟକିଲେ ।ଝିରିଝିରି ମେଘ କୁ ସୁଲୁସୁଲିଆ ଥଣ୍ଡା ବାଆ ବୋହୁଥାଏ ।ମୁଁ ଖୋଲା ବଡ ଦାଣ୍ଡ ର ଛାତିରେ ଆନନ୍ଦ ରେ ଚାଲୁଥାଏ ।ସେ ଆନନ୍ଦ କୋଉଥିରେ ନାହିଁ ।ରଥ ରହିଲାରୁ ମୁଁ ପୁଣି କର୍ଡନ ଭିତରକୁ ଡୁଙ୍ଗିଲି କାଳେ କାହା ମୁହଁ ଦିଶିଯିବ ।ସତକୁ ସତ ମୋ ଭାଇ ମାନେ ଦେଖିଲେ ଆଉ ଯୋଉ ପୋଲିସ୍ ମନା କରିଥିଲେ ସିଏ ହି ଛାଡିଲେ ମତେ କଟମଟ କି ଚାହିଁ ।ମୁଁ କୁଦିକି ପଳେଇଲି କୋଟିନିଧି ପାଇଲା ଭଳି ।ଭିତରେ ଯାଇ କାଳିଆ ଆଗରେ ଆଉ ଯାହା ବାକି ଥିଲା କାନ୍ଦିଲି ବହେ ।ଅନୁମାମୁଁ ରଥ ଉପରୁ କାହ୍ନୁମାମୁଁ ଙ୍କ ଠୁ ତୁଳସୀ ଆଣି ହାତରେ ଦେଲେ ।ଅଳ୍ପ ବାଟ ରଥ ଟାଣିଲି କର୍ଡନ ଭିତରେ ।ମନ ବୋଧ ହେଲା ।କାଳିଆକୁ ଚାହିଁ ହସିଲି ।କାଳିଆ ହସ ତ ଜଗତଜିଣା ।ଟହଟହ ନାଲିଆ ହସ ରେ ପେଟ ପୁରିଗଲା ।ପୋଲିସ ର ଉଚ୍ଚପଦସ୍ଥ ଅଧିକାରୀ ମହିଳା ଜଣେ ଆସି କହିଲେ ଆପଣ କର୍ଡନ ବାହାରକୁ ଯାଆନ୍ତୁ ।ମାମୁଁ କହିଲେ, ସିଏ ଆମ ସାଙ୍ଗରେ ଅଛି ।ସେ ଅସନ୍ତୁଷ୍ଟ ଦିଶିଲେ ।ମୁଁ ନିଜେ ହି କହିଲି , " ରଥ ପଛରେ ମୁଁ ଚାଲି ଚାଲି ଆସିବି ।ବଡ ଦାଣ୍ଡ ରେ ମିଶିକି ଘରକୁ ଯିବା " କହି ବାହାରି ଆସିଲି ରାସ୍ତା କୁ ।କୌଣସି ବି କଥା ପାଇଁ କିଏ ମୋ ଯୋଗୁଁ ମନକଷ୍ଟ କଲେ ମତେ ବାଧେ ।ମୁଁ ସେମିତି ରେ ମହାଆନନ୍ଦରେ ବଡଦାଣ୍ଡ ରେ ଚାଲିଲି ।ରଜାନହର ଠି ରଜାଙ୍କ ପିଣ୍ଡା ରେ ଚଢି ଠିଆ ହେଲି ।ସେଇଠି ମହାଲକ୍ଷ୍ମୀ ନାରାୟଣ ଙ୍କର ଭେଟ ଦେଖିଲି ,ଗଜପତି ମହାରାଜା କରେଇଲେ ।ଦେଢଶୁର ବୋଲି ବଡଠାକୁରେଙ୍କ ଠି ଟେରା ପଡିଲେ ।ସେଠାରେ ପନ୍ତି ବଢିଲେ ।ନୀତିକାନ୍ତି ସାରି ରଥ ତ୍ରୟ ଗଡିଲେ ।ମୁଁ ସେମିତି ରଥ ପଛେ ପଛେ ଚାଲିଥାଏ ।ସିଂହିଦୁଆର ରଥ ଲାଗିଗଲେ ।।ହରିବୋଲ ହରିବୋଲ ହୁଳହୁଳି ଘଣ୍ଟା ଘଣ୍ଟ ନାଦରେ ପ୍ରକମ୍ପିତ ପୃଥିବୀ ମଗ୍ନ ମୁଗ୍ଧ ଥିଲା ।
