ମିଠାସ
ମିଠାସ
ଶବ୍ଦର ଯାଦୁରେ ବାଘ ବି ପୋଷା ମାନେ. ଶବ୍ଦର ଯାଦୁରେ ଶୁଆ କଥା କହେ ପୁଣି ଶବ୍ଦର ଯାଦୁରେ କେବେ ସ୍ତବ୍ଧ ହୋଇଯାଏ ପୃଥିବୀ. ଉତ୍କଳ ଭାବୁଥିଲେ କଣ କହିବେ ମାଆଙ୍କୁ?କଣ କହିବେ ପତ୍ନୀଙ୍କୁ? ମାଆଙ୍କୁ ଦୋଷ ଦେଇ କହିଲେ ଅଭିଶାପ. ପତ୍ନୀଙ୍କ ଦୋଷ କହିଲେ ପାପ.ସେଇ ମା କହିଥିଲେ କ୍ରୋଧ କରିବୁନି ପୁଅ.କିନ୍ତୁ ଉତ୍କଳ ଭାବୁଥିଲେ କ୍ରୋଧ ନକରି ମହାଭାରତର ପିତାମହ ଭୀଷ୍ମ ଦ୍ରୌପଦୀ ବସ୍ତ୍ର ହରଣରେ ମୁକ ରହିଗଲେ ବୋଲି ତାଙ୍କୁ ଶରଶଯ୍ୟା ଭଳି କଷ୍ଟ ଯନ୍ତ୍ରଣା ଭୋଗିବାକୁ ପଡିଥିଲା. ମହାଭାରତ ଯୁଦ୍ଧ ପୂର୍ବରୁ ଯେବେ ଦ୍ରୌପଦୀ ତାଙ୍କୁ ପ୍ରଣାମୀ ଜଣାଇବାକୁ ଆସିଥିଲେ, ସେ କହିଥିଲେ ଆୟୁଷ୍ମତୀ ଭବ. ସେଇ ଶବ୍ଦର ଯାଦୁରେ ପିତାମହଙ୍କ ପାପ କେତେ ଧୋଇହୋଇଗଲା କି ନହେଲା କିନ୍ତୁ ଦ୍ରୌପଦୀଙ୍କ ସେହି ଆଶୀର୍ବାଦ ତାଙ୍କ ପଞ୍ଚପତିଙ୍କୁ ମହାଭାରତ ଯୁଦ୍ଧରେ ବିଜୟ ଲାଭ କରାଇବାକୁ ଦେଇଥିଲା. ସେମିତି ଜଟାୟୁ ନିଜର ଶବ୍ଦର ଯାଦୁରେ କ୍ରୋଧ ପଦର୍ଶନ କରି ମାତା ସୀତା ହରଣ ସମୟରେ ଲଢ଼ିଥିଲେ ବୋଲି ପ୍ରଭୁ ରାମଙ୍କ ଆଶୀର୍ବାଦ ଲଭି ସ୍ୱର୍ଗପୁର ଗମନ କରିଥିଲେ. ତେଣୁ ଉତ୍କଳ ଭାବୁଥିଲେ ଭୁଲ ଦେଖିଲେ ଶବ୍ଦର ଯାଦୁରେ କ୍ରୋଧ ଆସିବା ଦରକାର ସତ କିନ୍ତୁ ସେ ଭୁଲ କେତେପାରିମାଣର ପାପ ବହନ କରେ ତାହା ମଧ୍ୟ ଦେଖିବାର କଥା ମାଆ କାଲିଠାରୁ ଉପାସ ରହିଛି. ପତ୍ନୀ କାଲିଠାରୁ ମୁହଁ ଫୁଲେଇଛି. ମାଆ ବାଡ଼ିରୁ ତୋଳି ଆଣିଥିବା ପିତା ଶାଗଦୁଇଟାକୁ ଅଣହେଳା କରି ଭାଜି ନଥିଲେ ପତ୍ନୀ. କହିଥିଲେ ଗୁରୁବାର ପିତା ଖାଇବା ଅନୁଚିତ. ମାଆ କହିବା କଥା ତୁମେ ନଖାଅ ମତେ ଭାଜି ଦେଇଦିଅ. ଏଇ ସାମାନ୍ୟ କଥାକୁ ନେଇ ମାଆ ଓ ପତ୍ନୀ ଭିତରେ କଟୁ ଶବ୍ଦ ପ୍ରୟୋଗକୁ ନେଇ ଘରେ ଆଶାନ୍ତି. କଣ କରିବ ଉତ୍କଳ? ଚାଲିଲା ବାଡ଼ିକୁ, ତୋଳି ଆଣିଲା ପିତା ଶାଗ କିଛି. ନିଜେ ଭାଜି ପାଖାଳ ସଙ୍ଗେ ପିତା ଶାଗ ଭଜା ଧରି ମାଆ ପାଖେ ଉପସ୍ଥିତ ହୋଇଥିଲା. କହିଥିଲା ଉଠ ମାଆ. ମୁଁ ନିଜେ ପିତା ଶାଗ କରି ଆଣିଛି. ଦେଖ ଠିକଠାକ ହୋଇଛି କି ନାହିଁ. ମାଆ କାନ୍ଦି ପକେଇଲେ. ଠିକ ସେହି ସମୟରେ ଉତ୍କଳ କହୁଥିଲେ ତୁମେ ଜାଣ ମାଆ ଯୁଗେ ଯୁଗେ ତୁମେ ମୋ ମାଆ. ଆମେ ସିନା ସାଧାରଣ ଲୋକ ବୋଲି ଜାଣିପାରୁନେ କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ ଜାଣିଥିଲେ. ମାଆ ପଚାରିଲେ କେମିତିରେ ବାବୁ?ଉତ୍କଳ କହିଲେ ଠିକ ସେତିକି ବେଳେ ଯେତେବେଳେ କଂସ ନିଧନ ପରେ ପରେ, ଶ୍ରୀକୃଷ୍ଣ ମାଆ ଦେବକୀ ଓ ପିତା ବାସୁଦେବଙ୍କୁ ବନ୍ଦୀ ଗୃହରୁ ମୁକୁଳାଇ ଥିଲେ, ମାଆ ଅଧୀର ହୋଇ କାନ୍ଦି କାନ୍ଦି କହିଥିଲେ, କୃଷ୍ଣରେ ତୁ ପ୍ରଭୁ ବୋଲି ସମସ୍ତେ ଜାଣନ୍ତି ହେଲେ ତୋ ପରି ପୁତ୍ର ଥାଉ ଥାଉ ଆମକୁ ଚଉଦ ବର୍ଷ ବନ୍ଦୀ ଜୀବନ କାଟିବାକୁ ପଡିଲା. କୃଷ୍ଣ କହିଥିଲେ ମାଆ ଏହା ପୂର୍ବଜନ୍ମର କର୍ମଫଳ? ପୂର୍ବଜନ୍ମରେ ତୁମେ ମୋ ମାଆ କୈକେଇ ଥିଲ ଆଉ ପିତା ବାସୁଦେବ ହିଁ ଦଶରଥ ଥିଲେ. ତୁମେ ମତେ ଚଉଦ ବର୍ଷ ବଣକୁ ପଠେଇ କିଛି ବି ଭୁଲ କରିନଥିଲ ମାଆ. ମୁଁ ବହୁ ମୁନି ଋଷିଙ୍କ ସାନିଧ୍ୟରେ ଆସିଥିଲି. ବହୁ ଅସୁର ସଂହାର କରିଥିଲି. ସୁଗ୍ରୀବ ପରି ମିତ୍ର ଓ ହନୁମାନଙ୍କ ଭଳି ଭକ୍ତ ପାଇଥିଲି ସତ ହେଲେ ମଧ୍ୟ ବିଧାତାଙ୍କ କର୍ମଫଳ ଭୋଗିବାକୁ ପଡ଼େନା ମାଆ. ସ୍ତବ୍ଧ ହୋଇ ଦେବକୀ ପଚାରିଥିଲେ ତେବେ କୌଶଲ୍ୟା? ଶ୍ରୀକୃଷ୍ଣ ବୁଝାଇ ଦେଇଥିଲେ ସେ ହିଁ ତ ଯଶୋଦା. ପୂର୍ବଜନ୍ମରେ ଅନ୍ୟାୟର ବିରୋଧ ନକରିବା ଯୋଗୁଁ ପୁତ୍ର କଷ୍ଟ ପାଉଛନ୍ତି. ତୁମେ ବି କଣ ସେୟା ଚାହିଁବ କି ମାଆ? ତୁମେ ନଖାଇ କାଲିଠାରୁ ଉପାସ ରହିଛ. ପୂର୍ବଜନ୍ମରେ ମୋ ଉପରେ ଏହାର କି ପ୍ରଭାବ ପାକଇବ କିଏ କହିପାରିବ. ଆଖିରୁ ଲୁହ ପୋଛି ମାଆ ଖାଇବା ଆରମ୍ଭ କରିଥିଲେ ପୁଅ ସହ. କବାଟ ଫାଙ୍କରେ ସବୁ ଶୁଣି ସ୍ତ୍ରୀ କ୍ଷମା ମାଗୁଥିଲେ ଶାଶୁ ଓ ସ୍ୱାମୀଙ୍କୁ. ପିତା ଶାଗ ସହ ମାଛ ଓ କୋବି, ଆଳୁ ଓ ବିନ ଭଜା ସହ ଶୀତ ଦିନ ପାଖାଳର ମଜ୍ଜା ନେଲାବେଳେ ଉତ୍କଳ ଭାବୁଥିଲେ ଶବ୍ଦର ଯାଦୁରେ ପ୍ରକୃତରେ କଣ କରି ନହୁଏ!ମହାଭାରତ ଓ ରାମାୟଣ କଥାବସ୍ତୁ ଆଧାରରେ ଓ ତାହାର କଥାବସ୍ତୁରେ ଥିବା ପ୍ରତ୍ୟେକଟି ଶବ୍ଦର ଯାଦୁରେ ଜୀବନ ଏବେବି ଶୃଙ୍ଖଳିତ ଓ ପରିପୂର୍ଣ୍ଣ.
ଉତ୍କଳଙ୍କ କଥାରେ ମାଆ ବୁଝିଯାଇଥିଲେ ପତ୍ନୀ ମଧ୍ୟ ବୁଝିଯାଇଥିଲେ. ତଥାପି ପତ୍ନୀଙ୍କୁ ସେଦିନ ରାତିରେ ଗୋଟେ ଗପ ଶୁଣେଇଥିଲେ ଉତ୍କଳ. ବହୁ ଆଗ୍ରହରେ ଶୁଣୁଥିଲେ ପ୍ରିୟା. ଉତ୍କଳ କହୁଥିଲେ ଗୋଟେ ଦେଶରେ ଜଣେ ସାଧୁ ଥିଲେ. ତାଙ୍କର ଶିଷ୍ୟ ବହୁତ ଥିଲେ. ଦିନେ ଶିଷ୍ୟମାନେ ପଚାରିଲେ ମହାଭାଗ ଏ ଦୁନିଆଁରେ ସବୁଠୁ ମିଠା କଣ? ଗୁରୁ ଟିକେ ଚିନ୍ତମଗ୍ନ ରହିବା ପରେ, ସମସ୍ତ ଶିଷ୍ୟ ମାନଙ୍କୁ ପାଖକୁ ଡାକି ବସେଇଲେ ଓ ନିଜ ପାଟି ମେଲାଇ ତାଙ୍କ ପାଟି ଭିତରେ କେତୋଟି ଦାନ୍ତ ଅଛି ଗଣିବାକୁ କହିଲେ. ପ୍ରତ୍ୟକ ଶିଷ୍ୟ ଜଣ ଜଣ କରି ଦେଖି କହିଲେ ମହାଭାଗ ଗୋଟେ ମଧ୍ୟ ଦାନ୍ତ ନାହିଁ ଆପଣଙ୍କ ପାଟିରେ. ତେବେ ଜିଭ ଅଛିକି ନାହିଁ ଦେଖିଲ କହିଲେ ସାଧୁ ତ ସମସ୍ତେ ପୁଣି ପାଟି ଭିତରକୁ ଦେଖି କହିଲେ ଅଛି ଆଜ୍ଞା. ଜିଭ ଅଛି. ଏଥର ସାଧୁଜୀ କହିଲେ ଏହା କେମିତି ସମ୍ଭବ ହେଲା କହିପାରିବ? ଶିଷ୍ୟମାନେ ପରସ୍ପର ପରସ୍ପର ମୁହଁକୁ ଚାହିଁ ନାସ୍ତି ସୂଚକ ମୁଣ୍ଡ ହଲେଇବା ପରେ ଗୁରୁ ବୁଝାଇଦେଇଥିଲେ, ଜିଭ ସାର୍ବଦା ମିଠା କଥା କହି ଶବ୍ଦରେ ଯାଦୁ ତିଆରି କରି ଶବ୍ଦ ମିଠା ପ୍ରୟୋଗ କରିଥାଏ ବୋଲି ସେ ଦୀର୍ଘାୟୁ କିନ୍ତୁ ଜିଭର ଯଥେଷ୍ଟ ପରେ ଉଠିଥିବା ଦାନ୍ତ ଗୁଡିକ କେବଳ କଟୁ କଥା କହିବା ପରି ଚର୍ବଣ ଓ ଘର୍ଷଣରେ ନିମ୍ମଜିତ ହୋଇ ଆୟୁଷର ବହୁ ପୂର୍ବରୁ ମୃତ୍ୟୁ ବରଣ କରିଥାନ୍ତି. ଏଥର ସବୁ ଶିଷ୍ୟମାନଙ୍କର ବୁଝିବାକୁ ବାକି ନଥିଲା ଶବ୍ଦର ଯାଦୁ ହିଁ ପ୍ରକୃତ ମିଠା. ଅର୍ଥାତ ମିଠା କଥାଠୁ ବଳି ମିଠା ଆଉ କାହିଁ?
ଖୁସିରେ ସ୍ୱାମୀଙ୍କ ଆଡକୁ ଚାହିଁ ଏଥର ପ୍ରିୟା ପଚାରିଲେ ହେଲେ ଏସବୁ ତୁମେ କେମିତି ଶିଖିଲ? ମୋ ଜେଜେ ଓ ଜେଜେମା ଏସବୁ ଗଳ୍ପ ମତେ କହିଥାଆନ୍ତି. ଆଉ ମୋ ବାପା ମାଆହିଁ ମତେ ଏସବୁ ଶିଖେଇଛନ୍ତି. କେମିତି? ପଚାରୁଥିଲେ ପ୍ରିୟା. ତ କହିବାକୁ ଆରମ୍ଭ କଲେ ଉତ୍କଳ. ଆମ ଘରକୁ କାମ କରିବାକୁ ସୁକାନ୍ତି ଆସୁଥାଏ ଆଉ ତା ସହିତ ତା ପୁଅ ଆସେ. ସୁକାନ୍ତି ଘର କାମ କରିବା ସମୟରେ ତା ପୁଅ ଜଗା ସହ ମୁଁ ଲୁଡୁ ଓ କ୍ରିକେଟ ଖେଳେ. ଛୁଟିରେ ମାମୁଁଙ୍କ ଘରକୁ ଯାଇ ଫେରିବା ପରେ ଦେଖିଥିଲି ମୋ କ୍ରିକେଟ ବ୍ୟାଟଟି ଘରେ ନାହିଁ. ତା ପରଦିନ ସୁକାନ୍ତି ସହ ତା ପୁଅ ଜଗା ମତେ ଦେଖି ଖୁବ ଖୁସି ହୋଇଯାଇଥିଲା ମୁଁ କିନ୍ତୁ ତାକୁ ଚୋର କହି ଗାଳିଦେଇଥିଲି. ମୋ କ୍ରିକେଟ ବ୍ୟାଟ ତୁ ଚୋରୀ କରିଛୁ କହି ତାକୁ ଅପମାନିତ କରି କହିଥିଲି ତ ସେ କହିଥିଲା ମୁଁ ଚୋରୀ କରିନି ତୁମ ଅନୁପସ୍ଥିତିରେ ଖେଳିବାକୁ ନେଇଥିଲି କେବଳ. ବାପା ମତେ ପାଖକୁ ଡାକି ବୁଝେଇ କହିଥିଲେ କିଛି ବୁଝି ନବୁଝି କାହାକୁ ଚୋର ବୋଲି କଟୁ ଶବ୍ଦ ପ୍ରୟୋଗ କରିବା ଉଚିତ ନୁହେଁ.
ସେମିତି ସେଥର ଆମ ସଜନା ଗଛରୁ ଛୁଇଁ ତୋଳା ହେଲା ପରେ, ବୋଉ ସୁକାନ୍ତିକୁ ଅନେକ ଛୁଇଁ ଦେବା ପରେ ମଧ୍ୟ ସେ ଫୁଲ ଓ ଶାଗ ସବୁକୁ ତଳୁ ତୋଳି ନିଜ ବ୍ୟାଗରେ ରଖୁଥିଲା ତ ତାକୁ ଚୋରଣୀ କହି ବୋଉଠାରୁ ଖାଲି ଗାଳି ନୁହେଁ ସୁକାନ୍ତି ମାଉସୀଙ୍କୁ ଭୁଲ ମଧ୍ୟ ମାଗିଥିଲି. ତେଣୁ ପିଲାଦିନୁ ବାପା ବୋଉଙ୍କ ଠାରୁ ଏତିକି ଶିଖି ନେଇଥିଲି କି ଜୀବନରେ କିଛି କାହାକୁ ଦେଇ ନପାରିଲେ ବି ମିଠା ଶବ୍ଦର ଯାଦୁରେ ମନ କିଣାଯାଇପାରେ ଓ ନବୁଝି ନବିଚାରି କାହାକୁ କଟୁ ଶବ୍ଦ ପ୍ରୟୋଗ କରିବା ଉଚିତ ନୁହେଁ.ସ୍ୱାମୀଙ୍କ ଠାରୁ ଏସବୁ ଶୁଣି ଲଜ୍ଜିତ ଅନୁଭବ କରିଥିଲେ ପ୍ରିୟା. ଏଣିକି ସେ ଶାଶୁମାଆଙ୍କ ସହ ଭଲ ବ୍ୟବହାର କରିବା ସହ ଶବ୍ଦର ଯାଦୁରେ,ନିଜର ଓ ପରକୁ କିପରି ଆପଣାର କରିହୁଏ ତାହା କାମରେ ଲାଗଇବାକୁ ଭୁଲି ନଥିଲେ.ପ୍ରିୟାଙ୍କ ଶାଶୁ ମଧ୍ୟ ଅନ୍ୟ ଆଗରେ ନିଜ ବୋହୁ ପ୍ରିୟାର ଭୁରି ଭୁରି ପ୍ରଶଂସା କରୁଥିଲେ.ସେହି ଶବ୍ଦ ଗୁଡିକର ଯାଦୁରେ ଶାଶୁଙ୍କର ସବୁ କଥା ମାନିବା ସହ ତାଙ୍କୁ ଭଲ ବ୍ୟବହାର ଦେଖାଉଥିଲେ ଉତ୍କଳ ଓ ପ୍ରିୟାଙ୍କ କୋଳକୁ ଝିଅଟିଏ ଆସିଥିଲା. ଶାଶୁମାଆ ବହୁତ ଖୁସି ହୋଇ କହିଥିଲେ ଝିଅ ହେଉଛି ଘରର ଲଷ୍ମୀ. ବାପା ମାଆ ତଥା ଗୁରୁଜନମାନଙ୍କଠାରୁ ପାଇଥିବା ପ୍ରେରଣା ତାର ପରବର୍ତ୍ତୀ ଜୀବନରେ ତାକୁ ଖୁବ ସାହାଯ୍ୟ କରିବ. ପ୍ରିୟା କହିଥିଲେ ଆପଣ ନିଜ ପୁଅଙ୍କୁ ଯେପରି ଆଦର୍ଶ ଦେଇଛନ୍ତି ନାତୁଣୀକୁ ସେପରି ଆଦର୍ଶ ଦେଲେ ସେ ଦୁଇ କୁଳର ହିତା ହେବା ସହ ନାରୀ ଧର୍ମ ପାଳନ କରିପାରିବ ମାଆ. ହଁ ସେକଥା ଠିକ ଯେ ହେଲେ ମୁଁ ଆଉ କେତେଦିନ ବଞ୍ଚିବି ପ୍ରିୟା? ତେଣୁ ଝିଅକୁ ଉପଯୁକ୍ତ ସଂସ୍କାର ଦେଇ ଗଢିବା ଦାଇତ୍ୱ ପ୍ରଥମ ମାଆର. ନିଶ୍ଚୟ ମାଆ କହୁଥିଲା ପ୍ରିୟା. ଝିଅର ନାମକରଣ କରିଥିଲେ ଜେଜେମା. ନାମ ରଖିଥିଲେ ବିନିତା. ବିନୟ ବଚନ କହି ତୋଷିବ ଜନମନ ମୋ ନାତୁଣୀ ବୋଲି ଆଶୀର୍ବାଦ ଦେଇ ଜେଜେମା ଆକାଶର ତାରା ହୋଇଗଲେ ବୋଲି ବଡ଼ ହେଲା ପରେ ଜାଣିଥିଲା ବିନିତା ତ ଆକାଶ ସାରା ଖୋଜୁଥିଲା ତାର ଜେଜେମାଙ୍କୁ. ମାଆ ପ୍ରିୟା କହୁଥିଲେ ଆକାଶରେ ନୁହେଁ ଝିଅ ତୋ ନିଜ ଭିତରେ ତୋ ଜେଜେମା ରହିଛନ୍ତି. ନମ୍ରତା ଓ ବିନୟ ବଚନ କହି ଜନ ମନ ଗଣଙ୍କୁ ତୋଷି ପାରିଲେ ତାଙ୍କ ଆତ୍ମା ଶାନ୍ତି ପାଇବ ।
