Gangadhar Nanda

Abstract Drama Tragedy

4  

Gangadhar Nanda

Abstract Drama Tragedy

ମହତ୍ତ୍ଵପୂର୍ଣ୍ଣ ସିଦ୍ଧାନ୍ତ

ମହତ୍ତ୍ଵପୂର୍ଣ୍ଣ ସିଦ୍ଧାନ୍ତ

5 mins
249


ଆସନ୍ତା କାଲିଠାରୁ ଦାମୋଦର ମିଶ୍ରଙ୍କର ଏକ ନୂଆ ଜୀବନର ଆରମ୍ଭ ହେବାକୁ ଯାଉଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ସଂପୂର୍ଣ୍ଣ ନୂଆ ସ୍ଥାନ, ନୂଆ ପରିବେଶ, ନୂଆ ଲୋକମାନଙ୍କ ଗହଣରେ ଦିନ ବିତିବ । ପୂର୍ବରୁ କେବେ ବି ସାକ୍ଷାତ ନହୋଇଥିବା ଲୋକମାନେ ପଡୋଶୀ ହେବେ । ଜୀବନର ଅପରାହ୍ନରେ ଏମିତି ଏକ ଜୀବନ ଜିଇଁବାକୁ ହେବ, ଏକଥା ଦାମୋଦର ବାବୁ ସ୍ୱପ୍ନରେ ମଧ୍ୟ କେବେ କଳ୍ପନା କରିନଥିଲେ । କାହିଁ ପଲ୍ଲୀ ଅଞ୍ଚଳର ସବୁଜିମା ଘେରା ଶାନ୍ତ ମଧୂର ପରିବେଶ , କାହିଁ ଅଧୂନିକତାରେ ଭରା ଚାକଚକ୍ୟ ପୂର୍ଣ୍ଣ ସହରର ଉତ୍କଟ ଶବ୍ଦ ଓ ବାୟୁ ପ୍ରଦ୍ୟୁଷଣ ଯୁକ୍ତ ସହରୀ ସଭ୍ୟତା ! ସହରଟି ପୁଣି ଦେଶରେ ନୁହେଁ , ବିଦେଶରେ ଅବସ୍ଥିତ । ମସ୍ତିସ୍କରେ ଏସବୁ ଭାବନା ଗୁଡିକର ଉତ୍ପତ୍ତି ଜନିତ ଅନୁଭୂତି , ଦାମୋଦର ବାବୁଙ୍କ ଶରୀରରେ ସର୍ବଦା ଦୁର୍ବୋଧ୍ୟ ଗ୍ଳାନିଯୁକ୍ତ ଶିହରଣ ସୃଷ୍ଟି କରୁଥିଲା।

      ଦାମୋଦର ବାବୁଙ୍କ ବଡ ପୁଅ ସୁଦୂର କାନାଡ଼ାରେ ଏକ ଭଲ ଚାକିରୀରେ ଅବସ୍ଥାପିତ ଥାଇ ନିଜ ପରିବାର ସହିତ ସେଠାରେ ରହୁଥିଲା । ଭବିଷ୍ୟତରେ କେବେ ନିଜ ଦେଶରେ ସ୍ଥାୟୀ ବସବାସ କରିବାର ଧାରଣାଟି ସେ କେବେଠାରୁ ମନରୁ ପୋଛି ଦେଇଛି । ସାନ ଝିଅ ନିଜ ସ୍ବାମୀ ଓ ଶାଶୂ ଶ୍ଵଶୁରଙ୍କ ସହିତ ଦିଲ୍ଲୀରେ ରହୁଛି । ପରିବାର ଜଞ୍ଜାଳ କିଛି ନଥିଲା । ଦାମୋଦର ବାବୁ ଗାଁ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇ ସସ୍ତ୍ରୀକ ଗ୍ରାମରେ ବସବାସ କରୁଥିଲେ । ପତ୍ନୀ କମଳା ଦେବୀ ଥିଲେ ସୁଗୃହିଣୀ । ତେଣୁ ବୁଢାବୁଢୀଙ୍କର ଛୋଟିଆ ସଂସାରଟି ବେଶ ସୁରୁଖୁରୁରେ ଚାଲିଥିଲା । କିନ୍ତୁ ବିଧାତାର ଇଚ୍ଛା କିଛି ଅଲଗା ଥିଲା । ବୁଢୀକୁ ସାଧାରଣ ଜ୍ଵର ହେଲା । ଟୁଣୁକା ଟୁଣୁକିରେ ଭଲ ନହେବାରୁ ବଡଡାକ୍ତରଖାନା ସ୍ଥାନାନ୍ତର ପରେ ମଧ୍ୟ କିଛି ଲାଭ ହେଲାନି । ପରୀକ୍ଷାରୁ ଜଣାପଡିଲା ଟାଇଫଏଡ ଓ ପରେ ପରେ ନିମୋନିଆ । ସପ୍ତାହେ ଯାଇନି , ବୁଢୀ ବିଦାୟ ନେଲା । ପିଲାମାନେ ଖବର ପାଇ ପହଞ୍ଚିବା ବେଳକୁ ଚାରିଦିନ ବିତିଗଲାଣି । ଗ୍ରାମବାସୀ ଓ ଜ୍ଞାତୀକୁଟୁମ୍ବଙ୍କ ସହାୟତାରେ ଦାହସଂସ୍କାରାଦି କାର୍ଯ୍ୟ ଆଗେଇ ଚାଲିଥିଲା । ଶୋକାତୁର ପିଲାମାନଙ୍କୁ ସାନ୍ତ୍ବନା ଦେବା ତ ଦୂରର କଥା , ହତବାକ ଦାମୋଦର ବାବୁ ନିଜେ ପ୍ରକୃତିସ୍ଥ ହୋଇପାରୁନଥିଲେ । ଅନ୍ତର ଭିତରୁ ଅବରୁଦ୍ଧ କୋହ ବାହାରକୁ ଆସିବା ପାଇଁ ଚେଷ୍ଟା କରି ବାରମ୍ବାର ବିଫଳ ହେଉଥିଲା । ସତେଯେପରି ସମୟ ତାଙ୍କ ପାଇଁ ସ୍ଥିର ହୋଇଯାଇଥିଲା । ମିଶ୍ରେ ଯନ୍ତ୍ରବତ୍ ଶୁଦ୍ଧକାର୍ଯ୍ୟକୁ ପରିଚାଳନା କରିଚାଲିଥିଲେ । ଚଉଦ ଦିନର ମହୋତ୍ସବ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଦାମୋଦର ବାବୁ ପରିବାରର କାହା ସଙ୍ଗେ ପଦେଅଧେରୁ ଅଧିକ କଥା ହୋଇନାହାନ୍ତି । 

          ସକାଳେ ଚା' କପ୍ ହାତରେ ଧରି କମଳା ଦେବୀଙ୍କ ସଦ୍ୟ ଫୁଲମାଳ ପରିହିତ ଫଟୋକୁ ଚାହିଁରହି ନିର୍ବାକ ଅବସ୍ଥାରେ ଦାମୋଦର ବାବୁ ବସି ରହିଥିଲେ । ସକାଳ ଜଳଖିଆ ପ୍ରସ୍ତୁତି ଭିତରେ ତାଙ୍କର ଥଇଥାନ ପ୍ରସଙ୍ଗରେ ପିଲାମାନଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ଅବଶିଷ୍ଟ ଜୀବନ କାନାଡ଼ାରେ ପୁଅ ପାଖରେ କଟିବାଟା ଥିଲା ଆଲୋଚନାର ସାରାଂଶ । ପରଦିନ ସକାଳୁ କାନାଡା ଗସ୍ତର ଫେରନ୍ତା ଟିକେଟ ଧାର୍ଯ୍ୟ ହୋଇସାରିଛି । ଜଳଖିଆ ସରିଲେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଭିତରେ ଦାମୋଦର ବାବୁଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସମଗ୍ରୀ ଗୁଡ଼ିକ ସଜଡା ହେବ । ଗୋଟାଏ ଦୀର୍ଘ ନିଃଶ୍ୱାସ ମାରି ମିଶ୍ରେ ଚଉକିରୁ ଉଠିପଡ଼ି ବାହାରକୁ ଆସିଲେ । ଇତସ୍ତତଃ ବୁଲାବୁଲି କରିବା ଭିତରେ ଶେଷଥର ପାଇଁ ନିଜ ଗାଁ'କୁ ମନଭରି ଦେଖି ନେଉଥିଲେ । ବାଲ୍ୟ ସମୟଠାରୁ ଏପର୍ଯ୍ୟନ୍ତ କେତେ ସ୍ମୃତି ଏ ଗାଁ'ର କୋଣ ଅନୁକୋଣରେ ଲୁଚିରହିଛି । କାଲିଠାରୁ ଏସବୁ ଆଉ କେବେ ଦୃଶ୍ୟମାନ ହେବାର ସମ୍ଭାବନା ନାହିଁ । ହୃଦୟ ଭିତରଟା ଘାଣ୍ଟି ଚକଟି ହେଉଥିଲା । ଅସ୍ଥିର ହୋଇ ଉଠିପଡ଼ି ମିଶ୍ରେ ଘରମୁହାଁ ହେଲେ।

            କୌଣସିମତେ ଦିନ ଯାଇ ସୂର୍ଯ୍ୟାସ୍ତ ହେଲା । ଗାଁ'ମୁଣ୍ଡ ମନ୍ଦିରରୁ ସନ୍ଧ୍ୟା ଆଳତିର ଘଣ୍ଟ ଧ୍ବନି ଶୁଣାଗଲା । ଚା' କପେ ପିଇସାରି ମିଶ୍ରେ ମନ୍ଦିର ଅଭିମୁଖେ ଚାଲିଲେ । ବାଟରେ ସମସାମୟିକ କିଛି ମିତ୍ର ସମବେଦନା ଜଣାଇବାକୁ ଚାହୁଁଥିଲେ ମଧ୍ୟ ସେସବୁ ପ୍ରତି ଦାମୋଦର ବାବୁଙ୍କ ନିଘା ନଥିଲା । ସବୁଦିନର ହସମୁଖର ଗ୍ରାମ୍ୟ ପରିବେଶ ଆଜି ଭାରି ନିଛାଟିଆ ଲାଗୁଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଆଳତି ଚାଲିଛି । ଲୋକ ବିଶେଷ ନାହାନ୍ତି । ମନ୍ଦିର ନିକଟସ୍ଥ ସିମେଣ୍ଟ ଚାନ୍ଦିନୀରେ ମିଶ୍ରେ ଚୁପଚାପ୍ ବସିଲେ । ଏଠାରେ ପ୍ରାୟତଃ ସେ ବସନ୍ତି । ଗ୍ରାମର କିଛି ମହିଳା ସଂଧ୍ୟା ଦିପ ଦେବାକୁ ମନ୍ଦିରକୁ ଆସିଲେ । ଅଳ୍ପ କେତେଦିନ ତଳେ କମଳା ଦେବୀ ମଧ୍ୟ ଏମାନଙ୍କ ଗହଣରେ ଆସୁଥିଲେ । ଫେରିବା ବେଳେ ଜଳଖିଆ ଖାଇବା ପାଇଁ ଖବର ଦେଇସାରି ଘରକୁ ଫେରୁଥିଲେ । ଶୂନ୍ୟଚକ୍ଷୁରେ ମିଶ୍ରେ ଆକାଶକୁ ଚାହିଁଲେ । ଆକାଶରେ ଶୁକ୍ଳପକ୍ଷର ଚତୁର୍ଦ୍ଦଶୀ ଜହ୍ନ । ଟିକିଏ ଦୂରରୁ ଛୋଟିଆ ବାଦଲଟିଏ ଜହ୍ମଆଡକୁ ମାଡିଆସି ଜହ୍ନକୁ ଅତିକ୍ରମ କରି ଚାଲିଗଲା । କମଳା ଏବେ କେଉଁଠି ଥିବେ , କ'ଣ କରୁଥିବେ , ଇତ୍ୟାଦି ଅମିମାଂସିତ ପ୍ରଶ୍ନ ଗୁଡିକର ସମ୍ଭାବ୍ୟ ଉତ୍ତର ଗୁଡିକର ସମୀକ୍ଷା ମନ ଭିତରେ ଚାଲିଥିଲା । 'ହୁଏତ‌ ମୋତେ ଅପେକ୍ଷା କରିଥିବେ ;' ମିଶ୍ରେ ଭାବୁଥିଲେ । 'ନଚେତ ମହାଶୂନ୍ୟର ଅନନ୍ତ ଗର୍ଭରେ ବିଧାତାର ନିୟମ ଅନୁସାରେ କେଉଁଠାରେ ଲୀନ ହୋଇଯାଇଥିବେ । 'ନାଇଁ ନାଇଁ' ! ଏଡେ ଶୀଘ୍ର ଏତେ ନିବୀଡ ସଂପର୍କକୁ ଭୁଲିଯାଇ କେଉଁଆଡେ ଯିବେ ? ସେ ନିଜେ ମୋତେ ବହୁଥର କହିଛନ୍ତି , ' ହେଇଟି ଶୁଣ ! ଆର ଜନ୍ମରେ ତୁମେ ମୋତେ ନଖୋଜିଲେ କି ନଚାହିଁଲେ ମଧ୍ୟ ମୁଁ ତୁମରି ପାଖକୁ ହିଁ ଆସିବି । ସେତେବେଳେ ଯାଚି ହୋଇ ଆସିଛି ବୋଲି ମୋତେ ହତାଦର କରିବନି ।' ଧେତ୍ ! ପାଗେଳୀଟା ; ମୁୁଁ କାହାକୁ କେବେ ହତାଦର କରେ ଯେ ତୁମକୁ କରିବି ? ତେବେ ତମେ ଏମିତି ରୂପରେ ଆସିଲେ ସିନା ମୁଁ ଜାଣିପାରି ତୁମକୁ ବିବାହ କରିବି । ନହେଲେ ବାଉଳାରେ ଆଉ କାହାକୁ ବାହା ହେଇପଡିବି ।' ଦାମୋଦର ବାବୁ ସାମାନ୍ୟ ଥଟ୍ଟାରେ କହିଲେ ।  ତୁମେ ନଚିହ୍ନିପାରିଲେ ମଧ୍ଯ ମୁଁ ଚିହ୍ନିପାରିବି । ଜୀବନସାରା ପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ଡାକିଛି , ମୋର ଏତିକି ଅଳି ପ୍ରଭୂ ରଖିବେନି !'

     ' ଆଜ୍ଞା ନମସ୍କାର ! ପ୍ରସାଦ ନିଅନ୍ତୁ ।' ମନ୍ଦିର ପୂଜକଙ୍କ ଡାକରେ ଦାମୋଦର ବାବୁ ପ୍ରକୃତିସ୍ଥ ହେଲେ । ପ୍ରସାଦ ପାଇସାରି ହାତଧୋଇ ନିରବରେ ବସିଲେ । ପରିଶ୍ରମ ଜନିତ କ୍ଳାନ୍ତିରେ ଆଖି ଲାଗିଯାଉଛି । ଏକ ଅଦ୍ଭୂତ ମୋହାଚ୍ଛନ୍ନ ତନ୍ଦ୍ରା । ଇଚ୍ଛା ହେଉଥିଲା ଏହିଠାରେ ଶୋଇପଡିବାକୁ ।

' ତୁମକୁ ବାରମ୍ଵାର ମନା କରିଛି କାକରରେ ବସିବାକୁ । ସହଜେ ତ ରୋଗୀଣା ଶରୀର ; ସେଥିରେ ପୁଣି ଏ ଖାମଖିଆଲି ସ୍ୱଭାବ । ଆଉ କଣ ବୟସ ଅଛି ଯେ ଏସବୁ ପାର ହେବ !' 

ପତ୍ନୀଙ୍କର ମଧୂର ଭତ୍ସନାରେ ତନ୍ଦ୍ରା ତୁଟିଗଲା । ମିଶ୍ରେ ଚାରିଆଡକୁ ଚାହିଁଲେ । କେହି କୁଆଡେ ନାହାଁନ୍ତି । ଓଃ ! ସ୍ଵପ୍ନ ଥିଲା ପରା। ରାତି ଘଡିଏ ପାଖ ହେଲାଣି । ଘରେ ପିଲାମାନେ ଖୋଜୁଥିବେ । 

         ଘରେ ପହଞ୍ଚିବା ବେଳକୁ ରାତି ଖାଇବା ପ୍ରସ୍ତୁତ କରିସାରି ଅପେକ୍ଷା କରିବା ଭିତରେ ସମସ୍ତେ ଟିଭି ଦେଖୁଛନ୍ତି । ବୋହୁ ଅନୁମତି ନେଇ ଖାଇବା ବାଢିଦେଲେ । ରୁଟି , ତରକାରୀ ଓ ଭଜା । କ'ଣ ଗୋଟାଏ ଅଭାବ ଥିଲା ଭଳି ଦୃଷ୍ଟି ନେଇ ଦାମୋଦର ବାବୁ ଅନ୍ୟମନସ୍କ ଭାବରେ ଚାହିଁଲେ । ଖାଇବା ଥାଳିରେ କେଉଁ ଜିନିଷଟା ନାହିଁ , ସେକଥା ମନେ ପଡୁନି । ଯାହିତାହି ଦି'ଟା ଖାଇଦେଇ ହାତ ଧୋଇସାରି ଶୋଇବା ଘରକୁ ଗଲେ । 'ହଁ ହଁ , ମନେ ପଡିଲା ; ଆଚାରଟା ଦିଆ ହୋଇନଥିଲା ।'

        ଖଟ ଉପରେ ଅସଜଡା ବେଡ଼ସିଟ । ଏଣିକି ନିଜକୁ ସଜାଡିବାକୁ ହେବ । ଝଡ଼ାଝଡ଼ି କରି ଶୋଇଲେ । ଦୁଇଚାରିଥର କଡ ଲେଉଟେଇଲା ପରେ ବି ନିଦ ଆସୁନି । ଚିତ୍ ହୋଇ ଶୋଇ ରହି ଛାତକୁ ଚାହିଁଲେ । ଛାତରେ ସିଲିଂ ଫ୍ୟାନଟା ବୁଲୁଛି । କମଳା ପାଖରେ ଥିଲେ ଗୋଡ଼ ଘଷି ଦେଉଥାନ୍ତେ । ସେତିକିରେ ନିଘୋଡ଼ ନିଦ ଆସିଯାଇଥାନ୍ତା । ଯାହା ଲାଗୁଛି, ଆଉ ବୋଧହୁଏ ନିଦ ହେବନି । ସକାଳୁ ବିଦେଶ ଗସ୍ତ ପାଇଁ ଶୀଘ୍ର ପ୍ରସ୍ତୁତ ହେବାଲାଗି ପୁଅ ବୋହୂ ତାଗିଦ୍ କରିସାରିଛନ୍ତି । କାଲିଠାରୁ ଏ ଘର , ଏ ପରିବେଶ , ସବୁ ପର ହୋଇଯିବେ । ଏହା ସହିତ ନିଶ୍ଚିହ୍ନ ହୋଇଯିବ କମଳାଙ୍କର ସମସ୍ତ ସ୍ମୃତି । ଆଖି ବନ୍ଦ କରି ଦାମୋଦର ବାବୁ ଭାବୁଥିଲେ । ସାମାନ୍ୟ ତନ୍ଦ୍ରାଚ୍ଛନ୍ନ ଅବସ୍ଥା । ଚୁଡ଼ିର ରୁଣୁଝୁଣୁ ଶବ୍ଦ ଶୁଭିଲା । ବହୁ ପରିଚିତ ଶବ୍ଦ । ବହୁତ ଆପଣାର , ପ୍ରେମର ଓ ଗଭୀର ଭଲ ପାଇବାର ନିର୍ଭର ପ୍ରତିଶ୍ରୁତି ବହନକାରୀ ଶବ୍ଦ । କମଳା ବୋଧହୁଏ ଶୋଇବା ଘରକୁ ଆସିଲେ । ' କ'ଣ ନିଦ ଲାଗି ଯାଇଛି ?' ହାତ ଦିଇଟା ଗୋଡ ଆଉଁସିବା ଅବସରରେ ପ୍ରଶ୍ନ । ' 'ରାଗନି ; ଟିକେ ଡେରି ହେଇଗଲା । ମୋ ଉପରେ ରାଗିଲେ ମୁୁଁ ଆଉ କାହାର ହେବି କହିଲ ? ସମସ୍ତଙ୍କୁ ଛାଡ଼ି ତୁମକୁ ତ ନିଜର କଲି । ତୁମେ ରାଗିଲେ , ଆଉ କୁଆଡେ ଯିବି କହିଲ ?' 

          ନିଦ ଭାଙ୍ଗିଗଲା । କୋଠରୀର ଲାଇଟ ଜଳୁଛି । ନିସ୍ତବ୍ଧ ରାତ୍ରି । ସମସ୍ତେ ଗଭୀର ସୁସୁପ୍ତିରେ ସୁପ୍ତ । ଦାମୋଦର ବାବୁ ଉଠିକରି ବାହାରକୁ ଆସିଲେ । ଅଗଣାରେ ଝାଉଁଳି ପଡିଥିବା ତୁଳସୀ ଗଛକୁ ଚାହିଁଲେ । ବିଗତ କେତେଦିନ ହେବ ବୄନ୍ଦାବତୀ ପାଣି ପାଇ ନାହାଁନ୍ତି । ଆଗକୁ ପାଇବାର ମଧ୍ୟ ନାହିଁ । ମିଶ୍ରେ କିଛି ସମୟ ନିରବ ହୋଇ ଭାବିଲେ । ପରେ ପରେ ମୁହଁରେ ସ୍ମିତହାସ୍ୟ ଖେଳିଗଲା । କିଛି ଗୋଟାଏ 'ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ' ପହଞ୍ଚିଗଲା ଭଳି ଉତଫୁଲ୍ଲ ଦେଖାଗଲେ । ସିଦ୍ଧାନ୍ତଟି ନିଶ୍ଚିନ୍ତ ଭାବରେ ତାତ୍ତ୍ଵିକ ଓ ନୈସର୍ଗିକ ଆନନ୍ଦ ପ୍ରଦାନକାରୀ । ପରଦିନ ସକାଳୁ ସମସ୍ତେ ଯଥା ସମ୍ଭବ ପ୍ରସ୍ତୁତ ହୋଇସାରି ଦାମୋଦର ବାବୁଙ୍କୁ ଡାକିବାକୁ ଆସି ତାଙ୍କୁ ସିଲିଂ ଫ୍ୟାନରୁ ଓହଳି ଥିବା ଅବସ୍ଥାରେ ଆବିଷ୍କାର କଲେ । X X X      


Rate this content
Log in

Similar oriya story from Abstract