STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ମେଘ ଓ କଫିକପ୍

ମେଘ ଓ କଫିକପ୍

7 mins
202

ବର୍ଷା ଦିଗବଳୟ ମାନେନା !ଆଖିର ଅପହଞ୍ଚ ପରେ ବି ମେଘ, ଆକାଶ ଓ ଜଳବିନ୍ଦୁ ନିଶ୍ଚିତ ଥାଏ ଅଜସ୍ର ସରଳରେଖାରେ।


କିଛି ଘଟୁଥିଲା ରୋଜଦିନିଆ ଫୁଲ ଫୁଟିଲା ପରି ।ଘଟେ ।ଘଟୁଥାଏ ଅବିରତ । କାଉସିଆଣୀଆ ପରି ଜହ୍ନ ତାରା ସବୁ ଝୁଲିଥିଲେ ଆକାଶରେ ଆଖି ମିଟିକା ମାରି ।ଆଉ ସେମାନେ ଦିଜଣ ।


ରୁଚିରା ଆଉ ଅଭି ।


ସେବେ ସାରା କଲେଜ ତମକୁ ପ୍ରଭାବିତ କରିବାକୁ ଲଢିପଡୁଥିବା ବେଳେ ତୁମେ ଏଠି,ମାନେ ମୋ ପାଇଁ କାହିଁକି ଘାଣ୍ଟିହେଲ ଅଭି?ମୋ ପରି ଏକ ମୋ ପାଖରେ ।


କାରଣଟା ତୁମେ କଣ ସତରେ ଜାଣନା ରୁଚି ! ନା କେବଳ ମୋ ମୁହଁରୁ ଶୁଣିବାର ଆଗ୍ରହଟି ଗଢିହେଉଥାଏ ବାରମ୍ବାର ।


ଦୁଷ୍ଟ ତ ନୁହେଁ, ନଟଖଟ ଚପଳାମୀର ହସଟେ ଆଜି ବି ଅଭିର ଓଠରେ ଝଲସେ ,ସତେକି ନଟବରଙ୍କର ଅମୃତ ଛୁଆଁ ହସ ।ଦିଗବଳୟ ସେପାରି ଯାଏ ଲମ୍ବିଯାଏ ରୁଚିର ଦୃଷ୍ଟି, ଯେମିତି ସିଏ ଖୋଜୁଛି ଏମିତି ଏକ ଦୃଶ୍ୟ ଯେଉଁଥିରେ ଇର୍ଷା ନଥିବ ।ସେପଟକୁ ସେମିତି ଚାହିଁ ନିର୍ବିକାର ଉତ୍ତର ଫେରାଏ ରୁଚିରା ....


_ ନା ଅଭି ।ଯାହା କେବେ ହେଇ ହି ପାରେନା ତାକୁ ନେଇ ଏତେ ସ୍ବପ୍ନବୁଣା ? ସେଇ ସ୍ବପ୍ନ ଯଦି କେବେ ତ ଥରେ ଟୁକୁଡା କାଚହେଇ ପାଦ ରକ୍ତାକ୍ତ କରିଦେଇପାରେ ନା।ଦେଖ ଅନେକ ତ ସହିସାରିଲଣି ମତେ ନେଇ ।ଆଉ କେତେ ?


ଉକୁଟି ଆସୁଥିବ ସୂର୍ଯ୍ୟୋଦୟର ଆଭା ମଝିରେ ରଖା କଫିକପ୍ ର କୁଣ୍ଡଳିଆ ଧୂଆଁରୁ ନୀଳମୁଖା ହେବାର ଉଦ୍ଯତ ଝଲକ।


_ କିନ୍ତୁ କାହିଁକି ରୁଚି ଏ ସବୁ ପ୍ରଶ୍ନ ।ନା ପ୍ରଶଂସା ବାଢୁଛ ମ ! ମୋ ପାଇଁ ତୁମେ କେବଳ ତୁମେ ।ଆଉ କଣ କେବେ କିଛି ଅଧିକ ଚାହିଁଛି କି ,କୁହ ? ତୁମ ସାନିଧ୍ଯ ରେ ମୋର ମୁକ୍ତି ରୁଚି ।ସେଇଲାଗି ତ ନିଜ ଇଛ୍ଛା, ନିଜ ନିଷ୍ପତ୍ତିରେ ଦୃଢ ଥିଲି ମୁଁ ।


_ କାହିଁକି ଚାହିଁନ ଅଭି । କୁହ ।କାହିଁକି କିଛି ଅଧିକ ଚାହିଁପାରିନ? ବାସ୍ ସେଇ ତୁମ ଚାହିଁ ନ ପାରିବାର କାରଣ ମୁଁ ହେବାକୁ ଚାହେଁନି ।ଚାହେଁନି ଯେ ତୁମେ କେବେ ବି ବଞ୍ଚିତ ହୁଅ ସେଇ ସବୁ କିଛି ପାଇବାରୁ ଯାହା ତୁମର ପ୍ରାପ୍ଯ ।ତୁମ ଭାଗକ ଆକାଶ । ତୁମ ଖୁସି ।ମୁଁ ତାର କାରଣ ହେବାକୁ ଚାହେଁ ହି ନା ।ଏତେ ଅନୁତପ୍ତ ମୁଁ କେମିତି ବଞ୍ଚି ପାରିବି ତୁମେ ଭାବିଦେଖ ଥରେ ତ ! ମୁଁ ପତ୍ନୀ କେବଳ । ଗୋଟେ ଧାରା ।କିନ୍ତୁ ଏ ଶୁଷ୍କ,ବାଲିବିଛଣାର ଧାରା ରେ ବିନ୍ଦୁଏ ବର୍ଷା ଧାର ନାହିଁ । ତୁମେ ନିଜେ ଗୋଟେ ସମୁଦ୍ର । ମୁଁ ଖୁବ୍ ଲୋଡ଼େ ତୁମକୁ । ତୁମେ ମୋ ଦମ୍ଭ ,ମୋ ଶକ୍ତିର ଉତ୍ସ ।ହେଲେ ବି ମୁଁ ଚାହେଁ ଆଉ ଗୋଟିଏ ନଦୀର ଧାର ଏଇ ସମୁଦ୍ର ବକ୍ଷକୁ ଓହ୍ଲାଇ ଆସୁ ଅଭି ।ଜାଣିଛ! ଏତିକି ଭାବିବାକୁ କେତେ ସାହାସ କୁଳେଇବାକୁ ପଡେ !ମୁଁ ପାରିଛି ।ଅନେକ ନିଜକୁ ବୁଝେଇ ସୁଝେଇ ଆଜି ପାରିଛି ।ମୋ ପାଇଁ କାହିଁକି ତୁମେ ସହି ଚାଲିଥିବ ! ଉତ୍ତର ରଖୁଥିବ ଛନ୍ଦି ହେଇ ସମାଜକୁ ହଜାରେ ଥର ।କେମିତି ସହନ୍ତି ମୁଁ ଏ ସବୁ ।ସେଥିପାଇଁ ଏ ଜିଦ୍ ମୋର !ଆଉ ଥରଟେ ମୋ ପାଇଁ ପିନ୍ଧ ବାହାଜୋଡ ।


_ ଆରେ ଛାଡ ମ! ତୁମେ କଣ ଯେ ଏତେ ଭାବ ,ମତେ ବୁଝାପଡେନା ।ଚାଲ କଫି ତେଣେ ସର୍ବତ ହବା ଉପରେ ।ଏ ଦାର୍ଶନିକା ରୁଚି ନୁହେଁ, ସେଇ କଲେଜ ଦିନର ଚୁଲବୁଲି ରୁଚି ମୋର ବେଶୀ ପସନ୍ଦ ।ତାକୁ ହି ମୁଁ ଝୁରିହୁଏ ।ସେଇ ଝୁରାପଣ ହି ମତେ ଟାଣିଆଣେ ,କାଳେ ଆଜି ଫେରିଆସିବ ଫଗୁଣରଙ୍ଗୀ ସେ ମେଘ! ଭିଜେଇଦବ ପୁଣି ସେଇ ସବୁ ଡେଣାଲଗା ସ୍ମୃତିରେ !ବନ୍ଧୁତା ହିଁ ପ୍ରେମକୁ ହାତଧରି ଡାକିଆଣେ। ପ୍ରେମରେ ବନ୍ଧୁତା ଉକୁଟେ।ଯାହା ପ୍ରେମ ନୁହେଁ ତାକୁ ବୁଝି ପାରିଲେ ପ୍ରେମ ଫୁଟେ ।


_ ସୁଧୁରିବନି ନା ତମେ । ରାଣ ଖାଇଛ ।ଏକା ଜିଦ୍ ନା ତୁମର !ସେ ରୁଚି କେବେଠୁ ହଜି ସାରିଛି ଅଭି ।ଏଠି ଯିଏ ବସିଛି ସିଏ କେବଳ ଦମ୍ଭଟିଏ,ଜୀଁ ବାର ।ସିଏ ବି ତୁମରି ମନବଳ ନେଇ ।ଯାହା ଉପରେ ତୁମର ଅଜସ୍ର ଋଣ ।ଏତେ ଋଣଭାର ସୁଝିବି କେମିତି ଭଲା, କୋଉ ବାଟେ !


ହାତ ଉପରେ ହାତ ରଖିଦେଲେ ଅଭି ।ଓଠରେ ଆଙ୍ଗୁଳି ଛୁଏଁଇ ଆଣିଲେ ।ଏବେ ଏବେ ତାଙ୍କ ଆଖିରେ ଲୁହର ବନ୍ଯା ,ହେଲେ କାକରମୟ ଢଳଢଳ ପଦ୍ମ ପତ୍ର ପରି ଅଟକିରହିଛି ଡୋଳାରେ ।ଟିକେ ସମୀର ଦୋହଲାରେ ଝରିଯାଇ ମିଶିଯିବ ଝରାଶ୍ରାବଣ ସହ ।ତା' ପରେ କେମିତି ବାଛିହବ ଯେ କିଏ ମେଘପାଣି, କିଏ ଲୁହ!


_ କେମିତି ଋଣ ,କିଏ ଋଣୀ ରୁଚି ? ତୁମରି ଧାରେ ହସରେ ହି ତ ମୋର ସ୍ପନ୍ଦନ ।ମୋ ହୃଦୟ ତ ଚୀରଦିନ ସେ ହସ ପାଖେ ଋଣୀ ।କେତେଥର ଆଉ ବୁଝେଇବି ତୁମକୁ ।ଏ ଅଝଟପଣର ଅଲଗା ବାଟ ବି ତ ଅଛି ।କିନ୍ତୁ


ଦୀର୍ଘଶ୍ବାସ ସହ ମନକୁ ସମ୍ଭାଳି ନେଇ ହସିଦବାର ପ୍ରକାଶଭଙ୍ଗୀଟେ ଖେଳୁଛି ଅଭି ମୁହଁରେ ।


ପରିବେଶକୁ ହାଲକା କରିବାର ଚେଷ୍ଟାଟିଏ ରଖି ଶବ୍ଦ ମାନେ ଓହ୍ଲାଇ ଆସୁଥିଲେ ।


_ ହେ ଛାଡ ମ ! ଆଉ ଥରେ ଯଦି ଏମିତି ସବୁ ଋଣୀଫୁଣି ଭାରିଭରଗମ ଶବ୍ଦ କହିଛ ନା ,ଦେଖ ସତ କହୁଛି ଆଉ ଦିନେ ହେଲେ କଥା କହିବିନି ।ଖାଲି କଣ ତମକୁ ରୁଷି ଆସେ ? ଜିଦ୍ ଆସେ ।ତମ ପାଖେ ରହି ରହି ଏ ଭିତରେ ମୁଁ ବି ଶିଖିସାରିଛି ଯେ ! ସଙ୍ଗଦୋଷ ।ହା ହା ।ରୁଷିଲେ ବି ମତେ 

ତମ ପାଖକୁ ଆସିବାକୁ ତମେ ମତେ ରୋକିପାରିବନି ।ବାସ୍ ଘଣ୍ଟେ ପାଇଁ କଥା ବନ୍ଦ ମାନେ ପୁରା ବନ୍ଦ ।ଡବଲ କଟ୍ଟି।ତାଲା ।କଣ କିଛି ବୁଝୁଛ ତ !ଏଇ ସମୟ ଆରମ୍ଭ ହେଲା ।ଟିକଟକ ।ଟିକଟକ ।


ଲାଜୁଆ ସହ ଜିଦିଆ ପିଲାର ଅଭିଭାବକ ପରି ଭାବଟେ ଖେଳୁଥିଲା ରୁଚିର ମୁହଁରେ ।ମିଛିମିଛିକା ।ସିଏ ଜାଣେ ଘଣ୍ଟାଏ ତ ବହୁଦୂର ।ଦଶ ମିନିଟ ଯାଇନଥିବ ଅଭି ଆସି କୁନି ପୁଅ ପରି ଅଳି କରି ବସିବେ ," ଦିଅ ମ ରୁଚି ଚାଲ ଜହ୍ନ ଦେଖିବା ।


ହେଲେ ଏ ମେଘ ଅସରାଝରା ଆକାଶରେ ଜହ୍ନ କାହୁଁ ଖୋଜିବି !କୌଣସି ଉପାୟେ ବୁଝନ୍ତେ ହେଲେ କି ତାଙ୍କ ରକ୍ତରୁ, ସମାନ କୋଷିକାରୁ ସୃଷ୍ଟି ସନ୍ତାନର ବିକଳ୍ପ କାହିଁ !ଯେତେ ଯୋଉଠୁ ଆଦରି ଆଣିଲେ କି ହୁଏ !


ଆଖିରେ ଆଖି ରଖି ହସୁଥିଲା ଅଭି ।କଫି କପ୍ ଛୁଇଁଥିଲା ଅମ୍ଲାନ ଓଠଟିକୁ ତାର ।ଆଖିରେ ଠାରୁଥିଲା ରୁଚିକୁ, " କଫି କେମିତି ହେଇଛି?


ବର୍ଷା ଦିଗବଳୟ ମାନୁନଥିଲା ।ଝରିଯାଉଥିଲା କୋଉଠି ସ୍ବପ୍ନ ବୁଣି ତ କେଉଁଠୁ ଧୋଇ ନେଇ  ।


କିଛି ସମୟ ପରେ ବାହାରି ଯାଇଥିଲା ଅଭି କଣ ଗୋଟେ ଫୋନ କଲ୍ ପାଇ ଗାଲ ଚିପିଦେଇ ରୁଚିର ।" ସବୁ ସାରିବ ଫ୍ରୁଟ୍ ।ହେଲା ।ବାକି ସବୁ କଥା ପରେ ।ମୁଁ ଏଇ ଗଲି ଆଉ ଏଇ ଆସିଲି ।"


ପଛରୁ ରୁଚି କହୁଥିଲା, " ଆରେ ! ରେନକୋଟ୍ ଟା ତ ନେଇଯାଅ ।ଏବେ ହି ଯିବାକୁ ହବ ନା କଣ ? କଣ ଏତେ ଜରୁରୀ କାମ ଯେ ?ବର୍ଷା ଆସୁଛି ଲାଗୁଛି । " ଶୁଭିନଥିଲା ବୋଧେ ମେଘର ଝଙ୍କାର ତୋଳା ଜିଦ୍ ରେ ।


ବାରି ସାରା ହରେକ କିସମ ଫୁଲ ।ତାରା ଫୁଲ ପରି ତରାଟ, ଉଆଁଚାନ୍ଦ ପରି ମଲ୍ଲୀ, ସିନ୍ଦୁର ଡବା ପରି ମନ୍ଦାର ।


ରୁଚି କିନ୍ତୁ ଚାହିଁଥିଲା ବ୍ରହ୍ମକମଳର ଓଲଟପଦ୍ମ ପରି ବିରାଟ ଓ ଝଲସା ଶ୍ବେତ ଢଳଢଳ ଢଙ୍ଗକୁ ।


ଢାଳିହେଇ ବର୍ଷା ଝରିଲେ, ଇଡିହେଇ ମେଘ ଛୁଇଁଗଲେ ଏଇ କମଳଟି ଅଣେଇ ଢଳେଇ ହେଇ ଲଦି ହୁଏ ଛାତର ପେଟ ସାରା ।ନହେଲେ କଢ ବି ହୁଏନି ।ସେମିତି ଠ ଠ ପଡିଥାଏ, କିନ୍ତୁ ମୁରୁଛି ଯାଏନି ।ଅପେକ୍ଷାରେ ଥାଏ ଚିରକାଳ ଏଇ ଅସରନ୍ତି ଲଦା ଲଦା ଢଳା ମେଘକୁ ।ଝରିଯାଇ ଜଣେ ଅନ୍ଯକୁ ପ୍ରସ୍ଫୁଟିତ କରିଦେଇଜାଣେ ।ଇଏ କଣ ଏକ ତ୍ଯାଗ ନୁହେଁ!


ଗାଁ ଗହଳିରେ ଯୋଉ " ଝିଅ ବଡ ହେଲା ।ଘରେ ରହିଲା ।" କୁହନ୍ତି .... ସେତକ ଲେଖା ନଥିଲା ରୁଚିର ପଞ୍ଜିରେ ।ପ୍ରକୃତି କାହାକୁ କେମିତି ଗଢିଛି ।ବାର ପୁରି ବାଇଶି ପୁରି ସାରିଥିଲା ।ତାର ସେଇ ଅଧାବାହାଘର ସମିଆନା ବନ୍ଧା ହେଇନପାରିଲା ।ଧିରେ ଧିରେ କରଛଡା ଦେଉଥିଲେ ସଖୀ ମାନେ ତାଙ୍କ ମାଆ ମାନଙ୍କ ତାଗିଦାରେ ।ଟୁପଟାପ୍ ବଢୁଥିଲା ।ଡାକ୍ତର ମାଇନାରେ ବି କିଛି ବାହାରିନଥିଲା ।ବାପା ଆଣି ଦୂର କଲେଜ ହଷ୍ଟେଲରେ ରଖିଗଲେ ।ଗଲାବେଳେ ମୁଣ୍ଡରେ ହାତ ରଖିଲେ ।ଥରଥର ଲେଉଟାଣି ପାଦରେ ପଦୁଟେ କହିଲେନି ।


ମୋଡା କାଗଜ ଖଣ୍ଡେ ତାଙ୍କ ଯିବା ବାଟରେ ଖସିପଡିଥିବା ରୁଚି ପାଇଲା ।ଯହିଁରେ ଲେଖାଥିଲା, " ମାଆ ମୋର ଜଗତଜିତା ।କେବେ ହାରିବନି । "


ପରେ ପରେ ହଷ୍ଟେଲ ସାଙ୍ଗ ମାନେ ବି ଜାଣିଗଲେ ଜଙ୍ଗଲନିଆଁ ପରି ।ତୁଣ୍ଡବାଇଦ ଉଡି ବୁଲିଲା । କିଏ କିଏ ଟାପରା କଲେ "ପୁଅଟେ କିରେ ! " 


ଏଇ ତ ସେଦିନ ।ଶିଖାର ଜୀବବିଜ୍ଞାନ ଶ୍ରେଣୀରେ ହଠାତ୍ ହେଇଗଲା ମାସିକିଆ ।ଅରୁଚିକର ସେ ପରିସ୍ଥିତି ରୁ ରୁଚି ହି ତ ତାକୁ ନିଜ ଜ୍ଯାକେଟରେ ଘୋଡେଇ ଛାତ୍ରୀବାସ ଯାଏ ନେଇଆସିଥିଲା ।ବାଟରେ ରୁଚିକୁ ମଧ୍ୟ ଶୁଣିବାକୁ ହେଲା ତାକୁ,ତା' ଅବସ୍ଥା କୁ ନେଇ କିଛି ଶ୍ରୁତିକଟୁ କଥା ।ବିରୋଧରେ ଠେଲାପେଲା ।ଆଉ ମୁଣ୍ଡ ଫାଟି ଆଁ ।


କାନକୁ କାନ ହେଇ କଥା କାନ୍ଥବାଡରେ ଲେଖିହେଇଯାଏ ଯେମିତି ।


ସେଇ ଶିଖାର ବଡ ଭାଇ ଅଭି ।ଦୁଷ୍ଟ କେତୋଟି ଅସଂଜତ ଟିପ୍ପଣୀ ନିଜ ଭଉଣୀ ନାଁରେ ସଜ୍ଯ ନକରିପାରି ହାତାହାତି ଯାଏ କଥା ଯାଇଥିଲା ସେଦିନ ।ରୁଚିକୁ ଓ ଶିଖାକୁ ନେଇ ମରମପଟ୍ଟି କରେଇଥିଲେ ସିଏ ।ଡିସ୍ପେନସରି ବାହାରେ ହଠାତ୍ ପଚାରିଦେଇଥିଲେ, " ତୁମର କଣ ସତରେ ସେଇସବୁ ଝିଅମାନଙ୍କ କଥା ହୁଏନି ରୁଚି ।ତେବେ ନ ହେଲେ କଣ ଅସୁବିଧା ? " 


ଅପ୍ରସ୍ତୁତ ରୁଚି ଅପ୍ରସ୍ତୁତିରେ ହି କହିଦେଇଥିଲା, " ମତେ କାଳେ କେହି ବାହା ହେବେନି ।ରାଗିଲେ ଜେଜେମାଆ କହେ ।ମୁଁ କାଳେ କେବେ ମାଆ ହେଇପାରିବିନି ।" କହିସିନା ଦେଲା ହେଲେ ପର ମୁହୂର୍ତ୍ତରେ ଝରିଯାଉଥିଲା ଭୁଷୁଡିପଡୁଥିଡା ମାଟିଗୁଣ୍ଡ ପରି ଭରସାର କାନ୍ଥଟିରେ ଆଉଜି ।ଅଭି ଧରିପକେଇଥିଲେ ହାତ ଆଉ କହିଥିଲେ, " ମୁଁ ହେବି ।ମୁଁ ତୁମକୁ ଖୁବ୍ ପସନ୍ଦ କରେ ରୁଚି ।ଯଦି ତୁମର ଆପତ୍ତି ନଥାଏ, ମୁଁ ତୁମ ହାତ ଧରିବି ।ବାସ୍ ଭଲ ଚାକିରି ଟିଏ କରିନିଏ ।ନିଜେ ଯିବି ତୁମ ବାପାଙ୍କ ପାଖକୁ ।" ଶିଖା ସେଇଠି ହାଁ କରି ଚାହିଁଥିଲା ।ତା' ଭାଇର ହାତକୁ ଧରି ଟାଣି ଟାଣି ନେଇଗଲା ଛିଟିକି ପଡିଲା ପରି ।ତା' ପରଠୁ ମୋ ସହ କଥା କହେନି ସିଏ ।ହେଲେ ଅଭି । ହଜାରେ ଝଡକୁ ସାମ୍ନା କରି ତାଙ୍କ ଦେଇଥିବା କଥା ରଖିଥିଲେ ।ଫେରିଥିଲେ ଭରସାର ଉତ୍ତର ହେଇ ପାଞ୍ଚ ବର୍ଷ ପରେ ।


ରୁଚି ଓ ଅଭି ମନ୍ଦିରରେ ଠାକୁରଙ୍କୁ ସାକ୍ଷୀ ରଖି ଗାନ୍ଧର୍ବ ବିବାହ କରିଗଲେ ।ରୁଚିର ବାପାବୋଉ ଯେତିକି ଆଶ୍ବସ୍ତ ହେଲେ ତାଙ୍କ ଝିଅର ସୁନାଝରା ଭାଗ୍ଯ ନେଇ ,ଅଭିର ବାପମାଆ ସେତେ ଭାଙ୍ଗିପଡିଲେ ତାଙ୍କ କୁଳ ରହିବ କେମିତି ଭାବି ଭାବି ।ନୀରବତା ଘାରୁଥିଲା ଧିରେ ଧିରେ ସେମାନଙ୍କୁ ।


ଦୁଇବର୍ଷ ବିତି ଯାଇଥିଲା ସୂତାରଙ୍ଗ ସ୍ବପ୍ନ ଫୁଲ ବୁଣୁବୁଣୁ ।


ଡାକ୍ତର, ବୈଦ୍ଯ, ଝଡାଫୁଙ୍କା କରଉଥିଲେ ଅଭିଙ୍କ ମାଆ ଅଭିଙ୍କ ଅମତ ସତ୍ବେ ।ରୁଚି ମାନିନେଉଥିଲା ।ଘରର ଶାନ୍ତି ନେଇ ଅଭିଙ୍କୁ ବି କିଛି କୁହେଇ ଦେଉନଥିଲା ।ଯେତେ ହେଲେ ସିଏ ତା' ଶାଶୁଙ୍କର ମନକଥା ,ସେ ଯାତନା ସବୁ ବୁଝୁଥିଲା ।ବୁଝୁଥିଲା ସନ୍ତାନର ସନ୍ତାନଟେ କେତେ ଜରୁରୀ ଗୋଟେ ଗାର୍ଦନ ପରି ମାଆଠାକୁରାଣୀଙ୍କ ପାଇଁ ।ସେଇ ଆବେଗ , ସେଇ ଆକୁଳତା ତା' ଭିତରକୁ ସଞ୍ଚରି ଆସୁଥିଲା ।

ନିଜକୁ ହି ଦୋଷୀ, ସ୍ବାର୍ଥପର ଭାବୁଥିଲା ଦିନକୁଦିନ ।ଅଭି ତାକୁ ଯେତେ ବୁଝେଇ ସୁଝେଇଲେ ବି ସେ ଜାଣେ ତା' ଶାଶୁ ଅଭି ରକ୍ତର ଉତ୍ତର ପୀଢି ଆଶାରେ ଚାତକ ।


ଏଇ ସୁଉଚ୍ଚ ଅଟ୍ଟାଳିକାର ବାତାୟନ ସଲଗ୍ନ ସିଲଭର୍ ଗ୍ରେ ସିଫନ୍ ପରଦା ଲହରି ଲହରି ଡାକୁଥିଲା ଯେମିତି ଖୋଲିଦବାକୁ ମନତଳର ସବୁ କ୍ଲେଶକୁ ବୁହେଇଦବାକୁ ଏଇ ଆଗାମୀ ଆଗନ୍ତୁକ ମେଘ କୋଳରେ ।


କୋଡିଏ ବାଇଶିତାଲା ଉପର ଆପାର୍ଟମେଣ୍ଟର ଟେରାସ୍ ।ଛାତରେ ବି ବଗିଚାର ଭ୍ରମ ତୋଳୁଥିବା ସାଜସଜ୍ଜା ।ଘାସର କାର୍ପେଟ । ଇଂଲିଶ୍ ଲ୍ଯାଭେଣ୍ଡର, ପେରେସ୍କିଆ, ଆକର୍ମାନୀ ଆଦି ଲଦି ହେଇଥିଲେ କୁଣ୍ଡରେ ।


ଏଠି କାଳେ ମେଘ ମାନେ ଧୂଆଁ ପରି ।ଝରକାରୁ ଦିଶୁଥିବା ସବୁ ପଡେଶୀ ଅଟ୍ଟାଳିକା ଧୂଆଁଳିଆ ହେଇ କ୍ରମଶଃ ଅଦୃଶ୍ୟ ।ସତେ ଯେମିତି କେବେ ନଥିଲେ ହି ସେମାନେ ।


ଆଉଜେଇ ଆଣିଲା ରୁଚି କାଚଝରକାର କବାଟକୁ ।ସାଇରନ୍ ଦେଲାଣି ଟୁଂଟୁଂ କରି ସେନସର୍ ଲାଗିଥିବା କଫିଚୁଲା ।କଫି ହେଇଗଲାଣି ତେବେ ।ହଁ ମହକ କହୁଛି ପବନ ହାତରେ ଧରାଦେଇ ।


ଅଭିରୁଚି ଫେରୁଥିବ ଏବେ ଅଫିସ୍ ରୁ ।ହଁ " ଅଭିରୁଚି " ।ଏଇ ନାଁ ଟି ଅଭି ଦେଇଥିଲେ ତାର ।ସେଦିନ ଏମିତି ଗୋଟେ ଜିଦ୍ ର ସଂଧ୍ୟାରେ ଫେରିଥିଲେ ତାକୁ କୋଳରେ ଧରି ।ଆଉ ରୁଚି କୋଳରେ ଦେଇ କହିଥିଲେ ," ଇଏ ଆମ ଝିଅ ରୁଚି ।ୟା ନାଁ ମୁଁ ଅଭିରୁଚି ରଖିଛି ।ତମକୁ ଭଲଲାଗୁଛି ନା ।ମୁଁ ଦେଇଛି ଯେତେବେଳେ ତମକୁ ଭଲ ନ ଲାଗିବ ବି କେମିତି ।" 


ସବୁବେଳେ ଅଭି ଏମିତି ହି ।ନିଜେ ପ୍ରଶ୍ନ, ନିଜେ ଉତ୍ତର ।ମୋ ଆଖି ର ହଜାରେ ପ୍ରଶ୍ନ, ହଜାରେ ଅଭିଯୋଗ, ଅଭିମାନକୁ ପଛେଇଦେଇ କହିଲେ ," ଦେଲ ଦେଲ ଏଇ ଯୋଉ ମେଘ ।କଫି କପଟେ ତମ ହାତରୁ ପି ଦେଲେ ଜୀବନ ପଶିବ ।"  


ସେ ସଂଧ୍ୟା ଆଉ ଏଇ ସଂଧ୍ୟା ଭିତରେ କେତେ ସାମଞ୍ଜସ୍ୟ ନା ।ଏଇ ତ ଏବେ ଅଭିରୁଚି ଫେରୁଛି ।ଆଉ ରାସ୍ତା ରୁ ହି ଫୋନରେ ଲେଖିପଠେଇଛି, " ମାଆ ତମ ହାତର କଫି କପଟେ ।ଦି କପ୍ ତିଆରି ଥାଅ ନା ।ଯାଇ ପହଞ୍ଚୁଛି ।ଦଶ ମିନିଟ୍ ଲାଗିବ ।ସାଙ୍ଗ ହେଇ ପିବା ।" 


" ମାଆ " ଏଇ ଶବ୍ଦଟିରେ ହି କେତେ କୁହୁକତା ।ସେଥିଲାଗି ଏ ଦେହ ଓ ଏ ଦେହର ଖୁଣ ତକ ତ ଭସାବାଦଲ ।


ସେଇଲାଗି ତ କହେ ,"ମେଘ ଦିଗବଳୟ ଛୁଏଁ, ହେଲେ ବାନ୍ଧି ହୁଏନା " ।



Rate this content
Log in

Similar oriya story from Action