Jyotiranjan Acharya

Romance Others

4  

Jyotiranjan Acharya

Romance Others

ମେଡାଲ୍

ମେଡାଲ୍

7 mins
415



ପନ୍ଦର ଫୁଟରେ କୋଡିଏ ଫୁଟର ଡ୍ରଇଂ ରୁମର ଚଉହଦିକୁ ପ୍ରଶାନ୍ତ ଅନେକ ଥର ମାପି ସାରିଲେଣି । ଦଶ ମିନିଟ ତଳେ ପତ୍ନୀ ସୋନାଲି ରଖି ଯାଇଥିବା କଫି କପରୁ ଧୂଆଁ ଉଠିବା ପ୍ରାୟ ବନ୍ଦ ହୋଇ ଆସିଲାଣି । ଝରକା ସେପଟେ ଟଗର ଗଛରେ ଘରଚଟିଆ ଦୁଇଟି ଖିଚିରିମିଚିରି ଗୀତ ଗାଇ ଗାଇ ଏଡାଳରୁ ସେଡାଳକୁ ଝୁଲି ପଡ଼ୁଛନ୍ତି । ଶୀତ ସକାଳର ଧାରେ ଖରା ଝରକା ଫାଙ୍କରେ ବେଡ ସାଇଡ ଟେବଲ ଉପରେ ରଖା ଯାଇଥିବା ପ୍ରଶାନ୍ତ ଓ ସୋନାଲିଙ୍କ ବାହାଘର ବେଳର ଯୁଗଳ ଫଟୋ ଉପରେ ପଡ଼ିଲାଣି । ଅନ୍ୟ ଦିନ ମାନଙ୍କରେ ଏମିତି ଶାନ୍ତ ପରିବେଶକୁ ପ୍ରଶାନ୍ତ ମନ ଭରି ଉପଭୋଗ କରନ୍ତି । କେବେ ପ୍ରଜାପତି, କେବେ ସଜ ଫୁଟା ଗୋଲାପ ଓ କେବେ ଗତ ରାତିର ମଲା ଜହ୍ନକୁ ଦେଖି ଭାବୁକ ହୋଇ ଉଠନ୍ତି ଏବଂ ଡାଇରି ପୃଷ୍ଠାରେ ହେଉ ବା ଫେସବୁକର ପୃଷ୍ଠାରେ ଦୁଇ ଚାରି ଧାଡ଼ିର ଲଘୁ କବିତା ଲେଖି ବସନ୍ତି । 


ପ୍ରଶାନ୍ତ ମହାପାତ୍ର, ଏକ ସାଧା, ସରଳିଆ ଏବଂ ସାଧାରଣ ବ୍ୟକ୍ତିତ୍ଵ ବିଶିଷ୍ଟ ମଣିଷ । ତାଙ୍କ ଦୈନନ୍ଦିନ ଜୀବନ ପ୍ରଧାନତଃ ବାସ୍ ଦୁଇ ଭାଗରେ ବିବକ୍ତ - ନିଜର ଗୃହସ୍ଥ ପର୍ସନାଲ ଜୀବନ ଏବଂ କର୍ମ କୈନ୍ଦ୍ରିକ ପ୍ରୋଫେସନାଲ ଜୀବନ । ଏହି ଦୁଇଟିଯାକ ପକ୍ଷକୁ ପ୍ରାୟ ସମାନ ମହତ୍ଵ ଦେଇ ଆସିଛନ୍ତି ସେ ଯଦିଓ ତାଙ୍କ ୱାଇଫ ଅନେକ ସମୟରେ କମ୍ପଲେନ କରନ୍ତି ଯେ ସେ କୁଆଡେ ଅଫିସକୁ ଘର ତୁଳନାରେ ଅଧିକ ମହତ୍ଵ ଦିଅନ୍ତି । ବେଳେ ବେଳେ ଏମିତି ବି କହନ୍ତି ଯେ ଅଫିସ ବାହାନାରେ ଗୃହସ୍ଥ ଜଞ୍ଜାଳରୁ ସେ ପଳାଯନ କରିବାକୁ ଚେଷ୍ଟା କରନ୍ତି ବୋଲି । ସେମିତି ଉପରିସ୍ଥ ଅଫିସର ବି କାମରେ ଟିକେ ଓଲମ ବିଲମ ହେଲେ ବିଭିନ୍ନ ଦୋଷାରୋପ କରନ୍ତି ତାଙ୍କ ଉପରେ । କିନ୍ତୁ ଏସବୁ ଛୋଟ ଛୋଟ ଢେଉର ପ୍ରଭାବ ଶାନ୍ତ ଚିତ୍ତ ପ୍ରଶାନ୍ତଙ୍କ ଉପରେ କିଛି ପ୍ରଭାବ ପକାଇ ପାରନ୍ତି ନାହିଁ । ଏକ କୁଶଳୀ ନାଉରୀ ପରି ଜୁଆର ଓ ଭଟ୍ଟା ସହ ତାଳ ଦେଇ ଆରାମରେ ଜୀବନ ନୌକାକୁ ବାହି ନିଅନ୍ତି ପ୍ରଶାନ୍ତ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନର ଦୁଇ କୁଳର ମଝି ଧାରରେ । ସେ ଧାରା କେବେ ଶ୍ର।ବଣରେ ବନ୍ୟାରେ ଉନ୍ମତ ହୁଏ ତ କେବେ ବୈଶାଖରେ କ୍ଷୀଣ ମାତ୍ର ଅର୍ଦ୍ଧ ଶୁଷ୍କ ହୋଇ ରହିଥାଏ । ହେଲେ ନାଆ ଏମିତି ବହି ଚାଲିଛି ଦୀର୍ଘ ତିରିଶ ବର୍ଷ ହେଲା । 


କାଲି ସନ୍ଧ୍ୟାରେ ଅଫିସରୁ ଫେରିବା ସମୟରେ ପ୍ରଶାନ୍ତ ବେଶ ଖୁସି, ଆନନ୍ଦିତ ଏବଂ ଉତ୍ସାହିତ ଦେଖା ଯାଉଥିଲେ, ପ୍ରାୟ ଦିନ ମାନଙ୍କ ପରି ଥକା ହାରା ଓ କ୍ଳାନ୍ତ ନୁହେଁ । ସବୁ ଦିନ ପରି ଅଫିସ ବ୍ୟାଗକୁ ଟି ପୟ ଉପରେ ରଖି ଦେଇ ସୋଫା ଉପରେ ବସି ପଡି ନଥିଲେ ସେ ବରଂ ସହର୍ଷ ବଦନରେ ପତ୍ନୀ ସୋନାଳୀଙ୍କୁ ଜାବୁଡି ଧରି ଥିଲେ ପ୍ରଶାନ୍ତ । ଟିକେ ଆଶ୍ଚର୍ଯ୍ୟ ହୋଇଥିଲେ ସୋନାଲୀ । ବିଗତ ପ୍ରାୟ ଏକ ଦଶନ୍ଧି ହେବ ଏପରି ଯୁବସୁଲଭତା ତାଙ୍କ ଠାରେ ସୋନାଲି କେବେ ପରିଲକ୍ଷିତ କରି ନଥିଲେ । 


ପ୍ରଶାନ୍ତଙ୍କ ବାହୁ ବନ୍ଧନରେ ସୋନାଲି କିଛି ସମୟ ପାଇଁ ଗୋଟିଏ ଶିଶୁ ହାତରେ ରବର କଣ୍ଢେଇଟିଏ ପରି ଏକ ପ୍ରତିକ୍ରିୟା ରହିତ ସ୍ଥାଣୁ ଅବସ୍ଥାରେ ରହି ଯାଇଥିଲେ । ପର କ୍ଷଣରେ ସେ ଅନୁଭବ କରୁଥିଲେ ସୁଶାନ୍ତଙ୍କ ଛାତି ଭିତରର ସ୍ପନ୍ଦନକୁ, ଜନ୍ତ୍ର ମାନବ ଭିତରର ଏକ ଚିହ୍ନା ଚିହ୍ନା ସମ୍ବେଦନାକୁ ।


ପର ମୁହୂର୍ତରେ ସୋନାଲି ପ୍ରକୃତିସ୍ଥ ହୋଇ ପୁଣି ଭାବନାରେ ବୁଡ଼ି ଗଲେ - ପ୍ରୋମୋଶନ ପରେ ତାଙ୍କର ଅଫିସିଆଲ ଦାୟିତ୍ୱ ଅନେକ କିଛି ବଢି ଯାଇଥିଲା । ସକାଳ ଦଶଟାରୁ ଡେରି ରାତ୍ରି ପର୍ଯ୍ୟନ୍ତ ନିଜକୁ ସମ୍ପୂର୍ଣ ଉତ୍ସର୍ଗୀକୃତ କରୁଥିଲେ ଅଫିସ୍‌ କାମରେ । ଏମିତି କି ଛୁଟି ଦିନ ମାନଙ୍କରେ ବି ସମୟେ ସମୟେ ଅଫିସରେ ବିଜି ରହିବାକୁ ପଡୁଥିଲା । ତଥାପି ସେ ଜଣେ ଆଦର୍ଶ ଗୃହସ୍ଥ ବି ଥିଲେ । ଘରେ ଥିଲା ବେଳେ ପତ୍ନୀଙ୍କ ପାଖେ ପାଖେ ତାଙ୍କ କାନିରେ ଚାବି ନେନ୍ଥାଏ ପରି ଝୁଲି ରହିବାକୁ ଅଧିକ ପସନ୍ଦ କରୁଥିଲେ ପ୍ରଶାନ୍ତ ବାବୁ – କିଚେନରେ ରୋଷେଇ କଲା ବେଳେ , ଘର ଅଗଣାରେ ଝାଡୁ ଦେଲା ବେଳେ , ଛାତ ଉପରେ ଲୁଗା ସୁଖାଇଲା ବେଳେ , ସବୁ ବେଳେ ସୁଶାନ୍ତ ବାଳସୁଲଭତାର ସହ ସୋନାଲିଙ୍କ ପାଖେ ପାଖେ ନଡବଡ ହୁଅନ୍ତି । ମହଲାର ଲୋକେ ଈର୍ଷା ମିଶା ଥଟାରେ ପ୍ରଶାନ୍ତ ସୋନାଲିଙ୍କ ଯୋଡ଼ିକୁ ଲୟଲା ମଜନୁ ବୋଲି କହନ୍ତି । 

ହେଲେ ଆଖି କଣ ଯେତେ ଯାହା ଦେଖେ ସେ ସବୁଗୁଡା ସତ ? ସୁଶାନ୍ତଙ୍କର ଅଫିସ ପ୍ରତି ଏତେଟା ଭାବ ପ୍ରବଣ ଆଟାଚମେଂଟ ଏବଂ ସମର୍ପଣ ଭାବ ସୋନାଲିଙ୍କୁ ବିଲକୁଲ ବି ପସନ୍ଦ ଆସୁ ନଥିଲା । ଲମ୍ବା ଏକୁଟିଆପଣର ସମୟରେ ମନେ ମନେ ସେ ନିଜର ଦାମ୍ପତ୍ୟକୁ ସାଙ୍ଗ ସାଥି ଓ ଆଖ ପାଖର ଲୋକ ମାନଙ୍କ ଜୀବନ ସହ ତୁଳନା କରି ଏକ ପ୍ରକାର ହୀନ ଭାବନାରେ ବୁଡ଼ି ଯାଉଥିଲେ ।


ପିଲାମାନେ ନିଜ ଗୋଡରେ ଠିଆ ହେବା ପରେ ଯିଏ ଯେଝା ରାସ୍ତାରେ ଗଲା ପରେ ସୋନାଲି ଭାବିଥିଲେ ଜଞ୍ଜାଳ କମ ହେଲା, ଏବେ ସେ ସୁଶାନ୍ତଙ୍କ ହାତ ଧରି ଦାମ୍ପତ୍ୟ ଜୀବନର ଦ୍ୱିତୀୟ ପର୍ୟାୟକୁ ଏଞ୍ଜୟ କରିବେ, ବଡ ଭାଗ ଦୌଡ ବାଲା ପଟ୍ରି ଉପରୁ ଜୀବନର ଟୟ ଟ୍ରେନକୁ ଚୁପଚାପ ଉଠେଇ ନେଇ ରଖିଦେବେ ଦର୍ଜିଲିଂଗର ହରି ଭାରି ଉପତ୍ୟକାରେ ସର୍ପିଳ ମାର୍ଗରେ ଅଳସେଇ ଘୁମେଇ ପଡିଥିବା ଛୋଟ ଟ୍ରାକ ଉପରେ ଯେଉଁଠି ଜୀବନ ଚାଲୁଥିବ ତାର ନିଜ ଇଚ୍ଛାରେ, ନିଜ ଗତିରେ, ବିନା ସମୟର କୌଣସି ପାବନ୍ଧିରେ । ହେଲେ ସର୍ବଦା ଗତିମାନ ଜୀବନର ଗାଡି ଯେ ସମ୍ପୂର୍ଣ ଅଚଳ ଅବସ୍ଥାରେ ଛିଡା ହୋଇ ରହିଯିବ ୟାର ଅନ୍ଦାଜ ବି ନଥିଲା ସୋନାଲିଙ୍କର । ସୋନାଲି ଚିଡଚିଡା ଅନ୍ଦାଜରେ ବେଳେବେଳ କହୁଥିଲେ, ସେଇ ଅଫିସରେ ରହିଯାଉନ ଘରକୁ ଆସିବା କ’ଣ ଦରକାର । ଅଫିସ ଘରଠୁ ଅଲଗା ଆଉ ଏକ ଘର ଏବଂ ଗୋଟିଏ କର୍ମଚାରୀ ପାଇଁ ଆଉ ଏକ ସଂସାର ଯେଉଁଠି ସେ ତାର ଜାଗ୍ରତ ଅବସ୍ଥାର ଅଧିକାଂଶ ସମୟ ଅତିବାହିତ କରେ, ଏକ ଈମାନଦାର କର୍ମଚାରୀ ତାର ପାରୁ ପର୍ଯ୍ୟନ୍ତ କାର୍ଯ୍ୟକୁ ସମ୍ପୂର୍ଣ ଗୁଣବତ୍ତା ଦେବା ପାଇଁ ଚେଷ୍ଟା କରେ । ହେଲେ ସେଠି ଆତ୍ମୀୟତା କମ, ଥାଏ ଅଧିକ ଔପଚାରିକତା; ସ୍ନେହ ସୌହାର୍ଦ କମ, ଥାଏ ଅଧିକ ସ୍ଵାର୍ଥନ୍ଵେଷୀ ଛଳନା; ଥାଏ ଏକ ଅସହଜ ପ୍ରତିଯୋଗିତା ଯେଉଁଥିରେ ଲୋକମାନେ ନିଜ ବିଜୟ ପାଇଁ କମ ଅନ୍ୟର ପରାଜୟ ପାଇଁ ଶତତ ପ୍ରୟାସରତ ଥାଆନ୍ତି । ଏମିତି ଏକ ପରିସ୍ଥିତିରେ ସୁଶାନ୍ତଙ୍କ ପରି ଜଣେ ସମର୍ପିତ କର୍ମଚାରୀ ନିଶ୍ଚିତ ଭାବେ ଅନେକଙ୍କ ଚକ୍ଷୁଶୂଳ ହେବାଟା ସ୍ବାଭାବିକ । ଅଫିସର ଏ ସମସ୍ତ ଚାପ ଏବଂ ନକାରାତ୍ମକତା ପ୍ରଶାନ୍ତଙ୍କ ପରି ଜଣେ ସରାଳିଆ କର୍ତାବୟନିଷ୍ଠ ମଣିଷକୁ ଅଣନିଶ୍ବାସୀ କରେ; ଅଫିସର ସୁଉଚ୍ଚ ପ୍ରାଚୀର ଡେଇଁ ବ୍ୟକ୍ତିଗତ ସମୟରେ ବି ହୃଦୟର ଅଳିନ୍ଦ ଭିତରକୁ ଧସେଇ ପଶେ । ହେଲେ କହିବେ କାହାକୁ, କାହା ସହ ନିଜ ହୃଦୟର ଭାବାବେଗକୁ ବାଣ୍ଟି ଟିକେ ଆଶ୍ଵସ୍ତ ହେବେ, ସାଥୀ, ସହଯୋଗୀ ଏବଂ ଏକ ମାତ୍ର ଅନ୍ତରଙ୍ଗ କହିଲେ ତ ତାଙ୍କ ପାଇଁ କେବଳ ଜଣେ ଥିଲେ, ସେ ହେଲେ ସୋନାଲୀ । କିନ୍ତୁ ଅଫିସ ପ୍ରତି ସୋନାଲିଙ୍କ ମୟନୋଭାବ ଦେଖି ସେ ସେଠିକାର ସବୁ ଚାପକୁ ନିଜ ମନ ଭିତରେ ହିଁ ଚାପିରଖିବା ବ୍ୟତୀତ ଆଉ କିଛି ଚାରା ନଥିଲା ।


                ସୁଶାନ୍ତ କେବଳ ସେମିତି ଏକ୍ସପ୍ରେସନ ବିହୀନ ଏକ ଚେହେରା ନେଇ ସହିଯାଉଥିଲେ ସହକର୍ମୀଙ୍କ ଆକ୍ଷେପ ଏବଂ ସୋନାଲିଙ୍କର ସମସ୍ତ ଆପତ୍ତି ଅଭିଯୋଗକୁ । ତାଙ୍କର ଏମିତି ଶୁଖିଲା ମୁହଁ ଓଲଟା ସୋନାଲିଙ୍କ କଟା ଘାରେ ଚୂନ ବୋଳି ଦେଉଥିଲା ।ଏମିତି ଅନେକ କିଛି ଭାବନାର ଢେଉ ଏଇ କେଇ ମୁହୂର୍ତରେ ସୋନାଲିଙ୍କ ହୃଦୟର ବେଳା ଭୂମିକୁ ବାରମ୍ବାର ପ୍ଳାବିତ କରୁଥାଏ ।


 ଆରେ ସୋନାଲି ଗୋଟେ ଝକାଶ କପ କଫି ପିଆଅ ତ । ସୁଶାନ୍ତଙ୍କର ବହୁ ବର୍ଷ ହେଲା ଶୁଣିନଥିବା ଏପରି ତାରୁଣ୍ୟପୂର୍ଣ କଣ୍ଠ ସ୍ୱର ସୋନାଲିଙ୍କ ହୃଦୟ ତନ୍ତ୍ରୀକୁ ଆନ୍ଦୋଳିତ କରି ଦେଲା । ବାଜି ଉଠିଲା ମେଘ ମହ୍ଲାରର ମଧୁର ମୂର୍ଚ୍ଛନା । ବିରହର ବିସ୍ତୀର୍ଣ ମରୁରେ କଅଁଳି ଉଠିଲା ଚେନାଏ ସବୁଜିମା । ସୋନାଲି ବନେଇଥିଲା ସୁଶାନ୍ତଙ୍କ ଅତି ପସନ୍ଦର କପେ କଡା ଫିଲ୍ଟର କଫି । କଫି ଓ ବିସ୍କୁଟ ଟେବୁଲ ଉପରେ ରଖି ସାମ୍ନାରେ ସେ ବି ବସି ପଡିଥିଲା । ବୋଧହୁଏ ଆଶା କରୁଥିଲେ ଆଉକିଛି ବର୍ଷା ଓ ଆଉ କିଛି ହରିଆଲି । ସୋନାଲି ଲକ୍ଷ କରୁଥିଲେ କଫିର ଦୁଇ ଢୋକର ମଝିରେ ସୁଶାନ୍ତଙ୍କ ଅନ୍ୟ ମନସ୍କତାର ଅନ୍ତରାଳକୁ, ଏକ ନୀରବ ଭାବାନ୍ତରର ଆସ୍ତରଣ ତାଙ୍କ ଚେହେରାକୁ ଆବୋରି ନେଉଥିଲା ମଝିରେ ମଝିରେ, ଯେମିତି ଭୋଦୁଅ ଆକାଶର ଏବେ ଖରା ଏବେ ଛାଇ ପରି ।

ସୋନାଲି ଫେରି ଯାଇଥିଲା ପ୍ରାୟ ପନ୍ଦର ବର୍ଷ ପଛକୁ ।କଲେଜ ଛକ କଫି ଶପ୍ ଯେଉଁଠି ସୋନାଲି ଓ ସୁଶାନ୍ତ କେତେ ସମୟ ଅତିବାହିତ କରିଛନ୍ତି । ଧିମା ଆଲୁଅରେ କଫି କପ୍ ର ଧୂଆଁ ଏକ ସ୍ଵପ୍ନିଳ ପରିବେଶ ସୃଷ୍ଟି କରୁଥିଲା ଯୌବନର ପ୍ରାରମ୍ଭରେ ପ୍ରେମର ପ୍ରଥମ ପାହାଚ ଚଢୁଥିବା ଦୁଇଟି ହୃଦୟ ପାଇଁ । ଓଠ କମ୍ ଆଖି ଅନେକ କିଛି କହୁଥିଲା ଯାହାକୁ ଅନ୍ୟ ଆଖି ଯୋଡିକ ଅନାୟାସରେ ପଢି ନେଉଥିଲା । କଫିର ବାସ୍ନା ମିଶା ପରସ୍ପରର ଶ୍ୱାସର ସୁଗନ୍ଧକୁ ଆତ୍ମସାତ କରୁଥିଲେ ଦୁଇଟି ପ୍ରୀତି ପିପାଶୁ ପ୍ରାଣ । ଆଜି ସେଇ କଫି ଅଛି, ଟେବଲର ଦୁଇ ପାର୍ଶ୍ୱରେ ସେଇ ଦୁଇଟି ବ୍ଯକ୍ତିତ୍ବ ଅଛନ୍ତି, ପରିପାର୍ଶ୍ଵ ସେଦିନ ଅପେକ୍ଷା ଅନେକ ଅନୁକୂଳ, ସମ୍ପୂର୍ଣ ଏକାନ୍ତ, ହେଲେ ନାହିଁ କେବଳ ପ୍ରସାନ୍ତଙ୍କ ମନରେ ତା ପ୍ରତି ସେହି ଆକର୍ଷଣ, ଭାବି ଚାଲିଛନ୍ତି ସୋନାଲି । 

ଶୂନ୍ୟରୁ ଆଖି ଫେରାଇ କଫି କପ୍ ଧରିଲେ ପ୍ରଶାନ୍ତ । ବଳକା ଥଣ୍ଡା କଫିକୁ ଏକା ଶ୍ଵାସରେ ପିଉ ପିଉ କପ ଉପରୁ ଟେରେଇ ଚାହିଁଲେ ସେ ସୋନାଲିଙ୍କୁ । ସେତେବେଳେ ତାଙ୍କ ଦୃଷ୍ଟି ବି ଲମ୍ବି ଯାଇ ଥିଲା ଅନନ୍ତ ମହାଶୂନ୍ୟ ଆଡକୁ । 


ସେ ଦିନ ରାତ୍ରି ଭୋଜନ ପରେ ପ୍ରଶାନ୍ତ ବେଡ଼ ରୂମକୁ ନଯାଇ ଲ୍ଯାପଟପ ଖୋଲି ବସିଥିଲେ ଡ୍ରଇଂ ରୁମର ସୋଫା ଉପରେ । ଏମିତି ବେଳେବେଳେ ଅଫିସର ଜରୁରୀ ବାକି କାମକୁ ସେ ନେଇ ଆସନ୍ତି ଘରକୁ । ଏଥିରେ ସୋନାଲି ଆହୁରି ଅଧିକ ଚିଡନ୍ତି, ରଗରଗ ହୋଇ ଗୋଡ ବାଡ଼େଇ ଚାଲନ୍ତି, ମୁହଁ ଫୁଲେଇ ଦେଖେଇ ଦେଖେଇ ଦିପଦ ଶୁଣାନ୍ତି । ଆଜି କିନ୍ତୁ ସେ ଅଧିକ ବିରକ୍ତ ହୋଇ ବେଡ଼ ରୁମର କବାଟକୁ ଭିତରୁ ବନ୍ଦ କରି ଦେଇଥିଲେ । ସେଦିନ କିନ୍ତୁ ଭଲରେ ଶୋଇ ପାରି ନଥିଲେ ସୋନାଲି । ବହୁ ଡେରି ଯାଏ ନିଦ ହେଲାନି ଏବଂ ଖୁବ ଶୀଘ୍ର ନିଦ ବି ଭାଙ୍ଗିଗଲା । ତକିଆ ପାଖରେ ଅଣ୍ଡାଳି ମୋବିଲ ଦେଖିଲେ । ଭୋର ଚାରିଟା । କବାଟ ତଳପଟୁ ଡ୍ରଇଂ ରୁମର ଲାଇଟ୍ ବେଡରୂମ ଭିତରକୁ ଆସୁଥାଏ । ଭାବିଲେ ପ୍ରଶାନ୍ତ କଣ ଏପର୍ଯ୍ୟନ୍ତ ଶୋଇ ନାହାନ୍ତି । ଧୀରେ ଦ୍ୱାର ଖୋଲି ଡ୍ରଇଂ ରୁମ ଭିତରକୁ ଚାହିଁ ଦେଖିଲେ, ପ୍ରଶାନ୍ତଙ୍କ ଲ୍ୟାପଟପ ଖୋଲା ଅଛି ଏବଂ ପ୍ରଶାନ୍ତ ସେଇ ସୋଫା ଉପରେ ଲୁଡକି ପଡି ଶୋଇ ଯାଇଛନ୍ତି । ନାରୀ ସ୍ନେହ, ପ୍ରେମ ଏବଂ ମମତାର ମୂର୍ତିମନ୍ତ ପ୍ରତୀକ । ପ୍ରଶାନ୍ତଙ୍କୁ ଏପରି ଅବସ୍ଥାରେ ଦେଖି ସୋନାଲିଙ୍କ ହୃଦୟର ସମସ୍ତ ଆପତ୍ତି ଅଭିଯୋଗ ଶାନ୍ତ ହୋଇଗଲା, ଝରି ଆସି ମାତୃସୁଲଭ ମମତାର ଧାରା ସୋନାଲିଙ୍କ ହୃଦୟକୁ ପ୍ଳାବିତ କରିଦେଲା । ଭାବିଲେ ପ୍ରଶାନ୍ତ ବୋଧହୁଏ ଡେରି ରାତି ପର୍ଯ୍ୟନ୍ତ ଅଫିସ କାମ କରିବାରେ ବ୍ୟସ୍ତ ଥିବେ । ପ୍ରସାନ୍ତଙ୍କ ଆଖିରୁ ଧୀରେକିନା ଚସମାଟିକୁ କାଢି ଟେବଲ ଉପରେ ଥିବା ଅଫିସ ବ୍ୟାଗ ଖୋଲିଲେ ଚଷମା ଖୋଳରେ ସାଇତି ରଖିବା ପାଇଁ । ବ୍ୟାଗର ଜିପ ଖୋଲି ଦେଖିଲେ ଗହଣା ବାକ୍ସ ପରି ଦିଶୁଥିବା ଭେଲଭେଟ ବକ୍ସଟିଏ ଏବଂ ପ୍ରଶାନ୍ତଙ୍କ ନାଁ ଲେଖାଥିବା ଏକ ବଡ ଲଫାପା । ବଡ ଉତ୍ସୁକତାର ସହ ଖୋଲିଲେ ବକ୍ସକୁ । ଯାହା ଦେଖିଲେ ସେଥିରେ ଆଶ୍ଚର୍ଯ୍ୟ ଯେତିକି ନହେଲେ ତାଠୁ ହଜାର ଗୁଣ ଖୁଶିରେ ବିହ୍ଵଳ ହୋଇ ଉଠିଲେ ସୋନାଲି । ସେଥିରେ ଏକ ଗୋଲ୍ଡ ମେଡାଲ ଥିଲା ଏବଂ ସେଥିରେ ମଝିରେ ପ୍ରଶାନ୍ତଙ୍କ ଅଫିସ ଲୋଗୋ ଥିଲା ଏବଂ ତାର ଚାରିପଟେ ବୃତ୍ତାକାର ଭାବେ ଲେଖା ଥିଲା “ବେଷ୍ଟ ୱାର୍କର ଅଫ ଦି ଇୟର” । ତାପରେ ଲଫାପାଟିକୁ ବି ଖୋଲିଲେ । ଭିତରେ ଅନୁରୂପ ଏକ ସାର୍ଟିଫିକେଟ ଥିଲା ଯେଉଁଥିରେ ତଳେ ତାଙ୍କ ଡିରେକ୍ଟରଙ୍କ ସାଇନ ଥିଲା । 


ସୋନାଲିଙ୍କ ମନୋଭାବ ପୁଣି ରୂପାନ୍ତରିତ ହେବାରେ ଲାଗିଲା । ତାହା ଥିଲା ଖୁସି ଏବଂ ଗର୍ବର ଏକ ଅଦ୍ଭୁତ, ଅକଳ୍ପନୀୟ ଓ ଅବର୍ଣନୀୟ ମିଶ୍ରିତ ଅବସ୍ଥା । ସେହି କ୍ଷଣରେ ସୋନାଲି ଆଙ୍କିଦେଲେ ଏକ ପ୍ରୀତିପୂର୍ଣ ମୃଦ୍ୟୁ ଚୁମ୍ବନ ପ୍ରସାନ୍ତଙ୍କ କପାଳରେ । ସୋନାଲି ଭୁଲି ଯାଇଥିଲେ ସ୍ବାମୀଙ୍କ ପ୍ରତି ଯେତେ ସବୁ ଅଭିଯୋଗ । ନିଦ୍ରିତ ପ୍ରସାନ୍ତଙ୍କ ମୁଖମଣ୍ଡଳରେ ଦୃଶ୍ୟାମାନ ହେଉଥାଏ ଏକ ଦିବ୍ୟ ପ୍ରସନ୍ନତା ସତେ ଯେମିତି ଏକ ଦୀର୍ଘ ନିଦାଘ ପରେ ଆଷାଢର ପ୍ରଥମ ଅସରା ଛୁଇଁ ଗଲା ଧୂଷର ଧରାକୁ, ଧୋଇଗଲା ସମସ୍ତ ଜ୍ଵଳନ ଶୀତଳ ଓ ଆର୍ଦ୍ର ପରଶରେ । ଖୋଲାଥିବା ଲ୍ୟାପଟପର କି ପ୍ୟାଡରେ ସୋନାଲିଙ୍କ ହାତ ବାଜି ସ୍ଲିପ୍ ମୋଡରୁ ଏକ୍ଟିଭ ହୋଇ ଉଠିଲା ଲ୍ଯାପଟପ । ଫେସବୁକ୍ ସ୍କ୍ରିନ ଖୋଲିଗଲା । ପ୍ରସାନ୍ତ ପୋଷ୍ଟ କରିଥିଲେ ଅତୀତର ଏକ ସୁନ୍ଦର ମୁହୂର୍ତର ଫଟୋ ସୋନାଲିଙ୍କର ଯାହା ତଳେ ଲେଖିଥିଲେ ଛୋଟ ଏକ କବିତା –

ପଦ, ପଦବୀ ଅବା ସମ୍ମାନ ସବୁ ତା ଅବଦାନ, 

ଶ୍ଵେଦ ଶୋଣିତ ସିଂଚନ କରି ବଢାଏ ଯେ ମୋ ମାନ ।

ପଦକ ସିନା ଝୁଲେ ଛାତିରେ କ୍ଵଚିତ କେଉଁ ଦିନେ, 

ଜନ୍ମ ଜନ୍ମର ସାଥିଟି ରହେ ସଦା ହୃଦୟେ ମନେ ।

ତାହାରି ସ୍ନେହ, ପ୍ରେମ, ପୀରତି ତାହାରି ସମର୍ପଣ ,

ତାର ପ୍ରେରଣା ଉତ୍ସାହ ଦିଏ ଜୀବନେ ପ୍ରତି କ୍ଷଣ ।

କବିତାତି ପଢି ସାରି ସୋନାଲି ଗଦ୍ଗଦ ହୋଇ ଉଠିଲେ । କମେଣ୍ଟ୍ସରେ ଲେଖିଲେ – I am proud of you my Hero. You are really an alrounder. ତାପରେ ଚୁପ ଚାପ ଲ୍ଯାପଟପ ବନ୍ଦ କରି ଗଲେ କିଚେନକୁ ପ୍ରସାନ୍ତଙ୍କ ପାଇଁ ଝକାସ ଏକ କପ କଫି ତିଆରି କରିବାକୁ । ରାତି ପାହି ଆସୁଥିଲା । ଚେନାଏ ଆଲୁଅ ଆଜି ବି ସୋନାଲି ଓ ପ୍ରସାନ୍ତଙ୍କ ଯୁଗଳ ଫଟୋ ଉପରେ ପଡିଥାଏ । 



Rate this content
Log in

Similar oriya story from Romance