Jyotiranjan Acharya

Abstract

2  

Jyotiranjan Acharya

Abstract

ନୂଆ ବର୍ଷ-ଦୁଇଟି କାହାଣୀ

ନୂଆ ବର୍ଷ-ଦୁଇଟି କାହାଣୀ

9 mins
457



ଗୋଟିଏ ପୃଥୀବି ଯେଉଁଠି ଜୀବ ଜଗତର ଅବସ୍ଥିତି ରହିଛି ବୋଲି ଏଯାବତ୍‍ ସମସ୍ତେ ଜାଣଂତି; ଗୋଟିଏ ଆକାଶ ତଳେ ସମଗ୍ର ଜୀବନ ବିକଶିତ ହୁଏ; ଗୋଟିଏ ମାଟି ମାଆର ମମତାରେ ସମସ୍ତଂକ ତନୁ ମନ ପରିପୃଷ୍ଟ୍ ହୁଏ; ଦିନ ରାତି, ଋତୁ ଚକ୍ର, ବିବର୍ତନର ନିୟମ, ପ୍ରାକୃତିକ ଉପଲବ୍ଧତା ଇତ୍ୟାଦି ସବୁ କିଛି ଏହି ପୃଥୀବି ପୃଷ୍ଠର ପ୍ରାଣୀ ମାନଂକ ପାଇଁ ସମାନ । ଏଣୁ ଉଣା ଅଧିକେ ମୋଟା ମୋଟି ଭାବେ ଦେଖିବାକୁ ଗଲେ ସମସ୍ତେ ପ୍ରାୟ ସମାନ ଧରଣର ପରିସ୍ଥିତିର ସମ୍ମୁଖୀନ ହେଉଥିଲେ ବି ମଣିଷ, ଯେ ଏହି ସମଗ୍ର ସଂସାରର ସମସ୍ତ ପ୍ରାଣୀ ମାନଂକ ମଧ୍ଯରେ ସର୍ବୋତ୍କୃଷ୍ଟ ମସ୍ତିଷ୍କର ଅଧିକାରୀ, ସମାନ ପ୍ରାକୃତିକ, ସାମାଜିକ ଓ ଅର୍ଥନିତିକ ପରିସ୍ଥିତିରେ ରହିଥିଲେ ମଧ୍ଯ ସେମାନେ ସମସ୍ତେ ସମାନ ସୁଖ ସ୍ୱାଚ୍ଛଂଦର ଅଧିକାରୀ ହୋଇ ପାରଂତି ନାହିଁ କାରଣ ସୁଖ, ଦୁଃଖ, ଆଶା, ନିରାଶା ସବୁ ନିଜ ନିଜ ଭିତରେ ହିଁ ଲୁଚି ରହିଥାଏ ଯାହାର ପରିପ୍ରକାଶ ମଣିଷର ପରିସ୍ଥିତି ପ୍ରତି ହେଉଥିବା ପ୍ରତିକ୍ରିୟା ଉପରେ ନିର୍ଭର କରେ । ଗୋଟିଏ ସାଧାରଣ ପରିସ୍ଥିତିରେ ଜଣେ ବ୍ୟକ୍ତି ଅବିଚଳିତ ରହି ପାରେ, ଆଉ ଏକ ବ୍ୟକ୍ତି ଗଭୀର ଦୁଃଖଗ୍ରସ୍ତ ହୋଇ ପାରେ, ଏବଂ ଅନ୍ୟ ଜଣେ ତାଠୁ ନ୍ୟୁନତର ପରିସ୍ଥିତିରେ ମଧ୍ଯ ଗଭୀର ସୁଖ ଅନୁଭବ କରିପାରେ । ଏହା ସେମାନଂକର ପରିସ୍ଥିତିଟିକୁ ସମ୍ମୁଖୀନ କରିବାର ବ୍ୟକ୍ତିଗତ ଦୃଷ୍ଟିଭଂଗୀ ଉପରେ ନିର୍ଭର କରେ । ମୋର ନିମ୍ନୋକ୍ତ ଦୁଇଟି ଗଳ୍ପ ଏହି ତଥ୍ୟକୁ ପ୍ରତିପାଦିତ କରଂତି । ଆସଂତୁ ପଢିବା


 (1)

ନଂଦିନୀ ଡ୍ରଇଂ ରୁମ୍‍ରେ ଖୁବ୍‍ ଇତଃସ୍ତତଃ ଭାବରେ ପଦ ଚାରଣ କରୁ କରୁ ବାରମ୍ବାର କାଂଥରେ ଲାଗିଥିବା ବଡ ଘଣ୍ଟାଟିକୁ ଦେଖୁ ଥାଏ । ପ୍ରତି ଥର ଦେଖିବାରେ ତାର ମୁଖ ମଣ୍ଡଳର ଭାବ ବି ଗଭୀର ଭୃକୁଂଚନ ସହ ଅଧିକ ଅଧିକ ବିକୃତ ଲାଗୁଥାଏ ସତେ ଯେପରି ଏକ ମସ୍ତ ବଡ ଟେନ୍ସନ୍‍ ଭିତର ଦେଇ ଗତି କରୁଛି ସେ । ଟଂ ଟଂ ହୋଇ ଘଣ୍ଟାରେ ରାତି ଏଗାରଟା ବାଜିଲା । ନଂଦିନୀର ସୁଂଦର ମୁହଁଟି ଆହୁରି କୁରୂପ ଦିଶିଲା । ଦଶଟାରୁ ଏଗାରଟା ମଧ୍ଯରେ ଅନେକ ଥର ସ୍ୱାମୀ ଜୟଂତଂକୁ ସେ ଫୋନ୍‍ ଲଗାଇଲେଣି ହେଲେ ସବୁ ଥର ତାଂକର ଫୋନ୍‍ ସ୍ୱିଚ୍‍ ଅଫ ଆସୁଥାଏ । ମନରେ ଅନେକ ଚିଂତା ଓ ଆଶଂକା । ନଂଦିନୀ ଭାବି ଚାଲିଥାଏ ଆଜିକାଲିର କାଳବେଳ ଯେମିତି କେଉଁଠି କିଛି ଅଘଟଣ ତ ଘଟିନି, 31 ଡିକେମ୍ବରର ରାତି, ଅନେକ ଲୋକ ନିଶାସକ୍ତ ହେବା ପାଇଁ ଏହି ଦିନଟିକୁ ଏକ ସୁଅବସର ବୋଲି ଭାବିଥାଂତି ଏବଂ ଜନ ସାଧାରଣ ସ୍ଥାନ ଏପରିକି ରାସ୍ତା ଘାଟରେ ମଧ୍ଯ ଅନେକ ପ୍ରକାରର ଉପଦ୍ରବ କରିଥାଂତି, ରାସ୍ତାରେ ଅଫିସରୁ ଫେରୁଥିବା ସମୟରେ କୌଣସି ଦୁର୍ଘଟଣା ଘଟି ନାହିଁ ତ ଇତ୍ୟାଦି ଇତ୍ୟାଦି । ସେହି ସମୟରେ ହଠାତ୍‍ ଫୋନ୍ରି ଘଣ୍ଟି ବାଜି ଉଠିଲା । ଅନ୍ୟ ପକ୍ଷରୁ ଜୟଂତଂକ କଣ୍ଠ ସ୍ୱର – ସରି ଡାର୍ଲିଂ, ମୋର ଆଉ ଟିକେ ଡେରି ହେବ, ଇଅର ଏଂଡିଂ କ୍ଲୋଜିଂ କରୁ କରୁ ଆଉ ଅଧ ଘଣ୍ଟା ଲାଗି ପାରେ, ବ୍ୟସ୍ତ ହୁଅନି ମୁଁ ଠିକ୍‍ ଟାଇମ୍‍ ରେ ବାରଟା ପୂର୍ବରୁ ପହଂକି ଯିବି । କିଛି ସମୟ ଆଗରୁ ଭୟ ଓ ଆଶଂକାର ଦିକ୍‍ ଦିକ୍‍ ଜଳୁଥିବା ମନ ତଳର ନିଆଁଟା ବିରକ୍ତିର ରୂପ ନେଇ ହୁ ହୁ ହୋଇ ଜଳି ଉଠିଲା ନଂଦିନୀ ଭିତରେ । ରାଗରେ ତମ ତମ ହୋଇ ନିଜର ମୋବାଇଲ ଫୋନଟିକୁ ଫିଂଗି ଦେଇଥିଲା ଚଟ୍ଟାଣ ଉପରେ ନଂଦିନୀ । ଏବେ ଏବେ ମ୍ୟାରେଜ୍‍ ଆନିଭର୍ସାରିରେ ଜୟଂତ ଉପହାର ଦେଇଥିବା ଦାମୀ ଫୋନ୍ଟିଲ ତଳେ ପଡି ଖଣ୍ଡ ଖଣ୍ଡ ହୋଇଗଲା । ନଂଦିନୀ ବେଡ୍` ରୁମ୍‍ରେ ଖଟ ଉପରେ ମୁହଁ ମାଡି ଶୋଇଯାଇ କେତେ କଣ ଭାବି ଚାଲିଥାଏ – ସହରର ଜାନାମାନା ବିଜ୍ନେରସ୍‍ ମ୍ୟାନ୍ଂ୍କ ପୁଅ ବିଶ୍ୱକୁ କଲେଜ ସମୟରୁ ଭଲ ପାଉଥିଲା ସେ । ଧନ ସମ୍ପତ୍ତି, କୋଠା ବାଡି, ଗାଡି ମଟର, ଚାକର ବାକର, କେଉଁଥିରେ ବି କିଛି ଅଭାବ ନାହିଁ । ବାପାଂକର ଫମ୍ପା ଆଦର୍ଶ - ଗୋଟାଏ ମଦ ବେପାରୀ ଘରେ ଝିଅ ଦେବେନି ବୋଲି - ଗୋଟିଏ ସାଧାରଣ ନିମ୍ନ ମଧ୍ଯବିତ ଘରର ପୁଅ ଜୟଂତ ସହ ତାର ବିବାହ କରିଦେଲେ । ବାହାଘର ତିନି ବର୍ଷ ବିତି ଗଲାଣି, ହେଲେ ଦୈନଂଦିନ ଜୀବନର ରଥ ଚକ ତଳେ ପେଶି ହେବା ବ୍ୟତୀତ ଖୁସି କିମ୍ବା ମୌଜ ମଜ୍ଲିସ୍‍ କହିଲେ ତା ଜୀବନରେ କିଛି ନାହିଁ । ଆଜି 31 ଡିକେମ୍ବର୍ । ବଡ କଷ୍ଟରେ କୁଂଥେଇ କାଂଥେଇ ନିୟୁ ଇଅର ସେଲିବ୍ରେସନ ପାଇଁ ହୋଟେଲ୍କୁମ ନେଇ ଯିବେ ବୋଲି କହିଥିଲେ ଯେ କାମ ବାହାନା କରି ଏ ପର୍ଯ୍ୟଂତ ଦେଖା ନାହିଁ

ସେପଟେ ଜୟଂତ ନଂଦିନୀକୁ କଥା ଦେଇ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଡେରି ହେଉଥିବାରୁ ବହୁ ତରତରରେ କାମ ସମ୍ପୂର୍ଣ କରିବାକୁ ଚେଷ୍ଟା କରୁଥାଂତି । ପୁରା ବର୍ଷର ଲେଖାଯୋଖାର ହିସାବ ଜଲ୍ଦିବାଜିରେ ହୁଏ ନାହିଁ । ସେଥିପାଇଁ ବାରମ୍ବାର ଭୁଲ ଭଟକା ଯୋଗୁ ବସ୍ସଂକ ଠାରୁ ବି ଗାଳି ଶୁଣିବାକୁ ପଡୁଥାଏ । ଯା ହେଉ, ଜୟଂତ ଅଫିସ ଛାଡୁ ଛାଡୁ ରାତି ବାରଟା ବାଜିଗଲା । ରାସ୍ତା ସାରା ଲୋକଂକର ନୂଆ ବର୍ଷର ଉତ୍ସବମୁଖରତା ଦେଖାଯାଉ ଥାଏ । ଆଲୋକ ସଜା ଓ ଆତସବାଜିରେ ମୁଖରିତ ସହରଟା ସଜେଇ ହୋଇ ନୂତନ ବର୍ଷର ସ୍ୱାଗତ କରୁଥାଏ । କିଂତୁ ଜୟଂତଂକ ମନ ଆଇନାରେ ଦେଖାଯାଉଥାଏ କେବଳ କ୍ରୋଧରେ ଲାଲ୍‍ ନଂଦିନୀର ଚେହେରା, ଯାହାର କ୍ଷଣ କୋପୀ ଗୁଣ ବିଷୟରେ ଜୟଂତକୁ ଭଲ ଭାବେ ଜଣା । ଏମିତି ଭାବୁ ଭାବୁ ଜୟଂତ ଗାଡି ରୋକିଲା ଗୋଟିଏ ସୁସଜ୍ଜିତ ହୋଟେଲ ସମ୍ମୁଖରେ । ବହୁ ଡେରି ହୋଇ ସାରିଥିଲା । ହୋଟେଲ ଯିବାର ପ୍ରୋଗ୍ରାମ ଥିବାରୁ ନଂଦିନୀ ରାତ୍ରି ଭୋଜନ ବି ପ୍ରସ୍ତୁତ କରି ନଥିବ। ଘରେ ପହଂଚୁ ପହଂଚୁ ରାତି ଗୋଟାଏ ତ ବାଜି ଯିବ । ଏଣୁ ଭିତରକୁ ଯାଇ ଡିନର ପ୍ୟାକ୍‍ ଅଡର କଲା ସେ । ନଂଦିନୀର ପ୍ରିୟ ବେସର ଦିଆ ଇଲିସି ଏବଂ ଲାଭା କେକ୍‍ ବି ତାର ଅର୍ଡରରେ ସାମିଲ କରିଥିଲା ଜୟଂତ । ଖାଦ୍ୟ ଧରି ହୋଟେଲ ବାହାରକୁ ଆସୁ ଆସୁ ବାହାରେ ଥିବା ଫୁଲ ବାଲା ଠାରୁ ନଂଦିନୀ ପାଇଁ ଲାଲ୍‍ ଗୋଲାପର ସୁଂଦର ତୋଡାଟିଏ ନେଇଥିଲା ସେ । 

ଘର ପାଖେ ପହଂଚିଲା । ଗେଟରେ ହାତ ଗଳାଇ ଭିତରୁ ଖୋଲିଲା । ଦୁଇ ତିନି ଥର କଲିଂ ବେଲ୍‍ ଦେଲା ହେଲେ ଦରଜା ଖୋଲିବାକୁ ନଂଦିନୀ ଆସି ନଥିଲା । ଭାବିଲା ଅପେକ୍ଷା କରି କରି ବୋଧହୁଏ ଶୋଇ ପଡିଥିବ । ନିଜ ସୁଟକେସରେ ଥିବା ଡୁପ୍ଲିକେଟ ଚାବିରେ ସେ ମୂଖ୍ୟ ଦରଜା ଖୋଲି ସିଧା ବେଡ ରୁମ୍କୁି ଯାଇ ଦେଖିଲା ନଂଦିନୀ ମୁହଁ ମାଡି ଖଟ ଉପରେ ଶୋଇଛି । ସେ ଫୁଲ ତୋଡାଟି ଧରି ସରି ଡାର୍ଲିଂ କହି ତାକୁ ସ୍ପର୍ଷ କରୁ କରୁ ସେ ଏକ କ୍ଷୁବ୍ଧ ନାଗୁଣୀର ଚେହେରାରେ ଜୟଂତ ହାତରୁ ତୋଡାଟି ନେଇ ବାହାରକୁ ଫୋପାଡି ଦେଲା । ବାରଣ୍ଡାରେ ଫୁଲ ଗୁଡିକ ବିଛାଡି ହୋଇ ପଡେଲେ । ଆହା, ଆଜି ଭଳି ଦିନରେ ପ୍ରେମିଟିଏ ଯେତେବେଳେ ଗୋଲାପଟିଏ ତାର ପ୍ରେମିକାର ହାତକୁ ବଢାଇ ଦିଏ, ଫୁଲଟି ଦୁଇଟି ଭଲ ପାଉଥିବା ମନକୁ ପ୍ରେମର ଗୋଲାପି ରଂଗରେ ରଂଗେଇ ଦେଇ ନିଜକୁ ଧନ୍ୟ ମନେ କରିଥାଏ । କିଂତୁ ଯେବେ ସେହି ଫୁଲ ଏକ ଜଖମ ହୃଦୟର ହାତରେ ପହଂଚେ, ତାର ଅବସ୍ଥା କଣ ହୁଏ? ଦୁଇଟି ହୃଦୟକୁ ଅଂଗାଗି ଭାବେ ମିଳେଇବାର ଗୋଲାପି ସ୍ୱପ୍ନ ଧ୍ୱସ୍ଥ ବିଧ୍ୱସ୍ଥ ହୁଏ, ତାର ଫୁଲ ଜନ୍ମର ସାର୍ଥକତା ଯେମିତି ଅପରିପୂର୍ଣ ରହି ଯାଏ; ତାର କୋମଳ ରଂଗୀନ ପାଖୁଡାମାନ ଦଳି ଚକଟି ହୋଇଯାଂତି କ୍ରୋଧ ଅହଂକାର ଭଳି ମାନବୀୟ ବିକାରର ଚକ ତଳେ । ନଂଦିନୀର ଆଖିରୁ ଅଗ୍ନି ବର୍ଷୁଥାଏ ଏବଂ ମୁଖରୁ ବିଷୋଦ୍ଗାର ହେଉଥାଏ । ନଂଦିନୀର ତୁଣ୍ଡକୁ ଯାହା ଆସୁଥାଏ ବକି ଚାଲିଥାଏ । ଯଦିଓ ଜୟଂତ ଅନୁଭବ କରୁଥାଏ ପତ୍ନୀ ମନର ବ୍ୟଥାକୁ, ତଥାପି ଯେହେତୁ ତାର ଏଥିରେ କୌଣସି ଦୋଷ ନଥିଲା, ତାର ଧୈର୍ଯ୍ୟର ବଂଧ ବି ନଂଦିନୀର ପ୍ରତିଟି କଟୁ କଟାକ୍ଷରେ କ୍ରମଶଃ ଦୁର୍ବଳ ହେଉଥାଏ । ଯେତେବେଳେ ନଂଦିନୀ ଜୟଂତର ପରିବାରକୁ ବି ଛୋଟ ଲୋକ ପରିବାର ବୋଲି ଆକ୍ଷେପ କଲା, ଜୟଂତ ସମସ୍ତ ନିୟଂତ୍ରଣ ହରାଇ ବସିଲା ଏବଂ ସେ ବି ନଂଦିନୀକୁ ଅନେକ କଟୁକ୍ତି ଶୁଣାଇଲା, ତାର କଲେଜ ସମୟର ଚରିତ୍ର ସଂହାର ବି କଲା । ଦୁନିଆର ଅଧିକାଂଶ ଲୋକ ଯେତେବେଳେ ସମସ୍ତ ପୁରୁଣା ବ୍ୟଥାକୁ ଭୁଲି ନୂଆ ବର୍ଷର ସ୍ୱାଗତ କରୁଥିଲେ, ଏଠି ଏମାନେ ପରଷ୍ପରର ପୁରୁଣା ଘାଆକୁ ନଖେଇ ନଖେଇ ରକ୍ତାକ୍ତ କରୁଥିଲେ । ସେ ବାରଣ୍ଡାରେ ପଡି ରହି ଲାଲ୍‍ ଗୋଲାପମାନେ ଲାଗୁଥାଏ ଯେପରି ଶେଷ ଅଳି କରୁଛଂତି ନଂଦିନୀ ଏବଂ ଜୟଂତଂକୁ ନୂଆ ବର୍ଷର ନୂଆ ରାତ୍ରିକୁ ଏମିତି ନଷ୍ଟ ନକରି ମନଭରି ଉପଭୋଗ କରିବାକୁ, ଡୁବି ଯିବାକୁ ଦାମ୍ପତ୍ୟ ପ୍ରେମର ଗଭୀର ମଧୁରତା ମଧ୍ଯରେ । ହେଲେ ସେମାନଂକ ଶତତ ପ୍ରଚେଷ୍ଟା ବିଫଳ ହେଉଥାଏ ଏବଂ ରାତ୍ରିର ଆୟୂଷ ବି ସରି ସରି ଆସୁଥାଏ ।

 (2)

ବଡ ସହରଟିରେ ଯେଉଁଠି ବଡ ବଡ ଲୋକମାନେ ବଡ ବଡ ଆକାଶ ଚୁଆଁ ଘରମାନଂକରେ ସହରୀ ଚାକଚକ୍ୟ ଓ ପ୍ରାଚୁର୍ଯ୍ୟ ମଧ୍ଯରେ ରୁହଂତି, ସେହି ସହରର ଅନାମଧ୍ଯେୟ ଠିକଣାରେ ବାସ କରଂତି କିଛି ଅନାମଧ୍ଯେୟ ଲୋକ । ରିକ୍ସା ଚଳାଇବା, ଅନ୍ୟ ମାନଂକ ଘରର ପାଇଟି କରିବା, ଦିନ ମଜୁରି ଖଟିବା ଏମାନଂକର ପେଶା । ଏମାନଂକର ଘର କହିଲେ, କିଛି ଖଣ୍ଡ ବାଉଁଶ ଓ ବାଉଁଶ ତାଟର କାଂଥ ଏବଂ ମୁଣ୍ଡ ଉପରେ ଖଣ୍ଡେ ପଲିଥିନ । କିଂତୁ ସେ ବଡ ସହରୀ ବାବୁମାନଂକ ପରି ଏମାନଂକ ମୁଣ୍ଡରେ ନଥାଏ ଚିଂତାର ବୋଝ ନା ମନରେ ଅବସାଦ । ଦିନଯାକ ଯାହା କମାଂତି ସଂଧ୍ଯାରେ ସେ ସବୁରେ ନିଜ ନିଜର ସ୍ୱଳ୍ପ ଗୁଜରାଣ ମେଣ୍ଟି ଗଲା ପରେ ଖୁବ୍‍ ମୌଜ ମସ୍ତି କରଂତି, ସେ ନୂଆ ବର୍ଷ ହେଉ ଅବା ହୋଲି, ଦୀପାବଳୀ କିମ୍ବା ଈଦ୍`, ବଡ ଦିନ ପରି ପର୍ବ ପର୍ବାଣି । ସେଇମିତି ରେଳ ଲାଇନକୁ ଲାଗି ଗୋଟିଏ ଛୋଟିଆ ବସ୍ତିରେ ରହଂତି ଜଇ ଏବଂ କଇଁ ତାଂକର ଚାରି ବର୍ଷର ପୁଅ କୁନା ସହ । ଜଇ ରିକ୍ସା ଟାଣେ ଆଉ କଇଁ ପାଖ ଆପାର୍ଟମେଣ୍ଟରେ ଦୁଇ ତିନୋଟି ଘରେ ଘର କାମ, ଯେମିତି କି ଝାଡୁ ପୋଛା, ବାସନ ଧୁଆ, ଲୁଗା ସଫା ଇତ୍ଯାଦି କାମ କରେ । ସକାଳ ସଂଜରେ ପାଇଟି କରିବାକୁ ଗଲା ବେଳେ କଇଁ ମୁନାକୁ ବି ସାଂଗରେ ନେଇ ଯାଏ । 

ଆଜି ପୁରୁଣା ବର୍ଷର ଶେଷ ଦିନ । ରାତି ଅଧରୁ ନୂଆ ବର୍ଷ ଆସିଯିବ । ସବୁ ଥର ପରି ଏଥର ବି ବସ୍ତିରେ ନୂଆ ବର୍ଷ ମନାଇବାର ପ୍ରସ୍ତୁତି ପର୍ବ ସପ୍ତାହେ ପୂର୍ବରୁ ଦେଖା ଯାଉଥାଏ । ରେଳ ଲାଇନ କଡେ କଡେ ଖଣ୍ଡେ ବାଟ ଗଲେ ଗୋଟିଏ ବୁଦିବୁଦିକିଆ ଆଡୁ ସାଡୁ ଗଛ ଲଟା ଥିବା ଖୋଲା ପଡିଆଟିଏ, ସେଇଠି ବସ୍ତିର ପିଲାମାନେ ଘରୁ ଚାଉଳ ଡାଲି ନେଇ, ପାଖ ଗଛରୁ ଜାଳ ଭାଂଗି, କୁକୁଡା ମାଉଁସ ଓ ତେଲ ମସଲା ପାଇଁ କିଛି କିଛି ପଇସା ନିଜ ନିଜ ଭିତରେ ଚାଂଦା କରି ବଣ ଭୋଜି କରଂତି । କଇଁ ଆଉ ଜଇ ବି ଏମିତି ଦିନ ପାଇଁ ଆଗରୁ କିଛି କିଛି ପଇସା ଜମା କରଂତି । ରାତି ବାର ବାଜିଲେ, ବସ୍ତି ସାରା “ହାପି ନିଉ ଇଅର୍”ର ସମ୍ମିଳିତ ହାଲ୍ଲା ଶୁଭେ । ଜଇ ସେ ଦିନ ସଂଜ ନହେଉଣୁ ରିକ୍ସା ଆଣି ଘରକୁ ଆସେ ଭାରି । କଇଁ ବହୁତ ମିଠା ପ୍ରିୟ, ସେଥିପାଇଁ ତା ପାଇଁ ଯେମିତି ହେଲେ ଛୋଟ ମିଠେଇ ପ୍ୟାକେଟଟିଏ ଆଣିଥାଏ । ମୁନା ପାଇଁ ଆଣିଥିବା ଝରି ବାଣ ପ୍ୟାକେଟରୁ ଗୋଟିଏ ଗୋଟିଏ ଲଗେଇ ମୁନା ହାତକୁ ଦିଏ । କଇଁ ତେଣେ ମାଉଁସ ତିଅଣ ଭାତ ରେଡି କରୁଥାଏ । ଜଇ ଘର ସାମ୍ନାରେ ରଖା ହୋଇଥିବା ରିକ୍ସାର ସିଟ୍‍ ତଳୁ ପାଆକିଆ ଛୋଟ ବୋତଲଟି ବାହାର କରି ଘର ଆଡକୁ ପଛ କରି ବାହାରେ ମୁହଁ ଅଂଧାରରେ ଢକ ଢକ କରି ପିଇ ଦେଇ ବିଡି ଖଣ୍ଡେ ଲଗେଇ ଘର ଭିତରକୁ ଆସେ । ବର୍ଷରେ ସେହି ଗୋଟିଏ ଦିନ ମର୍ଦ ପୁଅ ଟିକେ ଫୁର୍ତ୍ତି କରିବ ଭାବି ପିଇବାକୁ ଜଇକୁ ବାରଣ କରେନି କଇଁ । ସେତେବେଳେ ଜଇକୁ କଇଁର ସୁଂଦୁରିଆ ମୁହଁଟା ତାକୁ ଆହୁରି କଇଁ ଫୁଲିଆ ଦେଖାଯାଏ, ଯେମିତି ସେ ତାକୁ ପାଂଚ ବର୍ଷ ତଳେ ବାହାଘର ବେଳେ ଦେଖିଥିଲା । କଇଁ ଲାଜେଇ ଯାଏ । 

ଏ ଥର କିଂତୁ ଜଇ ପଂଦର ଦିନ ହେଲା ଜରରେ ପଡିବା ପରେ ଏଇ ହପ୍ତାଏ ହେଲା ବାସ୍‍ ରିକ୍ସା ନେଇ ଯାଉଛି । କମ୍‍ଜୋର ଦିହକୁ ଏ ସନ ଅଧିକ ଜାଡ ପଡୁଥିବାରୁ କଈଁ ରାଣ ଦେଇ କହେ ସୂର୍ଯ ମାହାପୁରୁ ବୁଡିବା ଆଗରୁ ଘରେ ପହଂଚିବା ପାଇଁ । ପଇସା ପତର ଯାହା କିଛି ଛଂଚି ଥେଲା ସବୁ ଜଇର ଧିଅ ଖରାପରେ ଖରଚ ହେଲା । ଏଣୁ କଇଁ ଓ ଜଇ ମନେ ମନେ ଭାବୁ ଥାଂତି ଏଥର ନୂଆ ବର୍ଷଟା ଫିକା ଫିକା ହବ, କିଂତୁ କେହି କାହାକୁ କିଛି କହୁ ନଥାଂତି । କଇଁ ନୂଆ ବର୍ଷ ପାଇଁ ଦି ଘରର ମାଂକୁ କହିଥାଏ କିଛି ପଇସା ଆଗୁଆ ଦେବା ପାଇଁ ଯାହାକୁ ତା ମାସିକିଆ ପଇସାରୁ କାଟି ନେବେ । ସେ ଦିନ ସେ ଜଲ୍ଦି ଜଲ୍ଦି ପାଇଟି ସାରି ମାଗିଥିବା ମୁତାବକ କିଛି ପଇସା ଅଗ୍ରିମ ଆଣି ଧଡପଡ ହୋଇ ଘରକୁ ଫେରିଲା । ମାଉଁସ ଦୋକାନରୁ କଟାଯାଇଥିବା କୁକୁଡାଂକ କିଛି ଗୋଡ୍,, ମୁଣ୍ଡ ଓ କଲିଜା କୋଡିଏ ଟଂକା ଦେଇ ଆଣିଲା ଓ ପାଖ ଦୋକାନରୁ ଗୋଟିଏ ବାରମଜା ପ୍ୟାକେଟ ବି ନେଲା । ଘରେ ପହଂଚି କୁକୁଡା ମାଉଁସ ସଫା ଧୁଆ କରି ତର୍କାରୀ ବସେଇଲା । ରୋଷେଇ ସାରିଲା ବେଳକୁ ରାତି ନଟା ବାଜିଲାଣି । ଏ ଯାଏଁ ଜଇ ଆସିନି । ଦଶଟା ବାଜିଲା, ତଥାପି ଦେଖା ନାହିଁ । କଇଁର ମାଇପି ମନ ପାପ ଛୁଉଁ ଥାଏ । ବସ୍ତି ପିଲେ ହାପି ନିଉ ଇଅର ହଲ୍ଲା କରିବା ଆରମ୍ଭ କରି ଦେଲେଣି, ରାତି ବାରଟା ଉପରେ ହେଲାଣି । ମୁନା ବାପାକୁ ଚାହିଁ ଚାହିଁ ବାଣ ବାଣ ହେଇ ଶୋଇ ପଡିଲା । ବାହାରେ ରିକ୍ସା ଘଣ୍ଟି ଶୁଣି କଇଁ ଦୌଡି ଗଲା । କୁହୁଡିଆ ଅଂଧାର ଭିତରୁ ବି ଜଇକୁ ସେ ଠଉରେଇ ନେଲା । ତର ତରରେ ଚୁଲୀ ପାଖକୁ ଆସି ଡିଆସିଲି ମାରି ପତର ଦିଟା ଜଳେଇ ଦେଇ ମାଉଁସ ତରକାରୀ ଡେକିଚିକୁ ବସେଇଲା । ଜଇ ରିକ୍ସା ତାଲା ପକେଇ ଆସିଲା । କଇଁ ତାକୁ ଚୁଲୀ ମୁଣ୍ଡକୁ ଡାକି ଧାସରେ ନିଜ ହାତ ପାପୁଲି ଗରମ କରି ଜଇର ମୁଣ୍ଡ ହାତ ସେକି ପକାଇଲା । ଭାତ ତିଅଣ ଗରମ କରି ବାଢିବାକୁ ଯାଉଛି ଜଇ ତା ହାତକୁ ପୁଡିଆଟିଏ ଧରେଇ ଦେଇ କହିଲା ଗାଂଗୁରାମ ଦୋକାନରୁ ତୋ ପେଇଁ ଖଜୁରୀ ଗୁଡ ରସଗୋଲା ଆଣିଚି । ମୋତେ ଚାହିଁ ଚାହିଁ ବହୁତ ବେଳ ହେଲାଣି, ଦିଟା ଖାଇ ଦେ । କଇଁ ଦେଖିଲା ସେ ପୁଡିଆ ଭିତରେ ଗୋଟିଏ ଝରି ବାଣ ପାକେଟ ବି ଅଛି । କଇଁ ଚାଳରେ ଗୁଂଜା ହୋଇଥିବା ଗୋଟିଏ କାଗଜ ଗୁଡା ବୋତଲ କାଢି ଜଇ ହାତକୁ ବଢେଇ ଦେଲା । ତାଟିଆରେ କସା ସୁଖିଲା ମାଉଁସ ଦି ଖଣ୍ଡ ଅଲଗା ରଖି ଥିଲା । ତାକୁ ଜଇ ଆଗରେ ବାରମଜା ଠୁଂଗା ସହ ଥୋଉ ଥୋଉ ଜଇ କଇଁର ପାଟିରେ ରସଗୋଲାଟାଏ ମାଡି ଦେଇ କହିଲା ବୁଝିଲୁ କଇଁ, ଆଜି ଖୁସିର ଦିନଟା, ବାବୁ ବାବୁଆଣୀ ମାନେ ରାତି ସାରା ମୌଜ ମଜ୍ଲିସ୍‍ କରୁଛଂତି, ଭଡା ଦି ପଇସା ଅଧିକା ଦେବାକୁ ବି କୁଂତୁ କୁଂତୁ ହଉ ନାହାଂତି, ଏଣୁ ଦି ପଇସା କମେଇବାକୁ ଟିକେ ଓଭର ଟାଇମ କରିଦେଲି ଯାହା ପାଇଁ ତୋତେ ଏତେ ବେଳ ଯାଏଁ ମୋ ବାଟ ଚାହିଁ ଚିଂତାରେ ରହିବାକୁ ପଡିଲା । ମୋତେ ଖମା କରିଦବୁ । କଇଁ ଜଇର ମୁହଁରେ ହାତ ଦେଇ କହିଲା, ନାରେ ତୁ ଏ ଦାମୀ ଦୋକାନର ମିଠା ପାଇଁ ଓଭର ଟାଇମ୍‍ କଲୁନା ? ଜଇ କହିଲା, ତୁ ବି ତ ବାର ଘରେ କାମ କରି ହାଡ ଗୋଡ ଚୁନା କରୁଚୁ.....। ଦୁହେଁ ପରଷ୍ପରର ମୁହଁକୁ ଚାହିଁ ରହିଥିଲେ ଯେମିତିକି ଜଣେ ଜଣକୁ ନୂଆ ହୋଇ ଦେଖୁଛି ବାସର ରାତିରେ । ଉପରେ ଜହ୍ନ ବି ସେମାନଂକୁ ଦେଖୁ ଦେଖୁ ବାଦଲ ତଳେ ମୁହଁ ଲୁଚାଉଥିଲା ।

ସମସ୍ତଂକର ବାଣ ଫୁଟା, ହୋ ହାଲା ଥମି ଆସୁଥାଏ । ଜଇ ଓ କଇଁର ଅଗଣା କିଂତୁ ମୁନାର ଝରି ବାଣ ଆଲୁଅରେ ଝଲସି ଉଠୁଥାଏ । 

 ତେବେ ଆସଂତୁ ବଂଧୁଗଣ୍, ଏ ଥର ନୂଆ ବର୍ଷରେ ଶପଥ ନେବା, ପରିସ୍ଥିତି ଯାହା ହେଉ ନା କାହିଁକି, ଆମେ ସବୁ ବେଳେ ନିଜର ସ୍ଥିତିର ଚାବି କୁ ନିଜ ପାଖରେ ରଖିବା ଏବଂ ସର୍ବଦା ଖୁସି ଓ ଆନନ୍ଦରେ ଜୀବନକୁ ଉପଭୋଗ କରିବା ।


Rate this content
Log in

Similar oriya story from Abstract