Jyotiranjan Acharya

Others

4  

Jyotiranjan Acharya

Others

ସରସ୍ବତୀ ମା

ସରସ୍ବତୀ ମା

7 mins
338



ଆଜି ସରସ୍ଵତୀ ପୂଜା | ସ୍କୁଲରେ ନାତୁଣୀର ପ୍ରଥମ ପୂଜା | ପନ୍ଦର ଦିନ ପୂର୍ବରୁ ତାର ପୂଜାରେ ପିନ୍ଧିବା ପାଇଁ ଅଫିସରୁ ଆସିବା ବେଳେ ହିଁ ଥାକଥାକ କୁଞ୍ଚ ଲଗା ଗୋଲାପି ଫ୍ରକ କିଣି ଆଣି ଆଲମାରୀରେ ଲୁଚେଇ ରଖିଛି ତାକୁ ସର୍ପ୍ରାଇଜ ଦେବାକୁ | କାଲିଠୁ ଭୋଗ ପାଇଁ ଲଡୁ ଏବଂ ଫଳ ମୂଳ ସଜଡା ହୋଇ ରଖା ହୋଇଛି ଠାକୁର ଘରେ | ତାର ସିନା ପୂଜା, ମୋ ନିଦ କିନ୍ତୁ ରାତି ନପାହୁଣୁ ଭାଂଗିଗଲା | ଛକ ପୂଜା ଦୋକାନରୁ ସଜ ଫୁଲ କିଛି ଆଣିବାକୁ ହେବ, ଡେରି ହେଲେ ଆଜି ଭଳି ଦିନରେ ଫୁଲଟାଏ ବି ମିଳିବନି | ତକିଆ କଡରୁ ମୋବାଇଲଟା କାଢି ଦେଖିଲି ମୋଟେ ଚାରିଟା ବାଜିଛି | ଭାବିଲି ଟିକେ ମୁହଁ ମାଡି ଘଂଟାଟାଏ ପଡିଯିବା | କଡ଼ ଲେଉଟାଉ ଲେଉଟାଉ ସମୟ ବି ଯେମିତି ହଠାତ ଲେଉଟି ପଡିଛି | ଆଜିର ଆଦ୍ୟ ବାର୍ଦ୍ଧକ୍ୟର ଟାଙ୍ଗରା ମଥାନରୁ ମୁଁ ଗୋଟିଏ ଡିଆଁରେ ପହଞ୍ଚି ଯାଇଛି ବୟସର ପାଦ ଦେଶରେ, ଏକ ସବୁଜ ପ୍ରାନ୍ତରରେ, କୈଶୋର ଏବଂ ଯୌବନର ସଂଗମ ସମୟରେ | ଶୈଶବର ଅଧିକାଂଶ ଘଟଣା ଧୁନ୍ଦଲା ପଡ଼ିଯାଇଥିଲେ ବି ସେ ସମୟ , ସେ ସ୍କୁଲ ଜୀବନ, ମୃତ୍ୟୁ ପର୍ଯ୍ୟନ୍ତ ଏକ ଅଭୂଲା ଅଧ୍ୟାୟ, ଯାହା କେବେ ବି ଭୁଲି ହେବନା | ସେ ସମୟର ଅନେକ କଥା ଜୀବନ ସୌଧର ନିଅଁ ହୋଇ ରହିଛନ୍ତି | ଏମିତି କିଛି କଥା ସମୟେ ସମୟେ ନଚାହିଁଲେ ବି ହୃଦଯ ରଙ୍ଗମଞ୍ଚରେ ବାରମ୍ବାର ମଞ୍ଚସ୍ଥ ହୋଇଯାନ୍ତି ଯାହାର ମୁଖ୍ୟ କଳାକାର ବାଧ୍ୟହୋଇ ହେବାକୁ ହୁଏ କେବଳ ନିଜକୁ | ନିଜେ କଳାକାର ନିଜେ ବି ଦର୍ଶକ .....ବାଃରେ ଜୀବନର ନାଟକ |

​ସରସ୍ଵତୀ ପୂଜା ଏବଂ ଗଣେଶ ପୂଜା ସ୍କୁଲ ଜୀବନର ସବୁଠୁ ବଡ ଦୁଇଟି ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ | ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନେତୃତ୍ୱିକରଣ, ପ୍ରବନ୍ଧିକରଣ ଓ ସାମାଜିକ ମୂଲ୍ୟବୋଧ ପ୍ରଭୃତି ଗୁଣ ଏହି ପରି ଉତ୍ସବ ଗୁଡିକରେ ଅଂଶ ଗ୍ରହଣ କରିବା ଦ୍ୱାରା ବିକଶିତ ହୋଇଥାଏ | ହେଲେ ଏ ସବୁରେ ଭାଗ ନେବାର ସୁଯୋଗ ସ୍କୁଲ ଜୀବନର ଶେଷ ପର୍ଯ୍ୟନ୍ତ ବି ମୋ ଭାଗ୍ୟରେ କେବେ ଆସି ନଥିଲା | ମୋର ସପ୍ତମରେ ପଢିବା ବେଳ ଠାରୁ ହିଁ ବାପା ଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଲେ ଯାହା ତାଙ୍କୁ ଆଗାମୀ ଛ’ ସାତ ବର୍ଷ ପର୍ଯ୍ୟନ୍ତ ଛାଡି ନଥିଲା | ସେତେବେଳେ ଗୋଟିଏ ପ୍ରାଥମିକ ଶିକ୍ଷକ ଅନିୟମିତ ସ୍ଵଳ୍ପ ଦରମାରେ ଯେନତେନ ପ୍ରକାରେଣ ପରିବାରକୁ ବଞ୍ଚାଇ ପାରେ ସିନା, ତା ପାଖରେ ଦୁର୍ଦ୍ଦିନ ପାଇଁ କିଛିବି ଗଚ୍ଛିତ ସମ୍ବଳ ନଥାଏ | ପୂଜାର ପ୍ରାୟ ମାସେ ପୂର୍ବରୁ ମିଟିଂ ହୁଏ, ଶିକ୍ଷକ ଏବଂ ପିଲାମାନେ ଆଗାମୀ ଉତ୍ସବ ପାଇଁ ଅନେକ ଖସଡା ପ୍ରସ୍ତୁତି କରନ୍ତି, ଯେମିତି କି ସାଜସଜା, ମୂର୍ତି, ଭୋଗରାଗ, ଭୋଜି ଇତ୍ୟାଦି ଇତ୍ୟାଦି | ମୁଁ ସେ ମିଟିଂରେ ଉପସ୍ଥିତ ଥିଲେ ବି ଏକ ବାଧ୍ୟ ନୀରବତାର ପିଞ୍ଜରା ମଧ୍ୟରେ ଫଡଫଡାଉଥିବା ଅବାଧ୍ୟ ମନଟିକୁ ଜବରଦସ୍ତି ପୋଷାମନାଇବାକୁ ଚେଷ୍ଟା କରୁଥାଏ | ଅନେକ ପ୍ରସ୍ତାବ ମନରେ ଆସେ, ନେତୃତ୍ବ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାର ଆକାଂକ୍ଷା ଥାଏ, ବିଦ୍ୟାଳୟ ନାଟକରେ ନାୟକ ଭୂମିକାରେ ଅଭିନୟ କରି ସହପାଠୀ ମାନଙ୍କୁ ନିଜସ୍ଵ ପ୍ରତିଭା ପ୍ରଦର୍ଶନ କରିବାର ଅଦମ୍ୟ ଇଚ୍ଛା ବି ଥାଏ | ହେଲେ ନିଜ ପର ଗୁଡିକୁ ନିଜ ଥଣ୍ଟରେ ନିଜେ ଉଞ୍ଛିପକାଏ ମୁଁ, ନିଜକୁ ସ୍ଵାନ୍ତନା ଦିଏ...... ଏ ଆକାଶ ଏବେ ତୋ ପାଇଁ ନୁହେଁ | 

ପ୍ରଥମ ମିଟିଂ ପରେ ଚାନ୍ଦା ଆଦାୟ ହୁଏ | ପାଠ ପଢାରେ ଦୁର୍ବଳ କିନ୍ତୁ ଶାରୀରିକ ସବଳ ପିଲା ଯେ କି ଥରେ ଦିଥର ଫେଲଫାଲ ହୋଇ ସେହି କ୍ଳାସରେ ରହିଥାନ୍ତି, ସେମାନେ ଚାନ୍ଦା ଆଦାୟର ନେତୃତ୍ଵ ନିଅନ୍ତି | ଆଠ ଦଶ ଦିନ ପରେ ଚାନ୍ଦା ନଦେଇ ଥିବା ପିଲା ମାନଙ୍କୁ ଶୀଘ୍ର ଦେବା ପାଇଁ ତାଗିଦ କରାଯାଏ | ପନ୍ଦର ଦିନ ପରେ ଚାନ୍ଦା ନଦେଇଥିବା ପିଲାଙ୍କର ଲିଷ୍ଟ ଶ୍ରେଣୀ ଶିକ୍ଷକ ପଢି ଶୁଣାନ୍ତି | ପ୍ରଥମେ ପ୍ରଥମେ ଚାଳିଶିରୁ ଚାରି ପାଞ୍ଚ, ଦିନେ ଦୁଇ ଦିନ ପରେ ଜଣେ ଦି’ଜଣ ଏବଂ ସର୍ବଶେଷରେ ବାସ ଏକ ମାତ୍ର ପିଲା ଚାନ୍ଦା ଦେଇ ନଥାଏ | ଶିକ୍ଷକ ଏବଂ ନେତୃତ୍ଵ ଗ୍ରହଣ କରିଥିବା ତତ ସମ୍ବନ୍ଧିତ ପ୍ରଶ୍ନ – କାହିଁକି ଦେଇନ, କେବେ ଦେବା ଇତ୍ୟାଦିର ଉତ୍ତର ଜାଣିଥିଲେ ବି ଦେଇ ହୁଏନା | ପୂଜା ତିନି ଦିନ ଥାଇ ସ୍କୁଲ ପଡିଆରେ ସବୁ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶେଷ ମିଟିଂ କରାଯାଏ ପୂଜା ସମ୍ବନ୍ଧିତ ସମସ୍ତ ବିଷୟକୁ ଅନ୍ତିମ ରୂପରେଖ ଦେବା ପାଇଁ | ସେ ଦିନ ମୋ ପାଇଁ ପୁଣି ଏକ ଅପସନ୍ଦିଆ ଏବଂ ନିହାତି ଅସହଜ ମନେ ହେଉଥିବା ମୂହୁର୍ତ୍ତ ଆସେ | ଏଇ ଚାରି ଦିନ ତଳେ କ୍ଳାସରେ ଚାଳିଶ ପିଲାଙ୍କ ମଧ୍ୟରେ ଏକା ଛିଡା ହୋଇଥିବା ପିଲାଟି ପୁଣି ଥରେ ପାଞ୍ଚ ଶହ ପିଲାଙ୍କ ମଝିରେ ମୁହଁ ଶୁଖେଇ ଏକୁଟିଆ ଛିଡା ହୁଏ | ସାମ୍ନାରେ ଶିକ୍ଷକମାନଙ୍କ ବିରକ୍ତି ଭାବ ଓ ସମ୍ପୂର୍ଣ ବିଦ୍ୟାଳୟ ପିଲାଙ୍କର ତାଚ୍ଛଲ୍ୟ ଦୃଷ୍ଟିକୁ ମୁଁ ଏକୁଟିଆ ସାମ୍ମୁଖୀନ ହୁଏ | କିଛି ଗୁଣୁ ଗୁଣୁ ଶବ୍ଦ – ଆରେ ସିଏ ଚାନ୍ଦା କେବେ ଦିଏ ଯେ ଆଜି ଦବ – କାନରେ ପଡେ | ଭିତରେ ଭିତରେ ହୃଦୟ କ୍ଷତାକ୍ତ ହୁଏ | ମୁହଁ ଟାଣରେ ଅବିଚଳିତ ଭଙ୍ଗୀରେ ଦଣ୍ଡାୟମାନ ରହିଥିଲେ ବି ମନ ଆତ୍ମଗ୍ଳାନିରେ ଉବୁଟୁବୁ ହେଉଥାଏ , ଆଖି ଦୁଇଟି ନହେଲେ ବି ହୃଦୟର ଅଳିନ୍ଦ ନିଳୟରେ ଲୁହ ଓ କୋହର ଜୁଆର ଉଠେ | ମୁଁ ଶ୍ରେଣୀରେ ଅନେକ ଜଟିଳ ପ୍ରଶ୍ନର ଉତ୍ତର ସଭା ଆଗ ଦେଇ, କେତେ ଥର ଏକୁଟିଆ ଠିଆ ହୋଇ, ଶିକ୍ଷକଙ୍କ ବାହା ବାହା ନେଇଛି, ବାର୍ଷିକ ପରୀକ୍ଷା ଫଳ ବାହାରିବା ଦିନ ଅନେକ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ଗର୍ବର ଶହ ଏକୁଟିଆ ଛିଡା ହୋଇ ଅନେକଙ୍କ ପ୍ରଶଂସାର ଏବଂ କିଛି ପ୍ରତିଦ୍ଵନ୍ଦୀ ସହାପାଠୀଙ୍କର ଈର୍ଷାର ପାତ୍ର ହୋଇଛି | ହେଲେ ସେ ସମୟର ସମସ୍ତ ଖୁସିର ଆଲୁଅ ଯେମିତି କି ଏପରି ଅବସରରେ ଏକ ଘନ କଳା ବାଦଲ ତଳେ ବିଲୁପ୍ତ ହୋଇଯାଏ |

ସମୟର ଚକ ଗଡି ଚାଲେ | ସପ୍ତମରୁ ଅଷ୍ଟମ.. ନବମ.. ଦଶମ.. ଏକାଦଶ.. ଏମିତି ଏବଂ ତା ସହ କିଶୋରାବସ୍ଥାର ଭୂମି ଉପରେ ଯୌବନର ଅଙ୍କୁରୋଦ୍ଗମ ହୁଏ | ଶରୀରର ପରିବର୍ତ୍ତନ ସଙ୍ଗେ ସଙ୍ଗେ ମନରେ ଅନେକ କିଛି ନିତି ନିତି ବଦଳେ | ସ୍ଵପ୍ନ ମାନେ ଅଧିକ ରଙ୍ଗୀନ ଦିଶନ୍ତି ଆଉ ଅଶାର ଆକାଶରେ ଆକାଂକ୍ଷାର ଚଢେଇ ଖଣ୍ଡି ଉଡା ଦିଏ | ଏପର୍ଯ୍ୟନ୍ତ ଅଜଣା ଅନେକ ଶବ୍ଦ – ମାନ, ଅଭିମାନ, ସ୍ଵାଭିମାନ, ଅପମାନ ପ୍ରଭୃତି ଅନେକ ଶବ୍ଦାବଳୀ ଜୀବନର ଅଭିଧାନରେ ଯୋଡି ହୋଇଯାନ୍ତି | ହଠାତ ଅଦ୍ୟାବଧି ଅସମ୍ବେଦନଶୀଳ ଏକ ହୃଦୟ ରାତାରାତି ନୂଆ ନୂଆ ସମ୍ବେଦନାରେ ପରିପୂର୍ଣ ହୋଇଯାଏ | ବର୍ଷା, ଶୀତ ଓ ବସନ୍ତ ମଧ୍ୟରେ ଫରକ ବାରି ହୋଇ ପଡେ .. .. ଇତ୍ୟାଦି ଇତ୍ୟାଦି | ସହାପାଠିନୀ ମାନେ ସୁନ୍ଦର ଦେଖାଯାନ୍ତି ଏବଂ ପୂଜା ସମୟରେ ସାଙ୍ଗମାନେ କହନ୍ତି ଯେ ସେମାନେ କୁଆଡେ ସ୍କୁଲ ଇଉନିଫର୍ମ ଛାଡି ନୂଆ ନୂଆ ରଙ୍ଗୀନ ପୋଷାକରେ ଆହୁରି ସୁନ୍ଦର ଦିଶାନ୍ତି | ଇଚ୍ଛା ହୁଏ ସେମାନଙ୍କୁ ପ୍ରଭାବିତ କରିବା ପାଇଁ କିଛି ବି କରିବାକୁ – କ୍ଳାସରେ ଲିଡର୍ସିପ କରି ବା ଭଲ ଖେଳ କୁଦ କରି ବା ବଢିଆ ପୋଷାକ ପିନ୍ଧି ବା ପରୀକ୍ଷାରେ ଉଚ୍ଚ ସ୍ଥାନ ରଖି | ହେଲେ ମୋର ବାପାଙ୍କ ଅସୁସ୍ଥତା ଜନିତ ଆର୍ଥିକ ଦୁରବସ୍ଥା ଯୋଗୁ ମୋ ପାଖରେ କେବଳ ଅନ୍ତିମ ଉପାୟଟି ହିଁ ଏକ ମାତ୍ର ପନ୍ଥା ଥିଲା, ଯଦିଓ ଏବେ ଭାବିଲେ ହସ ଲାଗେ ଓ ସନ୍ଦେହ ବି ହୁଏ ଯେ ତାହା ଦ୍ବାରା ମୁଁ ସେମାନଙ୍କୁ ଇମ୍ପ୍ରେସ କରି ପାରୁଥିଲି କି ନାହିଁ | ହେଲେ ପରୀକ୍ଷା ଫଳ ବାହାରିବାରେ ମନ ମୋର କୁଣ୍ଢେ ମୋଟ ହୁଏ, ସରସ୍ବତୀ ଓ ଗଣେଶ ପୂଜା ସମୟରେ ମୋତେ କର୍କଶ ଭାବେ ବାନ୍ଧି ପକାଇଥିବା ମୋଟା ଦଉଡିଟା ଜୀର୍ଣ ସୂତା ଖଣ୍ଡେ ପରି ଗଡ ଗଡ ହୋଇ ଛିଡିଯାଏ |

ହେଲେ ପୁଣି ଥରେ ପୂଜା ଆସେ | ପୁଣି ସେହି ଅପମାନ, ପୁଣି ସେହି ଯନ୍ତ୍ରଣା | ଭିତରେ ଘୋର ବିଦ୍ରୋହର ଝଡ ଉଠେ | ହେଲେ ନିରୁପାୟ, ସମୟ ସହ ସାଲିଶ କରିବାକୁ ହୁଏ, ସାମୟିକ ଅପମାନକୁ ସହିବାକୁ ହୁଏ | ଯଦିଓ ମୋର ସହପାଠୀ କେତେ ଜଣ ମୋଠୁ ଅଧିକ ନହେଲେ ବି ମୋ ପରି ଆର୍ଥିକ ରୂପେ ଦୁର୍ବଳ ବର୍ଗର ଥାଆନ୍ତି, ହେଲେ ଦାରିଦ୍ର୍ୟର ଏପରି ଅପମାନଜନକ ସ୍ଥିତି ମୋର ପିଲା ମନରେ ଅନେକ ପ୍ରଭାବ ପକାଉଥିଲା | ସମାଜ ପ୍ରତି କ୍ରୋଧ ଜାତ ହେଉଥିଲା, ଯେହେତୁ କେହି ବି ମୋର ବାସ୍ତବ ଅବସ୍ଥାକୁ ହୃଦୟଙ୍ଗମ ନକରି, ମୋତେ ଭିଡ ଭିତରେ ଅଲଗା ଛିଡା କରୁଥିଲେ ଯଦିଓ ମୋର ଆର୍ଥିକ ଦୂରାବସ୍ଥା କାରଣରୁ | ଏପରିକି ମୋର ତତ୍କାଳୀନ ତଥାକଥିତ ପରିବାର ବି ମୋର ଏ ଅନାଥପଣିଆର ଅଗ୍ନିକୁ ନିର୍ବାପିତ କରିବାର ପ୍ରଚେଷ୍ଟା ତ ଦୂରର କଥା, ପ୍ରତ୍ୟକ୍ଷ ବା ପରୋକ୍ଷରେ ଏହାକୁ ଅଧିକ ପ୍ରଜ୍ଜ୍ୱଳିତ କରିବାରେ ଦାୟୀ ଥିଲେ | ମୋର କକେଇ, ଯେ କି ନିଜେ ଜଣେ ହାଇ ସ୍କୁଲ ଶିକ୍ଷକ ଥିଲେ, ସେ ବି ପୂଜା ଚାନ୍ଦା ତ ଛାଡ, ପାଠ ପଢାର ନିମ୍ନତମ ଆବଶ୍ୟକତାକୁ ମଧ୍ୟ ଉପେକ୍ଷା କରୁଥିଲେ | ନିଜ ପରିବାରରେ ନିଜେ ଜଣେ ଇତର ଅନାଥ ବାଳକ ପରି ରହୁଥିବା ପିଲା ଥିଲି ମୁଁ | ହେଲେ ଏ ସବୁ ଥିଲା ଅଜାଗା ଘା’ ପରି | ସମସ୍ତଙ୍କ ଅଜାଣତରେ ସହିବାକୁ ହେଉଥିଲା ଏହି ଭାବନାତ୍ମକ ଉତ୍ପୀଡନକୁ |

ପିଲା ବେଳ, ସମସ୍ତଙ୍କ ଜୀବନର ଏକ ଏକ ବିଭୁଦତ୍ତ ଅମୃତମୟ କାଳ | ଅଭାବ ଅନାଟନ, ଅସୁବିଧା କିମ୍ବା ସାଂସାରୀକ ବାଧା ବିଘ୍ନର ଚିହ୍ନ ଗୁଡିକ ବାଲ୍ୟ ସୁଲଭ ମନ ଉପରୁ ସ୍ବତଃ ଲିଭିଯାନ୍ତି | ଏ ଚକ୍ର ଏଇମିତି ଚାଲିଥାଏ |ଏମିତି ପ୍ରତି ବର୍ଷ ଦୁଇ ଦୁଇ ଥର ସ୍କୁଲରେ ପୂଜା ହୁଏ | ସେମିତି ପ୍ରତି ବର୍ଷ ଦୁଇ ଦୁଇଟା ପରୀକ୍ଷା ହୁଏ | ପୂଜା ସମୟର ଗଭୀର କ୍ଷତଗୁଡା ପରୀକ୍ଷାରେ ଉଚ୍ଚତମ ଅଙ୍କ ହାସିଲ କରିବାରେ ବଳେ ବଳେ ଉଭେଇ ଯାଆନ୍ତି | ସମସ୍ତ ପ୍ରତିକୂଳ ଅବସ୍ଥା ପ୍ରକାରାନ୍ତରେ ସ୍ରୋତର ପ୍ରତିକୂଳରେ ଜୀବନ ନୌକାକୁ ବାହିନେବାକୁ ବାହୁରେ ବଳ ଏବଂ ମନରେ ସାହସ ଜାତ କରେ | ମୁଁ ମଧ୍ୟ ମୋର ଏପରି ସମୟରେ ନିଜର ଭବିଷ୍ୟ ଉନ୍ନତି ପାଇଁ ବିଦ୍ୟାର୍ଜନକୁ ଏକ ମାତ୍ର ପନ୍ଥା ଭାବେ ଧରି ପାଠ୍ୟ ଉପକରଣର ଅଭାବ ଏବଂ ପ୍ରତିକୂଳ ଘରୋଇ ପରିସ୍ଥିତି ସତ୍ବେ କଠିନ ପରିଶ୍ରମ କରୁଥାଏ ଏବଂ ସଫଳତା ପାଇଁ ବାଗ୍ଦେବୀ ସରସ୍ଵତୀଙ୍କୁ ସର୍ବଦା ପ୍ରାର୍ଥନା କରୁଥାଏ | ପୂଜା ପାଖକୁ ଯାଇ ପୁଷ୍ପାଞ୍ଜଳି ତ ଦେଇ ପାରେନା, ହେଲେ ପିଲା ବେଳେ ବୋଉ ଶିଖାଇଥିବା ସରଳ ସୁନ୍ଦର ଗୀତ ଦି ଧାଡ଼ି -

“ସରସ୍ବତୀ ମା’ କଣ୍ଠେ ଥା – ବିଦ୍ୟା ନ ଆସିଲେ କହି ଦେଉ ଥା”

ମନେ ମନେ ଜପକରେ, ପଡିଶା ଘର ମୂର୍ତ୍ତି ପାଖରେ ପୁରୁଣା ଫାଉଣ୍ଟେନ କଲମକୁ ଧୋଇ ଧାଇ ଥୋଇ ଆସେ, ବହି ଗୁଡିକୁ ପିଢା ଉପରେ ଥାକ କରି ରଖି ମୁଣ୍ଡିଆ ମାରେ, ମନେ ମନେ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ ହେବାର କାମନା ରଖେ .........|

ଏମିତି ଭାବୁ ଭାବୁ କାଉ କା କା ରେ ପ୍ରକୃତିସ୍ଥ ହୋଇ ଦେଖିଲି ସମୟ ଛ’ ଟା ବାଜିବାକୁ ହେଲାଣି | ଅନେକଟା ଓଲଟା ବୁଲିଯାଇଥିବା ସମୟର କଣ୍ଟାଟି ମୁହୂର୍ତ୍ତକରେ ଘିରି ଘିରି ବୁଲି ଯେମିତି ସ୍ଥିର ହୋଇଗଲା ପୁଣି ବର୍ତ୍ତମାନରେ | ତରତରରେ ସ୍କୁଟିଟା ବାହାର କରି ଛକରୁ ଫୁଲ ମାଳ ଓ ଝୁରା ଫୁଲ କିଛି କିଣି ଆଣିଲି | ଫେରି ଦେଖେତ ମୋର କୁନି ନାତୁଣୀ ବି ଉଠିଯାଇଛି | ବୋହୁ ତାକୁ ଗାଧେଇ ପାଧେଇ ସ୍କୁଲ ଯିବାକୁ ପ୍ରସ୍ତୁତ କରୁଛି | ଆଲମାରୀରୁ ନୂଆ ଫ୍ରକଟିକୁ ବାହାରକରି ଯେଇମିତି ତାକୁ ଦେଖେଇଛି, ତାର ଖୁସି ଆଉ ଦେଖିବ କ’ଣ | କିଛି ସମୟରେ ପରିଟିଏ ପରି ରେଡି ହୋଇ ବାହାରି ପଡିଲା – ଚାଲ ବାବା ମୋତେ ସ୍କୁଲ ନେଇ ଜଲ୍ଦି ଚାଲ | ଜେଜେ ବାପା ନାତୁଣୀ ବାହାରିଲୁ | ବାଟରେ ଗୋଟିଏ ନୂଆ ଖାତା ଓ କଲମ କିଣି ସୁନ୍ଦର ଭାବେ ପ୍ୟାକିଂ କରି ତା ଉପରେ ନାଁ “ଏଞ୍ଜେଲ-ଏଲ କେ ଜି “ ଲେଖି ତାକୁ ଧରାଇଦେଇ କହିଲି ଏଇଟା ସରସ୍ବତୀ ମାଁ ଙ୍କର ପାଦ ପାଖରେ ରଖି କହିବୁ “ସରସ୍ବତୀ ମା କଣ୍ଠେ ଥା, ବିଦ୍ୟା ନଆସିଲେ କହିଦେଉ ଥା” | ଏଞ୍ଜେଲ ମୁଣ୍ଡ ଟୁଙ୍ଗାରି ସ୍କୁଟି ପଛରେ ବସି ପଡିଲା |

ସ୍କୁଲ ଗେଟ ପାଖରେ ପହଁଚିଲୁ | ଦେଖିଲି ସ୍କୁଲ ପିଲା ମାନଙ୍କୁ – ନୂଆ ନୂଆ ପୋଷାକ ପିନ୍ଧି, ହାତରେ ଭୋଗ ଓ ଫୁଲ ଧରି ବଡ ଉତ୍ସାହର ସହ ସହର୍ଷ ବଦନରେ ରୁଣ୍ଡ ହୋଇଛନ୍ତି | ଭିତରେ ହତା ଭିତରେ ସୁସଜ୍ଜିତ ମଣ୍ଡପରେ ଶୋଭା ପାଉଥାନ୍ତି ମା ବାଗ୍ଦେବୀ | ଗେଟ ଖୋଲିଲା | ପିଲାମାନେ ଅତି ଖୁସିରେ ଚାଲିଲେ ପୂଜା ପେଣ୍ଡାଲ ପାଖକୁ | ଏଞ୍ଜେଲ ବି ସେଇ ହସ ଖୁସିର ଭିଡ ଭିତରେ ନିଜକୁ ହଜାଇଦେଲା | ମୁଁ ବି କିଛି ସମୟ ପାଇଁ ଯେମିତି ମୋ ଭିତରେ ହଜି ଯାଇ ମନେ ମନେ ଗାଉଇଥିଲି “ସରସ୍ବତୀ ମା କଣ୍ଠେ ଥା, ବିଦ୍ୟା ନଆସିଲେ କହିଦେଉ ଥା” | ଅତୀତର ଅନ୍ଧାରିଆ ଟାପୁଟି ଆଜି ପୁର୍ଣିମାର ଉତ୍ତାଳ ଜୁଆର ତଳେ ଡୁବି ଡୁବି ଯାଉଥାଏ | କୃଷ୍ଣ ସାଗରର ବୁକୁରେ ଥିଲା ବୁକୁଏ ରୁପେଲି ଜ୍ୟୋତ୍ସ୍ନା |



Rate this content
Log in