Jyotiranjan Acharya

Inspirational

4  

Jyotiranjan Acharya

Inspirational

ପରିବାର

ପରିବାର

7 mins
332



“ସୁଖ ସଂସାର”, କୋଲୋନୀର ସରୁ ଗଳିଟିର ଶେଷ ମୁଣ୍ଡରେ ସ୍ଥିତ ଦୁଇ ମହଲା ଘରଟି, ସେମିତିବି କ୍ଵଚିତ କାହାର ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୁଏ | ଏକ ସୁନେଲି ସ୍ବପ୍ନର ନିଅଁ ଉପରେ ଘରଟିଏ ତିଆରି ହୁଏ, ପ୍ରତିଟି ଇଟାରେ ଲେଖାଥାଏ ପାରିବାରିକ ସୁଖ ସଂକଳ୍ପର ଶବ୍ଦାବଳୀ | ନାଁ ତ ଦିଆଯାଏ ଅନେକ କିଛି ଆକାଂକ୍ଷାର ପରିପୂର୍ଣତାର ଆଶା ନେଇ, ହେଲେ ସମୟ ସୁଅରେ ବହି ବହି, କାଳର ଭଉଁରିରେ ଡୁବି ଡୁବି ସଂକଳ୍ପ ଓ ସିଦ୍ଧି, ନାମ ଓ ବାସ୍ତବତା ବେଳେ ବେଳେ ଦୁଇଟି ଅଲଗା ଅଲଗା କୂଳରେ ଲାଗନ୍ତି, ପରସ୍ପର ଠାରୁ ବହୁ ଦୂରରେ, ଯେଉଁଠାରୁ ପ୍ରତ୍ୟ|ବର୍ତ୍ତନର ରାସ୍ତା ନଥାଏ, ନଥାଏ ସମ୍ଭାବନା ପୁନର୍ମିଳନର |

ଆଜି ପାଖ ପଡୋଶୀଙ୍କ ଠାରୁ ଆରମ୍ଭ କରି ସେବାଟେ ଯାତାୟାତ କରୁଥିବା ସାଧାରଣ ଜନତାଙ୍କର ମଧ୍ୟ ଧ୍ୟାନ ନିଜ ଆଡକୁ ଆକର୍ଷିତ କରୁଛି “ସୁଖ ସଂସାର” | ଅନେକ ଦିନରୁ ଶୂନ ଶାନ ଜନଶୂନ୍ୟ ଏବଂ କୋମା ଅବସ୍ଥାରେ ଶୋଇ ପଡିଥିବା ଘରଟି ଯେମିତି ଏକ ଲମ୍ବା ଗହୀରା ନିଦରୁ ଉଠି ପଡିଛି; ଦୀର୍ଘ ଏକ ରାତ୍ରିର ଶେଷରେ ଆଉ ଏକ ସକାଳ ଆସିଛି | ବଡ ମେନ ଗେଟଟା ଖୋଲା ଅଛି | ଭିତରେ ବେଶ ଚହଳ ପହଳ ବି ଲାଗୁଛି |

ଗଳିରେ ପଶୁଥିବା କବାଡିବାଲା ବି ସାଇକେଲ ବ୍ରେକ ଦେଇ ଗୋଡ ତଳେ ଲଗାଇ କ୍ଷଣେ ରହିଯାଇ ଘରଟି ଆଡକୁ ମୁହଁ ବୁଲାଇ ଅନିଶା କରୁଥାଏ | ଅବଶ୍ୟ ଏ ଘରଟି ସଙ୍ଗେ, ମାନେ ଘରେ ରହୁଥିବା ମିଶ୍ରବାବୁଙ୍କ ସଙ୍ଗେ ତାର ବହୁତ ପୁରୁଣା ସମ୍ପର୍କ | ସବୁ ଦିନ ସକାଳୁ ସକାଳୁ ଖଣ୍ଡି ଓଡିଆରେ – ଭାଙ୍ଗା ଟୁଟା ଲୁହା ଟିନ ଦେବ, ପୁରୁନା ଖାତା ବୋଇ ଦେବ, କାଁଚ ବୋତଲ ପିଲାଷ୍ଟିକ ଦେବ ....... ଚିଲେଇ ଚିଲେଇ ଗଳି ଭିତରକୁ ପଶେ ସେ | ମିଶ୍ରବାବୁଙ୍କ ଘର ପାଖରେ ଗଳିଟି ଶେଷ ହୁଏ ଯେଉଁଠି ସେ ତାର ସାଇକେଲର ପେଡାଲ ଉପରେ ପାଦକୁ ସ୍ଥିର କରି ଗତିକୁ ଧିମା କରି ଇଉ କ୍ରମରେ ଯେଉଁ ଆଡୁ ଆସିଥାଏ ପୁଣି ସେହି ଆଡକୁ ବୁଲାଉ ବୁଲାଉ ଜୋର ଲଗାଇ ଆହୁରି ଦୁଇ ଚାରି ଥର ଏମିତି ବଙ୍ଗାଳିଆ ଓଡିଆରେ ଚିଲାଏ କାଳେ କେଉଁ ଘରୁ କିଛି ଭଙ୍ଗା ରୁଜା ରଦି ଜିନିଷ ମିଳିଯିବ | ଲାଗେ ରବି ବାରିଆ ବା ଛୁଟି ଦିନ ସକାଳୁ ଯେବେ ଲୋକମାନେ ଟିକେ ଡେରିରେ ଉଠିବାକୁ ଭଲ ପାଆନ୍ତି ୟାର ଏମିତିଆ ତୀକ୍ଷା ଚିତ୍କାର ତାଙ୍କୁ ନିଶ୍ଚେ ବିରକ୍ତ କରୁଥିବ | ହେଲେ ମିଶ୍ରବାବୁ ଯେମିତି ଚାହିଁ ରହିଥାନ୍ତି ତା ବାଟକୁ | ପୁରୁଣା ଖବର କାଗଜ, ଓଷଦ ବୋତଲ, ପିଷ୍ଟ ବୋର୍ଡ କାଟୁନ, ପୁରୁଣା କଟା ଛିଣ୍ଡା ବିଜୁଳି ତାର ସବୁ ଅଲଗା ଅଲଗା କରି ମାସକୁ ତିନି ଚାରି ଥର ଅପେକ୍ଷା କରିଥାନ୍ତି ମିଶ୍ର ବାବୁ | ବହୁତ ଦରଦାମ କରନ୍ତି, ଓଜନ ଅପେକ୍ଷା ଖଣ୍ଡେ ହେଲେ ଖବର କାଗଜ ଅଧିକା ଦିଅନ୍ତିନି, ଟଙ୍କେ ଦି’ ଟଙ୍କା ପାଇଁ ଝିକ୍ ଝିକ୍ ବି କରନ୍ତି | ସେତେ ବେଳେ କବାଡିବାଲାଟି ଭାବେ ବୁଢା ଗଲା ବେଳେ କଣ ସାଙ୍ଗରେ ନେଇଯିବ କେଜାଣି | ତଥାପି ସବୁ ସପ୍ତାହରେ ତାଙ୍କୁ ହିଁ ଖୋଜିହୁଏ, ଆଉ କିଛି ପାଇଁ ନହେଲେ ବି ନିଜ ବ୍ୟବସାୟର ଲାଭରେ କାରଣ ଅନ୍ୟମାନେ ଅଦରକାରୀ ଜିନିଷକୁ ବାହାରେ ଫିଙ୍ଗି ଦେବେ ପଛେ ଏକାଠି କରି ତାକୁ ବିକିବାକୁ ନିଜର ସମ୍ମାନ ହାନି ବୋଲି ଭାବିବା ବେଳେ ୟାଙ୍କ ପରି ଲୋକଙ୍କ ଯୋଗୁଁ ତାର ବ୍ୟବସାୟ ଚାଲୁଥିଲା | ହେଲେ ଏଇ କିଛି ମାସ ହେଲା ସେ ତା ପାଇଁ ସେହି ବିରଳ ବ୍ୟକ୍ତିତ୍ୱଟିକୁ ମନେ ମନେ ଖୋଜି ଆସୁଛି | ଯେବେ ବି ସେ ଗଳିଟିର ଚକ୍କର ଲଗାଏ, ଭିତରକୁ ଝାଙ୍କେ, ଘରର ମୁଖ୍ୟ ଫାଟକର ଗ୍ରିଲ ଫାଙ୍କରୁ ଦିଶେ , ଗ୍ୟାରେଜରେ ବର୍ଷା ଦିନିଆ ଶିଉଳି ଜମିଗଲାଣି, ବାଲକୋନୀରୁ ଶୁଖି ଯାଇଥିବା ମନି ପ୍ଲାଣ୍ଟର ଲଟା ଗୁଡିଏ ଝୁଲି ପଡିଛନ୍ତି, ଶୁଖିଲା ଝରା ପତ୍ରରେ ଦାଣ୍ଡ ଅଗଣା ଢାଙ୍କି ହୋଇ ରହିଛି | ମନରେ କେତେ କ’ଣ ଆଶଙ୍କା କରେ, ହେଲେ କାହାକୁ ପଚାରିବ | ସେ ଏ ସହରକୁ ଭଲ ଭାବେ ଚିହ୍ନେ | ଭୁବନେଶ୍ଵରିଆ ପଡୋଶୀଙ୍କ ପାଖରେ ନିଜ ବ୍ୟତୀତ ଆଉ କାହାର ଖବର ନେବାକୁ ସମୟ ବା କାହିଁ? କିନ୍ତୁ କିଛି କିଛି ମାନବିକତା ଏବେ ବି ରହି ଯାଇଛି ଏ କବାଡି ବାଲାଙ୍କ ପରି ନିମ୍ନ ବିତ ମଣିଷ ମାନଙ୍କ ଭିତରେ, କାରଣ ସେମାନେ ଅଧିକାଂଶ ସହରରେ ନୁହେଁ ବସ୍ତି ବାସିନ୍ଦା, ଯେଉଁଠି ମଣିଷପଣିଆଟା ସ୍ଵାର୍ଥନ୍ଵେଷୀ ସହର ଭିତରୁ ଅଣନିଶ୍ବାସୀ ହୋଇ ଆଶ୍ରୟ ନେଇଛି, ଏହି ଭଳି ସାଧାରଣ ମଣିଷମାନଙ୍କ ଗହଣରେ, ଯେଉଁମାନଙ୍କର ସେମାନଙ୍କ ବସ୍ତି ବାହାରେ କିଛି ବ୍ୟକ୍ତିଗତ ପରିଚୟ ନଥାଏ ଏବଂ ସହରୀ ବାବୁ ମାନେ ସେମାନଙ୍କୁ ବାସ୍ କବାଡିବାଲା, ମୁଢିବାଲା, ମୋଚି, ମିସ୍ତ୍ରୀ ଇତ୍ୟାଦି ନାମରେ ହିଁ ନାମିତ କରି ଦିଅନ୍ତି |

ଆଜି କିନ୍ତୁ କବାଡିବାଲା ଦୀର୍ଘ ଦିନ ପରେ ଘର ଭିତରେ ଅନେକ ଲୋକଙ୍କର ହଲଚଲ ଦେଖି ଟିକେ ଅଧିକ ଉତ୍ସୁକ ହୋଇ ପଡିଥିଲା | ବାବୁ ଜଣେ ଘର ଅଗଣାକୁ ଭଲ ଭାବେ ସଫା କରିବା ପାଇଁ ଝାଡୁଦାରକୁ ତାଗିଦ କରି କହୁଥାନ୍ତି – ଆରେ ଭାଇ କଲେକ୍ଟର ସାହାବ ଆସିବାକୁ ଅଳ୍ପ ସମୟ ରହିଲା, ଜଲ୍ଦି ଜଲ୍ଦି ହାତ ଚଲାଅ; ଝରକାର କାଚ ସବୁ ଓଦା କନାରେ ଭଲ କରି ସଫା କର.. .. |

 ନିଜ ଭିତରର ଉତ୍ସୁକତାକୁ ଆଉ ଅଧିକ ରୋକି ପାରିନଥିଲା କବାଡିବାଲା | ଟିକେ ଦ୍ଵିଧାଅପୂର୍ଣ କଣ୍ଠରେ ପଚାରିଲା - ବାବୁ ଏ ଯୋଉ ବୁଡ଼ା ବାବୁ ମିଶ୍ର ସାର ଏଖାନେ ରହୁଥେଲେ, ଭାରି ଭାଲ ମାନୁସ | ତୁମି ବାବୁ ତାଙ୍କେ ପୁଅ କି? ପ୍ରଥମେ ବାବୁ ଜଣକ ଏ ପ୍ରଶ୍ନକୁ କୌଣସି ଧ୍ୟାନ ଦେଇ ନଥିଲେ, କିନ୍ତୁ ମୁହଁ ବୁଲାଇ ଦେଖିଲେ କି ଏବେ ବି କବାଡିବାଲାଟି ଏକ ପ୍ରଶ୍ନବାଚୀ ନୟନରେ ତାଙ୍କ ଉତ୍ତରକୁ ଅବିଚଳିତ ଭାବେ ସେଇମିତି ଅପେକ୍ଷା କରିଥାଏ | ସେ ବାବୁ ଜଣକ କହିଲେ – ଆରେ ନାଁ ନାଁ ଆମେ ସବୁ ମୁନିସିପାଲିଟି ଅଫିସର ଲୋକ | ଏତିକି କହି ସେ ପୁଣି ନିଜ କାମରେ ଲାଗିଗଲେ | ହେଲେ ତାଙ୍କର ଏ ସଂକ୍ଷିପ୍ତ ଉତ୍ତର କବାଡିବାଲାର ହୃଦୟର ସେହି ବଡ ଏକ ପ୍ରଶ୍ନବାଚକ ଚିହ୍ନକୁ ଲିଭାଇ ତ ପାରି ନଥିଲା ବରଂ ତାକୁ ଅଧିକ ଗାଢା କରି ଦେଲା | ସେ ଆଉଟିକେ ଆଗକୁ ଯାଇ ଚେହେରାରୁ ଆଉଟିକେ ତଳ ଶ୍ରେଣୀୟ ଲାଗୁଥିବା ବାବୁଙ୍କୁ ମିଶ୍ର ବାବୁଙ୍କ ବିଷୟରେ କିଛି ଛୋଟ ଛୋଟ ପ୍ରଶ୍ନ ପଚାରିଲା | ସେ ଜାଣିବାକୁ ପାଇଲା ଯେ ସେ ବାବୁ ଜଣକ ଗୋଟିଏ ସ୍ବୟଂ ସେବି ସଂସ୍ଥାର ମାଲିକ ଯେ କି ଏକ ଅନାଥାଶ୍ରମର ପରିଚାଳନା କରନ୍ତି | ତାଙ୍କର ଖଣ୍ଡ ବିଖଣ୍ଡିତ ଉତ୍ତର ଗୁଡିକୁ ଯୋଡିଯାଡି ସେ ଏଇଆ ବୁଝିଲା ଯେ –

ଚାରି ମାସ ତଳେ ମିଶ୍ର ବାବୁ ହଠାତ ବହୁତ ଅସୁସ୍ଥ ହେଲେ | କିଛି ଦିନ ଔଷଧ ଖାଇବା ପରେ ବି ସେ ସୁସ୍ଥ ହୋଇନଥିଲେ ଏବଂ ଏ ବିଷୟ ନିଜ ପୁଅ ଯେ କି ଆମମେରିକାରେ ରହେ ତାଙ୍କୁ ଫୋନରେ ଜଣାଇଥିଲେ | ହେଲେ ପୁଅ କୁଆଡେ ଅଧିକ କାର୍ଯ୍ୟ ବ୍ୟସ୍ତତା ହେତୁ ତାରିଖ ପରେ ତାରିଖ ଗଡେଇ ଚାଲିଥିଲେ ଏବଂ ଆଖିରୀ ଆସି ପାରିନଥିଲେ | ଘର କାମ କରୁଥିବା କାମବାଲି ବା ରୋଷେୟା ବହୁ ଚେଷ୍ଟା କରି ସେବା ଶୁଶ୍ରୂଷା ପଥି ପାଞ୍ଚଣ କରୁଥିଲେ, ଔଷଧ ବି ଚାଲିଥିଲା | ହେଲେ ଏ ବୟସରେ ଡାକ୍ତର, ଔଷଧ, ସେବା ଲେଭା ପରି ଔପଚାରିକତା ସଙ୍ଗେ ସଙ୍ଗେ ନିଜର ପରିବାର ସ୍ଵଜନଙ୍କର ଭୂମିକା ରୋଗଗ୍ରସ୍ତ ବାର୍ଦ୍ଧକ୍ୟରେ ଅସଲି ଉପଚାର ପ୍ରଦାନ କରିଥାଏ ଯଦ୍ଵାରା ଭିତରର ଆତ୍ମା ପ୍ରାଣବନ୍ତ ହୁଏ, ତା ଭିତରେ ଅଧିକରୁ ଅଧିକ ଜୀବନୀ ଶକ୍ତିର ସଂଚାର ହୁଏ | ତାପରେ ବାହ୍ୟ ଶରୀରର ଆପେ ଆପେ ଚିକିତ୍ସା ହୋଇଯାଏ | ତେଣୁ ମିଶ୍ର ବାବୁଙ୍କ ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଲା | କିଛି ଦିନ ପରେ ଯେବେ ପୁଅ ବୋହୁ ଆସିବାର ଆଶା ମଉଳି ଗଲା, ମିଶ୍ର ବାବୁ ତାଙ୍କ ଝିଅଙ୍କୁ ଫୋନ କରି ନିଜର ଦୂରାବସ୍ଥା ଜଣାଇଲେ | ସେ ବି ତାଙ୍କ ପିଲାଙ୍କ ପରୀକ୍ଷା ସମୟ ହୋଇଥିବାରୁ ନିଜର ଅସମର୍ଥତା ପ୍ରକାଶ କରିଥିଲେ | ସେ ଦିନ ରାତିରେ ମିଶ୍ର ବାବୁ ଖୁବ କାନ୍ଦି ଥିଲେ ଓ ଦୁଃଖରେ ଭାଙ୍ଗି ପଡ଼ିଥିଲେ | ସେ ଭାବୁ ଥିଲେ ଯେଉଁ ପିଲା ମାନଙ୍କ ପାଇଁ ସେ ଏବଂ ତାଙ୍କର ସ୍ୱର୍ଗତ ପତ୍ନୀ ଦୁହେଁ ନିଜର ବ୍ୟକ୍ତିଗତ ସୁଖ ସୁବିଧାକୁ ସମ୍ପୂର୍ଣ ଅଣଦେଖା କରି, ଏପରିକି ସର୍ବ ନିମ୍ନ ମୌଳିକ ଆବଶ୍ୟକତାର ବଳିଦାନ କରି, ସବୁ କଣ୍ଟାକୁ ନିଜ ଆଡକୁ ସାଉଁଟି ନେଇ ସେମାନଙ୍କ ବାଟରେ ଫୁଲ ବିଛାଇବା ପାଇଁ କୌଣସି କସର ଛାଡି ନାହାନ୍ତି, ସେମାନେ ଆଜି ଏପରି ବେଳରେ କିନାରା କରି ରହି ଗଲେ ନିଜ ସୁଖରେ | ଏପରି ଦୁଶ୍ଚିନ୍ତା ଗ୍ରସ୍ତ ମନ ନେଇ ବହୁ ବିଳମ୍ବରେ ନିଦ ଆସିଥିଲା ମିଶ୍ର ବାବୁଙ୍କୁ | ସକାଳୁ କାମବାଲି ସବୁ ଦିନ ପରି ତା ପାଖେ ଥିବା ଚାବିରେ ଘରକୁ ଆସି ସକାଳର ଚା ସଙ୍ଗେ ସେ ଦିନର ଖବର କାଗଜ ବି ବେଡ ସାଇଡ ଟେବଲ ଉପରେ ରଖି ଡାକି ଥିଲା – ବାବୁ ଉଠନ୍ତୁ, ଆଠଟା ବାଜିଲାଣି, ଚା ବିସ୍କୁଟ ଖାଇଲେ ଓଷଦ ଖାଇବେ | ପାଣି ଗିଲାସେ ପିଇ ସେ ଦିନର ଖବର କାଗଜକୁ ଧରୁ ଧରୁ ଭିତରୁ ଖଣ୍ଡେ କାଗଜ ଗଳି ପଡିଲା | ତାହା ଥିଲା ଏକ ଏନ. ଜି. ଓ. ଏବଂ ସେ ସଂସ୍ଥା ଦ୍ୱାରା ପରିଚାଳିତ ଏକ ଅନାଥାଶ୍ରମ “ପରିବାର” ର ଇସ୍ତାହାର |


ଚା କପ୍ ସେମିତି ଅପିଆ ରଖା ହୋଇ କେତେ ବେଳୁ ଥଣ୍ଡା ହୋଇ ଗଲାଣି, ମିଶ୍ର ବାବୁ ଇସ୍ତାହାରଟିକୁ ଉପରୁ ତଳ ତଳୁ ଉପର ଅନେକ ବାର ଦେଖି ଚାଲିଛନ୍ତି | ପଢିବାକୁ ତ ଥିଲା କେବଳ ଚାରି ପାଞ୍ଚ ଧାଡ଼ି, ହେଲେ ନିର୍ଣୟ ନେବାକୁ ଥିଲା ବହୁତ ବଡ଼ | ନିର୍ଣୟ ନିଆଯାଇ ପାରେ ମୁହୁର୍ତ୍ତେ ମାତ୍ରକେ, ହେଲେ ସେଇ ଗୋଟିଏ ମୂହୁର୍ତ୍ତ ସାରା ଜୀବନର ଗତି ପଥ ପରିବର୍ତ୍ତନ କରିଦେଇ ପାରେ | କାମବାଲି ଆସି କହିଲା କଣ ବାବୁ ଚା ତ ପୂରା ଥଣ୍ଡା ହୋଇଗଲାଣି | ମିଶ୍ର ବାବୁ ନିର୍ଣୟ ନେଇ ସାରିଥିଲେ | ଶାରୀରିକ ଅସୁସ୍ଥତା ସମୟ ନିଏ ଠିକ ହେବାକୁ, ହେଲେ ମନ ନିମିଷକେ ଭୂମିରୁ ଭୁମାରେ ପହଞ୍ଚିଯାଏ | ଲିଭି ଯାଇଥିଲା ଏଇ କେଇ ଦିନର ମାନସିକ ଯାତନା ମନ ହାଲ୍କା ଲାଗୁଥିଲା ମିଶ୍ର ବାବୁଙ୍କର | ଥଣ୍ଡା ଚା କପକୁ ଦୁଇ ଢୋକରେ ପିଉ ପିଉ ଚାହୁଁଥିଲେ ଟିପୟ ଉପରେ ଥିବା ସ୍ବର୍ଗତ ପତ୍ନୀଙ୍କ ଫୋଟୋକୁ ଏକ ନିଶ୍ଚିନ୍ତ ନଯନରେ ସତେକି ତାଙ୍କର ସେ ନିର୍ଣୟକୁ ତାଙ୍କର ସହମତି ମିଳି ସାରିଛି |

ପରଦିନ ମିଶ୍ର ବାବୁଙ୍କ ପାଇଁ ସୁର୍ଯ୍ୟ ଉଇଁଥିଲା “ପରିବାର”ରେ | ଆଶ୍ରମକୁ ସପ୍ତାହକୁ ଥରେ ଆସୁଥିବା ଡାକ୍ତର ବାବୁଙ୍କର ସହାନୁଭୁତିପୂର୍ଣ ଚିକିତ୍ସା, ସୁସ୍ଥ ଏବଂ ଅପେକ୍ଷାକୃତ କମ ବୟସ୍କ ଅନ୍ତେବାସୀମାନଙ୍କ ଶୁଶ୍ରୂଷା, ପିଲାମାନଙ୍କର ସ୍ନେହ ଏବଂ ସମ ସାମୟିକ ମାନଙ୍କର ଉତ୍ସାହପ୍ରଦ କଥାରେ ମିଶ୍ର ବାବୁ ଖୁବ ଶୀଘ୍ର ଆରୋଗ୍ୟ ଲାଭ କଲେ | ସେଠିକାର ନିବିଡ ସାମାଜିକ ପରିସ୍ଥିତିରେ ସେ ସଦା ଉତଫୁଲ୍ଲିତ ବି ରହୁଥିଲେ | ପ୍ରତି କିଛି ଦିନ ଅନ୍ତରାଳରେ କିଛି କିଛି ନୂଆ ଅନାଥ ନିରାଶ୍ରୟ ବି “ପରିବାର”ରେ ଯୋଗ ଗ ଦେଉଥିଲେ | ଧୀରେ ଧୀରେ ଅନ୍ତେବାସୀଙ୍କ ସଂଖ୍ୟା ବଢିବାରୁ ଜାଗା ବି କମ ପଡିଲା | ସୁନ୍ଦର “ପରିବାର” ପାଇଁ କିଛି ଗୋଟେ କରିବାକୁ ମିଶ୍ର ବାବୁଙ୍କ ମନ ଛଟପଟ ହେଉଥାଏ | ଆଜି ରାତିରେ ବି କାହିଁକି ନିଦ ଆସୁନଥାଏ ତାଙ୍କ ଆଖିକୁ | କିନ୍ତୁ ଏବେ ଦୁଃଖରେ ନୁହେଁ ବରଂ କିଛି କରିବାର ସୁଖରେ, ନିଜର କିଂ କର୍ତ୍ତବ୍ୟ ବିମୁଢ ଅବସ୍ଥା ପାଇଁ ନୁହେଁ ବରଂ ବହୁତ କିଛି କରି ପାରିବାର ଶ୍ଵମାନରେ | ରାତି ପାହିଲେ ତାଙ୍କ ଜନ୍ମ ଦିନ | ମିଛ ମାୟାର ସମ୍ବନ୍ଧିମାନଙ୍କ ଠାରୁ ବାର୍ଥଡ଼େ ମେସେଜ ନ ଆସିବା ପାଇଁ, ସେ ସେମାନଙ୍କ ନମ୍ବର ଗୁଡିକୁ ବ୍ଲକ କରିଥିଲେ | ହଠାତ ସନ୍ଧ୍ୟା ଆଠଟାରେ ତାଙ୍କ ଠାରୁ କଲ୍‌ ପାଇ ମୁଁ କିଛି ଅର୍ଜେନ୍ଟ ଘଟଣା ଭାବି ସଙ୍ଗେ ସଙ୍ଗେ ଆଶ୍ରମରେ ପହଞ୍ଚିଥିଲି – କହି ଚାଲିଥାନ୍ତି ବାବୁ ଜଣକ | କବାଡିବାଲା ଆଁ କରି ଶୁଣୁଥାଏ |

ସେହି ସନ୍ଧ୍ୟାରେ ହିଁ ମିଶ୍ର ବାବୁ ଦୃଢ ନିଶ୍ଚୟ କଲେ ଯେ, ସେ ତାଙ୍କର ଏ ଘରଟିକୁ ଆସନ୍ତା କାଲି, ଅର୍ଥାତ ତାଙ୍କ ଜନ୍ମ ଦିନରେ ଅନ୍ୟ ଏକ “ପରିବାର” ଖୋଲିବା ପାଇଁ ଦାନ କରିବେ | ଏଣୁ ଆମ୍ଭେ ମାନେ ଏଇଠି କଲେକ୍ଟର ମହାଶୟଙ୍କୁ ଡାକିଛୁ ତାଙ୍କର ଏ ମହାନ କାର୍ଯ୍ୟରେ ସହଯୋଗ କରି ଏଠାରେ “ପରିବାର” ସଦସ୍ୟ ମାନଙ୍କ ସହ ମିଶ୍ର ବାବୁଙ୍କ ଜନ୍ମ ଦିନକୁ ପାଳନ କରିବା ପାଇଁ |

କିଛି ଶ୍ରମିକ ମେନ ଗେଟରେ ଏକ ବାନର ଲଗାଉଥିଲେ ଯେଉଁଥିରେ ଲେଖାଥିଲା “ପରିବାର” | ସେମିତି ବି ଗେଟ ଖୁଣ୍ଟରେ ଆଗରୁ ଏକ ମାର୍ବଲ ଫଳକରେ ଲେଖା ଥିଲା “ସୁଖ ସଂସାର” | କବାଡିବାଲାଟି ଭାବୁଥାଏ ବାଃ ସୁଖ ସଂସାରରେ ସୁଖି ପରିବାର | କଲେକ୍ଟରଙ୍କ ଗାଡିର ସାଇରନ ଶୁଭିଲା | ଏକ ଦୀର୍ଘ ଶ୍ୱାସ ପକାଇ କବାଡିବାଲା ସାଇକେଲରେ ପେଡାଲ ମାରିଲା | ପଛରୁ ଶୁଭୁଥାଏ ମିଶ୍ର ବାବୁଙ୍କ ପରିବାରର ଆନନ୍ଦମୟ କଲ୍ଲୋଳ – ହାପି ବାର୍ଥଡ଼େ ଟୁ ୟୁ |

                       


Rate this content
Log in

Similar oriya story from Inspirational