Jyotiranjan Acharya

Others

3  

Jyotiranjan Acharya

Others

ବଳିର ବକ୍ତବ୍ୟ

ବଳିର ବକ୍ତବ୍ୟ

2 mins
8.0K


ମନ୍ଦିର ମୂଖଶିଆଳିର ଠିକ୍ ଆଗରେ ବନ୍ଧା ହୋଇ ରହିଛି ଭେଂସା (ଅଣ୍ଡିରା ମଇଁସି) । ତା ଆଗରେ ପଡ଼ିଛି କିଛି ଘାସ କୁଟା। ଖାଉ ଖାଉ ଚାହିଁ ଦେଉଛି ଦେବୀ ମାଁଙ୍କ ମୁହଁକୁ। ମୁଣ୍ଡ ଝୁଙ୍କାଇ ପ୍ରଣାମ କରୁଛି। ମା’ ଓ ଭେଁସା, ମଝିରେ ଅନେକ ଅନେକ ଲୋଭ,ମୋହ, ଅହଂକାରର ନଦୀ ବହୁଛି ଏବଂ ଗୋଟିଏ କାଠର ଅର୍ଗଳି ଯାହା ସେ ନଦୀକୁ ପାର ହେବା ଲାଗି ଏକ ମାତ୍ର ପୋଲ ସଦୃଶ ଦୃଶ୍ୟମାନ ହେଉଛି। ପାଖରେ ଥୁଆ ହୋଇଥାଏ ଏକ ସିନ୍ଦୁର ବୋଳା ଶାଣିତ ଫାର୍ସା ଯାହା ଭେଂସାକୁ ଏକ ଆହୁଲା ପରି ପ୍ରତୀୟମାନ ହେଉଥାଏ। ଭେଂସା ଦେବୀ ମାଙ୍କୁ ମନେ ମନେ ପ୍ରଶ୍ନ କରୁଛି - ହେ ମା’, ତୁ ସତରେ କ'ଣ ମୋର ରକ୍ତ ଚାହୁଁଛୁ? ଦେବୀ ମା’ ଉତ୍ତର ଦିଅନ୍ତି - ନାଁ ରେ ନାଁ, ୟେ ସବୁ ତୋର କୃତ କର୍ମର ଫଳ। ମନେପକା ତୋର ପୂର୍ବ ଜନ୍ମର କଥା ଯେବେ ତୁ ଏକ ନର ମନୁଷ୍ୟ ରୂପରେ ଧରା ପୃଷ୍ଠରେ ଜୀବନ ଧାରଣ କରିଥିଲୁ..। ଭେଂସା ଆଗରେ ସିନେମାର ଚିତ୍ର ପରି ସବୁ ଯେପରି ଭାସି ଆସିଲା। ସେ ଗୋଟିଏ ପ୍ରବଳ ମଦ ମାଂସ ଲୋଭୀ ମଣିଷ ଥିଲା। ମାଂସ ମାନେ ସବୁ, ସିଝା ବି ଆଉ କଞ୍ଚା ବି। ଥାଳି ଭର୍ତ୍ତି ସିଝା ମାଂସ ସହ ପିଆଲା ଭରି ମଦ୍ୟ ପାନ କଲା ପରେ ତାର କଞ୍ଚା ମାଂସ ଖାଇବାର ଇଚ୍ଛା ଶତଗୁଣିତ ହୋଇଯାଉଥିଲା ଯାହାକୁ ସେ ଅନେକ ନିରୀହ ନିଷ୍ପାପ ଶରୀରର ବିଦାରଣ କରି ଚରିତାର୍ଥ କରୁଥିଲା। ରକ୍ତପୀପାସୁ ମନର ତୃଷ୍ଣାକୁ ସେ ଅନେକ ଲୋକଙ୍କ ରକ୍ତ ପାନ କରି ପ୍ରଶମିତ କରିଛି। କାହାର ଜୀବନ ନେଇଛି ତ କାହାକୁ ଜୀବନ୍ତ ଶବରେ ପରିଣତ କରିଦେଇଛି।

ଏବେ ଭେଁସା ସଂପୂର୍ଣ୍ଣ ଶାନ୍ତ, ଆପତ୍ତି ରହିତ ଏବଂ ଅବଶୋଷହୀନ ମୁଦ୍ରାରେ ଦଣ୍ଡାୟମାନ ରହିଥାଏ ଏବଂ ଅପେକ୍ଷା କରି ରହିଥାଏ ସେହି ନିର୍ଧାରିତ ମୁହୂର୍ତ୍ତକୁ ଯେବେ ସେ ତାର ସବୁ ପାପର ପ୍ରାୟଶ୍ଚିତ କରି ପାରିବ ତାର କୃତ କର୍ମର ପ୍ରାଲବ୍ଧ ପ୍ରାପ୍ତ କରି କର୍ମର ଲେଖା ଯୋଖା ବରାବର କରିବ।

କିଛି ସମୟ ପରେ ଭେଂସାକୁ ଗାଧୋଇ ପାଧୋଇ ବେକରେ ମନ୍ଦାର ମାଳ ପକାଇ ଦିଆଗଲା ଏବଂ ଅର୍ଗଳି ପାଖକୁ ନେଇ ନିଆଗଲା। ସେ ଦେଖୁଥାଏ ତାର ଚାରି ପାଖରେ ଅନେକ ଭିଡ଼। ସେ ତାର ଅନ୍ତିମ ମୁହୂର୍ତ୍ତର ଦେବୀ ଦତ୍ତ ଚକ୍ଷୁ ଦ୍ବାରା ଦେଖି ପାରୁଥାଏ ବଡ଼ ବିଭସ୍ଛ ରୂପମାନ। ଅନେକ ମହିଷସୁର, ଅର୍ଘାସୁର, ବକାସୁର, କଂସ, ପୁତନା, ସୁର୍ପଣଖା ଓ ହୋଲିକା ଆଦି। ସମସ୍ତଙ୍କର ବିକାର ଜର୍ଜରିତ ଜୀବନ କାହାଣୀକୁ ସେ ତାର ଦିବ୍ୟ ବୁଦ୍ଧି ଦ୍ବାରା ସହଜରେ ପଢି ପାରୁଥାଏ। ଜାଣି ପାରୁଥାଏ ଯେ ସେମାନେ ଆଜି ଭେଁସାର ମାଂସ ଲୋଭରେ ଦେବୀ ଭକ୍ତିର ଚାଦର ଘୋଡି ହୋଇ ଏଠାରେ ଏକତ୍ରିତ ହୋଇଛନ୍ତି।

ଶେଷରେ ସେ ଅନ୍ତିମ ସମୟ ଆସିଲା। ତା'ର ବେକକୁ ଅର୍ଗଳିରେ ବନ୍ଦ କରି ଦିଆଗଲା। ମୁଣ୍ଡରେ ସିନ୍ଦୂର ଟୀକା ଲଗାଇ ଦିଆଗଲା ଏବଂ ତା ଉପରେ ମା'ଙ୍କ ପାଦୁକ ପାଣି ଛିଞ୍ଚି ଦିଆଗଲା। ଘାତକ ଫାର୍ସା ଉଞ୍ଚାଇ ଆଗେଇ ଆସିଲା। ଏହି ସମୟରେ ସେ ଦେଖିଲା ଯେ ଦେବୀ ମା’ ତା ମଥାରେ ଆଶୀର୍ବାଦାତ୍ମକ ହାତ ରଖି ପଚାରୁଛନ୍ତି - ହେ ମୋର ପ୍ରିୟ ସନ୍ତାନ, ଆଜି ତୋର ସର୍ବଶେଷ ପ୍ରାୟଶ୍ଚିତ। ଏ ଶରୀରର ମୃତ୍ୟୁ ପୂର୍ବରୁ ତୋର ଶେଷ ଇଚ୍ଛା ମୁଁ ନିଶ୍ଚୟ ପୂର୍ଣ୍ଣ କରିବି। ଭେଁସା ମଥାନତ କରି କହୁଥାଏ - ହେ ମା’ ମୋତେ ତୁ ଆଉ ମଣିଷ ଜନ୍ମ ଦେ ନା। ମାଁ ଙ୍କର "ତଥାସ୍ତୁ" ଭେଁସା ପାଇଁ ଏ ଜନ୍ମର ଶେଷ ଶବ୍ଦ ଥିଲା।

ଦେବୀ ମାଙ୍କ ସମ୍ମୁଖରେ ରଖାଯାଇଥିବା ଭେଁସାର କଟା ମୁଣ୍ଡର ଆଖିରେ ସନ୍ତୁଷ୍ଟତାର ଝଲକ ଦିଶୁଥିଲା ବେଳେ ଦାନବ ମାନଙ୍କ ଚେହେରାରୁ ମନୁଷ୍ୟତାର ମୂଖା ଗୁଡ଼ିକ ଖସି ପଡିଥିଲା। ସମସ୍ତେ ଯେପରି ଭେଁସାର ମାଂସ ଓ ତାଜା ରକ୍ତ ପାଇଁ ଉନ୍ମତ୍ତ ଥିଲେ। ଦେବୀ ମାଁଙ୍କ ମଥାରୁ ଲାଲ୍ ଚୁନରୀଟା ଖସିଯାଇ ତାଙ୍କ ମୂଖ ମଣ୍ଡଳକୁ ଢାଙ୍କି ଦେଇଥିଲା।


Rate this content
Log in