STORYMIRROR

Priyaranjan Biswal

Abstract Romance Others

4  

Priyaranjan Biswal

Abstract Romance Others

ମାୟା ମରିଚିକା (ପ୍ରଥମ ଅଂଶ)

ମାୟା ମରିଚିକା (ପ୍ରଥମ ଅଂଶ)

3 mins
187


   ଜଙ୍ଗଲକୁ ଲାଗି ରତନପୁର ଗାଁ। ଗାଁ ର ଉତ୍ତର ଓ ଦକ୍ଷିଣ ଦିଗରେ ଦୁଇଟି ଛୋଟଛୋଟ ସୁନ୍ଦର ଝରଣା କୁଳୁକୁଳୁ ଶବ୍ଦ କରି ବହି ଯାଉଥାଏ। ଗାଁର ଦକ୍ଷିଣ ଦିଗରେ ଗ୍ରାମ ଦେବୀ ମା ଚଣ୍ତୀଙ୍କର ମନ୍ଦିର, ପଶ୍ଚିମ ଦିଗରେ ରାମ ଓ ହନୁମାନ ମନ୍ଦିର ଆଉ ଗାଁ ମଝିରେ ଶିବ ଓ ବିଷ୍ଣୁ ମନ୍ଦିର ଥାଏ। ଗାଁର ପୂର୍ବ ଦିଗରେ ଥିବା ଜଙ୍ଗଲରେ ବିଭିନ୍ନ ପ୍ରକାର ଫଳ, ଫୁଲ ଓ କାମସାର ଗଛ ଦେଖିବାକୁ ମିଳେ। କହିବାକୁ ଗଲେ ଗାଁଟି ପ୍ରକୃତିର ଶୋଭାରାଜି ମଧ୍ଯରେ ନିଜର ସ୍ଥିତିକୁ ସୁଦୃଢଭାବେ ବଜାୟ ରଖିଥାଏ। ଏହି ପ୍ରାକୃତିକ ଶୋଭା ଅଧିକାଂଶ ସମୟରେ ପଥିକ ଓ ପାଖ ଅଞ୍ଚଳର ଲୋକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସମର୍ଥ ହୁଏ।


    ଗାଁଟିର ମୋଟ୍ ଲୋକ ସଂଖ୍ଯା ବାରଶହ ପାଖାପାଖି ହେବ। ଗାଁର ଅଧିକାଂଶ ଲୋକ ଉଚ୍ଚ ଶିକ୍ଷିତ ଥିଲେ। ଗାଁର ଅଧିକ ଲୋକ ସରକାରୀ ଚାକିରି କରଥିଲେ। କିଛି ବ୍ଯବସାୟ କିଛି ବେସରକାରୀ ଅନୁଷ୍ଠାନରେ ମଧ୍ଯ କାର୍ଯ କରୁଥିଲେ। ଗାଁ ରେ ଅଧିକାଂଶ ସରକାରୀ ଚାକିରିଆ ଶିକ୍ଷକତା କରୁଥିବା ବେଳେ କିଛି ଡାକ୍ତର , ଯନ୍ତ୍ରି, ଓ ଅନ୍ଯ ପଦ ପଦବିରେ ମଧ୍ଯ ଅଧିଷ୍ଠିତ ଥିଲେ। ଗାଁରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଓ ଗୋଟିଏ ଉଚ୍ଚ ବିଦ୍ଯଳୟ ମଧ୍ଯ ରହିଥିଲା,ତେଣୁ ପିଲାମାନେ ପ୍ରଥମରୁ ଦଶମ ପର୍ଯ୍ଯନ୍ତ ବିନା ଅସୁବିଧାରେ ସହଜରେ ପାଠ ପଢି ପାରୁଥିଲେ।


    ଗାଁର ସବୁ ଲୋକଙ୍କ ଆର୍ଥିକ ଅବସ୍ଥା ଉଚ୍ଚ କୋଟିର ନଥିଲା। ଏମିତି ବି କିଛି ଗରିବ ଲୋକ ଥିଲେ ଯେଉଁମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ କାମ ପାଇଟି କରୁଥିଲେ। ଏହି ଗାଁରେ ସନାତନର ଘର । ଗାଁ ଛକରେ ଏକ ଜଳଖିଆ ଦୋକାନ ଦେଇ ସେ ନିଜର ଗୁଜୁରାଣ ମେଣ୍ଟାଉଥିଲା। ତାର ଦୁଇ ପୁଅ। ବଡପୁଅ ନାଁ ପ୍ରକାଶ ଓ ସାନ ପୁଅ ନାଁ ରମେଶ। ସନାତନର ବଡପୁଅ ଗାଁ ପ୍ରାଥମିକ ବିଦ୍ଯାଳୟରେ ପଞ୍ଚମ ଶ୍ରେଣୀରେ ପଢେ। ଦାରିଦ୍ର୍ଯର କଷଟି ପଥରରେ ବାରମ୍ବାର ଘସିହୋଇ ସେ ଜୀବନ ପଥରେ ଆଗକୁ ଚାଲିଥାଏ। ଗରିବପଣ କେତେ ଦାରୁଣ ସେ କଥା ପ୍ରକାଶ ଛଡା ଆଉ କେହି କହି ପାରିବେ ନାହିଁ। ଅନ୍ଯମାନେ କିଛି ଭଲ ଜିନିଷ ଖାଉଥିବାର ଦେଖି ପ୍ରକାଶ ଯେତେବେଳେ ତା ମାଙ୍କ ପାଖରେ ଅଝଟ କରେ ଆଉ କହେ ମା ବହୁତ୍ ଭୋକ,ତା ମା କୁହନ୍ତି ଯା ଖାଇଯା ପୋକ। ଆଉ ଆଖିରେ ତାଙ୍କର ଥାଏ ଆଖିଏ ଲୁହ। ବାସ୍ ସେ ଲୁହକୁ ଦେଖି ପ୍ରକାଶ ସବୁ ବୁଝିଯାଏ।ତା ମନରେ ଥାଏ ଅସୁମାରି ସ୍ୱପ୍ନ। ସେ ଭାରି ନମ୍ର ଓ ଭଦ୍ର। ମାଛିକୁ ମ ବୋଲି କୁହେନାହିଁ। ବିଦ୍ଯାଳୟର ଶିକ୍ଷକ, ଅଉ ଗାଁର କିଛି ଲୋକ ତାକୁ ବହୁତ୍ ଭଲ ପାଆନ୍ତି। ଭୋକ ଉପାସରେ ମଧ୍ଯ ଗୋଟିଏ ଦିନବି ବିଦ୍ଯାଳୟ ଯିବା ବନ୍ଦ କରେନି ସେ। କିନ୍ତୁ କିଛି ଲୋକ ତାର ନୀରିହ ପଣକୁ ନେଇ ତାକୁ ଥଟ୍ଟା ମଧ୍ଯ କରନ୍ତି। କିଏ ତାକୁ ହୁଣ୍ଡା କହେ ତ କଏ କହେ ହଣ୍ତପା, ବୋକା। ତାର ସାଙ୍ଗ ମାନେ ବି ତାକୁ ବହୁତ୍ ଥଟ୍ଟା କରନ୍ତି। କିନ୍ତୁ ସେ କାହାକୁ କିଛି କହେନି, ରାଗ ସବୁକୁ ଚାପି ଦିଏ ମନ ଭିତରେ। ଅଧିକ ରାଗିଲେ ପାଖରେ ଯାହା ପାଏ ସେଥିରେ ନିଜ ମୁଣ୍ଡ ବାଡେଇ ବାଡେଇ ରାଗ ଶାନ୍ତ କରେ। ଏକୁଟିଆ ବସି ବହୁତ୍ କାନ୍ଦେ। ଆଉ ଭଗବାନଙ୍କୁ ବହୁତ୍ ରାଗେ।


    ପଞ୍ଚମ ଶ୍ରେଣୀରେ ତା ସାଙ୍ଗରେ ସୁରେଶ ମଧ୍ଯ ପଢୁଥିଲା। ସୁରେଶର ବାପା ଗୋଟେ ବେସରକାରୀ ଅନୁଷ୍ଠାନରେ କାର୍ଯ୍ଯ କରୁଥାନ୍ତି। ଆଉ ସେ ମୋଟା ଅଙ୍କର ଦରମା ମଧ୍ଯ ପାଆନ୍ତି। ତେଣୁ ସୁରେଶର କିଛି ଅଭାବ ନଥାଏ। ଦୁହେଁ ସାଙ୍ଗ ହୋଇ ବିଦ୍ଯାଳୟରୁ ଘରକୁ ଯାଆନ୍ତି। ବାଟରେ ସାଙ୍ଗର ବଡ ଘରକୁ ଦେଖି ପ୍ରକାଶ ବହୁତ୍ ଖୁସି ହୁଏ ସତ କିନ୍ତୁ କେବେ ସୁରେଶ ଘର ଫାଟକ ଡେଁଇଁବାକୁ ଇଛା କରେନି। କାରଣ ସେ ବୁଝିଥିଲା ତା ସୀମାରେଖାକୁ।ଯେତେବେଳେ ଭଲ ପୋଷାକ ପ୍ରକାଶ ପାଇଁ ସାତ ସପନ ସେତେବେଳେ ସୁରେଶ ନିଜର ସାଇକେଲ୍ ଧରି ବୁଲୁଥିଲା। ପ୍ରକୃତରେ ଏ ସୃଷ୍ଟି ବଡ ବିଚିତ୍ର। ପ୍ରକାଶ ପାଇଁ ସୁରେଶର ଜୀବନ ଶୈଳି ଥିଲା ଏକ ମାୟା ମରିଚିକା। ଏମିତି ସମୟ ବତିଚାଲିଲା। ପ୍ରକାଶ ଓ ସୁରେଶ ପଞ୍ଚମରୁ ଷଷ୍ଠକୁ ଉତିର୍ଣ୍ଣ ହେଲେ। ଷଷ୍ଠ ଶ୍ରେଣୀରେ ସିବୁନ୍ ଆସି ନାମ ଲେଖାଇଲା,ଆଉ ସୁରେଶ ଓ ସିବୁନ୍ ବହୁତ୍ ଘନିଷ୍ଠ ହୋଇଗଲେ। ତା'ପରେ... କ୍ରମଶଃ। 


Rate this content
Log in

Similar oriya story from Abstract