Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyaprakash Sethy, M. A(UGC NET)

Classics


5.0  

Satyaprakash Sethy, M. A(UGC NET)

Classics


ମାଟି ହେବ ଲୋ! ମାଟି

ମାଟି ହେବ ଲୋ! ମାଟି

10 mins 374 10 mins 374

ଦୁଇ ଯାଆ।ଘର ଶେରଗଡ଼। ସହର ନୂହେଁ କି ମଫସଲ, ଏକ ଛୋଟ ବଜାର ପାଖ ଘର । ପକ୍କା ଘର ନୂହେଁ କି କୋଠା ଘର, ଛଣ ଛପର ଘର। ଘରର ଆଭିଜାତ୍ୟ ବୋଇଲେ କେଇଟା ସିମେଣ୍ଟ ଖୁଣ୍ଟ ଓ ବାଡ଼ି ପଟେ ଥିବା ଦି ଚାରିଟା ନଡ଼ିଆ ଗଛ ଆଉ କେତେଟା ସଜନା, ଅମୃତଭଣ୍ଡା ଓ କଦଳୀ ଗଛ। ଶାଗ ମାରିସ ଫସଲ କେରାଏ ହୁଏ। କହନ୍ତି ନାହିଁ ନା, “ବଜାରିଆଙ୍କର ଫୁଟାଣି ଭାରି, ଘରେ ନଥାଉ ପଛେ ତେଲ ଲୁଣ ଦୁଇ ଭାଡି “, ଠିକ୍ ସେୟା ଆଜ୍ଞା! ମାଇପଙ୍କର ଦିମାକ ଭାରି ।ଦୁଇଜଣ ଯାକ ପାଠ ସାଠ ଦି ଅକ୍ଷର ପଢିଛନ୍ତି। ତେଣୁ ପୁରା ମୂର୍ଖ ନୂହେଁ ଅର୍ଦ୍ଧ ପାଠୁଆ, କିନ୍ତୁ ଯାହା କହନ୍ତି ଗଣ୍ଡ ମୂର୍ଖ। ଖାଲି କ’ଣ ପାଠ ପଢି ଦେଲେ ହେଲା, ପୁଣି ବୁଦ୍ଧି ଅକଲ ଟିକିଏ ରହିବା କଥା କି ନୂହେଁ? ସେତକ ବି ଏମାନଙ୍କର ନାହିଁ। କି ହୋ! ଶାଶୁ ଶ୍ୱଶୁର ତ ଦିଟା କେବେଠୁଁ ମଲେଣି, ଘରକୁ ବୋଲି ତୁମେ ଦୁଇଟା ଯାଆ’ ଆଉ ସେ ଦୁଇ ଭାଇ। ଛୁଆ ଗୋଟେ ଗୋଟେ ଜନମ କରିଥିଲ ଯେ ସେ ଦୁଇ ଜଣ ବଡ଼ ସହରରେ ରହି ପାଠ ପଢୁଛନ୍ତି। ସେଇଥିରେ ୟା ଛୁଆ କିଏ ତା ଛୁଆ କିଏ? ଛୁଆ ଦୁଇଜଣଙ୍କର ତ ଭଲ ମିଳାମିଶା। କେହି କାହାକୁ ଛାଡ଼ି ଦଣ୍ଡେ ରହି ପାରନ୍ତି ନାହିଁ। ଘରୁ ଯାହା ଯାଏ ମିଳିମିଶି ଖାଆନ୍ତି, ସାଙ୍ଗ ହୋଇ ହଷ୍ଟେଲରେ ଚଳି ଯାଆନ୍ତି। ହେଲେ ତୁମେ ଦିଟା ମାଇକିନାର ଏତେ ଅହନ୍ତା କ’ଣ ପାଇଁ? ଇଏ ତା ଛୁଆକୁ ଦେଖି ପାରିବ ନାହିଁ, ସେ ୟା ଛୁଆକୁ ଦେଖି ପାରିବ ନାହିଁ। ଇଲୋ! ଧନ ସମ୍ପତ୍ତି କ’ଣ ତୁମକୁ ମୁଣ୍ଡେଇବ, ନା ମଲା ବେଳେ ସାଙ୍ଗରେ ନେଇକି ସ୍ଵର୍ଗପୁରୀକୁ ଯିବ? ଗଣ୍ଡେ ଶାନ୍ତିରେ ଖାଇ ଖଣ୍ଡେ ଠିକ୍ସେ ପିନ୍ଧି ପାରିଲେ ଜୀବନ ଭଲସେ ଅତିବାହିତ ହେଲା।ତା ବୋଲି ଏତେ ଲୋଭ କାହିଁକି? ସବୁବେଳେ ମୋର ତୋର। ଏଗୁଡାକ କ’ଣ ସବୁ ଭଲ କଥା କି? ପୁଣି ଶାନ୍ତି ବୋଲି ଗୋଟେ ଜିନିଷ ଅଛିନା, ସେଇ ଶାନ୍ତି ଟିକକ ଯଦି ନମିଳିଲା, ଏ ଜୀବନ ଥାଇ କି କେତେ ନ ଥାଇ କି କେତେ। ମାଇପେ ଜାତିଟା ପରା କିଛି ବୁଝିବେ ନାହିଁ। ସବୁବେଳେ ହିଂସା ବାଦ। ଏଗୁଡାଙ୍କର ବଡ଼ ପ୍ରକୃତି ଖରାପ ଆଉ କରିବ କ’ଣ। ଯେମିତି ସବୁ ଉଠେଇକି ନେଇ ସ୍ଵର୍ଗକୁ ପଳେଇବେ। ଖାଲି ରଣପା ଅସୁରାଣୀ ଭଳିଆ ହେଉଛନ୍ତି, ତାଙ୍କୁ କରିବ କ’ଣ? ଯାହା ପାଇଲେ ଲୁଚେଇ କି ନେଇ ନିଜ ଶୋଇଲା ଘରେ ପୁରେଇଲେ। କି ହେ! ଘର ବୋଲି ତ ବକଟେ, ସେଥିରେ ପୁଣି ସବୁ ଜିନିଷ ଖୁନ୍ଦି ଖାନ୍ଦି କି ପୂରାଉଛ, ପୁଣି ଜାଗା ହେଲେ ତ? ଘର ଭିତରୁ, କେହି କ’ଣ ବାହାର ଲୋକ ଚୋରେଇ ନେଉଛି। ନା.. ଚୋର ଧନ ପରା ଚୋର ଗଣ୍ଠିଲିରେ। ତେଣୁ ସବୁ ଜିନିଷକୁ ଆବୁଡା ପଡି ମୋର ବୋଲି କରି ରଖିବେ। ନହେଲେ ଭିନେ ହେଲେ କାଳେ ତା ଭାଗ ଅଧିକ ପଡିଯିବ। ଉଁ.. ହୁଁ.. ଘରେ ଯଦି ସୁନା ଶିଳିପତା ଥାନ୍ତା ଆହୁରି କେତେ ଲୋଭ କରୁଥାନ୍ତେ ନା ।ମୁଁ ତୁମ ରଙ୍ଗ କେତେ ଦେଖିଛି ଲୋ ମା ! ବାପ ଘରେ ଘୋଡେଇ ହେବାକୁ ଅଖା ଦି’ପଟ ନାହିଁ, ଝିଅ କିନ୍ତୁ ଛଟକ ହେଉଛି କେତେ? ପୁଣି ସେହି ଘରେ ତ ପୁଅ ପିଲା ଦିଟା ଅଛନ୍ତି, ସେମାନେ କେବେ ଝଗଡ଼ା ଲାଗନ୍ତି, ନା କାହାକୁ କିଛି କୁହନ୍ତି? ସେମାନଙ୍କୁ ଶାଗ ଦିଅ ପେଜ ଦିଅ କ’ଣ ଦିଟା ଖାଇ ଦେଇ ଦୁଇ ଭାଇଯାକ ଯାଇ ଦୋକାନରେ। ସେଠି କ’ଣ ତାଙ୍କର ବିକ୍ରି ବଟା କଲେ, ହିସାବ କିତାବ କରି ଦୁଇ ଭାଇ ସାଙ୍ଗରେ ଘରକୁ ଫେରିଲେ, ପୁଣି ରାତି ପାହିଲେ ଦୋକାନକୁ ଚାଲିଲେ। ଖାଲି ଖାଇଲା ବେଳେ ଯାହା ଦୁଇ ଭାଇ ଦୁଇ ଓଳା ଘରକୁ ଟିକିଏ ଆସନ୍ତି। ହେଲେ ତୁମ ଦୁଇ ଯାଆଙ୍କ କଥାରେ କେତେବେଳେ ମୁଣ୍ଡ ଖେଳାନ୍ତି ନାହିଁ। ହେଲେ ତୁମେ ଦିଟା କ’ଣ ମଣିଷକୁ ରଖେଇ ବସେଇ ଦେଉଛ ନା? ନିଇତି ଘରକୁ ଫେରିଲେ ତାଙ୍କ କାନରେ ମିଛ ସତ କହି ଏଣୁତେଣୁ ଫୋଡିଲ। ତୁମର ଜାଣି ରଖିବା ଉଚିତ୍, ମରଦ ପୁଅ ଦି’ ଟା ଥକା ହୋଇ ଦୋକାନରୁ ଘରକୁ ଫେରିଛନ୍ତି। ଟିକିଏ ଶାନ୍ତିରେ ବିଶ୍ରାମ ନେଲେ ପୁଣି ସକାଳୁ ସେଇ ଖଟଣି।

ଇଲୋ! ମାଇପ ହୋଇଛ ବୋଲି, ତା ବୋଲି ତୁମେ ଯାହା କହିବ ସେ କ’ଣ ସେୟା କରିବେ? ସେ ପୁଣି ପୁରୁଷ ପୁଅ, ତାଙ୍କର ସ୍ୱାଭିମାନ ବୋଲି କ’ଣ କିଛି ନାହିଁ? ତୁମର ସେଇ ଅବାଣିଆ କଥା ଗୁଡ଼ାକରେ ସେ ସହମତି ବା ସମ୍ମତି ନ ଦେବାରୁ ମୁହଁ ହାଣ୍ଡି କରିକି ବସିଛ। କ’ଣ ନା ଏକାଠି ରହି ପାରିବ ନାହିଁ, ଭିନେ ନହେଲେ ଆଉ ଚଳି ପାରିବ ନାହିଁ, କଥା ନଶୁଣିଲେ ବାପ ଘରକୁ ଚାଲିଯିବୁ ଇତ୍ୟାଦି ଇତ୍ୟାଦି – ଦୈନିକ। ଦିନେ ଭଲା ବିରାମ ଦିଅନ୍ତ? କି ବାପ ଘରକୁ ଯଦି ଯିବା କଥା ଚାଲି ଯାଉନ, ଫଟରେଇ ହେଉଛ କାହିଁକି ନିତି? ବୋପା ଘରେ ତ ସୁନା ଶିରିପା ଛିଡୁଛି। ଅଲାଜୁକୀ, ଝିଟି କୋଉଠିକାର। ଯାଅ ବାପ ଘରକୁ, ସେଠି ତ ଭାଉଜ ଅଛି ସାଠଣା ମାଠଣା କରିକି ଦେବ, ପେଟ ପୂରା ଦୁଇ ଓଳା ଖାଇବାକୁ ଦେବ, ଖାଲି ବସିକି ଗୋଡ ଉପରେ ହାତ ପକାଇ ଗେଫା ମାରିବ। ଦିନ ଗୋଟେ ଦିଟା ଗଲେ ଛାଞ୍ଚୁଣୀରେ ପାହାରେ ଦି ପାହାରେ ଦେବ ଯେ, ଏକା ବେଲକେ ବାପକୁ ମୋଉସା କହି ଧାଇଁବ। ଆରେ! ଯାହା ହେଲେ ବି ନିଜେ ନିଜ ଘରେ ପରା ବନସ୍ତର ହସ୍ତୀ, ପର ଓଳି ତଳେ ମୁଣ୍ଡ ଗୁଞ୍ଜିବା ଅପେକ୍ଷା ନିଜ ଘରେ କାହିଁକି ସଣ୍ଢା ଟେକି ବାଟ ନଚାଲିବ? ମାନୁଛି ସେହି ଘର ଦିନେ ତୁମର ନିଜର ଥିଲା। ହେଲେ ଏବେ ସେଠି ଭାଉଜର ରାଜ ଚାଲିଛି। ଆଉ ନିଜ ବାପଭାଇ କିଛି ବି କହି ପାରିବେ ନାହିଁ। କହିଲେ ବୁଢ଼ାବୁଢୀ ଦିଟା ବାର୍ଦ୍ଧକ୍ଯ ବେଳେ ଯାଇ ଖାଇବାକୁ ପାଉଛନ୍ତି, ସେତକ ବି ପାଇବେ ନାହିଁ। ତେଣୁ ଶ୍ୱଶୁର ଘର ତ ଭାଙ୍ଗିଲ ଭାଙ୍ଗିଲ, ପୁଣି ବାପ ଘର ଯାଇଁ କାହିଁକି ଅଯଥାରେ ତାଙ୍କ ଶାନ୍ତ ପରିବେଶରେ ଅଶାନ୍ତି ବୁଣିବ। ବରଂ ଯାହା ହୋଇଛି ହୋଇଛି, ନିଜ ନିଜ ଭିତରେ ଦୁଇ ଯାଆ ଆପୋଷ ମିଳାମିଶା ସୂତ୍ରରେ ବୁଝାବଣା କରି ନେଇ ଶାନ୍ତିରେ ରୁହ। ନହେଲେ ନିଜେ ତ ଅଶାନ୍ତି କିଣିବ, ତା ସହିତ ସେଇ ଶାନ୍ତ ସୁଧାର ପୁରୁଷ ପିଲା ଦୁଇଟାକୁ ବି ଅଶାନ୍ତିରେ ପକେଇବ। ଅଯଥା ତୁମ ଦି’ଟା ମାଇକିନା କଥାରେ ବହରି ଯାଇ, ପାଟି ତୁଣ୍ଡ ଲାଗି, ହଣାକଟା ହେବେ। ସେଇଥିରେ ପୁଣି କିଏ ମରିବ କି ବଞ୍ଚିବ ସେ କଥା କିଏ କହିବ ଲୋ ମାଆ! ପୁଣି ମାମାଲା ଯଦି ଘର ପାଖରେ ନ ଛିଡିଲା, ତେବେ ପ୍ରଥମେ ଥାନା ତା’ପରେ କୋର୍ଟ କଚେରୀ। ଆଗ ତ ଗାଁ ଟାଉଟର ଓ କଜଳ ପାତିଆ ଭଦ୍ରଲୋକ କଥାଟାକୁ ମିମାଂସା କରିଦେବା ଆଳରେ ଥୋଡେ ଖଣ୍ଡ ଖାଇଯିବେ। କିନ୍ତୁ ଭାଗ ଯଦି ଭଲ ରକମର ନପଡିଲା ବା ପାଉଣାରୁ ଟିକିଏ କମ୍ ହୋଇଗଲା ତାହେଲେ ଏମିତି ଘଣା ବୁଲେଇବେ ଲୋ ମା’! ଖାଲି ତ ଘିରି ଘିରି ହୋଇ ବୁଲୁଥିବୁ, ନ ହେଲେ ଚକ୍କି ପେଷୁଥା’… ।ଘଟଣାଟିକୁ ନେଇ ଦାରୋଗା ବାବୁ ପାଖରେ ପହଞ୍ଚେଇ ଦେଇ, ସେଠୁ ଦି ପଇସା ବକ୍ସିସ ନେଇ ପଳେଇବେ। ସେଠି ତୁମେ ତୁମର ରାତି ସାରା ଥାନା ପିଣ୍ଡାରେ ମଶା ମାରୁଥା, ମଜ୍ଜା ଚାଖୁଥା। ବେଶୀ ପାଟି କଲେ ଦାରୋଗା ବାବୁଙ୍କର କଡା କଥା ଓ ନାଲି ଆଖିରେ ମନ ଘର ଧରିଯିବ। ସେଠି ଯଦି ମୋଟା ଅଙ୍କର ପଇସା ଅଛି, ତାହେଲେ ଉଦ୍ଧୁରି କି ଥାନା ବାରଣ୍ଡା ମୁହଁରୁ ଆସିବୁ। ନହେଲେ ସିଧା ଜେଲ ହାଜତରେ ପଶିବୁ। ଏକାବେଳକେ କୋର୍ଟ ଚାଲାଣ କରିଦେବେ ଯେ ଯାଇ ଅନ୍ଧାରି ସେଲ୍ ଭିତରେ ଚଷୁ କୁଟୁଥିବୁ। ଅନାନି! ଖାଇବାକୁ ଦେବେ ସୁଦ ଡାଲି ପାଣି ଆଉ ପୋଡ଼ା ଅଙ୍ଗାର ଭାତ।

ଇଚ୍ଛା ହେଉଥିବ ଖାଲି ଥୁ ଥୁ ଫିଙ୍ଗି ଦେବାକୁ। ହେଲେ କ’ଣ ଫିଙ୍ଗି ପାରିବୁ କି? କାରଣ ସେପଟେ ଭାରି ଭୋକ ହେଉଥିବ। ତେଣୁ ନ’ଅଙ୍କ କାଙ୍ଗାଳ ଭଳିଆ ଯାହା ପାଇବୁ ଗିରାସେ ଖାଇଯିବୁ। କାହିଁକି ନା ଉପାୟ ନଥିବ, ଭୋକରେ ପେଟ ଆଉଟି ପଉଟି ହେଉଥିବ। ଖାଲି କ’ଣ ସେତିକି, ଘରେ ଯେମିତି ଦୁଇ ଯାଆଯାକ ସବୁବେଳେ ରାଉରାଉ ହେଉଛ, ସେଠି ଆଦୌ ବଡ଼ ପାଟି କରି ପାରିବ ନାହିଁ, ନହେଲେ ରୋଲ୍ ବାଡିରେ ଭଲ ରକମର ଦି କୁଟା ଖାଇବ। ଲୁଗା ପଟା ବୋଲି ଦୁଇଟା କମଳ ଲୋ ମା’! ଗୋଟେ ଘୋଡେଇ ହେବୁ, ଆଉ ଗୋଟେ ବିଛେଇବୁ। ଯାହା ନେଇଥିବୁ ସେତିକି ପିନ୍ଧିବୁ। ତୋ ବୋଲବୋଲା ସେଠି କାମ କରିବ ନାହିଁ। ତାଙ୍କ ଇଛାରେ ଗାଧୋଇବା ଓ ତାଙ୍କ ଇଛାରେ ଚଳିବା ହେବ । ପୁଣି ଜେଲରୁ ମୁକୁଳିବାକୁ ହେଲେ କଳା କୋର୍ଟ ପିନ୍ଧା ଓକିଲ ବାବୁ ଥିବେ, ତାଙ୍କୁ ବିଡାଏ ଦିବିଡା ପଇସା ଗଣି ଦେବାକୁ ପଡ଼ିବ, ଯାହା କୋଠ ଧନ କରି କୁମ୍ଫିରେ ପୂରେଇଛ। ସେତକ ପୁଣି ନିଅଣ୍ଟ ହେଲା ଯେବେ, ତାହେଲେ ଶେଷକୁ ଘର ଢିଅ ଖଣ୍ଡକ ବନ୍ଧା ପକେଇବୁ। ତୋ ଛୁଆ ଛପର ଖଣ୍ଡକ ହରେଇ ଗାଁ ଦାଣ୍ଡର ଭିକାରୀ ହେବେ। ହାକିମ ହେବେ ନା ହାକିମ – ଆହୁରି କ’ଣ ସ୍ଵପ୍ନ ଦେଖୁଥା’ ।ହେଲେ ବେଳ ଥାଉ ଥାଉ ହୁସିଆର ହୁଅ ଓ ଦୁଇ ଯାଆଯାକ ସାଲିସ୍ କରି ନିଅ। ନହେଲେ ସବୁ ସ୍ଵପ୍ନ ମାଟି ହେବ ଲୋ! ମାଟି।


ହେଲେ ସେ କାହୁଁ ଶୁଣନ୍ତେ ଯେ। ତାଙ୍କୁ ତ ଦଶା ବାଟ କଢେଇ ନେଉଛି, ସେ କରିବେ କ’ଣ? ସେଦିନ ସାମନ୍ୟ ଘଟଣାକୁ କେନ୍ଦ୍ର କରି ଦୁଇ ଯାଆଙ୍କ ଭିତରେ ସ୍ରୁଷ୍ଟି ହେଲା ତୁମୁଳ କାଣ୍ଡ। ସାନ କହିଲା – “ଦେଇ! ତୁମେ ଟିକିଏ ଭାତଟାକୁ ଦେଖୁଥିବ, ମୁଁ ଶାଗ ଗଣ୍ଡେ କାଟି ଆଣେ। ଆସିଲେ ତେଣେ କେତେ କାମ, ଖାଇ ପିଇ ପୁଣି ସ୍କୁଲ ଯିବାକୁ ହେବ । କାରଣ ବେଳ ହୋଇଗଲାଣି”। ବାସ୍ ଏତିକିରେ ମହାଭାରତ ଯୁଦ୍ଧ ଲାଗିଗଲା। ବଡ଼ ଜୋହରସେ କଳିଗୋଳ, ଭେମା ରଡି, ମୁଣ୍ଡ ଫଟାଫଟି – ସବୁକିଛି, କେମିତି ଅଚାନକ ଘଟିଗଲା। କାହିଁକିନା ବଡ଼ ଯାଆ କହିଲା -” ଏ ଅନାନି କହୁଛି! ମୋତେ ତୁ ସେମିତି ବରାତି କରି ପାରିବୁ ନାହିଁ। ମୁଁ କ’ଣ ତୋ ବୋଲବାଲାରେ ଅଛି ନା କ’ଣ? ତୁ ସାନଟେ ହୋଇ ମୋତେ କ’ଣ ପାଇଁ ଆଦେଶ ଦେଉଛୁ? ତୋର ତେଣିକି ଖାଇଲେ ଖାଆ, ନ ଖାଇଲେ ସେଇମିତି ସ୍କୁଲ ଯାଆ”। ସାନ ଏଗୁଡାକ ଶୁଣି ରାଗରେ ଗରଗର ହେଲା। ଶୁଣେଇ ଶୁଣେଇ କହିଲା – “ମୁଁ ଏମିତି କେଉଁ ମାରହାଣ କଥା କହିଦେଲି କି? ଅସଲ କଥା କୋଉନୁ? ମୁଁ ନୂଆ ଅଙ୍ଗନବାଡି ଚାକିରୀ ଖଣ୍ଡେ ପାଇଛି ବୋଲି ତୁ ହିଂସାରେ ଜଳୁଛୁ”। ବାସ୍ ଏଥର ଆଉ କିଏ କାହାକୁ ସମ୍ଭାଳେ? ଘୋଷରା ଟଣା ହୋଇ ଖଣ୍ଡିଆ ଖାବଡା ହେଲେ। ଚୁଟି ଟଣାଟଣି ହୋଇ ମୁଣ୍ଡ ବାଳ ଛିଡ଼ାଇଲେ। ପୁଣି ସାନକୁ କାଟିବାରୁ ଉପାୟ ନ ପାଇ ହାତ ମୋଡାରୁ ରକ୍ଷା ପାଇବା ପାଇଁ ଟିକିଏ ତା ବେଢରୁ ଖସି ପାଖରେ ପଡ଼ିଥିବା କାଠ ଫାଳୀଆରେ ଦେଲା ଯେ ଶକ୍ତ ପାହାରେ ,ଏକା ଥରେକେ ଦୁଇ ଫାଳ। ମୁଣ୍ଡ ଫାଟି ରକ୍ତ ଝିରି ଝିରି ବୋହିଲା। ଲୋକେ ଗଦା ହୋଇଗଲେ। ଦେଖଣାହାରି କିଏ କେତେ ପ୍ରକାର କଥା କହିଲେ। ଖଳ ପ୍ରକୃତିର ଲୋକଙ୍କୁ ତ ମୌକା ମିଳିଗଲା, ନିଜ ମନ୍ଦ ଉଦ୍ଦେଶ୍ୟଟାକୁ ଚରିତାର୍ଥ କରିବା ପାଇଁ। ଘଟଣାଟାକୁ ଉସୁକାଇ ଦେଲେ। ଘଇତାମାନେ ଆସିବାରୁ ଯେଝା ଯେଝା ସ୍ଵାମୀଙ୍କୁ କାନ୍ଦି କାଟି ଯେତେ ଅଭିନୟ କରି କହିବା କଥା କହିଲେ। ଏଥର ଘଟଣାଟା ଯେହେତୁ ମାଡ ଗାଳିରେ ସୀମିତ ନହୋଇ ରକ୍ତ ପାତ ଯାଏଁ ଗଲାଣି, ଆଉ କଥାଟାକୁ କେହି ହାଲୁକା ନେଇ ପାରିଲେ ନାହିଁ। ଘଟଣାଟା ଚୂଡାନ୍ତ ରୂପରେଖ ନେବାକୁ ଲାଗିଲା। କେହି ଜଣେ ମନ୍ଥରା କହିବାରୁ – “ସାନ ଯାଆ ତୋର ନୂଆ କରି ଚାକିରୀ ଖଣ୍ଡେ ପାଇଥିବାରୁ ତା ମନରେ ଏତକ ଗର୍ବ। କେସ୍ ଗୋଟେ ଠୁଙ୍କି ଦେ’, ଆଗ ଚାକିରୀ ଯାଉ ତା ପରେ ଯାଇ ମାଇକିନା ଠିକ୍ ବୁଝି ପାରିବ” । କଥାଟା ମନକୁ ପାଇବାରୁ ଇର୍ଷାରେ ଜଳି ହୁମୁହୁମୁ ହୋଇ ଡାକ୍ତରଖାନାରୁ ସିଧା ଥାନାକୁ ଧାଇଁଲା। ପୁଲିସ ତାକୁ ସେଇଠି ଅଟକ ରଖି, ସାନକୁ ଡାକି ଜେରା କେଲା।ବଡ଼ ପାଖରୁ କିଛି ମାଲ୍ ନ ଝଡ଼ିବାରୁ ସାନକୁ ଶିଖେଇ ଗୋଟେ କାଉଣ୍ଟର କେସ୍ କରିଦେଲା। କହିଲେ -” ତୁମେ ଚାକିରୀ କରିଛ, ଚାକିରୀ ଚାଲିଯିବ ଜେଲ୍ ହୋଇଗଲେ।ବରଂ ଗୋଟେ କାମ କର! ତା’ ନାଁରେ ବି ଗୋଟେ ଏଫ୍. ଆଇ. ଆର୍. ଦେଇ ଦିଅ, ମୁଁ ଚେଷ୍ଟା କରିବି, ଘଟଣାଟିକୁ ଏଇଠି ରଫାଦଫା କରିବାକୁ। ତେଣୁ ମୁଁ ଡାକୁଛି ଲେଖ, ଲେଖିବ-“ସେ ମୋ ତଣ୍ଟି ଆଗ ଚିପି ଧରି ମାରି ଦେବାକୁ ଚାହୁଁ ଥିଲା, ପୁଣି ପନିକି ଉଠାଇ ହାଣି ବସିଥିଲା, ମୁଁ ଧରି ନେବାରୁ ତା’ ପଟାଟା ବାଜି ତା ମୁଣ୍ଡ ଫାଟିଗଲା “। ଉଭୟଙ୍କୁ ଚୌକିଦାର ଓ ହାବିଲଦାର ଜରିଆରେ ବଡ଼ ବାବୁ ମୋଟା ଅଙ୍କରେ କିଛି ମାଗିଲେ। ହେଲେ କେହି ପଇସା ଧରି ଯାଇ ନଥିଲେ କି କାହାଠାରୁ ସନ୍ତୋଷଜନକ ଉତ୍ତର ମଧ୍ଯ ମିଳି ନଥିଲା। ତେଣୁ ଦୁଇ ଯାଆଙ୍କୁ କୋର୍ଟ ପଠେଇଦେଲା। ସିଧା ଯାଇ ବେଲେପୁର ଜେଲରେ ରହିଲେ। ଦୁଇ ଭାଇଯାକ ପୋଲିସ

ବାବୁମାନଙ୍କୁ କେତେ ନେହୁରା ହେଲେ- ଛାଡିଦେବା ପାଇଁ। କିନ୍ତୁ ସବୁ ନିଷ୍ଫଳ ହେଲା।ଦୁଇ ଭାଇ ଯାକ କାନ ମୁଣ୍ଡ ଆଉଁଁଷି ହୋଇ ରହିଲେ। କୋର୍ଟ କଚେରୀ ଓ ଓକିଲଙ୍କ ଦ୍ୱାରସ୍ଥ ହେଲେ – ଜମିନ୍ ପାଇଁ।

ସେଠି ଜେଲର ଅବହାୱା ଖାଇ ଓ ପାଣିପାଗ ଦେଖି ଦୁଇ ଯାଆ ସବୁ ବୁଝିଗଲେ। ଦୁର୍ଦ୍ଦଶା ମଣିଷକୁ ଏପରି ହଟହଟା କରେ ଯେ, ଖାଲି ଆଖି ମଳିମଳି କାନ୍ଦିବା ଛଡା ଆଉ କାହାକୁ କିଛି କହି ହୁଏ ନାହିଁ।ତେଣୁ ସେମାନଙ୍କ ମନରେ ଭାବାନ୍ତରିତ ହେଉଥାଏ।


ହାଜତ ଭିତରକୁ ପଶିବା ପାଇଁ ଅନେକ କଟକଣା। ଆଗେ ଲେଖା ପଢ଼ି ହେବ। ଲଙ୍ଗଳା ମୁଙ୍ଗୁଳା କରି ସବୁ ଅଣ୍ଡାଳିବେ, କାଳେ କିଏ କେଉଁଠି କ’ଣ ରଖିଛିକି ନାହିଁ ସବୁ ଦେଖିବେ। ଭାରି ଲାଜ ଲାଗିବ। ମାନ ମହତ୍ ସବୁ ଯିବ। ପୁଣି ପିନ୍ଧିଲା ଲୁଗା ଖଣ୍ଡେ ଦୁଇ ଖଣ୍ଡ ଛାଡ଼ି ସବୁ ଖୋଲିକି ରଖି ଦେବେ। ଏପରିକି ସୁନା ରୂପା ଗହଣା ମଧ୍ୟ ଖୋଲି ଜିମା ଦେବାକୁ ହେବ। ମନ ଯାହା ଛଟପଟ ହେଉଥିବ, ସେ କଥା ଭଗବାନ ଜାଣନ୍ତି। ଗୋଟେ ପରେ ଗୋଟେ ଦି ତିନିଟା ଗେଟ ଫାଟକ ପାର୍ କରି ଭିତରକୁ ନେବେ। ଦାରୋଗା ସବୁ ଜଗି ରହିଥିବେ। ଉଚ୍ଚା ଦେଵାଲକୁ ବଡ଼ ବଡ଼ କୋଠା। ପୁଣି ଚୋର ତସ୍କର ଠାରୁ ଜନାକାରି ଘଟାଇଲାବାଲା ଓ ମର୍ଡର ଆସାମୀ ସବୁ ସେଇଠି। ମନରେ ଭାରି ଡର ଉପୁଜି ଥାଏ। ପୁଣି ଜେଲରେ ନିୟମ କାନୁନ୍ ସବୁ ଅଲଗା। ପ୍ରତି ଦିନ ସନ୍ଧ୍ୟା ପୂର୍ବରୁ ମାନେ ସାଢେ ପାଞ୍ଚଟା ବେଳକୁ ଖାଇବାକୁ ଦିଆଯାଏ। ମାତ୍ର୍ ଆମେ ସେଦିନ ଡେରିରେ ଜେଲକୁ ଆସିଥିବାରୁ ଖାଇବାକୁ ମିଳିଲା ନାହିଁ। ବଡ଼ କଷ୍ଟରେ ଭୋକ ଉପବାସରେ ରହିଲୁ। ଦିନ ତମାମ ତ ମନ ପୋଡ଼ି ଯାଇଥିବାରୁ କିଛି ଖିଆ ପିଆ ନଥିଲା, ଏଠି ଭୋକ ସମ୍ଭାଳି ହେଲା ନାହିଁ। ତା ଭିତରେ ପୁଣି ପୁରୁଣା ଓ ସଜ୍ଜା କାଟୁଥିବା କଏଦୀଙ୍କର ଦବଦବା ଅଧିକ। ତାଙ୍କ କଥା ନମାନିଲେ କି ତାଙ୍କ ସେବା ଯତ୍ନ ନକଲେ ମାରିବେ। କେହି ଭିଜିଟର ଘରୁ ଆସି ଯଦି କିଛି ଖାଇବା ଜିନିଷ ଦେଇଗଲେ, ସେଥିରୁ ଗେଟଠିଁ ଆଗ ଅଧା ଖୋଲି ରଖିଦେବେ। ପୁଣି ପୁରୁଖା କଏଦୀ ମାନଙ୍କୁ ଅଧା ଭାଗ ନଦେଲେ ସଜ୍ଜା ଶୁଣାଇବେ। ବାହାରେ ସଜ୍ଜା ଭିତରେ ବି ସଜ୍ଜା। ଅନ୍ୟ ଆଡ଼େ ଜାଗା ନଥିବାରୁ ଆମ ଦୁଇ ଯାଆଙ୍କୁ ଗୋଟିଏ ରୁମରେ ଏକାଠି ରହିବାକୁ ହେଲା।ଯେହେତୁ ଗୋଟିଏ କେସରେ ଦୁଇ ଜଣ ଆସିଛୁ, ତେଣୁ ମଝିରେ ପୋଲିସ୍ ଦିଦି ଜଗି ରହିଲେ, ଯେମିତି ଆମେ ଝଗଡ଼ା ଝାଣ୍ଟି ନଲାଗୁ। ରାତିଟା କୌଣସି ପ୍ରକାରେ କଟି ଗଲା । ଦିନ ହେଲାଠୁଁ ସକଳ ଘର କରଣା ଓ ଘର କଥା ମନେ ପଡ଼ି ଯାଉଥାଏ। କେମିତି ସେ ଦୁଇଟା ପୁରୁଷ ପୁଅ ଚଳୁଥିବେ। ପୁଣି ଗାଁରେ ଲୋକେ କ’ଣ କୁହାକୁହି ହେଉଥିବେ। ମାନ ଇଜ୍ଜତ୍ ଯାହା ବାପ ଗୋସିବାପ ଚଉଦ ପୁରୁଷ କମେଇ ଥିଲେ- ସବୁଗଲା,ସବୁ ମାଟିରେ ମିଶିଲା। ଆଉ କାହାକୁ ମୁହଁ ଦେଖାଇ ହେବ ନାହିଁ, ଛୁଆ ଦି’ଟା କ’ଣ ଭାବିବେ, କି ଶିକ୍ଷା ପାଇବେ,କ’ଣ ସେମାନଙ୍କ ଉପରେ ପ୍ରଭାବ ପଡ଼ିବ, ନିଷ୍ପାପ ଛୁଆ ଦିଓଟି, ସେମାନଙ୍କ ପଢାପଢିରେ ନିଶ୍ଚିତ ବ୍ୟାଘାତ ହେବ ଇତ୍ୟାଦି ଇତ୍ୟାଦି କେତେ କଳୁଷ ଚିନ୍ତା ମନକୁ ଘାରୁଥାଏ।ସମୟ ତ କିଛି ଜାଣି ହେଉ ନଥାଏ, କାରଣ ଘଣ୍ଟା ନଥାଏ, କେବଳ ସମୟ ନିର୍ଘଣ୍ଟ ଅନୁସାରେ ବାଜୁଥିବା ହୁଇସିଲ ଓ ବେଲ ଶୁଣି ଯାହା କିଛି ଅନୁମାନ କରିହୁଏ। ସକାଳୁ ଉଠି ରଘୁପତି ରାଜାରାମ ପ୍ରାର୍ଥନା କରାଯାଏ।ପାଇଖାନା ଯିବା ପାଇଁ ଲାଇନ୍ ଲାଗିଥାଏ। ଚା ଟିକିଏ ପିଆ ହୋଇ ନାହିଁ ବୋଲି ମୁଣ୍ଡଟା ଦିଗ୍ ଦିଗ୍ ହୋଇ ବିନ୍ଧୁଥାଏ। କେତେ ବେଳକେ ଚା ଟିକେ ଆସିଲା ଯେ, ଖାଇ ହେଲା ନାହିଁ। ସୁଦ ପାଣି ଚା। ନା ସ୍ୱାଦ ଅଛି ନା ରଙ୍ଗ। ଭଗବାନ ତ ଏୟା ଭୋଗିବାକୁ ଦେଇଛି। ହାୟରେ କପାଳ! ସେତକ ପାଇଁ ବାଇ ସମସ୍ତେ ଧାଡ଼ି ହୋଇ ଛିଡ଼ା ହୋଇଯାନ୍ତି, ପୁଣି ଧାଡ଼ି ହୋଇ ଥାଳି ତାଟିଆ ଧରି ଖାଇବା ଜିନିଷ ଆଣିବାକୁ ହୁଏ। ସେଇଥିରେ ବି ଠେଲାପେଲା ହୋଇ ଫୋକଡ଼ା ଫିଙ୍ଗା ଓ ମାଡ ଗୋଳ ହୁଅନ୍ତି। ଜେଲର ଆସି ବାଡ଼େଇ ବାଡ଼େଇ ହାଲିଆ କରେ। ସେଠି ଟିକେ ନିୟମ ଅଲଗା, ଜଣେ ଭୁଲ କଲେ ଗ୍ରୁପଟା ସାରା ମାଡ ଖାଆନ୍ତି। ରାତି ଦିଦିଟା ଭାରି ଖରାପ ଥିଲା। ଖାଲି ଦୋ ଅକ୍ଷରୀ ଗାଳି କରୁଥିଲା – “କହୁଥିଲା ଉଁ ଝଗଡ଼ା ଲାଗିବାକୁ ଦୁଇ ଜଣଙ୍କୁ ଭାରି ଭଲ ଲାଗୁଥିଲା, ଏଠି ଆସି କି ଛଇ କାଢୁଛନ୍ତି କ’ଣ ନା ନିଦ ଆସୁ ନାହଁ, ଶୁଅବେ ଶାଳୀ! ମୋତେ ନିଦ ଲାଗିଲାଣି, ନହେଲେ ଦେବି ଯେ ପାହାରେ”। କିନ୍ତୁ ଦିନ ଦିଦିଟା ଭାରି ଭଲ, ସେ କେତେ ବୁଝା ଶୁଝା କଲେ। ନୀତି ଆଦର୍ଶର ପାଠ ପଢାଇଲେ। ହେଲେ ଆମେ କେହି କାହା ମୁହଁକୁ ଚାହିଁ ପାରୁ ନଥାଉ। ଥରେ ମୁହଁ ପୋଡ଼ିଗଲେ, ଅବସ୍ଥା ସୁଧୁରିବା ଏତେ ସହଜ ନୁହେଁ।ଖାଲି ଯାହା କଣେଁଇ କଣେଁଇ ପରସ୍ପରକୁ ଚୁହାଁଚୁହିଁ ଟିକେ ହେଉଥିଲୁ ସିନା ହେଲେ ଦୁଇ ଧାର ଦେଇ ଲୁହ ବୋହି ଆସୁଥିଲା। ଖାଲି ମନେ ପଡି ଯାଉଥାଏ – “ଆମ ଗାଁ ପୀତେଇ ନାନୀ କଥା। ବୁଢୀ ଯାହା ସବୁ ତା ଅଭିଜ୍ଞତାରୁ ଆମକୁ କହି ବୁଝାଉଥିଲା ସେଦିନ କଳି ନଲାଗିବା ପାଇଁ – ସବୁ ସତ। ସେଦିନ ଯଦି ପୀତେଇ ନାନୀ କଥା ମାନିଥାନ୍ତୁ ଆଜି କାହିଁକି ଏ ଜମ ଜନ୍ତ୍ରଣା ଭୋଗିଥାନ୍ତୁ” ।


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Classics